Posted inଫୁରସତ

ଭାଇ ସହ ସ୍ମୃତି: ସେଦିନର ଘଟଣା ଲୋମ ଟାଙ୍କୁରି ଉଠେ

ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ହେଉଛି ରାଖୀ। ରାଖୀ ପୂର୍ଣ୍ଣିମାରେ ଭାଇ ହାତରେ ରାଖୀଟିଏ ବାନ୍ଧି ଏହି ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ସବୁ ଭଉଣୀ ଚାହାନ୍ତି। ତେବେ କେବଳ ରାଖୀ ବାନ୍ଧିବା ନୁହେଁ ଭାଇଭଉଣୀଙ୍କ ସ୍ନେହ ଭଲପାଇବା ଭିତରେ ଏମିତି କିଛି ଘଟଣା ବି ଥାଏ ଯାହା ସବୁଦିନ ପାଇଁ ସୁନ୍ଦର ସ୍ମୃତି ହୋଇ ରହିଯାଏ….

କ୍ୟାରିଅରକୁ ବଞ୍ଚାଇ ଦେଲା ଭାଇ : ପିଙ୍କି ପ୍ରିୟଦର୍ଶିନୀ, ଅଭିନେତ୍ରୀ
ସେଦିନ ଥାଏ ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନ। ଇଂଲିଶ ସବ୍‌ଜେକ୍ଟର ପରୀକ୍ଷା। ନର୍ଭସ ହୋଇ ସ୍କୁଲକୁ ଯାଉଥାଏ। ଗେଟ୍‌ ପାଖରେ ଆଡ୍‌ମିଟ୍‌ କାର୍ଡ ଚେକିଂ ଚାଲିଥାଏ। ମୁଁ ଏତେ ନର୍ଭସ ଥିଲି ଯେ, ଆଡ୍‌ମିଟ୍‌ କାର୍ଡ ଘରେ ଛାଡି ଦେଇ ସ୍କୁଲ ପଳେଇ ଯାଇଥିଲି। ବିନା ଆଡ୍‌ମିଟ୍‌ କାର୍ଡରେ ପରୀକ୍ଷା ଦେବା ତ ଦୂରର କଥା, ହଲ୍‌ରେ ବି ପଶିହେବ ନାହିଁ। ସାଙ୍ଗେ ସାଙ୍ଗେ ମୋ ଭାଇକୁ କଣ୍ଟାକ୍ଟ କଲି। ପ୍ରଶ୍ନପତ୍ର ଦିଆଯିବା ପୂର୍ବରୁ ସେ ଆଡ୍‌ମିଟ୍‌ କାର୍ଡ ନେଇ ସ୍କୁଲରେ ପହଞ୍ଚିଗଲା। ଭାଇ ଯଦି ଠିକ୍‌ ସମୟରେ ସେଦିନ ପହଞ୍ଚି ନ ଥାନ୍ତା ତା’ ହେଲେ ମୋ କ୍ୟାରିଅରରେ ନିହାତି ଅସୁବିଧା ହୋଇଥାନ୍ତା। ଖାଲି ପରୀକ୍ଷା ନୁହେଁ ମୋ ସୁଖଦୁଃଖ ସମୟର ସାଥୀ ହେଉଛି ମୋ ଭାଇ। ସେ ମୋ ଠାରୁ ୭ ବର୍ଷ ବଡ଼ କିନ୍ତୁ ଆମେ ଦୁହେଁ ସବୁବେଳେ ସାଙ୍ଗ ପରି ରହୁ। ଆଉ ରାଖୀପୂର୍ଣ୍ଣିମାରେ ସିନା କୋଉ ଭାଇ ଭଉଣୀକୁ ଗିଫ୍ଟ କରେ, କିନ୍ତୁ ମୋ ଭାଇ ମୋ ଠାରୁ ଗିଫ୍ଟ ନ ନେଲେ ମୋ ପାଖରୁ ରାଖୀ ବାନ୍ଧେ ନାହିଁ। ଆଉ ସେଇଟା ହିଁ ମୋ ଖୁସି।
ଭାଇ ପାଖକୁ ପଠାଇଥିଲି ଡାଳିମ୍ବ କଢ଼ି : ଶୁଭ୍ରସୀମା ନାୟକ, ବିୟୁଟିସିଆନ୍‌, ଭୁବନେଶ୍ୱର
ସେତେବେଳେ ମୁଁ ଚତୁର୍ଥ ଶ୍ରେଣୀରେ ପଢୁଥାଏ। ମୋ ସାନ ଭାଇକୁ ୧ବର୍ଷ। ବାପାଙ୍କ ସହ ଆମେ ୩ ଭଉଣୀ ଭଦ୍ରକ ଟାଉନ୍‌ର ଚରମ୍ପାଠାରେ ରହୁଥାଉ। ମା’ ଏବଂ ଭାଇ ଭଦ୍ରକର ବାସୁଦେବପୁର ଗ୍ରାମରେ ରହୁଥିଲେ। ଖରାବେଳେ ମୁଁ ଦୁଷ୍ଟ ହୁଏ ବୋଲି ଖାଇସାରି ଶୋଇବା ପାଇଁ ଖଟରେ ମୋର ଗୋଡ ବନ୍ଧାଯାଏ। ଦିନେ ଭାଇର ଝାଡା ହେଉଥାଏ। ଗାଁରେ ମେଡିକାଲ୍‌ ଫ୍ୟାସିଲିଟି ସେମିତି ନ ଥାଏ। ମୁଁ ଶୁଣିଥିଲି ଡାଳିମ୍ବ ରସ ପିଇଲେ ପତଳା ଝାଡା ହେବ ନାହିଁ। ଖରାବେଳେ ସମସ୍ତେ ଶୋଇସାରିବା ପରେ ଧୀରେ ଧୀରେ ଗୋଡରେ ବନ୍ଧା ହୋଇଥିବା ଫାଶ ଫିଟାଇ କବାଟ ଖୋଲି ଘର ବାହାରକୁ ଗଲି। ଲୁଚି କରି ପଡିଶା ଘରେ ଜଣଙ୍କ ପାଚେରି ଉପରେ ଚଢି ଡାଳିମ୍ବ କଢି, ଫୁଲ ତୋଳି ପୋଷ୍ଟ୍‌ ଅଫିସ ଗଲି। ଗୋଟେ ଇନ୍‌ଲାଣ୍ଡ ଲେଟର କିଣି ଏସବୁକୁ ଛୋଟ ଛୋଟ ଖଣ୍ଡ କରି କାଟି ତା’ ଭିତରେ ରଖିବା ସହ କେମିତି ଖାଆନ୍ତି ସେଥିରେ ଲେଖି ପୋଷ୍ଟ୍‌ କଲି। ୨ ଦିନ ପରେ ବୋଉ ପାଖରେ ଚିଠି ପହଞ୍ଚିଲା। ସେପର୍ଯ୍ୟନ୍ତ ଭାଇର ଝାଡା କମି ନ ଥାଏ। ମା’ ପୋଷ୍ଟ୍‌ ମ୍ୟାନ୍‌କୁ ଇନ୍‌ଲାଣ୍ଡ ଲେଟରର ଚାର୍ଜ ପଇସା ଦେଲା। ଲେଟର ଖୋଲି ଡାଳିମ୍ବ କଢି ଓ ମୋ ଲେଖା ଦେଖି ଖୁବ୍‌ ଖୁସି ହୋଇଯାଇଥିଲା। ସାଙ୍ଗେ ସାଙ୍ଗେ ମୋ ଭାଇକୁ ବାଟି କରି ପିଇବାକୁ ଦେଲା। ତା’ ପରଦିନ ମୋ ଭାଇର ଦେହ ପୂରା ଭଲ ହୋଇଗଲା। ଆଜି ପର୍ଯ୍ୟନ୍ତ ମୋ ମା’ ଏକଥା କହିବାବେଳେ କାନ୍ଦି ପକାଏ। ସିଏ ତ ମୋର ଛୋଟ ଭାଇ। ପ୍ରତିବର୍ଷ ଟଙ୍କା ନ ନେଲେ ସେ ରାଖୀ ବାନ୍ଧେନା। ଏବେ ବି ଆମେ ବହୁତ କ୍ଲୋଜ୍‌ ଫ୍ରେଣ୍ଡ।
ତା’ର ସ୍ନେହ ମୋ ପାଇଁ ଯଥେଷ୍ଟ :
ଡ. ଲିପିକା ମହାପାତ୍ର, ଭୁବନେଶ୍ୱର
ଭାଇର ଇଞ୍ଜିନିୟରିଂ ବେଳେ ମୋର ମେଡିକାଲ୍‌ ପାଠପଢା ଚାଲିଥାଏ। କଲେଜରେ ସବୁ ଝିଅମାନେ ଅନ୍ୟମାନଙ୍କୁ ରାଖୀ ବାନ୍ଧନ୍ତି। ମୁଁ କିନ୍ତୁ ମୋ ଭାଇ ବ୍ୟତୀତ ଆଉ କାହାରିକୁ ରାଖୀ ବାନ୍ଧେ ନାହଁ। ମୋର ଗୋଟିଏ ଭାଇ। ସେ ହଷ୍ଟେଲରେ ରହି ପାଠ ପଢୁଥିଲା। ଥରେ ରାକ୍ଷୀପୂର୍ଣ୍ଣିମାରେ ରାଖୀ ବାନ୍ଧିବାକୁ ଖୁସି ମନରେ ତାକୁ ଫୋନ୍‌ କଲି। ସେ କହିଲା ଜାଣିଛୁ ନାନୀ, ଆଜି ମୋ ହାତରେ ବହୁତ ଝିଅ ରାଖୀ ବାନ୍ଧିଛନ୍ତି। ମୁଁ ରାଗିକି କହିଲି ମୁଁ କିନ୍ତୁ ତୋ ଛଡା ଆଉ କାହାକୁ ରାଖୀ ବାନ୍ଧିନି। ଆଉ ତୁ ଅନ୍ୟ ଝିଅଙ୍କ ଠାରୁ ରାଖୀ ବାନ୍ଧିଲୁ? ସେମାନେ ତ ଏମିତିରେ ମୋ ହାତରେ ବାନ୍ଧିଛନ୍ତି ରାଖୀ। କିନ୍ତୁ ଗାଧୋଇ ସାରିବା ପରେ ମୁଁ ମୋ ହାତରେ ଆଗ ତୋ ରାଖୀ ପିନ୍ଧିବି। ତା’ ଠାରୁ ଏତିକି ଶୁଣି ମୁଁ ବହୁତ ଖୁସି ହୋଇଗଲି। ଏବେ ସେ ୟୁଏସ୍‌ଏରେ ସଫ୍ଟଓ୍ବେର ଇଞ୍ଜିନିୟର। ଏବେ ବି ମୋ ରାଖୀର ଅପେକ୍ଷାରେ ଥାଏ ସେ। ଆଜି ଯାଏ ରାଖୀରେ କେବେ ଗିଫ୍ଟ ନେଇନି ମୁଁ ତା’ ଠାରୁ। ତା’ର ନାନୀ ଡାକ, ସ୍ନେହ ଓ ସମ୍ମାନ ମୋ ପାଇଁ ଯଥେଷ୍ଟ।
ସେଦିନର ଘଟଣା ଲୋମ ଟାଙ୍କୁରି ଉଠେ: ରାଜଶ୍ରୀ ସାମନ୍ତ, ଅଧ୍ୟାପିକା, କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ା ଜିଲା ରାଜନଗରରେ ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଚାକିରି କରିବା ଅବସରରେ ମୁଁ ରାଜନଗରରେ ହିଁ ରହେ। ୭/୮ ବର୍ଷ ପୂର୍ବେ ଅଦ୍ଭୁତ ବନ୍ୟା ଆସିଥାଏ। ମୋ ମା’ ଏବଂ ସାନଭାଇ ବାରମ୍ବାର ମୋତେ ଫୋନ୍‌ କରି ବାପଘର କଟକସ୍ଥିତ ନୂଆପଡା ଚାଲିଆସିବାକୁ କହୁଥାନ୍ତି। ମୁଁ ପ୍ରଥମତଃ ସାହସୀ ଏବଂ ଜିଦ୍‌ଖୋର ପ୍ରକୃତିର ହୋଇଥିବାରୁ ରହିଗଲି। ସେମାନେ ରାତିରେ ମିଡିଆରୁ ଜାଣିବାକୁ ପାଇଲେ ଘାଇ ଭାଙ୍ଗିଛି। ରାତି ସାନଭାଇ କଟକରୁ କାର ଚଲାଇ ମୋ ପାଖରେ ପହଞ୍ଚିଲା। ରାତି ୨ଟାରେ ଭାଇ, ମୁଁ ଏବଂ ମୋ ଝିଅ ମିଶି କଟକରେ ପହଞ୍ଚିଲୁ। ସେଦିନର ପରିସ୍ଥିତିକୁ ଭାବି ଦେଲେ ଲୋମ ଟାଙ୍କୁରି ଉଠେ। ବାସ୍ତବରେ ଅତୁଟ ବନ୍ଧନ ଏ ଭାଇ ଭଉଣୀ ସମ୍ପର୍କ।
ଅଭିମାନ କରିଥିଲା ଭାଇ : ବିମଳା ସିଂହ, ସମ୍ପାଦିକା, ‘ଗୋଧୂଳି’, ଭୁବନେଶ୍ୱର
୧୯୯୫ ମସିହାର ଘଟଣା। ମୁଁ ସେତେବେଳେ ଗଞ୍ଜାମ ଜିଲା କୋଦଳାରେ ଥାଏ। ବାପା, ମା, ଭାଇ ଥାଆନ୍ତି ଯାଜପୁର ରୋଡରେ। ବାପା ସେଠି ଡାଏରି ଏକ୍ସଟେନ୍ସନ ଅଫିସର ଥାଆନ୍ତି। ସେଦିନ ଥାଏ ରାଖୀପୂର୍ଣ୍ଣିମା। ରାତି ୩ଟାରୁ ଉଠି ସବୁ କାମ ସାରି ଭୋର ୫ଟାରୁ କୋଦଳାରୁ ବାହାରି ଭୁବନେଶ୍ୱରରେ ପହଞ୍ଚିଲି ସକାଳ ୯.୩୦ମିନିଟ୍‌ରେ। ତା’ପରେ ବସିଲି କେନ୍ଦୁଝର ବସ୍‌ରେ ଭାୟା ଯାଜପୁର ରୋଡ୍‌। ଘରେ ସମସ୍ତେ ମୋ ବାଟକୁ ଅନାଇ ରହିଥାନ୍ତି। କିନ୍ତୁ ପହଞ୍ଚିବାରେ ବିଳମ୍ବ ହେଉଥାଏ କାରଣ କଟକ ମହାନଦୀ ପୋଲ ଉପରେ ଏକ ଦୁର୍ଘଟଣା ଯୋଗୁ ଗାଡି ଯିବାରେ ବିଳମ୍ବ ଘଟୁଥାଏ। ମୁଁ ଅପରାହ୍ନ ୧ଟାରେ ପହଞ୍ଚିବା କଥା କିନ୍ତୁ ପହଞ୍ଚିଲି ଅପରାହ୍ନ ୪ଟାରେ। ଘରେ କାନ୍ଦବୋବାଳି ପଡିଯାଇଥାଏ। କାରଣ ସେମାନେ ଟିଭିରୁ ଖବର ପାଇଥାନ୍ତି ଉକ୍ତ ରାସ୍ତାରେ ଦୁର୍ଘଟଣା ହୋଇଛି। କିନ୍ତୁ ମୋ ପହଞ୍ଚିବାର ବିଳମ୍ବ ହେବାର କାରଣ ଜାଣି ପାରୁ ନ ଥାନ୍ତି। ସେତେବେଳେ ମୋବାଇଲ୍‌ ସେବା ବି ନ ଥାଏ। ବିଳମ୍ବରେ ହେଉ ପଛକେ ପହଞ୍ଚିବା ପରେ ମୋତେ ଦେଖି ସମସ୍ତଙ୍କ ମନର ଆଶଙ୍କା ଦୂର ହେଲା ଓ ଭାଇ ବ୍ୟତୀତ ଘରେ ସମସ୍ତେ ଖୁସି ହୋଇଗଲେ। ଡେରିରେ ରାଖୀ ବାନ୍ଧିବାରୁ ଭାଇ ଅଭିମାନ କଲା। ନବମ ଶ୍ରେଣୀରେ ପଢୁଥାଏ ସେ। ତା’ ସାଙ୍ଗସାଥୀମାନେ ସକାଳୁ ରାଖୀ ବାନ୍ଧିସାରିଥିଲେ। ଭୋ ଭୋ ହୋଇ କାନ୍ଦିଲି। ମୋ କାନ୍ଦ ଦେଖି ତା’ର ସବୁ ଅଭିମାନ ଦୂରେଇ ଗଲା। ରାଖୀ ପିନ୍ଧିସାରି ମିଠା ଖାଇ ସାଙ୍ଗମାନଙ୍କ ପାଖକୁ ଗଲା ରାଖୀ ଦେଖାଇବା ପାଇଁ। ଆଜି ସେ ଭାଇ ଇହଧାମ ତ୍ୟାଗ କରିଛି ସତ କିନ୍ତୁ ସେଦିନର ସ୍ମୃତି ଆଜି ବି ମୋ ଭିତରେ ବଞ୍ଚିରହିଛି।
ଭିଡିଓ କଲିଂ କରି ରାଖୀ ବାନ୍ଧିଥିଲି : ଅନ୍ତରା ଚକ୍ରବର୍ତ୍ତୀ, ସଙ୍ଗୀତଜ୍ଞ, କଟକ
ପ୍ରତିବର୍ଷ ରାଖୀରେ ମୁଁ ଯେମିତି ବି ହେଉ ମୋ ଭାଇ ପାଖରେ ଥାଏ। ହେଲେ ଗତବର୍ଷ ରାଖୀରେ ମୁଁ ବମ୍ବେ ଯାଇଥିଲି। ଆଉ ଭାଇ ଘରେ ଥିଲା। ତାକୁ ସେଦିନ ବହୁତ ମିସ୍‌ କରୁଥିଲି। ଭିଡିଓ କଲିଂ କରି ଥାଳିରେ ସିନ୍ଦୂର, ଚାଉଳ, ରାଖୀ, ଦୂବ, ଦୀପ ଆଦି ଧରି ଭାଇକୁ ରାଖୀ ପିନ୍ଧାଇଲି। ଆମେ ଦୁଇଜଣ ସେଦିନ ବହୁତ ଇମୋଶନାଲ୍‌ ହୋଇଗଲୁ। ମୁଁ ବହୁତ କାନ୍ଦିଲି ବି। ଅବଶ୍ୟ ଅନ୍‌ଲାଇନ୍‌ରେ ତା’ ପାଇଁ ରାଖୀ ପଠାଇ ଦେଇଥିଲି। ଆଉ ମୋର ଜଣେ ସାଙ୍ଗକୁ କହିଥିଲି ତା’ ହାତରେ ରାଖୀ ବାନ୍ଧିବା ପାଇଁ। ହେଲେ ବି ପାଖରେ ରହି ରାଖୀ ବାନ୍ଧିବାର ଅନୁଭୂତିଟା ହିଁ ଅଲଗା। ମୋ ଠାରୁ ସେ ସାନ ହେଲେ ବି ଆମେ ଦୁଇଜଣ ବେଷ୍ଟ ଫ୍ରେଣ୍ଡ।
– ଦେବସ୍ମିତା ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri