ମଞ୍ଚ-ମାଇକ-ମାନପତ୍ରର ମୋହ

ଉପେନ୍ଦ୍ର ବିଶ୍ୱାଳ

ପୂଜ୍ୟପୂଜା ପ୍ରତି ପ୍ରଗାଢ଼ ସମ୍ମାନବୋଧ ଥିବା ଭୁବନେଶ୍ୱରର ଜଣେ ସାହିତ୍ୟପ୍ରାଣ, ସଙ୍ଗଠକ ତଥା ପ୍ରକାଶକ ନିଜର ଭାବନାକୁ ଦିନେ ପ୍ରକାଶ କରି କହିଲେ, ”କୌଣସି କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ପାଇଥିବା ବ୍ୟକ୍ତିଙ୍କୁ ପରବର୍ତ୍ତୀ ସମୟରେ ସେହି କ୍ଷେତ୍ରରେ ଛୋଟ ଛୋଟ ସମ୍ମାନ ଦେଇ ସମ୍ବର୍ଦ୍ଧିତ କରିବାଟା କେତେଦୂର ଠିକ୍‌? ମନେକରାଯାଉ ଭାରତରତ୍ନରେ ଭୂଷିତ ବ୍ୟକ୍ତିଙ୍କୁ ଭୁବନେଶ୍ୱରରତ୍ନରେ ସମ୍ବର୍ଦ୍ଧିତ କରିବା ଏବଂ ଏହାକୁ ଗ୍ରହଣ କରିବାକୁ ବ୍ୟକ୍ତି ଜଣଙ୍କ ଖୁବ୍‌ ବ୍ୟାକୁଳ ହେବା ଅବା ପଦ୍ମ ସମ୍ମାନରେ ସମ୍ମାନିତ ବ୍ୟକ୍ତି ଜଣଙ୍କ ପୁଣି ଅତୀବ ଆଗ୍ରହରେ ଜିଲା ସ୍ତରରେ କୌଣସି ସଙ୍ଗଠନଠାରୁ ମାନପତ୍ର ଗ୍ରହଣ କରିବାଟା ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ନୁହେଁ କି? କେମିତି ହୁଅନ୍ତା, ଯଦି ସମ୍ମାନାଷ୍ପଦ ମାନେ ବିନମ୍ରତାର ସହିତ ତାକୁ ଗ୍ରହଣ ନ କରି ନିଜ ଚଉପାଶରେ ଥିବା ପ୍ରତିଭାଧରମାନଙ୍କୁ ଚିହ୍ନେଇ, ସେମାନଙ୍କୁ ପ୍ରୋତ୍ସାହିତ କରିଚାଲନ୍ତେ। ଏହାଦ୍ୱାରା ସେମାନଙ୍କ ମହତ ପଣ ବୃଦ୍ଧି ସହିତ ନୂଆ ନୂଆ ପ୍ରତିଭାମାନେ ସାମ୍ନାକୁ ଆସିପାରନ୍ତେ। “ ହିମାଳୟର ଉତ୍ତୁଙ୍ଗ ଶିଖରକୁ ଟେକାଟିଏ ଫୋପାଡ଼ିବା ଯେମିତି ଧୃଷ୍ଟତା, ଶୀର୍ଷସ୍ତରୀୟ ମାନ୍ୟବରମାନଙ୍କ ସମ୍ବନ୍ଧେ କିଛି ମନ୍ତବ୍ୟ ରଖିବା ଏକପ୍ରକାର ପିଲାଳିଆମି ବୋଲି ମନେ ହେଲା। କିନ୍ତୁ ଯେତେ କଠୋର ହେଲେ ମଧ୍ୟ ଏପ୍ରକାର ଭବ୍ୟ ବିଚାରବୋଧଠାରୁ ବାଟ ଭାଙ୍ଗି ଚାଲି ଯିବାଟା ପଳାୟନ ପନ୍ଥୀଙ୍କର ପରିଚୟପତ୍ର ବୋଲି ମନକୁ ଆସିଲା। ପ୍ରକୃତରେ ମଞ୍ଚ, ମାଇକ, ମାନପତ୍ର ପ୍ରତି ମୋହ ଅତିମାତ୍ରାରେ ଆମ୍ଭଙ୍କୁ ଗ୍ରାସ କରିଚାଲିଛି ଆଜି। ଏଣୁ ଏଥିପ୍ରତି ମୋହାଚ୍ଛନ୍ନ ମଣିଷଙ୍କ ପକ୍ଷରେ ମର୍ଯ୍ୟାଦାବୋଧ ଆସିବ ବା କେମିତି? ଲାଜସରମ ଭୁଲି ତଳରୁ ଉପର ପର୍ଯ୍ୟନ୍ତ ମାନପତ୍ରଟିଏ ହାତେଇବାକୁ ତ ଲବି, ଲାଞ୍ଚ, ମିଛର ଆଶ୍ରୟ ନେବାକୁ ପଡୁଛି। ଏପରିକି ବଜାରର ସଉଦାପତ୍ର ପରି ମାନପତ୍ର ମାନ ବି କୁଆଡେ କ୍ରୟ-ବିକ୍ରୟ ହେଉଥିବାର ଅଜବ କିସମର କଥାମାନ ଦେଖିବାକୁ ମିଳେ। ମାଟିପୁତ୍ର, ଭୂମିପୁତ୍ର, ମାଟି ଗୌରବ, ଜାତି ଗୌରବ, ଭୂମି ଗୌରବ, ପୁଣି ମାଟିରତ୍ନ, ଭୂମିରତ୍ନ, ଏପରିକି ଭୂମିଦୂତଠାରୁ ସ୍ବର୍ଗଦୂତ ପର୍ଯ୍ୟନ୍ତ ଏମିତି କେତେ କେତେ ପୁରସ୍କାର। କିଛି ବେପାରୀ ଯେମିତି ବେଳ କାଳ ଠଉରାଇ କଳାବଜାର ସୃଷ୍ଟି କରିଥାନ୍ତି, ଠିକ୍‌ ସେମିତି ଆମର ବିକଳିଆ ଭାବ ଦେଖି ଛତୁ ଫୁଟିଲା ପରି ମାନପତ୍ର ବିକ୍ରୟ/ ବିତରଣ କେନ୍ଦ୍ର (ଅନୁଷ୍ଠାନ) ମାନ ଖୋଲିଚାଲିଛି ସାରା ରାଜ୍ୟରେ।
ଅତିଶୟ ଆତ୍ମବିଶ୍ବାସରେ ବିଲେଇ ବି ବେଳେ ବେଳେ ଆଖିବୁଜି କ୍ଷୀର ପିଇଥାଏ। ମନେ ମନେ ଭାବୁଥାଏ, ଯେମିତି କେହି ଜାଣିପାରୁ ନାହାନ୍ତି। ସେଇଭଳିଆ, ବିଲେଇର ଭାବନାରେ ଓଡ଼ିଶାର ଜଣେ ବିଚାରବନ୍ତ ବ୍ୟକ୍ତି, ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ବର୍ଦ୍ଧିତ ହୋଇସାରି ପରବର୍ତ୍ତୀ ସମୟରେ ପୁରସ୍କାର ଫେରାଇବାକୁ ବାଧ୍ୟ ହୋଇଥିଲେ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶାନୁଯାୟୀ। ଚାତୁରୀରେ ମାନପତ୍ରଟିଏ ହାତେଇ ନେବା, ପୁଣି ହଟହଟା ହୋଇ ଫେରସ୍ତ ଦେବାଟା ଆମ ସମ୍ମାନ ହାନିର କାରଣ ନୁହଁ କି? ଚାତୁରୀ ଅପେକ୍ଷା ଯଦି ଆମ ଚେତନାର ବିକାଶ ହୋଇଥାନ୍ତା, ଆମ ମାନ-ମହତ ଏଠି ଅକ୍ଷୁଣ୍ଣ ରହିଥାନ୍ତା। ପ୍ରତିଷ୍ଠା ପାଗଳ ଏ ମଣିଷମାନେ, ଯେଉଁମାନେ ସାମାନ୍ୟ ପୁରସ୍କାରଟିଏ ପାଇଁ ଏଠିସେଠି ନସରପସର ହୋଇଥାନ୍ତି, ସେମାନେ ଜାଣିରଖିବା ଉଚିତ ଯେ ବିଶ୍ୱ ପ୍ରସିଦ୍ଧ ପ୍ରତିଭାବାନ୍‌ମାନେ ଦୁନିଆର ଶ୍ରେଷ୍ଠ ପୁରସ୍କାର, ନୋବେଲ ସମ୍ମାନକୁ ବି ପ୍ରତ୍ୟାଖ୍ୟାନ କରିବାକୁ ପଛେଇ ନାହାନ୍ତି। ମହାତ୍ମା ଗାନ୍ଧୀଙ୍କୁ ତ ନୋବେଲ ପୁରସ୍କାର ମିଳିନାହିଁ। ତା’ ମାନେ କ’ଣ ଶାନ୍ତି ପାଇଁ ବିଶ୍ୱର ଯେତେଜଣ ନୋବେଲ ପୁରସ୍କାର ପାଇଛନ୍ତି, ସେମାନେ ବାପୁଜୀଙ୍କ ତୁଳନାରେ ଅଗ୍ରଗଣ୍ୟ? ଯାହା ବି ହେଉନା କାହିଁକି, ମାନବ ଜଗତରେ ଶାନ୍ତି ଓ ଅହିଂସାର ଅଗ୍ରଦୂତ ଭାବେ ମହାତ୍ମା ଗାନ୍ଧୀ ହିଁ ପରିଗଣିତ ହେବେ ଯୁଗ ଯୁଗ ଧରି। ମାନପତ୍ର ନୁହଁ, ଲୋକଶ୍ରଦ୍ଧା, ଜନ ସ୍ବୀକୃତି ହିଁ ଆମ ସମ୍ମାନର ସୂଚକ, ମର୍ଯ୍ୟାଦାର ମାନପତ୍ର। ଏଇଠି ମନକୁ ଆସେ ଶ୍ରଦ୍ଧାସିକ୍ତ ଏମିତି କେତେଜଣ ମହତ ମନର ମଣିଷଙ୍କ ନାଁ। ଯେଉଁମାନେ ପ୍ରତିଷ୍ଠା ବା ପୁରସ୍କାର ପାଇଁ ଲାଳାୟିତ ନ ହୋଇ ବରଂ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଆମ ଦେଶର ପଦ୍ମ ସମ୍ମାନକୁ ନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିଥିବା ମହାନୁଭବମାନଙ୍କ ମଧ୍ୟରେ ସ୍ବାମୀ ରଙ୍ଗ ନାଥାନନ୍ଦ, ଏମ୍‌. ଏସ୍‌. ନମ୍ବୁଦ୍ରିପଦ, ଖୁସ୍‌ୱନ୍ତ ସିଂହ, ଦନ୍ତୋପନ୍ତ ଠେଙ୍ଗେଡି, ଡାକ୍ତର ପ୍ରଣବ ପାଣ୍ଡ୍ୟା ପ୍ରମୁଖ। ସେମିତି ବି ରାଜ୍ୟ ବା କେନ୍ଦ୍ରର ସାରସ୍ବତ ସମ୍ମାନକୁ ଏଡାଇ ଦେଇଥିବା ସଫଳ ଓଡ଼ିଆ ପ୍ରତିଭାଧରମାନେ ହେଲେ ଜଗନ୍ନାଥ ପ୍ରସାଦ ଦାସ, ନୃସିଂହ ତ୍ରିପାଠୀ (କେନ୍ଦ୍ର), ପଦ୍ମଜ ପାଳ, ଶୈଳଜ ରବି, ଗଙ୍ଗାଧର ରଥ, ନିତ୍ୟାନନ୍ଦ ଶତପଥୀ, ଉମେଶ ପତ୍ରୀ (ରାଜ୍ୟ) ପ୍ରମୁଖ। ପୁରସ୍କାର ଏମାନଙ୍କୁ ପ୍ରଲୁବ୍ଧ କରିପାରି ନ ଥିଲା କେବେ। ସାରଳା ପୁରସ୍କାରକୁ ଦୀପକ ମିଶ୍ର ପ୍ରତ୍ୟାଖ୍ୟାନ କରିଥିଲା ବେଳେ ଶରତ କୁମାର ମହାନ୍ତି ଉଭୟ ସାରଳା ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନକୁ ଏଡାଇ ଦେଇଥିଲେ।
ଏବେ ଆପଣମାନଙ୍କୁ ଆମନ୍ତ୍ରଣ କରୁଛୁ ମଞ୍ଚ ଉପରକୁ। ମଞ୍ଚରେ ଆସନଟିଏ ପାଇଁ ଏଠି ଏକପ୍ରକାର ଚାଲେ ପ୍ରତିଯୋଗିତା। କେଉଁଠି କେଉଁଠି ମଞ୍ଚର ଆସନ ପାଇଁ ନିଲାମ ପରି ବ୍ୟବସ୍ଥା ବି ଦେଖିବାକୁ ମିଳେ। ନିଜକୁ ବିଜ୍ଞାପିତ କରିବାର ବ୍ୟାକୁଳତା ଏତେ ପରିମାଣରେ ବଢ଼ିଯାଇଛି ଯେ ବୌଦ୍ଧିକ ଜଗତରେ ବଜାର ପାଇଁ ଏହା ଏକପ୍ରକାର ବାଟଟିଏ ଖୋଲିଦେଇଛି ବୋଲି କହିଲେ ପ୍ରାୟ ଭୁଲ ହେବନି। କହିବାକୁ ଗଲେ ମଞ୍ଚ-ମାଇକ-ମାନପତ୍ରକୁ ନେଇ ଆଜି ଏକପ୍ରକାର ଭଲ ବେଉସା ଚାଲିଛି। ସାମ୍ପ୍ରତିକ ସମୟରେ ଭାରତର ଜିଡିପିର ସ୍ଥିତିକୁ ନେଇ ଅନେକେ ଉଦ୍‌ବେଗ ପ୍ରକାଶ କରନ୍ତି। ସେମାନେ ଯଦି ଏହି ମଞ୍ଚ-ମାଇକ-ମାନପତ୍ର ବ୍ୟବସ୍ଥାର ବଜାର ମୂଲ୍ୟକୁ ଜିଡିପିରେ ଯୋଡ଼ିପାରନ୍ତେ, ବୋଧହୁଏ ଏତେଟା ନିରାଶ ହେବାକୁ ପଡ଼ନ୍ତାନାହିଁ ସେମାନଙ୍କୁ। କେଇଖଣ୍ଡ ଗୋଲାପୀ ନୋଟ୍‌ର ପ୍ରତିବଦଳରେ ମଞ୍ଚ ମୋହାବିଷ୍ଟ ମଣିଷଙ୍କୁ ମାଇକଟିଏ ଧରେଇ ଦେବାରେ ଅସୁବିଧା କେଉଁଠି? ଗୋଲାପୀ ନୋଟ୍‌ର ପରିମାଣ ଉପରେ ନିର୍ଭର କରେ ମଞ୍ଚର ଆସନ ଓ ମାଇକର ସମୟ। ବେଳେବେଳେ ଏମିତି ତ ଦେଖିବାକୁ ମିଳେ, ଯେଉଁଠି ମଞ୍ଚ ତଳର ମଣିଷଙ୍କଠାରୁ ମଞ୍ଚାସୀନ ମଣିଷଙ୍କ ସଂଖ୍ୟା ଅଧିକ। ଏମିତି ଏକ ବିରଳ ଦୃଶ୍ୟଟିଏ ଦେଖିବାକୁ ମିଳିଥିଲା ଗତ ନଭେମ୍ବର ୨୦୧୯ରେ। ସେଦିନ ଥିଲା ଜିଲାର ସଦର ମହକୁମାରେ ଆୟୋଜିତ ଏକ ପୁସ୍ତକ ମେଳାର ୩ୟ ସା। କେଇଖଣ୍ଡ ପୁସ୍ତକ କିଣିବାକୁ ଯାଇ ଦେଖିଲି, ମଞ୍ଚାସୀନ ୧୧ ଜଣଙ୍କ ଭାଷଣକୁ ବସି ଶୁଣୁଥିଲେ ମଞ୍ଚ ତଳେ ଥିବା ୭ଜଣ ମଣିଷ। ଆଉ ମେଳାଟିରେ ବୁଲୁଥିଲେ ପ୍ରାୟ ୧୨/୧୫ ଜଣ ପୁସ୍ତକପ୍ରେମୀ।
ସାହିତ୍ୟ ଜଗତଠାରୁ ସାଂସ୍କୃତିକ ଜଗତ, ସାମାଜିକ କ୍ଷେତ୍ରଠାରୁ ସେବାକ୍ଷେତ୍ର, ସବୁଠି ଆୟୋଜିତ ମାଳ ମାଳ ମଞ୍ଚ। ଆୟୋଜକମାନଙ୍କ ଭାଗ୍ୟକୁ ଯଦି ଓଜନଦାର ଅତିଥି ଯଥା ମଦବେପାରୀ, ଜମି ବେପାରୀ, ଖଣି ବେପାରୀ, ପାଠ ଓ ସ୍ବାସ୍ଥ୍ୟ ବେପାରୀମାନେ ମିଳି ଯାଆନ୍ତି, ତେବେ ପଞ୍ଚମରେ ବୃହଷ୍ପତି ବୋଲି ସେଇଟା ମାନିବାକୁ ହେବ। ଆମେ ଆତ୍ମବିଭୋର ହୋଇ ଉଠୁ ଖବରକାଗଜ ପୃଷ୍ଠାରେ ନିଜକୁ ଟିକେ ମଣ୍ଡିତ ହେବାର ଦେଖିଲେ। ଏଇଥିରେ ହିଁ ଆମର ଅଜସ୍ର ଆତ୍ମସନ୍ତୋଷ। କେବଳ ଚୌକିଟିଏ ଯୋଗାଡ଼ କରିବାକୁ ଟିକେ କସରତ କରିବାକୁ ପଡ଼େ। ସତରେ କି ବିଡ଼ମ୍ବନା, କି ବିପର୍ଯ୍ୟୟ ଏ ଭୂମିର ଭାଗ୍ୟରେ? ବିଶ୍ୱର ଏକ ବିରଳ ଭୂଖଣ୍ଡ ଆମ ଭାରତ, ଯେଉଁ ଭୂମିର ଚିର ଆଦର୍ଶ ହେଉଛନ୍ତି ଆମ ପୂର୍ବଜ, ମୁନି ଋଷି ମାନେ। ଯେଉଁମାନେ କେବେ ବି ବିଜ୍ଞାପିତ ହେବାକୁ ଚାହୁଁ ନଥିଲେ। ତନ୍ମଧ୍ୟରୁ ଜଗନ୍ନାଥ ଦେଶ ତ ତତୋଧିକ ବିରଳ ଭୂମି। ଯେଉଁ ଭୂମିର ସ୍ବୟଂ ଜଣେ ନରପତି ନିଜ ବଂଶ ରକ୍ଷା ନ ହେଉ ବୋଲି ଶ୍ରୀଜଗନ୍ନାଥଙ୍କୁ ବର ଯାଚନା କରିଥିଲେ – ମୋ ଅନ୍ତେ ମୋ ବଂଶର କେହି ଉତ୍ତରାଧିକାରୀ ନ ରୁହନ୍ତୁ, ଯେଉଁମାନେ ପରବର୍ତ୍ତୀ ସମୟରେ ଏହି ମହନୀୟ କୀର୍ତ୍ତିକୁ ନିଜ ବଂଶର କୃତି ବୋଲି ଦାବି କରିବେ। କୁଆଡେ ହଜିଲା ଆମର ଏ ଦିବ୍ୟ ଦୃଷ୍ଟିଭଙ୍ଗୀ ଓ ଉଚ୍ଚ ଆଦର୍ଶ? ଆଜି ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ଏହି ଯେ ସେହି ଭୂମିର ଦାୟାଦ ହୋଇ ଦୌଡୁଛୁ ପ୍ରତିଷ୍ଠା-ପ୍ରତିପତ୍ତି-ପତିଆରା ପଛରେ। ଏ ସମୟରେ ବ୍ୟତିକ୍ରମଟିଏ ଆଖିରେ ପଡ଼ିଲେ ମନ ଉଦ୍ଭାସିତ ହୋଇଉଠେ ଉଲ୍ଲାସରେ। କାରଣ କେଉଁଠି ନା କେଉଁଠି ଟିକିଏ ହେଲେ ତ ବଞ୍ଚି ରହିଛି ସେ ଆଦର୍ଶ। ଏହା ଭାବି ମନରେ ଗର୍ବ ବି ଆସେ। ଅତଏବ ମଞ୍ଚ-ମାଇକ- ମାନପତ୍ର ପ୍ରତି ଅଯଥା ଆସକ୍ତି ନ ରଖି, ଆସନ୍ତୁ ଆମ ଚେତନାକୁ ଆଗେ ବିକଶିତ କରିବା। ଫଳତଃ ପୂଜା ପାଇବାର ଯଥାର୍ଥ ଯୋଗ୍ୟତା ଅର୍ଜନ କରିବା ସହିତ ଅନ୍ଧକାର ଦୁନିଆକୁ ଉଦ୍ଭାସିତ କରିପାରିବା।
ଗୋଡ଼ିଶୁଳ, ସଜନାଗଡ଼, ବାଲେଶ୍ୱର, ମୋ-୯୪୩୭୪୩୬୦୭୩


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri