ମନର ମାନଚିତ୍ର ଓ ଜାତିର ଚେତନା

ଉପେନ୍ଦ୍ର ବିଶ୍ୱାଳ

ଚିର ମୌନ ଆଜି ‘ମନର ମାନଚିତ୍ର’ର ମଣିଷ। ଅଗଣିତ ପାଠକଙ୍କ ମନର ମଲାଟରେ ଆଙ୍କି ଚାଲିଥିଲେ ମୂଲ୍ୟବୋଧର ମାନଚିତ୍ର। ମହାନତାର ମନ୍ତ୍ରରେ ମନ୍ତ୍ରମୁଗ୍ଧ ହେଉଥିଲା ଅଜସ୍ର ମନ। କିନ୍ତୁ ଅକାଳରେ ସବୁଦିନ ପାଇଁ ମଉଳିଗଲା ‘ଧରିତ୍ରୀ’ର ‘ମନର ମାନଚିତ୍ର’ ସ୍ତମ୍ଭଟି। ସତରେ କେତେ ଦୂରଦ୍ରଷ୍ଟା ନ ଥିଲେ ମାନଚିତ୍ରର ସେ ଚିତ୍ରକାର ନରହରି ବେହେରା !
କାରଣ ମଣିଷ ପାଇଁ ମାନଚିତ୍ରଟିଏ ତ ମାର୍ଗଦର୍ଶକ, ପଥିକ ପାଇଁ ଦିଗବାରିଣୀ। ମନରେ ଅଙ୍କିତ ଠିକ ମାନଚିତ୍ର ହିଁ ନିର୍ମାଣ କରେ ବ୍ୟକ୍ତିକୁ। ବ୍ୟକ୍ତି ସମୁଦାୟଙ୍କୁ ନେଇ ଗଢ଼ା ଯାଇଥାଏ ଦେଶ ଓ ଜାତି। ମନରେ ଖୋଦିତ ମାନଚିତ୍ର ବା ମାନସିକତା ଉପରେ ନିର୍ଭର କରେ ଗୋଟେ ଭୂମିର ଭାଗ୍ୟ ଓ ଭବିଷ୍ୟତ। ଜନ ମାନସିକତା ହିଁ ରାଷ୍ଟ୍ରର ଅସଲ ଶକ୍ତି ଓ ସାମର୍ଥ୍ୟ – ଏହି କଥାକୁ କାଲିର ଇତିହାସ ଆମକୁ କହି ଚାଲିଥିଲା ବେଳେ ଇଥିଓପିଆ ବି କହୁଛି ଆଜି। ସମୃଦ୍ଧଶାଳୀ ଫ୍ରାନ୍ସର ବିଶାଳ ସେନା ବିପକ୍ଷରେ ଲଢୁଥାଏ ଛୋଟିଆ ଦେଶ ହଲାଣ୍ଡ (ନେଦରଲାଣ୍ଡସ୍‌)। ବର୍ଷ ପରେ ବର୍ଷ, ଏପରି କି ଛଅ ବର୍ଷ ଧରି ଯୁଦ୍ଧ ଚାଲିଥିଲେ ବି ଟିପେ ହେଲେ ଆଗେଇ ପାରୁନି ଫ୍ରାନ୍ସର ସୈନ୍ୟବାହିନୀ। ସେଇଠୁ ଅତ୍ୟନ୍ତ ବ୍ୟତିବ୍ୟସ୍ତ ହୋଇ ସମ୍ରାଟ ୧୪ଶ ଲୁଇ ଜାଣିବାକୁ ଚାହିଁଲେ ଏହାର ରହସ୍ୟ। ”ଗୋଟେ ଦେଶର ଶୌର୍ଯ୍ୟ ଓ ସାମର୍ଥ୍ୟ ନିର୍ଭର କରେନା ବିଭବ ବା ବିଶାଳତା ଉପରେ। ବରଂ ନିର୍ଭର କରେ ଜନ ମାନସିକତା ଉପରେ। ହଲାଣ୍ଡର ପ୍ରତିଟି ପ୍ରାଣ ପିଲାଟି ବେଳୁ ମାତୃଭୂମି ପ୍ରତି ସମର୍ପିତ। ମରିବୁ ତ ମାଟି ପାଇଁ, ଜିଇବୁ ତ ଜାତି ପାଇଁ – ମନ୍ତ୍ରରେ ଖୋଦିତ ତାଙ୍କ ମନର ମାନଚିତ୍ର। ଭୂମି ପାଇଁ ଲଢ଼ି ବୀରଗତି ପ୍ରାପ୍ତ ହେବା ତ ଅତୀବ ସୌଭାଗ୍ୟର ବିଷୟ ତାଙ୍କ ପାଇଁ; ଯେଉଁଥିପାଇଁ କି ପ୍ରାଣକୁ ବାଜି ଲଗାଇ ଲଢ଼ି ଚାଲିଛନ୍ତି ସେମାନେ“। ଅତି ବିଶ୍ୱସ୍ତ ଓ ବିଦ୍ୱାନ ମନ୍ତ୍ରୀଙ୍କଠାରୁ ଏହା ଶୁଣି ନିଜ ସେନାଙ୍କୁ ହଟେଇ ଆଣିଥିଲେ ସମ୍ରାଟ ସେଦିନ। ଜର୍ମାନର ଦୂରଦ୍ରଷ୍ଟା ଲେଖକ ତଥା ବିଶିଷ୍ଟ ବିଦ୍ୱାନ ମାର୍ଟିନ ଲୁଥର ବି କହୁଥିଲେ ଠିକ୍‌ ସେଇ କଥା – ”ଗୋଟିଏ ଭୂମିର ଭାଗ୍ୟ ଓ ଭବିଷ୍ୟତ ନିର୍ଭର କରେ ନା ତା’ର ଭୂଗୋଳ ବା ଭୂସମ୍ପଦ ଉପରେ। ବିତ୍ତ ବା ବିଭବ ଅପେକ୍ଷା ଅଧିକ ନିର୍ଭର କରେ ଚିତ୍ତ ଓ ଚରିତ୍ର ଉପରେ। ଅର୍ଥାତ୍‌ ସେ ଦେଶର ଜନ ମାନସିକତା ବା ଲୋକ ଚରିତ୍ର ଉପରେ।“
ଦୁର୍ଭିକ୍ଷ ପ୍ରପୀଡ଼ିତ ଇଥିଓପିଆର ମଣିଷ ମନରେ ଦିନେ ଉଙ୍କି ମାରିଲା, ଉପରକୁ ଉଠିବାର ଉଦ୍ଦୀପନା। ମନରେ ଦାନା ବାନ୍ଧିଲା, ଦୁର୍ଦ୍ଦିନ ବିରୋଧରେ ଦୁର୍ବାର ଲଢେଇ କରିବାକୁ। ସବୁଜିମାରେ ଭରି ଭୂଇଁକୁ ଶସ୍ୟଶ୍ୟାମଳା କରିବାକୁ ମନରେ ଆଙ୍କି ବସିଲେ ସୁନ୍ଦର ଚିତ୍ରଟିଏ। ସ୍ବପ୍ନକୁ ସାକାର କରିବାକୁ ସଂକଳ୍ପମନା ହୋଇ ଆଗେଇ ଆସିଲେ ସମସ୍ତେ। ବାସ କଙ୍କାଳସାର ମଣିଷଙ୍କ ମାଟି ସମୃଦ୍ଧ ହେବାକୁ ଲାଗିଲା ଧୀରେ ଧୀରେ। ଫଳତଃ ଅନାହାରର ଭୂଖଣ୍ଡ ଭାବେ ଅପଖ୍ୟାତ ଭୂମିଟି ଆଜି ଦ୍ରୁତ ବିକାଶଶୀଳ ଭୂଖଣ୍ଡ ଭାବେ ସୁବିଦିତ। କେବଳ ସେତିକି ନୁହେଁ, ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରି ଅନେକ ସମ୍ମାନର ଅଧିକାରୀ ହୋଇପାରିଛି ସେ ଆଜି। ଗତବର୍ଷ ୨୦୧୯ରେ ନୋବେଲ ଶାନ୍ତି ପୁରସ୍କାର ହାତେଇ ଥିଲା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ପଦକୁ ବି ସେ ଆଜି ଅକ୍ତିଆର କରି ରଖିଛି। ଏହିପରି ଜାତିକୁ ଗଢିବାକୁ ଓ ଆଗକୁ ବଢିବାକୁ ଜନ ମାନସିକତା ଉଜ୍ଜୀବିତ ହେବା ଉଚିତ। ଜନ ମାନସିକତା ଗଢିବାକୁ ହେଲେ ମାଟିର ମଣିଷଙ୍କ ମନରେ ଆଙ୍କିବାକୁ ହେବ ସୁନ୍ଦର ସ୍ବପ୍ନଭରା ମାନଚିତ୍ରଟିଏ। ଓଡ଼ିଶା ପ୍ରାୟ କ୍ଷୁଦ୍ର ଦେଶ ଜାପାନ, ଜର୍ମାନଠାରୁ ଆରମ୍ଭ କରି ଫିନଲାଣ୍ଡ, ନେଦରଲାଣ୍ଡସ୍‌, ଇସ୍ରାଏଲ ପର୍ଯ୍ୟନ୍ତ ଅତି କ୍ଷୁଦ୍ରକାୟ ଦେଶ ସବୁ ବେଶ୍‌ ବିକଶିତ ଓ ବିଭୂଷିତ, ଏଇଥିପାଇଁ। ଅନ୍ୟପକ୍ଷେ, ଭ୍ରାନ୍ତ ମାନସିକତା ବା ମନରେ ଅଙ୍କିତ ଭୁଲ୍‌ ମାନଚିତ୍ରଟିଏ, ବାଟବଣା କରେ ବ୍ୟକ୍ତିକୁ, ଦିଶାହରା କରେ ଦେଶକୁ। ଠିକ୍‌ ଯେମିତି ଭବ୍ୟଦେଶ ଭାରତ ବର୍ଷକୁ ଦିଗହରା କରିବାକୁ ଯାଇ ମ୍ୟାକଲେ ରଚିଥିଲେ ସୈତାନୀ ଷଡ଼ଯନ୍ତ୍ର। ସଂସ୍କୃତିପ୍ରାଣା, ନୀତି ଓ ନୈତିକତାନିଷ୍ଠ ଏ ଦେଶକୁ ଧରାଇଦେଲେ ଭୁଲ୍‌ ମାନଚିତ୍ରଟିଏ। ଯୋଜନାବଦ୍ଧ ଭାବେ ଜୋରକରି ଲଦି ଦେଲେ ଆମ ମାଟି-ପ୍ରତିକୂଳ ପାଠ୍ୟ ଖସଡ଼ାକୁ। ୧୮୩୫ ମସିହା ଫେବୃୟାରୀ ୨ ତାରିଖରେ ବ୍ରିଟିଶ ସଂସଦରେ ଏଥି ସଂକ୍ରାନ୍ତ ପାରିତ ପ୍ରସ୍ତାବ ଓ ତାଙ୍କ ଅଭିଭାଷଣ ଏବଂ ପାଠ୍ୟ ଖସଡ଼ା ଲାଗୁ କରିବା ପରେ ପରେ ଖୁସିରେ ଗଦ ଗଦ ହୋଇ ୧୮୩୬ ଅକ୍ଟୋବର ୧୨ରେ ଡାଡିଙ୍କୁ ଲେଖିଥିବା ଚିଠିର ପ୍ରତିଟି ଶବ୍ଦ ହିଁ ସୁଚାଇଥାଏ ସୈତାନର ଷଡ଼ଯନ୍ତ୍ରକୁ। ଯେଉଁଥିପାଇଁ କି ଚାଇନା ଓ ଜାପାନଠାରୁ ଭାରତ ଆଜି ପଛରେ, ତାଙ୍କଠାରୁ ଆର୍ଥିକ ସମ୍ପନ୍ନତା ଥାଇ ଓ ଆଗେ ସ୍ବାଧୀନତା ପାଇ ବି। ଭାରତର ଆତ୍ମା ନିହିତ, ତା’ର ସଂସ୍କୃତିରେ, ପରମ୍ପରାରେ, ଧର୍ମାଚାରରେ। ଏ ସବୁକୁ ସମାଧି ଦେବାକୁ କରାହେଲା ସେଇ କୁତ୍ସିତ କାରସାଦି। ସେଇଠୁ ଧୀରେ ଧୀରେ ଏ ମାଟିର ମୌଳିକତା, ମୂଲ୍ୟବୋଧ ମଶାଣି ମୁହାଁ ହେବାକୁ ଲାଗିଲା। ମିଶ୍ର-ସଂସ୍କୃତିର ସୂତ୍ରପାତ ଅର୍ଥାତ୍‌ ଆମ ସଂସ୍କୃତିର ସଂକରୀକରଣ ହେଲା। ତା’ ନ ହୋଇଥିଲେ, ଏ ମାଟିର ମର୍ଯ୍ୟାଦାର ମାନକ, ମାଆ ଲକ୍ଷ୍ମୀଙ୍କ ପ୍ରତିରୂପା ମାନେ, ମାନ – ମହତକୁ ଭୁଲି, କ’ଣ ନିଶାରେ ବିଭୋର ହୁଅନ୍ତେ? ଶିବାଜୀ-ନେତାଜୀ-ବାପୁଜୀ, ଲକ୍ଷ୍ମୀବାଈ-ଦୁର୍ଗାବତୀ-ପଦ୍ମାବତୀ ପ୍ରମୁଖ ବାସ୍ତବ ବୀର ଓ ବିରାଙ୍ଗନାମାନଙ୍କୁ ଭୁଲି କଳଙ୍କିତ ଚେହେରାର ମିଛ ନାୟକ-ନାୟିକାଙ୍କୁ ଏ ଦେଶର ଯୁବ ସମାଜ କ’ଣ ନିଜର ରୋଲ ମଡେଲ ଭାବେ ବାଛନ୍ତା? ଆତଙ୍କବାଦୀ ଆଫଜଲ ଗୁରୁର ଜିନ୍ଦାବାଦ କ’ଣ ଶୁଭନ୍ତା, ଅବଦୁଲ କଲାମଙ୍କ ମାଟିରେ? ମ୍ୟାକଲେଙ୍କ ପରି ଶିକ୍ଷା ଓ ସଂସ୍କୃତିକୁ ଆୟୁଧକରି ରଚିତ ଆଉ ଏକ ଷଡ଼ଯନ୍ତ୍ର ବା ଯୋଜନା ଏବେ ସଭିଙ୍କ ସାମ୍ନାକୁ ଆସିଛି। କେନ୍ଦ୍ରର ବିନାନୁମୋଦନରେ ଏ ଦେଶର ୫୦ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ଗୁଡିକ କନ୍‌ଫୁସିଅସ ଇନ୍‌ଷ୍ଟିଚ୍ୟୁଟ, ସ୍କୁଲ ଅଫ ଚାଇନିଜ ଲାଙ୍ଗୁଏଜ ଆଦି ଚାଇନାର ବିଭିନ୍ନ ଅନୁଷ୍ଠାନ ସହିତ ବୁଝାମଣା କରିଥିଲେ। ଉଦ୍ଦେଶ୍ୟ ଥିଲା, ଚାଇନାର ଭାଷା ଓ ସଂସ୍କୃତିଟି ସମ୍ବନ୍ଧେ ଶିକ୍ଷା ଓ ଗବେଷଣା କରିବା। ମାତ୍ର ଚାଇନାର ଶାସନତନ୍ତ୍ରକୁ ନିୟନ୍ତ୍ରଣ କରୁଥିବା ‘ଚାଇନା କମ୍ୟୁନିଷ୍ଟ ପାର୍ଟିର ପ୍ରଚ୍ଛନ୍ନ ପ୍ରୋତ୍ସାହନରେ ପରିଚାଳିତ ଚାଇନା ଅନୁଷ୍ଠାନଗୁଡିକ ତାଙ୍କ ସରକାରଙ୍କ ଗୁପ୍ତ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ବିଭିନ୍ନ ନେଟୱର୍କ ଚଳେଇ ଆସୁଥିଲେ। ଜେଏନ୍‌ୟୁ ସମେତ ମୁମ୍ବାଇ ବିଶ୍ୱବିଦ୍ୟାଳୟ, ଖଡ଼ଗପୁର ଆଇଆଇଟି ଆଦି ମେଧା ବହୁଳ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପଶି, ଖୁବ୍‌ ସତର୍କତାର ସହିତ ବାମବାଦୀ ବିଚାରକୁ ପରିବ୍ୟାପ୍ତ କରିବା ସହିତ ଭାରତ ବିରୋଧୀ ବୌଦ୍ଧିକ ଗୋଷ୍ଠୀ ତିଆରି କରିବାରେ ସକ୍ରିୟ ଥିଲେ। ଏପରି କି ତାଙ୍କ ଦେଶ ପାଇଁ ଏକପ୍ରକାର ଗୋଇନ୍ଦାଗିରି କରୁଥିଲେ। ଏମାନଙ୍କ ସହ ସଂଶ୍ଲିଷ୍ଟ ଭାରତର ୫୦ରୁ ଅଧିକ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ସବୁବେଳେ ବିବାଦ ଓ ବିତର୍କରେ ରହୁଥିବା ଜେଏନ୍‌ୟୁ ଅଧୀନରେ ସର୍ବାଧିକ (୧୨ଟି) ଶିକ୍ଷାନୁଷ୍ଠାନ ତାଙ୍କ ସହିତ ଅନୁବନ୍ଧିତ ଥିଲା। ଦୁନିଆରେ ସବୁଠୁ ଅଧିକ ସନ୍ଦେହ, ଆପତ୍ତି ଓ ଅଭିଯୋଗ ଥିବା କନ୍‌ଫୁସିଅସ ଇନ୍‌ଷ୍ଟିଚ୍ୟୁଟ ଏଠାକାର ୭ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ କାମ କରି ଆସୁଥିଲା। ସେ ଯାହା ବି ହେଉ, ଅଭିଯୋଗ ଓ ଅନୁସନ୍ଧାନ ମୂଳେ, ଭାରତ ସରକାର ଗତ ଅଗଷ୍ଟରେ ଏଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବିଳମ୍ବରେ ହେଲେ ମଧ୍ୟ ଏହା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଯେହେତୁ ମାଟିର ମାନଚିତ୍ର ଅପେକ୍ଷା, ମାଟିର ମଣିଷଙ୍କ ମନର ମାନଚିତ୍ର ଅଧିକ ମହତ୍ତ୍ୱ ରଖେ, ସେଥିପାଇଁ ଏଠାକାର କଅଁଳ ମନକୁ କବଳିତ କରିବାକୁ ନାନାଦି ଯୋଜନା କରାଯାଉଛି। ଏଥିପ୍ରତି ଏ ଜାତି ଯଥେଷ୍ଟ ଯତ୍ନବାନ ହେବା ଉଚିତ।
Emailunbiswal05@gmail.com,
ମୋ-୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ହଜାର ହଜାର ଯୁବକଙ୍କୁ ହିଂସା ପଥରୁ ଦୂରେଇ ରଖି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରୁଛନ୍ତି ମଣିପୁରର ଜାମଖୋଜାଙ୍ଗ ମିଶାଓ। ସେ ଏଥିପାଇଁ ‘ଗନ୍‌ ଟୁ...

ଏଇ ଭାରତରେ

ମନ୍ଦିରରେ ଦିଅଁସେବା ପରେ ଫିଙ୍ଗି ଦିଆଯାଉଥିବା ଫୁଲକୁ ସଂଗ୍ରହ କରି ତାହାର ପୁନଃ ଉପଯୋଗ କରୁଛନ୍ତି ସୁରଟର ୨୨ ବର୍ଷୀୟା ଇଞ୍ଜିନିୟର ମୈତ୍ରୀ ଜରିଓ୍ବାଲା। ସେ...

ସମ୍ପାଦକୀୟ/ଧୁଆ ଅଧୁଆ ସମାନ

ଭାରତରେ ରାଜନୀତିକୁ ଅପରାଧମୁକ୍ତ କରାଯିବା ଲାଗି ବାରମ୍ବାର ପ୍ରୟାସ କରାଯାଉଛି। ହେଲେ ଏହାର ସୁଫଳ ମିଳିପାରୁ ନାହିଁ। ଏଭଳି ସ୍ଥଳେ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌...

ଗଣତନ୍ତ୍ର ଚିନ୍ତା

ମିଶେଲ ବାଚ୍‌ଲେଟେ, ଡାରେନ ଓ୍ବାକର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦ୍ୱାରା ଆୟୋଜିତ ଭର୍ଚୁଆଲ ସମ୍ମିଳନୀ ଡିସେମ୍ବର ୯ରୁ ୧୦ ଯାଏ ଅନୁଷ୍ଠିତ ହେଉଛି। ଏଥିରେ...

କରୋନା ଓ ଦିବ୍ୟାଙ୍ଗ ଶିଶୁ

ନାରାୟଣ ଚନ୍ଦ୍ର ବିଶ୍ୱାଳ   କରୋନା ମହାମାରୀ ପିଲାମାନଙ୍କ ପାଇଁ ଅଧିକ ଯନ୍ତ୍ରଣାଦାୟକ ହୋଇଛି । କାରଣ ଶିଶୁମାନଙ୍କ ମାନସିକ, ଶାରୀରିକ, ବୌଦ୍ଧିକ ଓ ମନସ୍ତାତ୍ତ୍ୱିକ...

ଦେଲୁ ମୋତେ ମହାଶିକ୍ଷା

ଡ. ନରହରି ବେହେରା ପ୍ରବନ୍ଧର ଶୀର୍ଷକ ଗୋଟିଏ କବିତାର ଶୀର୍ଷକରୁ ଉଦ୍ଧୃତ। କବିତାର ପୃଷ୍ଠଭୂମି ଥିଲା- ଥରେ ଜଣେ ରାଜା ବନ ବିହାର କରୁଥିବାବେଳେ ହଠାତ୍‌...

କୋହ୍ଲାପୁରୀ ଚପଲ

ଭାରତରେ ରାଜ୍ୟପାଳଙ୍କ ପଦବୀ ଏକ ସାମ୍ବିଧାନିକ ମର୍ଯ୍ୟାଦା ବହନ କରୁଥିବାରୁ ତାହା ବିବାଦରୁ ଊର୍ଦ୍ଧ୍ୱରେ ରହିବା କଥା। ହେଲେ ଦେଖାଯାଉଛି, କିଛି ବର୍ଷ ହେବ ବିଭିନ୍ନ...

କେବଳ ଦଳ ନୁହେଁ

ଗଣତନ୍ତ୍ରର ଏକ ମୌଳିକ ଆବଶ୍ୟକତା ହେଉଛି ନିର୍ବାଚନ। ନିର୍ବାଚନ ପରେ ଗଠିତ ସରକାର ଦଳର ସୀମା ପରିସର ଭିତରେ ରହିବା ପରିବର୍ତ୍ତେ ସାଧାରଣ ନାଗରିକଙ୍କ ମଙ୍ଗଳ...

Advertisement
Archives

Model This Week