ଅସୁରକ୍ଷିତ ଈଶ୍ୱର

ଡ. ବାସନ୍ତୀ ମହାନ୍ତି

‘ଆମତ୍ପରିତ୍ୟାଗେନ ପରରକ୍ଷଣଂ ନ କର୍ତ୍ତବ୍ୟମ୍‌’। ‘ଆପେ ବଞ୍ଚିଲେ ବାପର ନାଁ ’ ବୋଲି ଆମ ସମାଜଶାସ୍ତ୍ରୀମାନେ ଆମକୁ ସତର୍କ କରିଦେଇ ଯାଇଛନ୍ତି। କିନ୍ତୁ ଏଠି ଯେଉଁମାନଙ୍କ କଥା କୁହାଯାଉଛି, ନିଜ ଜୀବନକୁ ବିପନ୍ନ କରି ଅନ୍ୟମାନଙ୍କୁ ସୁରକ୍ଷା ଦିଅନ୍ତି। ସୀମାନ୍ତରେ ଦେଶକୁ ସୁରକ୍ଷା ଦେବାପାଇଁ ଜୀବନର ବ୍ରତ ରୂପେ ଗ୍ରହଣ କରିଥିବା ଯୋଦ୍ଧା ହୁଅନ୍ତୁ କି ଲୋକମାନଙ୍କୁ ରୋଗ ବ୍ୟାଧିରୁ ସୁରକ୍ଷା ଦେଇ ଏକ ସୁସ୍ଥ ସମାଜ ଗଠନ ପାଇଁ ଜୀବନରେ ବ୍ରତ ରୂପେ ଗ୍ରହଣ କରିଥିବା ଯୋଦ୍ଧା ଡାକ୍ତରମାନେ ହୁଅନ୍ତୁ। ଆପଦକାଳୀନ ପରିସ୍ଥିତିରେ ସୀମାନ୍ତ ଯୋଦ୍ଧାମାନଙ୍କ ଅପେକ୍ଷା ଅଭ୍ୟନ୍ତରକୁ ସୁରକ୍ଷା ଦେଉଥିବା ଯୋଦ୍ଧାମାନଙ୍କ ଦାୟିତ୍ୱ ବେଶି। କିନ୍ତୁ ସୀମାନ୍ତ ସୁରକ୍ଷା କରୁଥିବା ଯୋଦ୍ଧାମାନଙ୍କୁ ଯେଉଁ ପ୍ରକାର ରାଷ୍ଟ୍ରୀୟ ସମ୍ମାନ ମିଳେ ଏ ଯୋଦ୍ଧାମାନଙ୍କୁ ମିଳେ ନାହିଁ। କେବଳ ବ୍ୟକ୍ତିଗତ ସୁଖ ସ୍ବାଚ୍ଛନ୍ଦ୍ୟ ନୁହେଁ, ମହାମାରୀ କାଳରେ ସେମାନେ ନିଜ ପରିବାରକୁ ସୁଦ୍ଧା ବିପନ୍ନ କରି କର୍ତ୍ତବ୍ୟରତ ରହନ୍ତି। ସଂକ୍ରମିତମାନଙ୍କୁ ସେବା କରୁଥିବାରୁ ସେମାନଙ୍କ ପରିବାରକୁ ମଧ୍ୟ ବାସନ୍ଦ କଲା ପରି ପାଖ ପଡ଼ିଶାମାନେ କରିଥାନ୍ତି। ଏପରି ଉତ୍ସର୍ଗୀକୃତ ଜୀବନ ସତ୍ତ୍ୱେ ସେମାନଙ୍କୁ ଟିକେ ପାନରୁ ଚୂନ ଖସିଗଲେ ଜନତାଙ୍କ ଆକ୍ରୋଶର ଶିକାର ହେବାପାଇଁ ପଡିଥାଏ। କୋଉଠି ଅଶ୍ଳୀଳ ଗାଳି ଶୁଣିବାକୁ ପଡେ ତ ଆଉ କୋଉଠି ମାଡ ମଧ୍ୟ। ପୁଣି କେତେବେଳେ କୋର୍ଟକଚେରିକୁ ଟାଣି ହୋଇଯାଇଥା’ନ୍ତି।
ଦିନ ଥିଲା ସମାଜରେ ଡାକ୍ତରମାନେ ଥିଲେ ଅତ୍ୟନ୍ତ ସମ୍ମାନାସ୍ପଦ। କାବ୍ୟକବିତା ନ ଲେଖି ମଧ୍ୟ ସେମାନଙ୍କୁ କୁହାଯାଉଥିଲା କବିରାଜ। ବୃତ୍ତିରେ ସେମାନେ ଶତ୍ରୁମିତ୍ର ନିର୍ବିଶେଷରେ ଅତ୍ୟନ୍ତ ବିଶ୍ୱସ୍ତତାର ସହ ସେବା କରୁଥିଲେ। ଲକ୍ଷ୍ମଣଙ୍କର ଶକ୍ତି ଭେଦ ବେଳେ ରାବଣର ରାଜବୈଦ୍ୟ ସୁଶେତା ଗନ୍ଧମାର୍ଦ୍ଧନ ପର୍ବତରୁ ବିଶଲ୍ୟକରଣୀ ଆଣିବାପାଇଁ ନିର୍ଦ୍ଦେଶ ଦେଇଥିଲେ ଓ ଲକ୍ଷ୍ମଣଙ୍କୁ ଚିକିତ୍ସା କରି ସୁସ୍ଥ କରିଥିଲେ। ଈଶ୍ୱରଙ୍କ ପରେ କବିରାଜମାନଙ୍କୁ ଜନତା ବେଶି ଭରସା କରୁଥିଲେ। କବିରାଜମାନଙ୍କ ଅକ୍ଲାନ୍ତ ଚେଷ୍ଟା ସତ୍ତ୍ୱେ ଯଦି ରୋଗୀଟି ମୃତ୍ୟୁବରଣ କରୁଥିଲା ଜନତା ଈଶ୍ୱରଙ୍କ ଇଚ୍ଛା କହି ଆମତ୍ସାନ୍ତ୍ୱନା ଦେଉଥିଲା ସିନା କବିରାଜଙ୍କୁ ଦୋଷ ଦେବା ଆମ ପୁରାଣ ଇତିହାସରେ କୋଉଠି ସୂଚନା ନାହିଁ।
ସେତେବେଳେ ଚିକିତ୍ସା ଏପରି ବ୍ୟୟ ବହୁଳ ନ ଥିଲା, ବୈଦ୍ୟମାନେ ମୁନିଋଷିଙ୍କ ପରି ସାତ୍ତ୍ୱିକ ଜୀବନ ବଞ୍ଚୁଥିଲେ। ଶିଷ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ସମାଜରେ ବୈଦ୍ୟମାନଙ୍କ ସଂଖ୍ୟା ବୃଦ୍ଧିରେ ସହାୟକ ହେଉଥିଲେ।
କାଳକ୍ରମେ ଏସବୁ ଲୋପ ପାଇଗଲା। ବଇଦ ପଇଡ଼ ମଦଘଡା, କାମ ସରିଲେ ଗଡ଼ଗଡା କଲେ। ରୋଗରେ ପଡିଥିବା ବେଳେ ସେମାନଙ୍କୁ ଈଶ୍ୱର ବୋଲି କହିଲୁ କାମ ସରିଗଲେ ସେମାନଙ୍କ ପ୍ରତି ଆକ୍ରୋଶ ରଖିଲୁ। ଛାତ୍ରୀଛାତ୍ରମାନେ ପରୀକ୍ଷାରେ ଫେଲ୍‌ ହେଲେ ଆମେ ଶିକ୍ଷକମାନଙ୍କୁ କୋର୍ଟକଚେରିକୁ ଟାଣୁ ନାହୁଁ କି କେସ୍‌ରେ ହାରିଗଲେ ଓକିଲକୁ ଦୋଷ ଦେଉ ନାହୁଁ। କିନ୍ତୁ ରୋଗୀଟିଏ ମରିଗଲେ ବିଚରା ଡାକ୍ତରଟି ରୋଗୀର ଆମତ୍ୀୟସ୍ବଜନଙ୍କ ହିଂସାର ଶିକାର ହୁଏ। ତାକୁ କୋର୍ଟ କଚେରି ପର୍ଯ୍ୟନ୍ତ ଟଣା ହୋଇଥାଏ।
ଇଂଜିନିୟର, ଓକିଲ କିମ୍ବା ଅଧ୍ୟାପକଟିଏ ହେବାପାଇଁ ଛାତ୍ରୀଛାତ୍ରମାନଙ୍କୁ ଯେତିକି ସମୟ ଶ୍ରମ ସ୍ବୀକାର କରିବାକୁ ପଡିଥାଏ, ଜଣେ ଦକ୍ଷ ଡାକ୍ତରଟିଏ ହେବାପାଇଁ ପ୍ରାୟ ତା’ର ଦୁଇଗୁଣ ଶ୍ରମ ଓ ସମୟ ବ୍ୟୟ କରିବାକୁ ପଡିଥାଏ। ସମ୍ପୂର୍ଣ୍ଣ ମେଧାବୀ ଛାତ୍ର ନ ହେଲେ ଡାକ୍ତରୀ ପାଠ ପଢ଼ି କୃତକାର୍ଯ୍ୟ ହେବା ଏତେ ସହଜ ନୁହେଁ। ଭାରତରେ ଯେଉଁ ଡାକ୍ତରମାନେ ବାହାରନ୍ତି ସେମାନେ ବିଶ୍ୱର ସବୁଠାରୁ ଭଲ ସୁନାମ ଅର୍ଜନ କରିଥାନ୍ତି। ଏବେ ସମସ୍ୟା ହେଉଛି ଆମ ଦେଶରେ କାରଣ ହେତୁ ଆବଶ୍ୟକ ସଂଖ୍ୟକ ଡାକ୍ତର ନାହାନ୍ତି। ଅଧିକାଂଶ ଡାକ୍ତରଖାନାରେ ଜଣେ କିମ୍ବା ଦୁଇଜଣ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଆଉ କେଉଁଠାରେ କମ୍ପାଉଣ୍ଡର ଓ ଆଟେଣ୍ଡାଣ୍ଟଙ୍କ ଦ୍ୱାରା ଡାକ୍ତରଖାନା ଚାଲୁଥିବା ଗଣମାଧ୍ୟମରେ ଦେଖିବାକୁ ମିଳିଥାଏ। ଅଧିକ ଶ୍ରମ ସମୟ ଓ ଅର୍ଥବ୍ୟୟ ଦ୍ୱାରା ଶିକ୍ଷାକାର୍ଯ୍ୟ ସଂପନ୍ନ କରିଥିବା ଆମ ମେଧାବୀ ଛାତ୍ରମାନଙ୍କୁ ବାଧ୍ୟତାମୂଳକ ଭାବରେ ଗଁା ଗହଳର ପାଣି କାଦୁଅ ଓ ବଣଜଙ୍ଗଲର ଦୁର୍ଗମ ଅଞ୍ଚଳରେ କାମ କରିବାକୁ ହୋଇଥାଏ। କେତେକଙ୍କର ତ ସାରା ଜୀବନ ସେଇ ଅଞ୍ଚଳରେ କଟିଯାଇଥାଏ। ଏ ପରିସ୍ଥିତିରେ ସେମାନଙ୍କ ପ୍ରତି ଆମେ ସହାନୁଭୂତିଶୀଳ ହେବା ପରିବର୍ତ୍ତେ ସେମାନଙ୍କ ପ୍ରତି ହିଂସା ଆଚରଣ କରୁଛୁ। ସେମାନଙ୍କ ସେବାରେ ଆମେ ସହଜରେ ସନ୍ତୁଷ୍ଟ ନୋହୁଁ। ଲଗାତର ଆମେ ଦେଖିଆସୁଚୁ ଡାକ୍ତରମାନଙ୍କ ପ୍ରତି ଆକ୍ରମଣ। କେତେବେଳେ ସେମାନଙ୍କର ଜୀବନ ନେଇଯାଉଛନ୍ତି ତ ଆଉ କେତେବେଳେ ମରଣାନ୍ତକ ଆକ୍ରମଣ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ତ ସାଧାରଣ କଥା। ଜନତାଙ୍କ ପାଇଁ ସର୍ବଶ୍ରେଷ୍ଠ ସେବା ଯୋଗାଉଥିବା ଏମାନଙ୍କ ପାଇଁ ସରକାର ସର୍ବନିମ୍ନ ସୁରକ୍ଷା ଯୋଗାଇ ଦେବାପାଇଁ ପ୍ରସ୍ତୁତ ନୁହନ୍ତି। ଅସୁରକ୍ଷିତ ହୋଇ ସେମାନେ ନିଜ କର୍ତ୍ତବ୍ୟ ନିର୍ବାହ କରୁଛନ୍ତି।
ମହାମାରୀ କରୋନା ସମୟରେ ଡାକ୍ତରମାନେ ହିଂସାର ଶିକାର ହେବା ଖବରମାନ ଆମ ଦୃଷ୍ଟିଗୋଚର ହୋଇଥିଲା। ଜିଲାର କରୋନା ରୋଗୀଙ୍କୁ ସେବା କରିବାକୁ ଯାଇଥିବା ଡାକ୍ତରଙ୍କ ଉପରେ ଛେପ ପକାଇବା, ଇନ୍ଦୋରରେ ଦୁଇଜଣ ମହିଳା ଡାକ୍ତରଙ୍କ ଉପରେ ପଥର ମାଡକରିବା, କୋଭିଡ୍‌ ସେଣ୍ଟର୍‌ରେ କାମ କରୁଥିବା ମହିଳାମାନଙ୍କ ଆଗରେ ପୁରୁଷମାନେ ଅଭଦ୍ରୋଚିତ ଆଚରଣ ପ୍ରଦର୍ଶନ କରିବା ଖବର ଆମମାନଙ୍କ ଦୃଷ୍ଟି ଗୋଚର ହୋଇଥିଲା। ଡାକ୍ତରମାନଙ୍କ ଉପରେ ବିଭିନ୍ନ ପ୍ରକାର ଅତ୍ୟାଚାର ଦକ୍ଷିଣ ଭାରତର ହାଇଦ୍ରାବାଦ ଓ ଉତ୍ତର ଭାରତରେ ଅତିମାତ୍ରାରେ ଦେଖିବାକୁ ମିଳିଥିଲା। କରୋନା ରୋଗୀଙ୍କୁ ସେବା କରୁଥିବା ଡାକ୍ତରମାନଙ୍କୁ ପରିବାର ସହ ଫ୍ଲାଟ୍‌ରୁ ବାହାରିଯିବା ପାଇଁ ଧମକ୍‌ ଦେବା ପରି ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ଏ ଦିଗରେ ଅନ୍ୟ ରାଜ୍ୟମାନଙ୍କ ସହ ଓଡ଼ିଶା ମଧ୍ୟ ପଛରେ ପଡି ନ ଥିଲା। ଏବେ ସଦ୍ୟ ନିଯୁକ୍ତି ପାଇଥିବା ଜଣେ ମହିଳା ଡାକ୍ତର କୋଭିଡ୍‌ ସେଣ୍ଟରରେ କର୍ତ୍ତବ୍ୟରତ ଥିବାବେଳେ ଅଧାରାତିରେ ଗଁାକୁ ଯାଇ ଜଣେ ମୃତବ୍ୟକ୍ତିଙ୍କୁ ଡେଥ୍‌ ସାର୍ଟିଫିକେଟ୍‌ ଦେବା ପାଇଁ ବାଧ୍ୟ କରିବା ଓ ସେ କୋଭିଡ୍‌ ସେଣ୍ଟର ଛାଡ଼ି ଯିବାପାଇଁ ଅମଙ୍ଗ ହେବାରୁ ତାଙ୍କୁ ଗାଳିଗୁଲଜ କରିବା, ତାଙ୍କ ମାତାପିତାଙ୍କୁ ଗାଳିଗୁଲଜ କରିବା ସହ ଡାକ୍ତରଖାନାକୁ ଭଙ୍ଗାରୁଜା କରିବା ପରି ଘଟଣା ଅତ୍ୟନ୍ତ ଦୁଃଖଦାୟକ।
ଏ ମହାମାରୀରୁ ସୁରକ୍ଷା ପାଇବା ପାଇଁ ଆମେ ରୁଦ୍ଧଦ୍ୱାରରେ ରହିଥିବା କରୋନା ରୋଗୀମାନଙ୍କୁ ସେବା କରୁଥିବା ଡାକ୍ତରମାନେ ଅସୁରକ୍ଷିତ ହୋଇପଡୁଛନ୍ତି। ଦିନରାତି ନିଜ ସହ ପରିବାରକୁ ବିପନ୍ନ କରି ଲଢ଼ୁଛନ୍ତି। ଏ ମହାମାରୀରେ ଆକ୍ରାନ୍ତ ସାଧାରଣଲୋକଙ୍କ ମୃତ୍ୟୁହାର ୨/୩ ପ୍ରତିଶତ ଥିବାବେଳେ ଡାକ୍ତରମାନଙ୍କ ମୃତ୍ୟୁହାର ଶତକଡା ୧୫ପ୍ରତିଶତ ରହିଛି। ଏ ଯୋଦ୍ଧାମାନଙ୍କ ପ୍ରତି ସହାନୁଭୂତିଶୀଳ ହୋଇ ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ସେମାନଙ୍କ ସମ୍ମୁଖରେ ଯେଉଁମାନେ ପ୍ରତିବନ୍ଧକ ହୋଇ ଠିଆ ହେଉଛନ୍ତି ସେମାନଙ୍କ ପ୍ରତି ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
୨୧୩ ସି-ବ୍ଲକ୍‌, ଏମେରାଲ୍ଡ ଆପାର୍ଟମେଣ୍ଟ୍‌,
ଲକ୍ଷ୍ମୀସାଗର, ଭୁବନେଶ୍ୱର
ମୋ-୯୪୩୭୦୩୩୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?