ଅଯୋଧ୍ୟା ରାୟ

ଆକାର ପଟେଲ

ଅଯୋଧ୍ୟା ରାୟ ଏକ ନ୍ୟାୟିକ ଇତିହାସକୁ ସ୍ମରଣ କରାଇଦେଉଛି। ଭାରତୀୟ ଉପମହାଦେଶରେ ନ୍ୟାୟପାଳିକା ଆବଶ୍ୟକତାର ଡାକରାକୁ ଗ୍ରହଣ କରିଛି। ପାକିସ୍ତାନରେ ଏହା ୬୫ ବର୍ଷ ତଳେ ଘଟିଥିଲା। ସ୍ବାଧୀନତାର ମାତ୍ର କିଛି କାଳ ପରେ ପାକିସ୍ତାନ ସେନା ଦେଶର ଶାସନଭାର ହାତକୁ ନେଇଗଲା ଏବଂ ଜେନେରାଲ ଆୟୁବ ଖାନ୍‌ ହେଲେ ଦେଶର ଶାସନମୁଖ୍ୟ। ଗୁଲାମ ମହମ୍ମଦ ନାମକ ଗଭର୍ନର ଜେନେରାଲଙ୍କ ଦ୍ୱାରା ଏଭଳି ପରିସ୍ଥିତି ସବୁ ସୃଷ୍ଟି କରାଯାଇଥିଲା। ସେ ଥିଲେ ଭାରତୀୟ କମ୍ପାନୀ ମହୀନ୍ଦ୍ରା ଗ୍ରୁପ୍‌ର ଜଣେ ଅଂଶୀଦାର। ଏହି କମ୍ପାନୀର ମୂଳ ନାମ ଥିଲା ମହୀନ୍ଦ୍ରା ଆଣ୍ଡ୍‌ ମହମ୍ମଦ ଏବଂ ପରେ ତା’ର ନାମ ବଦଳି ହୋଇଛି ମହୀନ୍ଦ୍ରା ଆଣ୍ଡ୍‌ ମହୀନ୍ଦ୍ରା। ସେ ଜଣେ ଅତି ଚତୁର ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଥିଲେ। ଅର୍ଥ ମନ୍ତ୍ରଣାଳୟ ଚଳାଇବା ପାଇଁ ତାଙ୍କର ନାମ ସୁପାରିସ କରାଯାଇଥିଲା। ୧୯୪୮ରେ ଜିନ୍ନାଙ୍କ ମୃତ୍ୟୁ ଓ ୧୯୫୧ରେ ତାଙ୍କ ଡେପୁଟି ଲିଆକତ୍‌ ଅଲି ଖାନ୍‌ଙ୍କ ହତ୍ୟା ପରେ ପାକିସ୍ତାନ ମୁସ୍‌ଲିମ ଲିଗ୍‌ ନେତାହୀନ ହୋଇପଡ଼ିଥିଲା ଏବଂ ମହମ୍ମଦଙ୍କୁ ଗଭର୍ନର ଜେନେରାଲ ପଦବୀ ମିଳିଗଲା। ୧୯୫୪ରେ ସେ ବେଆଇନଭାବେ ପାକିସ୍ତାନ ଗଣପରିଷଦ (ପାକିସ୍ତାନର ପ୍ରଥମ ପାର୍ଲାମେଣ୍ଟ)କୁ ଭାଙ୍ଗିଦେଲେ, ଯାହା ପାକିସ୍ତାନର ସମ୍ବିଧାନ ପ୍ରସ୍ତୁତ କରିବାରେ ଭାରତଠାରୁ ଅଧିକ ସମୟ ନେଉଥିଲା। ଯେଉଁମାନଙ୍କୁ ବରଖାସ୍ତ କରାଗଲା, ସେମାନେ କୋର୍ଟର ଦ୍ୱାରସ୍ଥ ହେଲେ ଏବଂ କୋର୍ଟ ରାୟ ଦେଲେ ଯେ ଗୁଲାମ ମହମ୍ମଦଙ୍କ କାର୍ଯ୍ୟାନୁଷ୍ଠାନ ବେଆଇନ। ତା’ପରେ ସେ ଓ ତାଙ୍କ ସହ କ୍ଷମତାକୁ ଆସିଥିବା ନୂଆ ମନ୍ତ୍ରୀମାନେ କୋର୍ଟରେ ଆବେଦନ କଲେ। ଏଥର ସୁପ୍ରିମ୍‌କୋର୍ଟ ମହମ୍ମଦଙ୍କୁ ସମର୍ଥନ କରି ତାଙ୍କର ବେଆଇନ କାର୍ଯ୍ୟାନୁଷ୍ଠାନକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଲେ।
ମୂଳତଃ ଯେହେତୁ ସେତେବେଳେ ଜରୁରୀ ପରିସ୍ଥିତି ଚାଲିଥିଲା (ଗଭର୍ନର ଜେନେରାଲ ଏ ପରିସ୍ଥିତି ସୃଷ୍ଟି କରିଥାନ୍ତୁ ବା ନ ଥାନ୍ତୁ), ସେ ଯାହା ଚାହିଁବେ କରିପାରିବେ ବୋଲି କୁହାଗଲା। କୋର୍ଟ ଇଂଲିଶ ଗୃହଯୁଦ୍ଧ ବିଜେତା ଓଲିଭର କ୍ରମ୍‌ଓ୍ବେଲଙ୍କ ଉକ୍ତି ଉଦ୍ଧାର କରି କହିଲେ: ଯଦି ଆଇନ ବାହାରେ କିଛି କରିବାକୁ ଦିଆ ନ ଯିବ, ତା’ହେଲେ ଆମେ କାହାକୁ ଆଇନ ତିଆରି କରିବାକୁ ପଠାଇଲାବେଳେ ଜାତିର ଗଳା କାଟିଦିଆଯାଇପାରେ। ଗଭର୍ନର ଜେନେରାଲଙ୍କ କାର୍ଯ୍ୟାନୁଷ୍ଠାନ ପାକିସ୍ତାନର ରାଜନୈତିକ ଓ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଭାଙ୍ଗିଯିବାରୁ ରକ୍ଷା କରିଛି ବୋଲି କୋର୍ଟ ମତ ଦେଲେ। ଏହାଦ୍ୱାରା କୋର୍ଟ ମହମ୍ମଦଙ୍କ ଭୁଲ୍‌ କାର୍ଯ୍ୟକୁ ଅଣଦେଖା କରି ତାହାକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଲେ।
ମୁଁ ଭାବୁଛି ଅଯୋଧ୍ୟା ରାୟ ମଧ୍ୟ ସେହିପରି ଭାବନାରୁ ଆସିଛି ଏବଂ ସର୍ବୋଚ୍ଚ କୋର୍ଟ ଆବଶ୍ୟକତାକୁ ଚାହିଁ ରାୟ ଦେଇଛନ୍ତି। ଅଯୋଧ୍ୟାରେ ପ୍ରତିଷ୍ଠିତ ରାମ ମନ୍ଦିରକୁ ଭାଙ୍ଗି ତା’ ଉପରେ ବାବ୍ରି ମସ୍‌ଜିଦ ତିଆରି ହୋଇଥିଲା ବୋଲି ସିଦ୍ଧାନ୍ତ ଶୁଣାଇବାକୁ ଅକ୍ଷମ ବୋଲି କହିବା ପରେ କୋର୍ଟ କାହିଁକି ସମସ୍ତ ଜମିକୁ ମନ୍ଦିର ପାଇଁ ଦେଇଦେବାକୁ ଆବଶ୍ୟକ ମନେକଲେ ତାହା ସମ୍ପୂର୍ଣ୍ଣରୂପେ ଅସ୍ପଷ୍ଟ। ସୁପ୍ରିମ୍‌କୋର୍ଟ ଏହା ମାନନ୍ତି ଯେ, ଭାରତୀୟ ଜନତା ପାର୍ଟି ଦ୍ୱାରା ଲୋକଙ୍କୁ ମତାଇ ମସ୍‌ଜିଦ ଭାଙ୍ଗିବା ଆଇନର ଅବମାନନା ଓ ଏକ ଅପରାଧ। କୋର୍ଟ ଏହା ମଧ୍ୟ ଗ୍ରହଣ କରନ୍ତି ଯେ, ମସ୍‌ଜିଦରେ ମୂର୍ତ୍ତି ସ୍ଥାପନ କରିବା ଏକ ଅପବିତ୍ର କାର୍ଯ୍ୟ। କିନ୍ତୁ ସୁପ୍ରିମ୍‌କୋର୍ଟ ସେହିମାନଙ୍କୁ ପୂରା ଜମି ଦେଇଦେଲେ ଯେଉଁମାନେ କହୁଥିଲେ ଯେ, ଯଦି ବିଶ୍ୱାସ ଠିକ୍‌ ତା’ହେଲେ ଏହା ଆଇନଗତ ତଦନ୍ତର ପରିସର ବାହାରେ ଏବଂ ପ୍ରତିଷ୍ଠିତ ବିଶ୍ୱାସକୁ କୋର୍ଟ ସମ୍ମାନ ଦେବା ଉଚିତ।
ଏହା ସ୍ପଷ୍ଟ ହୋଇଯାଇଛି ଯେ, ବିଶ୍ୱ ହିନ୍ଦୁ ପରିଷଦ ଓ ଭାଜପା ଯାହା ଦାବି କରିଆସୁଥିଲେ ଆଇନଗତ ଭାବେ ଭାରତ ତାହା ହିଁ କରିଛି। ୩୦ ବର୍ଷ ତଳେ ମୁଁ ଯେତେବେଳେ ଛାତ୍ର ଥିଲି ଅରୁଣ ସୁରୀ ବଡ଼ୋଦରାସ୍ଥିତ ବିଶ୍ୱବିଦ୍ୟାଳୟକୁ ଏହି ପ୍ରସଙ୍ଗରେ ଭାଷଣ ଦେବାକୁ ଆସିଥିଲେ। ଏହା ମସ୍‌ଜିଦ ଭଙ୍ଗା ଯିବାର ୩ ବର୍ଷ ପୂର୍ବର ଘଟଣା। ସେତେବେଳେ ଭାଜପା ସମର୍ଥକ ଥିବା ସୁରୀ କହିଥିଲେ ଯେ ମୁସଲମାନମାନେ ତାଙ୍କ ମସ୍‌ଜିଦକୁ ନେଇ ଅନ୍ୟ ସ୍ଥାନକୁ ଚାଲିଯାଆନ୍ତୁ କାରଣ ହିନ୍ଦୁମାନଙ୍କ ପାଇଁ ସ୍ଥାନଟି ଅତ୍ୟନ୍ତ ପବିତ୍ର। ବର୍ତ୍ତମାନ ଭାରତ ଠିକ୍‌ ସେଇଆ କରିବାକୁ ଯାଉଛି ନ୍ୟାୟସଙ୍ଗତ ଭାବରେ।
ଆମେ ଜାଣିବା ଦରକାର ଯେ, ପାକିସ୍ତାନ କୋର୍ଟଙ୍କ କାର୍ଯ୍ୟାନୁଷ୍ଠାନର ପ୍ରଭାବ ଦୀର୍ଘକାଳ ଯାଏ ରହିଥିଲା। ପାକିସ୍ତାନ ଓ ଆମର ଆଇନ ବ୍ୟବସ୍ଥା ପୂର୍ବ ଉଦାହରଣ ବା ନଜିର ଉପରେ ବିଶ୍ୱାସ କରେ। ଗୁଲାମ ମହମ୍ମଦଙ୍କ ମୃତ୍ୟୁର କିଛିବର୍ଷ ପରେ କୋର୍ଟ ପୂର୍ବ ରାୟକୁ ନଜିର ଭାବେ ନେଇ ଜେନେରାଲ ଆୟୁବ ଖାନ୍‌ଙ୍କ ଦ୍ୱାରା ଦେଶର ଶାସନକଳ ଉପରେ ସାମରିକ ଅକ୍ତିଆରକୁ ଯୁକ୍ତିଯୁକ୍ତ ଦର୍ଶାଇଥିଲେ। ତା’ପରେ ପୁଣି ଯେତେବେଳେ ଜେନେରାଲ ଜିଆ ଉଲ୍‌ ହକ୍‌ ପ୍ରଧାନମନ୍ତ୍ରୀ ଜୁଲ୍‌ଫିକର ଅଲି ଭୁଟ୍ଟୋଙ୍କୁ ଫାଶୀ ଦେଇ ନିଜେ ରାଷ୍ଟ୍ରପତି ହେଲେ ସେତେବେଳେ କୋର୍ଟ ଏହାକୁ ମଧ୍ୟ ଗ୍ରହଣ କରିନେଲେ କାରଣ ପୂର୍ବରୁ ଏହାର ନଜିର ରହିଥିଲା। ଜେନେରାଲ ମୁଶରଫଙ୍କ ଶାସନଗାଦି ଅକ୍ତିଆରକୁ ମଧ୍ୟ ସମାନ ଉପାୟରେ ବୈଧ କରାଯାଇଥିଲା। ଏକଚ୍ଛତ୍ର ଶାସକମାନେ ଆଇନର ଛାତ ତଳେ ସୁରକ୍ଷିତ ରହି ଶାସନ କରିଆସିଛନ୍ତି ଏବଂ ସେମାନଙ୍କ କାର୍ଯ୍ୟକୁ ଯୁକ୍ତିଯୁକ୍ତ ଦର୍ଶାଯାଇଛି। ଏବେ ଦୀର୍ଘକାଳୀନ ଭିତ୍ତିରେ ଅଯୋଧ୍ୟା ରାୟର କି ପ୍ରଭାବ ପଡ଼ୁଛି ତାହା ସମୟକ୍ରମେ ଜଣାପଡ଼ିବ। ମାତ୍ର ଏହାର ନିଶ୍ଚିତ ଭାବେ ପ୍ରଭାବ ପଡ଼ିବ। ତେବେ ମୁଁ ଆଶା କରୁଛି ତାହା ପାକିସ୍ତାନ ପରି ଭାରତରେ କିଛି କ୍ଷତିସାଧନ ନ କରୁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri