ଗୋଇନ୍ଦା ବିଫଳତା-ଉତ୍ତରଦାୟୀ କିଏ

ସାରା ରାଜ୍ୟରେ ବଡ଼ ଜୋରସୋରରେ କୁଖ୍ୟାତ ଅପରାଧୀମାନଙ୍କ ଧରପଗଡ଼ ଚାଲିଛି। କେତେଜଣ ଧରାହୋଇ ଜେଲ କୋଠରିକୁ ଫେରୁଛନ୍ତି ତ ପୁଣି କେତେକେ ପୋଲିସ ଆଖିରେ ଧୂଳିଦେଇ ଫେରାର ହୋଇଯାଉଛନ୍ତି। ଯିଏ ଧରାପଡୁଛନ୍ତି ସେମାନଙ୍କ ଅପରାଧ ତାଲିକା ଏତେ ଲମ୍ବା ଯେ ଦୃଶ୍ୟଶ୍ରାବ୍ୟ ଗଣମାଧ୍ୟମଗୁଡ଼ିକ ଦିନରାତି ଏକକରି ତାହା ପ୍ରସାରଣ କରିଚାଲିଛନ୍ତି। କାହା ନାମରେ ରାଜ୍ୟ ଭିତରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ସଙ୍ଗିନ ମାମଲା ଗଡୁଛି ତ ପୁଣି କିଏ ରାଜ୍ୟ ବାହାରେ ଅପରାଧକରି ଫେରିଛି। ତେବେ ଏଠି ପ୍ରଶ୍ନ ଉଠେ ଏତେଗୁଡ଼ିଏ ଅପରାଧ କ’ଣ ଗୋଟିଏ ବର୍ଷରେ ସମ୍ଭବ? ପ୍ରତି ଅପରାଧ ପରେ ସେ ଫେରାର ହେଉଛି କିମ୍ବା ଜେଲରୁ ଆଇନର ଗଳାବାଟରେ ଜାମିନ ପାଇ ପୁଣି ତା’ର ପୁନରାବୃତ୍ତି କରୁଛି। ଜଣେ ଅପରାଧୀକୁ ୨୦-୨୫ ଅପରାଧ କରିବାକୁ ସୁଯୋଗ ଦେବା ଆମ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ଉପହାସ ନୁହେଁ କି? ଆମ ଗୋଇନ୍ଦା ବ୍ୟବସ୍ଥାର ଉଦାସୀନତା ପାଇଁ ଅପରାଧୀମାନେ ଆଇନକୁ ଆଖିଠାର ମାରିପାରୁଛନ୍ତି ସିନା, ଅନ୍ୟ ଅର୍ଥରେ କହିବାକୁ ଗଲେ ଆମେ ଚାପଗ୍ରସ୍ତ ହୋଇ କିମ୍ବା ତା’ଠାରୁ ଉପକୃତ ହୋଇ ଅଥବା ପୂର୍ବାଗ୍ରହ ହେତୁରୁ ତାକୁ ଯେଉଁ ଘଣ୍ଟ ଘୋଡ଼ାଇ ଚାଲିଛେ, ସେଥିପାଇଁ ସମାଜରେ ବିରଳରୁ ବିରଳତମ ଅପରାଧ ପାଇଁ ସେ ସୁଯୋଗ ପାଉଛି। ଏଥିପାଇଁ କୌଣସି ବିଭାଗ ସ୍ବତଃସ୍ଫୂର୍ତ୍ତ ଭାବରେ ଉତ୍ତରଦାୟିତ୍ୱ ନିଜ ଉପରକୁ ନେଇଛି କି?
୨ୟ ଦୃଷ୍ଟାନ୍ତଟି ହେଲା, ରାଜ୍ୟର ସବୁ ପ୍ରାନ୍ତରୁ ପ୍ରତିଦିନ କେତେଜଣ ସରକାରୀ କର୍ମଚାରୀ ଲାଞ୍ଚ ମାମଲାରେ ଗିରଫ ହେଉଛନ୍ତି। ଭିଜିଲାନ୍ସ ବିଭାଗ ଯାଞ୍ଚକଲା ବେଳକୁ କାହାର ୫୭ଟି ଜାଗା ତ ପୁଣି କାହାର ଶହେରୁ ଊର୍ଦ୍ଧ୍ୱ । ସେମାନଙ୍କର ଆଲିଶାନ ବଙ୍ଗଳା, ଗାଡ଼ି ସହ କେଜି କେଜି ସ୍ବର୍ଣ୍ଣ ଅଳଙ୍କାର ତଥା ଧନ ସମ୍ପତ୍ତି ଦେଖି ସାଧାରଣ ଜନତା ତାଜୁବ। ତେବେ ଏତେ ସମ୍ପତ୍ତି କ’ଣ ସେ ଦିନକରେ ଠୁଳେଇଛନ୍ତି ? ଠିକା କର୍ମଚାରୀଟିଏ ବର୍ଷ କେଇଟା ଭିତରେ ଆୟର ଶହେଗୁଣ ସମ୍ପତ୍ତି ଅର୍ଜନ କଲାବେଳେ କେହି କେମିତି ଜାଣିପାରିଲେ ନାହିଁ ନା ଜାଣିକି ଚୁପ୍‌ ରହିଲେ। ଧରପଗଡ଼ ବେଳେ କେବଳ ସେଇ କର୍ମଚାରୀଟି ଦଣ୍ଡିତ ହେଉଥିବା ବେଳେ ତାହାର ଭାଗୁଆଳି, ପୃଷ୍ଠପୋଷକ, ସୁରକ୍ଷା ପ୍ରଦାନକାରୀ ସମସ୍ତେ ଖସିଯାଉଛନ୍ତି। ଏଥିପାଇଁ ତଦାରଖ ଦାୟିତ୍ୱରେ ଥିବା କୌଣସି ବିଭାଗ କେବେ ଦଣ୍ଡିତହେବାର ଦେଖିଛନ୍ତି କି?
ତୃତୀୟରେ, ବିଭିନ୍ନ ସରକାରୀ ସ୍ଥାନକୁ ଜବରଦଖଲକରି ତା’ ଉପରେ ଗଢ଼ା ହୋଇଥିବା ବହୁତଳ ପ୍ରାସାଦ କି ବସ୍ତି ସବୁକୁ ସରକାର ବୁଲ୍‌ଡୋଜର ଲଗାଇ ମାଟିରେ ମିଶାଇ ଦେଉଛନ୍ତି। ଦଖଲକାରୀ ୪୦/୫୦ ବର୍ଷ ହେଲା ରହିଲୁଣି ବୋଲି ଯେଉଁ ଦାବି ରଖୁଛନ୍ତି ତାହା ମଧ୍ୟ ଅନେକାଂଶରେ ସତ। ସେଥିପାଇଁ ନ୍ୟାୟାଳୟ ତାଙ୍କୁ ରହିତାଦେଶ ପ୍ରଦାନ କରୁଛନ୍ତି। କିଏ ଜବରଦଖଲ ଘରକୁ ଭଡ଼ାଦେଇ, ପୁଣି କିଏ ଦୋକାନକରି ଲାଭାନ୍ବିତ ହୋଇଆସୁଛନ୍ତି। ଭଙ୍ଗାଯାଇ ଜବରଦଖଲମୁକ୍ତ ଜାଗାରେ ପୁଣି ରାତାରାତି ଘର ଗଢ଼ିଉଠୁଛି । ଏ ସବୁକୁ ସେ ଅଞ୍ଚଳ ଦାୟିତ୍ୱରେ ଥିବା କ୍ଷେତ୍ର କର୍ମଚାରୀ ଦେଖୁଛନ୍ତି କି ନା? ପୁଣି ବିଦ୍ୟୁତ୍‌, ପାଣି ସବୁ ବେଆଇନ ଭାବରେ ସଂଯୋଗ ଦେବାବେଳେ ଗୋଇନ୍ଦା ବିଭାଗ କିଛି ଜାଣିପାରୁ ନାହିଁ? ପରେ ସରକାର ଝାମେଲାରେ ପଡ଼ି ରାଜକୋଷରୁ କେତେ ଅର୍ଥଶ୍ରାଦ୍ଧ ନ କରୁଛନ୍ତି?
୪ର୍ଥରେ ବାଂଲାଦେଶୀମାନେ ଜଳପଥରେ ଅନୁପ୍ରବେଶକରି ବେଆଇନ ଭାବରେ ବସତି ସ୍ଥାପନ କରୁଛନ୍ତି। ଉପକୂଳରୁ ଉପାନ୍ତ ଯାଏଁ, ଏପରିକି ଖୋଦ ରାଜଧାନୀ ବୁକୁରେ ସେମାନେ ବସ୍ତି ଗଢ଼ି ଭୋଟର ପରିଚୟପତ୍ର ହାସଲ କରିପାରୁଥିବା ବେଳେ ଆମ ଗୋଇନ୍ଦା ବିଭାଗ ପାଖରେ ଖବର ଅଛି ତ? ବ୍ୟବସ୍ଥାର ନିଷ୍କ୍ରିୟତା ପାଇଁ କେଉଁଠି ଭିଡ଼ହିଂସା ହେଉଛି ତ ପୁଣି କେଉଁଠି ସାମ୍ପ୍ରଦୟିକ ହିଂସାକାଣ୍ଡ। ଆମର ଢିଲାପଣ ହେତୁରୁ ମାଓବାଦୀଙ୍କ ଅତର୍କିତ ଆକ୍ରମଣର ଶିକାର ହେଉଛେ। ପୁଣି କେତେବେଳେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସଶସ୍ତ୍ର ଆତତାୟୀ ଚାଲିଆସୁଛନ୍ତି। ଆତଙ୍କବାଦୀ ଆକ୍ରମଣରେ ଅନେକ ନିରୀହ ଜୀବନ ଯାଉଛି। କିନ୍ତୁ ବେଳେବେଳେ ଆମେ ନିର୍ଦ୍ଦୋଷ ଲୋକକୁ ଅପରାଧୀ ସଜାଇ ଉଠାଇଆଣି ହାଜତରେ ପୂରେଇଦେଉଛୁ। ବିଚରା ସେ ଲୋକଟିର ସମାଜରେ ଯେଉଁ ସମ୍ମାନହାନି ଘଟୁଛି, ବାକି ଜୀବନ ସେ ଯେଉଁ ଟାହିଟାପରା ଶୁଣୁଛି ତା’ର ମୂଲ୍ୟ କିଏ ଦେବ? ଯଦି ସେ ଗ୍ଲାନିବୋଧରେ ଜୀବନ ହାରିଦିଏ ସେଥିପାଇଁ କେହି ଉତ୍ତରଦାୟିତ୍ୱ ନେବେ କି? ଆଜି ପ୍ରଶାସନିକ ଅବହେଳା ତଥା ଅଧିକାରୀମାନଙ୍କ ଉଦାସୀନତା ହେତୁରୁ ଶାସନ ବ୍ୟବସ୍ଥା ଅପାରଗତା ଆଡ଼କୁ ଗତି କରୁଛି। ଗୋଟିଏ ସ୍ବଚ୍ଛ ତଥା ଉତ୍ତରଦାୟୀ ବ୍ୟବସ୍ଥାର ପ୍ରଣୟନ କରିବାକୁ ହେଲେ ଆମକୁ ଆହୁରି ଅନେକ ଦୂର ଯିବାକୁ ପଡ଼ିବ। ଯଦି କାଳକ୍ଷେପଣ ପ୍ରବୃତ୍ତି ପାଇଁ ସମୁଚିତ ଦଣ୍ଡବ୍ୟବସ୍ଥାକୁ କଡ଼ାକଡ଼ି ଲାଗୁ କରା ନ ଯାଏ ତେବେ ଶାସନତନ୍ତ୍ରର ମୂଳଦଣ୍ଡ ଘୁଣ ଖାଇ ଖାଇ ଦିନେ ନା ଦିନେ ଭୁଶୁଡ଼ିପଡ଼ିବା ସଙ୍ଗେ ସଙ୍ଗେ ସର୍ବତ୍ର ଅରାଜକତା ବ୍ୟାପିଯିବ।

ଡ. ଚିନ୍ତାମଣି ପଣ୍ଡା
ପ୍ରାକ୍ତନ ଅଧ୍ୟକ୍ଷ, କୃଷି ମହାବିଦ୍ୟାଳୟ, ଭବାନୀପାଟଣା
ମୋ: ୮୧୪୪୦୬୬୦୧୬


Enter your email to get our daily news in your inbox.

All Right Reserved By Dharitri.Com

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

ଲୁଟିବା ଥୟ

ଖଣି ଓ ଖଣିଜ (ବିକାଶ ଓ ନିୟନ୍ତ୍ରଣ) ବା ଏମ୍‌ଏମ୍‌ଡିଆର୍‌ ଆଇନ-୧୯୫୭କୁ ୨୦୨୬ ଅଗଷ୍ଟରେ କେନ୍ଦ୍ର ସରକାର ସଂଶୋଧନ କରିଛନ୍ତି। ସଂସଦରେ ଗୃହୀତ ଏହି ଆଇନ ଦେଶର…

ଏଇ ଭାରତରେ

ଉତ୍ତମ ଟେରୋନ ଜଣେ ଶିକ୍ଷକ। ରହନ୍ତି ଆସାମର ଏକ ଛୋଟ ଗାଁରେ। ତାଙ୍କୁ ବୟସ ଏବେ ୪୭ ବର୍ଷ। ସେ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ଗଁାରେ…

ବସାଘର

ମଣିଷ, ଜୀବଜଗତ ଖାଦ୍ୟ ଓ ବାସସ୍ଥାନ ଆବଶ୍ୟକ କରିଥାନ୍ତି। ଆଦିମ ସଭ୍ୟତାରେ ମଣିଷ ଯାହା ପାଇଲା ତାହା ଖାଉଥିଲା ଓ ଯେଉଁଠି ପାରୁଥିଲା ସେଇଠି ବିଶ୍ରାମ ନେଉଥିଲା।…

ଖଣି ଆଇନ ସଂଶୋଧନର ପ୍ରଭାବ

ଯନ୍ତରମନ୍ତରରେ ଛାତ୍ରୀଛାତ୍ରଙ୍କ ଉପରେ ପୋଲିସର ଅତ୍ୟାଚାରକୁ ନେଇ ସଂସଦର ଗତ ମୌସୁମୀ ଅଧିବେଶନରେ ଅଚଳାବସ୍ଥା ଚାଲିଥିବା ବେଳେ କେନ୍ଦ୍ର ସରକାର ‘ଖଣି ଓ ଖଣିଜ (ବିକାଶ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri