ଗଣତନ୍ତ୍ର ନା ଭୋଗୀତନ୍ତ୍ର

ସହଦେବ ସାହୁ
ସୁଇଜରଲାଣ୍ଡରେ ଜନ୍ମିତ ଆମେରିକାନ୍‌ କିୟୁବ୍ଲର-ରସ୍‌ (୧୯୨୬-୨୦୦୪) କହନ୍ତି ସମସ୍ୟାର ୫ଟି ସ୍ତର ଅଛି- ନାପସନ୍ଦ, ରାଗ, ମୂଲଚାଲ, ବିଷାଦ ଓ ମାନିଯିବା (ଡିନାୟାଲ୍‌, ଆଙ୍ଗର୍‌, ବାର୍ଗନେିଂ, ଡିପ୍ରେସନ୍‌ ଓ ଆକ୍ସେପ୍ଟାନ୍ସ)। ସରକାର ବା ଶାସକ ଦଳ ଯାହା କରୁଛି ଲୋକେ ନାପସନ୍ଦ କରିପାରନ୍ତି, ରାଗିଯାଇ ପ୍ରତିବାଦ କରିପାରନ୍ତି, ପରେ ଆଲୋଚନା ସ୍ତରକୁ ଆସନ୍ତି, ପ୍ରଭାବ ହରାଇ କ୍ଲାନ୍ତ ହୋଇପଡନ୍ତି ଓ ପରିଶେଷରେ ଗ୍ରହଣ କରି ନିଅନ୍ତି। ପ୍ରାର୍ଥୀ ଭୋଟ ପାଇ ଜିତିଗଲେ ଲୋକପ୍ରତିନିଧି ବୋଲାଏ, କିନ୍ତୁ ଭୋଟର ତାକୁ ପ୍ରତିନିଧି ବୋଲି ଭାବେ ନାହିଁ, କାରଣ ସିଏ ତ ରାଜଧାନୀ ବାସିନ୍ଦା ହୋଇଯାଏ, ତା’ ନିର୍ବାଚନମଣ୍ଡଳୀର ପ୍ରତି ଗାଁ ବୁଲେ ନାହିଁ, ଲୋକଙ୍କୁ ପଚାରେ ନାହିଁ। ଏପରି ବ୍ୟବହାର ବିରୁଦ୍ଧରେ ଲୋକେ ରାଗିଯାଆନ୍ତି, ତା’ପରେ ପ୍ରତିନିଧିଟି ଗାଁକୁ ଆସିଲେ କିମ୍ବା ତା’ର ପୁନଃନିର୍ବାଚନ ସମୟ ଆସିଗଲେ ସେ ଯେତେବେଳେ ଆସେ, ଲୋକଙ୍କ ସହ ମୂଲଚାଲ ଚାଲେ। ତାହା ବି ଯେତେବେଳେ ପ୍ରତିଶ୍ରୁତିରେ ରହିଯାଏ, ଦୁଃଖୀ ଭୋଟରମାନେ ବିଷାଦଗ୍ରସ୍ତ ହୋଇ ପଡନ୍ତି ଏବଂ ଚଳନ୍ତି ଅବ୍ୟବସ୍ଥାକୁ ଗ୍ରହଣ କରିନିଅନ୍ତି, ଏମିତି ତ ହେଉଛି ଭାବି ଚୁପ୍‌ ରହିଯାଆନ୍ତି। କିୟୁବ୍ଲର-ରସ୍‌ ଏଭଳି ଯେଉଁ ଢାଞ୍ଚା ବା ମଡେଲ୍‌ ଆମ ଆଗରେ ଥୋଇଛନ୍ତି ତାହା ଅକ୍ଷରେ ଅକ୍ଷରେ ଆମ ଗଣତନ୍ତ୍ରରେ ପଢିହେଉଛି। ଥରେ ନିଜ ଦଳକୁ ସଂଖ୍ୟାଗରିଷ୍ଠ କରିନେଲେ ଶାସକଦଳର ସର୍ବୋଚ୍ଚ ନେତା ସମସ୍ତଙ୍କୁ ବଶରେ ରଖିବା ଲାଗି ଲୋକଙ୍କ ଟିକସରେ ଭରା ରାଜକୋଷରୁ ପ୍ରିଭିଲେଜ୍‌ ଓ ପର୍କସ୍‌ ଆକାରରେ, ସୁବିଧା ଓ ଉପୁରି ହିସାବରେ ପଦବୀ ବାଣ୍ଟନ୍ତି। ଯାହାକୁ ସେ ନିଜେ ପ୍ରତିନିଧି-ପ୍ରାର୍ଥୀ କରିବାକୁ ସମ୍ମତ ନ ଥିଲେ ତାକୁ ମନ୍ତ୍ରିସ୍ତରୀୟ ସୁବିଧା ଦିଅନ୍ତି। ଘର, ବିଜୁଳି, ପାଣି, ଗାଡି, ଚାଳକ, ପିଏ, ଆସିଷ୍ଟାଣ୍ଟ ଓ ପିଅନ ସାଙ୍ଗକୁ ଦୈନିକ ଭତ୍ତା ବି ଦିଆନ୍ତି- ସରକାରୀ ମାଲ୍‌ ଦରିଆରେ ଡାଲ୍‌। ଲୋକେ ଏସବୁକୁ ନାପସନ୍ଦ କରନ୍ତି, ରାଗି ଯାଇ ପ୍ରତିବାଦର ସ୍ବର ଉଠାନ୍ତି, କିଛି କଟକଣା ଜାରିକରିହେବ କି ବୋଲି ଆଲୋଚନାକୁ ଆସନ୍ତି, ପ୍ରତିନିଧିମାନେ ସେମାନଙ୍କ ସୁବିଧା ଛାଡନ୍ତି ନାହିଁ, ଲୋକେ ବିଷାଦରେ ଗଣତନ୍ତ୍ରକୁ ଗାଳି ଦିଅନ୍ତି, ଶେଷରେ ସରକାର (ଶାସକ ଦଳ) ଯାହା କରୁଚି ତାହା ଗ୍ରହଣ କରି ନିଅନ୍ତି।
ରାଜନୈତିକ ଦଳ ଶାସନକୁ ଆସିଗଲେ ସରକାରୀ ତହବିଲକୁ ନିଜର ଭାବିନିଅନ୍ତି, ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରିତ୍ୱର ଶେଷ ବର୍ଷରେ ଗାଦି ରକ୍ଷା ପାଇଁ ତାଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରି ପ୍ରାୟ ସବୁ ନିର୍ବାଚିତ ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଲେ ଓ ନେତା ବୋଲି ଭାବୁଥିବା ଅନ୍ୟମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାର ଚେଆର୍‌ମ୍ୟାନ୍‌ କରିଦେଲେ। ନବୀନ ସରକାରଙ୍କ ଶେଷ ବର୍ଷ ଆସିନାହିଁ କି ଗାଦି ହରାଇବା ଆଶଙ୍କା ଦେଖାଯାଉନାହିଁ, ତଥାପି ସେ ଅସନ୍ତୁଷ୍ଟ ବୋଲି ମନେ କରୁଥିବା ନେତାମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନ୍ତ୍ରୀ ନ କରିପାରିଲେ ବି ମନ୍ତ୍ରୀ ସୁଲଭ ପଦବୀ ଓ ସୁବିଧାମାନ ଦେଉଛନ୍ତି। ସେ ସମସ୍ତଙ୍କୁ ମନ୍ତ୍ରୀ କରିପାରିବେ ନାହିଁ, ଯେପରି ମୋଦି ସମସ୍ତଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇପାରୁନାହାନ୍ତି। କାରଣ ୨୦୦୪ ଜାନୁୟାରୀ ପହିଲାରୁ ୨୦୦୩ର ୯୧ତମ ସମ୍ବିଧାନରେ ସଂଶୋଧନ ଆଇନ ଅନୁଯାୟୀ ମନ୍ତ୍ରୀ ପରିଷଦର ସଂଖ୍ୟା ବିଧାନସଭା ବା ସଂସଦର ମୋଟ ସଭ୍ୟସଂଖ୍ୟାର ୧୫%ରୁ ବେଶି ହେବନାହିଁ; କିନ୍ତୁ ନେତାମାନେ ସମସ୍ତେ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ତେଣୁ ଶାସକଦଳର କର୍ତ୍ତା ବା କତ୍ତର୍‌ରୀ ତାଙ୍କ ଦଳର ସମ୍ଭାବ୍ୟ ବିରୋଧ-ସୃଷ୍ଟିକାରୀମାନଙ୍କୁ ମନ୍ତ୍ରିସ୍ତରୀୟ ପାହ୍ୟା ଓ ସୁବିଧାମାନ, ଯାହାକୁ ଲୋକେ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ବା ଲାଭଜନକ ପଦବୀ କହିବେ, ଦେଉଛନ୍ତି। ଅଭିଧାନରେ ସେଗୁଡିକ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ହେଲେ ବି ସେଗୁଡିକୁ ଅଫିସ୍‌ ଅଫ୍‌ ପ୍ରଫିଟ୍‌ ଧରାଯିବନାହିଁ ବୋଲି ଆଇନ କରିନେଇଛନ୍ତି। ତେଣୁ ଜନପ୍ରତିନିଧି ହୋଇ ନ ପାରିଥିବା ବ୍ୟକ୍ତିମାନେ ସରକାରୀ ଅର୍ଥ ଶ୍ରାଦ୍ଧ କରିବାର ସୁବିଧା ପାଇଁ ମନ୍ତ୍ରିସ୍ତରୀୟ ସୁବିଧା ପାଉଛନ୍ତି। ଲୋକେ କିଛିଦିନ ପାଟି କରିବେ ତା’ପରେ ଅବଶ ହୋଇ ପଡିବେ, ନାଚାର ଭାବେ ଗ୍ରହଣ କରିନେବେ, ଏହି ଆଶାରେ।
ସେତିକିରେ କଥା ସରେ ନାହିଁ। ପ୍ରତିନିଧିଟି ଥରେ ସୁବିଧା ଉପଭୋଗ କଲେ ତାହା ଛାଡେ ନାହିଁ, ପଦ ଛାଡିଲା ପରେ ବି। ଥରେ ମୁଖ୍ୟମନ୍ତ୍ରୀ ହେଲେ ପଦତ୍ୟାଗ ପରେ ବି ନେତାଏ ମଲା ପର୍ଯ୍ୟନ୍ତ ନିଜକୁ ମୁଖ୍ୟମନ୍ତ୍ରୀ ଭାବନ୍ତି। କେତେକ ରାଜ୍ୟ ଏ ଦିଗରେ ଆଇନ ପାସ୍‌ କରେଇନେଇଛନ୍ତି। ମୁଖ୍ୟମନ୍ତ୍ରୀ ମାନେ ଗାଦି ଛାଡିଦେଲା ପରେ ବି ସରକାରୀ ଘର, ଟେଲିଫୋନ୍‌, କାର୍‌, ଡ୍ରାଇଭର, ଆଉ ୧୦ ଜଣ ଯାଏ ଷ୍ଟାଫ୍‌ ପାଇବେ ବୋଲି ଉତ୍ତରପ୍ରଦେଶରେ ବ୍ୟବସ୍ଥା ଥିଲା। ସୁପ୍ରିମ୍‌କୋର୍ଟ ଏକ ରାୟରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଥାୟୀ ସରକାରୀ ଘର ଦେଉଥିବା ଉତ୍ତରପ୍ରଦେଶର ଏଭଳି ଆଇନକୁ ରଦ୍ଦ କରିଦେଇଥିଲେ। ୨୦୧୯ ସେପ୍ଟେମ୍ବର ୪ର ଖବର, ଜଣେ ବରିଷ୍ଠ ସାମ୍ବାଦିକ ମିଲାପଚାନ୍ଦ ଦାଣ୍ଡିଆ ରାଜସ୍ଥାନ ହାଇକୋର୍ଟରେ ରାଜସ୍ଥାନ ମିନିଷ୍ଟର୍ସ ସାଲାରିଜ୍‌ (ଆମେଣ୍ଡମେଣ୍ଟ) ଆକ୍ଟ ୨୦୧୭କୁ ଅବୈଧ ଘୋଷଣା କରିବାକୁ ଏକ ଆବେଦନ କରିଥିଲେ। ଏହି ଆଇନ ବଳରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀମାନେ ଗାଦି ଛାଡିଦେଲା ପରେ ବି ସରକାରୀ ଘର, ଟେଲିଫୋନ୍‌, କାର୍‌, ଡ୍ରାଇଭର ଆଉ ଯଥେଷ୍ଟ ଷ୍ଟାଫ୍‌ ପାଉଥିଲେ। ବସୁନ୍ଧରା ରାଜେଙ୍କ ସରକାର ସମୟରେ ୧୯୫୬ର ରାଜସ୍ଥାନ ମନ୍ତ୍ରୀମାନଙ୍କ ଦରମା ଆଦି ଆଇନର ସଂଶୋଧନ କରି ପ୍ରାକ୍ତନ ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ଥାୟୀ ବାସଗୃହ ଯୋଗାଇବା ସୁବିଧା ଦିଆଯାଇଥିଲା। ରାଜସ୍ଥାନର ଆଇନ ଅନୁସାରେ ୫ ବର୍ଷ କାଳ ପୂରା ଅବଧି ସାରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଜୟପୁର ବା ଅନ୍ୟ ଜିଲ୍ଲାର ସଦର ମହକୁମାରେ ତାଙ୍କ ଉପଯୋଗୀ ଘର ଓ ସୁବିଧା ଦିଆଯିବା କଥା। ରାଜବଂଶର ଲୋକ ବସୁନ୍ଧରା ରାଜେ ଏ ଆଇନର ପାତ୍ର ହୋଇଥିଲେ। କି ଲୋଭ! ଲୋକଦେଖାଣିଆ ପାଇଁ ଆଗର ଜଗନ୍ନାଥ ପାହାଡିଆ ବି ପାଇଲେ। ରାଜସ୍ଥାନର ମୁଖ୍ୟ ବିଚାରପତି ଏସ୍‌. ରବୀନ୍ଦ୍ର ଭଟ୍ଟ ଓ ଜଷ୍ଟିସ୍‌ ପ୍ରକାଶ ଗୁପ୍ତା ଦୁହିଙ୍କ ବେଞ୍ଚ କହିଲେ ଯେ ଅର୍ଥନୈତିକ ଦୃଷ୍ଟିରୁ ଅନୁନ୍ନତ ରାଜ୍ୟରେ ଏଭଳି ଜୀବନବ୍ୟାପୀ ସୁବିଧା ଦେବା ସାଧାରଣ ପାଣ୍ଠିର ଏକ ଅପବ୍ୟୟ। ହାଇକୋର୍ଟଙ୍କ ରାୟ ଅନୁସାରେ ରାଜେ ଦୁଇ ମାସ ଭିତରେ ସରକାରୀ ଘର ଛାଡିବା କଥା, କିନ୍ତୁ ଇତିମଧ୍ୟରେ ‘ମୁଁ ତ ମୁତୁରୀ ତୁ ତ ମୁତୁରୀ, ଶେଯ କାହିଁ ପାଇଁ ଧୋଇବା’ ନ୍ୟାୟରେ ରାଜସ୍ଥାନର ଏବର ମୁଖ୍ୟମନ୍ତ୍ରୀ ଗେହଲଟ୍‌ ରାଜେଙ୍କୁ ଦେଖା କରି କଥାବାର୍ତ୍ତା ହୋଇଛନ୍ତି, ସେ କୁଆଡେ ରାଜେଙ୍କ ସିନିଅରିଟିକୁ ସମ୍ମାନ ଦେଇ ୧୩ ସିଭିଲ୍‌ ଲାଇନ୍‌ ବଙ୍ଗଳା ପରିବର୍ତ୍ତେ ତାଙ୍କ ସରକାର ଦେଖିବେ କେଉଁ ପ୍ରକାରର ସୁବିଧା ଦେଇହେବ ଓ କ’ଣ ଦେଇହେବନି। କାହାକୁ ଦେଇଥିଲେ ତ ନିଜେ ବି ପାଇ ପାରିବେ ନା!
ସଦ୍ୟ ଖବର ଅନୁସାରେ, ହରିୟାଣାର ତ୍ରିଭେନ୍ଦ୍ର ସିଂ ରାୱତ୍‌ ସରକାର ରାଜ୍ୟପାଳ ବେବିରାଣୀ ମୌଯର୍‌ୟଙ୍କ ଆଦେଶ ନେଇ ଏକ ଅର୍ଡିନାନ୍ସ ଜାରି କରିଛନ୍ତି ପ୍ରାକ୍ତନ ମୁଖ୍ୟମନ୍ତ୍ରୀମାନଙ୍କୁ ସୁବିଧା (ପ୍ରିଭିଲେଜେସ୍‌ ଆଣ୍ଡ ପର୍କସ୍‌) ଦେବା ପାଇଁ। ଦି ଉତ୍ତରାଖଣ୍ଡ ଫର୍ମର ଚିଫ୍‌ ମିନିଷ୍ଟର ଫାସିଲିଟି (ରେସିଡେନ୍ସିଆଲ୍‌ ଆଣ୍ଡ ଅଦର୍‌ ଫାସିଲିଟିଜ୍‌) ଅର୍ଡିନାନ୍ସ ୨୦୧୯ ସ୍ପଷ୍ଟ କରୁଛି ଯେ ମାର୍ଚ୍ଚ ୨୦୧୯ ପରେ କୌଣସି ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଏ ସୁବିଧା ପାଇବେ ନାହିଁ; କିନ୍ତୁ ୨୦୧୯ ମାର୍ଚ୍ଚ ପୂର୍ବରୁ ଯେଉଁମାନେ ଯାହା କିଛି ସୁବିଧା ପାଇଛନ୍ତି ତାହା ରହିବ। ୨୦୧୯ ମାର୍ଚ୍ଚ ପରେ ସରକାରୀ ଘର ପାଇବେ କିନ୍ତୁ ରାଜ୍ୟ ସରକାର ସ୍ଥିର କରିଥିବା ଘରଭଡା, ବିଜୁଳି ବିଲ୍‌ ଓ ପାଣି ବିଲ୍‌ ସେ ଦେବେ। ଏହାର ଅର୍ଥ ଆଗ ଭଳି ଘର ମିଳିବ, ପାଉଥିବା ମାଗଣା ଗାଡି, ଡ୍ରାଇଭର୍‌, ପବ୍ଲିକ୍‌ ରିଲେସନ୍ସ ଅଫିସର, ମାଳି, ଜଗିବାଲୋକ, ଟେଲିଫୋନ୍‌, ଚାକର ଓ ଅନ୍ୟ ଷ୍ଟାଫ୍‌ ଦରମା ସରକାର ଭରଣା କରିବେ। ହରିୟାଣା ସରକାର ଭୁଲିଗଲେ ଯେ ଜରୁରୀ ପରିସ୍ଥିତି ନ ଥିଲେ ଅର୍ଡିନାନ୍ସ ଜରିଆରେ ଆଇନ ପାସ୍‌ ହେବା କଥା ନୁହେଁ। କିନ୍ତୁ ହରିୟାଣା ହାଇକୋର୍ଟଙ୍କ ଆଦେଶ ସାଙ୍ଗେ ସାଙ୍ଗେ ବଳବତ୍ତର ହେଉଥିବାରୁ ହରିୟାଣା ସରକାର ଏମିତି ଅଧ୍ୟାଦେଶ ଜାରି କରିଦେଲେ। ନିଜ ଫାଇଦା ପାଇଁ ଗଣତନ୍ତ୍ରକୁ କିଭଳି ନେତାଙ୍କ ବ୍ୟକ୍ତିସ୍ବାର୍ଥରେ ଲଗାଯାଇପାରେ ଏହା ତା’ର ଏକ ଉଜ୍ଜ୍ୱଳ ଉଦାହରଣ। ତା’ ଛଡ଼ା ଛଅଟି ରାଜ୍ୟରେ (ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ହରିୟାଣା, ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶ) ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ଆୟକର ରାଜ୍ୟ ରାଜସ୍ବରୁ ଭରାଯାଉଥିବା ଖବରଟି ଏବେ ଚର୍ଚ୍ଚାରେ ରହିଛି। ତେଣୁ ଏହାକୁ ଗଣତନ୍ତ୍ର ନ କହି ଭୋଗୀତନ୍ତ୍ର କହିବା ମୋ ମତରେ ଠିକ୍‌ ହେବ।
ଇମେଲ୍‌: sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri