ପଦୋନ୍ନତି

ଚାକିରି ପାଇଥିବା ବ୍ୟକ୍ତିଙ୍କ ପରବର୍ତ୍ତୀ ଲକ୍ଷ୍ୟ ଥାଏ ପଦୋନ୍ନତି। ବିଶେଷକରି ସରକାରୀ ସଂସ୍ଥାରେ ଏଥିପାଇଁ ଆଗ୍ରହର ସହ ସମସ୍ତେ ଅପେକ୍ଷା କରିଥାଆନ୍ତି। ଯୋଗ୍ୟ ବ୍ୟକ୍ତିଙ୍କୁ ଠିକ୍‌ ସମୟରେ ପଦୋନ୍ନତି ମିଳିପାରିଲେ ତାଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ ଓ ସେ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରନ୍ତି। ହେଲେ ଓଡ଼ିଶାରେ ମଧ୍ୟମ ଓ ତଳ ସ୍ତରରେ ଥିବା ସବୁ କର୍ମଚାରୀଙ୍କ ପାଇଁ ସେଭଳି ସୁଯୋଗ ଆସି ନ ଥାଏ। ବର୍ଷବର୍ଷ ଗଡ଼ିଯାଉଥିଲେ ମଧ୍ୟ ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ମଧ୍ୟ ବସିପାରି ନ ଥାଏ। ଏ ବିଷୟରେ ସରକାରଙ୍କ ସବୁ ବିଭାଗରେ ଥିବା କର୍ମଚାରୀ ସର୍ବଦା ଅଭିଯୋଗ କରିଆସିଥାଆନ୍ତି। ଅନ୍ୟପକ୍ଷରେ ଉଚ୍ଚ ପାହ୍ୟାରେ ଥିବା ଅମଲାତନ୍ତ୍ରୀ ଯଥା ଆଇଏଏସ୍‌ ଅଫିସର, ଆଇପିଏସ୍‌ ଅଫିସରଙ୍କ ଭଳି ସର୍ବଭାରତୀୟ ସେବାର ଅଧିକାରୀ ଉପଯୁକ୍ତ ସମୟରେ ପଦୋନ୍ନତି ପାଇ ସବୁ ପ୍ରକାର ସୁବିଧା ଓ ସୁଯୋଗ ଉପଭୋଗ କରିଥାଆନ୍ତି। ଯେହେତୁ ସେମାନେ ପ୍ରତ୍ୟେକ ବିଭାଗ, ଶାଖା କିମ୍ବା ଜିଲାର ମୁଖ୍ୟ ଭାବେ ରହିଥାଆନ୍ତି, ସେମାନଙ୍କ ପଦୋନ୍ନତି ଲାଗି ବିରାଦରି ହେଉଥିବା ଏକ ଜଣାଶୁଣା କଥା। ଉଚ୍ଚ ପଦବୀରେ ଥିବା ବ୍ୟକ୍ତିଙ୍କୁ ଡର ଥିବାରୁ ଅଧସ୍ତନମାନେ ସେମାନଙ୍କ ବିରୋଧରେ ସ୍ବର ଉଠାଇବାକୁ ଚାହାନ୍ତି ନାହିଁ। ଫଳରେ ମଝି ଓ ତଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀ ସେମାନଙ୍କ ହାତଟେକାକୁ ଅନେଇ ବସିଥାଆନ୍ତି। ଡେରିରେ ହେଲେ ମଧ୍ୟ ଏବେ ରାଜ୍ୟ ଶାସନର ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟମ ଓ ତଳିଆ କର୍ମଚାରୀଙ୍କ ଦୁଃଖ ବୁଝି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୨୩ ଡିସେମ୍ବରରେ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜିଲାଠାରୁ ରାଜ୍ୟସ୍ତରୀୟ ସରକାରୀ କାର୍ଯ୍ୟାଳୟ ଯାଏ ବହୁ କର୍ମଚାରୀ ପଦୋନ୍ନତି ଅପେକ୍ଷାରେ ଥିବାରୁ ତୁରନ୍ତ ଏହି ପ୍ରକ୍ରିୟା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସେ ବିଭାଗୀୟ ମୁଖ୍ୟ ଓ ପ୍ରତ୍ୟେକ ଜିଲାପାଳଙ୍କୁ ଆଦେଶ ଦେଇଛନ୍ତି ଯେ, ଏ ସଂକ୍ରାନ୍ତରେ ପ୍ରସ୍ତୁତ ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ୩୧ ଡିସେମ୍ବର ସନ୍ଧ୍ୟା ସୁଦ୍ଧା ପହଞ୍ଚିବା ବାଞ୍ଛନୀୟ। ପ୍ରତ୍ୟେକ ବର୍ଷ ଜାନୁୟାରୀ ୧ ତାରିଖରେ ଯୋଗ୍ୟ ବ୍ୟକ୍ତି ଯେଭଳି ପଦୋନ୍ନତି ପାଇବେ, ତାହା ସୁନିଶ୍ଚିତ କରାଯିବା ଦରକାର। ଯଦି କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ପଦୋନ୍ନତି ନେଇ ବିଳମ୍ବ ଘଟେ, ତାହା ହେଲେ ସେଥିଲାଗି ଦାୟିତ୍ୱରେ ଥିବା ମୁଖ୍ୟମାନେ ଦାୟୀ ରହିବେ। ସ୍ବଚ୍ଛ ପ୍ରଶାସନ ସକାଶେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିର୍ଦ୍ଦେଶ ନିଶ୍ଚିତ ଭାବେ ପଦୋନ୍ନତି ଅପେକ୍ଷାରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସାହିତ କରିବ।
ପ୍ରତ୍ୟେକ କ୍ୟାଲେଣ୍ଡର ବର୍ଷରେ ଚାକିରିରେ ପଦୋନ୍ନତି ମାନଦଣ୍ଡ, ଶୂନ୍ୟ ପଡ଼ିଥିବା ପଦବୀ ଆଦି ତାଲିକା ବିଷୟରେ ସବୁକିଛି ସରକାରୀ ନିୟମରେ ଉଲ୍ଲେଖ କରାଯାଇଥାଏ। ଜାନୁୟାରୀରେ ଡିପିସି ବସି ଯୋଗ୍ୟ ଅଧିକାରୀ ବା କର୍ମଚାରୀଙ୍କୁ ପଦୋନ୍ନତି ଦିଆଯିବାର ବ୍ୟବସ୍ଥା ରହିଛି। ଏ ସଂକ୍ରାନ୍ତରେ ସରକାରୀ ଭାବେ ସବୁ ବିଭାଗକୁ ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ମଧ୍ୟ ତାହା ଠିକ୍‌ ଭାବେ ଅନୁପାଳନ କରାଯାଉ ନ ଥିଲା। ଅଧିକାଂଶ ସମୟରେ ଅଭିଯୋଗ ହୋଇଥାଏ ଯେ ବରିଷ୍ଠତା ଅନୁଯାୟୀ ପ୍ରସ୍ତୁତ କ୍ରମିକ ତାଲିକା ବା ଗ୍ରେଡେଶନ ଲିଷ୍ଟ କିମ୍ବା ଖାଲି ପଡ଼ିଥିବା ପଦବୀ ସଂଖ୍ୟା ଉପଲବ୍ଧ ହେଉ ନ ଥିବାରୁ ଡିପିସି ବସିବାରେ ବିଳମ୍ବ ଘଟିଥାଏ। ଏହା ମଧ୍ୟ ଦେଖାଯାଏ ଯେ, କେତେକ କର୍ମଚାରୀ ଆଇନର ଆଶ୍ରୟ ନେଉଥିବାରୁ ଏହି ପ୍ରକ୍ରିୟା ବିଳମ୍ବିତ ହୋଇଥାଏ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଘରୋଇ ଓ କର୍ପୋରେଟ ସଂସ୍ଥାରେ କର୍ମଚାରୀଙ୍କ ଦକ୍ଷତାକୁ ଗୁରୁତ୍ୱ ଦିଆଯାଇ ଯେଭଳି ପଦୋନ୍ନତି ଓ ସ୍ବତନ୍ତ୍ର ସୁବିଧା ଦିଆଯାଇଥାଏ, ତାହା ସରକାରୀ କାର୍ଯ୍ୟାଳୟରେ ଲାଗୁ କରାଗଲେ କେବଳ ବରିଷ୍ଠତା ନୁହେଁ, କାର୍ଯ୍ୟଦକ୍ଷତା ଆଧାରରେ ପ୍ରାର୍ଥୀଙ୍କୁ ବଛାଯାଇପାରନ୍ତା।
ଦେଖିବାକୁ ଗଲେ ସରକାରଙ୍କ ଯୋଜନା ଓ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ସର୍ବଭାରତୀୟ ଅଧିକାରୀଙ୍କଠାରୁ ମଧ୍ୟମ ଓ ତଳ ସ୍ତରରେ ଥିବା କର୍ମଚାରୀ ଅଧିକ ଦାୟିତ୍ୱ ନେଇଥାଆନ୍ତି। ସେମାନଙ୍କ ଦ୍ୱାରା ଫାଇଲ ଚାଷ ପରେ ବଡ଼ବଡ଼ିଆଙ୍କ ପାଖକୁ ଦସ୍ତଖତ ହେବା ପାଇଁ ପହଞ୍ଚିଥାଏ। କିନ୍ତୁ ସରକାରୀ ସୁବିଧାକୁ ଆଇଏଏସ୍‌ ଓ ଆଇପିଏସ୍‌ ଅଧିକାରୀମାନେ ପ୍ରଥମେ ହାତେଇ ନେଇଥାଆନ୍ତି। ଏହି ଅଧିକାରୀମାନଙ୍କ ପଦୋନ୍ନତି ନେଇ ସାଧାରଣତଃ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇ ନ ଥାଏ। କେବଳ ପ୍ରଶାସନର ସର୍ବୋଚ୍ଚ ପଦବୀରେ କିଏ ଅବସ୍ଥାପିତ ହେବେ ତାହା ଉପରେ ଲକ୍ଷ୍ୟ ରହିଥାଏ। ଅନ୍ୟପକ୍ଷରେ ଜିଲାଠାରୁ ସଚିବାଳୟ ପର୍ଯ୍ୟନ୍ତ କିଛି ନିଷ୍ଠାବାନ୍‌ କର୍ମଚାରୀ ସରକାରୀ ଆଦବକାଇଦା ଜାଣି ନ ପାରି ଅବସରଯାଏ ନିଯୁକ୍ତି ପାଇଥିବା ପଦବୀରେ ରହିଯାଇଥାଆନ୍ତି। ଏଭଳି କର୍ମଚାରୀଙ୍କ ଉପରେ କେତେବେଳେ ଯଦି କେଉଁ ବଡ଼ବଡ଼ିଆଙ୍କ ଶୁଭଦୃଷ୍ଟି ଟିକେ ପଡ଼େ ଚାକିରିର ଶେଷ ଆଡ଼କୁ ପଦୋନ୍ନତି ମିଳେ, ଯାହା ଅବସର ପରେ କେବଳ ପେନ୍‌ସନ ପରିମାଣ ବୃଦ୍ଧିରେ ସହାୟକ ହୋଇଥାଏ। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଦରକାର। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କିଭଳି କାର୍ଯ୍ୟକାରୀ ହେଉଛି ଓ କେଉଁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା ଆଗାମୀ ଦିନରେ ଜଣାପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଚରିତ୍ର କିଣି ହୁଏନି

ଚିତ୍ର ଦିଶେ। ଦୃଶ୍ୟ ଦିଶେ। ଅନେକ ଜଡ଼ବସ୍ତୁ ସହ ଜୀବନ୍ତ ଗଛଲତା, ଜୀବଜନ୍ତୁ, ସର୍ବୋପରି ପ୍ରାଣୀ ଶ୍ରେଷ୍ଠ ମଣିଷ ବି ଦେଖାଯାନ୍ତି ନଗ୍ନ ଆଖିକୁ। ହେଲେ ମଣିଷର…

ଭଲ ପିଲାର ସଂଜ୍ଞା

ରାସ୍ତାର ଦୁଇ ପଟେ ଦୁଇଟି ଗଛ। ଆମ୍ବ ଗଛ। ଦୁଇ ଗଛରେ ପ୍ରଚୁର ଆମ୍ବ ଫଳିଛି। ପାଚିଛି ଓ ସୁନ୍ଦର ଦିଶୁଛି। ଗୋଟିଏ ଗଛ ତଳେ ପିଲାମାନେ…

ହର୍ମୁଜରୁ ତାଇଓ୍ବାନ

ଅଧିକାଂଶ ସ୍କୁଲପିଲାଙ୍କୁ ଶିକ୍ଷା ଦିଆଯାଉଛି ଯେ, ପୃଥିବୀର ପରିଧିର ଲମ୍ବ ପାଖାପାଖି ୨୫,୦୦୦ ମାଇଲ ବା ୪୦,୦୦୦ କିଲୋମିଟର। ହେଲେ ସେମାନେ ଜାଣିନାହାନ୍ତି ଯେ, ଏହା ମଧ୍ୟରୁ…

ଯୁଗେ ଯୁଗେ ଇଚ୍ଛାମୃତ୍ୟୁ

ଣସି କାରଣରୁ ବ୍ୟକ୍ତି ଇଚ୍ଛାକରି ମୃତ୍ୟୁକୁ ଆଦରି ନେବା ହେଉଛି ଇଚ୍ଛାମୃତ୍ୟୁ, ଯାହା ପୁରାଣ ପୃଷ୍ଠା ମଣ୍ଡନକରି ପାଠକର ମନ ହୃଦୟକୁ ଆନ୍ଦୋଳିତ କରେ। ରାମାୟଣ ଯୁଦ୍ଧର…

ଓଡ଼ିଶାରେ ଗଛର ବିବିଧତା

ପ୍ରକୃତି ଓଡ଼ିଶାକୁ ଗଛର ବିବିଧତାରେ ଭରିଦେଇଛି । ଓଡ଼ିଶାର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ପାଇଁ ଗଛର ବିବିଧତାର ସୁରକ୍ଷା ଏବଂ ବିକାଶ ଆବଶ୍ୟକ। ଭାରତୀୟ…

ଶାକାହାରୀ ଦୟାଳୁ କି

ନାଥୁରାମ ଗଡ୍‌ସେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ସେ କ’ଣ ଶାକାହାରୀ ଥିଲେ କି? ହିନ୍ଦୁ ପୁରାଣ ଅନୁଯାୟୀ, ପର୍ଶୁରାମ ଅନେକ ପିଢ଼ିର କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ।…

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri