ଚିନିକଳ ବିକ୍ରି ଗୁଜବ : ଏକାଠି ହେଲେ କୃଷକ, ନେତା, ହେବ ଆନ୍ଦୋଳନ

ନୟାଗଡ଼ ଅଫିସ,୧୭ା୬:  ନୟାଗଡ଼ ଜିଲା ସଦର ବ୍ଲକ ପାଣିପୋଇଲାଠାରେ ଥିବା ଚିନିକଳ ବିକ୍ରି ନେଇ ଗୁଜବ ପ୍ରଚାର ହେବା ପରେ ଏବେ ଜିଲାସାରା ଗୋଟିଏ ଚର୍ଚ୍ଚା। କିପରି ଏହାର ସୁରକ୍ଷା ହେବ ବା ଚିନିକଳ ଖୋଲିବ। ଏଥିପାଇଁ କୃଷକଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା, ନେତା ସବୁ ଏକାଠି ହୋଇଛନ୍ତି। ସୂଚନାଯୋଗ୍ୟ ଜିଲାର ଥିବା ଏକମାତ୍ର ଏହି ଚିନିକଳ ୫ବର୍ଷ ହେଲା ବନ୍ଦ ହୋଇପଡ଼ିଥିବା ବେଳେ ଏହାକୁ ଗୁଜରାଟର ଏକ କମ୍ପାନୀ କିଣି ନେଇଥିବା ନେଇ ଆଲୋଚନା ହେଉଛି। ହେଲେ ଏ ନେଇ ପ୍ରଶାସନ ପାଖରେ କୌଣସି ଖବର ନ ଥିବା କୁହାଯାଇଛି।
ରବିବାର ବାଲୁଗାଁର ଚଣ୍ଡୀମନ୍ଦିରଠାରେ ଚିନିକଳ ବଞ୍ଚାଅ ସମିତି ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରମିକନେତା ବିଶ୍ୱନାଥ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ କୃଷକ ପ୍ରତିନିଧି, ଜନପ୍ରତିନିଧି ଓ ଶ୍ରମିକ କର୍ମଚାରୀଙ୍କ ପ୍ରତିନିଧିମାନେ ଯୋଗଦେଇ ଚିନିକଳ ସୁରକ୍ଷା ସହିତ ଏହାକୁ ଖୋଲିବା ପାଇଁ ଜନଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ସୋମବାର ଏ ନେଇ ପ୍ରତିନିଧିମାନେ ଜିଲାପାଳଙ୍କୁ ଭେଟିବାକୁ ଆଲୋଚନା ହୋଇଥିଲା। ଚିନିକଳକୁ ଖୋଲିବା ଲାଗି ବ୍ୟାପକ ଗଣସଚେତନତା ଓ ଆନ୍ଦୋଳନ ନିମନ୍ତେ ଚଳିତମାସ ୨୧ ତାରିଖରେ ବାଲୁଗଁାଠାରେ ଏକ ଗଣସମାବେଶ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ହୋଇଥିଲା। ବୈଠକରେ କଂଗ୍ରେସ ନେତା ମନୋଜ କୁମାର ସାହୁ, ଭାଜପା ନେତା ସନ୍ତୋଷ କୁମାର ପ୍ରଧାନ, କୃଷକନେତା ଯୋଗେନ୍ଦ୍ର ଖୁଣ୍ଟିଆ, ଜନାର୍ଦ୍ଦନ ଦଳବେହେରା, ଗୋଲକ ବିହାରୀ ମୁଦୁଲି, ଗୋପୀନାଥ ପ୍ରଧାନ, ରଣଜିତ ଦଳବେହେରା ପ୍ରମୁଖ ଯୋଗଦେଇଥିଲେ।
ଗୁଜବର ସୂତ୍ରଧର- ଦୁଇଦିନ ତଳେ ଅର୍ଥାତ୍‌ ଗତ ଶୁକ୍ରବାର ଅପରାହ୍ନରେ ଗୁଜରାଟର ଶକ୍ତି ଏଣ୍ଟରପ୍ରାଇଜର୍ସ ସଂସ୍ଥାର ଦୁଇଜଣ ଅଧିକାରୀ କିମ୍ବା କର୍ମଚାରୀ ୩୦ରେ ଚିନିକଳକୁ ଆସିଥିଲେ। ସେମାନେ ଭିତରକୁ ପଶିବାରୁ ଉଦ୍ୟମ କରିବାରୁ ସେଠାରେ ଥିବା ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇଥିଲା। ପରେ ସେମାନେ ଏହାକୁ ବ୍ୟାଙ୍କଠାରୁ ୧ କୋଟି ୮୦ଲକ୍ଷ ଟଙ୍କାରେ କିଣିଥିବା ପ୍ରକାଶ କରିଥିଲେ। ସେମାନଙ୍କୁ କାଗଜପତ୍ର ଦେଖାଇବାରୁ କୁହାଯାଇଥିଲେ ମଧ୍ୟ ଦେଖାଇପାରି ନ ଥିଲେ। ପରେ ପଛରେ ଆସିବେ କହି ଭିଜିଟିଂ କାର୍ଡ଼ ଦେଇ ପଳାଇ ଯାଇଥିଲେ। ଏହା ପରେ ଚିନିକଳ ବିକ୍ରି ହେବା ଗୁଜବ ପ୍ରଚାର ହୋଇଥିଲା। ଭିଜିଟିଂ କାର୍ଡ଼ରେ ଥିବା ଦୁଇଟି ମୋବାଇଲ ନମ୍ବରକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସୁଇଚ୍‌ ଅଫ୍‌ ଥିବାରୁ ସମ୍ଭବ ହୋଇପାରି ନ ଥିଲା।
ଚିନିକଳ ଇତିହାସ- ଏପ୍ରିଲ ୧୯୮୪ରେ ନୟାଗଡ଼ ସହରଠାରୁ ୫ କିଲୋମିଟର ଦୂର ବାଲୁଗାଁ ପଞ୍ଚାୟତ ପାଣିପୋଇଲାଠାରେ ୧୪୩ ଏକର ପରିମିତ ଜାଗାରେ ଚିନିକଳର ଶିଳାନ୍ୟାସ କରାଯାଇଥିଲା। ପରେ ୧୯୮୫ରୁ ୧୯୮୮ ମଧ୍ୟରେ ୧୮କୋଟି ଟଙ୍କା ବ୍ୟୟରେ ଚିନିକଳ ପ୍ରତିଷ୍ଠା କରାଗଲା। ୧୯୮୮ରେ ଚିନିକଳରୁ ଉପତ୍ାଦନ ଆରମ୍ଭ ହେଲା। କିନ୍ତୁ ପରିଚାଳନାଗତ ତ୍ରୁଟି ଯୋଗୁ ସମବାୟ ଭିତ୍ତିରେ ପ୍ରତିଷ୍ଠିତ ଏହି ଚିନି କଳ ବାରମ୍ବାର କ୍ଷତିରେ ଚାଲିବା ସହ ଆଖୁ ଚାଷୀ ଓ କାରଖାନା କର୍ମଚାରୀମାନେ ତାଙ୍କ ପ୍ରାପ୍ୟ ପାଇପାରିଲେ ନାହିଁ । ମାତ୍ର ୨ବର୍ଷ ଚାଲିବା ପରେ ବନ୍ଦ ହେବା ଅବସ୍ଥାକୁ ଚାଲିଆସିବାରୁ ସରକାର ଏହାକୁ ତାମିଲନାଡ଼ୁର ଧରଣୀ ସୁଗାର୍ସ ନାମକ ଏକ କମ୍ପାନୀକୁ ଲିଜ୍‌ ସୂତ୍ରରେ ୧୨ ବର୍ଷ ପାଇଁ ହସ୍ତାନ୍ତର କରିଦେଲେ। ଧରଣୀ ସୁଗାର୍ସ କିଛିବର୍ଷ ଚିନିକଳ ଚଲାଇବା ପରେ ଆଖୁଚାଷୀ ଓ କର୍ମଚାରୀଙ୍କ କୋଟି କୋଟି ଟଙ୍କା ନ ଦେଇ ରାତିଅଧିଆ ଚମ୍ପଟ ମାରିଲା। ଫଳରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଏହା ବନ୍ଦ ରହିଲା। ୨୦୦୪ ଜୁନ୍‌ ମାସରେ ସରକାର ଚିନିକଳକୁ ମାତ୍ର ୫ କୋଟି ଟଙ୍କାରେ ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ରଙ୍କୁ ହସ୍ତାନ୍ତର କଲେ। ହେଲେ ମିଶ୍ର ୨୦୧୨ରୁ ୨୦୧୪ ମଧ୍ୟରେ ଚିନି କଳ କର୍ମଚାରୀ ଓ ଆଖୁ ଚାଷୀଙ୍କ ପ୍ରାୟ ୪ କୋଟି ଟଙ୍କା ନ ଦେଇ ଗତ ୨୦୧୪ ମାର୍ଚ୍ଚ ୪ ତାରିଖ ରାତିରେ ଚିନି କଳରେ ତାଲା ଝୁଲାଇ ଚମ୍ପଟ ମାରିଲେ। ସେହି ଦିନଠାରୁ ନୟାଗଡ଼ର ଏକମାତ୍ର ଶିଳ୍ପ କାରଖାନା କୁହାଯାଉଥିବା ଚିନିକଳ ବନ୍ଦ ହୋଇ ପଡ଼ିରହିଛି।
ବିଭିନ୍ନ ସମୟରେ ହେଉଛି ଚୋରି – ବନ୍ଦ ହେବାର ୫ବର୍ଷ ଭିତରେ ଚିନକଳ ଭିତରକୁ ଦୁର୍ବୃତ୍ତମାନେ ପଶି ବାରମ୍ବାର ଚୋରି କରିବାରେ ଲାଗିଛନ୍ତି। ୬ମାସ ତଳେ ଏଠାରୁ ପାଇପ୍‌ ଚୋରି କରୁଥିବା ଜଣେ ଦୁର୍ବୃତ୍ତଙ୍କୁ ସଦର ପୋଲିସ ଗିରଫ କରିଥିଲା। ପରେ ବିଭିନ୍ନ ସମୟରେ ଚୋରି ହେଉଥିଲେ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଜଣେ ବ୍ୟକ୍ତିଙ୍କ କହିବାନୁସାରେ ଚିନିକଳ ଖୋଲିବା ସମୟରେ ୫୪ ଜଣ ଗାର୍ଡ଼ ଥିଲେ। ମାତ୍ର ବନ୍ଦ ହୋଇଯିବା ପରେ ବର୍ତ୍ତମାନ ମାତ୍ର ୬ଜଣ ଅଛନ୍ତି। ଅଧିକ ଗାର୍ଡ଼ ନ ଥିବାରୁ ବିଭିନ୍ନ ସମୟରେ ଚୋରି ହେଉଥିବା କୁହାଯାଉଛି।
ପ୍ରତିଶ୍ରୁତି କେବେ ପାଳନ ହେଉଛି ତାହାକୁ ଅପେକ୍ଷା- କୃଷିମନ୍ତ୍ରୀ ଡ. ଅରୁଣ ସାହୁଙ୍କ ଜିଲା ତଥା ତାଙ୍କ ନିର୍ବାଚନମଣ୍ଡଳୀରେ ବନ୍ଦ ହୋଇପଡ଼ିଥିବା ଚିନିକଳ ଖୋଲିବ କି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ନିର୍ବାଚନ ସମୟରେ ଭାଜପା ନିର୍ବାଚନ ଜିତିଲେ ୧୫ ଦିନ ଭିତରେ ଚିନିକଳ ଖୋଲିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ସେହଭିଳି ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ ସାହୁ ନିର୍ବାଚନ ଜିତିଲେ ସାତଦିନ ଭିତରେ ଚିନିକଳ ଖୋଲିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅରୁଣ ନିର୍ବାଚନ ଜିତି କୃଷିମନ୍ତ୍ରୀ ହେଲେଣି। ତେଣୁ ଦେଇଥିବା ପ୍ରତିଶ୍ରୁତି କେବେ ପାଳନ କରୁଛନ୍ତି ତାହାକୁ ଜିଲାବାସୀ ଅପେକ୍ଷା କରିଛନ୍ତି। ମନ୍ତ୍ରୀ ସାହୁ ତାଙ୍କ ପ୍ରତିକ୍ରିୟାରେ କହନ୍ତି, ଚିନିକଳ କେସ୍‌ ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି। ମାମଲା ଫଇସଲା ହେବା ପରେ ତୁରନ୍ତ ଚିନିକଳ ଖୋଲାଯିବ।
କ’ଣ କହନ୍ତି ଜିଲାପାଳ-ଜିଲାପାଳ ଡା. ଏନ୍‌ ତିରୁମାଲା ନାୟକ କହନ୍ତି, ଚିନିକଳ ବିକ୍ରି ହେବା ନେଇ ପ୍ରଶାସନ ପାଖରେ କୌଣସି ଖବର ନାହିଁ। ଏ ନେଇ ମଧ୍ୟ ତାଙ୍କ ପାଖକୁ କୌଣସି ଚିଠି ଆସିନାହିଁ। ୟୁକୋ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାରୁ ତାଙ୍କ ପାଖକୁ ସେହିଭଳି କୌଣସି ବ୍ୟକ୍ତି ଆସି ନ ଥିବା ସେ ପ୍ରକାଶ କରିଥିଲେ। ସେହିଭିଳି ଏ ନେଇ କୌଣସି ଟେଣ୍ଡର ହୋଇ ନ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ସୂଚନା ଦେଇଥିବା ଜିଲାପାଳ ପ୍ରକାଶ କରିଥିଲେ। ନିଲାମ ନେଇ ନୋଟିସ୍‌ ବାହାରିଥିଲା, କିନ୍ତୁ କେହି ନିଲାମଧାରୀ ମିଳି ନ ଥିଲେ। ବିଭିନ୍ନ ସମୟରେ ଚିନିକଳ ବିକ୍ରି ଗୁଜବରୁ ନିଜକୁ ଦୂରେଇ ରଖିବାକୁ ଜିଲାପାଳ କୃଷକ, ଚିନିକଳ କର୍ମଚାରୀ ଓ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ, ଜଣେ ଗୁରୁତର

ନୂଆଗାଁ, ୭।୧୧(ଡି.ଏନ୍‌.ଏ): ନୟାଗଡ଼ ଜିଲା ନୂଆଗାଁ ଥାନା ଅନ୍ଧାରଖଣି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁରୁବାର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇ ଜିଲା ମୁଖ୍ୟ...

ଚାଷୀଙ୍କ ଘରୁ ୧୦ ଫୁଟ୍‌ ଅହିରାଜ ଉଦ୍ଧାର

ରଣପୁର,୨୭।୫(ସ୍ବ.ପ୍ର)-ନୟାଗଡ ଜିଲା ରଣପୁର ବ୍ଲକ ଦର୍ପନାରାୟଣପୁର କାକଲମା ଗ୍ରାମର ଚାଷୀ ରମେଶ ପ୍ରଧାନଙ୍କ ଘରୁ ବୁଧବାର ଏକ ୧୦ ଫୁଟ ଅହିରାଜ ସାପ ଉଦ୍ଧାର କରାଯାଇଛି।...

ଧାନ କାଟିବାକୁ ନେଇ ମୂଲଚାଲ

ନୟାଗଡ଼ ଅଫିସ,୫।୧: କଟ୍‌ନୀଛଟ୍‌ନୀକୁ ଜିଲାପାଳ ଓ ଜିଲା ଯୋଗାଣ ଅଧିକାରୀ ରୋକ୍‌ଠୋକ୍‌ ମନା କରୁଥିବାବେଳେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ଏହାକୁ ରୋକିବା କାଠିକର ପାଠ ହୋଇ...

କଳାପାଟ ପୀଠରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ଘଟଣା: ହତ୍ୟାକାରୀ ପୁଅ ଜେଲ ଗଲେ

ଗଣିଆ,୬ା୧୧(ଡି.ଏନ.ଏ.): ନୟାଗଡ଼ ଜିଲା ଗଣିଆ ଥାନା ମଣିଭଦ୍ରା ପର୍ବତ ପାଦଦେଶରେ ଥିବା ମା’ କଳାପାଟ ପୀଠ ପରିସରରୁ ସୋମବାର ସକାଳୁ ଜଣେ ବୃଦ୍ଧଙ୍କ ମୃତଦେହକୁ ପୋଲିସ...

ଏକ ଘରୁ ଯୁବକଙ୍କ ମୃତଦେହ ଜବତ: ହତ୍ୟା ସନ୍ଦେହ, ରାସ୍ତାରୋକୋ କଲେ ଲୋକେ

ନୟାଗଡ଼ ଅଫିସ,୩୧ା୫: ନୟାଗଡ଼ ଟାଉନ ଥାନା ଘଡୁଆଳ ଛକରୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ କଇଥଗାଡ଼ିଆ ଗାଁ ସଭାପତି ବିଜୟ...

ଭିନ୍ନକ୍ଷମ ପୁଅକୁ ହତ୍ୟା: ସମ୍ପତ୍ତି ଲୋଭରେ ସାବତ ମା’ ବିଷ ପିଆଇ ଦେଲେ

ନୟାଗଡ଼ ଅଫିସ/ଦଶପଲ୍ଲା, ୨୦ା୨(ଡି.ଏନ୍‌.ଏ.): ନୟାଗଡ ଜିଲା ଦଶପଲ୍ଲା ଥାନା ଶିମିଳିସାହି ଗାଁରେ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ତାଙ୍କ ସାବତ ମା’ ସମ୍ପତ୍ତି ଲୋଭରେ ମାଡ଼ ମାରିବା...

ଚିଲ୍‌ଡ୍ରେନ୍‌ କୋର୍ଟକୁ ଗଲା ପରୀ ହତ୍ୟା ମାମଲା

ନୟାଗଡ଼ ଅଫିସ,୨୧।୧: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା ଚିଲ୍‌ଡ୍ରେନ କୋର୍ଟକୁ ସ୍ଥାନାନ୍ତର ହୋଇଛି। ବୁଧବାର ଜୁଭେନାଇଲ ଜଷ୍ଟିସ ବୋର୍ଡ(କିଶୋର ନ୍ୟାୟ ପରିଷଦ)ରେ ଜଣେ ମନସ୍ତତ୍ତ୍ୱବିତ୍‌ଙ୍କ ଦ୍ୱାରା...

ରାସ୍ତା କାର୍ଯ୍ୟ ଅଧାପନ୍ତରିଆ, ଶଙ୍ଖେଇ ଗ୍ରାମବାସୀ ହନ୍ତସନ୍ତ

ନୟାଗଡ଼ ଅଫିସ,୨୮।୭-ସମସ୍ତ ଗ୍ରାମକୁ ଗମନାଗମନର ସୁବିଧା ପାଇଁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ରାସ୍ତା ତିଆରି କରାଯାଉଛି। ନୟାଗଡ଼ ଜିଲା ସଦର...

Advertisement
Archives

Model This Week