ଆଜିର ଅର୍ଥନୀତି/ ମରୁଡ଼ି ଆଶଙ୍କା

ଚଳିତବର୍ଷ ମୌସୁମୀ କେରଳରେ ଗୋଟିଏ ସପ୍ତାହ ବିଳମ୍ବରେ ପହଞ୍ଚିବା ପରେ ତା’ର ଧିମା ଗତି ନାନା ଆଶଙ୍କା ସୃଷ୍ଟି କରିଛି। ଜୁନ୍‌ ମାସରେ ଯେତିକି ବର୍ଷା ହେବା କଥା ବର୍ତ୍ତମାନ ସୁଦ୍ଧା ତା’ଠାରୁ ୪୦ ପ୍ରତିଶତ କମ୍‌ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ କୃଷି ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରେ। ଓଡ଼ିଶା ତ ମୌସୁମୀ ଉପରେ ଆହୁରି ଅଧିକ ନିର୍ଭରଶୀଳ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ୨୦୧୯ ବର୍ଷରେ ହାରାହାରି ବା ମଧ୍ୟମ ଧରଣର ବୃଷ୍ଟିପାତ ହେବ ବୋଲି ପୂର୍ବାନୁମାନ କରିଥିବା ବେଳେ ଘରୋଇ ସଂସ୍ଥା ସ୍କାଇମେଟ୍‌ ପକ୍ଷରୁ ସ୍ବାଭାବିକତାଠାରୁ କମ୍‌ ବର୍ଷା ହେବ ବୋଲି କୁହାଯାଇଛି। ପ୍ରାକ୍‌ମୌସୁମୀ ବର୍ଷା ବିଳମ୍ବରେ ଆରମ୍ଭ ହୋଇଥିବାରୁ ସବୁଆଡ଼େ ଧାନବୁଣା ଓ ତଳିରୁଆ କାର୍ଯ୍ୟ ଧିମେଇଯାଇଛି। ଏଥିରୁ ଯେପରି ସୂଚନା ମିଳୁଛି ଯେ, ଦେଶର କିଛି ଅଂଶ ନିଶ୍ଚିତରୂପେ ମରୁଡ଼ିକୁ ସାମ୍‌ନା କରିବ। ଆମ ରାଜ୍ୟ ମଧ୍ୟ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇପାରେ।
ମୌସୁମୀ ଜୁନ୍‌ ପହିଲାରେ କେରଳରେ ପହଞ୍ଚିବା କଥା, ଯାହା ଏ ବର୍ଷ ଜୁନ୍‌ ୮ ତାରିଖରେ ପହଞ୍ଚିଲା। ତେବେ ଆରବ ସାଗରରେ ବାତ୍ୟା ‘ବାୟୁ’ ସୃଷ୍ଟି ହେବା ଯୋଗୁ ତାହା ମୌସୁମୀ ବାୟୁରୁ ଅନେକ ଜଳୀୟ ବାଷ୍ପ ଟାଣିନେଲା, ଯାହାଫଳରେ ଏହାର ଗତି ଦୁର୍ବଳ ହୋଇଗଲା। ମୌସୁମୀ ସାଧାରଣତଃ ବର୍ତ୍ତମାନ ସୁଦ୍ଧା ଦେଶର ଅଧାଅଧି ଅଞ୍ଚଳରେ ପ୍ରବାହିତ ହୋଇସାରିଥାଏ। କିନ୍ତୁ ଏ ବର୍ଷ ତାହା ଦେଶର ମାତ୍ର ଚଉଠ ଭାଗକୁ ପ୍ରବାହିତ ହୋଇଛି। ସ୍ବଳ୍ପ ବୃଷ୍ଟିପାତ କୃଷିକ୍ଷେତ୍ରର ଉତ୍ପାଦନ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ତାହା ଖାଉଟିମାନଙ୍କ ଚାହିଦା ଉପରେ ନକାରାତ୍ମକ ପ୍ରଭାବ ପକାଇବା ସହ ଦେଶର ସାମଗ୍ରିକ ଅର୍ଥନୀତି ଓ ଅର୍ଥ ବଜାରକୁ ସଙ୍କୁଚିତ କରିବ। ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି, ଯାହା ଅନେକ ବର୍ଷ ଭିତରେ ସବୁଠୁ ମାନ୍ଦା। ଦୁର୍ବଳ ମୌସୁମୀ ଏବଂ ତଜ୍ଜନିତ କୃଷି ଉତ୍ପାଦନରେ ହ୍ରାସ ଓ କୃଷକଙ୍କ ଦୁରବସ୍ଥା ଦେଶର ଅର୍ଥନୀତିକୁ ସୁଧାରିବାରେ ଦୀର୍ଘସ୍ଥାୟୀ ପ୍ରତିବନ୍ଧକ ସୃଷ୍ଟି କରିବ। ବିଳମ୍ବିତ ମୌସୁମୀ ଓ ତା’ର ଧିମା ଗତି ନିରବଚ୍ଛିନ୍ନ ବୃଷ୍ଟିପାତ ଆରମ୍ଭ କରିବାକୁ ସପ୍ତାହେ ବା ଦୁଇ ସପ୍ତାହ ଡେରି କରିବ, ଯାହା ଅତୀତରେ ଦେଖାଯାଇଛି। ଜୁନ୍‌ ମାସରେ ସ୍ବଳ୍ପ ବୃଷ୍ଟିପାତ ହେଲେ ଜୁଲାଇ ମାସରେ ଅଧିକ ବୃଷ୍ଟିପାତ ହୋଇଥାଏ ଏବଂ ଓଡ଼ିଶା ପରି ରାଜ୍ୟରେ ଗୋଟିଏ ସପ୍ତାହ ଲଗାଣ ବର୍ଷା ହେଲେ ତାହା ବନ୍ୟା ବିତ୍ପାତ ସୃଷ୍ଟି କରିଥାଏ।
ଭାରତରେ ବାର୍ଷିକ ବୃଷ୍ଟିପାତର ପ୍ରାୟ ୭୦ ପ୍ରତିଶତ ମୌସୁମୀ ଯୋଗୁ ହୋଇଥାଏ, ଯାହା ଧାନ, ଗହମ, ଆଖୁ ଓ ସୋୟାବିନ୍‌ ପରି ତୈଳବୀଜ ଉତ୍ପାଦନରେ ସାହାଯ୍ୟ କରେ। ଭାରତର ୨.୫ ଟ୍ରିଲିୟନ ଡଲାରର ଅର୍ଥନୀତି ବା ମୋଟ ଅର୍ଥନୀତିର ପ୍ରାୟ ୧୫ ପ୍ରତିଶତ କୃଷି ଉପରେ ନିର୍ଭର କରେ। କିନ୍ତୁ ଏହା ଉପରେ ଦେଶର ୧୩୦ କୋଟି ଜନତାଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ନିର୍ଭର କରନ୍ତି। ଭଲ ମୌସୁମୀ ପାଇଁ କୃଷି ଉତ୍ପାଦନ ଅଧିକ ହେଲେ ବିଶେଷତଃ ଗ୍ରାମାଞ୍ଚଳରେ ଖାଉଟି ସାମଗ୍ରୀର ଚାହିଦା ବୃଦ୍ଧି ପାଏ। ଏହା ସବୁ ପ୍ରକାର ଅଟୋମୋବାଇଲ ଶିଳ୍ପରେ ଚାହିଦା ବୃଦ୍ଧିରେ ସହାୟକ ହୁଏ। ବ୍ୟବସାୟିକ ଗାଡ଼ି ଓ ଦୁଇଚକିଆ ଯାନର ବିକ୍ରି ବୃଦ୍ଧି ପାଏ। ନିର୍ମାଣ ଶିଳ୍ପର ବିକାଶରେ ଏହା ସାହାଯ୍ୟ କରେ। ଅର୍ଥନୀତି ସମୃଦ୍ଧ ହେଲେ ଗ୍ରାମାଞ୍ଚଳରେ ଖାଉଟି ସାମଗ୍ରୀର ବିକ୍ରି ବୃଦ୍ଧି ପାଇବା ସହ କମ୍ପାନୀଗୁଡ଼ିକର ଷ୍ଟକ୍‌ ମୂଲ୍ୟ ବୃଦ୍ଧି ପାଏ। ଧାନ ଓ ଗହମରେ ଭାରତ ଆତ୍ମନିର୍ଭରଶୀଳ, କିନ୍ତୁ ମରୁଡ଼ି ପଡ଼ିଲେ ବିଭିନ୍ନ ପ୍ରକାର ଡାଲି ଏବଂ ପାମୋଲିନ, ସୋୟାବିନ୍‌ ଓ ସୂର୍ଯ୍ୟମୁଖୀ ପ୍ରଭୃତି ତେଲ ଆମଦାନି ବୃଦ୍ଧି ପାଏ। ମୌସୁମୀ ବର୍ଷା ବିଭିନ୍ନ ଜଳଭଣ୍ଡାର ଓ ଭୂତଳ ଜଳଭଣ୍ଡାରକୁ ପୂର୍ଣ୍ଣ କରେ, ଯାହାଫଳରେ ଭଲଭାବରେ ଜଳସେଚନ କାର୍ଯ୍ୟ ହେବା ସହ ଜଳବିଦ୍ୟୁତ୍‌ ଉତ୍ପାଦନ ବୃଦ୍ଧି ପାଏ। ବୃଷ୍ଟିପାତ ଅଧିକ ହେଲେ ଜଳସେଚନ ପାଇଁ କୂଅ ଓ ପୋଖରୀରୁ ପମ୍ପ ସାହାଯ୍ୟରେ ପାଣି ଉଠାଇବାକୁ ରିହାତି ମୂଲ୍ୟର ଡିଜେଲ ଚାହିଦା ହ୍ରାସ ପାଏ। ମରୁଡ଼ି ପଡ଼ିଲେ ସରକାର କୃଷକମାନଙ୍କୁ ଅଧିକ ଅନୁଦାନ ଦେବାକୁ ବାଧ୍ୟ ହୁଅନ୍ତି, ଯାହା ବିତ୍ତୀୟ ନିଅଣ୍ଟ ବୃଦ୍ଧିର କାରଣ ହୁଏ। ଭଲ ମୌସୁମୀ ବର୍ଷା ହେଲେ ସରକାରଙ୍କୁ ଏ ବାବଦରେ କମ୍‌ ଖର୍ଚ୍ଚ କରିବାକୁ ପଡ଼େ। ମରୁଡ଼ି ପଡ଼ିଲେ ପନିପରିବା ଓ ଡାଲିର ମୂଲ୍ୟ ବୃଦ୍ଧି ପାଇବ, ଯାହାଫଳରେ ଜନମଙ୍ଗଳ ଯୋଜନାଗୁଡ଼ିକରେ ସରକାରଙ୍କୁ ଅଧିକ ବ୍ୟୟ କରିବାକୁ ପଡ଼ିବ। ଏବେ ବିଳମ୍ବିତ ଓ ଦୁର୍ବଳ ମୌସୁମୀ ରାଜ୍ୟରେ ମରୁଡ଼ି ଆଶଙ୍କା ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri