ଓଡ଼ିଆ ପତ୍ରପତ୍ରିକା

ସୁଖର କଥା, ଓଡ଼ିଶାରେ ପତ୍ରପତ୍ରିକା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଅନୁଷ୍ଠାନ, ସଂସଦ ଏବଂ ବ୍ୟକ୍ତିଗତ ଭାବରେ ଅନେକ ପତ୍ରିକା ଜନ୍ମ ନେଲାଣି। ସବୁ ପତ୍ରିକା ଯେ ବ୍ୟବସାୟିକ ସଫଳତା ଲାଭ କରୁଛି ତାହା ନୁହେଁ। କିନ୍ତୁ ଏହା ସତ ଯେ ପତ୍ରିକାର ସଂଖ୍ୟା ବିଶେଷ ବୃଦ୍ଧି ପାଇଛି। ଏହା ଓଡ଼ିଆ ଭାଷା ସାହିତ୍ୟ ନିମିତ୍ତ ଶୁଭ ସଙ୍କେତ। ପତ୍ରପତ୍ରିକା ଜାତିର ସାଂସ୍କୃତିକ ପରିଚୟ ପ୍ରଦାନ କରିଥାଏ। ଦୁଃଖର ବିଷୟ ଓଡ଼ିଶାରୁ ପ୍ରକାଶିତ ଅନେକ ଓଡ଼ିଆ ପତ୍ରପତ୍ରିକା ଅଦ୍ୟାବଧି ଓଡ଼ିଆ ଜାତିର ଯଥାର୍ଥ ସାଂସ୍କୃତିକ ପରିଚୟ ପ୍ରଦାନ କରିବାକୁ ସମର୍ଥ ହୋଇନାହିଁ। ପ୍ରକାଶିତ ପତ୍ରପତ୍ରିକାରେ ଜାତିର ସାରସ୍ବତ ବିକାଶ ଧାରା, ବୌଦ୍ଧିକ ଅନୁଚିନ୍ତା ଓ ସାଂସ୍କୃତିକ ଉପଲବ୍‌ଧି ପରିବର୍ତ୍ତେ ଆତ୍ମପ୍ରଚାରର ଗାଥା ଓ ବ୍ୟଥା, ହୀନମନ୍ୟତା, କଥାକନ୍ଦଳ ପ୍ରଭୃତି ବେଶି ସ୍ଥାନିତ ହେଉଛି, ଯାହା ଆଦୌ ଜାତି ନିମିତ୍ତ ଶୁଭଙ୍କର ନୁହେଁ।
କିଛି ଲୋକ ଏକାଠି ହେଲେ ଗୋଟିଏ ଉଚ୍ଚ ବିଦ୍ୟାଳୟ ଗଠନ କରିପାରୁଛନ୍ତି, ଗୋଟିଏ ଗ୍ରାମ ବା ପଞ୍ଚାୟତ ଚାହିଁଲେ ମହାବିଦ୍ୟାଳୟଟିଏ ଖୋଲି ପାରୁଛନ୍ତି। ସ୍ଥଳବିଶେଷରେ କୌଣସି ବ୍ୟକ୍ତିବିଶେଷ ଅର୍ଥ ଲାଭ କାମନାରେ ମହାବିଦ୍ୟାଳୟଟିଏ ପ୍ରତିଷ୍ଠା କରିପାରୁଛନ୍ତି। ଅନେକେ ବ୍ୟକ୍ତିଗତ, ଗୋଷ୍ଠୀଗତ ଅଥବା ସାମୂହିକ ଭାବେ ବୈଷୟିକ ଶିକ୍ଷାନୁଷ୍ଠାନ ଗଢ଼ି ପାରୁଛନ୍ତି। କିଛି ଲେଖକ ବା ଜଣେ ଲେଖକ ଚାହିଁଲେ ମଧ୍ୟ ସାହିତ୍ୟ ସଂସଦଟିଏ ଉଭା ହୋଇପାରୁଛି। ସେହିପରି ଜଣେ ଦି’ଜଣ ଲେଖକ ଚାହିଁଲେ ସାହିତ୍ୟ ପତ୍ରିକାଟିଏ ଆତ୍ମପ୍ରକାଶ କରିପାରୁଛି। କେହି ସମର୍ଥ ବ୍ୟକ୍ତି ଚାହିଁଲେ ନିଜେ ପତ୍ରିକାଟିଏ ବାହାର କରିପାରୁଛନ୍ତି। ଆପଣାକୁ ପ୍ରତିଷ୍ଠା କରିବା ଅଥବା କିଛି ରୋଜଗାର ପନ୍ଥା ବାହାର କରିବା ଆଶାରେ କେହି କେହି ମଧ୍ୟ ପତ୍ରିକା ବାହାର କରୁଛନ୍ତି। କେହି କେହି ଲେଖକଙ୍କଠାରୁ ଚାନ୍ଦା ଆଦାୟ କରି ପତ୍ରିକାଟିଏ ବାହାର କରି ବାଃ ବାଃ ନେଉଛନ୍ତି। କିନ୍ତୁ ଏହିସବୁ ପତ୍ରିକାଗୁଡ଼ିକର ସାରସ୍ବତ ମୂଲ୍ୟବୋଧ ଉପରେ କେହି କେବେ ଚିନ୍ତା କରୁନାହାନ୍ତି। ଭିନ୍ନ ଭିନ୍ନ ରଙ୍ଗତରଙ୍ଗ, ରୂପସଜ୍ଜା, ଅଳଙ୍କରଣ, ଉଦ୍ଭଟ ଚିନ୍ତାଚେତନା, ଭିନ୍ନ ଭିନ୍ନ ବିଚାରବିମର୍ଶ ନେଇ ପତ୍ରିକା ଯେପରି ଆବିର୍ଭାବ ହେଉଛି ସେପରି ମଧ୍ୟ ଅନ୍ତର୍ଦ୍ଧାନ ହେଉଛି। ପୂଜା ସମୟ ଆସିଗଲେ ଓଡ଼ିଶାରେ ପତ୍ରିକା ବଜାର ଜମିଉଠେ ଏବଂ ଜଣାଯାଏ ଓଡ଼ିଆ ସାହିତ୍ୟ ବିଶ୍ୱବିଜୟୀ ହୋଇଗଲା। ଓଡ଼ିଆ ପତ୍ରପତ୍ରିକାର ବ୍ୟାପକ ପ୍ରସାର ସତ୍ତ୍ୱେ ଓଡ଼ିଆ ଭାଷାସାହିତ୍ୟର କାହିଁକି ଅଭିବୃଦ୍ଧି ଘଟିପାରୁନାହିଁ ବା ଓଡ଼ିଆ ପତ୍ରପତ୍ରିକା ଏ ଯାବତ୍‌ କାହିଁକି ସ୍ବାବଲମ୍ବନଶୀଳ ହୋଇପାରିନି ଅଥବା ଓଡ଼ିଶାରେ ପାଠକ ସଂଖ୍ୟା କାହିଁକି ବୃଦ୍ଧି ଘଟୁନାହିଁ, ଏହା ହିଁ ମନକୁ ଆନ୍ଦୋଳିତ କରେ।
ସାହିତ୍ୟ ଅପେକ୍ଷା ପତ୍ରିକାର ଅନ୍ୟତମ ଆକର୍ଷଣ ହେଲାଣି ଖେଳଖବର, ଚଳଚ୍ଚିତ୍ର, ରୋଷେଇ, ସିଲେଇ, ଚିତ୍ର, ନଗ୍ନଚିତ୍ର ଓ ଯୌନଚର୍ଚ୍ଚା ପ୍ରଭୃତି। ପତ୍ରିକାରେ ଏସବୁ ସ୍ଥାନିତ ହୋଇ ନ ଥିଲେ ବିକ୍ରୟ ସଂଖ୍ୟା କମିଯାଏ। ଏହି ପରିପ୍ରେକ୍ଷୀରେ ମନରେ ପ୍ରଶ୍ନ ଉଠୁଛି, ସତେ କ’ଣ ଓଡ଼ିଆ ଲେଖକମାନେ ସେମାନଙ୍କର ଯାଦୁକରୀ ତୂଳୀରେ ସାହିତ୍ୟ ଚିତ୍ରଣ କରିବାକୁ ଅସମର୍ଥ ନା ସମ୍ପାଦକମାନେ ଆପଣାର ସାମନ୍ତବାଦୀ ମନୋବୃତ୍ତିକୁ ପାଠକଙ୍କ ଉପରେ ଲଦି ଦେଉଛନ୍ତି। ଫଳରେ ପ୍ରକାଶିତ ପତ୍ରିକା ପାଠପୂର୍ବକ ପାଠକ ନିଜକୁ ସମ୍ଭ୍ରାନ୍ତବାଦୀ ଓ ପ୍ରଗତିବାଦୀ ବୋଲି ପରିଚୟ ଦେବାକୁ ଦ୍ୱିଧାବୋଧ କରୁଛନ୍ତି, ଅଥଚ ସେହି ପାଠକ ଅନ୍ୟ ଭାଷାରେ ପ୍ରକାଶିତ ପତ୍ରପତ୍ରିକା ପାଠ କରିବାକୁ ସୁଖ ମଣୁଛନ୍ତି। ସାହିତ୍ୟ ପତ୍ରିକାଟିଏ ପ୍ରକାଶ କରିଦେଲେ ସାହିତ୍ୟ ଭଣ୍ଡାର ସମୃଦ୍ଧ ହୋଇଗଲା ବୋଲି ଭାବିବା ଠିକ୍‌ ନୁହେଁ। ପତ୍ରପତ୍ରିକାର ସମାଜ ପ୍ରତି ଯେଉଁ ଉତ୍ତରଦାୟିତ୍ୱ ରହିଛି ତାହା ତୁଲାଇବାର ସାମର୍ଥ୍ୟ ନ ପାଇ କେବଳ କେତେଜଣ ଲେଖକଙ୍କୁ ବିଜ୍ଞାପିତ କରିପାରିଲେ ସାହିତ୍ୟ ସମୃଦ୍ଧ ହୋଇଯିବ ନାହିଁ। ସାମ୍ପ୍ରତିକ ସମସ୍ୟାବହୁଳ ବିଶ୍ୱର ଅନେକ ସମସ୍ୟା ଆଲୋଚନା ସମାଲୋଚନା ମାଧ୍ୟମରେ ସମାଧାନ ହୋଇଥାଏ। ପତ୍ରିକାରେ ଏହିସବୁ ଆଲୋଚନା ଓ ସମାଲୋଚନା ସ୍ଥାନିତ ହେବା ସର୍ବାଦୌ ବାଞ୍ଛନୀୟ। ପତ୍ରପତ୍ରିକାଗୁଡ଼ିକ ଜୀବନଧର୍ମୀ ଯୁଗୋପଯୋଗୀ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ପ୍ରେରଣା ପ୍ରଦାନ କରିବା ସହିତ ଜନସମାଜରେ ପରିବର୍ତ୍ତିତ ଚିନ୍ତାଧାରାର ପ୍ରଭାବ ପକାଇ ସମାଜ ଗଠନର ସହାୟକ ହେବା ବିଧେୟ। ଅନ୍ୟ ଭାଷାରେ ଲେଖିଲେ, ପତ୍ରପତ୍ରିକା ଯେହେତୁ ସମସାମୟିକ ସାହିତ୍ୟ, ସେଥିରେ ସମସାମୟିକ ସମାଜ ବ୍ୟବସ୍ଥା ସମ୍ପର୍କିତ ପ୍ରତିଛବି ରହିବା କଲ୍ୟାଣକର, ଯଦ୍ଦ୍ବାରା ସାମାଜିକ ଚେତନାର ଉତ୍ତରଣ ଘଟିପାରିବ।
ଅନେକ ନିୟମିତ ସଙ୍କଳନ ହେଉଥିଲେ ହେଁ ବିଭିନ୍ନ ଭାବରେ କେତୋଟି ପତ୍ରିକାକୁ ବାଦ୍‌ ଦେଲେ ଅନ୍ୟଗୁଡ଼ିକ ପ୍ରାୟ ସୀମିତ ସଂଖ୍ୟାରେ ପ୍ରକାଶିତ। ବିଭିନ୍ନ କାରଣରୁ ଅନେକ ପତ୍ରିକା କିଛିକାଳ ପ୍ରକାଶନ ପରେ ବନ୍ଦ ହୋଇଯାଏ। ପ୍ରସାରଣ ଦୃଷ୍ଟିରୁ ଅନେକ ପତ୍ରିକା ପୂରାପୂରି ବିକ୍ରି ହୋଇପାରେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ପତ୍ରିକା ପ୍ରକାଶନ ସମ୍ପ୍ରତି ଏକ ଚିନ୍ତାର ବିଷୟ।
ସମାଜ ଗୋଟିଏ ଶୃଙ୍ଖଳିତ, ସଂଘବଦ୍ଧ ଓ ନୀତିଗତ ଅନୁଷ୍ଠାନ। ଜୀବନ ନିର୍ମାଣର କଳା ସମୃଦ୍ଧ ହେବା ନିମିତ୍ତ ସମାଜ ଗୋଟିଏ କ୍ଷେତ୍ର। ସମାଜର ଜାଗ୍ରତପ୍ରହରୀ ଭାବରେ ଏହାକୁ ଏକ ମାର୍ଜିତ, ଶୃଙ୍ଖଳିତ, ଦୃଢ଼ୀଭୂତ ତଥା କଲ୍ୟାଣମୁଖୀ କ୍ଷେତ୍ରରେ ପରିଣତ କରିବା ନିମିତ୍ତ ପତ୍ରପତ୍ରିକାର ଅବଦାନ ଅବର୍ଣ୍ଣନୀୟ। ପତ୍ରପତ୍ରିକା ହିଁ ଜାତିର ସାହିତ୍ୟ, ସଂସ୍କୃତି, ଐତିହ୍ୟ, ସାମାଜିକ ରୀତିନୀତି, ରାଜନୈତିକ ବିଚାରବିମର୍ଶ, ଆଭ୍ୟନ୍ତରୀଣ ରୁଚି ତଥା ପ୍ରଜ୍ଞାର ଯଥାର୍ଥ ପରିଚୟ ପ୍ରଦାନ କରିଥାଏ। ବୌଦ୍ଧିକ ପରିବର୍ତ୍ତନ ପ୍ରକ୍ରିୟା ମାଧ୍ୟମରେ ନୂତନ ସମ୍ଭାବନାର ଦ୍ୱାର ଉନ୍ମୋଚନ ନିମିତ୍ତ ପତ୍ରପତ୍ରିକା ଏକ ବଳିଷ୍ଠ ଗଣମାଧ୍ୟମର ଭୂମିକା ଗ୍ରହଣ କରିଥାଏ। ସଂକ୍ଷେପରେ ଉଲ୍ଲେଖ କଲେ, ଜାତିର କଲ୍ୟାଣମୟ ବୌଦ୍ଧିକ ବିକାଶ ତଥା ସାହିତ୍ୟ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି ନିମିତ୍ତ ପତ୍ରପତ୍ରିକାର ଭୂମିକା ଅନସ୍ବୀକାର୍ଯ୍ୟ। ଖାମଖିଆଲି ଭାବରେ ପତ୍ରିକାଟିଏ ପ୍ରକାଶ କରିଦେଇ ଭାଷା, ସାହିତ୍ୟ, ସଂସ୍କୃତି ଓ ସମାଜର କଲ୍ୟାଣ କାମନା କରିବା ବୃଥା ଆସ୍ଫାଳନ ମାତ୍ର।

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର,

ଆନନ୍ଦନଗର, କାଠଗଡ଼ା, ଢେଙ୍କାନାଳ, ମୋ-୮୮୯୫୨୩୦୭୨୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?