୧୭ ବର୍ଷ ପରେ ବେଆଇନ ଚକ ମଡ଼ାଣ ଷଡ଼ଯନ୍ତ୍ର

ଜଗତ୍‌ସିଂହପୁର ଅଫିସ୍‌, ୨୫।୧

ଜଗତ୍‌ସିଂହପୁର ଜିଲାରେ ଚକ ପ୍ରସ୍ତୁତିରେ ବ୍ୟାପକ ତ୍ରୁଟି ହୋଇଛି। କେତେଜଣ ମୁଷ୍ଟିମେୟ ଜମି ମାଲିକ, ରାଜନେତା ଚଞ୍ଚକତା କରି ମୂଲ୍ୟବାନ ଜମି ହାତେଇ ନେଇଛନ୍ତି। ଏହାଦ୍ୱାରା ଅଧିକାଂଶ ଜମି ମାଲିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଚକ ପ୍ରସ୍ତୁତ ପରେ ଜିଲାର ବିଭିନ୍ନ ମୌଜାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଅନେକ ସ୍ଥାନରେ ଚକ ମଡ଼ାଣ ବନ୍ଦ ରହିଛି। ଏପରି କି ନ୍ୟାୟାଳୟରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ଏହାସତ୍ତ୍ବେ ଦୀର୍ଘ ବର୍ଷ ପରେ ପୁଣି ଚକ ମଡାଣ ପାଇଁ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ ହୋଇଛି। ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ନାଉଗାଁ ବ୍ଲକ ଅଧୀନ ଗଳଧାରୀ ପଞ୍ଚାୟତର ଏରଡ଼ା ମୌଜାରେ। ଏହି ମୌଜାର ଶତାଧିକ ଲୋକ କହିଛନ୍ତି, ୧୯୭୯ ମସିହା ରେକର୍ଡ ମୁତାବକ ଜମି ଦିଆଯାଉ। ନଚେତ୍‌ ଚକ ସଂଶୋଧନ କରାଯାଉ। ତାହା ନ ହେଲେ କୌଣସି ପରିସ୍ଥିତିରେ ଚକ ମଡ଼ାଣ କରାଇ ଦିଆଯିବନାହିଁ ବୋଲି ଚେତାବନୀ ଦେଇଛନ୍ତି।
ଚକ ପ୍ରସ୍ତୁତ ପୂର୍ବରୁ ଜମିର ମାନ, ମୃତ୍ତିକାର ପ୍ରକାର, ଉତ୍ପାଦନ ଶକ୍ତି, ସେଟଲମେଣ୍ଟ ରିପୋର୍ଟ ଓ ଅନ୍ୟ ମାଧ୍ୟମରେ ସଂଗୃହୀତ ତଥ୍ୟ ଆଦିକୁ ବିଚାରକୁ ନିଆଯାଇଥାଏ। ମୃତ୍ତିକା ଯଥାକ୍ରମେ କାଦୁଆ, ବାଲିଆ, କାଦୁଅ ଓ ବାଲିମିଶା କଠିନ ଥାଏ। ମୃତ୍ତିକାର ପ୍ରକାର ଓ ନାମ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଲଗା ଥାଏ। ଏହି ନାମ ଓ ପ୍ରକାରକୁ ସର୍‌ଜମିନ ତଦନ୍ତ କରାଯାଇ ଜମିର ମୂଲ୍ୟ ନିରୂପଣ କରାଯାଏ। ସମ୍ପୃକ୍ତ ଅଞ୍ଚଳର ସେଟଲମେଣ୍ଟ ରିପୋର୍ଟ, ଅନ୍ୟ ମାଧ୍ୟମରେ ସଂଗୃହୀତ ତଥ୍ୟ, ମାଟିର ଉତ୍ପାଦନ ଶକ୍ତିକୁ ବିଚାରକୁ ନିଆଯାଇ ଶ୍ରେଣୀ ବିଭାଗ କରାଯାଇଥାଏ। ଏହାପରେ ଚକ ପ୍ରସ୍ତୁତ କରାଯାଏ। ସେହିପରି ଜମିର ଅବସ୍ଥିତି, ଭୂମି ମାଲିକଙ୍କ ମନୋନୟନ ଓ ଅନ୍ୟାନ୍ୟ ପାରିପାର୍ଶ୍ୱିକ ଅବସ୍ଥାକୁ ବିଚାରକୁ ନେଇ ଚକ ଦିଆଯିବା ନିୟମ ରହିଛି। ଆପତ୍ତିକାରୀ ପକ୍ଷମାନଙ୍କ ଦାବି, ଜମିର ରକବା, କିସମ, ଜଳସେଚନ ସୁବିଧା, ଉର୍ବର ଜମି, ମୌଜାର କେଉଁ ସ୍ଥାନରେ ଅବସ୍ଥିତ ତାହା ବିଚାରକୁ ନିଆଯାଇ ଚକ ପ୍ରସ୍ତୁତ କରାଯାଇଥାଏ। ଚକ ଦେବା ସମୟରେ ଯେପରି କୌଣସି ଆଇନ ଖିଲାପ ନ ହୁଏ ଓ ଭୂମି ମାଲିକଙ୍କର ସ୍ବାର୍ଥହାନି ନ ଘଟେ, ତା ଉପରେ ଗୁରୁତ୍ୱ ଦିଆଯାଏ। ବଡ କଥା ହେଲା ସବୁ କ୍ଷେତ୍ରରେ ଭୂମି ମାଲିକଙ୍କୁ ତାଙ୍କ ଖାତାର ବେଶି ଜମି ଥିବା ସ୍ଥାନରେ ଚକ ଦେବା ନୀତି ଅନୁସରଣ କରାଯିବା ବ୍ୟବସ୍ଥା ରହିଛି। କୌଣସି ଭୂମି ମାଲିକଙ୍କର ସମସ୍ତ ଜମି ଗୋଟିଏ ସ୍ଥାନରେ ଥିଲେ ସେଠାରେ ତାଙ୍କୁ ଚକ ଦିଆଯିବାରେ ତ୍ରୁଟି କରାଯିବା କଥା ନୁହେଁ। ନୀତି ନିର୍ଦ୍ଧାରଣ ପତ୍ରର ୧ମ ଭାଗରେ ଭୂମି ମାଲିକଙ୍କ ଜମି ବଣ୍ଟନର ରୂପରେଖ ଯଥା ଜମି ୧ ଏକର ମଧ୍ୟରେ, ୧ ଏକର ଓ ତଦୂର୍ଦ୍ଧ୍ୱ, ୨ ଏକର ମଧ୍ୟରେ ଥିଲେ କିପରି ଚକ ଦିଆଯିବ ତା’ ଉପରେ ବର୍ଣ୍ଣନା କରାଯାଇଛି। ଏହି ପରିସଂଖ୍ୟାନ ୪ର୍ଥ ଅଧ୍ୟାୟରେ ଜମି ରେଜିଷ୍ଟରରୁ ସଂଗୃହୀତ ତଥ୍ୟକୁ ଆଧାରକରି କୌଣସି ଜମି ମାଲିକ ଏକ ବା ଇଜିମାଇଲ ଭାବରେ ୩ଟି ଚକରୁ ଅଧିକ ସ୍ଥାନରେ ଜମି ପାଇବେ ନାହିଁ ବୋଲି ଉଲ୍ଲେଖ ଅଛି। ଯେଉଁଠି ଜମି ମାଲିକଙ୍କର ଜମି ୩ ଏକର ବା ତହିଁରୁ କମ୍‌ ତାହା ଗୋଟିଏ ଚକରେ ଦିଆଯିବ। ସେହିପରି ୩ ଏକରରୁ ଅଧିକ ଓ ୧୦ ଏକରରୁ କମ୍‌ ଥିଲେ ୨ଟି ଚକରେ ଜମି ଦିଆଯିବା ବ୍ୟବସ୍ଥା ରହିଛି। ଏସବୁ ନିର୍ଦ୍ଧାରଣ କରିବା ପାଇଁ ସହାୟକ ଚକବନ୍ଦୀ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେ ଧାର୍ଯ୍ୟ ତାରିଖ ତଥା ଅନ୍ୟ କାର୍ଯ୍ୟ ଦିବସରେ ମୌଜାକୁ ଯାଇ ଭୂମିମାଲିକଙ୍କୁ ଏକତ୍ର କରି ସେମାନଙ୍କ ମନୋନୀତ ଚକ ବିଷୟ ବୁଝିବେ। ଚକ ବଣ୍ଟନ ସେକ୍ଟରୱାରି କରାଯିବ। ଭୂମିମାଲିକମାନଙ୍କୁ ଚକ ମନୋନୀତ ପାଇଁ ପୂର୍ଣ୍ଣ ସୁଯୋଗ ଦିଆଯିବ। ଆଲୋଚନାରେ ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରାଯିବ। ଯେଉଁ ଜମି ମାଲିକଙ୍କର ଯେଉଁଠି ବେଶି ଜମି ଥିବ ତାଙ୍କୁ ଯେତେଦୂର ସମ୍ଭବ ସେଠାରେ ଚକ ଦିଆଯିବ। ଭୂମି ମାଲିକଙ୍କର ଯେଉଁଠାରେ ବ୍ୟକ୍ତିଗତ ଜଳାଧାର ଥିବ ସେଠାରେ ହେଉ ଅବା ତା ପାଖରେ ଯେତେଦୂର ସମ୍ଭବ ଚକ ଦିଆଯିବା ବିଧେୟ। ଭୂମି ମାଲିକଙ୍କୁ କୌଣସି ୟୁନିଟ୍‌ରେ ୩ ଚକରୁ ଅଧିକ ସ୍ଥାନରେ ଜମି ଦିଆଯିବ ନାହିଁ। କିନ୍ତୁ ମୌଜାର ୭୫% ଭୂମିମାଲିକ ଯଦି ଚକରେ ସନ୍ତୁଷ୍ଟ ହୁଅନ୍ତି ତେବେ ତାହା ଆଦର୍ଶ ଚକବନ୍ଦୀ ଯୋଜନା ବୋଲି ସ୍ବୀକାର କରାଯାଇପାରେ।
କିନ୍ତୁ ସରକାରଙ୍କ ନୀତି, ନିୟମ ପାଣିର ଗାର ହୋଇଛି। ମୌଜାରେ ମୋଟ ୬୦୦ ଚକ ପରିବର୍ତ୍ତେ ନିର୍ଦ୍ଦିଷ୍ଟ ପ୍ରଭାବଶାଳୀ ଲୋକଙ୍କ ସ୍ବାର୍ଥ ପାଇଁ ୯୦୦ ଚକ କରାଯାଇଛି। ଏପରି କି ଜଣେ ଜଣେ ୯ରୁ ୧୦ଟା ଚକ ହାତେଇଛନ୍ତି। ଯେଉଁମାନଙ୍କର ଘର ଆଖପାଖରେ ଅଧିକ ଜମି ରହିଛି ସେମାନଙ୍କୁ ସେଠାରେ ଚକ ଦିଆଯାଇନାହିଁ। ଏପରି କି ଉର୍ବର ଜମିର ମୂଲ୍ୟ କମ୍‌ ଓ ଅନୁର୍ବର ମୂଲ୍ୟ ଅଧିକ କରାଯାଇଛି। ଜଳ ଉତ୍ସ ନିକଟରେ ଥିବା ଜମିକୁ ଏକତ୍ରୀକରଣ କରାଯାଇ ସେଠାରେ ଚକ ଦିଆଯିବା ପରିବର୍ତ୍ତେ ଅନ୍ୟ ସ୍ଥାନରେ ଦିଆଯାଇଛି। ଚକରେ ଜମି ମାଲିକଙ୍କ ଜମି ପରିମାଣ ବିଭିନ୍ନ ଆଳ ଦେଖାଯାଇ କମ୍‌, ବେଶି କରାଯାଇଛି। ବାସ୍ତବରେ ଚକ ପ୍ରସ୍ତୁତ ସମୟରେ ଅଧିକାଂଶ ଜମି ମାଲିକଙ୍କ ମତାମତ ନିଆଯାଇ ନ ଥିବାରୁ ଏଭଳି ତ୍ରୁଟି ହୋଇଛି ବୋଲି ଜମି ମାଲିକମାନେ ଅଭିଯୋଗ କରିଛନ୍ତି। ଏହା ପ୍ରଥମେ ଜଣାପଡ଼ି ନ ଥିବା ବେଳେ ପରବର୍ତ୍ତୀ ସମୟରେ ଜଣାପଡିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଇତିମଧ୍ୟରେ ଘଟଣାକୁ ୧୭ ବର୍ଷ ବିତିଗଲାଣି। ଦୀର୍ଘ ଦିନ ପରେ ଏବେ ପୁଣି ଚକ ମଡାଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ହାତଗଣତି କେତେଜଣ ମୁଷ୍ଟିମେୟ ଜମି ମାଲିକ ବିଭାଗୀୟ ଅଧିକାରୀଙ୍କ ସହ ସଲାସୁତୁରାରେ ଚକ ମଡାଣ ପାଇଁ ଷଡ଼ଯନ୍ତ୍ର ରଚୁଥିବା ଆଲୋଚନା ହେଉଛି। ଏହାକୁ ନେଇ ପୁଣି ଏରଡ଼ା ମୌଜାରେ ଉତ୍ତେଜନା ପ୍ରକାଶ ପାଇଛି। ଜିଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଗ୍ରାମର ନାରାୟଣ ପାଢ଼ୀ, ବ୍ରହ୍ମାନନ୍ଦ ପାଢ଼ୀ, ବିଶ୍ୱନାଥ ପାଢ଼ୀ, ଦୁଶାସନ ପାଢ଼ୀ, ଶ୍ରୀନିବାସ ସ୍ବାଇଁ, ରୁଦ୍ରମଣି ସ୍ବାଇଁ, କୃଷ୍ଣଚନ୍ଦ୍ର ଲେଙ୍କା, ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ବିଭୂତି ନାୟକ ପ୍ରମୁଖ କହିଛନ୍ତି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁଙ୍କୁ ପଚାରିବାରେ, ଚକ ମଡାଣ ସମ୍ପର୍କରେ କୌଣସି ସୂଚନା ଏ ପର୍ଯ୍ୟନ୍ତ ତାଙ୍କ ପାଖରେ ନାହିଁ। ଆଗକୁ ଏଭଳି କୌଣସି ନିର୍ଦ୍ଦେଶ ଆସିଲେ ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ-ଗ୍ରାମବାସୀ ମୁହାଁମୁହିଁ

କୁଜଙ୍ଗ,୨୧।୧୨(ଡି.ଏନ୍‌.ଏ.): ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ବିରୋଧ କରୁଥିବା ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଗ୍ରାମରେ ସୋମବାର ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ପୋଲିସ...

ଗୋଟିଏ ଦିନରେ ଜଗତସିଂହପୁରରେ ୩୩ କରୋନା ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଲା

ଜଗତସିଂହପୁର ଅଫିସ,୧୦ା୬: ବୁଧବାର ଜଗତସିଂହପୁର ଜିଲାରେ ସର୍ବାଧିକ ୩୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ସରକାରୀ ତଥ୍ୟରେ ସମାନତା ନାହିଁ

ପାରାଦୀପ,୪।୯(ସ୍ବ.ପ୍ର.): ରାଜ୍ୟରେ ସ୍ବଚ୍ଛ ଶାସନ ସମ୍ପର୍କରେ ସରକାର ପ୍ରାୟତଃ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି। କିନ୍ତୁ ବାସ୍ତବରେ ଅନେକ ସ୍ଥାନରେ ସରକାରୀ ତଥ୍ୟରେ ସମାନତା ଦେଖିବାକୁ...

କୂଳକୁ ଫେରିଲେ ନିଖୋଜ ୧୩ ମତ୍ସ୍ୟଜୀବୀ

ପାରାଦୀପ,୧୬ା୧(ସ୍ବ.ପ୍ର.): ୮ ତାରିଖରୁ ସମୁଦ୍ରକୁ ଯାଇଥିବା ୨ଟି ବୋଟ୍‌ର ୧୩ ଜଣ ମତ୍ସ୍ୟଜୀବୀ ନିଖୋଜ ଥିଲେ। ତାଙ୍କୁ ସୋମବାର ମଧ୍ୟାହ୍ନରେ କୋଷ୍ଟଗାର୍ଡ ପକ୍ଷରୁ ଉଦ୍ଧାର କରାଯାଇଛି।...

ଛୋଟ ପ୍ରୟାସ ସୃଷ୍ଟି କଲା ଆଦର୍ଶ ପ୍ରୟାସ

ପାରାଦୀପ,୨୫ା୬(ସ୍ବ.ପ୍ର.): କର୍ମମୟ ଜୀବନରୁ ସମୟ ମିଳିଲେ ଜମୁଥିଲା ଖଟି। ହେଲେ ହଠାତ୍‌ ବଦଳିଗଲା ଜୀବନର ରାସ୍ତା। ଦୁର୍ଘଟଣାରେ ଗୁରୁତର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ଆଶୁ...

ଅଢ଼େଇ କିଲୋ ଧାନ କାଟକୁ ଚାଷୀଙ୍କ ବିରୋଧ

ରଘୁନାଥପୁର,୧୧।୩(ଡି.ଏନ୍‌.ଏ.): ରଘୁନାଥପୁର ବ୍ଲକ ଜଗନ୍ନାଥପୁର କୃଷି ସେବା ସମବାୟ ସମିତି ପକ୍ଷରୁ ଖୋଲା ଯାଇଥିବା ମଣ୍ଡିରେ ଅଢ଼େଇ କିଲୋ ଧାନ କାଟକୁ ଚାଷୀମାନେ ବିରୋଧ କରିଛନ୍ତି।...

ବିଲରୁ ଚାଷୀ ଧାନ ଉଠାଇ ପାରୁନାହାନ୍ତି

ଜଗତ୍‌ସିଂହପୁର ଅଫିସ, ୨।୧୨: ଜଗତ୍‌ସିଂହପୁର ଜିଲାର ଚାଷୀକୁଳ ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ଚିନ୍ତାରେ ପଡିଛନ୍ତି। ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ...

ଜିଲାର ୯୧ କେନ୍ଦ୍ରରେ ୧୩,୪୯୫ ପରୀକ୍ଷାର୍ଥୀ

ଜଗତ୍‌ସିଂହପୁର ଅଫିସ, ୧୧ା୩: ମାଟ୍ରିକ ପରୀକ୍ଷା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ଜଗତ୍‌ସିଂହପୁର ଜିଲାର ୧୩,୪୯୫ ପରୀକ୍ଷାର୍ଥୀଙ୍କୁ...

Advertisement
Archives

Model This Week