ଯୋଗ୍ୟ ପ୍ରାର୍ଥୀ

ରବିନାରାୟଣ ସାମଲ

ସାଧାରଣ ନିର୍ବାଚନରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ଏକ ଜଟିଳ କାର୍ଯ୍ୟ। କାରଣ ଅଧିକାଂଶ ଭୋଟର ପ୍ରାର୍ଥୀଙ୍କ ବିଷୟରେ ସବିଶେଷ ଜାଣନ୍ତି ନାହିଁ। ସେମାନେ ପ୍ରାର୍ଥୀ ପରିବର୍ତ୍ତେ ଚିହ୍ନ ସହିତ ବେଶି ପରିଚିତ। ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଯାହା ହେଉ ପଛେ ସେଥିରେ ସେମାନଙ୍କର ଯାଏ ଆସେ କିଛି ନାହିଁ। ହାତୀ ସୁନା କଳସ ଢାଳିଲା ଭଳି ଯିଏ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଅତି କମ୍‌ରେ ଖଣ୍ଡେ ଭୋଟ ପାଇଲା ସେ ରାଜା ହେଲା। ଏବେ ଗୁଜରାଟର ସୁରଟରେ ବିନା ଭୋଟରେ ଜଣେ ରାଜା ହୋଇଥିବାର ଖବର ପ୍ରାୟ ସମସ୍ତଙ୍କୁ ଜଣାଥିବ। ଗଣତାନ୍ତ୍ରିକ ପ୍ରକ୍ରିୟାର ଏହି ଅଗଣତାନ୍ତ୍ରିକ ପଦ୍ଧତି ଆମ ଲୋକପ୍ରତିନିଧି ଆଇନର ଏକ ଦୁର୍ବଳ ଦିଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ଥିବା ପ୍ରାୟ ୧୦ ଲକ୍ଷ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବାର ସୁଯୋଗରୁ ବଞ୍ଚତ୍ତ ହେଲେ। ନିର୍ବାଚନ କମିଶନ ମଧ୍ୟ ‘ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ’ ଏହି ପ୍ରତିନିଧିଙ୍କୁ ଗ୍ରହଣ କରିନେଲେ।
ପ୍ରତ୍ୟେକ ରାଜନୈତିକ ଦଳର ନିର୍ଦ୍ଦିଷ୍ଟ ନୀତି ଆଦର୍ଶ ଥାଏ। ଦଳୀୟ ପ୍ରାର୍ଥୀମାନେ ସେହି ନୀତି ଆଦର୍ଶ ପ୍ରତି ଅନୁରକ୍ତ ରହିଥାନ୍ତି। କିନ୍ତୁ ଏଥର ‘ଦଳଡିଅଁା’ ମହାମାରୀ ଯେପରି ବ୍ୟାପିଲା, ସେଥିରୁ କୌଣସି ଦଳର କିଛି ନୀତି ଆଦର୍ଶ ଥିଲା ପରି ଜଣାପଡ଼ିଲା ନାହିଁ।
ନେତା ଯୁଆଡ଼େ, କର୍ମୀ ସିଆଡ଼େ। ଦଳ ପରିବର୍ତ୍ତେ ନେତାଙ୍କ ପ୍ରତି ଅନୁଗତ କର୍ମୀମାନେ ଏହି ଦୌଡ଼ରେ ସର୍ବାଗ୍ରେ ଥିବା ଦେଖାଯାଏ। ଦଳର ସ୍ବାର୍ଥ, ଦେଶର ସ୍ବାର୍ଥ ପରିବର୍ତ୍ତେ ଅନୁଗତମାନେ ନିଜ ସ୍ବାର୍ଥ ହାସଲ ପ୍ରତି ଅଧିକ ଯତ୍ନବାନ୍‌ ହୋଇଥା’ନ୍ତି। ରାଜନୀତିରେ ଧାର ଧରି ନଥିବା କିଛି ନୂଆ ମୁହଁକୁ ଆମେ ନିର୍ବାଚନ ମଇଦାନରେ ଦେଖିବାକୁ ସୁଯୋଗ ପାଉ। ଏମାନେ ଦଳୀୟ ସୁପ୍ରିମୋଙ୍କ ପରିଚିତିରେ ନିଜ ପରିଚୟ ସୃଷ୍ଟି କରିଥା’ନ୍ତି। ଲୋକ ସଭା ଓ ବିଧାନସଭାରେ ଶୋଭା ମଣ୍ଡନ କରିବା ଛଡ଼ା ଏମାନଙ୍କର ଅନ୍ୟ କିଛି କରିସ୍ମା ନଥାଏ। ହାତ ଟେକିବା ଏମାନଙ୍କର ଗୋଟିଏ ମାତ୍ର ଦାୟିତ୍ୱ। ବିଲ୍‌ କି ବଜେଟ ଆଲୋଚନା ବେଳେ ଏମାନେ ଜୁଳୁଜୁଳୁ ହୋଇ ଚାହିଁ ରହିଥା’ନ୍ତି।
ଗୋଟିଏ ଘରୋଇ ଟିଭି ଚ୍ୟାନେଲ କେତେ ଜଣ ବିଧାୟକଙ୍କୁ ଏମ୍‌ଏଲ୍‌ଏର ଫୁଲ୍‌ଫର୍ମ ପଚାରିଥିଲା। କିଏ କହିଲା ଜାଣିନାହିଁ, କିଏ କହିଲା ପରେ କହିବି, ଆଉ କେତେକ କହିଲେ ‘ମେମ୍ବର୍‌ ଅଫ୍‌ ପାର୍ଲିଆମେଣ୍ଟ୍‌’। ଦୁର୍ଭାଗ୍ୟ! ଏମାନଙ୍କ ହାତରେ ଯଦି ଦେଶର ଦାୟିତ୍ୱ ଦିଆଯାଏ, ଦେଶଟା ରସାତଳକୁ ଯିବା ସାର । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଏମାନେ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୋଇ ଆସିଛନ୍ତି। ଏଠାରେ ଦସ୍ୟୁ ନାୟିକା ଫୁଲନ୍‌ ଦେବୀ, ସୁପରଷ୍ଟାର୍‌ ଅମିତାଭ ବଚନ, ମଧ୍ୟପ୍ରଦେଶର କିନ୍ନର ସବ୍‌ନମ୍‌ ମୌସୀଙ୍କ କଥା ସ୍ମରଣ କରାଯାଇପାରେ। ଏମାନଙ୍କୁ ତ ସାଧାରଣ ଲୋକେ ଭୋଟ ଦେଇ ପଠାଇଥିଲେ। ସୁତରାଂ ପ୍ରାର୍ଥୀଙ୍କ ଅଜ୍ଞତା ଅପେକ୍ଷା ଭୋଟରଙ୍କ ଅଜ୍ଞତା ଏଠାରେ ବିଚାରସାପେକ୍ଷ ଓ ଚିନ୍ତାଜନକ ମଧ୍ୟ।
ମଣିପୁରର ‘ଲୌହ ମାନବୀ’ ଇରମ୍‌ ଚାନୁ ଶର୍ମିଲାଙ୍କ ନାମ ପ୍ରାୟ ସମସ୍ତେ ଜାଣିଥିବେ। ମଣିପୁରରେ ଲାଗୁ ହୋଇଥିବା ଆର୍ମଡ୍‌ ଫୋର୍ସେସ୍‌ ସ୍ପେଶାଲ ପାୱାର ଆକ୍ଟକୁ ବିରୋଧ କରି ସେ ଦୀର୍ଘ ୧୬ ବର୍ଷ ଧରି ଅନଶନ ଚଳାଇ ରଖିଥିଲେ। ବିଶ୍ୱରେକର୍ଡ଼! ଇରମ୍‌ ଥିଲେ ଏକାଧାରରେ ଜଣେ କବି, ମାନବାଧିକାର କର୍ମୀ ଏବଂ ରାଜନୀତିଜ୍ଞ । ୨୦୧୭ରେ ସେ ନିର୍ବାଚନ ଲଢ଼ିଲେ। ସେ ମାତ୍ର ୯୦ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ ପରି ଜଣେ ସଂଗ୍ରାମୀ ମହିଳାଙ୍କୁ ମାତ୍ର ୯୦ ଜଣ ସମର୍ଥନ କଲେ। ଏଠାରେ ସାଧାରଣ ଭୋଟରଙ୍କ ଅଜ୍ଞତା, ବିଜ୍ଞତା ଓ ଉଦାସୀନତାକୁ ନେଇ ହଜାର ବାର ପ୍ରଶ୍ନ କରାଯାଇପାରେ। ଇଏ ଗୋଟିଏ ଉଦାହରଣ ମାତ୍ର।
ଆମ ଜାଣତରେ ଓ ଅଜାଣତରେ ଶହ ଶହ ସଂଖ୍ୟାରେ ଅନଭିଜ୍ଞ ପ୍ରତିନିଧି ବିଧାନସଭା ଓ ଲୋକ ସଭାକୁ ଆସୁଛନ୍ତି। ନିଜ ଅଞ୍ଚଳ, କି ରାଜ୍ୟ, କି ଦେଶର ସମସ୍ୟାକୁ ନେଇ ପ୍ରଶ୍ନଟିଏ କରିଥିବାର ନଜିର ନାହିଁ। ଅନ୍ତର୍ଜାତୀୟ ଘଟଣା ତ ଦୂରର କଥା। ସପ୍ତଦଶ ଲୋକ ସଭାରେ ୭୯ ପ୍ରତିଶତ ସାଂସଦଙ୍କ ନାମରେ ଥିଲା ବିଭିନ୍ନ ଆପରାଧିକ ମାମଲା। ଏମାନଙ୍କୁ ତ ଆମ ପରି ସାଧାରଣ ଭୋଟର ନିର୍ବାଚିତ କରି ପଠାଇଥିଲେ। ଏମାନେ କ’ଣ ଦେଶ ପାଇଁ ବାସ୍ତବରେ ଉପଯୁକ୍ତ ପ୍ରାର୍ଥୀ ଥିଲେ?
ଜଣେ ଉପଯୁକ୍ତ ବା ଯୋଗ୍ୟ ପ୍ରାର୍ଥୀ ଚୟନ ପୂର୍ବରୁ ମତଦାତାଙ୍କୁ ପ୍ରତିଶ୍ରୁତି ଓ ପ୍ରଲୋଭନର ଊର୍ଦ୍ଧ୍ୱକୁ ଯାଇ ବିଚାର କରିବାକୁ ହେବ। ପ୍ରଥମେ ପ୍ରାର୍ଥୀ କେଉଁ ଦଳର ତାହା ଜାଣିବାକୁ ପଡ଼ିବ। ସେହି ଦଳର ନୀତି ଆଦର୍ଶ ସମାଜ ତଥା ଦେଶ ପାଇଁ କେତେ ହିତକର ତାହା ମଧ୍ୟ ବିବେଚନା କରିବାକୁ ହେବ। କାରଣ ଜଣେ ପ୍ରତିନିଧି ନିଜ ଦଳର ଊର୍ଦ୍ଧ୍ୱରେ ନୁହେଁ। ଦଳୀୟ ନିଷ୍ପତ୍ତି ବାହାରେ ସେ କୌଣସି କାର୍ଯ୍ୟ କରିପାରିବେ ନାହିଁ। ଦ୍ୱିତୀୟରେ, ପ୍ରାର୍ଥୀ ଜଣକ ରାଜନୀତିରେ ନିପୁଣ ଥିବା ଆବଶ୍ୟକ। ନଚେତ୍‌ ସେ ଦେଶ ବିଦେଶର ଘଟଣାବଳୀର ସଠିକ୍‌ ବିଶ୍ଳେଷଣ କରିପାରିବେ ନାହିଁ। ସଭାଗୃହରେ ଆଗତ ବିଲ୍‌ ଓ ବଜେଟକୁ ତର୍ଜମା କରିପାରିବେ ନାହିଁ। ତୃତୀୟରେ, ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ। ପ୍ରାର୍ଥୀ ଜଣେ ସାଧୁ, ସଚ୍ଚୋଟ, ଶିକ୍ଷିତ, ସଚେତନ ଓ ନୀତିବାନ୍‌ ବ୍ୟକ୍ତି ହୋଇଥିବା ଅତ୍ୟନ୍ତ ଜରୁରୀ। ଚତୁର୍ଥରେ, ପ୍ରାର୍ଥୀ ଜଣେ ଦକ୍ଷ ଓ କର୍ମନିଷ୍ଠ ବ୍ୟକ୍ତି ହୋଇଥିବା ଉଚିତ। ନିଜ ଅଞ୍ଚଳର ମୌଳିକ ସମସ୍ୟାଗୁଡ଼ିକୁ ସମାଧାନ ଦିଗରେ ତାଙ୍କର ଆନ୍ତରିକତା ଥିବା ଆବଶ୍ୟକ। ପଞ୍ଚମରେ, ପ୍ରାର୍ଥୀଙ୍କର ସାମାଜିକ ପ୍ରତିବଦ୍ଧତା ଥିବା ଦରକାର। ସମାଜର ଉନ୍ନତି କଳ୍ପେ ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଗମନାଗମନର ବିକାଶ ପ୍ରତି ସେ ସମ୍ବେଦନଶୀଳ ହୋଇଥିବା ଜରୁରୀ। ଇଂଲିଶ୍‌ ପ୍ରବନ୍ଧ ‘ବାଲଟ୍‌ ବକ୍ସ ୱିସ୍‌ଡମ୍‌’ ଏପରି କ୍ଷେତ୍ରରେ ପ୍ରଣିଧାନଯୋଗ୍ୟ।
ଏକଥା ସତ୍ୟ ଯେ ଅଧୁନା ଉପରୋକ୍ତ ଚରିତ୍ରସମ୍ପନ୍ନ ପ୍ରାର୍ଥୀଟିଏ ମିଳିବା କଷ୍ଟକର। ତଥାପି ଦେଶ ତଥା ସମାଜର ସ୍ବାର୍ଥକୁ ବିଚାରକୁ ନେଇ ଆମକୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବାକୁ ପଡ଼ିବ। ନିର୍ବାଚନ କମିଶନ ମଧ୍ୟ ପ୍ରତ୍ୟେକ ପ୍ରାର୍ଥୀଙ୍କ ସବିଶେଷ ବିବରଣୀ ସମ୍ପୃକ୍ତ ନିର୍ବାଚନମଣ୍ଡଳୀରେ ପ୍ରଚାର ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରିବା ଆବଶ୍ୟକ। ଫଳରେ ସାଧାରଣ ଭୋଟର ପ୍ରାର୍ଥୀ ଚୟନରେ ଅଧିକ ଯତ୍ନବାନ ହେବେ। ଉପଯୁକ୍ତ ପ୍ରାର୍ଥୀ ଚୟନ ସେମାନଙ୍କ ପାଇଁ ସହଜ ସରଳ ହେବ।
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?