ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର ହୋଇଯାଉଛନ୍ତି। ଯିଏ ଧରାପଡୁଛନ୍ତି ସେମାନଙ୍କ ଅପରାଧ ତାଲିକା ଏତେ ଲମ୍ବା ଯେ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମଗୁଡ଼ିକ ଦିନରାତି ଏକକରି ତାହା ପ୍ରସାରଣ କରିଚାଲିଛନ୍ତି। କାହା ନାମରେ ରାଜ୍ୟ ଭିତରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ସଙ୍ଗିନ ମାମଲା ଗଡୁଛି ତ ପୁଣି କିଏ ରାଜ୍ୟ ବାହାରେ ଅପରାଧକରି ଫେରିଛି। ତେବେ ଏଠି ପ୍ରଶ୍ନ ଉଠେ ଏତେଗୁଡ଼ିଏ ଅପରାଧ କ’ଣ ଗୋଟିଏ ବର୍ଷରେ ସମ୍ଭବ? ପ୍ରତି ଅପରାଧ ପରେ ସେ ଫେରାର ହେଉଛି କିମ୍ବା ଜେଲରୁ ଆଇନର ଗଳାବାଟରେ ଜାମିନ ପାଇ ପୁଣି ତା’ର ପୁନରାବୃତ୍ତି କରୁଛି। ଜଣେ ଅପରାଧୀକୁ ୨୦-୨୫ ଅପରାଧ କରିବାକୁ ସୁଯୋଗ ଦେବା ଆମ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଉପହାସ ନୁହେଁ କି? ଆମ ଗୋଇନ୍ଦା ବ୍ୟବସ୍ଥାର ଉଦାସୀନତା ପାଇଁ ଅପରାଧୀମାନେ ଆଇନକୁ ଆଖିଠାର ମାରିପାରୁଛନ୍ତି ସିନା, ଅନ୍ୟ ଅର୍ଥରେ କହିବାକୁ ଗଲେ ଆମେ ଚାପଗ୍ରସ୍ତ ହୋଇ କିମ୍ବା ତା’ଠାରୁ ଉପକୃତ ହୋଇ ଅଥବା ପୂର୍ବାଗ୍ରହ ହେତୁରୁ ତାକୁ ଯେଉଁ ଘଣ୍ଟ ଘୋଡ଼ାଇ ଚାଲିଛେ, ସେଥିପାଇଁ ସମାଜରେ ବିରଳରୁ ବିରଳତମ ଅପରାଧ ପାଇଁ ସେ ସୁଯୋଗ ପାଉଛି। ଏଥିପାଇଁ କୌଣସି ବିଭାଗ ସ୍ବତଃସ୍ଫୂର୍ତ୍ତ ଭାବରେ ଉତ୍ତରଦାୟିତ୍ୱ ନିଜ ଉପରକୁ ନେଇଛି କି?
୨ୟ ଦୃଷ୍ଟାନ୍ତଟି ହେଲା, ରାଜ୍ୟର ସବୁ ପ୍ରାନ୍ତରୁ ପ୍ରତିଦିନ କେତେଜଣ ସରକାରୀ କର୍ମଚାରୀ ଲାଞ୍ଚ ମାମଲାରେ ଗିରଫ ହେଉଛନ୍ତି। ଭିଜିଲାନ୍ସ ବିଭାଗ ଯାଞ୍ଚକଲା ବେଳକୁ କାହାର ୫୭ଟି ଜାଗା ତ ପୁଣି କାହାର ଶହେରୁ ଊର୍ଦ୍ଧ୍ୱ । ସେମାନଙ୍କର ଆଲିଶାନ ବଙ୍ଗଳା, ଗାଡ଼ି ସହ କେଜି କେଜି ସ୍ବର୍ଣ୍ଣ ଅଳଙ୍କାର ତଥା ଧନ ସମ୍ପତ୍ତି ଦେଖି ସାଧାରଣ ଜନତା ତାଜୁବ। ତେବେ ଏତେ ସମ୍ପତ୍ତି କ’ଣ ସେ ଦିନକରେ ଠୁଳେଇଛନ୍ତି ? ଠିକା କର୍ମଚାରୀଟିଏ ବର୍ଷ କେଇଟା ଭିତରେ ଆୟର ଶହେଗୁଣ ସମ୍ପତ୍ତି ଅର୍ଜନ କଲାବେଳେ କେହି କେମିତି ଜାଣିପାରିଲେ ନାହିଁ ନା ଜାଣିକି ଚୁପ୍ ରହିଲେ। ଧରପଗଡ଼ ବେଳେ କେବଳ ସେଇ କର୍ମଚାରୀଟି ଦଣ୍ଡିତ ହେଉଥିବା ବେଳେ ତାହାର ଭାଗୁଆଳି, ପୃଷ୍ଠପୋଷକ, ସୁରକ୍ଷା ପ୍ରଦାନକାରୀ ସମସ୍ତେ ଖସିଯାଉଛନ୍ତି। ଏଥିପାଇଁ ତଦାରଖ ଦାୟିତ୍ୱରେ ଥିବା କୌଣସି ବିଭାଗ କେବେ ଦଣ୍ଡିତହେବାର ଦେଖିଛନ୍ତି କି?
ତୃତୀୟରେ, ବିଭିନ୍ନ ସରକାରୀ ସ୍ଥାନକୁ ଜବରଦଖଲକରି ତା’ ଉପରେ ଗଢ଼ା ହୋଇଥିବା ବହୁତଳ ପ୍ରାସାଦ କି ବସ୍ତି ସବୁକୁ ସରକାର ବୁଲ୍ଡୋଜର ଲଗାଇ ମାଟିରେ ମିଶାଇ ଦେଉଛନ୍ତି। ଦଖଲକାରୀ ୪୦/୫୦ ବର୍ଷ ହେଲା ରହିଲୁଣି ବୋଲି ଯେଉଁ ଦାବି ରଖୁଛନ୍ତି ତାହା ମଧ୍ୟ ଅନେକାଂଶରେ ସତ। ସେଥିପାଇଁ ନ୍ୟାୟାଳୟ ତାଙ୍କୁ ରହିତାଦେଶ ପ୍ରଦାନ କରୁଛନ୍ତି। କିଏ ଜବରଦଖଲ ଘରକୁ ଭଡ଼ାଦେଇ, ପୁଣି କିଏ ଦୋକାନକରି ଲାଭାନ୍ବିତ ହୋଇଆସୁଛନ୍ତି। ଭଙ୍ଗାଯାଇ ଜବରଦଖଲମୁକ୍ତ ଜାଗାରେ ପୁଣି ରାତାରାତି ଘର ଗଢ଼ିଉଠୁଛି । ଏ ସବୁକୁ ସେ ଅଞ୍ଚଳ ଦାୟିତ୍ୱରେ ଥିବା କ୍ଷେତ୍ର କର୍ମଚାରୀ ଦେଖୁଛନ୍ତି କି ନା? ପୁଣି ବିଦ୍ୟୁତ୍, ପାଣି ସବୁ ବେଆଇନ ଭାବରେ ସଂଯୋଗ ଦେବାବେଳେ ଗୋଇନ୍ଦା ବିଭାଗ କିଛି ଜାଣିପାରୁ ନାହିଁ? ପରେ ସରକାର ଝାମେଲାରେ ପଡ଼ି ରାଜକୋଷରୁ କେତେ ଅର୍ଥଶ୍ରାଦ୍ଧ ନ କରୁଛନ୍ତି?
୪ର୍ଥରେ ବାଂଲାଦେଶୀମାନେ ଜଳପଥରେ ଅନୁପ୍ରବେଶକରି ବେଆଇନ ଭାବରେ ବସତି ସ୍ଥାପନ କରୁଛନ୍ତି। ଉପକୂଳରୁ ଉପାନ୍ତ ଯାଏଁ, ଏପରିକି ଖୋଦ ରାଜଧାନୀ ବୁକୁରେ ସେମାନେ ବସ୍ତି ଗଢ଼ି ଭୋଟର ପରିଚୟପତ୍ର ହାସଲ କରିପାରୁଥିବା ବେଳେ ଆମ ଗୋଇନ୍ଦା ବିଭାଗ ପାଖରେ ଖବର ଅଛି ତ? ବ୍ୟବସ୍ଥାର ନିଷ୍କ୍ରିୟତା ପାଇଁ କେଉଁଠି ଭିଡ଼ହିଂସା ହେଉଛି ତ ପୁଣି କେଉଁଠି ସାମ୍ପ୍ରଦୟିକ ହିଂସାକାଣ୍ଡ। ଆମର ଢିଲାପଣ ହେତୁରୁ ମାଓବାଦୀଙ୍କ ଅତର୍କିତ ଆକ୍ରମଣର ଶିକାର ହେଉଛେ। ପୁଣି କେତେବେଳେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସଶସ୍ତ୍ର ଆତତାୟୀ ଚାଲିଆସୁଛନ୍ତି। ଆତଙ୍କବାଦୀ ଆକ୍ରମଣରେ ଅନେକ ନିରୀହ ଜୀବନ ଯାଉଛି। କିନ୍ତୁ ବେଳେବେଳେ ଆମେ ନିର୍ଦ୍ଦୋଷ ଲୋକକୁ ଅପରାଧୀ ସଜାଇ ଉଠାଇଆଣି ହାଜତରେ ପୂରେଇଦେଉଛୁ। ବିଚରା ସେ ଲୋକଟିର ସମାଜରେ ଯେଉଁ ସମ୍ମାନହାନି ଘଟୁଛି, ବାକି ଜୀବନ ସେ ଯେଉଁ ଟାହିଟାପରା ଶୁଣୁଛି ତା’ର ମୂଲ୍ୟ କିଏ ଦେବ? ଯଦି ସେ ଗ୍ଲାନିବୋଧରେ ଜୀବନ ହାରିଦିଏ ସେଥିପାଇଁ କେହି ଉତ୍ତରଦାୟିତ୍ୱ ନେବେ କି? ଆଜି ପ୍ରଶାସନିକ ଅବହେଳା ତଥା ଅଧିକାରୀମାନଙ୍କ ଉଦାସୀନତା ହେତୁରୁ ଶାସନ ବ୍ୟବସ୍ଥା ଅପାରଗତା ଆଡ଼କୁ ଗତି କରୁଛି। ଗୋଟିଏ ସ୍ବଚ୍ଛ ତଥା ଉତ୍ତରଦାୟୀ ବ୍ୟବସ୍ଥାର ପ୍ରଣୟନ କରିବାକୁ ହେଲେ ଆମକୁ ଆହୁରି ଅନେକ ଦୂର ଯିବାକୁ ପଡ଼ିବ। ଯଦି କାଳକ୍ଷେପଣ ପ୍ରବୃତ୍ତି ପାଇଁ ସମୁଚିତ ଦଣ୍ଡବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରା ନ ଯାଏ ତେବେ ଶାସନତନ୍ତ୍ରର ମୂଳଦଣ୍ଡ ଘୁଣ ଖାଇ ଖାଇ ଦିନେ ନା ଦିନେ ଭୁଶୁଡ଼ିପଡ଼ିବା ସଙ୍ଗେ ସଙ୍ଗେ ସର୍ବତ୍ର ଅରାଜକତା ବ୍ୟାପିଯିବ।
ଡ. ଚିନ୍ତାମଣି ପଣ୍ଡା
ପ୍ରାକ୍ତନ ଅଧ୍ୟକ୍ଷ, କୃଷି ମହାବିଦ୍ୟାଳୟ, ଭବାନୀପାଟଣା
ମୋ: ୮୧୪୪୦୬୬୦୧୬

