କର୍ମକ୍ଷେତ୍ରରେ ମହିଳାଙ୍କୁ ସୁରକ୍ଷା

ଘାସିରାମ ପଣ୍ଡା

ଅଗଷ୍ଟ ୧୨ରେ ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଗୁଞ୍ଜନ ସାକ୍ସେନା’ ଅନେକ ବିତର୍କ ସୃଷ୍ଟି କରିଛି। ୧୯୯୬ରେ ଗୁଞ୍ଜନ ଭାରତୀୟ ବାୟୁ ସେନାରେ ପାଇଲଟ ଭାବେ ଯୋଗ ଦେଇଥିଲେ। କାରଗିଲ ଯୁଦ୍ଧରେ ସେ ଏକମାତ୍ର ମହିଳା ଥିଲେ। ସିନେମାରେ ତାଙ୍କର ସାହସ ଓ ବୀରତା ରୋମାଞ୍ଚ ସୃଷ୍ଟିି କରୁଛି। ଏହା ସହିତ ପୁରୁଷପ୍ରାଧାନ୍ୟ ଏକ ବୃତ୍ତିରେ ଜଣେ ମହିଳା ପାଇଁ ରହିଥିବା ଆହ୍ବାନ ମଧ୍ୟ ବିଶେଷ ଭାବେ ପ୍ରତିଫଳିତ ହୋଇଛି। ଯଦିଓ ଭାରତୀୟ ବାୟୁସେନା, ରକ୍ଷା ମନ୍ତ୍ରଣାଳୟ ଓ ତାଙ୍କର କିଛି ମହିଳା ସହକର୍ମୀ ଏଥିରେ ଅସହମତି ଜାହିର କରିଛନ୍ତି, ତଥାପି କର୍ମସ୍ଥଳୀରେ ମହିଳାଙ୍କ ସମସ୍ୟାକୁ ନେଇ ଆଲୋଚନା କରିବାକୁ ଏହା ସୁଯୋଗ ସୃଷ୍ଟି କରିଛି। ଶାରୀରିକ ଭିନ୍ନତା ଓ ମହିଳାଙ୍କ ପ୍ରତି ସମାଜର ଭିନ୍ନ ଦୃଷ୍ଟିଭଙ୍ଗି ଯୋଗୁ ସେମାନଙ୍କର ଆବଶ୍ୟକତା ମଧ୍ୟ ଭିନ୍ନ ହୋଇପାରେ। ମହିଳାମାନେ କାର୍ଯ୍ୟକରୁଥିବା ଅନେକ ଅନୁଷ୍ଠାନ ଓ କାର୍ଯ୍ୟାଳୟ କିନ୍ତୁ ଏନେଇ ସଚେତନ ନ ଥାନ୍ତି। ଏ ସମ୍ପର୍କରେ ସେମାନେ ଅଧିକାରୀଙ୍କୁ ଅବଗତ କଲେ ବିଶୃଙ୍ଖଳିତ ଓ କାମ ନ କରିବାର ବାହାନା କରୁଛନ୍ତି ବୋଲି ଧରାଯାଏ। ଯଦି ବାହାରେ ଏହା ଚର୍ଚ୍ଚା ହୁଏ ଅନୁଷ୍ଠାନର ମର୍ଯ୍ୟାଦାହାନି ବୋଲି ବିବେଚନା କରାଯାଏ। ପରିଣାମ ସ୍ବରୂପ ନିଜର ବଦନାମୀ ଓ ଚାକିରି ହରେଇବାର ଭୟରେ ମହିଳାକର୍ମୀମାନେ ଚୁପ ରହିବାକୁ ବାଧ୍ୟ ହୁଅନ୍ତି। କାର୍ଯ୍ୟରତ କର୍ମଚାରୀଙ୍କ ଆବଶ୍ୟକତାକୁ ସ୍ବୀକାର କଲେ ଅନୁଷ୍ଠାନର ଗରିମାରେ କେବେ ଆଞ୍ଚ ଆସେ ନାହିଁ, ବରଂ ସମ୍ବେଦନଶୀଳ ହେଲେ ଉପତ୍ାଦକତା ବଢେ।
ଉପାର୍ଜନ କରି ପରିବାର ଚଳେଇବାର ଦାୟିତ୍ୱ ଆମ ସମାଜ ପୁରୁଷଙ୍କ ଉପରେ କାହିଁ କେତେ କାଳରୁ ନ୍ୟସ୍ତ କରିଛି। ଏଣୁ କର୍ମସ୍ଥଳୀଗୁଡିକ ପୁରୁଷ ପ୍ରାଧାନ୍ୟ ହେବା ସ୍ବାଭାବିକ। ସମୟର ପରିବର୍ତ୍ତନରେ ଏବେ ମହିଳାମାନେ ବିଭିନ୍ନ ବୃତ୍ତିରେ ଯୋଗଦେଲେଣି। ଅଥଚ କିଛି ସମ୍ବେଦନଶୀଳ ଅନୁଷ୍ଠାନକୁ ଛାଡିଦେଲେ ଅନେକ କର୍ମସ୍ଥଳୀର ଆଚରଣରେ ବିଶେଷ ପରିବର୍ତ୍ତନ ହୋଇନାହିଁ। କେବଳ ଭିତ୍ତିଭୂମିର ପ୍ରଶ୍ନ ନୁହେଁ। ମହିଳା ସହକର୍ମୀଙ୍କ ପ୍ରତି ଆମର ଦୃଷ୍ଟିଭଙ୍ଗୀ ଓ ମାନସିକତାରେ ପରିବର୍ତ୍ତନ ନ ହେବା ଯାଏ ଏ ସ୍ଥିତିରେ ପରିବର୍ତ୍ତନ ହେବନାହିଁ। ମହିଳା ସହକର୍ମୀଙ୍କୁ ନିଜଠାରୁ ହୀନ ମନେକରିବା, କୌଣସି ପୁରୁଷ ସହକର୍ମୀଙ୍କ ସହ ହସି କଥାହେଲେ କିମ୍ବା ସାଙ୍ଗରେ ଯାତ୍ରା କଲେ ଚରିତ୍ରକୁ ନେଇ ଚର୍ଚ୍ଚା କରିବା ସେମାନଙ୍କ ପାଇଁ ଅସ୍ବସ୍ତିକର ହୁଏ। ଉଚ୍ଚ ପଦରେ ଥିବା ମହିଳାଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନକୁ ଅନେକେ ପୌରୁଷରେ ହାନି ବୋଲି ଭାବନ୍ତି। ତଳିଆ ପଦବୀରେ ଥିବା ମହିଳାଙ୍କୁ କଥା କଥାରେ ଅଶାଳୀନ ବ୍ୟବହାର କିଛି ଲୋକଙ୍କୁ ଆମୋଦିତ କରେ। ପ୍ରସବକାଳୀନ ସବୈତନିକ ଛୁଟି ସେମାନଙ୍କର ଆଇନଗତ ଅଧିକାର ହୋଇଥିଲେ ବି ଅନେକ ଟାହି ଟାପରା ଶୁଣିବାକୁ ମିଳେ। ଅସହାୟତାର ସୁଯୋଗ ନେଇ ସେମାନଙ୍କ ସହ ଯୌନାଚାର କରିବାର ମଧ୍ୟ ଅନେକ ଉଦାହରଣ ରହିଛି। ଯେଉଁଠି ପରିବାର ସଦସ୍ୟ, ସାଙ୍ଗ ଓ ସହକର୍ମୀଙ୍କ ସହଯୋଗ ମିଳେ ସେଠାରେ ପୀଡିତା ହୁଏତ କଥାଟିକୁ ଲୋକଲୋଚନକୁ ଆଣନ୍ତି। ଅନ୍ୟଥା ଲୋକଲଜ୍ଜାକୁ ଏଡାଇବାକୁ ଯାଇ ଏହାକୁ ଦେହସୁହା କରି ନିଅନ୍ତି।
କର୍ମସ୍ଥଳୀକୁ ମହିଳାଙ୍କ ପାଇଁ ସୁରକ୍ଷିତ କରିବା ପାଇଁ ୨୦୧୩ରେ ଭାରତ ସରକାର ‘କର୍ମସ୍ଥଳୀରେ ମହିଳାଙ୍କ ପ୍ରତି ଯୌନ ଉପତ୍ୀଡନ – ନିବାରଣ, ନିଷେଧ ଓ ପ୍ରତିକାର ଆଇନ’ ପ୍ରଣୟନ କରିଛନ୍ତି। ଏହି ଆଇନ ଅନୁସାରେ କୌଣସି ବି ମହିଳା କର୍ମୀ ଅସହଜ ଅନୁଭବ କଲେ, ଅନ୍ୟ ସହକର୍ମୀଙ୍କଠାରୁ ଅଶୋଭନୀୟ ବ୍ୟବହାର ପାଇଲେ, କ୍ଷମତାର ବ୍ୟବହାର କରି କେହି ମହିଳା କର୍ମୀଙ୍କଠୁ ଅଯଥା ଅନୁଗ୍ରହ ଆଶାକଲେ ପୀଡିତା ଏହି ଆଇନ ଅନୁଯାୟୀ ଅଭିଯୋଗ କରିପାରିବେ। କର୍ମସ୍ଥଳୀକୁ ଅନୁକୂଳ ପରିବେଶ କରିବା ଓ କର୍ମଚାରୀଙ୍କୁ ସମ୍ବେଦନଶୀଳ କରିବା ପାଇଁ ସଚେତନ କରିବାର ଦାୟିତ୍ୱ ମଧ୍ୟ ନିଯୁକ୍ତିଦାତାଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏଥିପାଇଁ ପ୍ରତ୍ୟେକ କାର୍ଯ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଓ ଜିଲାସ୍ତରରେ ସ୍ଥାନୀୟ ଅଭିଯୋଗ କମିଟି ଗଠନ ପାଇଁ ଆଇନରେ ଉଲ୍ଲେଖ ଅଛି। କମିଟି ସଦସ୍ୟଙ୍କ ଫଟୋ ଓ ସମ୍ପୂର୍ଣ୍ଣ ଠିକଣା ଲୋକଙ୍କ ଅବଗତି ନିମନ୍ତେ ସମସ୍ତେ ଦେଖିପାରିବା ଭଳି ସ୍ଥାନରେ ପ୍ରଦର୍ଶିତ ହେବା ଉଚିତ। ଅଭିଯୋଗ ପାଇବାର ନବେ ଦିନ ମଧ୍ୟରେ କମିଟି ବିବାଦର ଫଇସଲା କରିବେ। ପ୍ରତ୍ୟେକ କାର୍ଯ୍ୟାଳୟ ଏ ସମ୍ପର୍କିତ ଏକ ବାର୍ଷିକ ରିପୋର୍ଟ ଜିଲା ଅଧିକାରୀଙ୍କ ପାଖରେ ଦାଖଲ କରିବେ। ଏସବୁ ନ କରିପାରିଲେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଦଣ୍ଡ ବିଧାନ କରାଯାଇ ପାରିବ। ପରିତାପର ବିଷୟ ଯେ ଉଭୟ ସରକାରୀ ଓ ବେସରକାରୀ ନାମକରା ଅନୁଷ୍ଠାନମାନେ ମଧ୍ୟ ଏ ବିଷୟରେ ଜାଣନ୍ତି ନାହିଁ। କିଛିଦିନ ତଳେ ଭୁବନେଶ୍ୱରର କିଛି ଶିକ୍ଷାନୁଷ୍ଠାନ, ସ୍ବେଚ୍ଛାସେବୀ ସଂଗଠନ, ବ୍ୟାଙ୍କ, ଗଣମାଧ୍ୟମ, ନିର୍ମାଣସ୍ଥଳିକୁ ନେଇ ତଥ୍ୟ ସଂଗ୍ରହ କରାଯାଇଥିଲା। ସେମାନଙ୍କ ଭିତରୁ ବହୁତ ଲୋକ ଏହାକୁ ଗୁରୁତ୍ୱ ଦେଲେନାହିଁ ଓ ଏ ବିଷୟରେ କଥା ହେବାକୁ ଚାହଁିଲେ ନାହିଁ। ଅନେକ ଅନୁଷ୍ଠାନରେ କମିଟି ଗଠନ ହୋଇନାହିଁ। ଯେଉଁଠି ବି ନାମକୁ ମାତ୍ର ଗଠିତ ହୋଇଛି, ସମସ୍ତେ ଦେଖିପାରିବା ଭଳି ସ୍ଥାନରେ ପ୍ରଦର୍ଶିତ ହୋଇ ନାହିଁ। ପ୍ରାୟ କେହି ବାର୍ଷିକ ବିବରଣୀ ପ୍ରସ୍ତୁତପୂର୍ବକ ଜିଲା ଅଧିକାରୀଙ୍କ ପାଖରେ ଦାଖଲ କରି ନାହାନ୍ତି। ଏସବୁ କରି ନ ଥିଲେ ବି ପ୍ରଶାସନ ସେମାନଙ୍କୁ ତାଗିଦ ବା ଜରିମାନା କରି ନାହାନ୍ତି। ଆଇନର ଅନୁପାଳନ ମହିଳାଙ୍କୁ ସୁରକ୍ଷିତ କର୍ମସ୍ଥଳି ପ୍ରଦାନ ପାଇଁ ଏକ ଅଙ୍ଗୀକାରବଦ୍ଧତା ଓ ଆଇନଗତ ଉତ୍ତରଦାୟିତ୍ୱ। ଏଣୁ ସ୍ଥାନୀୟ ପ୍ରଶାସନ ଓ ରାଜ୍ୟ ମହିଳା କମିଶନ ଭଳି ଅନୁଷ୍ଠାନ ଏହି ଆଇନର ଠିକ କାର୍ଯ୍ୟାନ୍ବୟନ ପାଇଁ ତଦାରଖ ବ୍ୟବସ୍ଥାକୁ ଦୃଢ କରିବାର ଆବଶ୍ୟକତା ରହିଛି।
ସମାନତାଭିତ୍ତିକ ସହଭାଗୀ ବିକାଶ ପାଇଁ ବିବିଧତାକୁ ଆଦରିବାକୁ ପଡିବ। ମହିଳା ଓ ଅନ୍ୟ ଲିଙ୍ଗର ଲୋକଙ୍କୁ ସମାନ ସୁଯୋଗ ପ୍ରଦାନ କରାଗଲେ ଦେଶର ପ୍ରଗତିରେ ସେମାନେ ଭାଗୀଦାରି ହୋଇପାରିବେ। ଅପମାନିତ କରିବା ବଦଳରେ ଉତ୍ସାହିତ କରାଗଲେ ଆଗାମୀ ଦିନରେ ସେମାନଙ୍କର ବିଶେଷ ଉପଲବ୍ଧିରେ ଆମେ ସମସ୍ତେ ଗର୍ବ କରିପାରିବା।
ସୁବର୍ଣ୍ଣପୁର
ମୋ-୯୪୩୮୩୪୧୭୯୪


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ସମ୍ପର୍କ

ଆକାର ପଟେଲ ଚଳିତ ସପ୍ତାହରେ ଆମେରିକା ଇରାନ ବିରୋଧରେ ଯୁଦ୍ଧଘୋଷଣା କରିବା ପରେ ପୁଣି ପଛଘୁଞ୍ଚା ଦେଇଛି। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଲେ ଯେ ଆକ୍ରମଣରେ...

ତଥାପି ଅନ୍ଧାର ହଟିନାହିଁ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଏବେ ଆଧୁନିକତାର ଉତ୍ତାଳ ପ୍ରୀତି ପ୍ରଳୟ ରୂପ ଧାରଣ କରିଛି ପ୍ରତିଟି ଜନମାନସରେ। ବସ୍ତୁବାଦୀ ସଭ୍ୟତାର ଶିଖର ଆରୋହଣ କରି...

ସାଂସ୍କୃତିକ ପୃଷ୍ଠଭୂମିରେ ଓଳକଣା ମେଳଣ

ଶୁଭେନ୍ଦୁ କୁମାର ଭୂୟାଁ ବସନ୍ତର ଆଗମନ ସହିତ ପ୍ରକୃତି ଓ ପରିବେଶ ଭିତରେ ଏବେ ଦେଖାଦେଇଛି ଏକ ଅପୂର୍ବ ପରିବର୍ତ୍ତନର ଦୃଶ୍ୟପଟ। ଏଇ ସୁନ୍ଦର ସୁଶୋଭିତ...

ଜାତିସଂଘକୁ ମାଡ଼

ବିଶ୍ୱ କ୍ଷୁଧା ସୂଚକାଙ୍କ ପ୍ରକାଶ ପାଇବା ପରେ ବିଭିନ୍ନ ଦେଶରେ ଭୋକିଲାଙ୍କ ସଙ୍କଟଜନକ ସ୍ଥିିତି ସାମ୍‌ନାକୁ ଆସିଛି। ଜାତିସଂଘର ୱାଲର୍‌ଡ ଫୁଡ୍‌ ପ୍ରୋଗ୍ରାମ (ଡବ୍ଲ୍ୟୁଏଫ୍‌ପି) ଏହାର...

ବ୍ୟସ୍ତ ଜୀବନ ଓ ନିଦ୍ରା ସମସ୍ୟା

ଈପ୍ସିତା ମହାନ୍ତି ନିଦ୍ରା ହେଉଛି ପ୍ରକୃତିର ଏକ ଅନୁପମ ବରଦାନ। ନିଦରେ ଶୋଇବାକୁ ଅବା ନିଦ୍ରାରେ ଯିବାକୁ କିଏବା ନ ଚାହେଁ! ନିଦ୍ରା ଆଜି ଏକ...

ସେରୋ ସର୍ଭେ ଓ ଆଣ୍ଟିବଡ଼ି

ଡା. ଉମେଶ ଚନ୍ଦ୍ର ପାତ୍ର କରୋନା କବଳରେ କେବଳ ଓଡ଼ିଶାବାସୀ ନୁହନ୍ତି ସମଗ୍ର ବିଶ୍ୱ ଛଟପଟ ହେଉଛି। ଓଡ଼ିଶାର ଉପାନ୍ତ ଜିଲା ଗଜପତିର ୬୫ ପ୍ରତିଶତ...

ଅର୍ଥ ଅନର୍ଥର ଖେଳ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ ସାଧୁତା ସାଂପ୍ରତିକ ସମାଜର ଏକ ବିରଳ ସମ୍ପଦ ଏବଂ ଅସାଧୁତାର ଏକ ସିଂହଭାଗ ମୂଳରେ ଥାଏ ପୁଳାଏ ସହଜଲଭ୍ୟ...

ନିୟମ ଅମାନ୍ୟ

କେରଳରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ଅଧିକାରୀମାନେ ସେମାନଙ୍କ ସରକାରୀ ଗାଡ଼ିରେ ବହୁ ସମୟରେ ବ୍ଲୁ ଫ୍ଲାଗ୍‌ ବା ନୀଳ ପତାକା ଲଗାଇଥାନ୍ତି। ଏଥିରେ ଥିବା...

Advertisement
Archives

Model This Week