ଚାଙ୍ଗୀ ବନାମ ଶାଳ

ଅଜିତ କୁମାର ଦାସ
ଚାଙ୍ଗୀ ଗୋଟିଏ ବିଷୁବ ମଣ୍ଡଳୀୟ ଉଦ୍ଭିଦ। ସିଙ୍ଗାପୁରରେ ଏହାକୁ ଜାତୀୟ ଐତିହ୍ୟର ମାନ୍ୟତା ଦିଆଯାଇଛି। ଶାଳଗଛ ବଂଶର ଏଇ ବୃକ୍ଷଟିର ନାମ ହୋପିଆ ସାଙ୍ଗାଲ। ସେଠାକାର ଲୋକେ ତାକୁ ଚେଙ୍ଗାଲ ପାସିର ନାମରେ ମଧ୍ୟ ଜାଣନ୍ତି। ବୃକ୍ଷଟିର କାଠ ଶାଳକାଠ ଭଳି ଶକ୍ତ ଓ ମଜଭୁତ। ପ୍ରଚୁର ଝୁଣା ଓ ଖଇର ଥିବାରୁ ଏଥିରେ ଘୁଣ କିମ୍ବା କବକ ଲାଗନ୍ତିନି। ଘରର କଡି, ବର୍ଗା, କବାଟବନ୍ଧ, ଝରକା ଫ୍ରେମ, ଶିଡିପାହାଚ, ଘରର ଚଟାଣଠୁଁ ନେଇ ଜାହାଜ ତିଆରି ପର୍ଯ୍ୟନ୍ତ ସବୁ କାମରେ ଏହାକୁ ବ୍ୟବହାର କରାଯାଉଥିଲା। ଚାଙ୍ଗୀ ବିମାନବନ୍ଦର, ଚାଙ୍ଗୀ ଯାଦୁଘର, ଚାଙ୍ଗୀ ଭିଲେଜ ପ୍ରଭୃତି ନାମରୁ ଏହାର ଲୋକପ୍ରିୟତା ଜଣାଯାଏ। ଏହା ବାଦ ନୂଆ ନୂଆ ଗଢି ଉଠୁଥିବା ହୋଟେଲ, ରେସ୍ତୋରାଁ ଓ କ୍ଲବ୍‌ ଘରମାନଙ୍କର ନାମ ମଧ୍ୟ ଚାଙ୍ଗୀ। ଏଇ ଲୋକପ୍ରିୟତା ହିଁ ଦିନେ ତା’ର କାଳ ହେଲା। ଆଧୁନିକ ସିଙ୍ଗାପୁର ନିର୍ମାଣ ସମୟରେ ଚାଙ୍ଗୀର ବଡ ବଡ ଅରଣ୍ୟ ନିର୍ବିଚାରରେ କାଟି ସଫା କରିଦିଆଗଲା। କାଁ ଭାଁ ଯେଉଁଠି ରହିଯାଇଥିଲା ଲୋକେ କାଟିନେଇ ଘର କାମରେ ଲଗାଇଦେଲେ। ଏମିତି ସମୟ ଆସିଲା ଖୋଜିଲେ ବି ଗଛଟିଏ ମିଳିଲାନି। ରେଡ ଡାଟା ବୁକ ଏହାର ୧୯୯୪ ମସିହା ସଂସ୍କରଣରେ ଚାଙ୍ଗୀକୁ ଏକ ବିଲୁପ୍ତ ଜାତି ବୋଲି ଘୋଷଣା କରିଥିଲା।
୨୦୦୨ ମସିହାରେ ଚାଙ୍ଗୀ ଭିଲେଜ ଅଞ୍ଚଳରେ କେତେକ ପ୍ରକୃତିପ୍ରେମୀ ସର୍ଭେ କରୁଥିବା ସମୟରେ ଅତି ଆକସ୍ମିକ ଭାବେ ଏକମାତ୍ର ଚାଙ୍ଗୀ ବୃକ୍ଷକୁ ଆବିଷ୍କାର କଲେ। ରାଜକୀୟ ଠାଣିରେ ଛିଡା ହୋଇଥିବା ଗଛଟିର ଉଚ୍ଚତା ଥିଲା ୩୫ ମିଟର। ଗଣ୍ଡିର ବେଢ ତିନି ମିଟରରୁ ଅଧିକ ଓ ବୟସ ଦେଢଶହ ବର୍ଷରୁ ଅଧିକ। ଗଛଟି ବେଶିଦିନ ତିଷ୍ଠି ପାରିଲାନି। ସିଙ୍ଗାପୁରରେ କାର୍ଯ୍ୟରତ ଏକ ଅନ୍ତର୍ଜାତୀୟ ନିର୍ମାଣ ସଂସ୍ଥା ବିନାନୁମତିରେ ଗଛଟିକୁ କାଟିଦେଲେ। ସମଗ୍ର ସିଙ୍ଗାପୁରବାସୀ ଚିହିଁକି ଉଠିଲେ। ସମାଜର ସବୁ ସ୍ତରରୁ ପ୍ରତିବାଦ ଆସିଲା। ରେଡିଓ, ଟିଭି ଓ ଖବରକାଗଜରେ ପ୍ରତିବାଦର ସ୍ବର ଜୋରଦାର ହେବାରେ ଲାଗିଲା। ଛାତ୍ରୀଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇ ଆସିଲେ। ଗଳ୍ପ, କବିତା ଓ ଏକାଙ୍କିକା ମାଧ୍ୟମରେ ସମାଜ ତା’ର କ୍ରୋଧ ପ୍ରକାଶ କଲା। ଶେଷରେ ଜାତୀୟ ଉଦ୍ୟାନ ବିଭାଗ ନିର୍ମାଣ ସଂସ୍ଥାକୁ କାଠଗଡାରେ ଛିଡା କରାଇଲା। ନିର୍ମାଣ ସଂସ୍ଥା କହିଲା, ଚଡକମରା, ଉଇଖିଆ ଗଛଟି ତାଙ୍କ କର୍ମଚାରଙ୍କ ଘର ଉପରକୁ ଢଳି ରହିଥିଲା। ପଡିଗଲେ ଧନଜୀବନ କ୍ଷୟ ହୋଇ ଥାଆନ୍ତା। ଏ ପ୍ରକାର ବେପରୁଆ ଉତ୍ତରକୁ ନ୍ୟାୟାଳୟ ଗ୍ରହଣ କଲେନି। ୨୦୦୩ ମସିହାରେ ଗୋଟିଏ ଗଛ କାଟିଥିବାରୁ କମ୍ପାନୀକୁ ୮୪ ହଜାର ସିଙ୍ଗାପୁର ଡଲାର ପଇଠ କରିବାକୁ ନିର୍ଦ୍ଦେଶ ଦିଆଗଲା, ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ ପ୍ରାୟ ୪୪ ଲକ୍ଷ ଟଙ୍କା।
ଏବେ ଆସିବା ଓଡିଶାର ଢେଙ୍କାନାଳ ଜିଲାର ଝିଙ୍କାରଗଡି ଜଙ୍ଗଲକୁ, ଯେଉଁଠାରେ ପୋଲିସ ସହାୟତାରେ ପ୍ରଶାସନ ଗୋଟିଏ ବିଅର ଫ୍ୟାକ୍ଟ୍ରି ପ୍ରତିଷ୍ଠା କରାଇବା ପାଇଁ ଏକ ଜଙ୍ଗଲ କାଟି ସଫା କରିଦେଲା ଯେଉଁଥିରେ ଥିଲା ପାଞ୍ଚ ଶହ ସରିକି କେବଳ ଶାଳଗଛ। କଥା ସେତିକିରେ ସରିଲାନି। ଗଛଗୁଡ଼ିକୁ କୁଣ୍ଢାଇ ଧରି ପ୍ରତିରୋଧ କରୁଥିବା ସ୍ତ୍ରୀ ଲୋକମାନଙ୍କୁ ପୋଲିସ ଉଠାଇନେଇ ବିଭିନ୍ନ ଦଫା ଲଗାଇ ଜେଲରେ ପୂରାଇଦେଲା। ଜାତୀୟ ଐତିହ୍ୟର ମାନ୍ୟତା ପାଇ ନ ଥିଲେ ବି ଶାଗୁଆନ ଭଳି ଶାଳ ମଧ୍ୟ ଏକ ବହୁଳ ବ୍ୟବହାର ଉପଯୋଗୀ ଗଛ। ଚାଙ୍ଗୀ ଯେଉଁ କାମରେ ଲାଗେ ଶାଳ ମଧ୍ୟ ସେଇ କାମରେ ଲାଗିଥାଏ। ମନଇଚ୍ଛା କଟାଯାଉଥିବାରୁ ଶାଳ ଏବେ ଦୁଷ୍ପ୍ରାପ୍ୟ। ଆଦିବାସୀମାନେ ଆମ୍ବ ଓ ବରଗଛ ଭଳି ଏହାକୁ ପୂଜା କରନ୍ତି। ପଶ୍ଚିମ ଓଡିଶାରେ ବିଭିନ୍ନ ପର୍ବପର୍ବାଣିରେ କଦଳୀପତ୍ର ସ୍ଥାନରେ ଶାଳପତ୍ର ବ୍ୟବହାର କରାଯାଇଥାଏ।
୧୯୭୨ ମସିହା ବେଳକୁ ଝିଙ୍କାରଗଡି କହିଲେ ଅନାବନା ଘାସ ଓ ଏଠିସେଠି ଉଠିଥିବା ବୁଦୁବୁଦୁକିଆ ଗଛର ଏକ ଉଜୁଡା ଜଙ୍ଗଲକୁ ହିଁ ବୁଝାଉଥିଲା। ନିକଟସ୍ଥ ବଳରାମପୁର ଗାଁ ଲୋକେ ନିଜ ତରଫରୁ ସେଠାରେ ଗଛ ଲଗାଇଲେ, ପାଣିଦେଲେ, ପାଳିକରି ରାତିରେ ଜଙ୍ଗଲ ଜଗିଲେ। ଚାଳିଶ ବର୍ଷର ନିରବଚ୍ଛିନ୍ନ ସେବା ଓ ଯତ୍ନରେ ଖୋଲାମେଲା ଜାଗାଟି ଘଞ୍ଚ ଜଙ୍ଗଲରେ ପରିଣତ ହେଲା। ଏମିତି କି ହାତୀପଲ ମଧ୍ୟ ଗାଁ ଗଣ୍ଡା ଭିତରେ ନ ପଶି ପୁଣିଥରେ ଏଇ ଜଙ୍ଗଲକୁ ନିଜ ଚଲାବାଟ ଭାବେ ବାଛି ନେଲେ। ଦେଖିବାକୁ ଗଲେ ପରିବେଶର ପ୍ରକୃତ ସୁରକ୍ଷା ବଳରାମପୁରବାସୀ ହିଁ କରୁଥିଲେ। ଜଙ୍ଗଲ ସହିତ ସେମାନଙ୍କର ଥିଲା ଏକ ଆତ୍ମିକ ସମ୍ପର୍କ। ତେବେ ଏହା ଭିତରେ ଇଡ୍‌କୋ ବିଭାଗ ଅବ୍ୟବହୃତ ସରକାରୀ ଜାଗାମାନଙ୍କୁ ସଂଗ୍ରହ କରି ଏକ ଲ୍ୟାଣ୍ଡ ବ୍ୟାଙ୍କ ଗଠନ କରିଥିଲା। ଉଦ୍ଦେଶ୍ୟଥିଲା ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟୋଗୀମାନଙ୍କୁ ଏହି ଲ୍ୟାଣ୍ଡବ୍ୟାଙ୍କରୁ ଜମି ଯୋଗାଇଦେବା। ଝିଙ୍କାରଗଡି ଜଙ୍ଗଲ ଲ୍ୟାଣ୍ଡ ବ୍ୟାଙ୍କ ପରିସରକୁ ଆସିଯିବା ମାତ୍ରେ କୋଲକାତାର P&A Bottles କମ୍ପାନୀ ୧୦୨ କୋଟି ଟଙ୍କା ବ୍ୟୟରେ ଏଠାରେ ଏକ ବିଅର କାରଖାନା ବସାଇବାର ପ୍ରସ୍ତାବ ଦେଲା। ଏହାକୁ ବିରୋଧ କରି ବଳରାମପୁର ଗ୍ରାମ୍ୟ ପରିଚାଳନା ପରିଷଦ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲକୁ ଜଣାଇବା ସହିତ ହାଇକୋର୍ଟରେ ଫେରାଦ ହେଲା। ନ୍ୟାୟାଳୟ ସରକାରଙ୍କୁ ଷ୍ଟାଟସ ରିପୋର୍ଟ ତୁରନ୍ତ ଦାଖଲ କରିବାର ନିର୍ଦ୍ଦେଶ ଦେଲେ, ମାତ୍ର କାର୍ଯ୍ୟବନ୍ଦ ରଖିବା ପାଇଁ କୌଣସି ନିର୍ଦ୍ଦେଶ ଏଥିରେ ନ ଥିଲା। ଏହାରି ସୁଯୋଗରେ ନଭେମ୍ବର ୨୦୧୮ ମସିହାରେ ଢେଙ୍କାନାଳ ପ୍ରଶାସନ ଅତି ଚତୁରତାର ସହିତ ଭୋର ସମୟରେ ଯନ୍ତ୍ରଚାଳିତ କରତରେ ଗଛଗୁଡିକ କାଟିପକାଇଲେ। ତଳେ ଲୋଟିଥିବା ଗଛଗୁଡିକୁ କୁଣ୍ଢାଇ ଧରିବାର ହୃଦୟ ବିଦାରକ ଦୃଶ୍ୟ ଗଣମାଧ୍ୟମରେ ପ୍ରଚାର ହେବା ଓ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କର ତୀବ୍ର ବିରୋଧ ପରେ ସରକାର ଉକ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦେଲେ। କାହାକୁ ଦୋଷୀ ସାବ୍ୟସ୍ତ କରି କୌଣସି କାର୍ଯ୍ୟାନୁଷ୍ଠାନ ଏ ପର୍ଯ୍ୟନ୍ତ ନିଆଯାଇନାହିଁ। ସମୟାନୁକ୍ରମେ ଘଟଣାଟିକୁ ଆମେ ଭୁଲିଯିବୁ, ମାତ୍ର ସିଙ୍ଗାପୁରବାସୀ ଭୁଲି ନାହାନ୍ତି। ଏବେ ବି ବିଭିନ୍ନ ସମୟରେ ନାଟକ ମଞ୍ଚସ୍ଥ କରି ପୁରୁଣା ଦିନର ଘଟଣାକୁ ମନରେ ସବୁବେଳେ ତାଜା କରି ରଖିଛନ୍ତି।
ମୋ-୯୪୩୭୨୬୬୩୧୬


Enter your email to get our daily news in your inbox.

All Right Reserved By Dharitri.Com

ବିଷ ମଣିଷ

ଅଭିମନ୍ୟୁ ଧଳ ମଣିଷ ଅମୃତର ସନ୍ତାନ। ଜନ୍ମରୁ ପ୍ରକୃତିର ଦାନ ଅମୃତ ଜଳ, ବାୟୁ ଓ ମାଟି ସଂସ୍ପର୍ଶରେ ଆସି ଜନନୀଠାରୁ ଅମୃତ କ୍ଷୀର ପାନ...

ଏଇ ଭାରତରେ

ଚାକିରି ପରେ କିଏ କେମିତି ବିଶ୍ରାମ ନେବା ପାଇଁ ଚାହଁୁଥିବାବେଳେ ଗୁଜରାଟର ୭୧ ବର୍ଷୀୟା ମାଟ୍ରୋନ ଜେମିନିବେନ୍‌ ଜୋଷୀ ଏବେ ଅବସର ସମୟକୁ କୋଭିଡ୍‌ ରୋଗୀଙ୍କ...

ସ୍ତନକର୍କଟ ଓ ଦୁଗ୍ଧଜାତ ଖାଦ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସକୁ ସ୍ତନକର୍କଟ ସଚେତନତା ମାସ ଭାବେ ପାଳନ କରାଯାଉଛି। ପ୍ରତିବର୍ଷ ଲକ୍ଷାଧିକ ମହିଳା ସ୍ତନକର୍କଟରେ ପ୍ରାଣ...

ଏଇ ଭାରତରେ

ପରିବେଶ ସୁରକ୍ଷା ଲାଗି ଭିନ୍ନ ଭିନ୍ନ ପନ୍ଥା ଆପଣାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଚନ୍ଦ୍ର କିଶୋର ପଟେଲ ହେଉଛନ୍ତି ଅନ୍ୟତମ। ସେ ନାସିକ୍‌ର ଇନ୍ଦିରାନଗରରେ ରହନ୍ତି। ସେ...

ପାଲା ସନ୍ଧ୍ୟା

ରମେଶ ନନ୍ଦ ରାମହରିପୁରରେ ବାର୍ଷିକ ମହୋତ୍ସବ। ଯଜ୍ଞାନୁଷ୍ଠାନ ଚାଲିଛି। ସନ୍ଧ୍ୟା ବେଳକୁ ବାଦୀ ପାଲା। ଆଜିର ପାଲା ସନ୍ଧ୍ୟାରେ ଓଡ଼ିଶାର ବିଶିଷ୍ଟ ଗାୟକ ଶାର୍ଦ୍ଦୁଳ କେଶରୀ...

ବିପଦକୁ ଠେଲି ଦେଉଛି ରିଜର୍ଭ ବ୍ୟାଙ୍କ

ଡ. ଭରତ ଝୁନ୍‌ଝନ୍‌ଓ୍ବାଲା ଜଣେ ବ୍ୟବସାୟୀ ଉପାର୍ଜନ କରୁଥିବା ଅର୍ଥରୁ କିଛି ଅଂଶ ବ୍ୟାଙ୍କରେ ସ୍ଥାୟୀଜମା ଭାବେ ସଞ୍ଚୟ କରେ। ଏହା ବ୍ୟତୀତ ଆୟର କିଛି...

ସମ୍ପ୍ରଦାୟ ଊର୍ଦ୍ଧ୍ୱରେ ବିବେକାନନ୍ଦ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ସ୍ବାମୀ ବିବେକାନନ୍ଦ ଆମେରିକାର ଚିକାଗୋରେ ଅନୁଷ୍ଠିତ ବିଶ୍ୱଧର୍ମ ସମ୍ମିଳନୀରେ ଯେଉଁ ବାର୍ତ୍ତା ଦେଇଥିଲେ ତାହା ଥିଲା ଅଦ୍ୱୈତବାଦ। ବେଦ, ବେଦାନ୍ତ, ଉପନିଷଦ...

ଦୃଢ଼ ଇଚ୍ଛାଶକ୍ତି ଲୋଡ଼ା

ପ୍ରେମାନନ୍ଦ ନାୟକ ଦେଶ ସ୍ବାଧୀନତା ପାଇବାର ୭୨ ବର୍ଷ ବିତିଗଲାଣି। ଏହି ସମୟ ଭିତରେ ରାଜ୍ୟରେ ଅନେକ ସରକାର ଗଲେଣି। କିନ୍ତୁ ଦୈନନ୍ଦିନ ଆବଶ୍ୟକତା ପୂରଣ...

Advertisement
Archives

Model This Week