ସଙ୍କୋଚନରୁ ପ୍ରସାରଣ

ଡ. ଶରତ ଚନ୍ଦ୍ର ରଥ
ବସ୍ତୁଠାରୁ ବାସ୍ତବତା ବଡ଼। କାରଣ ବସ୍ତୁର ମୂଲ୍ୟ ଅଛି, ବାସ୍ତବତାର ମୂଲ୍ୟବୋଧ ଅଛି। ଧନଠାରୁ ମନ ବଡ଼। କାରଣ ଧନର ମୂଲ୍ୟ ଅଛି, ମନର ମୂଲ୍ୟବୋଧ ଅଛି। କାମଠାରୁ ପ୍ରେମ ବଡ଼। କାରଣ କାମରେ ନେବାର ମନୋଭାବ ଅଛି ମାତ୍ର ପ୍ରେମରେ ଦେବାର ମନୋବୃତ୍ତି ଅଛି। ଟିକିଏ ବିଶ୍ଳେଷଣ କଲେ ବୁଝି ହେବ ଯେ, ବସ୍ତୁ ଏକ ସୀମିତ କଥା, ଏହାର ଆବଶ୍ୟକତା ଅଛି, ଉପଯୋଗିତା ଅଛି, ବସ୍ତୁ ମାଧ୍ୟମରେ ବହୁ ପରିମାଣରେ ଅନ୍ତରର ଭାବ ଅଭିବ୍ୟକ୍ତ ହୁଏ। ବିଶ୍ୱରେ ସବୁକିଛି ବସ୍ତୁ, ଏପରିକି ବାୟୁ ମଧ୍ୟ। ଯାହାର ଆକାର, ପ୍ରକାର, ଚାପ, ଲମ୍ବ, ପ୍ରସ୍ଥ ଅଛି ସେସବୁ ବସ୍ତୁର ଅନ୍ତର୍ଗତ। ଆକାଶ ମଧ୍ୟ ଏକ ବସ୍ତୁ। ମାତ୍ର ବାସ୍ତବତା ହେଉଛି ଏକ ଅନୁଭୂତି ଯାହା କେତେକ ଅନୁଭବର ସାର ନିର୍ଯାସ। ସୁଖ, ଦୁଃଖ, ସୁବିଧା, ଅସୁବିଧା, ଲାଭ, କ୍ଷତି, ଜୟ, ପରାଜୟ ସବୁ କିଛି ଭିତରେ ଥିବା ଜୀବନାନୁଭୂତି ହିଁ ବାସ୍ତବତା। ଉଦାହରଣସ୍ବରୂପ ଧନ ଏକ ବସ୍ତୁ ମାତ୍ର ଦାରିଦ୍ର୍ୟ ଏକ ବାସ୍ତବତା। ଧନ ଦ୍ୱାରା ଦରିଦ୍ର୍ୟ ଦୂର ହୋଇପାରେ। ନ ହୋଇପାରେ ମଧ୍ୟ। ବସ୍ତୁ ଦ୍ୱାରା ବାସ୍ତବତାର ଅଭାବ ପୂରଣ କରାଯାଇ ପାରେ, ନ ପାରେ ମଧ୍ୟ। କହିବାର ଅର୍ଥ ହେଉଛି ଦରିଦ୍ର୍ୟ କେବଳ ଧନାଭାବଜନିତ ନ ହୋଇପାରେ, ମନ ଅଭାବ ଜନିତ, ଜ୍ଞାନ ଅଭାବ ଜନିତ ମଧ୍ୟ ହୋଇପାରେ।
ଧନଠାରୁ ମନ ବଡ଼ କଥାଟିକୁ ବିଶ୍ଳେଷଣ କଲେ ବୁଝିହେବ ଯେ, ଧନ ପୂରଣ କରେ ବାସ୍ତବ ଆବଶ୍ୟକତା, ବାହ୍ୟ ଆବଶ୍ୟକତା, ମାତ୍ର ମନ ପୂରଣ କରେ ଅନ୍ତର୍ନିହିତ ଆବଶ୍ୟକତା। ଉଚ୍ଚ ମନର ପଦେ ମିଠା କଥାର ମୂଲ୍ୟ କେତେ ଧନର ମୂଲ୍ୟଠାରୁ ମଧ୍ୟ ଅଧିକ। ସତରେ ମଧୁର କୋମଳ ବଚନର ସମକକ୍ଷ ଆଉ କିଛି ନାହିଁ। ଭଙ୍ଗାମନକୁ ଧନ ଯୋଡ଼ିପାରେ ନାହିଁ, ଟିକିଏ ହୁଏତ ତାଳି ପକାଇ କାମ ଚଳାଇ ଦେଇପାରେ।
ପୁଣି କୁହାଯାଇଛି ଯେ, ସହାନୁଭୂତିଠାରୁ ସମାନୁଭୂତି ବଡ଼। ସହାନୁଭୂତି ହେଉଛି ଅନ୍ୟର ଦୁଃଖ ଓ କଷ୍ଟକୁ ଅନୁମାନ କରି ପ୍ରତିକ୍ରିୟା ପ୍ରକାଶ କରିବା। ମାତ୍ର ସମାନୁଭୂତି କଥାଟି ଭିନ୍ନ। ସମାନୁଭୂତିରେ ଥାଏ ଏକାତ୍ମବୋଧ। ଅନ୍ୟ ଜାଗାରେ ନିଜକୁ ରଖି ଅନ୍ୟର ଶାରୀରିକ, ମାନସିକ ଯନ୍ତ୍ରଣାକୁ ଅନୁଭବ କରିବା ହିଁ ସମାନୁଭୂତିର ମୂଳମନ୍ତ୍ର। ଏହା ଅତ୍ୟନ୍ତ ଦୁର୍ଲଭ। ଏଥିପାଇଁ ଆବଶ୍ୟକ ମନର ପ୍ରଶସ୍ତତା ଓ ଉଚ୍ଚତା। ପାଖରେ କେବଳ ନୁହେଁ ଦୂରରେ ଥିଲେ ମଧ୍ୟ ଅନ୍ୟ ଜଣକର ଦୁଃଖ ଓ ସୁଖର ଅନୁଭବ ଏହା ଦ୍ୱାରା ଘଟିଥାଏ। ବିଶେଷତଃ ବଡ଼ ବଡ଼ ସାଧକମାନଙ୍କ କ୍ଷେତ୍ରରେ ଏହି ଅନୁଭବ ଘଟିଥାଏ। ବଳଦ ପିଠିରେ ହଳିଆର ପ୍ରହାର ଚିହ୍ନ ଶ୍ରୀରାମକୃଷ୍ଣଙ୍କ ପିଠିରେ ଦାଗ ହୋଇ ବସିଯାଇପାରେ। ଜିଇବା ବଡ଼ କଥା ମାତ୍ର ବଞ୍ଚିବା ତାହା ଅପେକ୍ଷା ଅଧିକ ବଡ଼ କଥା। ଜୀବନଧାରଣ କେବଳ ନିଜ ପାଇଁ ହେଲେ ଆମେ ତାକୁ ଜିଇବା କହିବା, ନିଜ ସହିତ ଅନ୍ୟ ପାଇଁ ହେଲେ ତାକୁ ଆମେ ବଞ୍ଚିବା କହିବା। ବଞ୍ଚିବାର କଳା ଓ କୌଶଳ ଅଛି। ମାକସିମ୍‌ ଗର୍କୀ କହିଛନ୍ତି, ”ମଣିଷ ଉଡ଼ିପାରେ ଆକାଶରେ ପକ୍ଷୀ ପରି, ବୁଡ଼ିପାରେ ପାଣିରେ ମାଛ ପରି ମାତ୍ର ପୃଥିବୀ ଉପରେ କିପରି ବଞ୍ଚିବାକୁ ହୁଏ ସେ ଜାଣେନାହିଁ।“ ଜିଇବା ସହିତ ବଞ୍ଚିବା ଯେଉଁଠାରେ ଏକାଠି ଥାଏ, ସେ ଜୀବନକୁ ଯଥାର୍ଥ ଜୀବନ ଭାବରେ ଗଣାଯାଏ। ଜିଇବା ସହିତ ନୈତିକତା, ନିଃସ୍ବାର୍ଥପରତା, ସରଳତା, ସରସତା ସର୍ବୋପରି ମାନବିକତା ମିଶିଲେ ବଞ୍ଚିବା ସମ୍ଭବ ହୁଏ।
କାମର ସୃଷ୍ଟି କାମନାରୁ, ପାଇଯିବାର ଇଚ୍ଛାରୁ, କିଛି ନେଇଯିବାର ଇଚ୍ଛାରୁ। କାମକୁ ପଲ୍ଲୀକବି ନନ୍ଦକିଶୋର ନିଦାଘର ମଧ୍ୟାହ୍ନ ବୋଲି କହିବା ବେଳେ ପ୍ରେମକୁ ପୂର୍ଣ୍ଣିମାର ଜହ୍ନରାତି ବୋଲି ଉଲ୍ଲେଖ କରିଛନ୍ତି। କାମରେ ପ୍ରତିଦାନ ଅଛି ମାତ୍ର ପ୍ରେମରେ ପ୍ରତିଦାନ ନାହିଁ। କାମରେ ସହିଷ୍ଣୁତା ନାହିଁ ମାତ୍ର ପ୍ରେମରେ ସହିଷ୍ଣୁତା ଅଛି। କାମରେ ଛଳନା ଥାଇପାରେ ମାତ୍ର ପ୍ରେମରେ ଛଳନା ନାହିଁ। କାମରେ ଅସନ୍ତୋଷ ଥାଏ ମାତ୍ର ପ୍ରେମରେ ଅସନ୍ତୋଷ ନାହିଁ। ସ୍ବାମୀ ବିବେକାନନ୍ଦଙ୍କ କଥାରେ ଆତ୍ମସଙ୍କୋଚନ ହିଁ କାମ ଏବଂ ଆତ୍ମପ୍ରସାରଣ ହିଁ ପ୍ରେମ। ନେବାରେ ଥାଏ ସୁଖ ଏବଂ ଦେବାରେ ଥାଏ ଆନନ୍ଦ। ଏହି ସୁଖପ୍ରାପ୍ତି ହିଁ କାମର ଲକ୍ଷ୍ୟ। ପ୍ରେମରେ ଥାଏ ଆନନ୍ଦ ଓ ବାସ୍ତବ ଉପଭୋଗ। ପ୍ରେମ ଏକ ପାରିଜାତ ଫୁଲ- ଯାହା ବର୍ଷମାସ ସବୁବେଳେ ଅମଉଳା ହୋଇ ରହିଥାଏ। ମାତ୍ର କାମ ସାଧାରଣ ଫୁଲଟିଏ, ଯାହା ସକାଳେ ଫୁଟି ସନ୍ଧ୍ୟାରେ ବା ସନ୍ଧ୍ୟାରେ ଫୁଟି ସକାଳକୁ ମଉଳି ଯାଇଥାଏ। କାମ କେବଳ ନିଜର ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ, ମାତ୍ର ପ୍ରେମ ପ୍ରେମାସ୍ପଦ ପାଇଁ, ଜାତି ପାଇଁ, ଦେଶ ପାଇଁ ତଥା ସମଗ୍ର ବିଶ୍ୱ ପାଇଁ ଉଦ୍ଦିଷ୍ଟ ହୋଇପାରେ।
ଶ୍ରମ ହେଉଛି ବିନିମୟାତ୍ମକ ଏକ ମାଧ୍ୟମ ଅର୍ଥାତ୍‌ ଏହା ବିନିମୟରେ କିଛି ଧନ, ଯଶ, ପ୍ରଶଂସା, କ୍ଷମତା ମିଳିବାର ଆଶା ଥାଇପାରେ। ମାତ୍ର କର୍ମରେ କିଛି ପାଇବାର ଆଶା ନ ଥାଏ, ଥାଏ କେବଳ ଆତ୍ମସନ୍ତୋଷ। କର୍ତ୍ତବ୍ୟ ପାଳନ ଜନିତ ଆତ୍ମସନ୍ତୋଷ ହିଁ ଏଥିରେ ଉପଲବ୍ଧ ହୋଇଥାଏ। ଅନ୍ୟପ୍ରକାରେ କୁହାଯାଇପାରେ ଯେ ଫଳର ଆଶା ନ ଥାଏ କର୍ମରେ। ଶ୍ରମ ଦ୍ୱାରା ବ୍ୟକ୍ତିଗତ ଉନ୍ନତି ହୋଇପାରେ ମାତ୍ର କର୍ମ ଦ୍ୱାରା ସାମୂହିକ ଉନ୍ନତି ସାଧିତ ହୋଇପାରେ।
ଏସବୁ କହିବା ଦ୍ୱାରା ବସ୍ତୁକୁ, ଧନକୁ, ସହାନୁଭୂତିକୁ, ଜିଇବାକୁ, କାମକୁ ଓ ଶ୍ରମକୁ ସାନ କରାଯାଉନାହିଁ। ବରଂ ଏତିକିରେ ସୀମିତ ନ ରହି ବସ୍ତୁଠାରୁ ବାସ୍ତବତା ପର୍ଯ୍ୟନ୍ତ, ଧନରୁ ମନ ପର୍ଯ୍ୟନ୍ତ, ସହାନୁଭୂତିରୁ ସମାନୁଭୂତି ପର୍ଯ୍ୟନ୍ତ, ଜିଇବାରୁ ବଞ୍ଚିବା ପର୍ଯ୍ୟନ୍ତ, କାମରୁ ପ୍ରେମ ପର୍ଯ୍ୟନ୍ତ ଓ ଶ୍ରମରୁ କର୍ମ ପର୍ଯ୍ୟନ୍ତ ପ୍ରସରି ଯିବା କଥା କୁହାଯାଉଛି। କାରଣ ପ୍ରସାରଣ ହିଁ ଯଥାର୍ଥ ଜୀବନ, ପ୍ରସାରଣ ହିଁ ମାନବବାଦର ଯଥାର୍ଥ ଜୟଗାନ।
କେଦାରଗୌରୀ ଆପାର୍ଟମେଣ୍ଟ, ଭୁବନେଶ୍ୱର, ମୋ-୯୪୩୭୭୫୬୨୪୦


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri