କାନ୍ତକବି ଓ କଣାମାମୁ

ଡ. ପ୍ରଫୁଲ୍ଲ କୁମାର ସାହୁ

ସାଳନ୍ଦୀ ତଟର ମାଟିପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର। ଜଣେ ଅତୀନ୍ଦ୍ରିୟ ସତ୍ୟସନ୍ଧାନୀ ସ୍ରଷ୍ଟା। କାନ୍ତକବି ଲକ୍ଷ୍ମୀକାନ୍ତ କହିଲେ ଆଖିଆଗରେ ଉଭାହୁଏ ଦୁଇଟି ଦୃଶ୍ୟ। ଗୋଟିଏ ଦୃଶ୍ୟ ଜଣେ ସୌମ୍ୟକାନ୍ତ ଯୁବକର। ସେ ଯୁବକ ଜଣକ ହେଉଛନ୍ତି ତାଳପଦା (ଭଦ୍ରକ)ର ଜମିଦାର ଚୌଧୁରୀ ଭାଗବତ ପ୍ରସାଦ ମହାପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର। ଫିଟ୍‌ଫାଟ ପୋଷାକ। ର଼୍ୟାକେଟ ଧରି ରେଭେନ୍ସା କଲେଜ ଟେନିସ୍‌ କୋର୍ଟରେ ଖେଳିଲା ବେଳେ ଯାହାର ଗାମ୍ଭୀର୍ଯ୍ୟ, ସଂଭ୍ରମତା ଓ କ୍ରୀଡ଼ା ନୈପୁଣ୍ୟରେ ସମସ୍ତେ ମୁଗ୍ଧ। ଆଉ ଗୋଟିଏ ଦୃଶ୍ୟ- ମହାବ୍ୟାଧିରେ ପୀଡ଼ିତ ହୋଇ ଶ୍ରୀହୀନ ହୋଇଯାଇଥିବା ଏବଂ ଚଳଶକ୍ତିହୀନ ହୋଇ ଅନ୍ୟର ପିଠିରେ ଲାଉ ହୋଇ ଚଳପ୍ରଚଳ କରୁଥିବା ଜଣେ ଦିବ୍ୟ ଅନୁଭବର ମଣିଷ। ହାତର ଆଙ୍ଗୁଠିଗୁଡ଼ିକ ଛିନ୍ନ। ପାପୁଲିରେ ଥିଲା ଆଙ୍ଗୁଠିର କିଛି ଥୁଆ ଅବଶେଷ। ସେଥିରେ କେହି କଲମଟେ ଗୁଞ୍ଜିଦେଲେ କାଗଜରେ କଅଁଳି ଉଠୁଥିଲା କବିତାର କିଶଳୟ। ଜୀବନର ଏହି ଦୁଇ ବିରୋଧାଭାସକୁ ଭିତ୍ତି କରି ଛିଡ଼ା ହୋଇଛି କାନ୍ତକବିଙ୍କ ସାହିତ୍ୟ ସୌଧ। ରେଭେନ୍ସା କଲେଜରେ ପଢ଼ିଲାବେଳେ ତାଙ୍କ ଲେଖା ପଢ଼ି ଫକୀରମୋହନ ଥରେ କହିଥିଲେ ଫୁଲଚନ୍ଦନ ପଡୁ ତୋ ଲେଖନୀରେ। ସତ ହେଲା ସମ୍ରାଟ୍‌ଙ୍କ କଥା। କାନ୍ତକବିଙ୍କ ବିହ୍ବଳପଣର କବିତ୍ୱ କ୍ରୀଡ଼ାରେ ଛନ୍ଦିହୋଇ ପଡ଼ିଲା ରାଧାନାଥଙ୍କ ସୌନ୍ଦର୍ଯ୍ୟ, ରବୀନ୍ଦ୍ରଙ୍କ ଆଧିଭୌତିକ ରହସ୍ୟ, ଗୋପବନ୍ଧୁଙ୍କ ଆଦର୍ଶ, ଫକୀରମୋହନଙ୍କ ସଂସ୍କାରୋଚିତ ହାସ୍ୟରସ ଓ ସବୁଜଙ୍କ ରୋମାଞ୍ଚ।
ବ୍ୟାଧି, ଅର୍ଥାଭାବ ଓ ପ୍ରିୟଜନଙ୍କ ଅନାନ୍ତରିକତାର ଧୂସର ଦୁର୍ଭାଗ୍ୟ କବିଙ୍କୁ ବିଷାଦ-ମୂର୍ଚ୍ଛିତ ବୈରାଗ୍ୟ ଆଣିଦେଲା ସତ, କିନ୍ତୁ ସେ ବୈରାଗ୍ୟର ଅର୍ଥ ଥିଲା ଭିନ୍ନ। ତାହା ଜୀବନଠାରୁ ପଳାୟନ ନୁହେଁ, ବରଂ ଆତ୍ମୋପଲବ୍ଧି ଓ ଆତ୍ମ ସାକ୍ଷାତ୍‌କାରର ଏକ ଆହ୍ଲାଦପଣ। ଯିଏ ଅନ୍ତର ଭିତରେ ଅନୁଭବ କରେ ଅମୃତମୟ ଉପଲବ୍ଧି, ତାକୁ ପରାସ୍ତ କରିପାରେନି ବ୍ୟାଧିର ଭୟ। ଶୂନ୍ୟତା ମଧ୍ୟରେ ବି ସେ ଅନୁଭବ କରେ ପୂର୍ଣ୍ଣତାର ଆନନ୍ଦ। ସେହି ଉପଲବ୍ଧି ଯୋଗୁ ଛାତ୍ର ଜୀବନରୁ ନାଟକ ଓ ସଂଗୀତ ରଚନା ତଥା ଅଭିନୟ କଳାରେ ଅସାମାନ୍ୟ ପାରଦର୍ଶିତା ଅର୍ଜିଥିବା କାନ୍ତକବିଙ୍କୁ ଶେଷଯାଏ ଆବିଷ୍ଟ କରିରଖିଥିଲା କୀର୍ତ୍ତନ ସ୍ବରରେ ଗୀତ ଲେଖିବା ଓ ଗାଇବାର ନିଆରାପଣ। ଶ୍ରୋତା ଓ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିଲା ତାଙ୍କ ନିଖୁଣ ଅଭିନୟ ଓ ମଧୁସ୍ରାବୀ କଣ୍ଠସ୍ବର।
କରୁଣ ରସର ଅବାରିତ ଧାରା କାନ୍ତକବିଙ୍କ ବିଷାଦ-ମୂର୍ଚ୍ଛିତ ପ୍ରାଣର ଅନ୍ତଃସ୍ରାବୀ ସ୍ରୋତ। ହଜାରେ ଯାତନା, ବ୍ୟର୍ଥତା ଓ ନୈରାଶ୍ୟ ସତ୍ତ୍ବେ ସେ ଭାଙ୍ଗି ପଡ଼ିନାହାନ୍ତି, ବରଂ ବୈଷ୍ଣବ ସୁଲଭ ଶାନ୍ତ ନିରୀହତାରେ ବରି ନେଇଛନ୍ତି ସୁଖ ଓ ଦୁଃଖକୁ ସମାନ ଭାବେ ତଉଲିବାର ଦମ୍ଭିଲାପଣ। ତେଣୁ ଭଗବାନ୍‌ଙ୍କୁ ଭାବବନ୍ଧନର କାଠଗଡ଼ାରେ ଠିଆ କରାଇ ସେ ପଚାରିପାରିଛନ୍ତି- ନିଃସ୍ବକୁ ଲୁଟିବା, ବଞ୍ଚତ୍ତକୁ ପ୍ରବଞ୍ଚନାରେ ପୋତି ପକାଇବା କ’ଣ ପ୍ରଭୁପଣ? ଅଭିମାନ ବ୍ୟଞ୍ଜିତ ସ୍ବରରେ ଗାଇଛନ୍ତି- ”ସବୁଥିରୁ ବଞ୍ଚତ୍ତ କରି କେଉଁ ଯଶବାନା ଉଡ଼ାଇବ ହେ, ଯାହା ଦେଇଥିଲ ସବୁ ତ ନେଲଣି ଆଉ କିସ ଏବେ ଛଡ଼ାଇବ ହେ।“
ବୈଷ୍ଣବୀୟ ଅନୁଭବର ଦିବ୍ୟତା ଓ ଭାକ୍ତିକ ତଲ୍ଲୀନତାରେ ଉଛୁଳି ଉଠିଛି କବିଙ୍କର ଜୀବନ ସଂଗୀତ। ଭଗବତ୍‌ ପ୍ରେମ ଓ ଭକ୍ତିରେ ଅଧୀର ନ ହେଲେ କେହି କ’ଣ ଗାଇପାରେ- ”ଦେ ମୋତେ ବାଇଆ କରି ଆରେ ମୋର ବାଇଆ ରଜା, ନାଚିବି ବି ଲଙ୍ଗଳା ହୋଇ ତାଳି ମାରି ଦେଖିବୁ ମଜା।“ ଏହି ଭକ୍ତି ରସାତ୍ମକ ସଂଗୀତର କାନ୍ତ କୋମଳ ପଦାବଳୀ ହିଁ ତାଙ୍କୁ ଆଣି ଦେଇଛି କାନ୍ତକବିର ଗୌରବ। ଏ ଉପାଧି ତାଙ୍କୁ କୌଣସି ସାରସ୍ବତ ଅନୁଷ୍ଠାନ ବା ଏକାଡେମୀ ଦେଇନାହିଁ, ବରଂ ଏହା କବିଙ୍କ ପ୍ରତି ସହପାଠୀମାନଙ୍କର ସସ୍ନେହ ସମ୍ବୋଧନ। ଅଗଣିତ ବିଦଗ୍ଧ ପାଠକ ତଥା ଗୁଣଗ୍ରାହୀମାନଙ୍କର ଏକ ଶାବ୍ଦିକ ଶିରସ୍ତ୍ରାଣ। ଫକୀରମୋହନଙ୍କ ‘ବ୍ୟାସକବି’ ଉପାଧି ପରି ଏହା ବହୁ ଊଦ୍ଧର୍‌ବରେ।
କାନ୍ତକବି ଜାତୀୟ ଜୀବନର ପ୍ରକୃଷ୍ଟ ଉପାସକ। ଶାରୀରିକ ଅକ୍ଷମତା କାରଣରୁ ସେ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇ ପାରି ନ ଥିଲେ ମଧ୍ୟ ତାଙ୍କ ଲେଖକୀୟ ଭାବନାକୁ ସଦା ଆବିଷ୍ଟ କରି ରଖିଥିଲା ଜାତୀୟ ଚେତନା। ଛାତ୍ର ଜୀବନରେ କବିଙ୍କୁ ଭାରତର ସ୍ବାଧୀନତାଠାରୁ ବେଶି ଘାରିଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଚିନ୍ତା। ତେଣୁ ମାତ୍ର ଅଠର ବର୍ଷ ବୟସରେ ସେ ରଚନା କରିଥିଲ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ। କବିଙ୍କ ଦୃଷ୍ଟିରେ ଉତ୍କଳ ଭୂଖଣ୍ଡ କେବଳ ଏକ ଜଡ଼ ପିଣ୍ଡ ନୁହେଁ, ସେ ଆମ ଜନନୀ। ତା’ର ଜୀବନ ଅଛି, ଯାହାକୁ କୁହାଯାଏ ଜାତୀୟ ଜୀବନ। ଉତ୍କଳ ଜନନୀର ସୁଷମା ମଣ୍ଡିତ ପ୍ରାକୃତିକ ଚିତ୍ରକୁ କବିତାରେ ତୋଳି ଧରିବାକୁ ଯାଇ ସେ ଗାଇଛନ୍ତି-”ନୀଳପୟୋଧି ବିଧୌତ ଶରୀରା, ତାଳ ତମାଳ ସୁଶୋଭିତ ତୀରା, ଶୁଭ୍ର ତଟିନୀ କୂଳ-ଶୀକର – ସମୀରା, ଚାରୁ ହାସମୟୀ ଚାରୁ ଭାଷମୟୀ……।“ ଏହି କାଳଜୟୀ ସଂଗୀତର ଜାତୀୟତାବୋଧକ ବାର୍ତ୍ତା ପ୍ରାଣକୁ ଯେତିକି ଉଦ୍ଦୀପ୍ତ କରେ, ସେତିକି ସ୍ପନ୍ଦିତ କରେ ଉତ୍କଳର ଶ୍ୟାମଳ ବନରାଜି ତଥା ତାର ନୀଳ ଭୂଧରମାଳା। କବିଙ୍କ ମତରେ ଏହି କବିତା କେବଳ ତୁଛା ଶବ୍ଦ ସଂଯୋଜନାର ମାୟାଜାଲ ନୁହେଁ, ଏହା ଜାତୀୟ ଜୀବନର ଏକ ବୃହତ୍ତର ଅଧ୍ୟାୟ। ଓଡ଼ିଆ ଜାତିର, ଓଡ଼ିଆ ମାଟିର, ଓଡ଼ିଆ ଭାଷାର ଓ ଓଡ଼ିଆ ଜନଜୀବନର ଗୌରବ ଗାଥା। ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାର ଏକ ସାଂସ୍କୃତିକ ସୂତ୍ର। ଉତ୍କଳର ନଦନଦୀ, ଗିରିବନ, କଳା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ କାନ୍ତକବି ଏଥିରେ ଏମିତି ଶବ୍ଦ ଓ ଭାଷାରେ ଗୁନ୍ଥି ଦେଇଛନ୍ତି ଯେ ତାହା ଶୁଣିବାମାତ୍ରେ ଦର୍ପଣରେ ମୁହଁ ଦେଖିଲା ପରି ଆଖି ଆଗରେ ଝଲସିଉଠେ କୀର୍ତ୍ତିମାଳିନୀ ଉତ୍କଳ ଜନନୀର ମୁଖମଣ୍ଡଳ। ସରକାରୀ ସ୍ବୀକୃତି (୨୦୨୦) ପାଇବାର ଅନେକ ଆଗରୁ ଜନତା ଦରବାରରୁ ମିଳି ସାରିଥିଲା ଜାତୀୟ ସଂଗୀତର ମାନ୍ୟତା।
‘କଣାମାମୁ’ ଉପନ୍ୟାସ କାନ୍ତକବିଙ୍କର ଏକ ଅନବଦ୍ୟ ସୃଷ୍ଟି। ଅସଂପୂର୍ଣ୍ଣ ହେଲେ ବି ଏବେ ସୁଦ୍ଧା ପାଠକ ଉପରେ ସବାର ହୋଇ ରହିଛି।
ବୁଢ଼ା ଶଂଖାରିର କୋମଳ ପିତୃତ୍ୱ ହେଉ କି ଡଗରୀୟ ଚଟୁଳତା ହେଉ, କାନ୍ତକବିଙ୍କ ଜୀବନ ବୀଣାର ପ୍ରତ୍ୟେକ ମୂର୍ଚ୍ଛନା ଆଜି ଅନୁରଣିତ ହେଉଛି ଉତ୍କଳର ସାରସ୍ବତ ମନ୍ଦିରରେ।
ମୋ: ୬୩୭୧୬୪୨୪୬୪


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ବିଶ୍ୱରୂପ ଦର୍ଶନର ଆର୍ଥିକ ଦୃଷ୍ଟିକୋଣ

ଭାଗବତ ଗୀତାରେ ବିଶ୍ୱରୂପ ଦର୍ଶନ ବିଷୟରେ ଉଲ୍ଲେଖ ରହିଛି। ଶ୍ରୀମଦ ଭଗବଦଗୀତା ମାନବଜାତି ପାଇଁ ହେଉଛି ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର। ଏହା ଜୀବନ ଜୀବିକାର ଦିବ୍ୟ…

ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ

ସଂରକ୍ଷଣ ବ୍ୟବସ୍ଥା ସମାଜରେ ତଳେ ପଡ଼ିଥିବା ଅବହେଳିତ ଓ ଅନଗ୍ରସର ଜାତିସମୂହର କ୍ଷୀପ୍ର ବିକାଶ ପାଇଁ ଉଦ୍ଦିଷ୍ଟ। ଏହା ସମତାଭିତ୍ତିକ ସମାଜ ଗଠନ ଓ ସମାନ ଭାଗୀଦାରି…

ଦୂରଦର୍ଶନର ପୁନର୍ଗଠନ

ଦୂରଦର୍ଶନରେ ଏକ ବଡ଼ ଧରଣ ପରିବର୍ତ୍ତନର ସଙ୍କେତ ମିଳୁଛି। ସରକାର ଯୋଗାଯୋଗ ରଣନୀତିରେ ପରିବର୍ତ୍ତନ ପାଇଁ ପ୍ରଥମେ ସରକାରୀ ପ୍ରସାରଣ ସଂସ୍ଥାକୁ ବାଛିଥାନ୍ତି। ୧୯୯୪ ବ୍ୟାଚ୍‌ ଭାରତୀୟ…

ପ୍ରତିଦିନ ନିର୍ବାଚନ

ଏବେ ମୁଦ୍ରିତ ଗଣମାଧ୍ୟମ ନ ହେଲେ ବି ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଖୋଲିଲେ ଲାଗେ ଓଡ଼ିଶା ବା ଭାରତବର୍ଷରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରତ୍ୟକ୍ଷରେ…

ଉତ୍ତପ୍ତ ୟୁରୋପ

ଜୁନ୍‌ ୨୦ରୁ ୨୮ ମଧ୍ୟରେ ଏକ ଭୟଙ୍କର ଗ୍ରୀଷ୍ମପ୍ରବାହ ୟୁରୋପକୁ ପ୍ରଭାବିତ କରିଥିଲା। ଏହା ପ୍ରଭାବରେ ଫ୍ରାନ୍ସ ଓ ସ୍ପେନର ବିଶାଳ ଅଞ୍ଚଳରେ ଏବେ ଜଙ୍ଗଲ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri