ରାସ୍ତାକଡ଼ର ଜୀବନ

ଅଧ୍ୟାପକ ନିରଞ୍ଜନ ପାଢ଼ୀ

ସମୟ: ଏଇ ବୈଶାଖ ମାସର ମଧ୍ୟାହ୍ନ। ସ୍ଥାନ: ରାଜଧାନୀର ଏକ କଲୋନି ଅଞ୍ଚଳର ରାସ୍ତାକଡ଼। ଦୃଶ୍ୟ: ମୁଣ୍ଡ ଉପରେ ଦାଉ ଦାଉ ଜଳୁଥିବା ଅଗ୍ନିବର୍ଷୀ ସୂର୍ଯ୍ୟ ଓ ପାଦ ତଳେ ତାତିଲା ପୃଥିବୀ। ରାଜରାସ୍ତାରେ ନିଶୂନ ନୀରବତା। ପତ୍ନୀପତି ଦୁହେଁ ରାସ୍ତାକଡ଼ରେ ଖୋଳି ଚାଲିଛନ୍ତି ଶହେ ଫୁଟ ଲମ୍ବ, ଫୁଟେ ଓସାର ଓ ଚାରିଫୁଟ ଗଭୀରର ନାଳଟିଏ ଜଳଯୋଗାଣ ପାଇପ୍‌ ବିଛା ହେବା ପାଇଁ। ରାଜଧାନୀ ବାସିନ୍ଦା ବାବୁମାନଙ୍କୁ ଜଳକଷ୍ଟରୁ ଉଦ୍ଧାର କରିବା ପାଇଁ।
ମଜୁରିଆ ଦମ୍ପତିଙ୍କଠୁଁ ଅଳ୍ପ ଦୂରରେ ଗୋଟିଏ ଡେଙ୍ଗା ପତଳା ପତ୍ରଝଡ଼ା ଗଛର ହାଲୁକା ଛାଇରେ ଆକାଶକୁ ଚାହିଁ ହସୁଛି ଛଅମାସର କଅଁଳ ଶିଶୁଟିଏ। ପାଖରେ ତା’ର ତିନି ଚାରିବର୍ଷର ଅଗ୍ରଜ, ଯିଏ ତା’ ଜୀବନର ପ୍ରଥମ ଦାୟିତ୍ୱ ନିର୍ବାହ କରୁଛି ନିଜ ସାନଭାଇର ଯତ୍ନରକ୍ଷକ ହୋଇ। ସାନଭାଇଟି ପରି ବଡ଼ଟି ଓଠରେ ମଧ୍ୟ ହସ; ପ୍ରଚଣ୍ଡ ରୌଦ୍ରତାପରେ ଦହନ ଯନ୍ତ୍ରଣାର ସାମାନ୍ୟ ଆଭାସ ବିନା। ଦୁହଁିଙ୍କ ବୟସର ଅନ୍ୟ ସ୍ବଚ୍ଛଳ ଶିଶୁମାନେ ଯେତେବେଳେ ବିଦ୍ୟୁତ୍‌ ପଙ୍ଖା, ଏୟାରକୁଲର ଅବା ଏସିର ଶୀତଳ ପବନ ଭିତରେ ଘରର ଚାରିକାନ୍ଥ ମଧ୍ୟରେ ସୁରକ୍ଷିତ, ସେତେବେଳେ ଆକାଶର ଅଗ୍ନିବର୍ଷା ତଳେ ଦୁଇଭାଇ ଯେମିତି ସେମାନଙ୍କ ସ୍ବପ୍ନମୟ ଶୈଶବକୁ ଉପଭୋଗ କରୁଛନ୍ତି!
ଏଥର ତ ଆଦ୍ୟ ବିଷୁବର ଆରମ୍ଭରୁ ସମଗ୍ର ରାଜ୍ୟରେ ଅଂଶୁର ତାଣ୍ଡବ। ଆମ ରାଜଧାନୀ ତ ରାଜ୍ୟରେ ଅନ୍ୟ ବହୁ ତାତିଲା ଗଡ଼କୁ ପଛରେ ପକାଇ ଦେଇଛି। ସ୍ମାର୍ଟ ସିଟିର ଯାବତୀୟ ସ୍ମାର୍ଟ ଉପାଦାନ ମଧ୍ୟରେ ତଥାପି ଯେଉଁଠି ଜୀବନ ଡହଳବିକଳ, ସେଠି ମୁକ୍ତ ଆକାଶର ଛାତ ତଳେ ନିଜ ପେଟ ପୂରାଇବାକୁ ସମ୍ବଳ ସାଉଁଟୁଥିବା ଅସହାୟ ଶ୍ରମଜୀବୀ ମଣିଷ କେମିତି ବା ସାମ୍‌ନା କରନ୍ତା ନିଅଁା ଝାଡ଼ୁଥିବା ଉଦଣ୍ଡ ସୂର୍ଯ୍ୟଙ୍କୁ! ଶ୍ରମଜୀବୀ ମଣିଷମାନେ ତ ସମାଜର ଶେଷଧାଡ଼ିର ମଣିଷ, ରାସ୍ତାକଡ଼ର ଜୀବନଟିଏ ଜିଇବା ପାଇଁ ସେମାନେ ବସ୍ତୁତଃ ବାଧ୍ୟ। ତେଣିକି ଆକାଶରୁ ନିଅଁାବରଷୁ ତ ବାଦଲଫଟା ବର୍ଷା, ସଡ଼କର ସନ୍ତାନ ତ ସଡ଼କରେ ହିଁ ବଞ୍ଚତ୍ବ!
ପ୍ରକୃତିର ତାଣ୍ଡବ ଆଗରେ ମଣିଷର ସକଳ ବିଦ୍ୟା ବୁଦ୍ଧି ସବୁକାଳେ ପରାଜିତ। ସୁତରାଂ, ଅଂଶୁଘାତ ସମ୍ପର୍କରେ ସତର୍କ ସୂଚନାର ବ୍ୟାପକ ପ୍ରଚାର କରାଯାଇ ଅଂଶୁ ଆତକଙ୍କୁ ପ୍ରତିହତ କରିବାର ପ୍ରଚେଷ୍ଟା ବାରମ୍ବାର ପ୍ରତିଧ୍ୱନିତ ହେଉଛି ଟିଭି ଓ ସମ୍ବାଦପତ୍ର ଆଦି ବିସ୍ତୃତ ଗଣମାଧ୍ୟମରେ। ସରକାରୀ ଚେତାବନୀ ପ୍ରକାଶପାଉଛି- ”ଦିନ ଦଶଟା ପରେ ଘରୁ ପଦାକୁ ବାହାରନ୍ତୁ ନହିଁ। ଯଦି ବାହାରିବା ନିତାନ୍ତ ଲୋଡ଼ା ପଡ଼େ, ତେବେ ମୁଣ୍ଡରେ ଗାମୁଛା ଓ କାନ୍ଧରେ ପାଣିବୋତଲ ଧରି ବାହାରନ୍ତୁ। ଏଗାରରୁ ତିନିଟାଯାଏଁ ଶ୍ରମିକମାନଙ୍କୁ କାମରେ ଲଗାନ୍ତୁ ନାହିଁ। ଶିଶୁ ଓ ବୃଦ୍ଧମାନଙ୍କ ପାଇଁ ଅଧିକ ସତର୍କ ହୁଅନ୍ତୁ।“ ଯେଉଁମାନେ ଟିଭି ଦେଖନ୍ତି, ଖବରକାଗଜ ପଢ଼ନ୍ତି ସେମାନଙ୍କ ଉପରେ ଏହି ସରକାରୀ ସୂଚନାର ପ୍ରଭାବକୁ କେହି ଅସ୍ବୀକାର କରିପାରିବେ ନାହିଁ।
ମାତ୍ର ଯେଉଁମାନେ ସଡ଼କର ସନ୍ତାନ! ଘର ବାହାର ରାସ୍ତାକଡ଼ରେ ପ୍ରତିପାଳିତ ଯେଉଁମାନଙ୍କ ଜୀବନ! ରାସ୍ତା ଉପରକୁ ନ ବାହାରିଲେ ଯେଉଁମାନଙ୍କ ଦିନ ସରେନାହିଁ କି ପେଟ ପୂରେ ନାହିଁ, ସେମାନଙ୍କ ପାଇଁ ସବୁ ଦିନ, ସବୁ ମାସ ଓ ସବୁ ଋତୁର ଅନୁଭବ ଏକା ପରି! ସେମାନଙ୍କ ପାଇଁ ବୈଶାଖ ଓ ଶ୍ରାବଣ ମଧ୍ୟରେ କିଛି ଫରକ ନାହିଁ। ଅଗ୍ନିବର୍ଷୀ ଆକାଶ ଓ ବାଦଲଘେରା ବର୍ଷାମୁଖର ଆକାଶ ମଧ୍ୟରେ କିଛି ପ୍ରଭେଦ ନାହିଁ। ବାସ୍‌, ଉପରେ ଆକାଶ ତଳେ ପୃଥିବୀ। ତା’ ମଧ୍ୟରେ ଅଲୋଡ଼ା ଅବହେଳିତ ସଂଘର୍ଷମୟ ଜୀବନଟିଏ ଜିଉଁଥିବା ରାସ୍ତାକଡ଼ର ମଣିଷଟିଏ ସେ! ଟିଭି ଦେଖିବା ବା ସମ୍ବାଦପତ୍ର ପଢ଼ିବାର ନା ସୁଯୋଗ ଅଛି ନା ଅଛି ଯୋଗ୍ୟତା। ସୁତରାଂ, ସେ କାହୁଁ ବା ଜାଣନ୍ତା ପ୍ରଚଣ୍ଡ ରୌଦ୍ରତାପରେ ଏଠି ସଂଭ୍ରାନ୍ତ ବୋଲାଉଥିବା ଲୋକ ବି ସଂତ୍ରସ୍ତ, ଆତଙ୍କିତ। ଜାଣିଲେ ସେ କରନ୍ତା ବା କ’ଣ! ଦିନଟିଏ ରାସ୍ତାକୁ ନ ବାହାରିଲେ, ନିଅଁାବର୍ଷାକୁ ଡରି ନିଜକୁ ଘର ଭିତରେ ବନ୍ଦୀ କରି ରଖିଲେ, ତା’ ପରଦିନ ପୃଥିବୀ ପୃଷ୍ଠରେ ବଞ୍ଚତ୍ ରହିବାକୁ ସେ ଓ ତା’ର ପରିବାର ସୁଯୋଗ ପାଇବେ ତ!
ସୁତରାଂ, ସେ ବିଲରେ ଯାଇ କାମ କରେ, ସଡ଼କ ଉପରେ ରିକ୍‌ସା ଟାଣେ, ରାସ୍ତାକଡ଼ରେ ପଇଡ଼ କି ତରଭୁଜ ବିକେ। ପୁଣି ହାତରେ କରଣି ଧରି ଘର ତୋଳେ ତ କୋଦାଳ ଧରି ପାଣି ପାଇପ୍‌ ବିଛା ହେବା ପାଇଁ ମାଟି ଖୋଳୁଥାଏ। ପୁଣି କେଉଁଠି ବାରବର୍ଷର ବାଳିକାଟିଏ ହୋଇ ଘସି ପାରୁଥାଏ ବା ଜରି ଗୋଟାଉଥାଏ ବା ଅନ୍ୟ କେଉଁଠି ସାତ ବର୍ଷର ବାଳକଟିଏ ଉପରେ ମାଆବାପାଙ୍କ କାମ ସରିବାଯାଏଁ ଗଛମୂଳରେ ବସି ଟିକିଭାଇଟିର ଦାୟିତ୍ୱ ନେଉଥାଏ। ଅଂଶୁଘାତର ଆତଙ୍କ ସମ୍ପର୍କରେ କେହି ଏମାନଙ୍କୁ ଚେତାଇଦେଲେ ଅବା ଆଇନକୁ ଡରି ଏମାନଙ୍କୁ କେହି କାମ ଦେବାକୁ ମନାକଲେ ଏମାନେ ଉପହାସରେ ହସନ୍ତି। ସେମାନେ କହନ୍ତି, ”ଆମେ ତ ଆଉ ତୁମ ପରି ପାଟିରେ ରୁପା ଚାମଚ ନେଇ ଜନ୍ମ ହୋଇନାହୁଁ ଯେ ତାତିଲା ଖରାକୁ ଡରି ଘର ଭିତରେ ବସି ରହିବୁ! ଆମେ ସଡ଼କର ସନ୍ତାନ। ରାସ୍ତାକଡ଼ରେ ବନ୍ଧା ଆମ ଜୀବନ। ପ୍ରକୃତିର ପ୍ରକୋପକୁ ଡରି ରାସ୍ତା ଉପରକୁ ନ ବାହାରିଲେ ପେଟ ପୋଷିବୁ କେମିତି?“
ନିଜ ନିଜର ମହର୍ଗ ମୁଣ୍ଡକୁ ଅଂଶୁତାପରୁ ସୁରକ୍ଷିତ ରଖିବା ପାଇଁ ଏସି କାରରେ ସବାର ହୋଇ ବେକରେ ଫୁଲମାଳ ପକାଇ ଏବେକାର ନିର୍ବାଚନ ବେଳାରେ ମାଇକ୍ରୋଫୋନ୍‌ ଆଗରେ ଗରିବ, ଶ୍ରମିକଙ୍କ ସ୍ବାର୍ଥରକ୍ଷା ପାଇଁ ଚିତ୍କାର ଛାଡୁଥିବା ନେତାମାନଙ୍କ ପାଖରେ ଏମାନଙ୍କ ପ୍ରଶ୍ନର କି ଉତ୍ତର ଅଛି କେଜାଣି! ଶାସନର ପ୍ରଭୁ ହେବାକୁ ଯାଉଥିବା ଏଇ ଭୋଟପ୍ରାର୍ଥୀମାନଙ୍କ ପାଖରେ ଏଇ ପ୍ରଶ୍ନର ଉତ୍ତର ଥାଉ କି ନ ଥାଉ, ପ୍ରକୃତିର ପ୍ରଭୁଙ୍କ ପାଖରେ ଏ ଅଭିମାନର କିଛି ମୂଲ୍ୟ ନ ଥାଏ। ଅଂଶୁଘାତରୁ ନିଜ ନିଜକୁ ସବୁମତେ ସୁରକ୍ଷିତ ରଖୁଥିବା ସତର୍କ ଓ ସମର୍ଥ ମଣିଷମାନଙ୍କ ପାଖ ମାଡ଼ିପାରୁ ନ ଥିବା ଅଂଶୁର ଅଗ୍ନିରେ କେବଳ ଜଳିଯା’ନ୍ତି ଦୁଃଖୀ ଦରିଦ୍ରମାନେ। ସରକାରୀ ରିପୋର୍ଟ ଅନୁଯାୟୀ, ଏ ବର୍ଷ ସାରା ରାଜ୍ୟରେ ଯେଉଁ କେତେକ ଅଂଶୁଘାତ ଆକ୍ରାନ୍ତମାନେ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି ଅବା ଯେଉଁ ତିନିଜଣ (ବେସରକାରୀ ଭାବେ ସଂଖ୍ୟା ବେଶ୍‌ ଅଧିକ ହେବ ବୋଲି ବିଶ୍ୱାସ କରାଯାଏ) ସଂସାର ଛାଡ଼ିଛନ୍ତି, ସେମାନେ ସବୁ ଏହି ବର୍ଗର, ଦୁଃସ୍ଥ ଓ ଦରିଦ୍ର।
ଲକ୍ଷ୍ୟ କରିବାର କଥା, ଏହି ଅଂଶୁ ଆକ୍ରାନ୍ତମାନଙ୍କ ଜୀବନ ସମର୍ପିତ ଥାଏ ଅନ୍ୟ ଅବଶିଷ୍ଟମାନଙ୍କ ସେବା କରିବା ପାଇଁ। ସେମାନେ ନ ଥିଲେ ସ୍ବଚ୍ଛଳ ଓ ସଂଭ୍ରାନ୍ତ ବୋଲାଉଥିବା ଲୋକମାନଙ୍କୁ ଖାଇବାକୁ ଦାନା ମିଳନ୍ତା ନାହିଁ କି ପିଇବାକୁ ପାଣି ମିଳନ୍ତା ନାହିଁ। ଅଳ୍ପଦିନ ତଳେ ଜଣେ ବନ୍ଧୁ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବାର ଖବର ପାଇ ଏଇ ଲେଖକ ଯାଇଥିଲା ତାଙ୍କୁ ଦେଖାକରିବା ପାଇଁ। ”ମାତ୍ର ପନ୍ଦର ମିନିଟ୍‌ ଖରାରେ ବୁଲି ଆସିଲି ଯେ ମରୁ ମରୁ ବଞ୍ଚତ୍ଗଲି“- ବନ୍ଧୁଙ୍କର ଏମିତି ଆତ୍ମଆଶ୍ୱାସନାଭରା ବିକଳ ପ୍ରତିକ୍ରିୟା ଶୁଣି ଏ ଲେଖକ ଏଇ ନିବନ୍ଧର ଉପକ୍ରମଣିକାରେ ବର୍ଣ୍ଣିତ ଧୁ ଧୁ ଖରାରେ ଗଛମୂଳରେ ଶାୟିତ ସେଇ ଟିକି ଶିଶୁଟି କଥା ମନେପକାଉଥିଲା। ଭାବୁଥିଲା, ବନ୍ଧୁଙ୍କୁ କହିଦେବ ବୋଲି- ”ଆମେ ବଡ଼ ଭାଗ୍ୟବାନ୍‌ ବନ୍ଧୁ! ଅଗ୍ନିବର୍ଷୀ ଆକାଶତଳୁ ଫେରିଆସି ଆଶ୍ରୟ ନେବାକୁ ଘର ଖଣ୍ଡିଏ ଅଛି। ଯାଅ ଦେଖିବ, ଖୋଲା ଆକାଶ ତଳେ, ପ୍ରଚଣ୍ଡ ରୌଦ୍ରତାପରେ ତଥାପି କେମିତି ହସିପାରୁଛି ରାସ୍ତାକଡ଼ର ଜୀବନ!“
ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଚକେଇସିହାଣି, ଭୁବନେଶ୍ୱର
ମୋ: ୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜୀବିକା ପାଇଁ ମାଛ ଧରୁଥିବାବେଳେ ଗଛ ଲଗାଇ ଜୈବ ବିବିଧତାର ସୁରକ୍ଷା କରୁଛନ୍ତି କେରଳର କଣ୍ଡଲ ରଞ୍ଜନ। କନ୍ନୁର ଜିଲାରେ କଣ୍ଡଲଙ୍କ ଘର। କଣ୍ଡଲର ଅର୍ଥ...

ବିଷମିଶା ରଙ୍ଗିନ ଖାଦ୍ୟ

ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା...

ବଜେଟରେ ସାଧାରଣ ଜନତା

ଜୁଲାଇ  ୨୩ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବଜେଟ ଉପସ୍ଥାପନ କରିଥିଲେ। ପୂର୍ବଥର ଭଳି ବଜେଟ ଏଥର ଦେଶର ସାଧାରଣ ଜନତା ବିଶେଷ କରି କୃଷକ,...

ଇସ୍ତଫା ପଛର କାରଣ

ଜଣେ ଆଇଏଏସ୍‌ ପ୍ରୋବେସନରଙ୍କ ନକଲି ସାର୍ଟିଫିକେଟ୍‌କୁ ନେଇ ହୋଇଥିବା ଘୋଟାଲା ପରେ ୟୁପିଏସ୍‌ସି ଅଧ୍ୟକ୍ଷ ଡ. ମନୋଜ ସୋନି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ବୋଲି...

ଅସ୍ତମିତ ଅସ୍ମିତା

ଦୁବଂଶ ଧ୍ବଂସ ମୂଳରେ ଥିଲା କୋକୁଆ। ବାସ୍ତବରେ କୋକୁଆର ସ୍ବରୂପ କେହି ଦେଖି ନ ଥିଲେ। କୋକୁଆ କୌଣସି ଜୀବ ବା ଜୀବାଣୁ ନ ଥିଲା।...

ଭଙ୍ଗା ପୋଲର ଆତ୍ମକଥା

ହେଉଛି ଭଙ୍ଗା ପୋଲ। ନାମକରଣ ହେବା ପରେ ପରେ ମୁଁ ଭାଙ୍ଗିଗଲି, ସେଥିପାଇଁ ମୋତେ ମୋ ନାମରେ କେହି ଜାଣନ୍ତି ନାହିଁ। ଦିନେ ଦିବାଲୋକରେ ସମସ୍ତଙ୍କ...

ତାଲିବାନ୍‌ ଶାସନରେ ଲିଙ୍ଗଗତ ବିଭେଦ

ଆଜକୁ ତିନି ବର୍ଷ ପୂର୍ବେ ଆଫଗାନିସ୍ତାନରେ ତାଲିବାନ୍‌ କ୍ଷମତାକୁ ଫେରିଥିଲା। ତା’ ପରଠାରୁ ସେଠାରେ ଝିଇମାନେ ମାଧ୍ୟମିକ ବିଦ୍ୟାଳୟରେ ପଢ଼ିପାରିନାହାନ୍ତି। ସେମାନଙ୍କ ପାଇଁ ମୌଳିକ ଶିକ୍ଷାର...

ଏଇ ଭାରତରେ

ପରିବେଶ ସ୍ବଚ୍ଛ ରଖିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି ମନୋଜ ରଞ୍ଜନ। ସେ ଅଳିଆ ଗଦା ହେଉଥିବା ସ୍ଥାନରେ ସୁନ୍ଦର ବଗିଚା କରି କଲୋନିରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri