Odisha Elections 2024

ଗଣତନ୍ତ୍ରରେ ସ୍ବଚ୍ଛତାର ଆହ୍ବାନ

ଅନିଲ ବିଶ୍ୱାଳ

ବିଭିନ୍ନ ରାଜନୈତିକ ଦଳକୁ ମିଳିଥିବା ଇଲେକ୍ଟୋରାଲ ବଣ୍ଡ୍‌ ବାବଦରେ ଏବେ ସାରା ଦେଶରେ ଚର୍ଚ୍ଚା। ଯେହେତୁ ଏହି ବିଷୟଟିରେ ଦେଶର ସମସ୍ତ ରାଜନୈତିକ ଦଳ ପକ୍ଷଭୁକ୍ତ, ସେଦୃଷ୍ଟିରୁ ଏହା ଉପରେ ଏକ ଅନାସକ୍ତ ଆଲୋଚନା କରିବାର ଆବଶ୍ୟକତା ରହିଛି। କେବଳ ସମାଲୋଚନାରେ ଏହି ବିଷୟର ଚର୍ଚ୍ଚା ସୀମିତ ନ ରହି ବରଂ ସମସ୍ୟା ଓ ସମାଧାନ ଉପରେ ଆଲୋଚନା ହେବାର ବେଶି ପ୍ରାସଙ୍ଗିକତା ରହିଛି। ରାଜନୀତିରେ କଳାଟଙ୍କାର ବ୍ୟବହାର, ରାଜନୈତିକ ଦଳଗୁଡ଼ିକ ଭିତରେ ଏନେଇ ସ୍ବଚ୍ଛତା ଓ ନିରପେକ୍ଷତା ନ ରହିବା ଏବେକାର ବିଶ୍ୱ ଗଣତନ୍ତ୍ରରେ ଏକ ବୃହତ୍ତମ ସମସ୍ୟା ଭାବରେ ଲମ୍ବା ସମୟ ଧରି ରହିଆସିଛି। ଏହାର ସମାଧାନ କେମିତି ହେବ ତାହା ଗଣତନ୍ତ୍ରର ଆଲୋଚକମାନଙ୍କ ପାଇଁ ଏକ ଆହ୍ବାନ। ରାଜନୈତିକ ଦଳଗୁଡ଼ିକର ଆର୍ଥିକ କାରବାରରେ ସ୍ବଚ୍ଛତା ଆଣିବାର ରାସ୍ତା ବାହାର କରି କିଭଳି ଭଲ, ସ୍ବଚ୍ଛ ଓ ବିଜ୍ଞ ଲୋକ ନିର୍ବାଚନରେ ଭାଗ ନେଇପାରିବେ, ସେଥିପାଇଁ ଅନୁକୂଳ ବ୍ୟବସ୍ଥା ସୃଷ୍ଟି କରିବାର ଆବଶ୍ୟକତା ରହିଛି। କାରଣ ଆଜିବି ରାଜନୈତିକ ଦଳଗୁଡ଼ିକ ନିର୍ବାଚନରେ ପ୍ରାର୍ଥୀ ଚୟନ କଲାବେଳେ ଦେଖୁଛନ୍ତି କାହାକୁ ପ୍ରାର୍ଥୀ କଲେ ସେ ନିର୍ବାଚନରେ ବେଶି ପଇସା ଖର୍ଚ୍ଚ କରିପାରିବ।
ଆମେରିକା ଯାହା ବିଶ୍ୱରେ ସବୁଠାରୁ ପୁରୁଣା ଗଣତନ୍ତ୍ର, ସେଠାରେ ମଧ୍ୟ ବ୍ୟୟବହୁଳ ନିର୍ବାଚନୀ ଖର୍ଚ୍ଚ ଏକ ସମସ୍ୟା। ୨୦୧୬ରେ ହୋଇଥିବା ନିର୍ବାଚନରେ ସେଠାରେ ୭ ବିଲିୟନ ଡଲାର ଖର୍ଚ୍ଚ ହୋଇଥିବା ବେଳେ ୨୦୨୦ରେ ଏହା ଦୁଇଗୁଣ ବଢ଼ି ୧୪ ବିଲିୟନ ଡଲାର ହୋଇଥିଲା। ଏକ ସର୍ଭେ ଅନୁସାରେ ୬୪% ଆମେରିକାନ୍‌ ଭାବନ୍ତି ଯେ ରାଜନୈତିକ ଦଳଗୁଡ଼ିକର ସ୍ବଚ୍ଛତା ଆଣିବା ଅସମ୍ଭବ ଏବଂ ୭୮% ଭାବନ୍ତି ଯେ ରାଜନୈତିକ ଦଳଗୁଡ଼ିକ ଚାନ୍ଦା ଗ୍ରହଣ କରୁଥିବା କମ୍ପାନୀମାନଙ୍କ ସ୍ବାର୍ଥରେ କାମ କରନ୍ତି। ଆମେରିକାରେ ୨୦୨୦ ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡ଼ିକୁ ସବୁଠାରୁ ଅଧିକ ଚାନ୍ଦା ଦେଉଥିବା ବ୍ୟକ୍ତି ହେଉଛନ୍ତି ସେଲ୍‌ଡନ ଆଡଲ୍‌ସନ, ଯିଏ ହୋଟେଲ ବ୍ୟବସାୟ ସହିତ ବିଭିନ୍ନ ଦେଶରେ ଜୁଆଘର ବ୍ୟବସାୟ ଚଲାନ୍ତି, ଯାହାକୁ କ୍ୟାସିନୋ ବୋଲି କୁହନ୍ତି। ଏମିତିକି ଅନେକଥର ସେ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ଅନ୍ତର୍ଜାତୀୟ ସଂସ୍ଥା ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲର ୨୦୦୭ରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ବ୍ୟବସାୟିକ ସଂସ୍ଥାଗୁଡ଼ିକର ରାଜନୈତିକ ଦଳଗୁଡ଼ିକ ଉପରେ ପ୍ରଭାବ ୟୁରୋପ ଏବଂ ଲାଟିନ୍‌ ଆମେରିକାର ପ୍ରାୟ ସମସ୍ତ ଦେଶରେ ଏକ ସାଧାରଣ କଥା। କିନ୍ତୁ ଏହାର ସମାଧାନ କ’ଣ, ତାହା ଏକ ବିତର୍କର ବିଷୟ।
ଭାରତରେ ରାଜନୈତିକ ଦଳକୁ ଚାନ୍ଦା ଦେବାର ଇତିହାସ କିଛି କମ୍‌ ନାହିଁ। ସ୍ବାଧୀନତା ପୂର୍ବରୁ ମଧ୍ୟ ରାଜନୈତିକ ଦଳଗୁଡ଼ିକ କର୍ପୋରେଟ ଫଣ୍ଡିଙ୍ଗ ନେଉଥିଲେ। ସ୍ବାଧୀନତା ପରେ ଟାଟା, ବିର୍ଲା ଭଳି ବ୍ୟବସାୟିକ ସଂସ୍ଥାଗୁଡ଼ିକ ପ୍ରମୁଖ ରାଜନୈତିକ ଦଳ ଯଥା କଂଗ୍ରେସ, ସ୍ବତନ୍ତ୍ର ପାର୍ଟିକୁ ଦାନ ବା ଚାନ୍ଦା ଦେଉଥିଲେ। ୧୯୬୯ରେ ପ୍ରଥମେ ଇନ୍ଦିରା ଗାନ୍ଧୀ ହିଁ ଏହି ଫଣ୍ଡିଙ୍ଗକୁ ବେଆଇନ ଘୋଷଣା କରିଥିଲେ। କୌଣସି ଦଳ ବ୍ୟବସାୟିକ ସଂସ୍ଥାଗୁଡ଼ିକଠାରୁ ଅର୍ଥ ଆଣିପାରିବେ ନାହିଁ ବୋଲି ନିୟମ କରାଗଲା। ସେହି ସମୟରେ ସ୍ବତନ୍ତ୍ର ପାର୍ଟିର ନେତାମାନେ ଅଭିଯୋଗ କରିଥିଲେ ଯେ, ସ୍ବତନ୍ତ୍ର ପାର୍ଟିକୁ ଆର୍ଥିକ ସ୍ତରରେ ଦୁର୍ବଳ କରିବା ପାଇଁ ଏହି ନିୟମ ଅଣାଯାଇଛି ଏବଂ କଂଗ୍ରେସ ଦଳ ସରକାରରେ ଥିବାରୁ କଂଗ୍ରେସ ଦଳର କିଛି ଅସୁବିଧା ହେବ ନାହିଁ। ସ୍ବତନ୍ତ୍ର ପାର୍ଟି ଉପରେ ଏହି ନିୟମର ପ୍ରଭାବ ମଧ୍ୟ ପଡ଼ିଥିଲା। ୧୯୭୧ ନିର୍ବାଚନ ଥିଲା ସ୍ବତନ୍ତ୍ର ପାର୍ଟିର ଶେଷ ନିର୍ବାଚନ। ୧୯୬୭ ନିର୍ବାଚନରେ ୪୪ ଆସନ ଜିତିଥିବା ଦଳ ୧୯୭୧ରେ ଜିତିଲା ମାତ୍ର ୮ଟି। ଅଭିଯୋଗ ହୁଏ, ୧୯୬୯ ପରେ ଦେଶରେ ଲାଇସେନ୍ସ ରାଜ, କଳାବଜାର, ଟିକସ ଫାଙ୍କି ଏବଂ ରାଜନୈତିକ ନେତାଗୁଡ଼ିକୁ ବ୍ୟବସାୟିକ ସଂସ୍ଥାଗୁଡ଼ିକର ଚୋରାରେ ସୁଟ୍‌କେସରେ ଟଙ୍କା ଯୋଗାଣର ପରମ୍ପରା ଆରମ୍ଭ ହୋଇଥିଲା, ଯାହାକୁ ପରବର୍ତ୍ତୀ ସମୟରେ ରାଜୀବ ଗାନ୍ଧୀ ପରୋକ୍ଷରେ ମଧ୍ୟ ସ୍ବୀକାର କରିଥିଲେ। କାରଣ ଏକଥା ସତ୍ୟ ଯେ ରାଜନୈତିକ ନେତାମାନେ ଅର୍ଥ ଚାହାନ୍ତି ଆଉ ବ୍ୟବସାୟୀମାନେ ନିୟମ ଫାଙ୍କି ଅର୍ଥ ରୋଜଗାର ଚାହାନ୍ତି। ଷ୍ଟାନେଲ କୋଚାନେକ ଏକ ସୁନ୍ଦର ବହି ଏ ସର୍ମ୍ପକରେ ଲେଖିଛନ୍ତି, ଯାହାର ନାଁ ହେଉଛି ବ୍ରିଫ୍‌କେସ ପଲିଟିକ୍ସ ଅଫ୍‌ ଇଣ୍ଡିଆ। ସେ ଲେଖିଛନ୍ତି, କିଭଳି ଭାବରେ ବ୍ରିଫ୍‌କେସ ପଲିଟିକ୍ସ କାରଣରୁ ରାଜନୈତିକ ଦଳଗୁଡ଼ିକ ଦୁର୍ବଳ ହୋଇଗଲେ କିନ୍ତୁ ନେତାମାନେ ଧନୀ ହୋଇଗଲେ। ଯେବେ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେଲେ ସେ ସେହି ପ୍ରତିବନ୍ଧକକୁ ୧୯୮୫ରେ ଉଠାଇ ଦେଇଥିଲେ। କର୍ପୋରେଟ୍‌ ଓ ରାଜନୈତିକ ଦଳଗୁଡ଼ିକ ଭିତରେ ଏକ ସ୍ବଚ୍ଛ ସମ୍ପର୍କ ଏବଂ ଆର୍ଥିକ ବିନିମୟ ପାଇଁ ରାଜୀବ ଗାନ୍ଧୀ ପ୍ରୟାସ କରିଥିଲେ। ଉଦ୍ଦେଶ୍ୟ ଥିଲା ମୁକ୍ତ ଉଦାର ଅର୍ଥନୀତିର ପ୍ରୋତ୍ସାହନ ଏବଂ ଲାଇସେନ୍ସରାଜକୁ ବନ୍ଦ କରିବା। ପରବର୍ତ୍ତୀ ସମୟରେ ୧୯୯୬ରେ ଇଲେକ୍ଟୋରାଲ ଟ୍ରଷ୍ଟ ବ୍ୟବସ୍ଥା ଆପଣାଗଲା। ନିର୍ବାଚନ ପରିଚାଳନାକୁ ନେଇ ଅନେକ ନିୟମ ବିଭିନ୍ନ ଦଳର ସରକାର ସମୟରେ ଆସିଛି। ସରକାରୀ ଗଣମାଧ୍ୟମରେ ମାଗଣା ପ୍ରଚାର ବ୍ୟବସ୍ଥା, ନିର୍ବାଚନ ଖର୍ଚ୍ଚରେ ଅଙ୍କୁଶ, ନିର୍ବାଚନରେ ବ୍ୟବସାୟିକ ସଂସ୍ଥାର ପ୍ରଭାବ ରୋକିବା ଆଦି ଉପରେ ରୋକ୍‌ ପାଇଁ ଅନେକ ନିୟମ ଆସିଛି। ୨୦୧୭ରେ ଇଲେକ୍ଟୋରାଲ ବଣ୍ଡ୍‌ ନିୟମ ଆସିଲା। ଇଲେକ୍ଟୋରାଲ ବଣ୍ଡ୍‌ ଓ ଇଲେକ୍ଟୋରାଲ ଟ୍ରଷ୍ଟ ଭିତରେ ଯେଉଁ ଫରକ ଅଛି, ତାହା ହେଲା ଇଲେକ୍ଟୋରାଲ ବଣ୍ଡ୍‌ରେ ବ୍ୟବସାୟିକ ସଂସ୍ଥାଗୁଡ଼ିକ ସିଧାସଳଖ ବ୍ୟାଙ୍କ ଦେଣନେଣ ମାଧ୍ୟମରେ ରାଜନୈତିକ ଦଳକୁ ଚାନ୍ଦା ଦେଇପାରିଲେ। ଇଲେକ୍ଟୋରାଲ ଟ୍ରଷ୍ଟ ବ୍ୟବସ୍ଥାରେ ବ୍ୟବସାୟିକ ସଂସ୍ଥାଗୁଡ଼ିକ ଏକ ଟ୍ରଷ୍ଟକୁ ଦାନ ଦେଉଥିଲେ। ଟ୍ରଷ୍ଟ ତାକୁ ରାଜନୈତିକ ଦଳଗୁଡ଼ିକୁ ଦେଉଥିଲା। ଏହି ବ୍ୟବସ୍ଥାରେ ଏହା ଜାଣିବା କଷ୍ଟଥିଲା ଯେ କେଉଁ ବ୍ୟବସାୟିକ ସଂସ୍ଥା କେଉଁ ଦଳକୁ କେତେ ଟଙ୍କା ଦେଲା। କାରଣ ଗୋଟିଏ ଟ୍ରଷ୍ଟରେ ଅନେକ ବ୍ୟବସାୟିକ ସଂସ୍ଥାର ଅର୍ଥ ଜମା ହେଉଥିଲା। ସେଠାରୁ ପୁଣି ଅନେକ ଦଳଙ୍କୁ ଅର୍ଥ ଦିଆଯାଉଥିଲା। ତେଣୁ କିଏ କାହା ପାଇଁ ଉଦ୍ଦିଷ୍ଟ କରି ଚାନ୍ଦା ଦେଇଥିଲା ତାହା କେବଳ ଟ୍ରଷ୍ଟକୁ ଜଣାଥିଲା ଆଉ ସମସ୍ତ ଟ୍ରଷ୍ଟ ଥିଲେ ବେସରକାରୀ। କିନ୍ତୁ ଇଲେକ୍ଟୋରାଲ ବଣ୍ଡ୍‌ ବ୍ୟବସ୍ଥାରେ କିଏ କାହା ପାଇଁ ବଣ୍ଡ୍‌ କିଣିଛି, ତାହାର ସମସ୍ତ ତଥ୍ୟ ଏକ ସରକାରୀ ବ୍ୟାଙ୍କ ପାଖରେ ଉପଲବ୍ଧ ରହିଲା। କିନ୍ତୁ ଏହି ସମସ୍ତ ତଥ୍ୟକୁ ସାଧାରଣରେ ପ୍ରକାଶ ନ କରିବା ପାଇଁ ସରକାର ନିୟମ କରିଥିଲେ। କାରଣ, କିଏ କାହାକୁ କେତେ ଚାନ୍ଦା ଦେଲା ତାହା ଯଦି ରାଜନୈତିକ ଦଳଗୁଡ଼ିକ ଜାଣନ୍ତି, ତା’ହେଲେ ସେମାନେ ବ୍ୟବସାୟିକ ସଂସ୍ଥାଗୁଡ଼ିକ ଉପରେ ରାଜନୈତିକ ଚାପ ପକାଇ ପାରନ୍ତି ବା ହଇରାଣ କରିପାରନ୍ତି ଏଭଳି ଆଶଙ୍କା ମଧ୍ୟ ଥିଲା। ଏବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସେହି ସମସ୍ତ ତଥ୍ୟ ସାର୍ବଜନୀନ ହେବା ପରେ ଜଣାପଡ଼ିଛି ଯେ, ଦେଶର ପ୍ରାୟ ସମସ୍ତ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଅର୍ଥ ପାଇଛନ୍ତି। ଯେଉଁମାନେ କହୁଛନ୍ତି ଏହି ବ୍ୟବସ୍ଥାରେ ତ୍ରୁଟି ଅଛି, ସେମାନେ କିନ୍ତୁ ମିଳିଥିବା ଅର୍ଥକୁ ଆମେ ଫେରାଇଦେବୁ, ଏ କଥା କହିବା ପାଇଁ ସେମାନଙ୍କର ସତ୍‌ସାହସ ଅଛି କି? ଏହା ହିଁ ଦର୍ଶାଉଛି ଭାରତୀୟ ରାଜନୈତିକ ବ୍ୟବସ୍ଥାର ସବୁଠାରୁ ଦୁଃଖଦ ଚିତ୍ର। ସମସ୍ତେ ଚାହାନ୍ତି କ୍ଷମତା ଆଉ ଅନ୍ୟକୁ ଦୋଷାରୋପ। କେହି ଚାହାନ୍ତିନାହିଁ ବ୍ୟବସ୍ଥାରେ ପରିବର୍ତ୍ତନ।
ବିଭିନ୍ନ ସମୟରେ ଆଗରୁ ଅଦାଲତମାନେ ମଧ୍ୟ ନିର୍ବାଚନରେ କଳାଟଙ୍କାର ଅପବ୍ୟବହାର, ରାଜନୈତିକ ଦଳଗୁଡ଼ିକର ଚାନ୍ଦା ଆଦାୟ ଆଦିକୁ ନେଇ ନିଜର ବ୍ୟଗ୍ରତା ଦେଖାଇଛନ୍ତି। କିନ୍ତୁ ଏହାର ସମାଧାନର ରାସ୍ତା କ’ଣ ତାହା ଆଜିବି ଅସମାହିତ ହୋଇ ରହିଛି। ରାଜନୈତିକ ଦଳଗୁଡ଼ିକ ଅର୍ଥ ପାଇଲେ ସେମାନେ ନିର୍ବାଚନରେ ପ୍ରାର୍ଥୀ ଚୟନ କରିବା ବେଳେ ଭଲ ପ୍ରାର୍ଥୀ ବାଛିପାରିବେ। ଭଲ, ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଆର୍ଥିକ କ୍ଷମତା ଏକ ବାଧକ ହେଉଛି। ଆଉ ଯଦି ଆର୍ଥିକ ଆଧାରରେ ପ୍ରାର୍ଥୀ ଦିଆଯାଏ, ତା’ହେଲେ ଖଣି ମାଫିଆ, ବାଲି ମାଫିଆ, ସୁନା ବେପାରୀମାନେ ରାଜନୀତି କରିବେ ସିନା ଭଲ ଲୋକ କିନ୍ତୁ ନିର୍ବାଚନରେ ଟିକେଟ ପାଇବେ ନାହିଁ। ଗଣତନ୍ତ୍ରରେ ସ୍ବଚ୍ଛତାର ଆହ୍ବାନକୁ ସାମ୍ନା କରି ଏହାର ସମାଧାନର ରାସ୍ତା କାଢ଼ିବା ପାଇଁ ପଡ଼ିବ।
ହରିରାଜପୁର, ଜଟଣୀ
ମୋ: ୯୪୩୮୫୭୯୨୯୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୮୭, ତଥାପି ଏହି ବୟସରେ ସଡ଼କ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ରାଜସ୍ଥାନର ଡ. ମାୟା ଟଣ୍ଡନ। ସେ...

ଗ୍ରୀଷ୍ମରେ ଛାୟାଦ୍ରୁମ

ଡ. ଶରତ ଚନ୍ଦ୍ର ପରିଡ଼ା   ପ୍ରଚଣ୍ଡ ଗ୍ରୀଷ୍ମରେ ଶୀତଳ ଛାଇ ଟିକିଏ ମିଳିଗଲେ ସତେ କି ଅମୃତ! ମଝିରେ ମଝିରେ ଝଡ଼ବତାସ ଆସି ପୁରୁଣାକାଳିଆ...

ଅକାଳ ପକ୍ବ ଫଳ ଅମୃତ ନା ବିଷ

ଡ. ଚିନ୍ତାମଣି ପଣ୍ଡା   ଋତୁକାଳୀନ ଫଳ ଓ ପନିପରିବା ସବୁ ବର୍ଷର ଭିନ୍ନ ଭିନ୍ନ ଋତୁରେ ବଜାରକୁ ଆସିଥାଏ। ଯେଉଁ ସମୟରେ ଯେଉଁ ଫଳଟି...

ନୈରାଶ୍ୟର ପ୍ରତିବାଦ

ସ୍ଲାଭୋଜ୍‌ ଜିଜେକ୍‌   ଏବେ ଅତି ଖରାପ ସମୟ ପଡ଼ିଛି। ପ୍ରକୃତିରେ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ଘଟୁଛି। ବାରମ୍ବାର ଦୁବାଇରେ ପ୍ରବଳ ବର୍ଷା କିମ୍ବା...

ମିଶୁ ମୋର ଦେହ ଏ ଦେଶ ମାଟିରେ

ବର୍ତ୍ତମାନ ଚାରିଆଡ଼େ ନିର୍ବାଚନର ମାହୋଲ। ସବୁଠି ନେତାମାନଙ୍କର ମାଳ ମାଳ ପ୍ରତିଶ୍ରୁତିର ସ୍ବର। ଦୂରଦର୍ଶନ ହେଉ ବା ସାମାଜିକ ଗଣମାଧ୍ୟମ, ଯେକୌଣସି ପ୍ଲାଟ୍‌ଫର୍ମ ହେଉ ସବୁଠି...

ଚାରି ଦୁଆର ଓ ରତ୍ନ ଭଣ୍ଡାର

ପୁରୀ ସହର ବା ଜିଲା ନୁହେଁ ବରଂ ରାଜ୍ୟ ଓ ରାଜ୍ୟ ବାହାରେ ଏପରି କି ବିଦେଶରେ ରହୁଥିବା ସମସ୍ତ ଶ୍ରୀଜଗନ୍ନାଥପ୍ରେମୀଙ୍କ ମନରେ ଶ୍ରୀମନ୍ଦିରର ଚାରି...

ଏଇ ଭାରତରେ

ଉତ୍ତରାଖଣ୍ଡରେ ପାଇନ ଗଛର ଶୁଷ୍କପତ୍ର (ପାଇନ ନିଡଲ୍ସ) ବନାଗ୍ନିର ଏକ ବଡ଼ କାରଣ ବୋଲି କୁହାଯାଉଛି। ଏହା ବର୍ଷ ବର୍ଷ ଧରି ଗଛମୂଳରେ ଜମା ହୋଇ...

ସମୟାନ୍ତରେ ରାମାୟଣ

ଗଙ୍ଗା ନଦୀ ଅବବାହିକାରେ ଭାରତର ୫୦ ପ୍ରତିଶତ ଭୋଟର ରହନ୍ତି। ତେଣୁ ହିନ୍ଦୁତ୍ୱବାଦୀ ରାଜନେତାମାନଙ୍କ ପାଇଁ ରାମାୟଣ ବିଶେଷକରି ତୁଳସୀ ଦାସ ରଚିତ ରାମଚରିତ ମାନସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri