ଚେଇଁ ଶୋଇଥିବ ଯିଏ

ଡ. ଚିନ୍ତାମଣି ପଣ୍ଡା
ସ୍ବଚ୍ଛ ଭାରତ ଅଭିଯାନ ଏକ ଗାନ୍ଧୀଯୁଗୀୟ ଚିନ୍ତାଧାରା। କିନ୍ତୁ ୨୦୧୪ ଗାନ୍ଧୀ ଜୟନ୍ତୀଠାରୁ ଏ ପର୍ଯ୍ୟନ୍ତ ୯୦ନିୟୁତ ପାଇଖାନା ନିର୍ମାଣ ପାଇଁ କେନ୍ଦ୍ର ସରକାର ସ୍ବଚ୍ଛଭାରତ ମିଶନ ନାମରେ ପ୍ରାୟ ୧.୯୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ଅନେକ ଗ୍ରାମ, ଜନପଦ, ପୌରପାଳିକା, ମହାନଗର ଇତ୍ୟାଦିକୁ ସମ୍ପୂର୍ଣ୍ଣ ପରିମଳ ପାଇଁ ପୁରସ୍କୃତ ମଧ୍ୟ କରାଯାଇ ସାରିଲାଣି। କିନ୍ତୁ ବାହାରେ ମଳମୂତ୍ର ତ୍ୟାଗ କ’ଣ ବନ୍ଦ ହୋଇଯାଇଛି! ଖୋଦ୍‌ ଦିଲ୍ଲୀର ବସ୍ତି ଅଞ୍ଚଳରେ ରେଳଧାରଣା କଡ଼ରେ ସକାଳୁ ସକାଳୁ ଅରୁଚିକର ମଳତ୍ୟାଗର ଦୃଶ୍ୟ ଭାରତର ପ୍ରତିଚ୍ଛବି ଉପରେ କଳଙ୍କ ଲଗାଏ। ଆକୁମାରୀହିମାଚଳ ଯେଉଁଠି ଦେଖିବେ, ଆମ ଭାରତୀୟ ନାଗରିକମାନେ ନାଳବନ୍ଧ ଓ ରେଳଧାରଣାକୁ ମଳମୂତ୍ର ତ୍ୟାଗ ପାଇଁ ଆପଣେଇ ନେଇଥାନ୍ତି। ନିକଟରେ ଭୁବନେଶ୍ୱର ମହାନଗର ନିଗମ ଏକ ହୁଲିଆ ଜାରି କଲେ ଯେ, ଏ ବର୍ଷର ଗାନ୍ଧୀ ଜୟନ୍ତୀ ପରଠାରୁ ଏକନମ୍ବର ସ୍ମାର୍ଟ ସହର ଭୁବନେଶ୍ୱରରେ ବାହାରକୁ ଝାଡା ଗଲେ ମୁଣ୍ଡପିଛା ୨୦୦ ଟଙ୍କା ଏବଂ ପରିସ୍ରା କଲେ ୧୫୦ ଟଙ୍କା ଜରିମାନା ଆଦାୟ କରାଯିବ। ଏ ଘୋଷଣା ଶୁଣୁଶୁଣୁ ସହରବାସୀ ସଭ୍ୟ ନାଗରିକମାନଙ୍କର ପ୍ରତିରୋଧ ଆରମ୍ଭ ହୋଇଗଲା। ପ୍ରଥମେ ସଚେତନ କରନ୍ତୁ ତା’ ପରେ ଯାଇ ଦଣ୍ଡିତ କରିବେ ବୋଲି ଦାବି କରାଗଲା। କହିଲେ ଦେଖି ଆଉ କେତେ ସଚେତନତା ୟାଙ୍କୁ ଦରକାର!
ଟ୍ରାଫିକ୍‌ର କଡା ନିୟମକୁ ମାନିବା ପାଇଁ ସରକାର ପ୍ରୟାସ କଲେ। ନିୟମ ପ୍ରଣୟନ କଲେ, ଆଉ ଜନସାଧାରଣଙ୍କର ଉଦ୍‌ବେଗକୁ ବୁଝି ତିନିମାସ ଜାଗାରେ ଛଅ ମାସ ସମୟ ମଧ୍ୟ ଦେଲେ ସଚେତନ ହେବା ପାଇଁ। ଏବେ କ’ଣ ଆମ ସଚେତନ ଜନତା ଶୃଙ୍ଖଳିତ ହୋଇ ଟ୍ରାଫିକ୍‌ ନିୟମ ମାନୁଛନ୍ତି? ଭୁଲ୍‌ ରାସ୍ତାରେ ଯାଉନାହାନ୍ତି ବା ପବନବେଗରେ ୩ ଜଣଙ୍କୁ ବସାଇ ଗାଡି ଚଳାଉ ନାହାନ୍ତି? ଧରାପଡିଗଲେ ଆମେ ସଚେତନ ନୋହୁଁ ବୋଲି ସଫେଇ ଦେବେ। ସହରାଞ୍ଚଳରେ ସରକାରୀ ଜାଗାକୁ ଜବରଦଖଲ କରି ଯଦି ବ୍ୟବସାୟୀଟିଏ ଉଠାଦୋକାନ କରୁ କରୁ ସ୍ଥାୟୀ ଘର କରୁଛି ତେବେ ତାକୁ ନଗର ନିଗମ ଭାଙ୍ଗିଲା ବେଳକୁ ଯଥେଷ୍ଟ ସଚେତନ କରାଯାଇ ନ ଥିବା କଥା କୁହାଯାଉଛି। ଏପରି କି ପ୍ରତିବଦଳରେ ଉପଯୁକ୍ତ ଜାଗାଟିଏ ମଧ୍ୟ ଦାବି କରାଯାଉଛି। କାରଣ ଜାଗା ଜବରଦଖଲକାରୀକୁ ଦଣ୍ଡ ଜାଗାରେ ଆମେ ଥଇଥାନ କରି ପୁରସ୍କୃତ କରୁଛେ। ବଡ଼ ବଡ଼ ଘରୋଇ ହସ୍‌ପିଟାଲ ହେଉ କିମ୍ବା ସୁପର ବଜାର ମଲ୍‌ ହେଉ ଅଗ୍ନିନିରୋଧ ବ୍ୟବସ୍ଥା ନ ଥାଇ ଚାଲୁ ଚାଲୁ କିଛି ଅଘଟଣ ଘଟିଗଲେ ଚତୁର ମାଲିକଟି ସଚେତନ ନ ଥିବା କଥା କହୁଛି। କଲ୍ୟାଣମଣ୍ଡପ ବାଲାଏ ତ ସରକାରୀ ରାସ୍ତାକୁ ଗାଡି ରଖିବା ସ୍ଥାନ ଭାବରେ ବ୍ୟବହାର କରନ୍ତି, ବୋଧହୁଏ ସେଇ ସଚେତନତା ଅଭାବରୁ।
ଯଦି ସହରବାସୀଙ୍କୁ ଏତିକି ସଚେତନତା ଲୋଡା ପଡୁଛି, ତେବେ ନିପଟ ମଫସଲରେ ଡାହାଣୀ ସନ୍ଦେହରେ କାହାର ଦାନ୍ତ ଭାଙ୍ଗିଲେ କି ବିଷ୍ଠା ଖୁଆଇଲେ ବା ଗୁଳିକରି ମାରିଦେଲେ ଆମେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କଥାରେ ଅଛି ‘ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ’। ଏଥିପାଇଁ ପ୍ରଚୁର ଆର୍ଥିକ ତଥା ଶାରୀରିକ ଦଣ୍ଡର ବ୍ୟବସ୍ଥା କରି ତତ୍କାଳୀନ ରାଜାମାନେ ଶୃଙ୍ଖଳିତ ରାଜ୍ୟ ଶାସନ କରୁଥିଲେ। କିନ୍ତୁ ଗଣତନ୍ତ୍ରରେ ତ ଏ ସବୁର ସ୍ଥାନ ଅନେକ ଦୂରରେ। ଖୋଦ୍‌ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ମଧ୍ୟ ସାଧାରଣରେ ମାନୁଛନ୍ତି ଯେ, ନ୍ୟାୟିକ ପ୍ରକ୍ରିୟା ଏକ ବିଳମ୍ବିତ ପ୍ରକ୍ରିୟା ବୋଲି। ତେଣୁ ଯେତେ କଡାକଡି ନିୟମ ହେଉଛି ସେତେ ମାତ୍ରାରେ ବଳାତ୍କାର ବି ବଢି ବଢି ଚାଲିଛି। ଗୋଠ ମାତିଲେ ଖଣ୍ଡିଆ ହଡ଼ା ମାତିବା ପରି ୬୦ ବର୍ଷୀୟ ବ୍ୟକ୍ତି ବି ବଳାତ୍କାର କରିବାକୁ ପଛଉନାହାନ୍ତି। ଏମାନେ ଅଚେତନ ନା ଅର୍ଦ୍ଧଚେତନ? ଅଗନା ଅଗନି ବନସ୍ତ ମଧ୍ୟରେ ପ୍ରତିକୂଳ ପରିସ୍ଥିତିକୁ ଭ୍ରୂକ୍ଷେପ ନ କରି ନିଷିଦ୍ଧ ଗଞ୍ଜେଇ ଚାଷର ଆୟତନ ଅବକାରୀ ବିଭାଗର ଅଗୋଚରରେ ବଢି ବଢି ଚାଲିଛି। କୌଣସି ପ୍ରୋତ୍ସାହନ, ରିହାତି କିମ୍ବା ତାଲିମ ବିନା ଅଚେତନ ଚାଷୀମାନେ ଏହା କରିଚାଲିଛନ୍ତି, ଆଉ ଧରା ପଡିଗଲେ ନିଜର ଅଜ୍ଞତାକୁ ଦ୍ୱାହି ଦେଇ ଖସିଯିବାକୁ ଚେଷ୍ଟା କରୁଛନ୍ତି। ଆଉ ଆମ ଧାନଚାଷୀ ଭାଇମାନଙ୍କ ପାଇଁ ସକଳ ପ୍ରକାରର ସଚେତନତା ଲୋଡା ପଡୁଛି। ସେ ମଣ୍ଡିକୁ ଧାନ ନେବା ଆଗରୁ ନାମ ପଞ୍ଜୀକରଣ କରିବାକୁ ସଚେତନ ହୋଇପାରୁ ନ ଥିବା ବେଳେ ଚୋରାରେ ଛତିଶଗଡକୁ ଧାନ ଚାଲାଣ କରି ଦୁଇପଇସା ହାତଚିକ୍କଣ କରିବାରେ ବେଶ୍‌ ପାରଙ୍ଗମ ବା ସଚେତନ। ଯେମିତି ଗ୍ରାମବାସୀଟିଏ ନିଜକୁ ମୂର୍ଖ, ଗାଉଁଲି ବୋଲି ପ୍ରତିପାଦନ କରିବାକୁ ଯାଇ ସରକାରୀ କଲ୍ୟାଣମୂଳକ ଯୋଜନା ବିଷୟରେ ନିଜର ଅଜ୍ଞତା ପ୍ରଦର୍ଶନ କରୁଥିବା ବେଳେ ସାଧାରଣ ମୃତ୍ୟୁକୁ ସାପକାମୁଡ଼ା ଦର୍ଶାଇ କିମ୍ବା ମୃତ ବାପାକୁ ଜୀବିତ ଦର୍ଶାଇ ଭତ୍ତା ହଡପ କରିନେବାର କଳାକୌଶଳରେ ଧୁରନ୍ଧର। ଖାଲି ସେମାନେ ନୁହନ୍ତି ଖୋଦ ଜଗନ୍ନାଥ କି ଲିଙ୍ଗରାଜ ମହାପ୍ରଭୁଙ୍କର ନିତ୍ୟ ସେବକଟିଏ ମଧ୍ୟ ନୀତିକାନ୍ତିରେ ଖିଲାପ କରି କିମ୍ବା ଦେଉଳ ବେଢାରେ ଶୌଚ କର୍ମ କରି ସଚେତନତାର ଅଭାବ କଥା କହି ଖସିଯିବାକୁ ପ୍ରୟାସ କରୁଛି। ନିର୍ବାଚିତ ଲୋକପ୍ରତିନିଧିଗଣ ମଧ୍ୟ ଆଉ ପାଦେ ଆଗକୁ ଯାଇ ଆଇନକୁ ନିଜ ଇଚ୍ଛାରେ ବ୍ୟବହାର କଲାପରେ ଧରାପଡିଗଲେ ସେ ବାବଦରେ ନିଜର ଅଚେତନତା (ଅଜ୍ଞତା) ପ୍ରକାଶ କରିବାକୁ ପଛାଉନାହାନ୍ତି। ଅତଏବ ନିଜେ ଅଚେତନ ସାଜି ନିୟମକୁ ଆଖିଠାର ମାରିବା ଆଜି ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। ଯେତେ ସଚେତନ ହେଲେ ବି ଆମେ ବଦଭ୍ୟାସ ଛାଡିବାର ମାନସିକତା ପ୍ରତିପୋଷଣ ନ କରିବା ଆଜି ବିଡମ୍ବନାର ବିଷୟ। ଚେଇଁ ଶୋଇଥିବ ଯିଏ, ତାକୁ ଉଠେଇବ କିଏ?
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର, ମୋ-୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?