କୁକୁଡ଼ାଖଣ୍ଡି,୫ା୭(ଡି.ଏନ.ଏ.)- କୁକୁଡ଼ାଖଣ୍ଡି ଦଳିତ ସାହିରେ ଜଣଙ୍କ ଚାଳରେ କୁକୁଡ଼ା ଚଢ଼ିବା ଘଟଣାକୁ ବୁଧବାର ରାତିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଆକ୍ରମଣ ପ୍ରତି ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଖବରପାଇ ଆଙ୍କୁଶପୁର ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉଭୟ ଗୋଷ୍ଠୀର କେତେଜଣଙ୍କୁ ଥାନାକୁ ଆଣିଥିଲା। ୨ ଗୋଷ୍ଠୀ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲା ପ୍ରକାରେ ପୋଲିସ ପୃଥକ ୨ଟି ମାମଲା ରୁଜୁ କରି ୮ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିବା ଥାନାଧିକାରୀ ଭାବନାନନ୍ଦ ପ୍ରଧାନଙ୍କ ସୂଚନା ଦେଇଛନ୍ତି। ଗୋଷ୍ଠୀ ସଂଘର୍ଷରେ ଗୁରୁତର ମହିଳା ପ୍ରତିମା ଦାସ ଓ ରମା ଦାସ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୋଲିସ ସୂଚନା ଅନୁଯାୟୀ, ମମତାଙ୍କ ଚାଳରେ କୁକୁଡ଼ା ଚଢ଼ି ଛପର ତାଡ଼ି ନଷ୍ଟ କରୁଥିଲା। ବର୍ଷା ବେଳେ ଘରେ ପାଣି ଗଳିବାରୁ ସାହି ମଝିରେ ମମତା ଗାଳିଗୁଲଜ କରିଥିଲେ। ରମା ଦାସ ଏହାର ପ୍ରତିବାଦ କରିବାରୁ ପାଟିତୁଣ୍ଡ ଆହୁରି ବଢ଼ିଥିଲା। ପରେ ଉଭୟଙ୍କ ସମ୍ପକୀୟମାନେ ଆସବାରୁ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହୋଇଥିଲା। ଖବରପାଇ ପୋଲିସ ପହଞ୍ଚିବାରୁ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା। ଅରବିନ୍ଦ ଦାସଙ୍କ ଅଭିଯୋଗ ପ୍ରକାରେ ନଂ.୧୬୬/୧୯ରେ ମାମଲା ରୁଜୁ କରାଯାଇ ୫ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ସେମାନେ ହେଲେ ଗୌରା ଦାସ, ବିଷ୍ଣୁ ଦାସ, ମମତା ଦାସ, ମୌସୁମୀ ଦାସ ଓ ଟିଟୁ ଦାସ। ସେହିପରି ଗୌରା ଦାସଙ୍କ ଅଭିଯୋଗ ପ୍ରକାରେ ନଂ.୧୬୭/୧୯ରେ ମାମଲା ରୁଜୁ ହୋଇଛି। ଏଥିରେ ୩ ଜଣ ସପନା ଦାସ, ଅରବିନ୍ଦ ଦାସ ଓ ତାରିଣୀ ଦାସଙ୍କୁ ଗିରଫ ପରେ ଗୁରୁବାର କୋର୍ଟଚାଲାଣ କରାଯାଇଛି ।