ଚାଙ୍ଗୀ ବନାମ ଶାଳ

ଅଜିତ କୁମାର ଦାସ
ଚାଙ୍ଗୀ ଗୋଟିଏ ବିଷୁବ ମଣ୍ଡଳୀୟ ଉଦ୍ଭିଦ। ସିଙ୍ଗାପୁରରେ ଏହାକୁ ଜାତୀୟ ଐତିହ୍ୟର ମାନ୍ୟତା ଦିଆଯାଇଛି। ଶାଳଗଛ ବଂଶର ଏଇ ବୃକ୍ଷଟିର ନାମ ହୋପିଆ ସାଙ୍ଗାଲ। ସେଠାକାର ଲୋକେ ତାକୁ ଚେଙ୍ଗାଲ ପାସିର ନାମରେ ମଧ୍ୟ ଜାଣନ୍ତି। ବୃକ୍ଷଟିର କାଠ ଶାଳକାଠ ଭଳି ଶକ୍ତ ଓ ମଜଭୁତ। ପ୍ରଚୁର ଝୁଣା ଓ ଖଇର ଥିବାରୁ ଏଥିରେ ଘୁଣ କିମ୍ବା କବକ ଲାଗନ୍ତିନି। ଘରର କଡି, ବର୍ଗା, କବାଟବନ୍ଧ, ଝରକା ଫ୍ରେମ, ଶିଡିପାହାଚ, ଘରର ଚଟାଣଠୁଁ ନେଇ ଜାହାଜ ତିଆରି ପର୍ଯ୍ୟନ୍ତ ସବୁ କାମରେ ଏହାକୁ ବ୍ୟବହାର କରାଯାଉଥିଲା। ଚାଙ୍ଗୀ ବିମାନବନ୍ଦର, ଚାଙ୍ଗୀ ଯାଦୁଘର, ଚାଙ୍ଗୀ ଭିଲେଜ ପ୍ରଭୃତି ନାମରୁ ଏହାର ଲୋକପ୍ରିୟତା ଜଣାଯାଏ। ଏହା ବାଦ ନୂଆ ନୂଆ ଗଢି ଉଠୁଥିବା ହୋଟେଲ, ରେସ୍ତୋରାଁ ଓ କ୍ଲବ୍‌ ଘରମାନଙ୍କର ନାମ ମଧ୍ୟ ଚାଙ୍ଗୀ। ଏଇ ଲୋକପ୍ରିୟତା ହିଁ ଦିନେ ତା’ର କାଳ ହେଲା। ଆଧୁନିକ ସିଙ୍ଗାପୁର ନିର୍ମାଣ ସମୟରେ ଚାଙ୍ଗୀର ବଡ ବଡ ଅରଣ୍ୟ ନିର୍ବିଚାରରେ କାଟି ସଫା କରିଦିଆଗଲା। କାଁ ଭାଁ ଯେଉଁଠି ରହିଯାଇଥିଲା ଲୋକେ କାଟିନେଇ ଘର କାମରେ ଲଗାଇଦେଲେ। ଏମିତି ସମୟ ଆସିଲା ଖୋଜିଲେ ବି ଗଛଟିଏ ମିଳିଲାନି। ରେଡ ଡାଟା ବୁକ ଏହାର ୧୯୯୪ ମସିହା ସଂସ୍କରଣରେ ଚାଙ୍ଗୀକୁ ଏକ ବିଲୁପ୍ତ ଜାତି ବୋଲି ଘୋଷଣା କରିଥିଲା।
୨୦୦୨ ମସିହାରେ ଚାଙ୍ଗୀ ଭିଲେଜ ଅଞ୍ଚଳରେ କେତେକ ପ୍ରକୃତିପ୍ରେମୀ ସର୍ଭେ କରୁଥିବା ସମୟରେ ଅତି ଆକସ୍ମିକ ଭାବେ ଏକମାତ୍ର ଚାଙ୍ଗୀ ବୃକ୍ଷକୁ ଆବିଷ୍କାର କଲେ। ରାଜକୀୟ ଠାଣିରେ ଛିଡା ହୋଇଥିବା ଗଛଟିର ଉଚ୍ଚତା ଥିଲା ୩୫ ମିଟର। ଗଣ୍ଡିର ବେଢ ତିନି ମିଟରରୁ ଅଧିକ ଓ ବୟସ ଦେଢଶହ ବର୍ଷରୁ ଅଧିକ। ଗଛଟି ବେଶିଦିନ ତିଷ୍ଠି ପାରିଲାନି। ସିଙ୍ଗାପୁରରେ କାର୍ଯ୍ୟରତ ଏକ ଅନ୍ତର୍ଜାତୀୟ ନିର୍ମାଣ ସଂସ୍ଥା ବିନାନୁମତିରେ ଗଛଟିକୁ କାଟିଦେଲେ। ସମଗ୍ର ସିଙ୍ଗାପୁରବାସୀ ଚିହିଁକି ଉଠିଲେ। ସମାଜର ସବୁ ସ୍ତରରୁ ପ୍ରତିବାଦ ଆସିଲା। ରେଡିଓ, ଟିଭି ଓ ଖବରକାଗଜରେ ପ୍ରତିବାଦର ସ୍ବର ଜୋରଦାର ହେବାରେ ଲାଗିଲା। ଛାତ୍ରୀଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇ ଆସିଲେ। ଗଳ୍ପ, କବିତା ଓ ଏକାଙ୍କିକା ମାଧ୍ୟମରେ ସମାଜ ତା’ର କ୍ରୋଧ ପ୍ରକାଶ କଲା। ଶେଷରେ ଜାତୀୟ ଉଦ୍ୟାନ ବିଭାଗ ନିର୍ମାଣ ସଂସ୍ଥାକୁ କାଠଗଡାରେ ଛିଡା କରାଇଲା। ନିର୍ମାଣ ସଂସ୍ଥା କହିଲା, ଚଡକମରା, ଉଇଖିଆ ଗଛଟି ତାଙ୍କ କର୍ମଚାରଙ୍କ ଘର ଉପରକୁ ଢଳି ରହିଥିଲା। ପଡିଗଲେ ଧନଜୀବନ କ୍ଷୟ ହୋଇ ଥାଆନ୍ତା। ଏ ପ୍ରକାର ବେପରୁଆ ଉତ୍ତରକୁ ନ୍ୟାୟାଳୟ ଗ୍ରହଣ କଲେନି। ୨୦୦୩ ମସିହାରେ ଗୋଟିଏ ଗଛ କାଟିଥିବାରୁ କମ୍ପାନୀକୁ ୮୪ ହଜାର ସିଙ୍ଗାପୁର ଡଲାର ପଇଠ କରିବାକୁ ନିର୍ଦ୍ଦେଶ ଦିଆଗଲା, ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ ପ୍ରାୟ ୪୪ ଲକ୍ଷ ଟଙ୍କା।
ଏବେ ଆସିବା ଓଡିଶାର ଢେଙ୍କାନାଳ ଜିଲାର ଝିଙ୍କାରଗଡି ଜଙ୍ଗଲକୁ, ଯେଉଁଠାରେ ପୋଲିସ ସହାୟତାରେ ପ୍ରଶାସନ ଗୋଟିଏ ବିଅର ଫ୍ୟାକ୍ଟ୍ରି ପ୍ରତିଷ୍ଠା କରାଇବା ପାଇଁ ଏକ ଜଙ୍ଗଲ କାଟି ସଫା କରିଦେଲା ଯେଉଁଥିରେ ଥିଲା ପାଞ୍ଚ ଶହ ସରିକି କେବଳ ଶାଳଗଛ। କଥା ସେତିକିରେ ସରିଲାନି। ଗଛଗୁଡ଼ିକୁ କୁଣ୍ଢାଇ ଧରି ପ୍ରତିରୋଧ କରୁଥିବା ସ୍ତ୍ରୀ ଲୋକମାନଙ୍କୁ ପୋଲିସ ଉଠାଇନେଇ ବିଭିନ୍ନ ଦଫା ଲଗାଇ ଜେଲରେ ପୂରାଇଦେଲା। ଜାତୀୟ ଐତିହ୍ୟର ମାନ୍ୟତା ପାଇ ନ ଥିଲେ ବି ଶାଗୁଆନ ଭଳି ଶାଳ ମଧ୍ୟ ଏକ ବହୁଳ ବ୍ୟବହାର ଉପଯୋଗୀ ଗଛ। ଚାଙ୍ଗୀ ଯେଉଁ କାମରେ ଲାଗେ ଶାଳ ମଧ୍ୟ ସେଇ କାମରେ ଲାଗିଥାଏ। ମନଇଚ୍ଛା କଟାଯାଉଥିବାରୁ ଶାଳ ଏବେ ଦୁଷ୍ପ୍ରାପ୍ୟ। ଆଦିବାସୀମାନେ ଆମ୍ବ ଓ ବରଗଛ ଭଳି ଏହାକୁ ପୂଜା କରନ୍ତି। ପଶ୍ଚିମ ଓଡିଶାରେ ବିଭିନ୍ନ ପର୍ବପର୍ବାଣିରେ କଦଳୀପତ୍ର ସ୍ଥାନରେ ଶାଳପତ୍ର ବ୍ୟବହାର କରାଯାଇଥାଏ।
୧୯୭୨ ମସିହା ବେଳକୁ ଝିଙ୍କାରଗଡି କହିଲେ ଅନାବନା ଘାସ ଓ ଏଠିସେଠି ଉଠିଥିବା ବୁଦୁବୁଦୁକିଆ ଗଛର ଏକ ଉଜୁଡା ଜଙ୍ଗଲକୁ ହିଁ ବୁଝାଉଥିଲା। ନିକଟସ୍ଥ ବଳରାମପୁର ଗାଁ ଲୋକେ ନିଜ ତରଫରୁ ସେଠାରେ ଗଛ ଲଗାଇଲେ, ପାଣିଦେଲେ, ପାଳିକରି ରାତିରେ ଜଙ୍ଗଲ ଜଗିଲେ। ଚାଳିଶ ବର୍ଷର ନିରବଚ୍ଛିନ୍ନ ସେବା ଓ ଯତ୍ନରେ ଖୋଲାମେଲା ଜାଗାଟି ଘଞ୍ଚ ଜଙ୍ଗଲରେ ପରିଣତ ହେଲା। ଏମିତି କି ହାତୀପଲ ମଧ୍ୟ ଗାଁ ଗଣ୍ଡା ଭିତରେ ନ ପଶି ପୁଣିଥରେ ଏଇ ଜଙ୍ଗଲକୁ ନିଜ ଚଲାବାଟ ଭାବେ ବାଛି ନେଲେ। ଦେଖିବାକୁ ଗଲେ ପରିବେଶର ପ୍ରକୃତ ସୁରକ୍ଷା ବଳରାମପୁରବାସୀ ହିଁ କରୁଥିଲେ। ଜଙ୍ଗଲ ସହିତ ସେମାନଙ୍କର ଥିଲା ଏକ ଆତ୍ମିକ ସମ୍ପର୍କ। ତେବେ ଏହା ଭିତରେ ଇଡ୍‌କୋ ବିଭାଗ ଅବ୍ୟବହୃତ ସରକାରୀ ଜାଗାମାନଙ୍କୁ ସଂଗ୍ରହ କରି ଏକ ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରିଥିଲା। ଉଦ୍ଦେଶ୍ୟଥିଲା ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟୋଗୀମାନଙ୍କୁ ଏହି ଲ୍ୟାଣ୍ଡବ୍ୟାଙ୍କରୁ ଜମି ଯୋଗାଇଦେବା। ଝିଙ୍କାରଗଡି ଜଙ୍ଗଲ ଲ୍ୟାଣ୍ଡ ବ୍ୟାଙ୍କ ପରିସରକୁ ଆସିଯିବା ମାତ୍ରେ କୋଲକାତାର P&A Bottles କମ୍ପାନୀ ୧୦୨ କୋଟି ଟଙ୍କା ବ୍ୟୟରେ ଏଠାରେ ଏକ ବିଅର କାରଖାନା ବସାଇବାର ପ୍ରସ୍ତାବ ଦେଲା। ଏହାକୁ ବିରୋଧ କରି ବଳରାମପୁର ଗ୍ରାମ୍ୟ ପରିଚାଳନା ପରିଷଦ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲକୁ ଜଣାଇବା ସହିତ ହାଇକୋର୍ଟରେ ଫେରାଦ ହେଲା। ନ୍ୟାୟାଳୟ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ତୁରନ୍ତ ଦାଖଲ କରିବାର ନିର୍ଦ୍ଦେଶ ଦେଲେ, ମାତ୍ର କାର୍ଯ୍ୟବନ୍ଦ ରଖିବା ପାଇଁ କୌଣସି ନିର୍ଦ୍ଦେଶ ଏଥିରେ ନ ଥିଲା। ଏହାରି ସୁଯୋଗରେ ନଭେମ୍ବର ୨୦୧୮ ମସିହାରେ ଢେଙ୍କାନାଳ ପ୍ରଶାସନ ଅତି ଚତୁରତାର ସହିତ ଭୋର ସମୟରେ ଯନ୍ତ୍ରଚାଳିତ କରତରେ ଗଛଗୁଡିକ କାଟିପକାଇଲେ। ତଳେ ଲୋଟିଥିବା ଗଛଗୁଡିକୁ କୁଣ୍ଢାଇ ଧରିବାର ହୃଦୟ ବିଦାରକ ଦୃଶ୍ୟ ଗଣମାଧ୍ୟମରେ ପ୍ରଚାର ହେବା ଓ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କର ତୀବ୍ର ବିରୋଧ ପରେ ସରକାର ଉକ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ। କାହାକୁ ଦୋଷୀ ସାବ୍ୟସ୍ତ କରି କୌଣସି କାର୍ଯ୍ୟାନୁଷ୍ଠାନ ଏ ପର୍ଯ୍ୟନ୍ତ ନିଆଯାଇନାହିଁ। ସମୟାନୁକ୍ରମେ ଘଟଣାଟିକୁ ଆମେ ଭୁଲିଯିବୁ, ମାତ୍ର ସିଙ୍ଗାପୁରବାସୀ ଭୁଲି ନାହାନ୍ତି। ଏବେ ବି ବିଭିନ୍ନ ସମୟରେ ନାଟକ ମଞ୍ଚସ୍ଥ କରି ପୁରୁଣା ଦିନର ଘଟଣାକୁ ମନରେ ସବୁବେଳେ ତାଜା କରି ରଖିଛନ୍ତି।
ମୋ-୯୪୩୭୨୬୬୩୧୬


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri