ଆଖି ସାକ୍ଷୀ

ଦ୍ୱିତୀ ଚନ୍ଦ୍ର ସାହୁ

ସୁନ୍ଦର ଆଖି ହଳକ ଥିଲେ ଦୁନିଆ ସାର ବୋଲି ସଭିଏଁ କୁହନ୍ତି। ଏଇ ଆଖି ହଳକ ଅନେକ କଥା ଦେଖିପାରେ ଓ ବୁଝିପାରେ। ଅନେକଙ୍କୁ ବୁଝାଇପାରେ। ଆଖି କାଳେ କଥା ବି କହିପାରେ। ଆଖିର ଅଙ୍କାବଙ୍କା ଚାହଁାଣିରେ ଅନେକ ନୀରବ ଶବ୍ଦ ଉକୁଟି ଆସେ। ବିନା ଧ୍ୱନିରେ ଅନେକ କଥା କହିଦିଏ। ଇସାରା ଇସାରାରେ ବୁଝିଯାଏ ଆର ଜଣକ। ଆଖିର ଭାଷାକୁ ପଢ଼ିବା ବି ସହଜ ନୁହଁ। ଆଉ ଜଣେ ମନ ଚିହ୍ନା ମଣିଷ ହିଁ ଆର ଲୋକର ଆଖିର ଭାଷାକୁ ପଢ଼ିପାରେ ଓ ବୁଝିପାରେ। ତା’ ଅନୁସାରେ ଆଖିରେ ଉତ୍ତର ଫେରେଇପାରେ। ମଣିଷ ମନରେ ଜାତ ସୁଖ, ଦୁଃଖ ଓ କ୍ରୋଧାଦି ଯେତେସବୁ ସ୍ଥାୟୀ ଭାବ ଜନ୍ମେ ତାକୁ ଆଖିର ଇସାରାରେ ଅନେକାଂଶରେ ବ୍ୟକ୍ତ କରାଯାଏ। ସେଥିପାଇଁ ନବରସର କଥା କୁହାଯାଇଛି। ଆଦି ରସ, ହାସ୍ୟ ରସ, କରୁଣ ରସ, ରୌଦ୍ର ରସ, ବୀର ରସ, ଭୟାନକ ରସ, ବୀଭତ୍ସ ରସ, ଅଦ୍ଭୁତ ରସ, ଶାନ୍ତ ରସ ଆଦିରେ ସୃଷ୍ଟ ଭାବକୁ ଆଖି ଓ ମୁଖମଣ୍ଡଳ ଜରିିଆରେ ଶାସ୍ତ୍ରୀୟ ନୃତ୍ୟରେ ପରିପ୍ରକାଶ କରାଯାଏ। ଆଖିର ଆଖି ମିଳନ ହେଲେ ପ୍ରେମ ଜାତ ହୁଏ। ପ୍ରେମୀଯୁଗଳ ଆଖିର ଇସାରାରେ ମନ କଥାକୁ ସହଜରେ ବ୍ୟକ୍ତ କରିପାରନ୍ତି। ଏଥିପାଇଁ ଶବ୍ଦ ବା ଧ୍ୱନିର ବି ଆବଶ୍ୟକତା ପଡ଼େନି। କବି ଓ ଲେଖକଙ୍କ ଆଖିର ଭାଷା ଟିକେ ଅଲଗା। ଆଖି ସାମ୍ନାର ଦୃଶ୍ୟରୁ ଦୃଶ୍ୟାନ୍ତର ହୋଇ ଅନେକେ ବିଚକ୍ଷଣ ସର୍ଜ୍ଜନା କରିପାରନ୍ତି। ସେମିତି ଆଖିକୁ ବି ଏମାନେ ଅନେକ କାରକ ଓ ବସ୍ତୁ ସହ ଉପମା ଦେଇ ଅଦ୍ଭୁତ ଶବ୍ଦରେ ମୋହଗ୍ରସ୍ତ କରାଇପାରନ୍ତି ପାଠକଙ୍କୁ। ହୃଦୟକୁ ତରଳାଇ ପାରନ୍ତି। ବିଶେଷକରି ଯୁବତୀଙ୍କ ଆଖିକୁ ନେଇ ଅକଳ୍ପନୀୟ ବର୍ଣ୍ଣନା ବାସ୍ତବରେ ବିଭୋର କରେ ସମସ୍ତଙ୍କୁ। ଦୂରରେ ଥିବା ଆମ ସମ୍ପର୍କୀୟ ବା ଅତିଥିମାନଙ୍କ ସହ ବାର୍ତ୍ତାଳାପରେ ମନର ଭୋକ ମରେନି। ଚର୍ମ ଚକ୍ଷୁରେ ଦେଖିବା ଲାଗି ବୈଷୟିକ ସହାୟତା ଲୋଡୁ। ଭିଡିଓ କଲିଂ ଜରିଆରେ ଥରେ ଆଖି ପୂରେଇ ଦେଖିଦେଲେ ମନ ପୂରିଯାଏ। ବିବିଧ ସ୍ଥାନ ସମ୍ପର୍କରେ ଆମର ଯଥେଷ୍ଟ ଜ୍ଞାନ ଥିଲେ ବି ଥରେ ଅଧେ ବାସ୍ତବ ଦୃଶ୍ୟକୁ ଦେଖିବାକୁ ମନ ବାରମ୍ବାର ହାଇଁପାଇଁ ହୁଏ। ସେଥିପାଇଁ ପର୍ଯ୍ୟଟନସ୍ଥଳକୁ ଲୋକଙ୍କ ସୁଅ ଛୁଟେ। ବାସ୍ତବ ଅନୁଭବ ଦିଏ ଏଇ ଆଖି ହଳକ। ମିଛସତର ଦୁନିଆରେ କାନକୁହା କଥାରେ ବାସ୍ତବତାକୁ ପରଖିବା ଭାରି କଷ୍ଟ। ଯେବେ ନ ଦେଖିବେ ବେନି ନୟନେ, ପରତେ ଯିବନି ଗୁରୁ ବଚନେ। ଏତେ ବଡ଼ କଥାକୁ ଉପଦେଶକ୍ରମରେ କୁହାଯାଇଛି ଖାସ୍‌ ଏଇ ଆଖି ହଳକର କିମିଆ ପାଇଁ। ଆଖିରେ ଦେଖିଲେ ହିଁ ଯାଇ ବିଶ୍ୱାସ କରିବାକୁ କୁହାଯାଇଛି। ସେଇକ୍ରମରେ ରାଜରାଜୁଡା ଶାସନଠାରୁ ଆରମ୍ଭକରି ଆଜିକାର ନ୍ୟାୟାଳୟରେ ବି ଆଖିରେ ଦେଖି ବାସ୍ତବତାକୁ ପରଖି ନ୍ୟାୟ ଦେବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଯଦିଓ ଅନେକ ସମୟରେ ଆଖି ଧୋକା ଖାଇବାକୁ ବାଧ୍ୟ ହେଉଛି ମଣିଷର ଚଞ୍ଚକତାଠାରେ। ଜଣେ ମଣିଷ ଅନ୍ୟକୁ ସହଜରେ ଚଞ୍ଚକତା କରିପାରେ। ଦୁନିଆକୁ ଭୁଆଁ ବୁଲେଇ ଦେଇପାରେ ସତ। କିନ୍ତୁ ନିଜ ଆଖି ନିକଟରୁ ଖସିପାରେନି। କାରଣ ନିଜ ଆଖି ଚିରସ୍ଥାୟୀ ସାକ୍ଷୀଟିଏ। ଅହରହ ନିଜ ସାଥୀରେ ବୁଲୁଥାଏ।
ନିକଟରେ ଜଣେ ପଦସ୍ଥ ଅଧିକାରୀଙ୍କ ସହ ଭେଟ ହେଲା। ଅବସରର ଅନେକ ଦିନ ପରେ ତାଙ୍କ ସହ ଭେଟ ହେତୁ ସେ ହାତ ଟାଣି ନିକଟରେ ଥିବା ଏକ ବେଞ୍ଚରେ ବସେଇଲେ। ତେଣିକି ଆରମ୍ଭ କଲେ ନିଜର କାହାଣୀ। ଏକମାତ୍ର ପୁତ୍ର ବିଦେଶରେ। ପୁତ୍ରବଧୂର କଥାରେ ମାଆବାପାଙ୍କ ପାଇଁ ସେ ପାଲଟିଯାଇଛି ଅପରିଚିତ। କଥାବାର୍ତ୍ତା ଖୋଜଖବର ନାହିଁ। ଆସିବାଯିବା ପୂରାପୂରି ବନ୍ଦ। ଏକମାତ୍ର ବିବାହିତା ଝିଅ ବିଧବା। ତା’ର ଜନ୍ମିତ ଶିଶୁ ମାନସିକ ବିକାରଗ୍ରସ୍ତ। ପତ୍ନୀ ନାନାଦି ବ୍ୟାଧିରେ ପୀଡ଼ିତ ହୋଇ ଶଯ୍ୟାଶାୟୀ। ଚାକିରିରୁ ଅବସର ପରେ ସେ ବ୍ୟସ୍ତ ଓ ନୟାନ୍ତ। ପ୍ରତିଦିନ କୌଣସି ନା କୌଣସି ବ୍ୟସ୍ତତା ଭିତରେ ଜୀବନ ଛଟପଟ ହୋଇ ଜିଉଁଛନ୍ତି। ଜଞ୍ଜାଳମୟ କୁଟୁମ୍ବ ଚିନ୍ତାରେ ବୁଡ଼ି ମରିବାକୁ ଦିନ ଗଣୁଛନ୍ତି। ଏତିକି ଶୁଣିବାବେଳେ ମନେ ପଡ଼ିଗଲା ତାଙ୍କ କର୍ମମୟ ଜୀବନର ଅନେକ ଦୃଶ୍ୟ। ଆଖି ଆଗରେ ନାଚି ଉଠିଲା ସେହି ତଥାକଥିତ ଅଫିସରଙ୍କ ଅଫିସରାଜ। ପ୍ରତି କଥାରେ ଅଧସ୍ତନକୁ ଗାଳିଗୁଲଜ। ଅବାଟକୁ ବାଟ କରାଇ ଫାଇଲ କରିବାକୁ ତାଗିଦ। ବ୍ୟାପକ ଅନୀତି ଓ ଦୁର୍ନୀତି ଭିତରେ ସୁରୁଖୁରୁରେ ଅବଶ୍ୟ ଚାକିରି ସାରିଦେଲେ। ଯେଉଁମାନଙ୍କ ପାଇଁ ଜୀବନତମାମ ଅକ୍ଳେଶରେ ବାଛବିଚାର ନ କରି କେବଳ ଟଙ୍କାକୁ ମଣିମା କରି ଗୋଟେଇ ଚାଲିଲେ ସେହିମାନେ ଆଉ ପଚାରିଲେନି। ବାବୁଙ୍କ ନିକଟରେ ଅର୍ଥର ଅଭାବ ନାହିଁ। କିନ୍ତୁ ସୁଖ ଶାନ୍ତି ବି ନାହିଁ। ଏମିତି ପଶ୍ଚାତ୍ତାପର ଶବ୍ଦରେ ମୋହାଚ୍ଛନ୍ନ ହେଲାବେଳେ ଆଖି ଯୋଡ଼ିକ ତାଙ୍କର ଭାରି କରୁଣ ଲାଗୁଥିଲା। ଏତିକିବେଳେ ସେଇ ରାସ୍ତା ଦେଇ ତାଙ୍କର ଜଣେ ପୂର୍ବତନ ଅଧସ୍ତନ ଦେଖି ନ ଦେଖିଲା ଭଳି ଚାଲି ଯାଉଥିଲେ। ବାବୁଙ୍କ ଡାକରେ ଠିଆ ହୋଇ ଆସିଲେ। ନିଜର କୃତକର୍ମରେ ଘାଣ୍ଟି ହୋଇ କାକୁସ୍ଥ ଭାବେ ବଞ୍ଚୁଥିବା ବାବୁଜଣକ ଏଥର କହିଲେ – ‘ବୁଝିଲ ଘନଶ୍ୟାମବାବୁ! ଆପଣମାନଙ୍କୁ କଷ୍ଟ ଦେଇ ଯାହା ମୁଁ କରିଛି ସେହି ପାପରେ ମୁଁ ଏବେ ଘାଣ୍ଟିଚକଟି ହେଉଛି। ଅତୀତର ଅନେକ କଥା ଏବେ ମୋତେ ବିଚଳିତ କରୁଛି। ଏତିକି କଥାରେ ଅଧସ୍ତନକୁ କହିବାକୁ ସୁଯୋଗ ମିଳିଲା କି କ’ଣ ସେ ନାଦି ଦେଇଗଲେ ନିଜର ଉତ୍ତର। କହିଲେ- ‘ସାର୍‌! କ’ଣ କରିବା? ଯେମିତି କରିଥିବା ସେମିତି ଭୋଗିବାକୁ ପଡ଼ିବ । କେହି ନ ଦେଖିଲେ ବି ଆମ ଆଖି ପରା ସବୁ କାମର ସାକ୍ଷୀ। ସେ ଆଖି ହଳକ ହିଁ ମନ ଓ ହୃଦୟକୁ ଶାନ୍ତି ରଖେ ଓ ବିଚଳିତ ବି କରିପାରେ। ଦୁଃଖ କରି ଆଉ ଲାଭ ନାହିଁ ସାର୍‌। ବରଂ ଏବେଠାରୁ କିଛି ଭଲ କାମ କରନ୍ତୁ, ଯାହା ଶାନ୍ତିି ଦେବ।’ ଏତିକି କଥାରେ ବାବୁଙ୍କ ଆଖିରୁ ଝରିଗଲା ଲୁହ , ପଶ୍ଚାତ୍ତାପର ଅଶ୍ରୁ। କହିବାକୁ କିଛି ନଥିଲା। ବାସ୍‌ ଖାଲି ଦି ପଦ ଶାନ୍ତ୍ୱନା ଦେଇ ସେଠୁ ଫେରିବାକୁ ପଡ଼ିଲା। କିନ୍ତୁ ବାବୁଙ୍କ ଅତୀତରୁ ବର୍ତ୍ତମାନର ଦୃଶ୍ୟକୁ ଦେଖିଲେ ଲାଗିଲା ମଣିଷ ସତରେ ବଡ଼ ଅସହାୟ। ଟିକିନିଖି ସଚିତ୍ର ହିସାବ ରଖୁଥିବା ଆଖିଠାରୁ ବର୍ତ୍ତିବା ଆଦୌ ସହଜ ନୁହଁ ମଣିଷ। ସମସ୍ତଙ୍କଠାରୁ ବିଜୟୀ ହେବା ହୁଏତ ସହଜ। ଅଥଚ ନିଜ ଆଖି ନିକଟରେ ସେ ପ୍ରତିଥର ହାରିବାକୁ ବାଧ୍ୟ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ-୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?