ଖେଳ ଆରମ୍ଭ ହେଲା

ସମ୍ପାଦକୀୟ/ତଥାଗତ ସତପଥୀ
ସବୁ ଭାବୁଥିଲେ ଯେ, ମୋଦି-ଶାହ ମେଣ୍ଟ ଏ ଦେଶରେ ସବୁଠାରୁ ଚତୁର ଏବଂ ଦକ୍ଷ। କୁହାଯାଉଥିଲା ଯେ ଅସମ୍ଭବକୁ ସମ୍ଭବ କରିପାରୁଛନ୍ତି ଅମିତ୍‌ ଶାହ, କାରଣ ହାରିଯିବା ପରେ ମଧ୍ୟ ଗୋଆ, କର୍ନାଟକ ଆଦି ରାଜ୍ୟରେ କିଣାବିକା କରି ସରକାର ଗଠନ କରିବାରେ କରିତ୍‌କର୍ମା ଭାବେ ଦେଖାଯାଉଥିଲେ। ୨୦୧୪ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶର ଦାୟିତ୍ୱ ବହନ କରିଥିବା ଅମିତ୍‌ ଶାହଙ୍କ ଉପରେ ଅନେକ ବହି ମଧ୍ୟ ଲେଖାଯାଇଥିଲା। କିଛିଲୋକ ଅତି ବେଶି ଆଗୁଆ ହୋଇ ତାଙ୍କୁ ଆଧୁନିକ ଚାଣକ୍ୟ ଆଖ୍ୟା ଦେଇଥିଲେ। କିନ୍ତୁ ମହାରାଷ୍ଟ୍ର ରାଜନୀତିରେ ଫଡ୍‌ନବିସଙ୍କ ସମେତ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କ ବାସ୍ତବ ଦକ୍ଷତାର ପ୍ରମାଣ ମିଳିଗଲା। କ୍ଷମତାର ଅପବ୍ୟବହାର କରି ଜୋରଜବରଦସ୍ତ କରାଇ ନେବାର ଆଭିମୁଖ୍ୟ ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ସର୍ବଦା ସଫଳ ହୁଏ ନାହିଁ। ଇନ୍ଦିରା ଗାନ୍ଧୀଙ୍କ ରାଜନୀତିକୁ କଠୋର ଭାଷାରେ ସମାଲୋଚନା କରିଆସୁଥିବା ଭାଜପା ଏବେ ସେହି ନୀତି ଆପଣାଇ ଭାରତର ସମଗ୍ର ରାଜନୈତିକ ଖେଳପଡିଆକୁ ମାଡିବସିବାର ଚେଷ୍ଟା ଏକ ବିରାଟ ବିଫଳତାର ସମ୍ମୁଖୀନ ହୋଇଛି। ଏବେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ବା ମହାବିକାଶ ଅଘାଡି ମେଣ୍ଟର ଯଦି ସରକାର ହୁଏ, ତେବେ ତାହା କେତେଦିନ ତିଷ୍ଠିବ କହିବା ଅତ୍ୟନ୍ତ କଷ୍ଟକର। ସମ୍ଭବତଃ ୬ ମାସରୁ ବର୍ଷକ ମଧ୍ୟରେ ସେହି ମେଣ୍ଟ ଭାଙ୍ଗିଯାଇପାରେ। ଅନ୍ୟପଟେ ଶରଦ ପାଓ୍ବାରଙ୍କ ଖେଳ ଦେଖି ମନେହେଉଛି ଯେ, ଏହି ମେଣ୍ଟ ସମ୍ପୂର୍ଣ୍ଣ ୫ ବର୍ଷ ପୂରଣ କରିବାର ଶକ୍ତି ରଖିଥାଇପାରେ। ସେ ବିଷୟରେ ଏବେ କହିବା ଅସମ୍ଭବ। କିନ୍ତୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ, ସମ୍ପୂର୍ଣ୍ଣ ଖେଳ ପାଓ୍ବାର ପରିବାରର ‘ପାଓ୍ବାର୍‌ପ୍ଲେ’ରେ ହୋଇଗଲା। ଏହା ବିଶେଷ ଭାବରେ କୌତୂହଳ ସୃଷ୍ଟିକରୁଛି, କାରଣ ଦେବେନ୍ଦ୍ର ଫଡ୍‌ନବିସ ତାଙ୍କ ନିଜର ଶକ୍ତି ଜାଣିପାରିବା ପୂର୍ବରୁ ତାଙ୍କ ଦ୍ୱାରା ନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାର ନିଜର ଇସ୍ତଫା ୨୬ ନଭେମ୍ବରରେ ପ୍ରଦାନ କରିଦେଲେ। ପରିସ୍ଥିତି ଏଭଳି ହେଲା ଯେ, ଦୁଇଦିନ ପୂର୍ବରୁ ଶପଥ ନେଇଥିବା ଫଡ୍‌ନବିସ ପଛରେ ପଡିଗଲେ ଏବଂ ଅଜିତ୍‌ଙ୍କ ଇସ୍ତଫା ପରେ ନିଜେ ଇସ୍ତଫା ଦେଲେ। ଏହା ସ୍ପଷ୍ଟ ପ୍ରମାଣ କରିଦେଲା ଯେ, ଭାଜପା ତା’ର ବୁଦ୍ଧି ହରାଇବସିଛି। ପାଓ୍ବାର ପରିବାରର ନାଟକରେ ଅଜିତ୍‌ଙ୍କ ସ୍ପଷ୍ଟ ଲାଭ ହେଲା। ଜଳସେଚନ ମନ୍ତ୍ରୀ ଥିବାବେଳେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ସହ ସମ୍ପୃକ୍ତ ଥିବା ଅଜିତ୍‌ ନିଜ ବିରୋଧରେ ଥିବା ୯ଟି ମାମଲାରୁ ତତ୍‌କ୍ଷଣାତ୍‌ ମୁକ୍ତି ପାଇଗଲେ। ଅନ୍ୟପଟେ ସେହି ନାଟକର ମଧ୍ୟାନ୍ତରରେ ଶରଦ ପାଓ୍ବାରଙ୍କ ସହଧର୍ମିଣୀ ପ୍ରତିଭା ପାଓ୍ବାର ଆଗେଇ ଆସିଲେ ଅଜିତ୍‌ଙ୍କୁ ପୁନର୍ବାର ପରିବାର ଭିତରକୁ ଡାକିନେବାକୁ। ଭାଜପା କେବଳ ଯେ ବଦନାମ ହେଲା ତା’ ନୁହେଁ, ବୁଦ୍ଧିର ଅଭାବ ସହିତ ଅତ୍ୟଧିକ କ୍ଷମତାଲୋଭ ତାହାକୁ ସାଧାରଣରେ ନିନ୍ଦିତ କଲା। ଅଜିତ୍‌ଙ୍କ ବିରୋଧରେ ସଙ୍ଗିନ ମାମଲା ପ୍ରତ୍ୟାହୃତ କରି ଭାଜପା ତା’ର ନୈତିକତା ସମ୍ପର୍କରେ ଦେଇ ଆସୁଥିବା ସବୁ ଭାଷଣକୁ ମିଥ୍ୟା ପ୍ରମାଣିତ କଲା। ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ସଂଖ୍ୟା ଜଣାପଡିଥିବା ସତ୍ତ୍ୱେ ଅର୍ଥଲୋଭ ଦେଖାଇ ବିଧାୟକ ଆଣିବାର ବିଫଳ ପ୍ରଚେଷ୍ଟା ଭାଜପାର କଳାଧନବିରୋଧୀ ଆଭିମୁଖ୍ୟକୁ ଅସତ୍ୟ ପ୍ରମାଣିତ କରିଛି। ମୋଟାମୋଟି ଦେଖିଲେ ଏହି ନାଟକରେ ସବୁଠାରୁ ଲାଭ ହେଲା ଅଜିତ୍‌ ଓ ପାଓ୍ବାର ପରିବାରର । ମହାରାଷ୍ଟ୍ରରେ ସରକାର ଯଦି ଗଢି ତାହାକୁ କିଛିବର୍ଷ ପାଇଁ ରଖିପାରିଲେ ସମ୍ପୃକ୍ତ ୩ ଅଣ-ଭାଜପା ଦଳର ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଲକ୍ଷ୍ମୀଭଣ୍ଡାରର ଅଭାବ ରହିବ ନାହିଁ। ଏହି ଭଣ୍ଡାର ପାଇଁ ବ୍ୟାକୁଳତା ପଦାରେ ପକାଇଦେଇଥିବା ଭାଜପା ଅନେକ ପରିମାଣରେ କ୍ଷତି ସହିବ।
ସବୁଠାରୁ ବୃହତ୍‌ ଓ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏହି ନାଟକରେ ରାଜନୀତିଠାରୁ ଊର୍ଦ୍ଧ୍ୱରେ ରହିବାର ୨ଟି ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ଧୂଳିସାତ୍‌ ହୋଇଯାଇଛି। ଦେଶର ରାଷ୍ଟ୍ରପତି ହେଉଛନ୍ତି ସମ୍ବିଧାନର ମୁଖ୍ୟ ରକ୍ଷକ। ସେହି ବହି ବଳରେ ବଳୀୟାନ୍‌ ଦେଶର ରାଷ୍ଟ୍ରପତି ଓ ରାଜ୍ୟର ରାଜ୍ୟପାଳ ଉଭୟେ ଖୋଲାଖୋଲି ପକ୍ଷପାତିତା କରିଥିବାରୁ ଏକ ବିରାଟକାୟ ସାମ୍ବିଧାନିକ ଝଡ଼ ସୃଷ୍ଟି ହୋଇଛି। କରଦାତାଙ୍କ ଅର୍ଥରୁ ବଡ଼ ଆଡ଼ମ୍ବରରେ ରହି ପ୍ରବଳ ମାତ୍ରାରେ ଦରମା ନେଉଥିବା ଏହି ପଦବୀର ଏବକାର ଅଧିକାରୀ କୋବିନ୍ଦ ଓ କୋଶିୟାରୀ ରାତିଅଧିଆ ରାଷ୍ଟ୍ରପତି ଶାସନ ଜାରି, ବଡିଭୋରରୁ ପ୍ରତ୍ୟାହାର ଏବଂ ସକାଳ ୮ଟାରେ ରାଜ୍ୟପାଳଙ୍କ ଦ୍ୱାରା ଶପଥ ଦିଆଇବା ଭାରତୀୟ ସମ୍ବିଧାନ ସମ୍ପର୍କରେ କେତେକ ମୌଳିକ ପ୍ରଶ୍ନ ସୃଷ୍ଟି କରୁଛି। ଇନ୍ଦିରା ଗାନ୍ଧୀ ଅବିକଳ ଏହିଭଳି କାର୍ଯ୍ୟ କରୁଥିଲେ ବୋଲି ଏବେ ଭାଜପା ସମାଲୋଚନା କରୁଛି। କିନ୍ତୁ ନିଜେ ବିନା କ୍ୟାବିନେଟ ବୈଠକରେ ଜଣିକିଆ ନିଷ୍ପତ୍ତିକୁ ରାଷ୍ଟ୍ରପତି ମାନିନେଇ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ଓ ତାହାକୁ ପ୍ରତ୍ୟାହାର କରିବା ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କଲା। କୌଣସି ସାମ୍ବିଧାନିକ ପରାମର୍ଶ ଲୋଡିବାକୁ ତାଙ୍କର ମନେ ପଡ଼ିଲା ନାହିଁ। ଏଠାରେ ତାଙ୍କର ଯୋଗ୍ୟତା ସମ୍ପର୍କରେ ପ୍ରଶ୍ନ ଉଠିପାରେ। ଅନୁରୂପଭାବେ କୋଶିୟାରୀଙ୍କ ଶପଥ ଦିଆଇବା ପୂର୍ବରୁ ବିଧାୟକଙ୍କ ସଂଖ୍ୟା ଗଣତି କରିବା ବିଷୟ ମନେ ପଡିଲା ନାହିଁ। ହୁଏତ ବୟସର ପ୍ରଭାବରେ ଏ ଦୁହେଁ ସ୍ମୃତିଶକ୍ତି ସମ୍ପୂର୍ଣ୍ଣ ଭାବେ ହରାଇ ବସିଛନ୍ତି।
ଏଭଳି ସ୍ଥଳେ ଆମେରିକା ଭଳି ଦେଶରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଇମ୍ପିଚ୍‌ମେଣ୍ଟ ବା ମହାଭିଯୋଗ ନିଶ୍ଚିତ ଆରମ୍ଭ ହୋଇଯାଇ ଥାଆନ୍ତା। ଏକ ଉଡ଼ା ଖବର ଯୋଗୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଅଣାଯାଇଛି। ତେବେ ଭାରତରେ ୫ ବର୍ଷ ପାଇଁ ରାଜନୈତିକ କ୍ଷମତା ହାସଲ କରିପାରିଥିବା ବ୍ୟକ୍ତିଙ୍କର ନୈତିକତାକୁ ସେହି ସମୟ ଭିତରେ ପ୍ରଶ୍ନ କରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri