ନିର୍ବାଚନ ସଂସ୍କାର

ଶରତ ଚନ୍ଦ୍ର ମିଶ୍ର
ସପ୍ତଦଶ ଲୋକ ସଭା ନିର୍ବାଚନ ନିର୍ବାଚନ କମିଶନ, ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀଙ୍କ ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ହେତୁ ସଫଳ ଭାବରେ ସମାପ୍ତ ହୋଇଛି। ଆମ ଭାରତରେ ନିର୍ବାଚନ ମାଧ୍ୟମରେ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ସତ୍ତ୍ୱେ ବିଶ୍ୱପ୍ରସିଦ୍ଧ Economic Intelligence Unit ଭାରତକୁ ଦୋଷଯୁକ୍ତ ଗଣତନ୍ତ୍ର (Flawed Democracy) ବୋଲି ଗଣନା କରେ ଓ ଭାରତରେ ନିର୍ବାଚନ ପଦ୍ଧତିରେ ସଂସ୍କାରର ଆବଶ୍ୟକତା ରହିଛି ବୋଲି ଦେଶରେ ଓ ବିଦେଶରେ ଅନେକେ ଅନୁଭବ କରନ୍ତି। ଆମ ନିର୍ବାଚନ ପଦ୍ଧତିରେ ପ୍ରକୃତ ଜନମତ ପ୍ରତିଫଳିତ ହୁଏନାହିଁ। ଉଦାହରଣ ସ୍ବରୂପ ୨୦୧୪ ନିର୍ବାଚନରେ ମାତ୍ର ତିନିଭାଗରୁ ପ୍ରାୟ ଏକ ଭାଗ ଭୋଟ ପାଇ ଭାଜପା କେନ୍ଦ୍ରରେ ସରକାର ଗଠନ କରିଥିଲା। ମାତ୍ର ୨୦୧ ଜଣ ସାଂସଦ ପଚାଶ ଭାଗରୁ ଅଧିକ ଭୋଟ ପାଇଥିଲେ ା ବହୁଜନ ସମାଜ ପାର୍ଟି ଦେଶର ସମୁଦାୟ ଭୋଟରୁ ୪୨% ଭୋଟ ପାଇ ମଧ୍ୟ ପାର୍ଲାମେଣ୍ଟରେ କୌଣସି ଗୋଟିଏ ସ୍ଥାନ ପାଇ ନ ଥିଲା। ଅନ୍ୟ ପକ୍ଷରେ ତୃଣମୂଳ କଂଗ୍ରେସ ୩୯% ଭୋଟ ପାଇ ପାର୍ଲାମେଣ୍ଟକୁ ୩୪ ଜଣ ପ୍ରତିନିଧି ପଠାଇଥିଲା। ଏ ବର୍ଷ (୨୦୧୯) ନିର୍ବାଚନରେ ବିଜେଡି ଓଡିଶାରେ ବିଧାନସଭାରେ ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଛି। ଦଳର ଭୋଟ ହେଉଛି ଶତକଡା ୪୫ ଭାଗରୁ କିଛି ଅଧିକ । ତା’ର ଅର୍ଥ ସଂଖ୍ୟାଧିକ ଭୋଟର (ଶତକଡା ୫୫ ଭାଗ) ବିଜେଡି ସରକାର ଚାହିଁ ନ ଥିଲେ। ଭାଜପା ରାଜ୍ୟ ବିଧାନସଭା ପାଇଁ ପ୍ରାୟ ୩୨% ଭୋଟ ପାଇଲା ବେଳକୁ, ବିଧାନସଭାରେ ସଭ୍ୟ ସଂଖ୍ୟା ପ୍ରାୟ ୧୬%। ଜନମତକୁ ଠିକ୍‌ ଭାବରେ ସଦସ୍ୟ ଆବଣ୍ଟନରେ ପରିଣତ କରିପାରିବା ନିର୍ବାଚନର ଲକ୍ଷ୍ୟ ହେବା ଉଚିତ। ନତୁବା ଏହା ଅଗଣତାନ୍ତ୍ରିକ ହେବ ଓ ତା’ର କାରଣ ନିର୍ଣ୍ଣୟ କରି ତା’ର ସମାଧାନ ଉଦ୍ୟମ ହେବା ଆବଶ୍ୟକ।
ଆମ ଦେଶରେ ଦୁଇ ପ୍ରକାର ନିର୍ବାଚନ ପଦ୍ଧତି ପ୍ରଚଳିତ। ଲୋକ ସଭା ଓ ବିଧାନସଭା ନିମନ୍ତେ ଆମେ ବ୍ରିଟିଶ ଅନୁକରଣରେ First Past The Post System (FPTPS) ବ୍ୟବହାର କରୁ। ଏ ପ୍ରଥାରେ ଯେଉଁ ପ୍ରାର୍ଥୀ ସବୁଠାରୁ ଅଧିକ ଭୋଟ ପାଇଲା, ସେ ନିର୍ବାଚିତ ହୁଏ। ସେ ସମୁଦାୟ ଭୋଟରୁ ସଂଖ୍ୟାଧିକ ଭୋଟ ପାଇଛି କି ନାହିଁ ତାହା ବିଚାର କରାଯାଏ ନାହିଁ। ତେଣୁ ଜଣେ ପ୍ରାର୍ଥୀର ସପକ୍ଷ ଭୋଟ ଅପେକ୍ଷା, ସମୁଦାୟ ବିପକ୍ଷ ଭୋଟ ଅଧିକ ହେଲେ ମଧ୍ୟ ସେ ନିର୍ବାଚିତ ହୁଏ। ଆମ ଦେଶରେ ସଂଖ୍ୟାଧିକ ନିର୍ବାଚିତ ଏମ୍‌ଏଲ୍‌ଏ ଓ ଏମ୍‌ପି ସଂଖ୍ୟାଧିକ ଭୋଟ ପାଆନ୍ତି ନାହିଁ। ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟ ସଭା ଓ ବିଧାନ ପରିଷଦ ନିର୍ବାଚନ ନିମନ୍ତେ ଆନୁପାତିକ ପ୍ରତିନିଧିତ୍ୱ (Proportional representation) ବ୍ୟବସ୍ଥା ଅନୁସୃତ। ଏ ବ୍ୟବସ୍ଥାରେ ଭୋଟଦାତାଙ୍କ ମତ, ପ୍ରତିନିଧି ସଂଖ୍ୟାରେ ଠିକ୍‌ ଭାବରେ ପ୍ରତିଫଳିତ ହୁଏ।
ସର୍ବାଧିକ ଭୋଟ ପାଇ ନିର୍ବାଚିତ ହେବାର ଉପାଦେୟତା ସମ୍ବନ୍ଧରେ ଏବେ ଉଭୟ ଇଂଲଣ୍ଡ ଓ ଭାରତରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ୨୦୧୧ ମସିହାରେ ଏ ସମ୍ବନ୍ଧରେ ଇଂଲଣ୍ଡରେ ଏକ ଗଣଭୋଟ ହୋଇ ୬୮% ଭୋଟର ଏ ପ୍ରଥାର ଅବିରତ ସ୍ଥିତି ସପକ୍ଷରେ ଭୋଟ ଦେଲେ। ଏହା ଏକ ସରଳ ପ୍ରଥା ଓ ଏହି ପ୍ରଥାରେ କେତେକ ସୁବିଧା ଅଛି।
ପ୍ରଥମତଃ, ପ୍ରଥମ ସାବାଳକ ନିର୍ବାଚନ (୧୯୫୨) ସମୟରେ ପ୍ରାୟ ୮୪% ଭୋଟର ଅଶିକ୍ଷିତ ଥିଲେ। କୌଣସି ଜଟିଳ ପ୍ରଥା ସେମାନଙ୍କ ପକ୍ଷରେ କଷ୍ଟକର ହୋଇଥାନ୍ତା। ଦ୍ୱିତୀୟରେ ଏହି ପ୍ରଥାରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରୁ ଜଣେ ନିର୍ବାଚିତ ହୁଏ ଓ ସେ ଭୋଟରମାନଙ୍କ ପାଖରେ ଉତ୍ତରଦାୟୀ ରହେ। ଶେଷରେ ଭୋଟର ସାମୂହିକ ଭାବରେ ଦଳକୁ ଭୋଟ ନ ଦେଇ, ତା’ର ମନୋନୀତ ପ୍ରାର୍ଥୀଙ୍କୁ ହିଁ ଭୋଟ ଦିଏ।
ପ୍ରଥମ ସାଧାରଣ ନିର୍ବାଚନ ତୁଳନାରେ ଆମ ଭୋଟରମାନେ ଏବେ ବେଶ୍‌ ଶିକ୍ଷିତ ଓ ଏକ ନୂତନ ପଦ୍ଧତି ଗ୍ରହଣ କରିବାରେ ସକ୍ଷମ। ଇଭିଏମ୍‌ ପ୍ରଥାରେ ସହଜରେ ଅଭ୍ୟସ୍ତ ହୋଇପାରିଲା ପରି ଭୋଟ ଦାନ ପ୍ରଥାରେ କୌଣସି ପରିବର୍ତ୍ତନ ପ୍ରଚଳନ କଲେ, ତାହା ମଧ୍ୟ ସେମାନେ ଆୟତ୍ତ କରିପାରିବେ ବୋଲି ଆଶା।
ଆନୁପାତିକ ପ୍ରତିନିଧିତ୍ୱ ହେଉଛି ଏକ ବିକଳ୍ପ। ଏହି ପ୍ରଥା ଦୁଇ ପ୍ରକାର। ଗୋଟିଏ ପ୍ରଥାରେ ଭୋଟରମାନଙ୍କୁ ଦଳ ପକ୍ଷରୁ ଏକ ତାଲିକା ପ୍ରଦାନ କରାଯାଏ ଓ ଭୋଟରମାନେ ଦଳ ଓ ତାଲିକାରୁ ମନୋନୀତ ପ୍ରାର୍ଥୀକୁ ସମର୍ଥନ ଜଣାନ୍ତି। ଭୋଟ ଗଣତି ପରେ ଯେଉଁ ଦଳ, ଯେତିକି ପରିମାଣରେ ଭୋଟ ପାଇଥାଏ, ସେଇ ଅନୁପାତରେ ତାକୁ ଆସନ ବାଣ୍ଟି ଦିଆଯାଏ ଓ ତାଲିକାରେ ସମର୍ଥିତ ପ୍ରାର୍ଥୀଙ୍କ ଭୋଟ ଅନୁସାରେ ଅଧିକ ଭୋଟ ପାଇଥିବା ପ୍ରାର୍ଥୀମାନେ ଆସନପ୍ରାପ୍ତ ହୁଅନ୍ତି। ଦ୍ୱିତୀୟ ପଦ୍ଧତିରେ ଭୋଟର ଦଳକୁ ଭୋଟ ଦିଏ ଓ ଯେଉଁ ଦଳ ଯେତିକି ପରିମାଣରେ ଭୋଟ ପାଏ, ସେଇ ଅନୁପାତରେ ଦଳକୁ ଆସନ ମିଳେ ଓ ଦଳ ନିଜର ପ୍ରାର୍ଥୀ ମନୋନୟନ କରେ। ଏ ପ୍ରଥାରେ କେହି ସ୍ବାଧୀନ ପ୍ରାର୍ଥୀ ହେବାର ଅବକାଶ ନାହିଁ। ଦ୍ୱିତୀୟତଃ ଦଳର ନେତା ଏ ପ୍ରଥାରେ ଅତ୍ୟନ୍ତ କ୍ଷମତାଶାଳୀ ହୋଇଯାଆନ୍ତି ଓ ନିଜର ଅନୁଗତମାନଙ୍କୁ ପୁରସ୍କୃତ କରନ୍ତି। ଏହା ଏକପ୍ରକାର ବର୍ତ୍ତମାନ ଦଳମାନଙ୍କରେ ରାଜ୍ୟ ସଭା ପ୍ରାର୍ଥୀ ମନୋନୟନ ଭଳି। ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାରେ ଝୁଲା ପାର୍ଲାମେଣ୍ଟ ହେବାର ଆଶଙ୍କା ଅଧିକ। ଉଭୟ ବ୍ୟବସ୍ଥାରେ ତ୍ରୁଟି ସୁଧାରିବା ନିମନ୍ତେ କେତେକ ଦେଶରେ ଏକ ମିଶ୍ରିତ ବ୍ୟବସ୍ଥାର ପ୍ରଚଳନ କରାଯାଇଛି। ଜର୍ମାନୀରେ ଭୋଟର ଦୁଇଟି ଭୋଟ ପ୍ରଦାନ କରେ। ଗୋଟିଏ ନିଜ ନିର୍ବାଚନମଣ୍ଡଳୀର ପ୍ରତିନିଧି ନିମନ୍ତେ ଓ ଆଉ ଗୋଟିଏ ଦଳ ନିମନ୍ତେ। ଅଧା ଆସନ ପ୍ରଥମ ଭୋଟରେ ଓ ବାକି ଅଧା ଆସନ ଦଳମାନଙ୍କ ମଧ୍ୟରେ, ଭୋଟ ଅନୁପାତରେ ବଣ୍ଟନ କରାଯାଏ। ନେପାଳରେ ମଧ୍ୟ ଭୋଟର ଦୁଇଟି ଭୋଟ ପ୍ରଦାନ କରେ। ପ୍ରଥମ ଭୋଟରେ ୧୬୫ ପ୍ରାର୍ଥୀ ନିର୍ବାଚିତ ହୁଅନ୍ତି। ଦ୍ୱିତୀୟ ଭୋଟଟି ବାକି ୧୦୦ ଆସନ ନିମନ୍ତେ ଦଳକୁ ଦିଆଯାଏ ଓ ଭୋଟର ପରିମାଣ ଅନୁଯାୟୀ ୧୦୦ଟି ଆସନକୁ ଦଳମାନଙ୍କ ମଧ୍ୟରେ ବଣ୍ଟନ କରାଯାଏ।
ବର୍ତ୍ତମାନ ପୃଥିବୀରେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ୮୩ଟି ଦେଶରେ, ସର୍ବାଧିକ ଭୋଟ ବ୍ୟବସ୍ଥା (FPTPS) ୬୧ଟି ଦେଶରେ ଓ ମିଶ୍ରିତ ବ୍ୟବସ୍ଥା ୨୧ଟି ଦେଶରେ ପ୍ରଚଳିତ। ଭାରତ ଭଳି ଏକ ବିରାଟ ଦେଶରେ ଆନୁପାତିକ ବ୍ୟବସ୍ଥା ପ୍ରଚଳନ ହେଲେ, ଦଳୀୟ ନେତାମାନେ ସାଂସଦ ମନୋନୟନରେ କେତେକ ଅଞ୍ଚଳକୁ ଅବହେଳା କରିବାର ଆଶଙ୍କା ରହିଛି। ଭୋଟରମାନଙ୍କ ପାଖରେ ସାଂସଦମାନେ ଉତ୍ତରଦାୟୀ ହେବା ଅପେକ୍ଷା ଦଳର ସର୍ବୋଚ୍ଚ ନେତାମାନଙ୍କର ପ୍ରିୟପାତ୍ର ହେବାରେ ଅଧିକ ଯତ୍ନଶୀଳ ହେବେ। ବର୍ତ୍ତମାନର ରାଜ୍ୟ ସଭା ଓ ବିଧାନ ପରିଷଦ ସଭ୍ୟମାନେ ଯେପରି ଭୋଟରମାନଙ୍କ ପାଖରେ ଉତ୍ତରଦାୟୀ ନୁହନ୍ତି, ସେହିପରି ପରିସ୍ଥିତି ଉପୁଜିବ। ଏକ ମିଶ୍ରିତ ପ୍ରଥା ଭାରତୀୟ ପରିସ୍ଥିତିରେ ଅଧିକ ବାଞ୍ଛନୀୟ। ଭୋଟରମାନଙ୍କ ପ୍ରତି ଉତ୍ତରଦାୟୀ ରହୁଥିବା ଓ ଜନମତ ଠିକ୍‌ ଭାବରେ ପ୍ରତିଫଳିତ ହେଉଥିବା ଭଳି ଏକ ବିକଳ୍ପ ବ୍ୟବସ୍ଥା ଆମକୁ ବାହାର କରିବାକୁ ହେବ। ଦେଶର ଆଇନ ପ୍ରଣୟନକାରୀ, ବୁଦ୍ଧିଜୀବୀ ଓ ସାମାଜିକ ଶ୍ରେଷ୍ଠମାନେ ଏ ଦିଗରେ ଧ୍ୟାନ ଦେବା ଆବଶ୍ୟକ।
ମୋ-୯୯୩୭୪୨୨୫୨୧


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

ଓଜୋନ୍‌ ଓ ପୃଥିବୀର ସୁରକ୍ଷା

ଏକ ସମୟ ଥିଲା (ବହୁ ପୁରାତନ ନୁହେଁ) ଯେତେବେଳେ ପୃଥିବୀର ଓଜୋନ୍‌ ସ୍ତରର ଅବକ୍ଷୟ ଏକ ବଡ଼ ଚ୍ୟାଲେଞ୍ଜ ପରି ମନେହେଉଥିଲା। ଅନେକ ଦଶନ୍ଧି ଧରି...

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri