ନାଗରିକତ୍ୱ ଆଇନର ବିପଦ

ଭାଲଚନ୍ଦ୍ର ଷଡ଼ଙ୍ଗୀ
ନାଗରିକତ୍ୱ ଆଇନରେ ସଂଶୋଧନକୁ ନେଇ ଅଭୂତପୂର୍ବ ପ୍ରତିକ୍ରିୟା ଦେଖାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ପ୍ରତିବାଦରେ ଏଯାଏ ୨୫ ଜଣ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ବେଳେ ଅନେକ ସ୍ଥାନରେ କର୍ଫ୍ୟୁ ଜାରି ହେବା ସହ ସେନା ବି ମୁତୟନ କରିବାକୁ, ଏପରି କି ମୋବାଇଲ ଓ ଇଣ୍ଟରନେଟ୍‌ ସେବା ବନ୍ଦ କରିବାକୁ ପଡ଼ିଛି। ବିରୋଧୀ ଦଳଠାରୁ ଆରମ୍ଭ କରି ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ ତଥା ସମଗ୍ର ଉତ୍ତରପୂର୍ବର ସାଧାରଣ ଜନତା ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ୧୯୭୪ ପରେ ପ୍ରଥମ ଥର ପାଇଁ ଦେଶର ପ୍ରାୟ ଅନେକ ବିଶ୍ୱବିଦ୍ୟାଳୟ, ଆଇଆଇଟି ଓ ଅନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଛାତ୍ରୀଛାତ୍ର, ଏପରି କି ଅନେକ ବୈଜ୍ଞାନିକ, ଶିକ୍ଷାବିତ୍‌ ଓ ସାହିତି୍ୟକ ଖୋଲାଖୋଲି ଭାବେ ପ୍ରତିବାଦ କରିବା ଦେଖାଯାଇଛି।
ନାଗରିକତା ଆଇନରେ ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ପ୍ରତାଡ଼ନାର ଶିକାର ହେଉଥିବା ସଂଖ୍ୟାଲଘୁ ହିନ୍ଦୁ, ଶିଖ୍‌, ପାର୍ସୀ, ବୌଦ୍ଧ, ଜୈନ ଓ ଖ୍ରୀଷ୍ଟିଆନ୍‌ ଧର୍ମର ଲୋକମାନଙ୍କୁ ଭାରତର ନାଗରିକତା ଦେବା କଥା କୁହାଯାଇଛି। କିନ୍ତୁ ଏଥିରେ ମୁସଲମାନ ସମ୍ପ୍ରଦାୟ ଏବଂ ଶ୍ରୀଲଙ୍କା, ମ୍ୟାନମାର୍‌, ଭୁଟାନ୍‌ କିମ୍ବା ଚାଇନା ପରି ଅନ୍ୟ ପଡ଼ୋଶୀ ଦେଶକୁ ଜାଣିଶୁଣି ଛାଡ଼ି ଦିଆଯାଇଛି। ତେବେ ଆମ ଦେଶରେ ସଂଖ୍ୟାଲଘୁଙ୍କ ଉପରେ ଗୋସୁରକ୍ଷା, ଲଭ୍‌ଜିହାଦ୍‌ ଆଦି ନାଁରେ କ୍ରମାଗତ ଆକ୍ରମଣ ଏବଂ ଭିଡ଼ହିଂସାକୁ ପ୍ରୋତ୍ସାହିତ କରୁଥିବା ଲୋକେ ବିଦେଶର ସଂଖ୍ୟାଲଘୁଙ୍କ ପାଇଁ ଚିନ୍ତା କରିବା ନିଶ୍ଚିତ ଭାବେ ଖୁସିର କଥା।
ନାଗରିକତ୍ୱ ଆଇନରେ ସଂଶୋଧନଟି କୌଣସି ଐତିହାସିକ ଭିତ୍ତି କିମ୍ବା ସେସବୁ ଦେଶରେ ଧାର୍ମିକ ପ୍ରତାଡ଼ନାର ସାମ୍ପ୍ରତିକ ସ୍ଥିତି ଉପରେ ଆଦୌ ଆଧାରିତ ନୁହେଁ। ଭାଜପା ସରକାର ନିଜର ସାମ୍ପ୍ରଦାୟିକ ବିଚାର ଅନୁରୂପ ଅନ୍ୟ ପଡ଼ୋଶୀ ଦେଶ ବଦଳରେ କେବଳ ତିନୋଟି ମୁସଲମାନ ବହୁଳ ଦେଶକୁ ବାଛିବା ପଛରେ ମୁସଲମାନମାନେ କେବେ ପ୍ରତାଡ଼ନାର ଶିକାର ହୁଅନ୍ତି ନାହିଁ ବରଂ ସେମାନେ ହିଁ ପ୍ରତାଡ଼କ ଏଭଳି ଏକ ଧାରଣା ସୃଷ୍ଟି କରିବା ପାଇଁ ଚାହିଁଛନ୍ତି। ଅନ୍ୟପଟେ ସଂଖ୍ୟାଲଘୁଙ୍କ ଉପରେ ସଂଖ୍ୟାଗରିଷ୍ଠ ଧର୍ମର ମୌଳବାଦୀ ଶକ୍ତିଙ୍କ ଦ୍ୱାରା ପ୍ରତାଡ଼ନା କୌଣସି ନିର୍ଦ୍ଦିଷ୍ଟ ଧର୍ମ ବା ଦେଶରେ ସୀମିତ ନୁହେଁ। ପାକିସ୍ତାନରେ ବି କେବଳ ହିନ୍ଦୁ ବା ଶିଖ୍‌ ନୁହନ୍ତି, ଖୋଦ ଇସଲାମ ଧର୍ମାବଲମ୍ବୀ କୁହାଯାଉଥିବା ସିଆ, ଅହମଦିଆ ପରି ସଂଖ୍ୟାଲଘୁମାନେ ମଧ୍ୟ ପ୍ରତାଡ଼ନାର ଶିକାର ହେଉଛନ୍ତି। ଶ୍ରୀଲଙ୍କାରେ ଧାର୍ମିକ ପ୍ରତାଡ଼ନାର ଶିକାର ହୋଇ ଲକ୍ଷାଧିକ ତାମିଲ ହିନ୍ଦୁ ଶରଣାର୍ଥୀ ଭାବେ ଦଶନ୍ଧି ଦଶନ୍ଧି ଧରି ଭାରତରେ ରହିଥିବା ବେଳେ ମ୍ୟାନମାର୍‌ରେ ସଂଖ୍ୟାଲଘୁ ରୋହିଙ୍ଗ୍ୟା ମୁସଲମାନ ଅଭୂତପୂର୍ବ ଧାର୍ମିକ ପ୍ରତାଡ଼ନା ଓ ହିଂସାର ଶିକାର ହୋଇଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା, ମୋଦି ସରକାରଙ୍କୁ ଉପରୋକ୍ତ ସଂଖ୍ୟାଲଘୁମାନଙ୍କ ଦୁର୍ଦ୍ଦଶା ତିଳେମାତ୍ର ବିଚଳିତ କରୁନାହଁି।
ସଂଶୋଧିତ ନାଗରିକତ୍ୱ ଆଇନକୁ ଜାତିଧର୍ମ ନିର୍ବିଶେଷରେ ସମଗ୍ର ଉତ୍ତରପୂର୍ବର ଜନତା ଜୋରଦାର ବିରୋଧ କରିଛନ୍ତି। ଏହା ଜରିଆରେ ଭାଜପା ସରକାର ସେସବୁ ରାଜ୍ୟରେ ଥିବା ହିନ୍ଦୁ ଅନୁପ୍ରବେଶକାରୀଙ୍କୁ ନାଗରିକତା ଦେଇ ସେଠାକାର ସ୍ଥାୟୀ ବାସିନ୍ଦା କରିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ସେମାନେ ଭାବୁଛନ୍ତି। ସେମାନଙ୍କ ଧାରଣାଟି ଏକଦମ୍‌ ସ୍ବାଭାବିକ ମନେହୁଏ। କାରଣ ଅତୀତରେ ବାଂଲାଦେଶରୁ ଉତ୍ତରପୂର୍ବକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଉଭୟ ହିନ୍ଦୁ ଓ ମୁସଲମାନ ଅନୁପ୍ରବେଶକାରୀ ଆସି ସେଠାକାର ଜନସଂଖ୍ୟାର ସନ୍ତୁଳନକୁ ଏକଦମ୍‌ ବିଗାଡ଼ି ଦେବା ଫଳରେ ସ୍ଥାନୀୟ ମୂଳ ବାସିନ୍ଦା ଏବେ ସଂଖ୍ୟାଲଘୁରେ ପରିଣତ ହୋଇଛନ୍ତି। ଏହି କାରଣରୁ ହିଁ ଧର୍ମ ନିର୍ବିଶେଷରେ ସବୁ ଅନୁପ୍ରବେଶକାରୀଙ୍କୁ ହଟାଇବା ଦାବିରେ ଅତୀତରେ ସେଠାରେ ଅନେକ ଆନ୍ଦୋଳନ ହୋଇଛି। ଐତିହାସିକ ଆସାମ ଚୁକ୍ତି ଅନୁଯାୟୀ ସରକାର ଆସାମରେ ଜାତୀୟ ନାଗରିକ ପଞ୍ଜିକା ବା ଏନ୍‌ଆର୍‌ସି ଲାଗୁ କରିବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ନିଜ ଭୋଟବ୍ୟାଙ୍କର ସ୍ବାର୍ଥରେ ଭାଜପା ସରକାର ଏନ୍‌ଆର୍‌ସିରୁ ବାଦ ପଡ଼ି ଯାଇଥିବା ୧୯.୬ ଲକ୍ଷ ଲୋକଙ୍କ ମଧ୍ୟରୁ କେବଳ ମୁସଲମାନଙ୍କୁ ଛାଡ଼ି ବଳକା ୧୪ ଲକ୍ଷ ହିନ୍ଦୁ ଅନୁପ୍ରବେଶକାରୀଙ୍କୁ ନାଗରିକତା ଦେଇ ସେଠାକାର ସ୍ଥାୟୀ ବାସିନ୍ଦା କରିବାକୁ ନାଗରିକତ୍ୱ ଆଇନରେ ସଂଶୋଧନ ଆଣିଛନ୍ତି।
ସରକାର ଉତ୍ତରପୂର୍ବର ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ସେଠାକାର କିଛି ଅଞ୍ଚଳରେ ନାଗରିକତ୍ୱ ଆଇନ ଲାଗୁ ନ କରିବାକୁ ଘୋଷଣା କରିଛନ୍ତି। ଯେହେତୁ ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମୁସଲିମ୍‌ ଲୋକଙ୍କୁ ନାଗରିକତାରୁ ବଞ୍ଚିତ କରିବା ଏବଂ ଦେଶର ମୁଖ୍ୟ ଭୂଖଣ୍ଡରେ ହିନ୍ଦୁ-ମୁସଲମାନ ଧ୍ରୁବୀକରଣ ସୃଷ୍ଟି କରିବା, ତେଣୁ ସରକାର ତାତ୍କାଳିକ ଭାବେ ସେଠାକାର ଲୋକଙ୍କ ଅସନ୍ତୋଷକୁ ପ୍ରଶମିତ କରିବା ଲକ୍ଷ୍ୟରେ ଏହାର କାର୍ଯ୍ୟ ପରିସୀମାରୁ ଉତ୍ତରପୂର୍ବର କିଛି ଅଞ୍ଚଳକୁ ଏକ କୌଶଳ ଭାବେ ବାଦ୍‌ ଦେଇଛନ୍ତି। ସମ୍ବିଧାନର ଧାରା ୩୭୧ ଏବଂ ଷଷ୍ଠ ଅନୁଚ୍ଛେଦ ଅଧୀନରେ ଆସୁଥିବା କିଛି ଅଞ୍ଚଳ ଏବଂ ଇନର ଲାଇନ୍‌ ପରମିଟ୍‌ର ଅଧିକାର ପାଇଥିବା କିଛି ଅଞ୍ଚଳରେ ଏହି ସଂଶୋଧିତ ଆଇନ ଲାଗୁ ହେବନାହିଁ। ଅତୀତରେ ‘ଗୋଟିଏ ଦେଶ, ଗୋଟିଏ ଆଇନ’ର ସ୍ଲୋଗାନ ଦେଇ ଧାରା ୩୭୦ରେ କଶ୍ମୀରକୁ ଦିଆଯାଉଥିବା ସ୍ବତନ୍ତ୍ର ସୁରକ୍ଷାକୁ ଉଚ୍ଛେଦ କରିଥିବା କେନ୍ଦ୍ର ସରକାର ଏବେ ଉତ୍ତରପୂର୍ବର କିଛି ଅଞ୍ଚଳରେ ଏହି ଆଇନ ଲାଗୁ ନ କରିବାକୁ ଘୋଷଣା କରି ନିଜର ଛଳନାତ୍ମକ ରାଜନୀତିକୁ ହିଁ ପ୍ରଦର୍ଶିତ କରିଛନ୍ତି।
ଅତୀତରେ ନାଗରିକତ୍ୱ ଆଇନରେ ଅନେକ ଥର ସଂଶୋଧନ କରାଯାଇଥିଲେ ମଧ୍ୟ ଧର୍ମ ଆଧାରରେ ନାଗରିକତା ପ୍ରଦାନ କରିବାକୁ ପ୍ରଥମ ଥର ପାଇଁ ଉଦ୍ୟମ କରାଯାଇଛି। ‘ସବ୍‌କା ସାଥ୍‌, ସବ୍‌କା ବିକାଶ ଓ ସବ୍‌କା ବିଶ୍ୱାସ’ର କଥା କହି କ୍ଷମତାକୁ ଆସିଥିବା ମୋଦିଙ୍କ ନୂଆ ଭାରତରେ ଧର୍ମ ଆଧାରରେ କୌଣସି ବ୍ୟକ୍ତିକୁ ନାଗରିକତା ଦେବା ନିଶ୍ଚିତ ରୂପେ ଏକ ଭୟଙ୍କର ବିପଦର ସୂଚନା ଦେଉଛି। ଏହା କେବଳ ଦେଶର ଧର୍ମନିରପେକ୍ଷ ମୂଲ୍ୟବୋଧ କିମ୍ବା ମାନବିକତାର ପରିପନ୍ଥୀ ନୁହେଁ ବରଂ ସମ୍ବିଧାନର ମୁଖବନ୍ଧ ଏବଂ ଧାରା ୧୪, ଯାହାକି ଜାତି, ଧର୍ମ ଓ ଲିଙ୍ଗ ଆଧାରରେ ସମାନ ଆଇନ ପ୍ରଣୟନର କଥା କହୁଛି, ତା’ର ଖୋଲାଖୋଲି ଉଲ୍ଲଂଘନ । ଆଜି ଇସ୍ରାଏଲକୁ ଛାଡ଼ିଦେଲେ ଅନ୍ୟ କୌଣସି ଦେଶ ଧର୍ମ ଆଧାରରେ ନାଗରିକତା ଦେବା କଥା କହୁନାହାନ୍ତି। ଏପରି କି ଆମେରିକା, ଇଂଲଣ୍ଡ, କାନାଡ଼ା କିମ୍ବା ୟୁଏଇ ବା କୁଏତ୍‌ ପରି ବିଶ୍ୱର ଅନେକ ଖ୍ରୀଷ୍ଟିଆନ ଓ ମୁସଲମାନ ବହୁଳ ଦେଶରେ ବି ଲକ୍ଷ ଲକ୍ଷ ସଂଖ୍ୟାରେ ଭାରତୀୟ ହିନ୍ଦୁ, ଶିଖ୍‌ ନାଗରିକତା ହାସଲ କରି ଶାନ୍ତିରେ ବସବାସ କରୁଛନ୍ତି। କିନ୍ତୁ ପରିତାପର ବିଷୟ ହେଲା ଆମ ସରକାର ଗାନ୍ଧୀ, ସୁଭାଷ ବୋଷ ଏବଂ ଭଗତ୍‌ ସିଂଙ୍କ ବିବିଧତା ମଧ୍ୟରେ ଏକତାର ଧର୍ମନିରପେକ୍ଷ ଭାରତୀୟ ଧାରଣାକୁ ଛାଡ଼ି ଜିନ୍ନା ଏବଂ ସଭରକରଙ୍କ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ଧର୍ମ’ର ପଦାଙ୍କ ଅନୁସରଣ କରିବାକୁ ଯାଉଛନ୍ତି।
ମୋ-୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଚରିତ୍ର କିଣି ହୁଏନି

ଚିତ୍ର ଦିଶେ। ଦୃଶ୍ୟ ଦିଶେ। ଅନେକ ଜଡ଼ବସ୍ତୁ ସହ ଜୀବନ୍ତ ଗଛଲତା, ଜୀବଜନ୍ତୁ, ସର୍ବୋପରି ପ୍ରାଣୀ ଶ୍ରେଷ୍ଠ ମଣିଷ ବି ଦେଖାଯାନ୍ତି ନଗ୍ନ ଆଖିକୁ। ହେଲେ ମଣିଷର…

ଭଲ ପିଲାର ସଂଜ୍ଞା

ରାସ୍ତାର ଦୁଇ ପଟେ ଦୁଇଟି ଗଛ। ଆମ୍ବ ଗଛ। ଦୁଇ ଗଛରେ ପ୍ରଚୁର ଆମ୍ବ ଫଳିଛି। ପାଚିଛି ଓ ସୁନ୍ଦର ଦିଶୁଛି। ଗୋଟିଏ ଗଛ ତଳେ ପିଲାମାନେ…

ହର୍ମୁଜରୁ ତାଇଓ୍ବାନ

ଅଧିକାଂଶ ସ୍କୁଲପିଲାଙ୍କୁ ଶିକ୍ଷା ଦିଆଯାଉଛି ଯେ, ପୃଥିବୀର ପରିଧିର ଲମ୍ବ ପାଖାପାଖି ୨୫,୦୦୦ ମାଇଲ ବା ୪୦,୦୦୦ କିଲୋମିଟର। ହେଲେ ସେମାନେ ଜାଣିନାହାନ୍ତି ଯେ, ଏହା ମଧ୍ୟରୁ…

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri