ଚତୁର କୁଆ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ
ପୁଣି ଥରେ ମୋ ପ୍ରିୟ ବିଷୟକୁ ଆସୁଛି: କୁଆ। ସେମାନେ ଏବେ କ୍ରମଶଃ ଅନ୍ତର୍ଦ୍ଧାନ ହେବାରେ ଲାଗିଛନ୍ତି, ତେଣୁ ସେମାନଙ୍କ ସୁରକ୍ଷା ଅତି ଜରୁରୀ। ସେମାନଙ୍କୁ ଚିନାବାଦାମ, ଚାଉଳ ଓ ଫଳ ଆଦି ଖାଇବାକୁ ଦିଅନ୍ତୁ। କିନ୍ତୁ ସେମାନଙ୍କୁ ତଳେ ଖାଇବାକୁ ଦିଅନ୍ତୁ ନାହିଁ। ସେମାନଙ୍କୁ କୌଣସି ଟ୍ରେରେ, ଖୋଲା ଫିଡରରେ ବା ଟେବୁଲ ଉପରେ ଖାଇବାକୁ ଦିଅନ୍ତୁ। ସେମାନେ ଖାଇଲାବେଳେ ତାଙ୍କ ଆଗରେ ଠିଆହୋଇ ଚାହାନ୍ତୁ ନାହିଁ, ତା’ହେଲେ ସେମାନେ ଭୟରେ ଖାଇବେ ନାହିଁ। ଆପଣ ଖାଇବାକୁ ଦେଇ ସେଠାରୁ ଚାଲିଯାଆନ୍ତୁ। ସେମାନେ ଥରେ ଆପଣଙ୍କୁ ବିଶ୍ୱାସ କରିବା ଆରମ୍ଭ କଲା ପରେ ଖଣ୍ଡେ ଦୂରରେ ଥାଇ ତାଙ୍କୁ ଦେଖିପାରିବେ ଓ ତା’ପରେ ଆଉ ଟିକେ ପାଖକୁ ଆସିପାରିବେ।
ଆପଣ କୁଆମାନଙ୍କୁ ନିୟମିତ ଖାଇବାକୁ ଦେଲେ ସେମାନେ ବେଳେବେଳେ କିଛି ଉପହାର ଛାଡ଼ି ଦେଇଯାଆନ୍ତି। ତେଣୁ ଯଦି ଆପଣ କୌଣସି ଚିକ୍‌ଚିକିଆ ପଦାର୍ଥ ବା ଅଦ୍ଭୁତ ବାଡ଼ି ଉପହାର ସ୍ବରୂପ ପାଇବାକୁ ଚାହାନ୍ତି, ତା’ହେଲେ କୁଆମାନଙ୍କୁ ଖାଇବାକୁ ଦେଇଚାଲନ୍ତୁ। କୁଆଙ୍କୁ ଖାଇବାକୁ ଦେଉଥିବା ଗାବି ମାନ୍‌ ନାମକ ଜଣେ ଲୋକ କୁଆମାନେ ତାଙ୍କୁ ଦେଇଥିବା ଉପହାରଗୁଡ଼ିକୁ ୟୁଟ୍ୟୁବ୍‌ ଦ ବିଟରସ୍ବିଟ୍‌ ଲାଇଫ୍‌ରେ ଦେଖାଇଛନ୍ତି: କାନଫୁଲ, ପେପର୍‌ କ୍ଲିପ୍‌, ନଟ୍‌ ଓ ବୋଲ୍‌ଟ ଏବଂ ଏକ ଛୋଟ ଲାଇଟ୍‌ ବଲ୍‌ବ।
କୁଆମାନେ ମଜାଦାର ଖେଳ ଖେଳନ୍ତି। ତାହା କେବଳ ବାଡ଼ିର ଖେଳ ବା ଲୁଚକାଳି ଖେଳ ନୁହେଁ। ଉଦାହରଣସ୍ବରୂପ ସେମାନେ ଗୋଟିଏ ତାର ଉପରେ ବସିବେ ଏବଂ ଗୋଟିଏ କୁଆ ହଠାତ୍‌ ଓଲଟିିପଡ଼ିବ ଭୂମିରେ ପଡ଼ିବା ପର୍ଯ୍ୟନ୍ତ। ତା’ପରେ ସେ ଉଠି ପୁଣି ତାର ଉପରେ ବସିବ ଓ ପୁଣି ଓଲଟିପଡ଼ିବ। ପାହାଡ଼ ଚୂଡ଼ାରେ ବସିଥିବା ତରୁଣ କୁଆମାନେ ପରସ୍ପରକୁ ଠେଲିବେ, ପରସ୍ପର ଉପରକୁ ବରଫ ଫିଙ୍ଗିବେ, ଗୋଟିଏ କୁଆ ଲୁଚି ଲୁଚି ଅନ୍ୟ ଏକ କୁଆ ପଛପଟେ ବସି ତାକୁ ଠେଲିଦେବ- ଏହିପରି ନାନା ପ୍ରକାର ଖେଳ ସେମାନେ ଖେଳନ୍ତି। ଗଛଡାଳରେ ଝୁଲି ଝୁଲି ସେମାନେ ନାନା ପ୍ରକାର ବାୟବୀୟ କ୍ରୀଡ଼ା ପ୍ରଦର୍ଶନ କରନ୍ତି। ବୈଜ୍ଞାନିକମାନେ କୁଆମାନଙ୍କର ୭ ପ୍ରକାର ଖେଳର ତାଲିକା କରିଛନ୍ତି: ୧. ବିଭିନ୍ନ ଜିନିଷ ସାହାଯ୍ୟରେ ଖେଳ, ୨. ବିଭିନ୍ନ ଦ୍ରବ୍ୟକୁ ଲୁଚେଇବାର ଖେଳ, ୩. ଆକାଶରେ ବିଭିନ୍ନ କୌଶଳରେ ଉଡ଼ିବାର ଖେଳ, ୪. ପାଣିରେ ଗାଧୋଇବାର ଖେଳ, ୫. ବରଫରେ ଖସିବାର ଖେଳ, ୬. ଡାଳରେ ଝୁଲିବାର ଖେଳ ଏବଂ ବିଭିନ୍ନ ଢଙ୍ଗରେ ରାବିବାର ଖେଳ।
କାକ-ନିରୀକ୍ଷକମାନେ ତାଙ୍କ ଅନୁଭୂତିରୁ ଯାହା ଲେଖିଛନ୍ତି, ସେ ବିଷୟରେ ଏଠାରେ କିଛି ଉଲ୍ଲେଖ କରୁଛି। ଜଣେ ଲେଖିଛନ୍ତି ଯେ ଗୋଟିଏ ପତ୍ର ସହ କୁଆଟିଏ କେମିତି ୧୦ ମିନିଟ୍‌ ଧରି ଖେଳୁଥିଲା। କୁଆଟି ଏକ ଇଲେକ୍ଟ୍ରିକ୍‌ ତାର ଉପରେ ବସି ପତ୍ରଟିକୁ ତଳକୁ ପକାଇଦେଲା। ତା’ପରେ ସେ ଉଡ଼ିଆସି ତାକୁ ପୁଣି ଧରିଲା ଓ ତାର ଉପରକୁ ଯାଇ ତା’ର ପୁନରାବୃତ୍ତି କଲା। ଆଉ ଜଣେ ଲେଖିଛନ୍ତି ଯେ ସେ ତାଙ୍କ ଘର ପଛପଟେ ଏକ ରେଷ୍ଟୁରାଣ୍ଟର ପାର୍କିଂ ସ୍ଥଳରେ ତରୁଣ କୁଆମାନଙ୍କ ଖେଳ ଦେଖୁଥିଲେ। ଥରେ ଏକ ଛିଣ୍ଡା କାଗଜର ବଲ୍‌ ପାର୍କିଂ ସ୍ଥାନରେ ଗଡ଼ିବାର ଦେଖି କୁଆମାନେ ତାକୁ ନେଇ ଖେଳିବାକୁ ଆରମ୍ଭ କରିଦେଲେ। ମନେହେଲା ସତେ ଯେମିତି ସେମାନେ ଫୁଟ୍‌ବଲ ଖେଳୁଛନ୍ତି। ଆଉ ଜଣେ ଲେଖିଛନ୍ତି ଯେ, କୁଆମାନେ ଏକ ଷ୍ଟୋର ଭିତରେ ପଶି କିଛି ଚିପ୍‌ ଥିବା ବ୍ୟାଗ୍‌ ଚୋରି କରି ନେଇଗଲେ। ବାହାରେ ତାକୁ ଖୋଲି ସେଥିରେ ଥିବା ଚିପ୍‌ଗୁଡ଼ିକ ଖାଇବାକୁ ଲାଗିଲେ, ଠିକ୍‌ ଯେମିତି ପେସାଦାର ଚୋର ପରି।
ସାରା ପୃଥିବୀରେ ୪୦ ପ୍ରଜାତିର କୁଆ ଅଛନ୍ତି। ଅଧିକାଂଶ ଦଳବଦ୍ଧ ହୋଇ ରହନ୍ତି। ଅନ୍ୟମାନେ ଏକୁଟିଆ ରହିଲେ ମଧ୍ୟ ଖାଦ୍ୟ ଅନୁସନ୍ଧାନରେ ଗଲାବେଳେ ଦଳବଦ୍ଧ ହୋଇ ଯାଆନ୍ତି। ଗୋଟିଏ କୁଆ ମରିଗଲେ ଦଳର ଅନ୍ୟମାନେ ତା’ ମଲାଦେହ ଚାରିପଟେ ବେଢ଼ିଯାଆନ୍ତି। ସେମାନେ କେବଳ ମୃତକ ପାଇଁ ଶୋକ ପ୍ରକାଶ କରନ୍ତିନି ବରଂ ଦେଖନ୍ତି ତାଙ୍କ ସାଥୀକୁ କିଏ ମାରିଛି। ମାରିଥିବା ମଣିଷ ବା ଜନ୍ତୁକୁ ସେମାନେ ପିଛା କରି ଆକ୍ରମଣ କରନ୍ତି। କୁଆମାନେ ନିଜ ଜନ୍ମସ୍ଥାନର ପାଖାପାଖି ସ୍ଥାନରେ ରହନ୍ତି ଏବଂ ଶାବକମାନଙ୍କ ଲାଳନପାଳନରେ ସାହାଯ୍ୟ କରନ୍ତି।
ଡାମରା କୁଆମାନେ କେଉଁଠି ଖାଦ୍ୟ ଦେଖିଲେ ଉଚ୍ଚ ସ୍ବରରେ କା କା କରି ଅନ୍ୟମାନଙ୍କୁ ସଚେତନ କରାଇ ଦିଅନ୍ତି। ଗବେଷକମାନଙ୍କ ମତରେ ସେହି ରାବରୁ ସେମାନଙ୍କ ବୟସ ଓ ଲିଙ୍ଗ ସମ୍ପର୍କରେ ଅନ୍ୟମାନେ ଜାଣିପାରନ୍ତି ଏବଂ ସେମାନଙ୍କ ଡାକରାକୁ ସମ୍ମାନ ଦେଇ ଖାଦ୍ୟ ଖାଇବାକୁ ଯିବେ କି ନାହିଁ ନିଷ୍ପତ୍ତି ନିଅନ୍ତି। ଏହି ନିଷ୍ପତ୍ତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଖାଦ୍ୟ ଖାଇବା ବେଳେ ଅଧିକ କୁଆଙ୍କ ଉପସ୍ଥିତି ଏବଂ ଆକ୍ରମଣାତ୍ମକ ଆଭିମୁଖ୍ୟ ବେଳେ ବେଳେ ବିପଦର କାରଣ ହୋଇଥାଏ।
କୁଆମାନେ ସବୁ ମଣିଷଙ୍କୁ ବିଶ୍ୱାସ କରନ୍ତି ନାହିଁ ଏବଂ ଥରେ କାହାକୁ ବିଶ୍ୱାସ କରିଗଲେ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଘଟେ। ଉଦାହରଣସ୍ବରୂପ ସ୍ତ୍ରୀଠାରୁ ଖାଦ୍ୟ ଖାଇଲା ପରେ ସ୍ବାମୀଙ୍କ କାର୍‌ ଯିବା ପର୍ଯ୍ୟନ୍ତ ସେମାନେ ଅପେକ୍ଷା କରନ୍ତି। ଆୟର୍ଲାଣ୍ଡର ଜଣେ କାକ-ନିରୀକ୍ଷକ କହିଛନ୍ତି ଯେ ତାଙ୍କ ସ୍ତ୍ରୀ କୁଆଙ୍କ ପାଇଁ ଖାଇବାକୁ ଆଣନ୍ତି ଏବଂ ସେ ସେଥିରୁ ଖଣ୍ଡେ ଖଣ୍ଡେ କୁଆଙ୍କ ପାଖକୁ ଫୋପାଡ଼ନ୍ତି। କିଛିଦିନ ପରେ ସେ ଯେତେବେଳେ ଆଗ ଆସିଲେ ସେତେବେଳେ କୁଆମାନେ ରାବି ଜାଣିବାକୁ ଚାହିଁଲେ ଯେ ତାଙ୍କ ସ୍ତ୍ରୀ ଆସୁଛି ନା ନାହିଁ।
ମଣିଷଙ୍କ ପରି କୁଆମାନେ ମଧ୍ୟ ଭବିଷ୍ୟତ ପାଇଁ ଯୋଜନା କରନ୍ତି। ଭବିଷ୍ୟତର ବ୍ୟବହାର ପାଇଁ ସେମାନେ କିଛି ଜିନିଷ ସାଇତି ରଖନ୍ତି ଏବଂ ସେହିସବୁ ଖାଦ୍ୟ ଲୁଚାଇ ରଖନ୍ତି, ଯାହା ଭବିଷ୍ୟତରେ ମିଳିବା କଷ୍ଟକର। ଏକ ଗବେଷଣା ରିପୋର୍ଟ ଅନୁସାରେ ଗବେଷକମାନେ କୁଆମାନଙ୍କୁ ଏକ ଟୋକନ ବାଛିବାକୁ ଦେଲେ ଯାହା ବିନିମୟରେ ସେମାନେ ଖାଦ୍ୟ ପାଇପାରିବେ। କୁଆମାନେ ସେହି ଟୋକନକୁ ବାଛିଲେ ଏବଂ ଭବିଷ୍ୟତରେ ତା’ ବିନିମୟରେ ଖାଦ୍ୟ ପାଇବା ପାଇଁ ତାକୁ ସାଇତି ରଖିଲେ ଏବଂ ପରେ ପୁଣି ତାକୁ ବ୍ୟବହାର ବି କଲେ।
କୁଆମାନେ କେବଳ ନିଜର ଭବିଷ୍ୟତ ପାଇଁ ଯୋଜନା କରନ୍ତି ନାହିଁ, ସେମାନେ ଅନ୍ୟମାନଙ୍କ କଥା ମଧ୍ୟ ଭାବନ୍ତି। କୁଆଟିଏ କିଛି ଖାଦ୍ୟ ସଂଗ୍ରହ କଲାବେଳେ ଦେଖେ, ତାଙ୍କୁ କିଏ ଦେଖୁଚି ନା ନାହିଁ। ଯଦି ଆଉ କିଏ ଦେଖୁଥାଏ, ତେବେ ସେ ଉକ୍ତ ଖାଦ୍ୟକୁ ଡେଣା ଭିତରେ ଲୁଚାଇ ଏକ ନୂଆ ଗୋପନ ସ୍ଥାନକୁ ଉଡ଼ିଯାଏ, ଯେଉଁଠି ସେ ତାକୁ ସାଇତି ରଖେ। କିନ୍ତୁ ତାକୁ ଦେଖୁଥିବା କୁଆ ତା’ର ପିଛା କରି ତା’ର ନୂତନ ଗୋପନ ସ୍ଥାନଟି ବିଷୟରେ ଜାଣିନିଏ। ଡାମରା କୁଆମାନେ ନୂଆ ସ୍ଥାନରେ ଖାଦ୍ୟ ଲୁଚାଇବାର ଛଳନା କରି ତାଙ୍କୁ କିଏ ପିଛା କରୁଛି ଜାଣିବାକୁ ଚେଷ୍ଟା କରନ୍ତି। ତେଣୁ ସେ ସ୍ଥାନରୁ ତାଙ୍କ ଖାଦ୍ୟ ଚୋରି ହୋଇଯିବାର ସନ୍ଦେହ କରି ସେମାନେ ଅନ୍ୟ ସ୍ଥାନରେ ତାହା ଲୁଚାନ୍ତି।
ଚାଥମ୍‌, ଓଣ୍ଟାରିଓରୁ କୁଆମାନଙ୍କ ସ୍ମୃତିଶକ୍ତି ବିଷୟରେ ଜଣାପଡ଼ିଛି। ପ୍ରାୟ ଅଧ ନିୟୁତ କୁଆ ପରିବ୍ରାଜନ ବେଳେ ଚାଥମ୍‌ଠାରେ ଅଟକୁଥିଲେ। କିନ୍ତୁ ସେଠାରେ ସେମାନେ ମଳତ୍ୟାଗ କରି ପରିବେଶକୁ ଅସନା କରୁଥିବାରୁ ସହରର ମେୟର କୁଆମାନଙ୍କ ବିରୋଧରେ ଯୁଦ୍ଧଘୋଷଣା କଲେ। ଲୋକମାନେ ଗୁଳିକରି କୁଆମାନଙ୍କୁ ମାରିବାକୁ ଲାଗିଲେ। ସେହିଦିନଠାରୁ କୁଆମାନେ ଗୁଳିମାଡ଼ରୁ ବର୍ତ୍ତିବା ପାଇଁ ଆଉ ଚାଥମ୍‌ଠାରେ ରହିଲେ ନାହିଁ ଏବଂ ବହୁ ଉଚ୍ଚରେ ଉଡ଼ି ଉଡ଼ି ଚାଥମ୍‌ ଅତିକ୍ରମ କଲେ। ଏହାଦ୍ୱାରା ସେମାନଙ୍କ ମଳତ୍ୟାଗ କରି ସାରା ସହରକୁ ଅସନା କରିବା ବନ୍ଦ ହେଲା ନାହିଁ କିନ୍ତୁ ଆଉ କେହି ସେମାନଙ୍କୁ ମାରିପାରିଲେ ନାହିଁ।
ଯଦି ଆପଣ ଭାବୁଥାନ୍ତି ଯେ ଦୁଇଟା କୁଆ ଆପଣଙ୍କୁ ଦେଖୁଛନ୍ତି ଓ କା କା କରି ଆପଣଙ୍କ ବିଷୟରେ ପରସ୍ପର ସହ କଥା ହେଉଛନ୍ତି, ତେବେ ଆପଣଙ୍କ ଧାରଣା ଭୁଲ୍‌ ହୋଇ ନ ପାରେ। କୁଆମାନଙ୍କ ରାବିବାର ତାନ, ତାଳ ଓ ବ୍ୟବଧାନ ସେମାନଙ୍କ ଭାଷାର ଭିତ୍ତି। ଡାମରା କୁଆମାନଙ୍କର ୩୩ ପ୍ରକାର ଭାଷା ଅଛି। କୁଆମାନେ ଆମର କାର୍ଯ୍ୟକୁ ଦେଖନ୍ତି ଓ ସେଥିରୁ ଶିଖନ୍ତି। କୁଆମାନେ ଖାଦ୍ୟ ମଞ୍ଜିକୁ ରାସ୍ତା ଉପରେ ପକାଇଦିଅନ୍ତି। ତା’ ଉପରେ କାର୍‌ ଚଢ଼ିଗଲା ପରେ ତାହା ଭାଙ୍ଗିଯାଏ ଓ ପରେ କୁଆମାନେ ତାକୁ ନେଇ ଖାଆନ୍ତି। କୁଆମାନେ ହୋଟେଲର ଅଳିଆ କେତେବେଳେ ବାହାରେ ପଡ଼ୁଛି ତାହା ମନେରଖି ସେହି ସମୟରେ ସେଥିରୁ ନିଜର ଖାଦ୍ୟ ସଂଗ୍ରହ କରନ୍ତି। ଏବେ କୁଆମାନଙ୍କ ବଂଶ ବିପଦରେ, ତେଣୁ ଆପଣମାନେ ସେମାନଙ୍କୁ ଖାଇବାକୁ ଦିଅନ୍ତୁ ଓ ସେମାନଙ୍କ ଜୀବନ ବଞ୍ଚାନ୍ତୁ।
Email: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?