ଏପାରି-ସେପାରି

ତୁଳସୀଦାସ ମିଶ୍ର
ରାଜନୀତି ଆଜ୍ଞା ଏପାରି-ସେପାରି କଥା। ଏପାରି ମାନେ ସରକାର ଏବଂ ସେପାରି ମାନେ ବିରୋଧୀ। ଆଉ ଆମ ରାଜନେତାମାନଙ୍କ ହିସାବ ବି ଅତି ସହଜ ଓ ସରଳ। ଏପାରିରେ ସରକାରରେ ଥିଲେ ଖୋଳ କର, ସେପାରିରେ ବିରୋଧୀରେ ବସିଲେ ଗୋଳ କର। ଆଉ ଘେରାଏ ଋଣ କରି ଯେଉଁଠି ସରକାର କହିବେ ଆମେ ଲୋକଙ୍କ ସେବା ପାଇଁ ଋଣ କରୁଛୁ, ସେଇଠି ବିରୋଧୀ କହିବେ ସରକାର ରାଜ୍ୟ ବା ଦେଶର ଲୋକଙ୍କୁ ଋଣଯନ୍ତାରେ ଫସେଇ ଦେଲେଣି। ମନ୍ତ୍ରୀଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଲେ ସେ କହିବେ ମୋତେ ଫସେଇ ଦିଆହୋଇଛି। ଏଇଟା ବିରୋଧୀଙ୍କ ଷଡ଼ଯନ୍ତ୍ର। ସେଇଠି ବିରୋଧୀ ଦଳ କହିବେ ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ମଧ୍ୟ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ। ଏ ବାକ୍ୟ ଯୁଦ୍ଧରେ କେବେ କେବେ ବିରୋଧୀ ନୟାନ୍ତ ଏବଂ ନିରସ୍ତ୍ର ହୁଅନ୍ତି ତ ଆଉ କେବେ ମନ୍ତ୍ରୀ ପଦ ହରାନ୍ତି, ସରକାର ବି ଭାଙ୍ଗେ।
ଏବେ ଆମ ଦେଶର ରାଜନୀତି ଏକ ରୋଚକ କାଳଖଣ୍ଡ ଦେଇ ଗତିକରୁଛି। ଏ ଯେମିତି କେନ୍ଦ୍ର ଏବଂ କିଛି ରାଜ୍ୟରେ ଯଦି ନାରଙ୍ଗି ସରକାର ତ ବାକି ରାଜ୍ୟମାନଙ୍କରେ ସପ୍ତରଙ୍ଗୀ ସରକାର ଶାସନ କରୁଛନ୍ତି, ଯେଉଁଥିପାଇଁ ଏପାରି-ସେପାରି ଖେଳ ବେଶ୍‌ ଆମୋଦଦାୟକ ପ୍ରତୀତ ହେଉଛି।
ଏ ଯେମିତି କେନ୍ଦ୍ର ସରକାରଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ କର୍ନାଟକ ସରକାର ସିଏଏ, ଏନ୍‌ପିଆର୍‌, ଏନ୍‌ଆର୍‌ସିକୁ ରାଜ୍ୟରେ ଲାଗୁ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି। ସେଇଠି କିନ୍ତୁ ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ ଏବଂ କେରଳ ସରକାର ବିରୋଧ କରି ସଙ୍କଳ୍ପନାମା ପାରିତ କରିଛନ୍ତି। ଆଉ ପଶ୍ଚିମବଙ୍ଗ ସରକାର ତ ଏ ତ୍ରିଶୂଳିଆ ଆଇନକୁ କେବଳ ତ୍ରିଶଙ୍କୁ କରିବାକୁ ଚାହୁଁନାହାନ୍ତି, ତତ୍‌ସଙ୍ଗେ ଏହାର ସପକ୍ଷବାଦୀଙ୍କୁ ମାୟାମମତା ଛାଡି ତୃଣମୂଳ ସ୍ତରରେ ନିର୍ମୂଳ କରିବାକୁ ବଦ୍ଧପରିକର।
ଉପରୋକ୍ତ ପ୍ରସଙ୍ଗମାନଙ୍କୁ ନେଇ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ କିନ୍ତୁ ପ୍ରଶଂସନୀୟ। କେବଳ ଉଚ୍ଚାରଣ ନୁହେଁ, ଆଚରଣରେ ମଧ୍ୟ ନବୀନ ପଟ୍ଟନାୟକ କେନ୍ଦ୍ର ଏବଂ ବାକି ବିରୋଧୀଙ୍କଠାରୁ ସମଦୂରତ୍ୱ ଅବଲମ୍ବନ କରୁଛନ୍ତି। ତାଙ୍କ ସରକାର ଯଦି ସପକ୍ଷବାଦୀମାନଙ୍କୁ ହାତ କରୁନି, ବିପକ୍ଷପନ୍ଥୀଙ୍କୁ ଆଡ଼ ବି କରୁନି। ତେବେ ଏଠି କିନ୍ତୁ ବାକି ବିଷୟକୁ ନେଇ ଶଙ୍ଖ ଦଳର ବିରୋଧୀ ପଦ୍ମ ଏବଂ ହାତ ଦଳ ସାଙ୍ଗରେ ଏପାରି-ସେପାରି ବାଦୀପାଲା ଖୁବ୍‌ ଜମେ। ଏ ଯେମିତି ଏ ବର୍ଷର କେନ୍ଦ୍ରର ରେଳ ବଜେଟକୁ ନେଇ ପଦ୍ମଦଳ ଖୁବ୍‌ ପ୍ରଶଂସା କଲେ। କିନ୍ତୁ ଶଙ୍ଖ ଦଳ କହିଲେ ଯେତେ ରିଚାର୍ଜ କରୁଛୁ ସେତେ ‘ଟକ୍‌ ଟାଇମ୍‌’ ପାଉନୁ। ମାନେ ଯେତେ ରାଜସ୍ବ ଦେଉଛୁ ସେଇ ଅନୁପାତରେ ରାଜ୍ୟକୁ ଅନୁଦାନ ଫେରୁନି। ଯୋଜନାଗୁଡିକର ଫାଇଦା ଏବଂ ବାହାଦୁରି ନେବା ପାଇଁ ମଧ୍ୟ ଏପାରି-ସେପାରି ମଧ୍ୟରେ କାଦୁଅ ଫିଙ୍ଗା ଏବଂ କଳି ଝଗଡ଼ା ହୁଏ। ଖାଲି ସେତିକି ନୁହେଁ କେନ୍ଦ୍ରର ପଦ୍ମ ପ୍ରତିନିଧି ହିସାବରେ କଥାକଥାରେ ଓଡ଼ିଆ ପୁଅ ‘ମନ୍ତ୍ରୀ ପ୍ରଧାନ’ ‘ପ୍ରଧାନମନ୍ତ୍ରୀ’ଙ୍କୁ କୃତଜ୍ଞତା ଜଣାଇ ପ୍ରଶଂସାରେ ପୋତି ଦିଅନ୍ତି। ସେଇଠି ଓଡ଼ିଶାର ସରକାରୀ ଦଳ ବି ସମୂହ ଶଙ୍ଖବାଦନ କରି ପ୍ରେରଣାର ଉତ୍ସ, ରାଜନୈତିକ ବିସ୍ମୟ, ଉଦାର ହୃଦୟ କହି ନବୀନଙ୍କ ଜୟଗାନ କରନ୍ତି।
କେବେ କିନ୍ତୁ କି ଏପାରି କି ସେପାରି, ଭିତରେ ଭିତରେ ମତାନ୍ତରର ଘାଇଟିଏ ସୃଷ୍ଟି ହୁଏ, ଯାହାକୁ ଦଳକନ୍ଦଳ କୁହାଯାଏ। ଏ ଯେମିତି କେବେକେବେ ସୁବ୍ରମଣ୍ୟମ୍‌ ସ୍ବାମୀ ସରକାରରେ ଥାଇ ବି ଶାସକଙ୍କୁ କଟାକ୍ଷରେ ଘାଇଲା କରନ୍ତି। ଠିକ୍‌ ସେମିତି କିଛିଦିନ ତଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ନିଜ ଦଳର ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲେଇବାର ଚେତାବନୀ ଦେଲେ। ଆଉ ଥରେ ସେମିତି ସପରିବାର ପ୍ରଧାନମନ୍ତ୍ରୀଙ୍କୁ ଯାଇ ସାକ୍ଷାତ୍‌ କରିବାରୁ, କମଲନାଥ କାଳେ ନାମ ସଙ୍ଗେ କାମରେ ବି ପଦ୍ମଧର୍ମୀ ଦେଇ ଯିବେକି ଆଶଙ୍କା କରି ରାହୁଲ ରକ୍ତଚାଉଳ ଚୋବେଇଲେ। ଏପାରି ସେପାରି ମଧ୍ୟରେ କେମିତି ସେତୁ ବନ୍ଧା ହୁଏ ସେଇଟା କିନ୍ତୁ ନେତାମାନେ ରାମବିଳାସ ପାଶ୍‌ଓ୍ବାନଙ୍କଠାରୁ ଶିଖିବା କଥା। କେବେ ଦିନେ ରାମବିଳାସ ମନମୋହନଙ୍କ ବୃନ୍ଦାବନରେ ବଂଶୀସ୍ବନର ରସ ଆସ୍ବାଦନ କରୁଥିଲେ। ଏବେ କିନ୍ତୁ ସେ ମୋଦିଙ୍କ ମଧୁବନରେ ପଦ୍ମଗନ୍ଧରେ ବିମୋହିତ। ଦେଖିବାକୁ ଗଲେ ‘ମନମୋହନ’ ଏବଂ ‘ଦାମୋଦର’ ଦୁଇଟି ଯାକ କୃଷ୍ଣଙ୍କ ନାମ। ତେଣୁ କାଲିପରି ଆଜି ବି ରାମବିଳାସ ଶ୍ୟାମ ଅନୁରାଗୀ ଅଛନ୍ତି। ଏଇ ଯେମିତି ନଈ ଏପାରିରେ ଘରସଂସାର, ସେପାରିରେ ବଣିଜ, ବେପାର। ଏ ଏପାରି-ସେପାରି ରାଜନୀତିରେ କିନ୍ତୁ ପୋଲିସ ଏବଂ ବାକି ସୁରକ୍ଷା ବାହିନୀର ଅବସ୍ଥା ବାରଣ୍ଡା ଦିକଡା ହୁଏ। ପଦ୍ମ ରାଜ୍ୟରେ ଯଦି ସିଏଏ ସପକ୍ଷବାଦୀଙ୍କ ଉପରେ ଟିପ ନ ଦେବାକୁ ନିର୍ଦ୍ଦେଶ ମିଳେ ବାକି ରାଜ୍ୟମାନଙ୍କରେ ବିପକ୍ଷବାଦୀଙ୍କୁ ସୁରକ୍ଷା ଦେବାକୁ କୁହାଯାଏ। ବେଣ୍ଟ ନିରାମିଷ ଚଟୁ ଆଇଁଷ ନୀତିରେ ସରକାରମାନେ ବେଣ୍ଟ ପରି ଉପରେ ରହନ୍ତି, ଆଉ ଚଟୁ ପରି ଘାଣ୍ଟିହୋଇ ଦୁର୍ନାମ ମୁଣ୍ଡାନ୍ତି ସୁରକ୍ଷାବାହିନୀ। ଏପାରି-ସେପାରି ମଧ୍ୟରେ ଗାର ଟାଣି ସରକାରୀ ଦଳ ଏବଂ ବିରୋଧୀ ପକ୍ଷ ଯେ ସବୁବେଳେ ଟଣାଓଟରାରେ ମାତିଥାନ୍ତି ଏହା ଅବଶ୍ୟ ନୁହେଁ। ବିଶେଷକରି ଗୋଟେ ବିଷୟକୁ ନେଇ, ବିନା ଭେଦଭାବରେ ସବୁ ଦଳର ସଭ୍ୟ ଏକାକାର ହୋଇଯାନ୍ତି। ଆଉ ସେଇଟା ଦେଶସେବା କିମ୍ବା ଜନକଲ୍ୟାଣ ଅବଶ୍ୟ ନୁହେଁ। ସେଇଟା ହେଲା ସେମାନଙ୍କ ଦରମା, ଭତ୍ତା, ସୁବିଧା, ସୁଯୋଗ ପ୍ରସଙ୍ଗ। କି ରାଜ୍ୟ, କି କେନ୍ଦ୍ର, ସବୁଠି ଯେବେବି ନିର୍ବାଚିତ ପ୍ରତିନିଧିଙ୍କ ଦରମା ବୃଦ୍ଧି ବିଲ୍‌ ସଦନରେ ଆଗତ ହୋଇଛି, ସେଇଟା ସମସ୍ତେ ଏକ ସ୍ବରରେ ଏବଂ କେଇକ୍ଷଣ ମଧ୍ୟରେ ପାରିତ କରିଛନ୍ତି। ଏମିତି ତତ୍ପରତା ଅବିଶ୍ୱସନୀୟ ଏବଂ ଏମିତି ଏକତା ବି ଏକ ବିସ୍ମୟକର ବାସ୍ତବତା ନିଶ୍ଚୟ।
ତେବେ ରାଜନୀତିର ବହୁ ପୂର୍ବରୁ ଏ ଏପାରି-ସେପାରି ନିୟମ ଜୀବଜଗତରେ ପରିଲକ୍ଷିତ ହୋଇଛି। ଗୋଲାକାର ପୃଥିବୀର ବୃତ୍ତାକାର ଅକ୍ଷ ଏବଂ କକ୍ଷପଥରେ ଘୂର୍ଣ୍ଣନରୁ ଏ ନିୟମର ସୃଷ୍ଟି। ପୃଥିବୀର ବର୍ତ୍ତୁଳାକାର ପୃଷ୍ଠରେ ଅନବରତ କେଉଁଠି ଦିନ ହୋଇଥାଏ ତ କେଉଁଠି ରାତି। ଆଉ ଏ ଭୌଗୋଳିକ ସତ୍ୟ ଆମର ଜାଗତିକ ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ। ସେଥିପାଇଁ ସେଇ ଏକା ସହରରେ କେଉଁଠି ବିବାହର ଶୁଭ ସାହାନାଇ ବାଜୁଥିଲେ ଆଉ କେଉଁଠି ଶବାଧାର ଆଗରେ ବିଦାୟ ଡେଙ୍ଗୁରା ଗୁମୁରୁଥାଏ। ଜଣେ ହସୁଥିଲେ, ଆଉ ଜଣେ କାନ୍ଦୁଥାଏ। ଲୋତକର ବର୍ଷା ଯଦି ଆମକୁ ଜୀବନର କ୍ରୂରତା ସଙ୍ଗେ ପରିଚୟ କରାଏ, ବର୍ଷା ଉପରାନ୍ତ ସୂର୍ଯ୍ୟ ରଶ୍ମି ଆମକୁ ଆଶାବାଦୀ କରେ। ଏପାରି ସେପାରି, ଆଗମନ-ନିର୍ଗମନ, ଉତ୍‌ଥାନ-ପତନର ଏ ପ୍ରକ୍ରିୟା ଅନନ୍ତ ଏବଂ ଅଲଂଘ୍ୟ। କିନ୍ତୁ କେବେ କେବେ ଏପାରିରୁ ପ୍ରାର୍ଥନାଟେ ସେପାରିରୁ ଆଶୀର୍ବାଦ ହୋଇ ଫେରେ। ଦୃଶ୍ୟ ଏବଂ ଅଦୃଶ୍ୟ ମଧ୍ୟରେ ଏକ ଭାବର ସେତୁ ସୃଷ୍ଟିକରେ।
ଶୈଳଶ୍ରୀ ବିହାର, ଭୁବନେଶ୍ୱର, ମୋ- ୯୮୬୧୫୫୨୭୯୩


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?