ଶିଶୁ ଓ ସାଇବର ଅପରାଧ

ଘାସିରାମ ପଣ୍ଡା

ଇଣ୍ଟରନେଟ ବ୍ୟବହାର ବର୍ତ୍ତମାନର ଏକ ଆବଶ୍ୟକତା ହୋଇଗଲାଣି। ସବୁ ବର୍ଗର ଲୋକେ ଭିନ୍ନ ଭିନ୍ନ କାରଣ ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ପିଲାମାନେ ମଧ୍ୟ ଏଥିରୁ ବାଦ୍‌ ଯାଇ ନାହାନ୍ତିି। ଅନ୍‌ଲାଇନରେ ପାଠ ପଢିବା ସମେତ ଖେଳିବା, ବନ୍ଧୁମାନଙ୍କ ସହ ବାର୍ତ୍ତା ବିନିମୟ କରିବା, ବିଭିନ୍ନ ରୁଚି ଅନୁଯାୟୀ ଦଳ ଗଠନ କରିବା, ଟିକ୍‌ଟକ ଭିଡିଓ କରିବା ଭଳି ଅନେକ କାମରେ ସେମାନେ ଉସ୍ତାଦ ହେଲେଣି। ଏବେ ତାଲାବନ୍ଦ କାରଣରୁ ଯେଉଁମାନଙ୍କର ଅନ୍‌ଲାଇନ ଯୋଗେ ପାଠପଢା ହେଉଛି ସେମାନଙ୍କର ସ୍ମାର୍ଟ ଫୋନ ବା ଲାପଟପ, କମ୍ପ୍ୟୁଟର ସହିତ ଅଧିକ ସମୟ ବିତେଇବାର ସୁଯୋଗ ସୃଷ୍ଟି ହୋଇଛି। ଇଣ୍ଟରନେଟ ଯେତିକି ସୁବିଧା କରିଛି, ଅନେକ ପିଲାଙ୍କୁ ସେତିକି ଅସୁବିଧାରେ ବି ପକାଉଛି। ପାଠ ସହିତ ଫେସବୁକ, ୟୁଟ୍ୟୁବ ଭଳି ଇଣ୍ଟରନେଟଭିତ୍ତିିକ ପ୍ଲାଟଫର୍ମ ସହିତ ଯୋଡି ହୋଇ ମଜା ଉଠାଉଛନ୍ତି। ଏ ସବୁର ବ୍ୟବହାର ସମୟରେ ସବୁ ବେଳେ ଅଭିଭାବକ ପାଖରେ ରହି ପାରୁ ନାହାନ୍ତି। ଏଣୁ ସ୍ବାଧୀନ ଓ ଏକାନ୍ତ ଭାବେ ଇଣ୍ଟରନେଟର ବ୍ୟବହାର କରିବାର ସୁଯୋଗ ମିଳି ଯାଉଛି। ଗୋଟିଏ କ୍ଲିକ୍‌ରେ ସାରା ଦୁନିଆ ଖେଦି ଯିବାର ମାଦକତା କୈଶୋର ମନରେ ଆଲୋଡନ ସୃଷ୍ଟି କରୁଛି। ଏହି ବୟସରେ ମନ ଓ ଦେହର ପରିବର୍ତ୍ତନ ଯୋଗୁ ଯେଉଁ ଚିନ୍ତନ ଆସେ, ସେମାନେ ନିଜ ଆୟତ୍ତରେ ଥିବା ଇଣ୍ଟରନେଟ ଯୋଗେ ତା’ର ପ୍ରୟୋଗ କରୁଛନ୍ତି।
କିଛିଦିନ ତଳେ ମୋ ନିକଟକୁ ଏକ ଅଜଣା ନମ୍ବରରୁ ହ୍ବାଟ୍‌ସ ଆପ୍‌ରେ ବାର୍ତ୍ତାଟେ ପହଞ୍ଚିଲା। ଲେଖାଥିଲା କ’ଣ କରୁଛ? ଭାବିଲି କେହି ଚିହ୍ନା ହୋଇଥିବେ ବୋଧେ। ମୁଁ ଉତ୍ତର ଦେଲି। ପ୍ରତ୍ୟୁତ୍ତର ଆସିଲା ତୁମ ଫଟୋଟେ ପଠାଅ। ପରେ ପରେ ସେପରି ଆହୁରି କିଛି ଅବାଞ୍ଛିତ ବାର୍ତ୍ତା ମତେ ଆଶ୍ଚର୍ଯ୍ୟ କଲା, ମନରେ ଶଙ୍କା ବି ହେଲା। ହେଲେ ଉତ୍ସୁକତା ବଶତଃ ମଁୁ କଥାବାର୍ତ୍ତାକୁ ଆଗକୁ ବଢେଇଲି। ଫଳାଫଳରେ ଏଇଆ ଜାଣିପାରିଲି ଯେ, ବର୍ତ୍ତା ପ୍ରେରକ ଜଣେ ୧୪ ବର୍ଷର ବାଳକ ଥିଲେ। ମୁଁ ତାଙ୍କ ପାଇଁ ଅଜଣା ଥିଲେ ବି ସେ ମୋର ପରିଚିତ ପରିବାରରୁ ବୋଲି ଜାଣିପାରିଲି। ପରେ ତାଙ୍କ ଅଭିଭାବକଙ୍କୁ ଏ ବିଷୟରେ ଅବଗତ କରେଇ ପିଲା ସହିତ ଉପଯୁକ୍ତ ଢଙ୍ଗରେ କଥା ହୋଇ ବୁଝେଇବାକୁ କହିଲି। ପିଲା ଇଣ୍ଟରନେଟ ବ୍ୟବହାର କଲା ବେଳେ ମଝିରେ ମଝିରେ ତଦାରଖ କରିବାକୁ ପରାମର୍ଶ ଦେଲି। ଏଭଳି ସ୍ଥିତିରେ କୌଣସି ଅଣସମ୍ବେଦନଶୀଳ ଅପରିଚିତ ଲୋକ ହାବୁଡରେ ପିଲାଟି ପଡିଥିଲେ ପରିସ୍ଥିତି କ’ଣ ହୋଇଥାନ୍ତା, ସେକଥା କିଏ କହିବ?
ଇଣ୍ଟରନେଟର ମାୟାଜାଲରେ ପଡି ପିଲାମାନେ ନିଜେ ଆପରାଧିକ କାର୍ଯ୍ୟକଳାପରେ ଜଡିତ ହେଉଛନ୍ତି ବା ଅପରାଧୀର ଶିକାର ହେଉଛନ୍ତି। ଲଜ୍ଜା ଓ ସଂକୋଚ କାରଣରୁ କାହାକୁ କହି ନ ପାରି ଘଟଣାକୁ ଚପେଇ ରଖୁଛନ୍ତି। ପରେ ଏହା ମାନସିକ ଅବସାଦ ଓ ଅପମୃତ୍ୟୁର କାରଣ ସାଜୁଛି। ବ୍ଲୁ ହୁଇଲସ୍‌ ଭଳି ଖେଳ ଯୋଗୁ ହାତ କାଟିଦେବା, ଆତ୍ମହତ୍ୟା କରିବା, ସାମାଜିକ ଗଣମାଧ୍ୟମ ଯୋଗେ ସମ୍ପର୍କ ହେଲା ପରେ ପ୍ରେମର ଦ୍ୱାହି ଓ ବିବାହର ପ୍ରତିଶ୍ରୁତି ଦେଇ ଯୌନ ଶୋଷିତ ହେବା ଭଳି ଅନେକ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଉଛି। କମ୍‌ ବୟସରେ ଫେସବୁକ ଆକାଉଣ୍ଟ ଖୋଲିଥିବା ଅନେକ ପିଲା ଭବିଷ୍ୟତର ପରିଣାମ ସମ୍ପର୍କରେ ଅଜ୍ଞ ହୋଇ ମାନହାନି, ଆପରାଧିକ ଓ ନିଷିଦ୍ଧ ବିଷୟ ମଧ୍ୟ ପୋଷ୍ଟ କରି ଦେଉଛନ୍ତି। ଏହା ସେମାନଙ୍କୁ ଆଇନର ଜଟିଳତାରେ ଛନ୍ଦି ଦେଉଛି। କ୍ଷଣିକ ଉତ୍ତେଜନା ଜୀବନକୁ ଅମା ଅନ୍ଧକାରମୟ କରି ଦେଉଛି। ପ୍ରତ୍ୟେକ ଇଣ୍ଟରନେଟ ପ୍ଲାଟଫର୍ମରେ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ବ୍ୟବସ୍ଥା ଥାଏ। ଏ ବିଷୟରେ ସଚେତନ ନ ଥିବା କିଶୋର କିଶୋରୀମାନେ ତଥ୍ୟର ଚୋରି ଓ ତା’ର ଅପବ୍ୟବହାରର ଶିକାର ହୁଅନ୍ତି। ପରବର୍ତ୍ତୀ ସମୟରେ ଏହିସବୁ ବ୍ୟକ୍ତିଗତ ତଥ୍ୟ ଆଉ କେହି ଅସାଧୁ ବ୍ୟକ୍ତି ସର୍ବସାଧାରଣରେ ପ୍ରକାଶ କରିଦେବାର ଧମକ ଦେଇ ସେମାନଙ୍କୁ ହଇରାଣ ଓ ଶୋଷଣ କରନ୍ତି। କିଶୋରୀମାନେ ଏଭଳି ପରିସ୍ଥିତିର ବିଶେଷ ସମ୍ମୁଖୀନ ହୁଅନ୍ତି।
୨୦୧୨ରେ ମାଇକ୍ରୋସଫ୍ଟ କରିଥିବା ଏକ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ ଭାରତରେ ୫୩ଭାଗ ଶିଶୁ ଅନ୍‌ଲାଇନ ବ୍ୟବହାର ସମୟରେ ଧମକର ଶିକାର ହୁଅନ୍ତି। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ସଦ୍ୟ ପ୍ରକାଶିତ କିଛି ତଥ୍ୟ ମଧ୍ୟ ଚିନ୍ତା ଉଦ୍ରେକ କରୁଛି। ୨୦୧୮ ତୁଳନାରେ ୨୦୧୯ରେ ଆମ ରାଜ୍ୟରେ ସାଇବର ଅପରାଧ ୭୬ ଶତକଡା ବଢିଛି। ମୋଟ ୧୪୮୫ଟି ଏପରି ଘଟଣାରୁ ୩୯୭ଟି ଅନ୍‌ଲାଇନରେ ଯୌନ ଅପରାଧର ମାମଲା ରହିଛି। ଏହା ସହିତ ଶିଶୁମାନଙ୍କୁ ଯୌନ ନିର୍ଯାତନା ନିଷେଧ (ପୋକ୍ସୋ) ଆଇନ ଅଧୀନରେ ଶିଶୁମାନଙ୍କୁ ଅଶ୍ଳୀଳ ସାହିତ୍ୟ, ଚିତ୍ର ବା ଚଳଚ୍ଚିିତ୍ରରେ ବ୍ୟବହାର କରିବା ବା ସେପରି ବସ୍ତୁକୁ ସାଇତି ରଖିବା ଅପରାଧରେ ୫୪୨ଟି ଘଟଣା ଦାଏର ହୋଇଛି। ଏହା ଦେଶରେ ସବୁଠାରୁ ଅଧିକ ଓ ଏହା ତଳକୁ ରାଜସ୍ଥାନରେ ମାତ୍ର ୧୫୭ଟି ଘଟଣାରେ ପୋଲିସ କେସ୍‌ ହୋଇଛି। ଏହିପରି ଅପରାଧର ନିୟନ୍ତ୍ରଣ ପାଇଁ ଇନ୍‌ଫର୍‌ମେଶନ ଟେକ୍‌ନୋଲୋଜି ଆଇନ, ଭାରତୀୟ ଦଣ୍ଡ ସଂହିତା ଓ ଶିଶୁମାନଙ୍କୁ ଯୌନ ନିର୍ଯାତନା ନିଷେଧ (ପୋକ୍ସୋ) ଆଇନରେ ବିଶେଷ ପ୍ରାବଧାନ ରହିଛି। ହୁଏତ ଲୋକେ ଧୀରେ ଧୀରେ ଏ ସମ୍ପର୍କରେ ଅବଗତ ହେଲେଣି। ଏଣୁ ଘଟଣା ପୋଲିସ ପାଖକୁ ଆସୁଛି। କିନ୍ତୁ ଦାଏର ଘଟଣାକୁ ନେଇ ବିଭାଗୀୟ ସମ୍ବେଦନଶୀଳତା ଓ ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।
ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ୨୦୧୯ରେ ଦାଏର ହୋଇଥିବା ସାଇବର ଅପରାଧ ମଧ୍ୟରୁ ଗୋଟିଏ ଘଟଣାର ବି ବିଚାର ଓ ଦଣ୍ଡବିଧାନ ହୋଇପାରି ନାହିଁ। ଏହା ବ୍ୟତୀତ ଅଶ୍ଳୀଳ ୱେବ୍‌ସାଇଟର ନିୟନ୍ତ୍ରଣ, ଅନ୍‌ଲାଇନରେ ଦିଆଯାଉଥିବା ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ପ୍ରଭୃତି ପାଇଁ ନୀତି ପ୍ରଣୟନ, କାର୍ଯ୍ୟାନ୍ବୟନକାରୀ ଅଧିକାରୀଙ୍କ ଦକ୍ଷତାବୃଦ୍ଧି ଓ ଏଭଳି ଘଟଣାର ପରିଚାଳନା ତଥା ଅନୁସନ୍ଧାନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ବିକାଶ ଲାଗି ମଧ୍ୟ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ପରିଲକ୍ଷିତ ହୁଏ। ପିଲା ଏବଂ ଅଭିଭାବକଙ୍କ ଭିତରେ ସାଇବର ଅପରାଧ ଜନିତ ସୂଚନା ଓ ସଚେତନତା ବଢିଲେ ଅଭିଭାବକମାନେ ନିୟମିତ ତଦାରଖ କରିପାରିବା ସହ ପିଲାମାନେ ମଧ୍ୟ ଏ ନେଇ ସେମାନଙ୍କୁ ନିଃସଂକୋଚରେ କହିପାରିବେ।
ସୁବର୍ଣ୍ଣପୁର, ମୋ-୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତିରେ ସୁଧାର ଓ ଜାତୀୟ ନିୟୋଜନ ସଂସ୍ଥା

ନଗେନ୍ଦ୍ର ନାଥ ପଟ୍ଟନାୟକ ବିଗତ ବର୍ଷଗୁଡ଼ିକରେ ଦେଶ ଯେତେସବୁ ସମସ୍ୟାର ସମ୍ମୁଖୀନ ହୋଇଛି ତନ୍ମଧ୍ୟରୁ ବେରୋଜଗାରୀ ଏକ ପ୍ରମୁଖ ସମସ୍ୟା । ସରକାରୀ ହେଉ କି...

ଜୟଶଙ୍କରଙ୍କ ତିନୋଟି କଥା

ଆକାର ପଟେଲ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଏକ ବିଦ୍ୱାନ ପରିବାରରୁ ଆସିଛନ୍ତି। ତାଙ୍କ ବାପା କେ. ସୁବ୍ରମଣ୍ୟମ୍‌ ଦିଲ୍ଲୀର ପ୍ରତିଷ୍ଠିତ ଥିଙ୍କ୍‌ଟ୍ୟାଙ୍କ ଆଇଡିଏସ୍‌ଏର ପ୍ରତିଷ୍ଠାତା...

ଆଜି ‘ୟେସ୍‌’ କାଲି ‘ନୋ’

କିଛିବର୍ଷ ଧରି ଭାରତର ନେତୃତ୍ୱ କେବଳ ପରାମର୍ଶ ନୁହେଁ, ବିମୁଦ୍ରୀକରଣ ଭଳି ପଦକ୍ଷେପ ନେଇ ଦେଶବାସୀଙ୍କୁ ବାଧ୍ୟ କରୁଛନ୍ତି ବ୍ୟାଙ୍କ ମାଧ୍ୟମରେ ସବୁ ସାନବଡ଼ ଆର୍ଥିକ...

ଏଇ ଭାରତରେ

ଭାରତରେ ଧାର୍ମିକ ପରମ୍ପରାରେ ଏବେ ବି ଯନ୍ତ୍ରଣାଦାୟକ ବିଧି ଜମିରହିଛି। ଏମିତିକି ଆଧୁନିକତାର ସ୍ରୋତରେ ସାମିଲ ହୋଇଥିବା ରାଜପରିବାରରେ ମଧ୍ୟ ଏଭଳି କିଛି ବିଧି ଉପରେ...

ଜୀବନ ଓ ଜୀବିକା କିଏ ଆଗ

ସହଦେବ ସାହୁ ଜୀବିକା ଆଗ ନା ଜୀବନ ଆଗ- ଏମିତି ପ୍ରଶ୍ନ କରିବା ବେଳେ ମହାମାରୀ ସମୟର ଅର୍ଥନୀତି (ପାଣ୍ଡେମିକ ଇକନମିକ୍ସ) ବୁଝିବାର ଠିକ୍‌ ମାର୍ଗରେ...

ଦେଶାନ୍ତରୀ ଶିଶୁଙ୍କ ଶିକ୍ଷା ଅଧିକାର

ଘାସିରାମ ପଣ୍ଡା ଦାରିଦ୍ର୍ୟ ହେତୁ ପଶ୍ଚିମ ଓଡିଶାର ଅନେକ ପରିବାର ଆନ୍ଧ୍ର ସମେତ ବିଭିନ୍ନ ରାଜ୍ୟର ଇଟାଭାଟିଗୁଡ଼ିକରେ କାମ କରିବାକୁ ଯାଆନ୍ତି। ଏଥିରେ ଛୋଟ ପିଲାମାନେ...

ଏଇ ଭାରତରେ

ମଦ୍ୟପାନ ଦୂର କରିବା ପାଇଁ ଗୁଜରାଟର ଏକ ଗାଁ ଅଜବ ଉପାୟ ଆପଣାଇଛି। ଗାଁର ନାଁ ଖାଟିସିତାରା। ବନାସକାନ୍ଥା ଜିଲା ଅନ୍ତର୍ଗତ ଏହି ଆଦିବାସୀବହୁଳ ଗାଁରେ...

ଏଇ ଭାରତରେ

ମଣିଷ ଅର୍ଥ ସଞ୍ଚୟ କରେ ତା’ ଭବିଷ୍ୟତ ପାଇଁ। କିନ୍ତୁ ଏକ କୃଷକ ଦମ୍ପତି ଜୀବନ ସାରା ସଞ୍ଚୟ କରିଥିବା ଅର୍ଥକୁ ଲକଡାଉନ୍‌ ସମୟରେ ଅସହାୟମାନଙ୍କୁ...


Coronavirus Update

Archives

Model This Week

Why Dharitri