ଓଡ଼ିଆ ପତ୍ରପତ୍ରିକା

ସୁଖର କଥା, ଓଡ଼ିଶାରେ ପତ୍ରପତ୍ରିକା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଅନୁଷ୍ଠାନ, ସଂସଦ ଏବଂ ବ୍ୟକ୍ତିଗତ ଭାବରେ ଅନେକ ପତ୍ରିକା ଜନ୍ମ ନେଲାଣି। ସବୁ ପତ୍ରିକା ଯେ ବ୍ୟବସାୟିକ ସଫଳତା ଲାଭ କରୁଛି ତାହା ନୁହେଁ। କିନ୍ତୁ ଏହା ସତ ଯେ ପତ୍ରିକାର ସଂଖ୍ୟା ବିଶେଷ ବୃଦ୍ଧି ପାଇଛି। ଏହା ଓଡ଼ିଆ ଭାଷା ସାହିତ୍ୟ ନିମିତ୍ତ ଶୁଭ ସଙ୍କେତ। ପତ୍ରପତ୍ରିକା ଜାତିର ସାଂସ୍କୃତିକ ପରିଚୟ ପ୍ରଦାନ କରିଥାଏ। ଦୁଃଖର ବିଷୟ ଓଡ଼ିଶାରୁ ପ୍ରକାଶିତ ଅନେକ ଓଡ଼ିଆ ପତ୍ରପତ୍ରିକା ଅଦ୍ୟାବଧି ଓଡ଼ିଆ ଜାତିର ଯଥାର୍ଥ ସାଂସ୍କୃତିକ ପରିଚୟ ପ୍ରଦାନ କରିବାକୁ ସମର୍ଥ ହୋଇନାହିଁ। ପ୍ରକାଶିତ ପତ୍ରପତ୍ରିକାରେ ଜାତିର ସାରସ୍ବତ ବିକାଶ ଧାରା, ବୌଦ୍ଧିକ ଅନୁଚିନ୍ତା ଓ ସାଂସ୍କୃତିକ ଉପଲବ୍‌ଧି ପରିବର୍ତ୍ତେ ଆତ୍ମପ୍ରଚାରର ଗାଥା ଓ ବ୍ୟଥା, ହୀନମନ୍ୟତା, କଥାକନ୍ଦଳ ପ୍ରଭୃତି ବେଶି ସ୍ଥାନିତ ହେଉଛି, ଯାହା ଆଦୌ ଜାତି ନିମିତ୍ତ ଶୁଭଙ୍କର ନୁହେଁ।
କିଛି ଲୋକ ଏକାଠି ହେଲେ ଗୋଟିଏ ଉଚ୍ଚ ବିଦ୍ୟାଳୟ ଗଠନ କରିପାରୁଛନ୍ତି, ଗୋଟିଏ ଗ୍ରାମ ବା ପଞ୍ଚାୟତ ଚାହିଁଲେ ମହାବିଦ୍ୟାଳୟଟିଏ ଖୋଲି ପାରୁଛନ୍ତି। ସ୍ଥଳବିଶେଷରେ କୌଣସି ବ୍ୟକ୍ତିବିଶେଷ ଅର୍ଥ ଲାଭ କାମନାରେ ମହାବିଦ୍ୟାଳୟଟିଏ ପ୍ରତିଷ୍ଠା କରିପାରୁଛନ୍ତି। ଅନେକେ ବ୍ୟକ୍ତିଗତ, ଗୋଷ୍ଠୀଗତ ଅଥବା ସାମୂହିକ ଭାବେ ବୈଷୟିକ ଶିକ୍ଷାନୁଷ୍ଠାନ ଗଢ଼ି ପାରୁଛନ୍ତି। କିଛି ଲେଖକ ବା ଜଣେ ଲେଖକ ଚାହିଁଲେ ମଧ୍ୟ ସାହିତ୍ୟ ସଂସଦଟିଏ ଉଭା ହୋଇପାରୁଛି। ସେହିପରି ଜଣେ ଦି’ଜଣ ଲେଖକ ଚାହିଁଲେ ସାହିତ୍ୟ ପତ୍ରିକାଟିଏ ଆତ୍ମପ୍ରକାଶ କରିପାରୁଛି। କେହି ସମର୍ଥ ବ୍ୟକ୍ତି ଚାହିଁଲେ ନିଜେ ପତ୍ରିକାଟିଏ ବାହାର କରିପାରୁଛନ୍ତି। ଆପଣାକୁ ପ୍ରତିଷ୍ଠା କରିବା ଅଥବା କିଛି ରୋଜଗାର ପନ୍ଥା ବାହାର କରିବା ଆଶାରେ କେହି କେହି ମଧ୍ୟ ପତ୍ରିକା ବାହାର କରୁଛନ୍ତି। କେହି କେହି ଲେଖକଙ୍କଠାରୁ ଚାନ୍ଦା ଆଦାୟ କରି ପତ୍ରିକାଟିଏ ବାହାର କରି ବାଃ ବାଃ ନେଉଛନ୍ତି। କିନ୍ତୁ ଏହିସବୁ ପତ୍ରିକାଗୁଡ଼ିକର ସାରସ୍ବତ ମୂଲ୍ୟବୋଧ ଉପରେ କେହି କେବେ ଚିନ୍ତା କରୁନାହାନ୍ତି। ଭିନ୍ନ ଭିନ୍ନ ରଙ୍ଗତରଙ୍ଗ, ରୂପସଜ୍ଜା, ଅଳଙ୍କରଣ, ଉଦ୍ଭଟ ଚିନ୍ତାଚେତନା, ଭିନ୍ନ ଭିନ୍ନ ବିଚାରବିମର୍ଶ ନେଇ ପତ୍ରିକା ଯେପରି ଆବିର୍ଭାବ ହେଉଛି ସେପରି ମଧ୍ୟ ଅନ୍ତର୍ଦ୍ଧାନ ହେଉଛି। ପୂଜା ସମୟ ଆସିଗଲେ ଓଡ଼ିଶାରେ ପତ୍ରିକା ବଜାର ଜମିଉଠେ ଏବଂ ଜଣାଯାଏ ଓଡ଼ିଆ ସାହିତ୍ୟ ବିଶ୍ୱବିଜୟୀ ହୋଇଗଲା। ଓଡ଼ିଆ ପତ୍ରପତ୍ରିକାର ବ୍ୟାପକ ପ୍ରସାର ସତ୍ତ୍ୱେ ଓଡ଼ିଆ ଭାଷାସାହିତ୍ୟର କାହିଁକି ଅଭିବୃଦ୍ଧି ଘଟିପାରୁନାହିଁ ବା ଓଡ଼ିଆ ପତ୍ରପତ୍ରିକା ଏ ଯାବତ୍‌ କାହିଁକି ସ୍ବାବଲମ୍ବନଶୀଳ ହୋଇପାରିନି ଅଥବା ଓଡ଼ିଶାରେ ପାଠକ ସଂଖ୍ୟା କାହିଁକି ବୃଦ୍ଧି ଘଟୁନାହିଁ, ଏହା ହିଁ ମନକୁ ଆନ୍ଦୋଳିତ କରେ।
ସାହିତ୍ୟ ଅପେକ୍ଷା ପତ୍ରିକାର ଅନ୍ୟତମ ଆକର୍ଷଣ ହେଲାଣି ଖେଳଖବର, ଚଳଚ୍ଚିତ୍ର, ରୋଷେଇ, ସିଲେଇ, ଚିତ୍ର, ନଗ୍ନଚିତ୍ର ଓ ଯୌନଚର୍ଚ୍ଚା ପ୍ରଭୃତି। ପତ୍ରିକାରେ ଏସବୁ ସ୍ଥାନିତ ହୋଇ ନ ଥିଲେ ବିକ୍ରୟ ସଂଖ୍ୟା କମିଯାଏ। ଏହି ପରିପ୍ରେକ୍ଷୀରେ ମନରେ ପ୍ରଶ୍ନ ଉଠୁଛି, ସତେ କ’ଣ ଓଡ଼ିଆ ଲେଖକମାନେ ସେମାନଙ୍କର ଯାଦୁକରୀ ତୂଳୀରେ ସାହିତ୍ୟ ଚିତ୍ରଣ କରିବାକୁ ଅସମର୍ଥ ନା ସମ୍ପାଦକମାନେ ଆପଣାର ସାମନ୍ତବାଦୀ ମନୋବୃତ୍ତିକୁ ପାଠକଙ୍କ ଉପରେ ଲଦି ଦେଉଛନ୍ତି। ଫଳରେ ପ୍ରକାଶିତ ପତ୍ରିକା ପାଠପୂର୍ବକ ପାଠକ ନିଜକୁ ସମ୍ଭ୍ରାନ୍ତବାଦୀ ଓ ପ୍ରଗତିବାଦୀ ବୋଲି ପରିଚୟ ଦେବାକୁ ଦ୍ୱିଧାବୋଧ କରୁଛନ୍ତି, ଅଥଚ ସେହି ପାଠକ ଅନ୍ୟ ଭାଷାରେ ପ୍ରକାଶିତ ପତ୍ରପତ୍ରିକା ପାଠ କରିବାକୁ ସୁଖ ମଣୁଛନ୍ତି। ସାହିତ୍ୟ ପତ୍ରିକାଟିଏ ପ୍ରକାଶ କରିଦେଲେ ସାହିତ୍ୟ ଭଣ୍ଡାର ସମୃଦ୍ଧ ହୋଇଗଲା ବୋଲି ଭାବିବା ଠିକ୍‌ ନୁହେଁ। ପତ୍ରପତ୍ରିକାର ସମାଜ ପ୍ରତି ଯେଉଁ ଉତ୍ତରଦାୟିତ୍ୱ ରହିଛି ତାହା ତୁଲାଇବାର ସାମର୍ଥ୍ୟ ନ ପାଇ କେବଳ କେତେଜଣ ଲେଖକଙ୍କୁ ବିଜ୍ଞାପିତ କରିପାରିଲେ ସାହିତ୍ୟ ସମୃଦ୍ଧ ହୋଇଯିବ ନାହିଁ। ସାମ୍ପ୍ରତିକ ସମସ୍ୟାବହୁଳ ବିଶ୍ୱର ଅନେକ ସମସ୍ୟା ଆଲୋଚନା ସମାଲୋଚନା ମାଧ୍ୟମରେ ସମାଧାନ ହୋଇଥାଏ। ପତ୍ରିକାରେ ଏହିସବୁ ଆଲୋଚନା ଓ ସମାଲୋଚନା ସ୍ଥାନିତ ହେବା ସର୍ବାଦୌ ବାଞ୍ଛନୀୟ। ପତ୍ରପତ୍ରିକାଗୁଡ଼ିକ ଜୀବନଧର୍ମୀ ଯୁଗୋପଯୋଗୀ ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ପ୍ରେରଣା ପ୍ରଦାନ କରିବା ସହିତ ଜନସମାଜରେ ପରିବର୍ତ୍ତିତ ଚିନ୍ତାଧାରାର ପ୍ରଭାବ ପକାଇ ସମାଜ ଗଠନର ସହାୟକ ହେବା ବିଧେୟ। ଅନ୍ୟ ଭାଷାରେ ଲେଖିଲେ, ପତ୍ରପତ୍ରିକା ଯେହେତୁ ସମସାମୟିକ ସାହିତ୍ୟ, ସେଥିରେ ସମସାମୟିକ ସମାଜ ବ୍ୟବସ୍ଥା ସମ୍ପର୍କିତ ପ୍ରତିଛବି ରହିବା କଲ୍ୟାଣକର, ଯଦ୍ଦ୍ବାରା ସାମାଜିକ ଚେତନାର ଉତ୍ତରଣ ଘଟିପାରିବ।
ଅନେକ ନିୟମିତ ସଙ୍କଳନ ହେଉଥିଲେ ହେଁ ବିଭିନ୍ନ ଭାବରେ କେତୋଟି ପତ୍ରିକାକୁ ବାଦ୍‌ ଦେଲେ ଅନ୍ୟଗୁଡ଼ିକ ପ୍ରାୟ ସୀମିତ ସଂଖ୍ୟାରେ ପ୍ରକାଶିତ। ବିଭିନ୍ନ କାରଣରୁ ଅନେକ ପତ୍ରିକା କିଛିକାଳ ପ୍ରକାଶନ ପରେ ବନ୍ଦ ହୋଇଯାଏ। ପ୍ରସାରଣ ଦୃଷ୍ଟିରୁ ଅନେକ ପତ୍ରିକା ପୂରାପୂରି ବିକ୍ରି ହୋଇପାରେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ପତ୍ରିକା ପ୍ରକାଶନ ସମ୍ପ୍ରତି ଏକ ଚିନ୍ତାର ବିଷୟ।
ସମାଜ ଗୋଟିଏ ଶୃଙ୍ଖଳିତ, ସଂଘବଦ୍ଧ ଓ ନୀତିଗତ ଅନୁଷ୍ଠାନ। ଜୀବନ ନିର୍ମାଣର କଳା ସମୃଦ୍ଧ ହେବା ନିମିତ୍ତ ସମାଜ ଗୋଟିଏ କ୍ଷେତ୍ର। ସମାଜର ଜାଗ୍ରତପ୍ରହରୀ ଭାବରେ ଏହାକୁ ଏକ ମାର୍ଜିତ, ଶୃଙ୍ଖଳିତ, ଦୃଢ଼ୀଭୂତ ତଥା କଲ୍ୟାଣମୁଖୀ କ୍ଷେତ୍ରରେ ପରିଣତ କରିବା ନିମିତ୍ତ ପତ୍ରପତ୍ରିକାର ଅବଦାନ ଅବର୍ଣ୍ଣନୀୟ। ପତ୍ରପତ୍ରିକା ହିଁ ଜାତିର ସାହିତ୍ୟ, ସଂସ୍କୃତି, ଐତିହ୍ୟ, ସାମାଜିକ ରୀତିନୀତି, ରାଜନୈତିକ ବିଚାରବିମର୍ଶ, ଆଭ୍ୟନ୍ତରୀଣ ରୁଚି ତଥା ପ୍ରଜ୍ଞାର ଯଥାର୍ଥ ପରିଚୟ ପ୍ରଦାନ କରିଥାଏ। ବୌଦ୍ଧିକ ପରିବର୍ତ୍ତନ ପ୍ରକ୍ରିୟା ମାଧ୍ୟମରେ ନୂତନ ସମ୍ଭାବନାର ଦ୍ୱାର ଉନ୍ମୋଚନ ନିମିତ୍ତ ପତ୍ରପତ୍ରିକା ଏକ ବଳିଷ୍ଠ ଗଣମାଧ୍ୟମର ଭୂମିକା ଗ୍ରହଣ କରିଥାଏ। ସଂକ୍ଷେପରେ ଉଲ୍ଲେଖ କଲେ, ଜାତିର କଲ୍ୟାଣମୟ ବୌଦ୍ଧିକ ବିକାଶ ତଥା ସାହିତ୍ୟ ଜଗତରେ ନୂତନ ଅଧ୍ୟାୟ ସୃଷ୍ଟି ନିମିତ୍ତ ପତ୍ରପତ୍ରିକାର ଭୂମିକା ଅନସ୍ବୀକାର୍ଯ୍ୟ। ଖାମଖିଆଲି ଭାବରେ ପତ୍ରିକାଟିଏ ପ୍ରକାଶ କରିଦେଇ ଭାଷା, ସାହିତ୍ୟ, ସଂସ୍କୃତି ଓ ସମାଜର କଲ୍ୟାଣ କାମନା କରିବା ବୃଥା ଆସ୍ଫାଳନ ମାତ୍ର।

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର,

ଆନନ୍ଦନଗର, କାଠଗଡ଼ା, ଢେଙ୍କାନାଳ, ମୋ-୮୮୯୫୨୩୦୭୨୨


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri