ନୂଆଦିଲ୍ଲୀ,୧୬।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ ଫାଇନାଲରେ ପାକିସ୍ତାନକୁ ଶେଷ ବଲ୍ରେ ହରାଇ ଚାମ୍ପିଅନ ହୋଇଛି ଭାରତ। ଭାରତୀୟ ଯୁବ ଦଳର ଏହି ରୋମାଞ୍ଚକର ବିଜୟରେ ଖୁସି ପ୍ରକାଶ କରିଛନ୍ତି ଯୁବ କ୍ରିକେଟର୍ ବୈଭବ ସୂର୍ଯ୍ୟବଂଶୀ। ସେ ସୋସିଆଲ ମିଡିଆରେ ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଇବା ସହ ଆର୍ଯ୍ୟବୀର ସେହ୍ବାଗଙ୍କ ଦମଦାର ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି।
ନଭେମ୍ବର ୧୪ରେ ଅଲ ଆମିରାତ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଣ୍ଡର-୧୯ ଏସିଆ କପ୍ର ଫାଇନାଲ ଖେଳାଯାଇଥିଲା। ଶେଷ ବଲ୍ରେ ଭାରତ ଗୋଟିଏ ଉଇକେଟ୍ରେ ଜିତିବା ପରେ ବୈଭବ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଲେଖିଥିଲେ, ‘ଶୁଭେଚ୍ଛା ଭାଇ… କ୍ୟା ମ୍ୟାଚ ଥା!’ ତାଙ୍କର ଏହି ପୋଷ୍ଟ ଏବେ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛି।
ବୈଭବ କେବଳ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇନାହାନ୍ତି, ବରଂ ଆର୍ଯ୍ୟବୀରଙ୍କ ବ୍ୟାଟିଂକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ ଆର୍ଯ୍ୟବୀରଙ୍କୁ ‘ଷ୍ଟାର ବୟ’ ବୋଲି ସମ୍ବୋଧନ କରିଛନ୍ତି। ଏହି ଟୁର୍ନାମେଣ୍ଟରେ ଆର୍ଯ୍ୟବୀରଙ୍କ ବ୍ୟାଟ୍ରୁ ଖୁବ ରନ ବାହାରିଥିଲା। ସେ ୫ଟି ମ୍ୟାଚ୍ର ୫ଟି ଇନିଂସରେ ୯୦.୨୫ ହାରରେ ୩୬୧ ରନ କରିଥିଲେ। ଏଥିରେ ଗୋଟିଏ ଶତକ ଓ ତିନୋଟି ଅର୍ଦ୍ଧଶତକ ସାମିଲ ରହିଛି। ଏହି ପ୍ରଦର୍ଶନ ସହ ସେ ଟୁର୍ନାମେଣ୍ଟର ସର୍ବାଧିକ ରନ ସଂଗ୍ରହକାରୀ ହୋଇଥିଲେ।

ପାକିସ୍ତାନ ବିପକ୍ଷ ଫାଇନାଲରେ ଆର୍ଯ୍ୟବୀର ୫୮ ରନ୍ର ଏକ ଉପଯୋଗୀ ଇନିଂସ ଖେଳିଥିଲେ। ଅଧିନାୟକ ଲକ୍ଷ୍ୟ ରାୟଚନ୍ଦାନୀଙ୍କ ସହ ମିଶି ପ୍ରଥମ ଉଇକେଟ ପାଇଁ ୯୫ ରନ୍ର ଭାଗୀଦାରି କରିଥିଲେ। ଏହି ଭାଗୀଦାରି ଭାରତର ରନ ଚେଜକୁ ମଜଭୁତ ଆଧାର ଦେଇଥିଲା।
ମ୍ୟାଚ ପରେ ନିଜ ରଣନୀତି ବିଷୟରେ ଆର୍ଯ୍ୟବୀର କହିଥିଲେ ଯେ ପିଚ ବ୍ୟାଟିଂ ପାଇଁ ବେଶ ଭଲ ଥିଲା। ତେଣୁ ଏହା କୌଣସି ବହୁତ ବଡ଼ ଲକ୍ଷ୍ୟ ନ ଥିଲା। ସାଧାରଣ ଭାବେ ବ୍ୟାଟିଂ କରିବା ସହ ନିଜର ପାରମ୍ପରିକ ସଟ ଖେଳିଲେ ଏହି ଲକ୍ଷ୍ୟକୁ ସହଜରେ ହାସଲ କରିହେବ ବୋଲି ଦଳର ବିଶ୍ୱାସ ଥିଲା। ଭାରତୀୟ ଯୁବ ଦଳର ଏହି ବିଜୟ ପୁଣିଥରେ ପ୍ରମାଣ କରିଛି ଯେ, ଚାପରେ ମଧ୍ୟ ଦଳ ଲଢ଼ିବାର କ୍ଷମତା ରଖିଛି। ଅନ୍ୟପଟେ ବୈଭବଙ୍କ ପ୍ରଶଂସା ଆର୍ଯ୍ୟବୀରଙ୍କ ଚମତ୍କାର ପ୍ରଦର୍ଶନକୁ ଆହୁରି ଚର୍ଚ୍ଚିତ କରିଛି।
Dharitri – Odisha’s No.1 Odia Daily

