ସଙ୍କୋଚନରୁ ପ୍ରସାରଣ

ଡ. ଶରତ ଚନ୍ଦ୍ର ରଥ
ବସ୍ତୁଠାରୁ ବାସ୍ତବତା ବଡ଼। କାରଣ ବସ୍ତୁର ମୂଲ୍ୟ ଅଛି, ବାସ୍ତବତାର ମୂଲ୍ୟବୋଧ ଅଛି। ଧନଠାରୁ ମନ ବଡ଼। କାରଣ ଧନର ମୂଲ୍ୟ ଅଛି, ମନର ମୂଲ୍ୟବୋଧ ଅଛି। କାମଠାରୁ ପ୍ରେମ ବଡ଼। କାରଣ କାମରେ ନେବାର ମନୋଭାବ ଅଛି ମାତ୍ର ପ୍ରେମରେ ଦେବାର ମନୋବୃତ୍ତି ଅଛି। ଟିକିଏ ବିଶ୍ଳେଷଣ କଲେ ବୁଝି ହେବ ଯେ, ବସ୍ତୁ ଏକ ସୀମିତ କଥା, ଏହାର ଆବଶ୍ୟକତା ଅଛି, ଉପଯୋଗିତା ଅଛି, ବସ୍ତୁ ମାଧ୍ୟମରେ ବହୁ ପରିମାଣରେ ଅନ୍ତରର ଭାବ ଅଭିବ୍ୟକ୍ତ ହୁଏ। ବିଶ୍ୱରେ ସବୁକିଛି ବସ୍ତୁ, ଏପରିକି ବାୟୁ ମଧ୍ୟ। ଯାହାର ଆକାର, ପ୍ରକାର, ଚାପ, ଲମ୍ବ, ପ୍ରସ୍ଥ ଅଛି ସେସବୁ ବସ୍ତୁର ଅନ୍ତର୍ଗତ। ଆକାଶ ମଧ୍ୟ ଏକ ବସ୍ତୁ। ମାତ୍ର ବାସ୍ତବତା ହେଉଛି ଏକ ଅନୁଭୂତି ଯାହା କେତେକ ଅନୁଭବର ସାର ନିର୍ଯାସ। ସୁଖ, ଦୁଃଖ, ସୁବିଧା, ଅସୁବିଧା, ଲାଭ, କ୍ଷତି, ଜୟ, ପରାଜୟ ସବୁ କିଛି ଭିତରେ ଥିବା ଜୀବନାନୁଭୂତି ହିଁ ବାସ୍ତବତା। ଉଦାହରଣସ୍ବରୂପ ଧନ ଏକ ବସ୍ତୁ ମାତ୍ର ଦାରିଦ୍ର୍ୟ ଏକ ବାସ୍ତବତା। ଧନ ଦ୍ୱାରା ଦରିଦ୍ର୍ୟ ଦୂର ହୋଇପାରେ। ନ ହୋଇପାରେ ମଧ୍ୟ। ବସ୍ତୁ ଦ୍ୱାରା ବାସ୍ତବତାର ଅଭାବ ପୂରଣ କରାଯାଇ ପାରେ, ନ ପାରେ ମଧ୍ୟ। କହିବାର ଅର୍ଥ ହେଉଛି ଦରିଦ୍ର୍ୟ କେବଳ ଧନାଭାବଜନିତ ନ ହୋଇପାରେ, ମନ ଅଭାବ ଜନିତ, ଜ୍ଞାନ ଅଭାବ ଜନିତ ମଧ୍ୟ ହୋଇପାରେ।
ଧନଠାରୁ ମନ ବଡ଼ କଥାଟିକୁ ବିଶ୍ଳେଷଣ କଲେ ବୁଝିହେବ ଯେ, ଧନ ପୂରଣ କରେ ବାସ୍ତବ ଆବଶ୍ୟକତା, ବାହ୍ୟ ଆବଶ୍ୟକତା, ମାତ୍ର ମନ ପୂରଣ କରେ ଅନ୍ତର୍ନିହିତ ଆବଶ୍ୟକତା। ଉଚ୍ଚ ମନର ପଦେ ମିଠା କଥାର ମୂଲ୍ୟ କେତେ ଧନର ମୂଲ୍ୟଠାରୁ ମଧ୍ୟ ଅଧିକ। ସତରେ ମଧୁର କୋମଳ ବଚନର ସମକକ୍ଷ ଆଉ କିଛି ନାହିଁ। ଭଙ୍ଗାମନକୁ ଧନ ଯୋଡ଼ିପାରେ ନାହିଁ, ଟିକିଏ ହୁଏତ ତାଳି ପକାଇ କାମ ଚଳାଇ ଦେଇପାରେ।
ପୁଣି କୁହାଯାଇଛି ଯେ, ସହାନୁଭୂତିଠାରୁ ସମାନୁଭୂତି ବଡ଼। ସହାନୁଭୂତି ହେଉଛି ଅନ୍ୟର ଦୁଃଖ ଓ କଷ୍ଟକୁ ଅନୁମାନ କରି ପ୍ରତିକ୍ରିୟା ପ୍ରକାଶ କରିବା। ମାତ୍ର ସମାନୁଭୂତି କଥାଟି ଭିନ୍ନ। ସମାନୁଭୂତିରେ ଥାଏ ଏକାତ୍ମବୋଧ। ଅନ୍ୟ ଜାଗାରେ ନିଜକୁ ରଖି ଅନ୍ୟର ଶାରୀରିକ, ମାନସିକ ଯନ୍ତ୍ରଣାକୁ ଅନୁଭବ କରିବା ହିଁ ସମାନୁଭୂତିର ମୂଳମନ୍ତ୍ର। ଏହା ଅତ୍ୟନ୍ତ ଦୁର୍ଲଭ। ଏଥିପାଇଁ ଆବଶ୍ୟକ ମନର ପ୍ରଶସ୍ତତା ଓ ଉଚ୍ଚତା। ପାଖରେ କେବଳ ନୁହେଁ ଦୂରରେ ଥିଲେ ମଧ୍ୟ ଅନ୍ୟ ଜଣକର ଦୁଃଖ ଓ ସୁଖର ଅନୁଭବ ଏହା ଦ୍ୱାରା ଘଟିଥାଏ। ବିଶେଷତଃ ବଡ଼ ବଡ଼ ସାଧକମାନଙ୍କ କ୍ଷେତ୍ରରେ ଏହି ଅନୁଭବ ଘଟିଥାଏ। ବଳଦ ପିଠିରେ ହଳିଆର ପ୍ରହାର ଚିହ୍ନ ଶ୍ରୀରାମକୃଷ୍ଣଙ୍କ ପିଠିରେ ଦାଗ ହୋଇ ବସିଯାଇପାରେ। ଜିଇବା ବଡ଼ କଥା ମାତ୍ର ବଞ୍ଚିବା ତାହା ଅପେକ୍ଷା ଅଧିକ ବଡ଼ କଥା। ଜୀବନଧାରଣ କେବଳ ନିଜ ପାଇଁ ହେଲେ ଆମେ ତାକୁ ଜିଇବା କହିବା, ନିଜ ସହିତ ଅନ୍ୟ ପାଇଁ ହେଲେ ତାକୁ ଆମେ ବଞ୍ଚିବା କହିବା। ବଞ୍ଚିବାର କଳା ଓ କୌଶଳ ଅଛି। ମାକସିମ୍‌ ଗର୍କୀ କହିଛନ୍ତି, ”ମଣିଷ ଉଡ଼ିପାରେ ଆକାଶରେ ପକ୍ଷୀ ପରି, ବୁଡ଼ିପାରେ ପାଣିରେ ମାଛ ପରି ମାତ୍ର ପୃଥିବୀ ଉପରେ କିପରି ବଞ୍ଚିବାକୁ ହୁଏ ସେ ଜାଣେନାହିଁ।“ ଜିଇବା ସହିତ ବଞ୍ଚିବା ଯେଉଁଠାରେ ଏକାଠି ଥାଏ, ସେ ଜୀବନକୁ ଯଥାର୍ଥ ଜୀବନ ଭାବରେ ଗଣାଯାଏ। ଜିଇବା ସହିତ ନୈତିକତା, ନିଃସ୍ବାର୍ଥପରତା, ସରଳତା, ସରସତା ସର୍ବୋପରି ମାନବିକତା ମିଶିଲେ ବଞ୍ଚିବା ସମ୍ଭବ ହୁଏ।
କାମର ସୃଷ୍ଟି କାମନାରୁ, ପାଇଯିବାର ଇଚ୍ଛାରୁ, କିଛି ନେଇଯିବାର ଇଚ୍ଛାରୁ। କାମକୁ ପଲ୍ଲୀକବି ନନ୍ଦକିଶୋର ନିଦାଘର ମଧ୍ୟାହ୍ନ ବୋଲି କହିବା ବେଳେ ପ୍ରେମକୁ ପୂର୍ଣ୍ଣିମାର ଜହ୍ନରାତି ବୋଲି ଉଲ୍ଲେଖ କରିଛନ୍ତି। କାମରେ ପ୍ରତିଦାନ ଅଛି ମାତ୍ର ପ୍ରେମରେ ପ୍ରତିଦାନ ନାହିଁ। କାମରେ ସହିଷ୍ଣୁତା ନାହିଁ ମାତ୍ର ପ୍ରେମରେ ସହିଷ୍ଣୁତା ଅଛି। କାମରେ ଛଳନା ଥାଇପାରେ ମାତ୍ର ପ୍ରେମରେ ଛଳନା ନାହିଁ। କାମରେ ଅସନ୍ତୋଷ ଥାଏ ମାତ୍ର ପ୍ରେମରେ ଅସନ୍ତୋଷ ନାହିଁ। ସ୍ବାମୀ ବିବେକାନନ୍ଦଙ୍କ କଥାରେ ଆତ୍ମସଙ୍କୋଚନ ହିଁ କାମ ଏବଂ ଆତ୍ମପ୍ରସାରଣ ହିଁ ପ୍ରେମ। ନେବାରେ ଥାଏ ସୁଖ ଏବଂ ଦେବାରେ ଥାଏ ଆନନ୍ଦ। ଏହି ସୁଖପ୍ରାପ୍ତି ହିଁ କାମର ଲକ୍ଷ୍ୟ। ପ୍ରେମରେ ଥାଏ ଆନନ୍ଦ ଓ ବାସ୍ତବ ଉପଭୋଗ। ପ୍ରେମ ଏକ ପାରିଜାତ ଫୁଲ- ଯାହା ବର୍ଷମାସ ସବୁବେଳେ ଅମଉଳା ହୋଇ ରହିଥାଏ। ମାତ୍ର କାମ ସାଧାରଣ ଫୁଲଟିଏ, ଯାହା ସକାଳେ ଫୁଟି ସନ୍ଧ୍ୟାରେ ବା ସନ୍ଧ୍ୟାରେ ଫୁଟି ସକାଳକୁ ମଉଳି ଯାଇଥାଏ। କାମ କେବଳ ନିଜର ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ, ମାତ୍ର ପ୍ରେମ ପ୍ରେମାସ୍ପଦ ପାଇଁ, ଜାତି ପାଇଁ, ଦେଶ ପାଇଁ ତଥା ସମଗ୍ର ବିଶ୍ୱ ପାଇଁ ଉଦ୍ଦିଷ୍ଟ ହୋଇପାରେ।
ଶ୍ରମ ହେଉଛି ବିନିମୟାତ୍ମକ ଏକ ମାଧ୍ୟମ ଅର୍ଥାତ୍‌ ଏହା ବିନିମୟରେ କିଛି ଧନ, ଯଶ, ପ୍ରଶଂସା, କ୍ଷମତା ମିଳିବାର ଆଶା ଥାଇପାରେ। ମାତ୍ର କର୍ମରେ କିଛି ପାଇବାର ଆଶା ନ ଥାଏ, ଥାଏ କେବଳ ଆତ୍ମସନ୍ତୋଷ। କର୍ତ୍ତବ୍ୟ ପାଳନ ଜନିତ ଆତ୍ମସନ୍ତୋଷ ହିଁ ଏଥିରେ ଉପଲବ୍ଧ ହୋଇଥାଏ। ଅନ୍ୟପ୍ରକାରେ କୁହାଯାଇପାରେ ଯେ ଫଳର ଆଶା ନ ଥାଏ କର୍ମରେ। ଶ୍ରମ ଦ୍ୱାରା ବ୍ୟକ୍ତିଗତ ଉନ୍ନତି ହୋଇପାରେ ମାତ୍ର କର୍ମ ଦ୍ୱାରା ସାମୂହିକ ଉନ୍ନତି ସାଧିତ ହୋଇପାରେ।
ଏସବୁ କହିବା ଦ୍ୱାରା ବସ୍ତୁକୁ, ଧନକୁ, ସହାନୁଭୂତିକୁ, ଜିଇବାକୁ, କାମକୁ ଓ ଶ୍ରମକୁ ସାନ କରାଯାଉନାହିଁ। ବରଂ ଏତିକିରେ ସୀମିତ ନ ରହି ବସ୍ତୁଠାରୁ ବାସ୍ତବତା ପର୍ଯ୍ୟନ୍ତ, ଧନରୁ ମନ ପର୍ଯ୍ୟନ୍ତ, ସହାନୁଭୂତିରୁ ସମାନୁଭୂତି ପର୍ଯ୍ୟନ୍ତ, ଜିଇବାରୁ ବଞ୍ଚିବା ପର୍ଯ୍ୟନ୍ତ, କାମରୁ ପ୍ରେମ ପର୍ଯ୍ୟନ୍ତ ଓ ଶ୍ରମରୁ କର୍ମ ପର୍ଯ୍ୟନ୍ତ ପ୍ରସରି ଯିବା କଥା କୁହାଯାଉଛି। କାରଣ ପ୍ରସାରଣ ହିଁ ଯଥାର୍ଥ ଜୀବନ, ପ୍ରସାରଣ ହିଁ ମାନବବାଦର ଯଥାର୍ଥ ଜୟଗାନ।
କେଦାରଗୌରୀ ଆପାର୍ଟମେଣ୍ଟ, ଭୁବନେଶ୍ୱର, ମୋ-୯୪୩୭୭୫୬୨୪୦


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri