ଦଳବଦଳ ବନାମ ଉତ୍ତରଦାୟିତ୍ୱ

ଲଳିତ ମୋହନ ମିଶ୍ର

ଆମ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକେ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରତିନିଧିଙ୍କୁ ବା ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ପାଞ୍ଚ ବର୍ଷ ପାଇଁ ତାଙ୍କର ପ୍ରତିନିଧି ରୂପେ ବାଛି ସଂସଦ ଓ ବିଧାନସଭାକୁ ପଠାଇଥାଆନ୍ତି। କିନ୍ତୁ ଏବେ ଦେଖାଯାଉଛି ଯେ, କେତେକ ନିର୍ବାଚିତ ପ୍ରତିନିଧି ପାଞ୍ଚବର୍ଷର କାର୍ଯ୍ୟକାଳ ମଧ୍ୟରେ ସେମାନଙ୍କର ଦଳବଦଳ କରୁଛନ୍ତି ବା ଅନ୍ୟ ଏକ ନୂଆ ଦଳ ଗଢ଼ି ଦେଉଛନ୍ତି। ଲୋକେ ଏକ ଦଳକୁ ପାଞ୍ଚ ବର୍ଷ ପାଇଁ ଭୋଟ ଦେଇଥିବା ଯୋଗୁ ନିର୍ବାଚିତ ପ୍ରତିନିଧିମାନେ ତାଙ୍କର ସମସ୍ତ କାର୍ଯ୍ୟକାଳ, ସେହି ଦଳରେ ରହିବା ପାଇଁ ନୈତିକଭାବେ ବାଧ୍ୟ। ଏହା ଯଦି ସେମାନେ ନ କରନ୍ତି ତେବେ ସେମାନେ ମତଦାତାଙ୍କୁ ଧୋକା ଦେଉଛନ୍ତି ବୋଲି ବିଚାର କରାଯିବା ସ୍ବାଭାବିକ। ଏହାକୁ ବିଚାରକୁ ନେଇ ଦେଶରେ ଦଳବଦଳ ନିରୋଧ ଆଇନ କାର୍ଯ୍ୟକାରୀ ହେଉଛି। କିନ୍ତୁ ଏହି ଆଇନ ଦଳବଦଳ ଭଳି ଅନୈତିକ ତଥା ଗଣତନ୍ତ୍ର ଦୁର୍ବଳକାରୀ ପନ୍ଥାକୁ ସଂପୂର୍ଣ୍ଣ ରୂପେ ହଟାଇ ପାରିନାହିଁ।
ଏକ ଦଳବଦଳ ଘଟଣା ଉପରେ ନଜର ପକାଇବା। ଗୋଆରେ ଫେବୃୟାରୀ ୨୦୨୨ରେ ଏହାର ୪୦ ବିଧାନ ସଭା ଆସନ ପାଇଁ ସାଧାରଣ ନିର୍ବାଚନ ହୋଇଥିଲା। ଏଥିରେ ଭାଜପା ୨୦ଟି ଆସନ ପାଇ ବହୁମତର ପାଖାପାଖି ଥିଲା। ଭାଜପା ୨ ସ୍ବାଧୀନ ପ୍ରାର୍ଥୀଙ୍କର ସମର୍ଥନ ନେଇ ସରକାର ଗଠନ କଲା। କଂଗ୍ରେସ ୧୦ଟି ଆସନ ପାଇ ବିରୋଧୀ ଦଳରେ ବସିଲା। ସେପ୍ଟେମ୍ବର ୨୦୨୨ରେ କଂଗ୍ରେସର ବିରୋଧୀ ଦଳ ନେତାଙ୍କ ସମେତ ୮ ଜଣ ବିଧାୟକ ଭାଜପାରେ ମିଶିଲେ। ରାଜ୍ୟ ସରକାରରେ ଥିବା ଭାଜପା ଏହାଦ୍ୱାରା ରାଜ୍ୟରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କଲା ଓ ବିରୋଧୀ ଦଳ କଂଗ୍ରେସ ରାଜ୍ୟରେ ଅତ୍ୟନ୍ତ ଦୁର୍ବଳ ହେଲା।
୧୯୮୫ରେ ଦଳବଦଳ ନିରୋଧ ଆଇନ ୫୨ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଦେଶରେ କାର୍ଯ୍ୟକାରୀ ହେଲା ଓ ଏହା ସମ୍ବିଧାନର ୧୦ ଅନୁଚ୍ଛେଦରେ ସ୍ଥାନ ପାଇଲା। ୨୦୦୩ରେ ୯୧ତମ ସମ୍ବିଧାନ ସଂଶୋଧନ ହୋଇ ଏହି ଆଇନ ଅଧିକ ସଶକ୍ତ ହେଲା। କିନ୍ତୁ ଏହା ନିର୍ବାଚିତ ପ୍ରତିନିଧିଙ୍କ ଦଳବଦଳ ପ୍ରକ୍ରିୟାକୁ ଶତ ପ୍ରତିଶତ ଅଙ୍କୁଶ ନ ଲଗେଇ ଦୁଇ ତୃତୀୟାଂଶ ନିର୍ବାଚିତ ପ୍ରତିନିଧିଙ୍କ ଦଳ ବଦଳକୁ ସ୍ବୀକୃତି ଦେଲା। ଗୋଆର କଂଗ୍ରେସ ବିଧାୟକମାନେ ଏହି ଗଳାବାଟର ସୁଯୋଗ ନେଇ ନିଜର ସ୍ବାର୍ଥ ସାଧନ ପାଇଁ ବିରୋଧୀ ଦଳରୁ ଯାଇ ସରକାରୀ ଦଳରେ ମିଶିଗଲେ ଓ କ୍ଷମତା ଉପଭୋଗ କଲେ।
ଏ ଗଲା ଯେଉଁଠି ଦୁଇ ତୃତୀୟାଂଶ ବିଧାୟକ ବା ସାଂସଦ ଏକାଠି ହୋଇ ଦଳବଦଳ କରିବା କଥା। ତେବେ ସବୁବେଳେ ଏତେ ସଂଖ୍ୟାରେ ଗୋଟିଏ ଦଳର ନିର୍ବାଚିତ ପ୍ରତିନିଧିମାନେ ଏକାଠି ହୋଇ ଦଳରୁ ବାହାରିବା କଷ୍ଟ ସାଧ୍ୟ। ଏହାର କାରଣ କ’ଣ? ସାଧାରଣତଃ ବିରୋଧୀ ଦଳର ଅସନ୍ତୁଷ୍ଟ ବା ସୁବିଧାବାଦୀ ଗୋଷ୍ଠୀଙ୍କୁ ସରକାରୀ ଦଳ, ମନ୍ତ୍ରୀ ପଦ ଓ ଟଙ୍କା ଲୋଭ ଦେଖାଇ ଦଳବଦଳ ପାଇଁ ଆକର୍ଷିତ କରିଥାଏ। ବହୁ ବିଧାୟକ, ସାଂସଦ ମନ୍ତ୍ରୀ ପଦ ପାଇଁ ଆଗ୍ରହୀ ହେବା ଓ ଅଧିକ ଟଙ୍କା ଘୋଡ଼ା ବେପାରରେ ଆଶା କରିବା ସ୍ବାଭାବିକ। ତେଣୁ ବଡ଼ ବଡ଼ ରାଜ୍ୟର ବିଧାନସଭାରେ ଦୁଇ ତୃତୀୟାଂଶ ପ୍ରତିନିଧିଙ୍କୁ ସନ୍ତୁଷ୍ଟ କରି ଦଳବଦଳ କରାଇବା କଷ୍ଟକର। ଏ କ୍ଷେତ୍ରରେ ଏକ ନୂଆ ରାସ୍ତା ମଧ୍ୟ ଲୋକେ ପ୍ରତିନିଧିମାନେ ଆବିଷ୍କାର କରିଛନ୍ତି। ଏହି ମର୍ମରେ ମଧ୍ୟପ୍ରଦେଶର ଉଦାହରଣକୁ ଆସିବା।
ନଭେମ୍ବର ୨୦୧୮ରେ ମଧ୍ୟପ୍ରଦେଶରେ ୨୩୦ ବିଶିଷ୍ଟ ବିଧାନ ସଭା ଆସନ ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା। କୌଣସି ଦଳ ସଂଖ୍ୟାଗରିଷ୍ଠତା ପାଇ ନ ଥିଲେ। ତେବେ ଆଗୁଆ ଥିବା କଂଗ୍ରେସ ନିଜର ୧୧୪ ଆସନ ସହିତ ବିଏସ୍‌ପିର ୨, ସମାଜବାଦୀ ପାର୍ଟିର ୧ ଓ ସ୍ବାଧୀନ ୪ ନିର୍ବାଚିତ ପ୍ରତିନିଧିକୁ ନେଇ ରାଜ୍ୟ ସରକାର ଗଠନ କଲା। ମାର୍ଚ୍ଚ ୨୦୨୦ରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଗଲା। କଂଗ୍ରେସରୁ ୭୬ ବିଧାୟକ ଏକାଠି ହେଲେ ଯାଇ ସେମାନେ ଭାଜପାରେ ମିଶିପାରିବେ। ଏଥିରୁ କମ୍‌ ସଂଖ୍ୟକ ଦଳବଦଳ କଲେ ଗୃହରେ ଅଯୋଗ୍ୟ ହୋଇଯିବେ। ତେଣୁ କଂଗ୍ରେସର ଏକ ଗୋଷ୍ଠୀ ଭାଜପା ସହିତ ଭିତିରିଆ ଆଲୋଚନା କରି ଅନ୍ୟ ଏକ ପନ୍ଥା ବାହାର କଲେ। ୨୨ ଜଣ କଂଗ୍ରେସ ବିଧାୟକ ଗୃହରୁ ଇସ୍ତଫା ଦେଲେ। ଫଳରେ ଗୃହରେ କଂଗ୍ରେସ ସଭ୍ୟ ସଂଖ୍ୟା ୯୪କୁ ଖସିଗଲା। ଭାଜପାର ବିଧାନସଭାରେ ସଂଖ୍ୟା ଅଧିକ ହେଲା ଓ ଭାଜପା ରାଜ୍ୟରେ ସରକାର ଗଠନ କଲା। ପରେ ରାଜ୍ୟରେ ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେଲା ଏବଂ ୧୮ ଜଣ କଂଗ୍ରେସର ପୂର୍ବତନ ବିଧାୟକ ଭାଜପା ଟିକେଟରେ ନିର୍ବାଚନ ଲଢ଼ି ଜିତିଲେ। ଦେଶର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ଏହି ଦଳ ବଦଳକୁ ରୋକିପାରିଲା ନାହିଁ।
ଏବେ ଆଉ ଏକ ଦଳବଦଳ ଗଳାବାଟ ଉପରେ ଆଲୋଚନା କରିବା, ଯାହାହେଲା ଦଳ ବିଭାଜନ। ୨୦୨୧ ଜୁଲାଇରେ ବିହାରର ଲୋକ ଜନଶକ୍ତି ଦଳର ବରିଷ୍ଠ ନେତା ପଶୁପତି କୁମାର ପାରଶ ଦଳର ୬ରୁ ୫ ଲୋକ ସଭା ସାଂସଦଙ୍କ ସମର୍ଥନରେ ଦଳର ଲୋକ ସଭା ନେତା ହିସାବରେ ସ୍ବୀକୃତି ପାଇ କେନ୍ଦ୍ରମନ୍ତ୍ରୀ ହେଲେ। ସେ ନିଜକୁ ଦଳର ସଭାପତି ଭାବେ ଘୋଷଣା କଲେ। ଏହାପରେ ଦଳ ପାରଶଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ଓ ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ରେ ବିଭାଜିତ ହୋଇଗଲା। ତେବେ ଏ ପ୍ରକ୍ରିୟାରେ ପଶୁପତି ଚାହିଁଥିଲେ ନିଜ ଗୋଷ୍ଠୀକୁ ନେଇ ଭାଜପାରେ ମିଶି ପାରିଥାଆନ୍ତେ, କାରଣ ତାଙ୍କ ପାଖରେ ଦୁଇ ତୃତୀୟାଂଶ ସାଂସଦ ଥିଲେ। କିନ୍ତୁ ସେ ଏହା ନ କରି ବିହାରରେ ଦଳର ଭୋଟ ବ୍ୟାଙ୍କ ସୁରକ୍ଷିତ ରଖିବା ପାଇଁ ଦଳକୁ ବିଭାଜିତ କରି ନିଜ ପାଖରେ ଏକ ଦଳକୁ ରଖିଲେ।
ସେହିପରି ମହାରାଷ୍ଟ୍ର ବିଧାନସଭାର ୨ଟି ବିରୋଧୀ ଦଳର ଅନେକ ବିଧାୟକ ଦଳବଦଳ ବାଟରେ ନ ଯାଇ ଦଳ ବିଭାଜନ ବାଟରେ ଯାଇ ରାଜ୍ୟ ସରକାରରେ ସାମିଲ ହେବା ଦେଖାଗଲା। ଲୋକେ ନିର୍ବାଚନରେ ଭୋଟ ଦେଇଥିଲେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଓ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପିକୁ। କିନ୍ତୁ ଏହି ଦଳଗୁଡ଼ିକରୁ ସରକାରରେ ସାମିଲ ହେବା ପାଇଁ ଆଗ୍ରହୀ ବିଧାୟକମାନେ ତାଙ୍କର କାର୍ଯ୍ୟକାଳ ମଝିରେ ଦଳକୁ ବିଭାଜନ କରି ସରକାରରେ ସାମିଲ ହେଲେ।
ଆମ ଦେଶରେ ନିର୍ବାଚନକୁ ଦୁର୍ନୀତି, ଅପରାଧମୁକ୍ତ ଓ ସ୍ବଚ୍ଛ କରିବା ପାଇଁ ତଥା ଲୋକ ପ୍ରତିନିଧି ବ୍ୟବସ୍ଥାକୁ ଅଧିକ ସ୍ବଚ୍ଛ ଓ ଉତ୍ତରଦାୟୀ କରିବା ପାଇଁ ଅନେକ ନିର୍ବାଚନୀ ଓ ବ୍ୟବସ୍ଥାପିକା ସଂସ୍କାର କରାଯାଇଛି। ଏବେ ଏହି ସଂସ୍କାର ପ୍ରକ୍ରିୟାକୁ ଅଧିକ ଉତ୍ତରଦାୟୀ କରିବାର ସମୟ ଆସିଛି। ପ୍ରଥମତଃ ନିର୍ବାଚନୀ ମେଣ୍ଟର ସଭ୍ୟଦଳଙ୍କୁ ନିର୍ବାଚନ ପରେ ୫ ବର୍ଷ ଯାଏ ମେଣ୍ଟ ପରିବର୍ତ୍ତନ କରାଯାଇ ନ ପାରିବା ପାଇଁ ଆଇନ ଆସିବା ଦରକାର। ଦ୍ୱିତୀୟରେ ଦଳବଦଳ ଆଇନର ସଂଶୋଧନ କରି ନିର୍ବାଚିତ ପ୍ରତିନିଧିଙ୍କ ଦଳବଦଳକୁ ସଂପୂର୍ଣ୍ଣ ଭାବେ ବେଆଇନ ଘୋଷଣା କରିବା ଦରକାର। ତୃତୀୟତଃ ନିର୍ବାଚନର ୬ ମାସ ପୂର୍ବରୁ ଏକ ନିର୍ବାଚିତ ଦଳକୁ ଭାଗ କରିବା ପାଇଁ ସୁଯୋଗ ଦେଇ ନିର୍ବାଚନ ପରେ ୪ ବର୍ଷ ୬ ମାସ ଯାଏ କୌଣସି ନିର୍ବାଚିତ ଦଳ ଯେପରି ଭାଗ ହୋଇ ନ ପାରିବ ତା’ ଉପରେ ଆଇନ ଆସିବା ଆବଶ୍ୟକ।
ମୋ- ୭୦୦୮୨୩୩୭୨୯


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri