କନ୍ଦାଉଛି ପିଆଜ

ଅନିଲ କୁମାର ବିଶ୍ୱାଳ
ଲଙ୍ଗଳ କଥା ବୁଝୁଛି ଖେତ, ଖେତ କଥା ବୁଝେ ଚଷା, ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା। ଆଉ ଯେତେବେଳେ ପଖାଳର କଥା ଆସେ ସେତେବେଳେ ପିଆଜ ପଖାଳ ସହିତ ଆପେ ଯୋଡ଼ିହୋଇଯାଏ। ଏବେ ଓଡ଼ିଶା ବଜାରରେ ପିଆଜ କିଲୋ ୬୦ ଛୁଇଁଲାଣି। ପାଇକାରୀ ଦର ହୁ ହୁ ହୋଇ ବଢୁଥିବା ବେଳେ ଖୁଚୁରା ବଜାରରେ ତା’ର ପ୍ରଭାବ ବଢ଼ିବାରେ ଲାଗିଛି। ଆଗକୁ ସ୍ଥିତି ଆହୁରି ସଙ୍ଗିନ ହୋଇପାରେ। ପିଆଜର ଦରବୃଦ୍ଧି, ଉତ୍ପାଦନ ବେଳେ ଅଭାବୀ ବିକ୍ରି ପ୍ରାୟ ସବୁବର୍ଷ ହେଉଛି। ଆଉ ସବୁବେଳେ ସେହି ଗୋଟିଏ ଚିରାଚରିତ ଉତ୍ତର ସରକାରଙ୍କ ପାଖରୁ, ‘ଏ ବର୍ଷ ନାସିକରେ ପିଆଜ ଉତ୍ପାଦନ କମ୍‌ ହୋଇଛି। ସାରା ଦେଶରେ ପିଆଜ ଦର ଉଚ୍ଚ ଅଛି। ଓଡ଼ିଶାରେ ବି ଉଚ୍ଚା ରହୁଛି। ଏହା ଏକ ଜାତୀୟ ସମସ୍ୟା’।
ଆମେ ଭାବୁ ଆଳୁ ଭଳି ପିଆଜରେ ବି ଆମେ ଆତ୍ମନିର୍ଭରଶୀଳ ନୁହଁ। ହେଲେ ବାସ୍ତବ ସ୍ଥିତି ତାହା ନୁହେଁ। ରାଜ୍ୟରେ ବର୍ଷକୁ ପିଆଜର ହାରାହାରି ଆବଶ୍ୟକତା ହେଉଛି ୨ ଲକ୍ଷ ୯୭ ହଜାର ମେଟ୍ରିକ ଟନ। ରାଜ୍ୟରେ ବାର୍ଷିକ ପିଆଜ ଉତ୍ପାଦନ ହାରାହାରି ଭାବେ ହେଉଛି ୩ ଲକ୍ଷ ୫୦ ହଜାର ମେଟ୍ରିକ ଟନ୍‌ରୁ ୩ ଲକ୍ଷ ୮୦ ହଜାର ମେଟ୍ରିକ ଟନ୍‌। ଏହାର ଅର୍ଥ ପିଆଜ ଉତ୍ପାଦନରେ ଆମେ ବଳକା ରାଜ୍ୟ। ଅତି କମ୍‌ରେ ୫୦ ହଜାର ମେଟ୍ରିକ ଟନ ପିଆଜ ଆମ ପାଖେ ବଳକା ରହିବା କଥା। ହେଲେ ଆମେ କାହିଁକି ପୁଣି ସେହି ଆନ୍ଧ୍ର, ନାସିକ ଉପରେ ନିର୍ଭରଶୀଳ। ଏହାର କାରଣ ହେଲା ଆମ ଚାଷୀ ପାଖେ ପିଆଜକୁ ଉଚିତ ଦରରେ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା ନାହିଁ, ପିଆଜକୁ ସଂରକ୍ଷଣ କରିବା ପାଇଁ ଶୀତଳଭଣ୍ଡାର ନାହିଁ, ଏପରି କି ଉତ୍ପାଦନ ସମୟରେ ବି ତାକୁ ଅତି କମ୍‌ରେ ମାସଟିଏ ସାଇତି ରଖିବା ପାଇଁ ଗୋଦାମ ଘରଟିଏ ବି ନାହିଁ। ଚାଷୀ ତ ଅମଳ କରୁଛି ହେଲେ ତାକୁ ଯଦି ତା’ ଫସଲର ମୂଲ୍ୟ ଦେବା ଓ ସଂରକ୍ଷଣର ବ୍ୟବସ୍ଥା କରା ନ ଯାଏ ସେ କରିବ କ’ଣ? ବାଧ୍ୟ ହୋଇ ରାଜ୍ୟ ବାହାର ବେପାରୀଙ୍କୁ ବିକିବ। ସେହି ପିଆଜ ପୁଣି ବାହାର ରାଜ୍ୟର ଶୀତଳଭଣ୍ଡାରରୁ ଆସି ଓଡ଼ିଶା ବଜାରରେ ଚଢ଼ା ଦରରେ ବିକ୍ରି ହେବ। ଖାଉଟି କ୍ଷତିରେ, ଚାଷୀ ବି କ୍ଷତିରେ।
ଏବେ ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୮-୧୯ ଅନୁସାରେ ୨୦୧୭-୧୮ ଆର୍ଥତ୍କ ବର୍ଷରେ ରାଜ୍ୟରେ ୩୩ ହଜାର ହେକ୍ଟର ଚାଷଜମିରେ ପିଆଜ ଚାଷ ହୋଇଥିଲା। ପିଆଜ ଉତ୍ପାଦନ ହେଉଛି ୩ ଲକ୍ଷ ୮୦ ହଜାର ମେଟ୍ରିକ ଟନ। ଜାତୀୟ ସ୍ତରରେ ପିଆଜର ହେକ୍ଟର ପିଛା ଉତ୍ପାଦନ ୧୬ ମେଟ୍ରିକ ଟନ ଥିବା ବେଳେ ଓଡ଼ିଶାରେ ଏହା ହେଉଛି ୧୧ ମେଟ୍ରିକ ଟନ। ପାଖାପାଖି ୫ ମେଟ୍ରିକ ଟନ କମ୍‌ । ଏହା ପଛରେ ବି ଅଛି ସରକାରୀ କଳର ଉଦାସୀନତା ଓ ଦୁର୍ନୀତିଖୋର ମନୋଭାବ। ଉନ୍ନତ ମାନର ବିହନର ଅଭାବ ଏହାର ଏକ ମୁଖ୍ୟ କାରଣ। ପିଆଜର ଉତ୍ପାଦନ ମୁଖ୍ୟତଃ ଅବିଭକ୍ତ କଳାହାଣ୍ଡି, କୋରାପୁଟ, ବଲାଙ୍ଗୀର ଓ ଉପକୂଳ ଓଡ଼ିଶାର ଅନେକ ଜିଲାରେ ହେଉଛି। ଆଜି ବି ଆମର ଚାଷୀମାନେ ସେହି ପୁରୁଣା କିସମ ବିହନ ବ୍ୟବହାର କରୁଛନ୍ତି। ଓଡ଼ିଶାରେ ପ୍ରାୟତଃ ଦୁଇ ପ୍ରକାରର ପିଆଜ ଚାଷ ହୁଏ। ଗୋଟିଏ ହେଉଛି ଉଲି ପିଆଜ ଯାହାର ଉତ୍ପାଦନ ବେଶି, ବଜାରରେ ଚାହିଦା ବି ଭଲ। ଏହା ପ୍ରାୟତଃ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହୁଏ। ଅନ୍ୟଟି ହେଲା କୋଲା ପିଆଜ, ଯାହା ରସୁଣ ଭଳି କୋଲା କୋଲା ହୋଇ ଫଳେ। ଏହା ସାଧାରଣତଃ ଉପକୂଳ ଓଡ଼ିଶାରେ ହୁଏ। ଏହାର ସ୍ବାଦ ଭଲ କିନ୍ତୁ ବେଶି ଉତ୍ପାଦନ କ୍ଷମତାଯୁକ୍ତ ନୁହେଁ।
୨୦୧୫ରେ ଯେତେବେଳେ ରାଜ୍ୟରେ ପିଆଜ ଦର ୮୦ ଛୁଇଁଥିଲା ସେତେବେଳେ ରାଜ୍ୟ ସରକାର କରିଥିଲେ ପିଆଜ ମିଶନ। ଲକ୍ଷ୍ୟ ଥିଲା ପିଆଜର ଉତ୍ପାଦନ ବୃଦ୍ଧି ଓ ରାଜ୍ୟରେ ବ୍ୟାପକ ସଂଖ୍ୟାରେ ଶୀତଳଭଣ୍ଡାର ନିର୍ମାଣ କରି ପିଆଜ ସଂରକ୍ଷଣର ସୁବିଧା। ୫ ବର୍ଷ ପୂରିବାକୁ ବସିଲାଣି। ହେଲେ ସେହି ଦୁଇଟି ଲକ୍ଷ୍ୟ ସାଧନ ହେଲା କି? ୨୦୧୬-୧୭ରେ ରାଜ୍ୟ ସରକାର ଖରିଫ ଓ ରବି ଋତୁରେ ପିଆଜ ବିହନ କିଣାରେ ପ୍ରାୟ ୫୪ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ କରିଥିଲେ। ସରକାରଙ୍କ କ୍ରୟ ନୀତି ଅନୁସାରେ ୫ ଲକ୍ଷରୁ ଅଧିକ ଟଙ୍କାର କିଣା ହେଲେ ଟେଣ୍ଡର ହେବା କଥା। କିନ୍ତୁ ବିନା ଟେଣ୍ଡରରେ ସେତେବେଳେ ଓଡିଶା ସରକାର କୁଇଣ୍ଟାଲ ପିଛା ୯୩୯ ଟଙ୍କାରେ ବିହନ କିଣିଥିଲେ ଯେଉଁଠି କି ଆସାମ ଭଳି ରାଜ୍ୟ ସେହି ସମାନ କିସମର ବିହନ ଅନ୍ୟ ଏକ ବିହନ ଉତ୍ପାଦନକାରୀ ସଂସ୍ଥାଠାରୁ କୁଇଣ୍ଟାଲ ପିଛା ୫୩୯ ଟଙ୍କାରେ କିଣିଥିଲା। ଓଡ଼ିଶାରେ ଚାଷୀମାନଙ୍କୁ ଦିଆଯାଇଥିବା ସେହି ପିଆଜ ବିହନ ଗଜା ହେଲା ନାହିଁ, ଯାହା ଫଳରେ ଚାଷୀମାନେ ହଇରାଣ ହେଲେ। ପରିସ୍ଥିତି ଏପରି ହେଲା ଯେ ଚାଷୀମାନେ ତା’ ପରବର୍ଷ ଆଉ ସରକାରୀ ବିହନକୁ ଭରସା କଲେ ନାହିଁ। ନିଜର ପୁରୁଣା ବିହନକୁ ଚାଷ କଲେ।
ଏ ଗଲା ଉତ୍ପାଦନ କଥା। ବାକି ରହିଲା ସଂରକ୍ଷଣ। ବିଧାନସଭାରେ ସରକାର ମାନିଛନ୍ତି ପିଆଜ ସଂରକ୍ଷଣର ବିକଳ ଚିତ୍ର। ଅବିଭକ୍ତ କେବିକେ ଜିଲାରେ ଯେଉଁଠି ବେଶି ପିଆଜ ଉତ୍ପାଦନ ହେଉଛି ସେଠାରେ ଅଛି ସମୁଦାୟ ମାତ୍ର ୨୯ ହଜାର ମେଟ୍ରିକ ଟନ କ୍ଷମତାବିଶିଷ୍ଟ ଗୋଦାମ ଘର। ଆନ୍ଧ୍ରପ୍ରଦେଶର ଗୋଟିଏ ଗୋଟିଏ ବ୍ଲକରେ ଯେତିକି ଶୀତଳଭଣ୍ଡାର ଅଛି ତାହାର କ୍ଷମତା ବି ଏହାଠାରୁ ଅଧିକ। କଳାହାଣ୍ଡି ଜିଲାରେ ଅଛି ମାତ୍ର ୭୬୫୦ ମେଟ୍ରିକ ଟନ କ୍ଷମତାବିଶିଷ୍ଟ ପିଆଜ ସଂରକ୍ଷଣ ଗୃହ। ଗ୍ରୀଷ୍ମ ଋତୁ ସୁଦ୍ଧା ରାଜ୍ୟରେ ବଳକା ପିଆଜ ଉତ୍ପାଦନ ହେଉଥିଲାବେଳେ ଅଧିକାଂଶ ପିଆଜ ମଧ୍ୟସ୍ଥଙ୍କ ଜରିଆରେ ବିକ୍ରି ହେଉଛି ଓ ବ୍ୟବହାର ପାଇଁ ଅଳ୍ପ କିଛି ଗୋଦାମରେ ରଖାଯାଉଛି। ଛତିଶଗଡ଼, ଆନ୍ଧ୍ରକୁ ଯାଉଛି ଓଡ଼ିଶା ପିଆଜ। ପଶ୍ଚିମ ଓଡ଼ିଶାରୁ ପିଆଜ ରାୟପୁରର ଦଲାଲମାନେ ଅତି ଶସ୍ତା ମୂଲ୍ୟରେ ନେଉଛନ୍ତି। ତାକୁ ନାସିକ ଓ ଆନ୍ଧ୍ରପ୍ରଦେଶ ପଠାଉଛନ୍ତି। ସେଠାରୁ ସେହି ପିଆଜ ପୁଣି ଆସୁଛି ଓଡ଼ିଶା ବଜାରକୁ ୬ ମାସ ପରେ। ପର୍ଯ୍ୟାପ୍ତ ପରିମାଣର ପିଆଜ ମହଜୁଦ କ୍ଷମତା ନ ଥିବା କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଦେବଗଡ଼ରେ ୨୦୧୮ରେ ପିଆଜର ଅଭାବୀ ବିକ୍ରି ହୋଇଥିଲା। ଦେବଗଡ଼ ଜିଲାରେ ସଂରକ୍ଷଣ ପାଇଁ ଆଦୌ ବ୍ୟବସ୍ଥା ନାହିଁ। ରାଜ୍ୟରେ ଥିବା ସମୁଦାୟ ୧୨୮ ଶୀତଳଭଣ୍ଡାରରୁ ୮୦ଟି ଅଚଳ ଅବସ୍ଥାରେ ପଡିଛି। ଆଳୁ ଓ ପିଆଜ ମିଶନରେ ସରକାର ବେସରକାରୀ ସ୍ତରରେ ଯାହା ଶୀତଳଭଣ୍ଡାର କରିବା ପାଇଁ ଲକ୍ଷ୍ୟ ରଖିଥିଲେ ତାହା ବି ଫଳପ୍ରଦ ହେଲାନାହିଁ। ଆଜି ବି ଓଡ଼ିଶାରେ ଯାହା ଶୀତଳ ଭଣ୍ଡାର ଅଛି ତାହାର ସମୁଦାୟ କ୍ଷମତା ହେଉଛି ୨ ଲକ୍ଷ ୧୭ ହଜାର ମେଟ୍ରିକ ଟନ। ଏହା କେବଳ ପିଆଜକୁ ନିଅଣ୍ଟ। କାରଣ ପିଆଜ ଉତ୍ପାଦନ ଆସି ପହଞ୍ଚିଲାଣି ୩ ଲକ୍ଷ ୮୦ ହଜାର ମେଟ୍ରିକ ଟନରେ। ବାକି ଆଳୁ, ଅଦା, ଅନ୍ୟ ପନିପରିବା ପାଇଁ ଜାଗା କାହିଁ? ସେହି ସବୁ ଫସଲର ବି ସ୍ଥିତି ସମାନ। ବିକ୍ରି ପାଇଁ ବ୍ୟବସ୍ଥା ନାହିଁ କି ସଂରକ୍ଷଣ କରିବାକୁ ଶୀତଳଭଣ୍ଡାର ନାହିଁ। କୃଷି, ସମବାୟ, ଖାଦ୍ୟ ଯୋଗାଣ ବିଭାଗର ତାଳମେଳ ନାହିଁ। ରାଜ୍ୟ ସରକାର ସ୍ଥାୟୀ ସମାଧାନ ପାଇଁ କିଛି ଠୋସ ପଦକ୍ଷେପ ନେବାର ସମୟ ଆସିଗଲାଣି। ଆମେ କେବେ ଶିଖିବା କୃଷିଜାତ ଉତ୍ପାଦନର ସଂରକ୍ଷଣ? କେବେ ତିଆରି ହେବ ଶୀତଳଭଣ୍ଡାର? ହଁ ସରକାର ଯଦି ଖାଲି ରାଜନୀତି ଆଉ ଭୋଟ ବ୍ୟାଙ୍କ କଥା ଚିନ୍ତା କରୁଥାନ୍ତି ତା’ହେଲେ ବି ପିଆଜ କମ୍‌ ରାଜନୀତିର ବିଷୟ ନୁହେଁ। ଆଗରୁ ପିଆଜର ମାତ୍ରାଧିକ ଦରବୃଦ୍ଧି ପାଇଁ ସରକାର ଭୁଶୁଡ଼ିଛି। ଦେଶର ଅନେକ ରାଜ୍ୟରେ ପିଆଜ ଦରବୃଦ୍ଧି ଏକ ନିର୍ବାଚନୀ ପ୍ରସଙ୍ଗ ହୋଇଛି। ପିଆଜ ଉତ୍ପାଦନରେ ଓଡ଼ିଶା ବଳକା ରାଜ୍ୟ କିନ୍ତୁ ସଂରକ୍ଷଣରେ ଫେଲ୍‌। ତା’ ଅର୍ଥ କେଉଁଠି ନା କେଉଁଠି ସରକାରୀ ସ୍ତରରେ ନୀତିଗତ ବା ପରିଚାଳନାଗତ ତ୍ରୁଟି ରହୁଛି, ଯାହା ଫଳରେ ପିଆଜ ପ୍ରଚୁର ଥିବା ସତ୍ତ୍ୱେ ଓଡ଼ିଶା ଖାଉଟି ଓ ଚାଷୀ ଉଭୟେ ହଇରାଣ ହେଉଛନ୍ତି। ଆମ ପାଖେ ଭଲ ଚାଷଜମି ଅଛି, ଜଳ ସମ୍ପଦ ବି ଅଛି। ତାକୁ ବିନିଯୋଗ କରି ଆମ ଚାଷୀଙ୍କୁ ଆମେ ସଶକ୍ତ କରିବା ଦରକାର।
ହରିରାଜପୁର, ପୁରୀ, ମୋ- ୯୪୩୮୫୭୯୨୯୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?