ସହଭାଗିତାରେ ପରିଚାଳିତ ହେଉ ସଙ୍ଗରୋଧ କେନ୍ଦ୍ର

ନଟବର ଖୁଣ୍ଟିଆ

କୋଭିଡ୍‌-୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯେଉଁ ତାଲାବନ୍ଦ ଘୋଷଣା ହୋଇଛି ସେଥିରେ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ଦାଦନ ଶ୍ରମିକ ସବୁଠାରୁ ଅଧିକ। ତାଲାବନ୍ଦ ସମୟରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଘୋଷଣା କଲେ ଯେ, ଯେଉଁ ଶ୍ରମିକମାନେ ଯେଉଁଠି କାମ କରୁଛନ୍ତି ସେଇଠି ରହିବେ, ସେମାନଙ୍କର ଖାଦ୍ୟପେୟ ଓ ରହିବାର ବ୍ୟବସ୍ଥା ସ୍ଥାନୀୟ ସରକାର, ନିଯୁକ୍ତିଦାତା, ସ୍ବେଚ୍ଛାସେବୀ ଅନୁଷ୍ଠାନମାନେ ବୁଝିବେ। ଆମ ଓଡ଼ିଶା ସରକାର ପାଦେ ଆଗକୁ ବଢ଼ିଯାଇ ବିଭିନ୍ନ ରାଜ୍ୟ ସରକାରଙ୍କୁ ପତ୍ର ଲେଖିଲେ ଯେ, ଓଡ଼ିଆ ଶ୍ରମିକମାନଙ୍କର ରହଣି ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ। କେବଳ ସେତିକି ନୁହେଁ, ରାଜ୍ୟ ସରକାର ଆଠ ଜଣ ଆଇଏଏସ୍‌ ଅଫିସରଙ୍କୁ ନୋଡାଲ ଅଫିସର ରୂପେ ଦାୟିତ୍ୱ ଦେଇ କହିଲେ, ଏହି ଅଫିସରମାନେ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ଶ୍ରମିକମାନଙ୍କର ସମସ୍ୟା ବୁଝି ତା’ର ସମାଧାନ କରିବେ। ଏହା ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି ଥିଲା, କିନ୍ତୁ କାର୍ଯ୍ୟକାରୀ ହେଲାନି। ପ୍ରବାସୀ ଓଡ଼ିଆ ଶ୍ରମିକମାନେ ତାଲାବନ୍ଦର ଦୁଇ ସପ୍ତାହ ଧୈର୍ଯ୍ୟ ଧରି ରହିଲେ। ଏହି ସମୟରେ ଦେଖିଲେ ଯେ, ତାଲାବନ୍ଦ ସମୟରେ ସେମାନଙ୍କୁ ମଜୁରି ମିଳିଲା ନାହିଁ। ପ୍ରଥମେ କେତେଦିନ ସରକାର, ସଂପୃକ୍ତ କମ୍ପାନୀ ଏବଂ କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଖାଦ୍ୟପେୟର ବ୍ୟବସ୍ଥା କଲେ। ପରେ ବନ୍ଦ ହୋଇଗଲା। ସେମାନଙ୍କ ସଞ୍ଚୟ ଶେଷ ହୋଇଗଲା। ନିକଟରେ ଶିଳ୍ପ ସଂସ୍ଥା ଖୋଲିବାର ସମ୍ଭାବନା ଦେଖାଗଲା ନାହିଁ। ତାଲାବନ୍ଦକୁ ସଂପ୍ରସାରଣ କରାଗଲା। ସେମାନେ ଘରଭଡ଼ା ଦେଇ ନ ପାରିବାରୁ ଘର ମାଲିକମାନେ ଘର ଛାଡ଼ିବାକୁ କହିଲେ। ପୁନଶ୍ଚ ଏହି ଶ୍ରମିକମାନେ ଛୋଟ ଛୋଟ କୋଠରିରେ ଖୁନ୍ଦାଖୁନ୍ଦି ହୋଇ ରହୁଥିଲେ। ଭୂତାଣୁ ସଂକ୍ରମଣର ଭୟ ବଢ଼ିଲା। ଆଖି ଆଗରେ ଦେଖିଲେ ଭୂତାଣୁ ସଂକ୍ରମିତ ରୋଗୀକୁ ସମାଜ କିପରି ବ୍ୟବହାର କରୁଛି। ସେମାନେ ଆତଙ୍କିତ ହୋଇପଡ଼ିଲେ। ସେମାନେ ଦାବିକଲେ ଏବଂ ଅନେକ ସ୍ଥାନରେ ଆନ୍ଦୋଳନ କଲେ ନିଜ ନିଜ ଘରକୁ ଫେରିଯିବା ପାଇଁ ସରକାର ପରିବହନ ବ୍ୟବସ୍ଥା କରନ୍ତୁ। ଏପରି ଧୈର୍ଯ୍ୟହରା ହୋଇପଡ଼ିଲେ ଯେ କିଏ ପାଦରେ ଚାଲି ଚାଲି ଆସିଲା, କିଏ ସାଇକେଲରେ, କିଏ ସମୁଦ୍ର ପଥରେ ନୌକା କରି ଜୀବନକୁ ପାଣି ଛଡ଼ାଇ ଆସିଲା। ଆସିଲାବେଳେ କିଏ ଖାଇବାକୁ ନ ପାଇ ପ୍ରାଣ ହରାଇଲା, କିଏ ଦୁର୍ଘଟଣାରେ ପ୍ରାଣ ହରାଇଲା। ଶେଷରେ ତାଲାବନ୍ଦ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଠିକ୍‌ କଲେ ପ୍ରବାସୀ ଶ୍ରମିକମାନଙ୍କୁ ରେଳ ଯୋଗେ, ବସ୍‌ ଯୋଗେ ଫେରାଇ ଆଣିବାକୁ।
ଆମ ରାଜ୍ୟ ସରକାର ଏକ ସୁଚିନ୍ତିତ ଲମ୍ବା ଫର୍ଦ୍ଦ ପ୍ରସ୍ତୁତ କଲେ ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିଲେ ସେମାନଙ୍କୁ କେଉଁଠି ସ୍ବାଗତ କରାଯିବ- କାହାକୁ କେଉଁଠି ସଙ୍ଗରୋଧ କେନ୍ଦ୍ରରେ ରଖାଯିବ, ସେମାନଙ୍କର ଖାଦ୍ୟପେୟର କି ବ୍ୟବସ୍ଥା ହେବ, ସେମାନଙ୍କ ଅତ୍ୟାବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ କ’ଣ କ’ଣ ହେବ, କିପରି ଦିଆଯିବ, ଖାଦ୍ୟପେୟର ମେନୁ କ’ଣ ହେବ ଇତ୍ୟାଦି। ସେମାନେ ଆସିଲେ ରାଜ୍ୟର ୬୭୯୮ଟି ପଞ୍ଚାୟତରେ ୧୬ ହଜାର ୬୨୬ ସଙ୍ଗରୋଧ କେନ୍ଦ୍ର ବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ରହିବେ। ଏହିସବୁ କେନ୍ଦ୍ରର ବେଡ୍‌ ସଂଖ୍ୟା ହେଲା ୭ ଲକ୍ଷ ୩୧ ହଜାର ୧୧୩। ପଞ୍ଚାୟତର ସରପଞ୍ଚମାନଙ୍କୁ ଏହାର ପରିଚାଳନା ଦାୟିତ୍ୱ ଦିଆଗଲା ଏବଂ ସରପଞ୍ଚମାନଙ୍କୁ ଜିଲାପାଳ କ୍ଷମତା ଦିଆଗଲା। ବିଭିନ୍ନ ରାଜ୍ୟରୁ ପ୍ରଥମେ ପ୍ରବାସୀ ଶ୍ରମିକମାନେ ବସ୍‌ରେ ଆସିଲେ, ଏବେ ପ୍ରତିଦିନ ରେଳ ଯୋଗେ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମିକ ଆସିଲେଣି। ସେମାନେ ଆସିଲା ପରେ କିପରି କେଉଁ ସଙ୍ଗରୋଧ କେନ୍ଦ୍ରକୁ ଯିବେ ତା’ର ମଧ୍ୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ସରକାର। କିନ୍ତୁ ପ୍ରକୃତ କ୍ଷେତ୍ରରେ କାର୍ଯ୍ୟକାରୀ କରିବାରେ ଅନେକ ସମସ୍ୟା ଦେଖାଯାଉଛି। ସେମାନଙ୍କୁ ଠିକ୍‌ ସମୟରେ ଖାଦ୍ୟ, ପାନୀୟ ଦିଆଯାଉ ନାହିଁ। ସେମାନେ ପହଞ୍ଚିବା ପରେ ଯଥାସମୟରେ ସଙ୍ଗରୋଧ କେନ୍ଦ୍ରକୁ ନିଆଯାଉ ନାହିଁ। ସଙ୍ଗରୋଧ କେନ୍ଦ୍ରରେ ବିଭିନ୍ନ ସମସ୍ୟା। କେଉଁଠି ସ୍ଥାନୀୟ ଲୋକେ ସଙ୍ଗରୋଧ କେନ୍ଦ୍ରରେ ସେମାନଙ୍କୁ ପୂରାଇଦେଉ ନାହାନ୍ତି। ସେମାନେ ବିଭିନ୍ନ ସମସ୍ୟା ମଧ୍ୟରେ ଅତ୍ୟାଚାରିତ ହୋଇଆସୁଥିବାରୁ ମାନସିକ ସନ୍ତୁଳନ ହରାଇ ଅନେକ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରୁଛନ୍ତି। କିଏ ସଙ୍ଗରୋଧ କେନ୍ଦ୍ର ଛାଡ଼ି ଲୁଚି ପଳାଇଲାଣି। ସରକାର ସଙ୍ଗରୋଧ ପାଇଁ ଯେଉଁ ନୀତିନିୟମ ପ୍ରଣୟନ କରିଛନ୍ତି ତାକୁ ମାନିବାକୁ ନାରାଜ କେହି କେହି।
ସରକାର ସିନା ଉପର ସ୍ତରରୁ ନୀତି ନିୟମ କରି ତଳ ସ୍ତରକୁ ନିର୍ଦ୍ଦେଶ ଦେଇଦେଲେ କିନ୍ତୁ ଜିଲା ଓ ବ୍ଲକ୍‌ ସ୍ତରରେ ଅମଲାତନ୍ତ୍ର ଏହା ପାଳନ କରୁନାହିଁ କେତେକ ସ୍ଥାନରେ। ପ୍ରବାସୀ ଶ୍ରମିକମାନଙ୍କୁ କେତେକ ସ୍ଥଳରେ ଅମଲାମାନେ ସହାନୁଭୂତି ପ୍ରଦର୍ଶନ ନ କରି ଅମାନୁଷିକ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ ଆସୁଛି। ଅମଲାତନ୍ତ୍ରର ମଧ୍ୟ ସମସ୍ୟା ଅଛି। ଯଥେଷ୍ଟ ସଂଖ୍ୟାରେ କର୍ମଚାରୀ ନାହାନ୍ତି ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ। ମିସନାରୀ ଜିଲ୍‌ ନ ଥିଲେ ଏସବୁ କାର୍ଯ୍ୟ କରିବା ସମ୍ଭବ ନୁହେଁ। ଏଣେ ସରପଞ୍ଚଙ୍କୁ ଜିଲାପାଳ କ୍ଷମତା ଦିଆଯାଉଛି କିନ୍ତୁ ତାଙ୍କ ପାଖରେ ମାନବ ସମ୍ବଳ କାହିଁ ସେଇ କ୍ଷମତାକୁ ପ୍ରୟୋଗ କରି କେନ୍ଦ୍ରର ସୁପରିଚାଳନା କରିବା ପାଇଁ। ଅନେକ ପଞ୍ଚାୟତରେ ପିଅନଟିଏ ନାହିଁ। ଯିଏ ବା ଅଛି ତା’ର ମାସିକ ବେତନ ପାଞ୍ଚଶହ ଟଙ୍କା ମଧ୍ୟରେ ସୀମିତ। ସେ କ’ଣ ମନପ୍ରାଣ ଦେଇ ସରପଞ୍ଚକୁ ସାହାଯ୍ୟ କରିବ? ସରପଞ୍ଚମାନଙ୍କୁ ସାହାଯ୍ୟ କରିବା ପାଇଁ ଜଣେ ଲେଖା କାର୍ଯ୍ୟନିର୍ବାହୀ ଅଧିକାରୀ ଦିଆଯାଇଛି। ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀକୁ ଦୁଇ ତିନିଗୋଟି ପଞ୍ଚାୟତ ଦେଖିବାକୁ କୁହାଯାଉଛି, ଏଥିରେ ସରପଞ୍ଚମାନେ କରିବେ କ’ଣ ?
ରାଜ୍ୟ ସରକାର ଅତିମାତ୍ରାରେ ଅମଲାତନ୍ତ୍ର ଉପରେ ନିର୍ଭର କରୁଛନ୍ତି। ମନ୍ତ୍ରୀ, ବିଧାୟକ, ସାଂସଦ, ସ୍ଥାନୀୟ ନେତା, ସ୍ଥାନୀୟ ସମାଜସେବୀ ଅନୁଷ୍ଠାନ, ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ଆଦୌ ବିଶ୍ୱାସକୁ ନେଉ ନାହାନ୍ତି। ଏମାନେ ସମସ୍ତେ ଲୋକସଂପର୍କରେ ଥାଆନ୍ତି ଆଉ ସ୍ଥାନୀୟ ଲୋକଙ୍କର ମନୋଭାବ ଜାଣିବା ସହିତ ସେମାନଙ୍କ ଉପରେ ପ୍ରଭାବ ଥାଏ। ଯେଉଁ ସଙ୍ଗରୋଧ କେନ୍ଦ୍ର ଅବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପଞ୍ଚାୟତ ସ୍ତରରେ ଗଠନ କରାଯାଉଛି ତା’ର ପରିଚାଳନା ଭାର ସରପଞ୍ଚ ଓ ଅମଲାଙ୍କ ହାତରେ ଛାଡ଼ି ନ ଦେଇ ଏମାନଙ୍କର ପ୍ରତିନିଧିକୁ ସାମିଲ କଲେ କାମଟି ସୁରୁଖୁରୁରେ ପରିଚାଳିତ ହୁଅନ୍ତା। ଏ ବିଷୟରେ କ୍ଷମତାସୀନ ଦଳର ଜଣେ ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନର ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ବେଳେ, ଜଣେ ସାଂସଦ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଗୋଟିଏ ଜାତୀୟ ରାଜନୈତିକ ଦଳର ପ୍ରଦେଶ ସଭାପତି ମଧ୍ୟ ରାଜନୈତିକ ନେତା ଓ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ସାମିଲ କରିବାକୁ ମତ ପ୍ରକାଶ କରିଛନ୍ତି। କିନ୍ତୁ ଫଳ କିଛି ହୋଇନାହିଁ। ସଙ୍ଗରୋଧ କେନ୍ଦ୍ରରେ ବିଶୃଙ୍ଖଳା ବଢ଼ି ବଢ଼ି ଚାଲିଛି।
କନ୍ଧମାଳ ଜିଲା ଦାରିଙ୍ଗିବାଡ଼ି ବ୍ଲକ୍‌ର ଦାରିଙ୍ଗିବାଡ଼ି ପଞ୍ଚାୟତର ଆମ୍ବେଦକର ଜୁନିୟର କଲେଜରେ ଏକ ସଙ୍ଗରୋଧ କେନ୍ଦ୍ରରେ ପୁଅ ଝିଅ ମିଶି ୨୯ ଜଣ ପ୍ରବାସୀ ଶ୍ରମିକ ଥିଲେ। ଯେତେବେଳେ ସେମାନେ ବ୍ରହ୍ମପୁରରୁ ଆସି ପହଞ୍ଚିଲେ ସ୍ଥାନୀୟ ଲୋକେ ବିରୋଧ କଲେ। ସରପଞ୍ଚ ଆସିଲେ, ବିରୋଧ ଲାଗି ରହିଲା। କିନ୍ତୁ ସ୍ଥାନୀୟ ସ୍ବେଚ୍ଛାସେବୀ, ଜାଗୃତି ସ୍ବେଚ୍ଛାସେବୀ ଅନୁଷ୍ଠାନର ସଂପାଦକ ଓ ଜିଲାର ଅନ୍ୟ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଅନ୍ତରଙ୍ଗ ଫେଡେରେସନର କେତେଜଣ ସ୍ବେଚ୍ଛାସେବୀ ଆସି ସରପଞ୍ଚଙ୍କୁ ସାହାଯ୍ୟ କଲେ। ସ୍ଥାନୀୟ ଲୋକଙ୍କୁ ବୁଝାଇଲେ ସେମାନେ ତାଙ୍କରି ଅଞ୍ଚଳର ପିଲା। ସେମାନେ ଆଗରୁ ପ୍ରତି ମାସରେ ଯେଉଁ ଟଙ୍କା ପଠାଉଥିଲେ, ତାହାଦ୍ୱାରା ଏହି ଅଞ୍ଚଳର ଲୋକେ ଉପକୃତ ହେଉଥିଲେ। ଆଜି ସେମାନେ ଅସୁବିଧାରେ ଅଛନ୍ତି। ତେଣୁ ଆମେ ତାଙ୍କୁ ସାହାଯ୍ୟ କରିବା ଆବଶ୍ୟକ। ସେମାନେ ସଙ୍ଗରୋଧରେ ରହିଲେ କରୋନା ଆଦୌ ବ୍ୟାପିବ ନାହିଁ। ଏମାନଙ୍କ କଥା ଶୁଣିଲା ପରେ ସ୍ଥାନୀୟ ଲୋକ ବୁଝିଗଲେ। ଯେଉଁ ୨୯ ଜଣ ଆସିଥିଲେ ତାଙ୍କୁ ଅତି ସ୍ନେହ ଶ୍ରଦ୍ଧା ଦେଖାଇ ୧୦ଟି ବଖରାରେ ରଖାଗଲା। ତିନିଜଣ ସ୍ବେଚ୍ଛାସେବୀ ସେମାନଙ୍କ କଥା ବୁଝିବାକୁ ନିଯୁକ୍ତ ହେଲେ। ପ୍ରତି ପ୍ରକୋଷ୍ଠରୁ ଜଣେ ଲେଖା ଶ୍ରମିକଙ୍କୁ ମନୋନୀତ କରାଯାଇ ତାଙ୍କର ଏକ କମିଟି କରାଗଲା। ସେହି କମିଟି ସ୍ବେଚ୍ଛାସେବୀଙ୍କ ସହ ପରାମର୍ଶ କରି ତାଙ୍କର ସୁବିଧା ଅସୁବିଧାର ସମାଧାନ କଲେ। ସାମାଜିକ ଦୂରତା ରକ୍ଷାକରି ସେମାନଙ୍କ ମନୋରଞ୍ଜନ ପାଇଁ ଜାଗୃତି ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୋଟିଏ ଟେଲିଭିଜନ ଯୋଗାଇ ଦେଲା। ସେମାନେ ସେହି ପରିସରକୁ ନିର୍ମଳ କରିବା ପାଇଁ କୋଡି, କାଙ୍କ ନେଇ ଘାସ ବାଛି ସଫା କରିଦେଲେ। ପୋଲିସ ଜଗୁଆଳି ଉଠାଇ ଦିଆଗଲା। କେବଳ ସ୍ବେଚ୍ଛାସେବୀମାନେ ସେମାନଙ୍କର ଦେଖାଶୁଣା କଲେ। ସ୍ନେହଶ୍ରଦ୍ଧା ଆଦର ପାଇବା ସହିତ ତାଙ୍କର ଅତ୍ୟାବଶ୍ୟକ ଜିନିଷ ପାଇବା ଯୋଗୁ ଶୃଙ୍ଖଳିତ ଭାବରେ ସଙ୍ଗରୋଧ କେନ୍ଦ୍ରରେ ଅଛନ୍ତି। ଏଥିରୁ ଯେଉଁ ଶିକ୍ଷା ମିଳିଲା ସରକାର ଅନ୍ୟତ୍ର କାହିଁକି ସହଯୋଗିତାରେ ସଙ୍ଗରୋଧ କେନ୍ଦ୍ରର ପରିଚାଳନା କରୁ ନାହାନ୍ତି?
ମୋ: ୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?