ଗିଲ୍‌ଗିଟ-ବଲ୍‌ତିସ୍ତାନର ଗୁରୁତ୍ୱ

ଡ. ବାଞ୍ଛାନିଧି ପଣ୍ଡା
ଜମ୍ମୁ-କଶ୍ମୀର ସମସ୍ୟାକୁ ସମୁଚିତ ଭାବରେ ବୁଝିବା ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟରେ ଗିଲ୍‌ଗିଟ-ବଲ୍‌ତିସ୍ତାନ କ୍ଷେତ୍ରର ମହତ୍ତ୍ୱ ଅନ୍ୟତମ। ୧୯୪୭ରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରି ଭାରତବର୍ଷର ଯେଉଁ ଭୂଖଣ୍ଡକୁ ଅବୈଧ ଭାବରେ କବ୍ଜା କରି ରଖିଛି ସେଥିରେ ଗିଲ୍‌ଗିଟ-ବଲ୍‌ତିସ୍ତାନ କ୍ଷେତ୍ର ଅନ୍ତର୍ଭୁକ୍ତ। ଏହାର ପ୍ରଶାସନିକ କେନ୍ଦ୍ର ହେଉଛି ଗିଲ୍‌ଗିଟ ସହର।
ପୃଥିବୀରେ ସାମରିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ କେତେକ ଅଞ୍ଚଳ ମଧ୍ୟରେ ଏହି କ୍ଷେତ୍ରଟି ଅନ୍ୟତମ। ପାଞ୍ଚଟି ଦେଶର ସୀମା ଏହି କ୍ଷେତ୍ରକୁ ସ୍ପର୍ଶ କରିଛି। ସେହି ଦେଶଗୁଡ଼ିକ ହେଲା ପାକିସ୍ତାନ, ଆଫଗାନିସ୍ତାନ, ତାଜିକ୍‌ସ୍ତାନ (ପୂର୍ବତନ ସୋଭିଏଟ୍‌ର ଅଙ୍ଗ ପ୍ରଜାତନ୍ତ୍ର), ଚାଇନା (ଜିନ୍‌ଜିଆଙ୍ଗ) ଓ ତିବ୍ବତ। କେନ୍ଦ୍ର ଏସିଆ ଓ ଦକ୍ଷିଣ ଏସିଆକୁ ସଂଯୋଗ କରୁଥିବା ଏହି ଦୁର୍ଗମ କ୍ଷେତ୍ରରେ ଉପସ୍ଥିତି ଦ୍ୱାରା କୌଣସି ଦେଶ ସମଗ୍ର ଏସିଆରେ ନିଜର ପ୍ରଭୁତ୍ୱ ଜାହିର କରିପାରିବ। ତେଣୁ ପୃଥିବୀର ସମସ୍ତ ଶକ୍ତିଶାଳୀ ଦେଶ ଏଠାରେ ନିଜର ଉପସ୍ଥିତି ପାଇଁ ଆପ୍ରାଣ ଚେଷ୍ଟା କରିଆସୁଛନ୍ତି। ୭୨,୯୧୭ ବର୍ଗ କି.ମି. ପରିମିତ ଏହି କ୍ଷେତ୍ରର ଜନସଂଖ୍ୟା ପ୍ରାୟ ୧୦ ଲକ୍ଷ। ଦୁଇଟି ଡିଭିଜନ ଥିବା ଏହି କ୍ଷେତ୍ରରେ ବଲ୍‌ତିସ୍ତାନର ଦୁଇଟି ଓ ଗିଲ୍‌ଗିଟର ପଞ୍ଚୋଟି ଜିଲା ଅଛି।
ଏହି ଅଞ୍ଚଳ ଉପରେ ଭାରତବର୍ଷର ନ୍ୟାୟୋଚିତ ଅଧିକାରକୁ ଦୁର୍ବଳ କରିବା ପାଇଁ ୨୯ ଅଗଷ୍ଟ ୨୦୦୯ରେ ଗିଲ୍‌ଗିଟ-ବଲ୍‌ତିସ୍ତାନ ଅଧିକାରିତା ଏବଂ ସ୍ବପ୍ରଶାସନ ଆଦେଶ ପାକିସ୍ତାନ ମନ୍ତ୍ରିମଣ୍ଡଳରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କଲା। ନିର୍ବାଚନ ଦ୍ୱାରା ଗଠିତ ବିଧାନସଭା ମାଧ୍ୟମରେ ଲୋକଙ୍କୁ ଶାସନର ସୁଯୋଗ ଦେବା ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ବୋଲି ଘୋଷଣା କରାଗଲା। ଏହା ବିରୋଧରେ ଭାରତ ଓ ଗିଲ୍‌ଗିଟ-ବଲ୍‌ତିସ୍ତାନ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯାଇ ବନ୍ଦ ପାଳନ କରାଗଲା।
ଇଂଲଣ୍ଡ ନିଜ ଆର୍ଥିକ ହିତ ଦୃଷ୍ଟିରୁ ପୂର୍ବ ଦେଶଗୁଡ଼ିକୁ ଯୋଡୁଥିବା ସଡକମାର୍ଗ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲା। ୧୯୧୯ ରୁଷ୍‌ ବିପ୍ଳବର ପରିଣାମ ସ୍ବରୂପ ରୁଷ୍‌ରେ କମ୍ୟୁନିଷ୍ଟ ସରକାର ସ୍ଥାପିତ ହେବା ପରେ ଇଂଲଣ୍ଡ ନିଜ ଆଧିପତ୍ୟ ବିସ୍ତାର କ୍ଷେତ୍ରରେ ଏକ ନୂତନ ପ୍ରତିଦ୍ୱନ୍ଦ୍ୱିତାର ଆଶଙ୍କା କଲା। ୧୯୭୫ରେ ତାଜିକସ୍ତାନକୁ ଅଧିକାର କରିବା ପରେ ରୁଷ୍‌ର ସୀମା ଗିଲ୍‌ଗିଟ କ୍ଷେତ୍ରକୁ ସ୍ପର୍ଶ କଲା। ରୁଷ୍‌ ଓ ଚାଇନାର ବିସ୍ତାରକୁ ରୋକିବା ପାଇଁ ଗିଲ୍‌ଗିଟ କ୍ଷେତ୍ରର ସୁରକ୍ଷା ଓ ପ୍ରଶାସନର ଦାୟିତ୍ୱ ନିଜ ହାତରେ ରଖିବା ଲାଗି ଇଂଲଣ୍ଡ ମନସ୍ଥ କଲା। ଏହି କ୍ଷେତ୍ର ମହାରାଜ ହରି ସିଂଙ୍କ ଦ୍ୱାରା ଶାସିତ ଜମ୍ମୁ-କଶ୍ମୀରର ଅଂଶ ଥିଲା। ତେଣୁ ଏହାକୁ ଇଂଲଣ୍ଡ ହାତରେ ଟେକିଦେବା ପାଇଁ ହରି ସିଂଙ୍କ ଉପରେ ଇଂଲଣ୍ଡ ଚାପ ସୃଷ୍ଟି କଲା। ମାତ୍ର ହରି ସିଂ ଏହି ଅଞ୍ଚଳରେ ନିଜର ସାର୍ବଭୌମତ୍ୱ ଛାଡିବା ପାଇଁ ପ୍ରସ୍ତୁତ ନ ଥିଲେ। ଏହି ଅଞ୍ଚଳରେ ବ୍ରିଟିଶ୍‌ ସରକାର ପ୍ରାୟୋଜିତ ମହାରାଜା ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକିଲା। ଶେଷରେ ହରି ସିଂ ବାଧ୍ୟହୋଇ ବ୍ରିଟିଶ୍‌ ସରକାର ସହ ବୁଝାମଣା କଲେ। ସିନ୍ଧୁନଦୀର ଅପର ପାର୍ଶ୍ୱରେ ଗିଲ୍‌ଗିଟର ଏକ ଅଂଶକୁ ଷାଠିଏ ବର୍ଷ ପାଇଁ ବ୍ରିଟିଶ୍‌ ସରକାରକୁ ପଟ୍ଟାରେ ଦେଲେ। ବ୍ରିଟିଶ୍‌ ସରକାର ଏହି ଅଞ୍ଚଳକୁ ଗିଲ୍‌ଗିଟ ଏଜେନ୍ସି ନାମ ଦେଇ ତା’ର ସୁରକ୍ଷା ପାଇଁ ଗିଲ୍‌ଗିଟ ସ୍କାଉଟ ନାମରେ ଏକ ସୈନ୍ୟବାହିନୀ ଗଠନ କଲେ। ଭାରତବର୍ଷର ସ୍ବାଧୀନତା ସମୟରେ ଏହି ଅଞ୍ଚଳକୁ ଇଂରେଜମାନେ ମହାରାଜାଙ୍କୁ ଫେରସ୍ତ କରିଦେଇଥିଲେ।
ଚାଇନାର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବକୁ ରୋକିବା ଉଦ୍ଦେଶ୍ୟରେ ରୁଷିଆ ଗିଲ୍‌ଗିଟ ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର ପାଇଁ ଚାହୁଁଥିଲା। ଏହାକୁ ଦୃଷ୍ଟିରେ ରଖି ରୁଷିଆ ଷାଠିଏ ଦଶକରେ ପାକିସ୍ତାନକୁ ବିଭିନ୍ନ ସମୟରେ ସହଯୋଗ କରି ଆସୁଥିଲା।
ଚାଇନା କ୍ରମାଗତ ଭାବରେ ପିଓକେରେ ନିଜର କାର୍ଯ୍ୟକଳାପ ବିସ୍ତାର କରିଚାଲିଛି। ଭାରତ ବିପକ୍ଷରେ ଚାଇନାର ସକ୍ରିୟ ସହଯୋଗ ଆଶାରେ ପାକିସ୍ତାନ ଚାଇନାକୁ ସହଯୋଗ କରୁଛି। ଗିଲ୍‌ଗିଟ-ବଲ୍‌ତିସ୍ତାନ କ୍ଷେତ୍ରରେ ଥିବା ଶକଗାମ ପଥ ନାମରେ ପରିଚିତ ଛଅ ହଜାର ବର୍ଗ କି.ମି.ର ଏକ ଅଂଶକୁ ପାକିସ୍ତାନ ଚାଇନାକୁ ଅର୍ପଣ କରିଛି। ‘ଚାଇନା-ପାକିସ୍ତାନ-ଇକୋନୋମିକ-କରିଡର’ ଦେଇ ଚାଇନା ପାକିସ୍ତାନର ଗ୍ବାଜର ବନ୍ଦରରେ ପହଞ୍ଚି ସାରିଲାଣି, ଯାହାକି ସାମରିକ ଦୃଷ୍ଟିରୁ ଭାରତ ପାଇଁ ଅତ୍ୟନ୍ତ ବିପଜ୍ଜନକ। ବର୍ତ୍ତମାନ ଗିଲ୍‌ଗିଟ ଅଞ୍ଚଳରେ ଚାଇନାର ଏଗାର ହଜାର ସୈନ୍ୟ ଉପସ୍ଥିତ ଅଛନ୍ତି। ବିଗତ କିଛି ବର୍ଷ ଭିତରେ ଚାଇନା ଏଠାରେ ୬୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିଛି। ଅନେକ ଚାଇନା କମ୍ପାନୀ ଓ କର୍ମଚାରୀ ସେଠାରେ କାର୍ଯ୍ୟରତ ଅଛନ୍ତି। ଗିଲ୍‌ଗିଟର ଅସ୍ତୋର ଜିଲାସ୍ଥିତ ବୁଞ୍ଜିଠାରେ ସାତ ହଜାର ମେଗାଓ୍ବାଟ୍‌ ସମ୍ପନ୍ନ ଏକ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରିବା ପାଇଁ ପାକିସ୍ତାନ ଚାଇନାକୁ ଅନୁମତି ପ୍ରଦାନ କରିଛି। ଆମେରିକା ଜମ୍ମୁ-କଶ୍ମୀରକୁ ବିବାଦୀୟ ଅବସ୍ଥାରେ ରଖିବା ପାଇଁ ଚାହୁଁଛି। ଭାରତ-ପାକିସ୍ତାନ ମଧ୍ୟରେ ଜମ୍ମୁ-କଶ୍ମୀର ଏକ ସ୍ବାଧୀନ ରାଷ୍ଟ୍ର ରୂପେ ଛିଡାହେଉ, ଏହା ଆମେରିକାର ଇଚ୍ଛା। କାରଣ କୂଟନୈତିକ ଦୃଷ୍ଟିରୁ ଏହା ଆମେରିକା ପାଇଁ ଅନୁକୂଳ। ଜମ୍ମୁ-କଶ୍ମୀରରେ ଯଦି ଆମେରିକାକୁ ଉପସ୍ଥିତିର ସୁଯୋଗ ମିଳେ ତେବେ ସେ ଚାଇନା ସମେତ ଏସିଆ ଓ ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ (ସାର୍କ) ରାଷ୍ଟ୍ରଗୁଡିକ ଉପରେ ଦୃଷ୍ଟି ନିବଦ୍ଧ କରିପାରିବ।
୧୯୫୦ ଦଶକରେ ଆମେରିକା ହିଁ ଶେଖ୍‌ ଅବଦୁଲ୍ଲାଙ୍କ ସ୍ବତନ୍ତ୍ର ଜମ୍ମୁ-କଶ୍ମୀରର ଆକାଂକ୍ଷାକୁ ଜାଗ୍ରତ କରି ରଖିଥିଲା। ଭାରତ ବିରୋଧରେ ସମସ୍ତ ଆତଙ୍କବାଦୀ ଘଟଣାରେ ଆଇଏସ୍‌ଆଇର ହାତ ଥିବା ପ୍ରମାଣ ମିଳିଲେ ମଧ୍ୟ ପାକିସ୍ତାନ ବିରୋଧରେ ଆମେରିକା କୌଣସି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିନାହିଁ। ଚାଇନା ମଧ୍ୟ ଗିଲ୍‌ଗିଟ ବଲ୍‌ତିସ୍ତାନରେ ନିଜର ସାମରିକ ହିତକୁ ଧ୍ୟାନରେ ରଖି ଜମ୍ମୁ-କଶ୍ମୀର ବିବାଦକୁ ଉଜ୍ଜୀବିତ ରଖିବା ପାଇଁ ଚାହୁଁଛି। ପାକିସ୍ତାନ ଗିଲ୍‌ଗିଟ-ବଲ୍‌ତିସ୍ତାନରେ ପଞ୍ଜାବୀ ଭାଷାଭାଷୀ ଏବଂ ପଖତୁନ୍‌ ସୁନ୍ନି ମୁସଲମାନମାନଙ୍କର ବସତି ସ୍ଥାପନ କରି ସେଠାକାର ସ୍ଥାନୀୟ ଲୋକଙ୍କୁ ସଂଖ୍ୟାଲଘୁ କରିବା ପାଇଁ ପ୍ରୟାସ ଜାରି ରଖିଛି। ଏତଦ୍ଦ୍ବାରା ଗିଲ୍‌ଗିଟ-ବଲ୍‌ତିସ୍ତାନରେ ନିଜର ଅଧିକାରକୁ ଯୁକ୍ତିଯୁକ୍ତ କରିବା ପାଇଁ ପାକିସ୍ତାନ ଚେଷ୍ଟା କରୁଛି। ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ ୧୯୯୪ରେ ଏକ ଐତିହାସିକ ନିର୍ଣ୍ଣୟରେ ସ୍ପଷ୍ଟ କରିଛନ୍ତି ଯେ, ଗିଲ୍‌ଗିଟ-ବଲ୍‌ତିସ୍ତାନ ଜମ୍ମୁ-କଶ୍ମୀରର ଅଂଶବିଶେଷ। ହରି ସିଂ ସମଗ୍ର ଜମ୍ମୁ-କଶ୍ମୀରକୁ ଭାରତ ସହିତ ବିଲୟ କରିଥିବା ସତ୍ତ୍ୱେ ୨୦୦୯ରେ ପାକିସ୍ତାନ ଗିଲ୍‌ଗିଟ-ବଲ୍‌ତିସ୍ତାନରେ ବିଧାନସଭା ଗଠନ କରିଛି।
ଆନନ୍ଦର ବିଷୟ ଯେ, ଏବେ ଗିଲ୍‌ଗିଟ-ବଲ୍‌ତିସ୍ତାନ ସମେତ ସମଗ୍ର ପାକ୍‌ ଅଧିକୃତ କଶ୍ମୀରକୁ ଦଖଲ କରିବା ପାଇଁ ଭାରତ ନିଜ ସଂକଳ୍ପ ଘୋଷଣା କରିଛି। ଏହା ହେଲେ ପୃଥିବୀର ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାରତରେ ଅନ୍ତର୍ଭୁକ୍ତ ହେବ, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏହା ସହଜ ନୁହେଁ। ପାକିସ୍ତାନ ଯଦି ଭାରତ ଉପରେ କୌଣସି କାରଣରୁ କାର୍‌ଗିଲ ଭଳି ଆକ୍ରମଣ କରେ ତେବେ ଭାରତ ତା’ର ଜବାବ ଦେବାକୁ ଯାଇ ପ୍ରତିଆକ୍ରମଣ ଦ୍ୱାରା ଗିଲ୍‌ଗିଟ-ବଲ୍‌ତିସ୍ତାନ ସମେତ ସମଗ୍ର ପାକ୍‌ ଅଧିକୃତ କଶ୍ମୀରକୁ ଦଖଲ କରିନେବା ଅସମ୍ଭବ ନୁହେଁ। ତା’ହେଲେ ବିଶ୍ୱ ସମୁଦାୟ ଭାରତକୁ ଦୋଷ ଦେଇପାରିବ ନାହିଁ।
ପଦ୍ମପୁର, ବରଗଡ଼, ମୋ-୯୭୭୭୯୧୧୫୯୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri