ଉପକୂଳର ଯୋଦ୍ଧା

ପ୍ରକାଶ ତ୍ରିପାଠୀ
ହୃଦୟକୁ ଛୁଇଁଲା ଭଳି ଲେଖାଟିଏ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି ବନ୍ଧୁ ବଦ୍ରି ମିଶ୍ର- ”ହେ ଯୋଦ୍ଧା! ତୁମକୁ ସଲାମ୍‌। ଦୀର୍ଘ ୪ ଘଣ୍ଟା ଫନୀ ସହ ପ୍ରାଣାନ୍ତକ ଲଢ଼େଇ କରି ଆମକୁ ରକ୍ଷା କରିଛ। ଅନେକ ପ୍ରାଣବଳି ଦେଇଛ। ଗୁରୁତର ଆହତ ହୋଇଛ, ପକ୍ଷାଘାତରେ ବି ଆକ୍ରାନ୍ତ ହୋଇଛ। ଯେଉଁମାନେ ଶହୀଦ ହୋଇଛ, ତୁମମାନଙ୍କ ପାଇଁ ଶୋକ କରୁଛି କିଏ? ଯିଏ ରକ୍ତାକ୍ତ, ଗୁରୁତର ଆହତ, ସେମାନଙ୍କ ପାଇଁ ଆହା କହୁଛି କିଏ?“ ପ୍ରକୃତିପ୍ରେମୀ ବଦ୍ରି ମିଶ୍ରଙ୍କ ନଜରରେ ଏହି ଯୋଦ୍ଧାମାନେ ହେଉଛନ୍ତି ଉପକୂଳ ଓଡ଼ିଶାର କୋଟି କୋଟି ବୃକ୍ଷରାଜି, ଯେଉଁମାନେ କି ଚଳିତ ମାସ ପ୍ରଥମ ସପ୍ତାହରେ ଉପକୂଳ ଓଡ଼ିଶାକୁ ରକ୍ଷା କରିବା ପାଇଁ ନିଜ ଅସ୍ତିତ୍ୱକୁ ବାଜି ଲଗାଇ ସାମୁଦ୍ରିକ ବାତ୍ୟା ଫନୀର ଆକ୍ରମଣକୁ ପ୍ରତିରୋଧ କରିଥିଲେ। ସମୁଦ୍ରରେ ଏକାଧିକ ଦିନ ରହି ବଳ ଗୋଟାଇ ଗୋଟାଇ ମହାଶକ୍ତିଶାଳୀ ପାଲଟିଥିବା ଫନୀ ସ୍ଥଳଭାଗ ଛୁଉଁ ଛୁଉଁ ପ୍ରଥମେ ସାମନା କରିଥିଲା ଏହି ଉପକୂଳ ଯୋଦ୍ଧାମାନଙ୍କୁ। ଏହି ଯୋଦ୍ଧାମାନଙ୍କ ବୀରତ୍ୱ, ସଂଗ୍ରାମ ଓ ବଳିଦାନର ପ୍ରମାଣ ପାଇବାକୁ ଯଦି ଚାହୁଁଛ, ତେବେ ଥରେ ମାତ୍ର କୋଣାର୍କରୁ ମେରାଇନ ଡ୍ରାଇଭ୍‌ ରାସ୍ତା ଦେଇ ପୁରୀ ଆସନ୍ତୁ। ଯଦି ଆପଣଙ୍କ ହୃଦୟରେ ବୃକ୍ଷଲତା ପ୍ରତି ସାମାନ୍ୟତମ ଦରଦ ଥାଏ, ତେବେ ଆପଣଙ୍କ ଆଖି ନିଶ୍ଚିତ ଲୋତକାପ୍ଳୁତ ହୋଇଯିବ। ଯେଉଁ ଯୋଦ୍ଧାମାନେ ପ୍ରାଣବଳି ସ୍ବରୂପ ମୂଳୋତ୍ପାଟନ ହୋଇଗଲେ ଓ ଏ ସଂସାରରୁ ଚାଲିଗଲେ ସେମାନେ ତରିଗଲେ। ଆଉ ଯେଉଁ କୋଟି କୋଟି ଯୋଦ୍ଧା ଗୁରୁତର କ୍ଷତବିକ୍ଷତ ହୋଇ ଚିତ୍କାର କରୁଛନ୍ତି, ସେ ଚିତ୍କାର କେତେଜଣ ଶୁଣିପାରୁଛନ୍ତି? ପାଣି ଟୋପେ ସିଞ୍ଚିଦେବା ତ ପରର କଥା, ଆହା ବୋଲି ପଦୁଟିଏ ବି କହିବାକୁ କେହି ନାହିଁ। କାହିଁକି ନା ଆମ ମଣିଷମାନଙ୍କ ଭଳି ସେମାନେ ରିଲିଫ ରିଲିଫ ବୋଲି ଚିତ୍କାର କରିପାରୁନାହାନ୍ତି କି ସେମାନଙ୍କ ଦାବି ପାଇଁ ରାସ୍ତାରୋକୋ କରୁନାହାନ୍ତି। ପ୍ରଚଣ୍ଡ ରୌଦ୍ର ସତ୍ତ୍ୱେ ସେହି ବିକଳାଙ୍ଗ ଯୋଦ୍ଧାମାନଙ୍କ ଅଙ୍ଗରେ ନୂତନ ପତ୍ର କଅଁଳିଲାଣି। ପୁଣି ପଲ୍ଲବିତ ହୋଇ ସେବା ପ୍ରଦାନ କରିବାକୁ ଆପେ ଆପେ ପ୍ରସ୍ତୁତ ହେଲେଣି।
ପୁରୀ କୋଣାର୍କ ବେଳାମାର୍ଗର ନୈସର୍ଗିକ ଶୋଭାକୁ ବାତ୍ୟା ଫନୀ ଆମଠୁ ଛଡ଼ାଇ ନେଇଛି। ପ୍ରକୃତିରାଣୀର ସେ ସମ୍ମୋହନ ଆଉ ନାହିଁ କି ରାସ୍ତାର ଉଭୟ ପାର୍ଶ୍ୱର ସେ ଚିରସବୁଜ ବଳୟ ଆଉ ଦେଖିବାକୁ ମିଳୁନାହିଁ। କୃଷ୍ଣଚୂଡ଼ା-ରାଧାଚୂଡ଼ା ପରିବେଷ୍ଟିତ ବେଳାଭୂମି ରାସ୍ତା ମନରେ ଆଉ କୃତ୍ରିମ ସୁଡ଼ଙ୍ଗର ଭ୍ରମ ସୃଷ୍ଟି କରୁନାହିଁ କି ଯୁବପ୍ରେମୀଙ୍କୁ ଫଟୋ ସେସନ ପାଇଁ ଆଉ ମତୁଆଲା କରୁନାହିଁ। ଚଦୁର୍ଦ୍ଦିଗ ଖାଲି ଖାଁ ଖାଁ। ଝାଉଁ, କାଜୁ, ଆକାଶିଆ, ପଟାସ ଓ ଜାମୁ ଆଦି ଗଛର ସେ ଗହଳିଆ ଡାଳପତ୍ର ସୂର୍ଯ୍ୟରଶ୍ମିକୁ ଆଉ ପ୍ରତିହତ କରିପାରୁନାହିଁ। ହରିଣଙ୍କ ଚଳାଚଳ ଯୋଗୁ ଯାନବାହନ ଧୀରେ ଚଳାଇବାକୁ ଥିବା ଜଙ୍ଗଲ ବିଭାଗର ସୂଚନା ଫଳକ ଏବେ ଭୂପତିତ। ସତରେ କ’ଣ ବାଲୁଖଣ୍ଡରେ ବିରଳ କୃଷ୍ଣମୃଗ, ହରିଣ ଆଉ ଥିବେ? ଏ ମଣିଷ ପାଇଁ ସିନା ବାତ୍ୟା ଆଶ୍ରୟସ୍ଥଳ ରହିଛି, ହେଲେ ସେ ପଶୁଜନ୍ତୁଙ୍କ ପାଇଁ? ମଣିଷଙ୍କ ସୁରକ୍ଷା ପାଇଁ ପକ୍କାଘର ଅବା ବାତ୍ୟା ଆଶ୍ରୟସ୍ଥଳ ଯୋଜନା ଭଳି ବାଲୁଖଣ୍ଡରେ କଂକ୍ରିଟ ଛାମୁଡିଆ ବା ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କଲେ ହୁଅନ୍ତାନି! କମ୍‌ ଉଚ୍ଚତାର କଂକ୍ରିଟ ଛାତ ଓ ତା’ ନିକଟରେ ଘାସ ବଗିଚାମାନ ସୃଷ୍ଟି କରାଯାଇ ଉକ୍ତ ସ୍ଥାନ ପ୍ରତି ସେମାନଙ୍କଠାରେ ଆକର୍ଷଣ ସୃଷ୍ଟି କରାଯାଇପାରିଲେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି କଂକ୍ରିଟ ଛାତ ସେମାନଙ୍କ ପାଇଁ ଆଶ୍ରୟସ୍ଥଳ ପାଲଟିଯାଆନ୍ତା।
ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ରାସ୍ତାର କଡ଼େ କଡ଼େ ପ୍ରାୟ ୮୭ ବର୍ଗକିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ବାଲୁଖଣ୍ଡ ଜଙ୍ଗଲକୁ ୧୯୮୪ ମସିହାରେ ମିଳିଥିଲା ଅଭୟାରଣ୍ୟର ମାନ୍ୟତା। ଏହା ପଛେ ପଛେ ସେଠାରେ ବୃଦ୍ଧିପାଇଥିଲା ବିରଳ କୃଷ୍ଣସାର ମୃଗ, ହରିଣ, କୁଟ୍ରା ଓ ଗଧିଆ ଆଦିଙ୍କ ବଂଶ। ୨୫୦ କି.ମି.ରୁ ଅଧିକ ବେଗଶାଳୀ ଫନୀ ବାତ୍ୟାର ପ୍ରଭାବରେ ବାଲୁଖଣ୍ଡ ଅଭୟାରଣ୍ୟ ସମ୍ପୂର୍ଣ୍ଣ ବିଧ୍ୱସ୍ତ ହୋଇଯିବା ପରେ ଆଶଙ୍କା କରାଯାଉଥିଲା କି ସମସ୍ତ ପ୍ରାଣୀ ନିଶ୍ଚିହ୍ନ ହୋଇଯାଇଥିବେ। ମାତ୍ର ଜଙ୍ଗଲ ବିଭାଗର ଡ୍ରୋନ କ୍ୟାମେରାରେ କିଛି ହରିଣ ଆସିବା ପରେ ମନରେ ଆଶା ସଞ୍ଚାର ହୋଇଛି ଯେ ପ୍ରକୃତିର ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ କରି କିଛି ଜୀବଜନ୍ତୁ ଜିତିଯାଇଛନ୍ତି। ୧୯୯୯ ମହାବାତ୍ୟାରେ ଉପକୂଳ ତଥା କିଛି ଆଭ୍ୟନ୍ତରୀଣ ଓଡ଼ିଶାର ବରଗଛ, ଓସ୍ତଗଛ ଆଦି ବଡ଼ ବଡ଼ ଗଛ ସମେତ ଅନେକ ଅର୍ଥକରୀ ଗଛ ଯଥା ନଡିଆ, ଆମ୍ବ, ପଣସ, ଜାମୁଗଛ ଆଦି ନିଶ୍ଚିହ୍ନ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରାଯିବା ପରେ ସ୍ଥିତି ସୁଧୁରି ଆସିବା ବେଳକୁ ୨୦୧୩ରେ ଫାଇଲିନ ଓ ତତ୍‌ପରବର୍ତ୍ତୀ ହୁଡ୍‌ହୁଡ୍‌, ତିତ୍‌ଲି ଓ ବର୍ତ୍ତମାନର ଫନୀ ସାମୁଦ୍ରିକ ବାତ୍ୟା ବୃକ୍ଷସମ୍ପଦକୁ ଭୀଷଣ ଆଘାତ ପହଞ୍ଚାଇଛି। ଏବେ ଓଡ଼ିଶାର ପ୍ରାୟ ୪୮୦ କି.ମି. ବ୍ୟାପୀ ସାମୁଦ୍ରିକ ଉପକୂଳ ସମ୍ପୂର୍ଣ୍ଣ ବୃକ୍ଷଶୂନ୍ୟ। ସାମୁଦ୍ରିକ ବାତ୍ୟାକୁ ସର୍ବପ୍ରଥମେ ପ୍ରତିରୋଧ କରୁଥିବା ଏହି ଉପକୂଳ ଯୋଦ୍ଧାମାନଙ୍କ ଅଭାବରେ ଓଡ଼ିଶା ଏବେ ଭୀତତ୍ରସ୍ତ। ଭୌଗୋଳିକ ଅବସ୍ଥିତି ଦୃଷ୍ଟିରୁ ଓଡ଼ିଶା ଏକ ବାତ୍ୟାପ୍ରବଣ ରାଜ୍ୟ ଏବଂ ପରିବର୍ତ୍ତିତ ଜଳବାୟୁରେ ଆଗାମୀ ଦିନରେ ଓଡ଼ିଶାରେ ଅଧିକ ବାତ୍ୟା ହେବାର ସମ୍ଭାବନା ଥିବାରୁ ଓଡ଼ିଶାର ମୁକୁଳା ଉପକୂଳକୁ ସବୁଜିମାମୟ କରାଯିବାର ଗୁରୁଦାୟିତ୍ୱ ରହିଛି। ଅବଶ୍ୟ ଉପକୂଳ ସୁରକ୍ଷା ବଳୟର ପୁନରୁଦ୍ଧାର ଓ ବନୀକରଣ ଯୋଜନାରେ ରାଜ୍ୟ ସରକାର ନେଇଥିବା କିଛି ପଦକ୍ଷେପ ସ୍ବାଗତଯୋଗ୍ୟ। ଆସନ୍ତା ୫ ବର୍ଷ ମଧ୍ୟରେ ୮ ହଜାର ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷରୋପଣ ତଥା ଚଳିତବର୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଦ୍ୱିଗୁଣିତ କରାଯିବାର ପ୍ରସ୍ତାବ ନିଶ୍ଚିତ ଏକ ଭଲ ଖବର।
ଖବର ପ୍ରକାଶ ପାଇଛି ଯେ, ବିଶ୍ୱରେ ଜଙ୍ଗଲ ସମ୍ପଦର କ୍ରମାଗତ କ୍ଷୟ ଯୋଗୁ ବିଶ୍ୱତାପମାତ୍ରା ବୃଦ୍ଧି ଓ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ୍‌ର ମାତ୍ରା ଅହେତୁକ ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ବିଶ୍ୱ ପ୍ରତି ଏହା ଗୁରୁତର ସଙ୍କଟ ସୃଷ୍ଟି କରିବ। ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୩ ପିପିଏମ୍‌ରୁ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ୍‌ ବାୟୁମଣ୍ଡଳରେ ମିଶୁଛି ବୋଲି ଆମେରିକାସ୍ଥିତ ନ୍ୟାଶ୍‌ନାଲ ଓସେନିକ ଆଣ୍ଡ୍‌ ଆଟ୍‌ମସ୍ଫିୟରିକ ଆଡ୍‌ମିନିଷ୍ଟ୍ରେଶନ୍‌ ପକ୍ଷରୁ କୁହାଯାଇଛି। ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ପକ୍ଷରୁ ସଦ୍ୟ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ପୃଥିବୀରେ ୫୦ ପ୍ରତିଶତ ଜଙ୍ଗଲ ନଷ୍ଟ ହୋଇସାରିଲାଣି ଓ ବାର୍ଷିକ ପ୍ରାୟ ୧୮.୭ ନିୟୁତ ଏକର ଜଙ୍ଗଲ ପୃଥିବୀରୁ ନଷ୍ଟ ହେବାରେ ଲାଗିଛି। ସେହିପରି ଜଙ୍ଗଲ ନଷ୍ଟ ହେବା ଯୋଗୁ ଏହା ଉପରେ ନିର୍ଭର କରି ରହୁଥିବା ଜୀବଜନ୍ତୁମାନଙ୍କ ଅସ୍ତିତ୍ୱ ପ୍ରତି ମଧ୍ୟ ବିପଦ ଦେଖାଦେଇଛି। ପ୍ରାୟ ୩୯୫ ପ୍ରଜାତିର ଜୀବଜନ୍ତୁ ନିକଟ ଭବିଷ୍ୟତରେ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି। ପୃଥିବୀର ସ୍ଥଳଭାଗର ମାତ୍ର ଶତକଡ଼ା ୩୦ ଭାଗରେ ଜଙ୍ଗଲ ରହିଛି ଓ ବର୍ଷକୁ କଟାଯାଉଛି ହାରାହାରି ୫.୩ ବିଲିୟନ ଗଛ। ବିଶ୍ୱବ୍ୟାପୀ ମଣିଷ ପିଛା କେତେ ଗଛ ରହିଛି ସେ ସମ୍ପର୍କରେ ଏକ ତଥ୍ୟ ଏଠାରେ ଉପସ୍ଥାପନ କରିବା ଉଚିତ ହେବ। ବ୍ୟକ୍ତି ପିଛା ସର୍ବାଧିକ ୯୦୦୦ ଗଛ କାନାଡାରେ ଥିବାବେଳେ ରୁଷିଆରେ ୪୪୬୧, ଆମେରିକାରେ ୭୧୬, ବ୍ରାଜିଲରେ ୧୪୯୪ ଓ ଚାଇନାରେ ୧୦୨ ରହିଛି। ଏ ଦୃଷ୍ଟିରୁ ଭାରତର ସ୍ଥାନ ଅତି ନୈରାଶ୍ୟଜନକ। ଭାରତରେ ମୁଣ୍ଡ ପିଛା ଗଛ ସଂଖ୍ୟା ମାତ୍ର ୨୮। ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ, ଦୁର୍ବଳ ମୌସୁମୀ, ଅନିୟମିତ ଋତୁ ତଥା ବାୟୁମଣ୍ଡଳରେ ଉଷ୍ମତା ବୃଦ୍ଧି ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ବିଶେଷକରି ସାମୁଦ୍ରିକ ବାତ୍ୟା, ବନ୍ୟା ଓ ମରୁଡି ହିଁ ଆଗାମୀ ଦିନରେ ବିଶ୍ୱ ପ୍ରଗତିର ମୁଖ୍ୟ ବାଧକ ହେବ। ସେ ଦୃଷ୍ଟିରୁ ଭାରତର ପୂର୍ବ ଉପକୂଳ ରାଜ୍ୟଗୁଡିକ ଅଧିକ ସାମୁଦ୍ରିକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବାରୁ ଉପରୋକ୍ତ ରାଜ୍ୟଗୁଡିକର ଉପକୂଳରେ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି। ବ୍ୟକ୍ତି ପିଛା ବୃକ୍ଷର ସଂଖ୍ୟା ଅନ୍ତର୍ଜାତୀୟ ସ୍ତରରେ ଖୁବ୍‌ କମ୍‌ ଥିବାରୁ ଏହାକୁ ଅତି ଗୁରୁତର ଭାବେ ଗ୍ରହଣ କରାଯାଇ ଅତି କମ୍‌ରେ ଆଗାମୀ ପାଞ୍ଚବର୍ଷ ଭିତରେ ବୃକ୍ଷସଂଖ୍ୟା ପାଞ୍ଚଗୁଣା ବୃଦ୍ଧି କରାଯାଉ। ଉପକୂଳ ସୁରକ୍ଷାରେ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁଥିବା ଏହି ବୃକ୍ଷରୂପକ ଯୋଦ୍ଧାଙ୍କ ସଂଖ୍ୟା ବୃଦ୍ଧି କରା ନ ଗଲେ ସାମୁଦ୍ରିକ ବାତ୍ୟା ହିଁ ଓଡ଼ିଶା ସମେତ ପୂର୍ବଭାରତର ଉପକୂଳ ରାଜ୍ୟଗୁଡିକର ପ୍ରଗତିରେ ନିଶ୍ଚିତ ବାଧକ ହେବ।
ମୋ-୯୪୩୭୨୩୨୪୬୩, ଇମେଲ-prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri