ବୃଦ୍ଧାବସ୍ଥା ଓ ସାର୍ବଜନୀନ ପେନ୍‌ସନ

ଇଂ. ଶକ୍ତି ପ୍ରସାଦ ଦାସ

ଭାରତରେ ବୟସ୍କଙ୍କ ପାଇଁ ନିଆଯାଉଥିବା କାର୍ଯ୍ୟକ୍ରମଗୁଡ଼ିକ ପ୍ରାୟତଃ ସ୍ବଳ୍ପ। ଏହି ପୃଷ୍ଠଭୂମିରେ ସେମାନଙ୍କ ଲାଗି ସାମାଜିକ ସୁରକ୍ଷାର ଗୁରୁତ୍ୱ ରହିଛିି। ବୟସ୍କଙ୍କ ପାଇଁ ଆୟ-ସୁରକ୍ଷା ସାଧାରଣ ପେନ୍‌ସନ ବ୍ୟବସ୍ଥାର ମୂଳଦୁଆ ଉପରେ ନିର୍ମାଣ କରାଯିବା ଆବଶ୍ୟକ । ଭାରତରେ ସାର୍ବଜନୀନ ନୀତିକୁ ଆଧାର କରି ବ୍ୟାପକ ପେନ୍‌ସନ ବ୍ୟବସ୍ଥା କରିବା ଦରକାର, ଯେପରି କି ଜଣେ ହେଲେ ବୟସ୍କ ଅଲୋଡ଼ା ରହି ନ ଯିବେ। ଦେଶରେ ସମୁଦାୟ କାର୍ଯ୍ୟବଳର ୮୦ ପ୍ରତିଶତରୁ ଅଧିକ ସ୍ବଳ୍ପ ମଜୁରିଯୁକ୍ତ ଅନୌପଚାରିକ କ୍ଷେତ୍ରରେ କାର୍ଯ୍ୟରତ। ସେମାନଙ୍କ ପାଇଁ ପେନ୍‌ସନ କିମ୍ବା ଅବସରକାଳୀନ ସୁବିଧା କିଛି ନ ଥାଏ। ବିନା ସଞ୍ଚୟ ଓ ବିନା ପେନ୍‌ସନରେ ଅବସର ସମୟ କାଟନ୍ତି। ଅବସର ପରେ ଯୌଥ ପରିବାର ହେଉଛି ସେମାନଙ୍କ ପାଇଁ ଏକମାତ୍ର ଭରସା। ମୁକ୍ତ ଅର୍ଥନୀତିର ପ୍ରଭାବରେ ବ୍ୟାପକ ସାମାଜିକ ତଥା ଅର୍ଥନୈତିକ ପରିବର୍ତ୍ତନର ଫଳ ସ୍ବରୂପ ଶ୍ରମଯୋଗ୍ୟ ଲୋକଙ୍କ ସମୂହ ପ୍ରବାସନ ବୟସ୍କଙ୍କୁ ସମୟକ୍ରମେ ଅସହାୟ କରିଦେଉଛି। ଏଣୁ ବୟସ୍କମାନଙ୍କ ଅବସର ପରବର୍ତ୍ତୀ ସାଧାରଣ ଜୀବନଯାପନକୁ ସୁଗମ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ। ବୃଦ୍ଧାବସ୍ଥା ପେନ୍‌ସନ ବାବଦରେ ସମ୍ବଳ ଓ ବ୍ୟୟ ମଧ୍ୟରେ ଦୀର୍ଘମିଆଦୀ ସନ୍ତୁଳନ ଆଣିବାରେ ସରକାରଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ ହେବ।
ବୟସ୍କଙ୍କ ପାଇଁ ପେନ୍‌ସନ ବ୍ୟବସ୍ଥାକୁ ବ୍ୟାପକ କରିବାରେ ମୁଖ୍ୟ ଅନ୍ତରାୟ ହେଉଛି ରାଜନୈତିକ ଇଚ୍ଛାଶକ୍ତିର ଅଭାବ। ଦୀର୍ଘକାଳୀନ ଭିତ୍ତିରେ ଏକ ସୁସଙ୍ଗଠିତ ପେନ୍‌ସନ ବ୍ୟବସ୍ଥା ପାଇଁ ଆର୍ଥିକ ବ୍ୟୟବରାଦକୁ ପ୍ରାଥମିକତା ଦେବାରେ ଇଚ୍ଛାଶକ୍ତିର ଅଭାବ ମଧ୍ୟ ପରିଲକ୍ଷିତ । ରୋଜଗାର କ୍ଷେତ୍ରରେ ଉଚ୍ଚସ୍ତରର ଅନୌପଚାରିକତା ଏବଂ ଅଂଶଦାନକାରୀ ଓ ହିତାଧିକାରୀଙ୍କ ଆତ୍ମବିଶ୍ୱାସର ଅଭାବ ବୃଦ୍ଧାବସ୍ଥା ପେନ୍‌ସନ ବ୍ୟବସ୍ଥାର ମୁଖ୍ୟ ଆହ୍ବାନ ରୂପେ ଛିଡ଼ା ହୋଇଛି। ତେଣୁ, ଶ୍ରମ-ବଜାର ନୀତିକୁ ସୁଦୃଢ କରି ଔପଚାରିକତାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ। ଅଣ-ଅଂଶଦାନ ଓ ଆଂଶିକ-ଅଂଶଦାନ ଯୋଜନାଗୁଡିକ ପାଇଁ ପୂର୍ବରୁ ଦିଆଯାଇଥିବା ଆର୍ଥିକ ପ୍ରାବଧାନକୁ ସୁରକ୍ଷା ଦେଇ ସାମାଜିକ ବୀମା ବ୍ୟବସ୍ଥାକୁ ବ୍ୟାପକ କରିବାକୁ ପ୍ରୟାସ ଜାରି ରଖିବାକୁ ହେବ। ସାମାଜିକ ସୁରକ୍ଷା କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଅଗ୍ରଗତି ସତ୍ତ୍ୱେ, ଆମ ଦେଶରେ ଅବସର କାଳୀନ ପେନ୍‌ସନର ପର୍ଯ୍ୟାପ୍ତତା ଏକ ପ୍ରମୁଖ ଆହ୍ବାନ ହୋଇ ରହିଛି । ଅଣ-ଅଂଶଦାନ ପେନ୍‌ସନ ପରିମାଣ ଜାତୀୟ ଦାରିଦ୍ର୍ୟ ସୀମାରେଖାର ୪୦ ପ୍ରତିଶତରୁ କମ୍‌ ରହିଥିବାର ଦେଖାଯାଏ। ସେଥିପାଇଁ ସାମାଜିକ ପେନ୍‌ସନ ଗ୍ରହଣ କରୁଥିବା ବୟସ୍କମାନେ ଦାରିଦ୍ର୍ୟର କଷାଘାତ ସହୁଛନ୍ତି। ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ ଓ ଜନସଂଖ୍ୟାରେ ପରିବର୍ତ୍ତନ ସହିତ ପେନ୍‌ସନ ପରିମାଣକୁ ସମୟୋଚିିତ କରିବାକୁ ହେବ।
ଦେଶରେ ପ୍ରଚଳିତ ପ୍ରମୁଖ ବୃଦ୍ଧାବସ୍ଥା ପେନ୍‌ସନ ଯୋଜନା ସବୁର ସାମ୍ପ୍ରତିକ ସ୍ଥିତିକୁ ଟିକିଏ ପରଖି ନେବା ।
ସରକାରୀ ଚାକିରିଆଙ୍କ ପାଇଁ କେନ୍ଦ୍ର କିମ୍ବା ସମ୍ପୃକ୍ତ ରାଜ୍ୟ ସରକାର ପରିଭାଷିତ ସୁବିଧା(ଡିଫାଇଣ୍ଡ ବେନିଫିଟ) ଭିତ୍ତିରେ ନିଜର ଚଳନ୍ତି ରାଜସ୍ବରୁ ପେନ୍‌ସନ ଦିଅନ୍ତି। ୨୦୦୪ ପରଠାରୁ ନୂତନ କର୍ମଚାରୀଙ୍କ ପାଇଁ ପରିଭାଷିତ ସୁବିଧା, ପରିଭାଷିତ ଅଂଶଦାନ(ଡିଫାଇଣ୍ଡ କଣ୍ଟ୍ରିବ୍ୟୁଶନ)ରେ ପରିବର୍ତ୍ତିତ ହୋଇଛି । କର୍ମଚାରୀ ଭବିଷ୍ୟନିଧି ସଂଗଠନ ଯୋଜନା (ଇପିଏଫ୍‌ଓ) ‘କର୍ମଚାରୀ ଭବିଷ୍ୟନିଧି ଅଧିନିୟମ-୧୯୫୨’ ଦ୍ୱାରା ପରିଚାଳିତ ହୁଏ। ଏହା ସଂଗଠିତ କ୍ଷେତ୍ରରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ଅଂଶଦାନ କୃତ ଭବିଷ୍ୟନିଧି, ପେନ୍‌ସନ ଯୋଜନା ଏବଂ ଏକ ବୀମା ଯୋଜନାକୁ ପରିଚାଳନା କରିଥାଏ। ଅକ୍ଟୋବର, ୨୦୧୯ ସୁଦ୍ଧା ୪.୫୦କୋଟି ସଦସ୍ୟଙ୍କ ସହିତ ୬୫ ଲକ୍ଷ ପେନ୍‌ସନଭୋଗୀ ଏହି ଯୋଜନା ଅଧୀନରେ ସକ୍ରିୟ ଥିବାର ଜଣାଯାଏ। ସ୍ବଚ୍ଛତାର ଅଭାବରୁ ହିତାଧିକାରୀ ଓ ବିଶେଷଜ୍ଞମାନେ ଏହାକୁ ‘ବ୍ଲାକ ହୋଲ୍‌’ ବା ‘କୃଷ୍ଣ ଗୌହର’ ନାମରେ ଅଭିହିତ କରୁଛନ୍ତି। ପ୍ରାୟ ୪.୫୦କୋଟି ବେତନପ୍ରାପ୍ତ କର୍ମଚାରୀଙ୍କ ୧୦ ଲକ୍ଷ କୋଟି ଟଙ୍କାର ଅବସରକାଳୀନ ସଞ୍ଚିତ ପାଣ୍ଠିର ପରିଚାଳନାରେ ଅଧିକ ସ୍ବଚ୍ଛତା ଆବଶ୍ୟକ। ଇପିଏଫ୍‌ଓ ତା’ର ସମ୍ପତ୍ତି ଓ ଆର୍ଥିକ ଦେୟକୁ ଆଧାର କରି ନିଜର କାର୍ଯ୍ୟଦକ୍ଷତାକୁ ସାଧାରଣରେ ପ୍ରକାଶ କରି ଆର୍ଥିକ ବଜାରରେ ନିଜର ଏକ ସ୍ପଷ୍ଟ ପରିଚୟ ସୃଷ୍ଟି କଲେ ସାଧାରଣରେ ଏହାର ବିଶ୍ୱସନୀୟତା ବଢ଼ିବ।
ବିଭିନ୍ନ ମାମଲାରେ ସରକାରଙ୍କ ନୀତିରେ ସ୍ପଷ୍ଟତା ଅଭାବରୁ ସଂଗଠନ ଅନେକ କ୍ଷେତ୍ରରେ କାମଚଳା ନୀତି ଆପଣାଇବା ପରି ମନେହୁଏ। ଅଂଶଦାନକାରୀଙ୍କ ସଞ୍ଚିତ ଅର୍ଥର ପରିଚାଳନା କରିବା ବାବଦରେ ଅର୍ଥ ପାଉଥିଲେ ମଧ୍ୟ ଗ୍ରାହକ-ସେବାରେ ସଂଗଠନର ଉତ୍ତରଦାୟିତ୍ୱ ଉତ୍ସାହପ୍ରଦ ନୁହେଁ। ସମୁଦାୟ ୪.୫୦କୋଟି ସକ୍ରିୟ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୩୬ ନିୟୁତ କର୍ମଚାରୀ ମାସକୁ ୧୫,୦୦୦ ଟଙ୍କାରୁ କମ୍‌ ବେତନ ପାଉଛନ୍ତି। ଏହି ସ୍ବଳ୍ପ ବେତନଭୋଗୀ ଶ୍ରମିକମାନଙ୍କ ବେତନରୁ ଏକ ବଡ଼ ଅଂଶ(୧୨ପ୍ରତିଶତ) ବାଧ୍ୟତାମୂଳକ ଭବିଷ୍ୟନିଧି ଅଂଶଦାନ ହିସାବରେ ଦେଲାବେଳକୁ ସେମାନଙ୍କୁ ଘର ଚଳାଇବା କାଠିକରପାଠ ହେଉଛି। ବୃଦ୍ଧାବସ୍ଥା ଉଦ୍ଦେଶ୍ୟରେ ସଞ୍ଚୟ କରିବା ଅପେକ୍ଷା ବର୍ତ୍ତମାନର ବେତନ ସେମାନଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହାର ନୂ୍ୟନତମ ୧୦୦୦ ଟଙ୍କା ପେନ୍‌ସନ ବୃଦ୍ଧାବସ୍ଥାରେ ପେନ୍‌ସନଗ୍ରାହୀକୁ ବିଦ୍ରୂପ କଲାଭଳି ସ୍ଥିତି। ବିଭିନ୍ନ ହାଇକୋର୍ଟ ଓ ସୁପ୍ରିମକୋର୍ଟ ନୂ୍ୟନତମ ପେନ୍‌ସନର ପୁନଃ ନିର୍ଦ୍ଧାରଣ ପାଇଁ ରାୟ ଦେଇଥିଲେ ମଧ୍ୟ ସରକାର ଅର୍ଥାଭାବର କାରଣ ଦର୍ଶାଇ କୋର୍ଟରେ ସମୟ ଗଡାଇ ଚାଲିଛନ୍ତି । ନିଜର କାର୍ଯ୍ୟ ଦକ୍ଷତାକୁ ଉନ୍ନତ କରି ୬୫ଲକ୍ଷ ପେନ୍‌ସନଭୋଗୀଙ୍କୁ ଏକ ସମ୍ମାନଯୋଗ୍ୟ ଜୀବନଯାପନ ପାଇଁ ଉପଯୁକ୍ତ ପରିମାଣର ମାସିକ ପେନ୍‌ସନ ଉପଲବ୍ଧ କରାଇବା ସଙ୍ଗଠନର ଦାୟିତ୍ୱ ନୁହେଁ କି ?
ଏହା ବାଦ୍‌, ବୃତ୍ତିଗତ ପେନ୍‌ସନ ଯୋଜନା, ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ (ପିପିଏଫ୍‌), ରାଷ୍ଟ୍ରୀୟ ପେନ୍‌ସନ ଯୋଜନା(ଏନ୍‌ପିଏସ୍‌) ଇତ୍ୟାଦି ବ୍ୟକ୍ତିଗତ ଅଂଶଦାନ କୃତ ଅବସର ଯୋଜନା ସରକାରୀ କିମ୍ବା ସରକାରୀ-ଘରୋଇ ମିଳିତ ଯୋଜନା ମାଧ୍ୟମରେ ଚାଲୁରହିଥିଲେ ମଧ୍ୟ ଏସବୁ ଯୋଜନା ସାର୍ବଜନୀନ ଭାବରେ ଆଦୃତ ହୋଇପାରିନାହିଁ । ‘ଇନ୍ଦିରା ଗାନ୍ଧୀ ଜାତୀୟ ବୃଦ୍ଧାବସ୍ଥା ପେନ୍‌ସନ ଯୋଜନା’ ଅଧୀନରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ୬୦ ବର୍ଷ ବୟସ୍କ ସମସ୍ତ ବ୍ୟକ୍ତି ବୃଦ୍ଧାବସ୍ଥା ପେନ୍‌ସନ ପାଇବାକୁ ଯୋଗ୍ୟ। ଏହା ଏକ ସରକାରୀ ଅନୁଦାନପ୍ରାପ୍ତ ଅଣ-ଅଂଶଦାନ ସାମାଜିକ ପେନ୍‌ସନ ବ୍ୟବସ୍ଥା। ଏହି ବ୍ୟବସ୍ଥାରେ ମାସିକ କେନ୍ଦ୍ରୀୟ ଯୋଗଦାନ ବ୍ୟକ୍ତିପିଛା ୨୦୦ଟଙ୍କା(୮୦ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ ୫୦୦ ଟଙ୍କା) ଗତ ୨୦୦୭ ମସିହାରୁ ସଂଶୋଧିତ ହୋଇନାହିଁ। ମୁଦ୍ରାସ୍ଫୀତିକୁ ସମୟୋଚିତ କରିବା ମଧ୍ୟ ଦେଖାଯାଇ ନାହିଁ । ୨୦୦୭ରୁ ୨୦୨୦ ମଧ୍ୟରେ ଗ୍ରାହକ ମୂଲ୍ୟ ସୂଚକାଙ୍କ(ସିପିଆଇ)ର ବାର୍ଷିକ ହାରାହାରି ୭.୫ ପ୍ରତିଶତ ହ୍ରାସକୁ ହିସାବକୁ ନେଲେ ୨୦୦ ଟଙ୍କାର ଆଜିର ମୂଲ୍ୟ ୭୩ ଟଙ୍କା ।
‘ଆଇଏଲଓ’ର ସାମାଜିକ ସୁରକ୍ଷା ମାନକ ଅନୁସାରେ ଜଣେ ସାଧାରଣ ଅଣକୁଶଳୀ ଶ୍ରମିକର ହାରାହାରି ରୋଜଗାରର ଏକ ନିର୍ଦ୍ଦିଷ୍ଟ ଅନୁପାତ ଅବସର ପରେ ସର୍ବନିମ୍ନ ଆୟ-ସ୍ତର ହେବା ବିଧେୟ।
ଭାରତରେ ପ୍ରଚଳିତ ଭବଷ୍ୟନିଧି ଯୋଜନାଗୁଡ଼ିକ ଇଚ୍ଛାମୂଳକ ଅଥବା ସ୍ବେଚ୍ଛାକୃତ ହୋଇଥିବାରୁ ଏସବୁ ଯୋଜନା ଦେଶରେ ବ୍ୟାପକ ହୋଇପାରିନାହିଁ । ତେଣୁ, ଭାରତରେ ଏକ ଭିନ୍ନ ଧରଣର ସର୍ବନିମ୍ନ ପେନ୍‌ସନ ଯୋଜନାର ଆବଶ୍ୟକତା ରହିଛି, ଯାହା ଦେଶ ଉପରେ ଆର୍ଥିକ ବୋଝ ହ୍ରାସ କରି ଅଧିକାଂଶ ଶ୍ରମିକଙ୍କୁ ସୁବିଧା ପହଞ୍ଚାଇବାକୁ ଚେଷ୍ଟା କରିପାରିବ ।
ଏହାକୁ ‘ବିଭରେଜିଆନ୍‌’ ପେନ୍‌ସନ କୁହାଯାଉଛି । ପ୍ରଦାନ କରାଯାଇଥିବା ଅଂଶଦାନ ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ବ୍ୟବସ୍ଥାରେ ସମାନ ପେନ୍‌ସନ ସୁବିଧା ପ୍ରଦାନ କରାଯାଇଥାଏ। ମିଳିତ ଜାତିସଂଘର ଜନସଂଖ୍ୟା ପାଣ୍ଠି ଦ୍ୱାରା ପ୍ରକାଶିତ ବିଶ୍ୱ ଜନସଂଖ୍ୟା ସ୍ଥିତି ରେପୋର୍ଟ-୨୦୧୯ ଅନୁଯାୟୀ ଭାରତର ପ୍ରାୟ ୮ କୋଟି ଲୋକ ୬୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ଅଟନ୍ତି। ମୋଟାମୋଟି ଭାବରେ ଯଦି ୬୫ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସିକ ୫୦୦ଟଙ୍କା ହିସାବରେ ପେନ୍‌ସନ ପ୍ରଦାନ କରାଯାଏ ତେବେ ସରକାରୀ ତହବିଲ ଉପରେ ଏହାର ଆର୍ଥିକ ପ୍ରଭାବ ୪୮,୦୦୦ କୋଟି ଟଙ୍କା ରହିବ। ୨୦୨୦-୨୧ରେ ଭାରତ ସରକାରଙ୍କ ସମୁଦାୟ ଖାଦ୍ୟ ସବ୍‌ସିଡି ପରିମାଣ(ଏଫ୍‌ସିଆଇ କ୍ଷତି ସହିତ) ପ୍ରାୟ ୧.୬୬ ଲକ୍ଷ କୋଟି ରହିଛି। ସାର୍ବଜନୀନ ପେନ୍‌ସନ ଖର୍ଚ୍ଚ ସମୁଦାୟ ଖାଦ୍ୟ ସବ୍‌ସିଡିର ଏକ-ତୃତୀୟାଂଶରୁ କମ୍‌ ହେବ।
ଦେଶରେ କାର୍ଯ୍ୟରତ ଶ୍ରମବଳର ପ୍ରାୟ ୮୦ ପ୍ରତିଶତ କୌଣସି ପେନ୍‌ସନ ପାଆନ୍ତିନି । ‘କ୍ରେଡିଟ୍‌ ସୁଇସ୍‌ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ’ର ଅଧ୍ୟୟନରୁ ଜଣାଯାଏ ଯେ, ବୃଦ୍ଧାବସ୍ଥା ପେନ୍‌ସନ ବାବଦରେ ଭାରତର ଖର୍ଚ୍ଚ ମୋଟ ଘରୋଇ ଉତ୍ପାଦ (ଜିଡିପି) ର ମାତ୍ର ଏକ ପ୍ରତିଶତ। ଅଂଶଦାନ କୃତ ପେନ୍‌ସନ ସହିତ ଅଣ-ଅଂଶଦାନ ପେନ୍‌ସନର ଯୁକ୍ତିଯୁକ୍ତ ସମ୍ମିଶ୍ରଣରେ ଏକ ସାର୍ବଜନୀନ ପେନ୍‌ସନ ଯୋଜନା ଲକ୍ଷ ଲକ୍ଷ ଶ୍ରମଜୀବୀଙ୍କ ଅବସର ପରବର୍ତ୍ତୀ ଜୀବନକୁ ସହଜ କରିପାରିବ। ଆର୍ଜେଣ୍ଟିନା, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଓ ଥାଇଲାଣ୍ଡ ଭଳି ବହୁ ବିକାଶଶୀଳ ଦେଶ ଏହା ମଧ୍ୟରେ ସାର୍ବଜନୀନ ପେନ୍‌ସନରେ ସଫଳତା ହାସଲ କରିଛନ୍ତି। ତେଣୁ, ଆମ ଦେଶରେ ଏହା ସମ୍ଭବ। ଆବଶ୍ୟକ କେବଳ ଇଚ୍ଛାଶକ୍ତି।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର ମୋ: ୯୪୩୭୧୬୪୬୧୧, Email: saktiprasadd@yahoo.in


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ ଚେତନାର ଆବାହନ

ମାନବ ଜୀବନକୁ ଦୀର୍ଘାୟୁ କରିବାରେ ବିଜ୍ଞାନର ଯଥେଷ୍ଟ ଅଗ୍ରଗତି ହୋଇଛି। ବିଜ୍ଞାନ ଅନେକ ରୋଗର ନିରାକରଣ କରିଛି, ଅନେକ ଦୁଃସାଧ୍ୟ ରୋଗର ଉପଶମ ଖୋଜି ବାହାର...

ଇସ୍ତଫା ଧମକ

ତେଲଙ୍ଗାନାର ପୋଲିସ୍‌ ଏକାଡେମୀ ମୁଖ୍ୟ ତଥା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଭି.କେ. ସିଂହ ପଦୋନ୍ନତିରୁ ବଞ୍ଚିତ ହେଲେ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି। ସିଂ...

ମହାପ୍ରଭୁଙ୍କ ମହାପ୍ରସାଦ

ଡ. ପ୍ରଫୁଲ୍ଲ କୁମାର ସାହୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ସାଂସ୍କୃତିକ ପ୍ରାଣକେନ୍ଦ୍ର। ଆମ ଆଧ୍ୟାତ୍ମିକ ଆସ୍ଥା ଓ ସାମାଜିକ ବିଚାର ଧାରାର କେନ୍ଦ୍ରବିନ୍ଦୁ। ଓଡ଼ିଶାର...

କଂଗ୍ରେସ ତ୍ରୁଟି ସୁଧାରୁ

ବୈକୁଣ୍ଠନାଥ ମିଶ୍ର ସ୍ବାଧୀନତା ଆନ୍ଦୋଳନ, ସ୍ବାଧୀନତା ପ୍ରାପ୍ତି ଓ ସ୍ବାଧୀନତୋତ୍ତର ଭାରତବର୍ଷରେ ଲୋକତାନ୍ତ୍ରିକ ଶାସନ ପ୍ରତିଷ୍ଠା କରିବାରେ ଜାତୀୟ କଂଗ୍ରେସର ଅବଦାନ ସର୍ବଜନବିଦିତ। ସ୍ବାଧୀନତାର ପ୍ରାକ୍‌ପ୍ରସ୍ତୁତିସ୍ବରୂପ...

ଅବସାଦଗ୍ରସ୍ତ ଯୁବପିଢ଼ି

ଡ. ବାସନ୍ତୀ ମହାନ୍ତି ସୁଶାନ୍ତ ସିଂ ରାଜପୁତଙ୍କ ପରେ ଓଡ଼ିଶାରେ ହାର୍ଦ୍ଦିକ ପଟ୍ଟନାୟକଙ୍କ ଆମତ୍ହତ୍ୟା ସମସ୍ତଙ୍କୁ ବେଦନାବ୍ୟଥିତ କରିଦେଇଛି, ଦୁହେଁ ଉଦୀୟମାନ ମେଧାବୀ ଛାତ୍ର ଥିଲେ।...

ଏଇ ଭାରତରେ

କରୋନା ସଂକ୍ରମଣକୁ ନେଇ ସାରା ଦେଶ ଚିନ୍ତିତ ଥିବାବେଳେ ମହାରାଷ୍ଟ୍ରରେ ଏହା ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। କିନ୍ତୁ ମୁମ୍ବାଇର ଶିଶିର ଜୋଷୀ ସଂକ୍ରମଣ...

ମହାଭାରତ: ବିଜ୍ଞାନ ଓ ବାସ୍ତବତା

ଉପେନ୍ଦ୍ର ବିଶ୍ୱାଳ ପଶ୍ଚିମବଙ୍ଗର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହସ୍ପିଟାଲରେ ଦେଖିବାକୁ ମିଳେ ଏକ ଅଭାବନୀୟ ଦୃଶ୍ୟ, ଗତ ଜୁନ ମାସରେ। ନଅବର୍ଷ କାଳ ସୁଖଦ...

ପୂର୍ବବର୍ତ୍ତୀଙ୍କ ପ୍ରତି ଅଶ୍ରଦ୍ଧାର ପରିଣାମ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ର ୧୯୪୨ ମସିହାରେ ଥରେ ଆଲୋଚନା ପ୍ରସଙ୍ଗରେ କହିଥିଲେ-ପୂର୍ବଗାମୀମାନଙ୍କର ନିନ୍ଦାକରି, ସେମାନଙ୍କର ଅପ୍ରତିଷ୍ଠା କରି ଯଦି ନିଜର ପ୍ରତିଷ୍ଠା ଚାହଁ, ସେ...

Coronavirus Update

Archives

Model This Week

Why Dharitri