ଏ ଧରା ତିଷ୍ଠିଛି କେମିତି

ଶିବରାମ ଶତପଥୀ
ବେଳେବେଳେ ମନ ଗହନରେ ପ୍ରଶ୍ନଟିଏ ଉଙ୍କିମାରେ ଏତେ ଅନ୍ୟାୟ, ଅନୀତି ସତ୍ତ୍ୱେ ଏ ଧରା ତିଷ୍ଠିଛି କେମିତି? କଳିଯୁଗରେ କ’ଣ କ’ଣ ଘଟିବ ତାହା ବିଭିନ୍ନ ପୁରାଣରେ ବିଶେଷତଃ ଅଚ୍ୟୁତାନନ୍ଦଙ୍କ ମାଳିକା ଓ ଗୋସ୍ବାମୀ ତୁଳସୀ ଦାସଙ୍କ ଶ୍ରୀରାମଚରିତ ମାନସର ଉତ୍ତରାକାଣ୍ଡରେ ବର୍ଣ୍ଣିତ କାକଭୁଷଣ୍ଡି ପ୍ରସଙ୍ଗରେ ବିଶଦ ଭାବେ ବର୍ଣ୍ଣିତ ଅଛି। ଅଗମ୍ୟା ଗମନ, ଗଣବଳାତ୍କାର, ହିଂସା, ଈର୍ଷା, ଦ୍ୱେଷ, ଜୀବହତ୍ୟା, ବିଶ୍ୱାସଘାତକତା, ଚଞ୍ଚକତା, ପରବିତ୍ତାପହରଣ, ଦେବସ୍ବ ଗୋଚର ଜମି ଆତ୍ମସାତ୍‌ ଆଦି ଖବରକାଗଜର ପୃଷ୍ଠା କାଳିମାକ୍ତ କଲାବେଳକୁ ସେଗୁଡିକ ପଢ଼ିଲେ ଦେହ ଶିହରି ଉଠୁଛି।
ଶାସନାସୀନ ନେତାମାନେ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତା ହସ୍ତଗତ କଲାପରେ ଲୋକଙ୍କ ଦୁଃଖଦୁର୍ଦ୍ଦଶା ପ୍ରତି ଦୃକ୍‌ପାତ କରୁନାହାନ୍ତି। ସରକାରୀ ତହବିଲ୍‌ରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ଅଥଚ ଲୋକେ ତା’ର ସୁଫଳ ପାଇପାରୁନାହାନ୍ତି। କେଉଁଠି ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ନୁହେଁ ତ କେଉଁଠି ଇଲେକ୍ଟ୍ରିକ୍‌ ପାଓ୍ବାର ଷ୍ଟେଶନ ଅଚଳ, କେଉଁଠି କେନାଲ ଖୋଳା ହୋଇଛି ଅଥଚ ଗ୍ରୀଷ୍ମଋତୁରେ ଜଳସେଚନ ପାଇଁ ସେଥିରେ ପାଣି ନାହିଁ, ଆଦିବାସୀ ଅଧ୍ୟୁଷିତ ଅଗମ୍ୟ ଅଞ୍ଚଳରେ କାଗଜକଲମରେ ରାସ୍ତା ନିର୍ମାଣ ଚାଲିଛି। ପିଲାଏ ନଦୀ ପାରିହେବା ପାଇଁ ଅଣ୍ଟାଯାଏ ଫ୍ରକ ଟେକି ଟେକି ସ୍କୁଲକୁ ଯାଉଛନ୍ତି ତ କାଦୁଅରେ କାହା ଗୋଡ଼ ଖସୁଛି। କେଉଁଠି କାଦୁଅ ଭିତରେ ଗାଡିର ଚକ ପୋତିହୋଇ ପଡିବାରୁ ଗାଡି ଭିତରେ ହିଁ ଗର୍ଭିଣୀର ପ୍ରସବ ହେଉଛି। ସରକାରଙ୍କ ତରଫରୁ ଗରିବଙ୍କ ପାଇଁ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି, କିନ୍ତୁ କାର୍ଯ୍ୟତଃ ରୋଗୀକୁ ଖଟିଆରେ ବୁହାହୋଇ ଡାକ୍ତରଖାନା ନିଆଯାଉଛି। ସରକାରୀ ଡାକ୍ତରଖାନାରେ କର୍ମକର୍ତ୍ତାଙ୍କୁ ହାତଗୁଞ୍ଜା ନ ଦେବା ଯାଏ କେହି ରୋଗୀକୁ ଆଡ ଆଖିରେ ଚାହୁଁନାହାନ୍ତି। ରୋଗୀ ସେମିତି ବାରଣ୍ଡାରେ ଘଣ୍ଟା ଘଣ୍ଟା ପଡିରହୁଛି। କ’ଣ ନା ସବୁ କର୍ମଚାରୀ କାର୍ଯ୍ୟବ୍ୟସ୍ତ, ଆମକୁ ଯେତିକି ଡାକ୍ତର, ଯେତିକି ନର୍ସ, ଯେତିକି ଷ୍ଟାଫ୍‌ ମିଳିବା କଥା ସରକାର ସେତିକି ଯୋଗାଉନାହାନ୍ତି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି କିଣା ହୋଇଥିବା ଯନ୍ତ୍ରପାତି ଖତ ଖାଉଛି। ଏଗୁଡିକ ଅକାମୀ ହେଲେ ସିନା ରୋଗୀ ଘରୋଇ ଭାବେ ଏକ୍ସ-ରେ, ଇସିଜି, ଅଲଟ୍ରାସାଉଣ୍ଡ, ଏପରିକି ରକ୍ତ, ମଳ, ମୂତ୍ର ପରୀକ୍ଷା କରାଇବ ଓ ସରକାରୀ କର୍ମଚାରୀମାନେ ସେ ବାବଦରେ ଦୁଇ ପଇସା କମିଶନି ପାଇବେ। ସରକାର ଯୋଗାଇ ଦେଇଥିବା କେଜି କେଜି ଔଷଧ ମିଆଦି ତାରିଖ ପାରି ହୋଇଯାଇଥିବାରୁ ବାହାରେ ଫୋପଡା ହେଉଛି, ଏଣେ ରୋଗୀଙ୍କ ସକାଶେ ଔଷଧ କିଣିବାରେ ଲୋକେ ଗହଣା ତଥା ଜମି ବନ୍ଧା ପକାଇ ସର୍ବସ୍ବାନ୍ତ ହେଉଛନ୍ତି। ସରକାରୀ ଡାକ୍ତରଖାନାରେ ମୋଟା ଦରମା ପାଇ ବିଶେଷଜ୍ଞ ଅଛନ୍ତି, ଅଥଚ ସେମାନେ ରୋଗୀକୁ ପଠାଇ ଦେଉଛନ୍ତି ଘରୋଇ ଚିକିତ୍ସାଳୟକୁ, ଶଲ୍ୟ ଚିକିତ୍ସା ପାଇଁ ନିଶ୍ଚେତକ ପ୍ରୟୋଗ ନିମିତ୍ତ ଡାକ୍ତର ନ ଥିବା, ଉନ୍ନତ ଯନ୍ତ୍ରପାତି ଓ ଆନୁଷଙ୍ଗିକ ବ୍ୟବସ୍ଥା ଆଳରେ।
ଜନସାଧାରଣଙ୍କ ପାଇଁ ଯାହା କିଛି ସରକାରୀ ସହାୟତା ଆସୁଛି, ତାକୁ ଅଧିକାରୀ ଓ ସରକାରୀ କର୍ମଚାରୀମାନେ ବାଟମାରଣା କରିବା, ଅପରାଧୀମାନଙ୍କୁ ରାଜନୀତିର ପଶାପାଲିରେ ଗୋଟିଚାଳନା କରୁଥିବା ଧୁରନ୍ଧର ବ୍ୟକ୍ତିମାନେ ଆଶ୍ରୟ ଓ ଅଭୟ ଦେବା ଆଦି ଅନୀତି କଥା ଲେଖିବସିଲେ ପୋଥିର ପୃଷ୍ଠା କମ୍‌ ପଡ଼ିବ।
ଅଧର୍ମର ଜୟଯାତ୍ରାରେ ଥଳକୂଳ ହରାଇ ଧରଣୀ ରସାତଳଗାମୀ ହେବା ନିଃସନ୍ଦେହ। ତେବେ ପୃଥିବୀକୁ ଧରିରଖିଛି କିଏ ? ନା ଦିଗ୍‌ନାଗ, ନା ଅନନ୍ତ ନାଗ। ‘ଧାରଣାତ୍‌ ଧର୍ମ ଇତ୍ୟାହୁଃ।’ ‘ସ୍ବଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍‌।’ ନ୍ୟାୟରେ ଧର୍ମ ଅର୍ଥାତ୍‌ ପରୋପକାର ଓ କର୍ତ୍ତବ୍ୟପାଳନ ପୃଥିବୀକୁ ବଡ଼ ବଡ଼ ବିପଦରୁ ରକ୍ଷା କରିଛି, କରୁଛି ଓ କରିବ। ଧର୍ମ ବିଷୟରେ କେତୋଟି ରୋଚକ କଥାର ଅବତାରଣା ଏଠାରେ ଅପ୍ରାସଙ୍ଗିକ ହେବନାହିଁ।
ଆଇ.ପି.କେ.ଏଫ୍‌.ରେ (ଶ୍ରୀଲଙ୍କା) କାର୍ଯ୍ୟରତ ମେଜର ଶିବପ୍ରସାଦ ପ୍ରୋଭିଡେଣ୍ଡ ଫଣ୍ଡରୁ ଲକ୍ଷେ ଟଙ୍କା (୧୯୮୭ରେ ଲକ୍ଷେ ଟଙ୍କା ଖୁବ୍‌ ବେଶି ଥିଲା।) ବାହାର କରି ତାଙ୍କ ବାପାଙ୍କ ପାଖକୁ ପଠାଇଲେ। କ’ଣ ନା ଭଉଣୀ ବାହା ହେବ। କିଛି ଶୁଭଚିନ୍ତକ ପଚାରିଲେ, ‘କିହୋ, ତୁମର ପରା ପାଞ୍ଚୋଟି ଝିଅ। ଏଠି ତ ଘଡିକେ ଘୋଡା ଛୁଟୁଛି। କେତେବେଳେ କୋଉ କଥା। କେଉଁ ମୁହୂର୍ତ୍ତରେ ଯଦି କିଛି ହୋଇଯାଏ (ଭଗବାନ ନ କରନ୍ତୁ) ତେବେ ତୁମ ସ୍ତ୍ରୀପିଲାଙ୍କୁ କେମିତି ବଡ଼ କରିବେ?’ ମେଜର ଶିବପ୍ରସାଦ କହିଲେ, ସ୍ତ୍ରୀ ମୋ ଅନ୍ତେ ସରକାରଙ୍କଠାରୁ ଏତେ ଟଙ୍କା ପାଇବେ ଯେ ତାହା ତାଙ୍କ ପାଇଁ ଓ ପିଲାଙ୍କ ଲାଗି ସମ୍ମାନାସ୍ପଦ ଭାବେ ଜୀବନ ବିତାଇବା ନିମିତ୍ତ ଯଥେଷ୍ଟ ହେବ। ପୁଣି, ମୋ ପିଲାଙ୍କୁ ଯେ ଧରାଧାମକୁ ଆଣିଛନ୍ତି, ସେ ସେମାନଙ୍କ ଖବର ବୁଝିବେ।’
ଏବର କଥା, ଜଣେ ପ୍ରୌଢ ଦେଖିଲେ ମହାରାଷ୍ଟ୍ରର ସାତାରା ଜିଲାର ଉପାନ୍ତ ଅଞ୍ଚଳରେ କିଛି ଝିଅ ପଦବ୍ରଜରେ ପ୍ରାୟ ଦଶ କିଲୋମିଟର ଚାଲି ଚାଲି ବିଦ୍ୟାଳୟକୁ ପ୍ରତିଦିନ ଯାଆନ୍ତି। ଗମନାଗମନର କିଛି ସାଧନ ନାହିଁ। ଏ ମହାନୁଭବ ତାଙ୍କ ପ୍ରୋଭିଡେଣ୍ଡ ଫଣ୍ଡରୁ ଟଙ୍କା ବାହାର କରି ଗୋଟେ ବସ୍‌ କିଣିଲେ। ନିଜ ହାତରୁ ଦରମା ଦେଇ ଡ୍ରାଇଭର ଓ କ୍ଲିନର ରଖିଲେ। ଡିଜେଲ୍‌ ଆଦି ଖର୍ଚ୍ଚ ନିଜେ ବହନ କରି ଏ ଝିଅଙ୍କ ପାଇଁ ନିଃଶୁଳ୍କ ବସ୍‌ସେବା ଯୋଗାଇଦେଲେ। ସେ କହନ୍ତି ପିଲାଙ୍କ ଖୁସି ଓ କୃତଜ୍ଞତାପୂର୍ଣ୍ଣ ଆଖି ଦେଖି ସେ ପ୍ରତ୍ୟହ ଲକ୍ଷେ ଟଙ୍କା ପାଉଛନ୍ତି।
ରତ୍ନଗିରି ଜିଲାର ଜଣେ ବୃଦ୍ଧ ସଞ୍ଚିତ ଅର୍ଥ ବ୍ୟୟ କରି ପ୍ରତ୍ୟହ ପ୍ରାୟ ପାଞ୍ଚଶହ ବୁଭୁକ୍ଷୁ ଦୁଃସ୍ଥ ବ୍ୟକ୍ତିଙ୍କୁ ଶୁଦ୍ଧଘିଅରେ ରନ୍ଧା ହୋଇଥିବା ଅନ୍ନ ଓ ବ୍ୟଞ୍ଜନ ଯୋଗାଇ ଦେଉଛନ୍ତି। କେବଳ ଖାଦ୍ୟ ସାମଗ୍ରୀ ନୁହେଁ ଇନ୍ଧନ, ରାନ୍ଧୁଣିଆ, ସହାୟକ, ପରଷୁଣୀ ଆଦି ସମସ୍ତ ଖର୍ଚ୍ଚ ସେ ବହନ କରନ୍ତି। ସେ କହନ୍ତି ‘ପେଟ ଚାଖଣ୍ଡକ ପାଇଁ ମୋର ବା ଖର୍ଚ୍ଚ କେତେ? ସଞ୍ଚୟ କରିଥିବା ଟଙ୍କା ମୋର କ’ଣ ହେବ? ଲୋକେ ଖାଇ ଖୁସି ହୁଅନ୍ତୁ। ସେମାନେ ଖୁସି ହେଲେ ମୁଁ ଖୁସି। ସେମାନେ ତୃପ୍ତ ହେବା ଦେଖିଲେ ମୋ ପେଟ ପୂରିଯାଏ। ଆମର ମାନବିକତା ଏପରି ମରିଯାଇଛି ଯେ, ବଡ଼କଲା ମା’ବାପାଙ୍କୁ ବାର୍ଦ୍ଧକ୍ୟରେ ପୋଷିବାକୁ ଆମେ ବୋଝ ବୋଲି ଭାବୁ। ବନ୍ୟା ପ୍ରପୀଡିତଙ୍କ ପାଇଁ ଆସିଥିବା ସାହାଯ୍ୟରୁ କିପରି ପୁଳେ ମାରିନେବା ସେ ପାଇଁ ବାଟ ଖୋଜୁ। ବିଦ୍ୟାଳୟର ବର୍ଦ୍ଧିଷ୍ଣୁ ଛାତ୍ରଙ୍କ ପାଇଁ ଆସିଥିବା ଖାଦ୍ୟରୁ କିପରି କିଛି ବାଟମାରଣା କରିବା ସେ ପାଇଁ ଚେଷ୍ଟିତ ହେଉ। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଆଦିରୁ କମିଶନି ନ ମିଳିବା ଯାଏ ଆମେ ହିତାଧିକାରୀଙ୍କୁ ଭୁଆଁ ବୁଲାଉଥାଉ। ବିପିଏଲ କାର୍ଡଧାରୀଙ୍କ ପାଇଁ ଯେଉଁ ଚାଉଳ, ଚିନି, ଡାଲି, କିରୋସିନ ଆସୁଛି, ସେଥିରୁ ଚୋରି ନ କଲେ ଆମ ପେଟ ପୂରେନାହିଁ। ଏସବୁ କାହା ପାଇଁ? ଏ ଅନ୍ୟାୟ ଉପାର୍ଜିତ ଧନ ଶେଷରେ କିଏ ଖାଇବ? ସମ୍ମୁଖରେ ବାର୍ଦ୍ଧକ୍ୟ ବ୍ୟାଘ୍ର ପରି ବାଟ ଜଗି ବସିଛି। ସେତେବେଳେ ସାଧାରଣ ଖାଦ୍ୟ ଜୀର୍ଣ୍ଣ କରିବାକୁ ଦେହରେ ବଳ ନ ଥିବ। ବହୁମୂତ୍ର ଓ ଉଚ୍ଚ ରକ୍ତଚାପର ଭାଲୁ ଏମିତି ତଣ୍ଟି ଧରିଥିବ ଯେ ଚିନି ଓ ଘିଅ ତିଆରି କିଛି ସ୍ବାଦିଷ୍ଠ ଖାଦ୍ୟ ଖାଇହେବ ନାହିଁ। ତେବେ କାହିଁକି ଏ ଲୋଭ, ଏ ଦୁରାଶା?
ଏହାର ନିରାକରଣ କ’ଣ ସମ୍ଭବ ନୁହେଁ? ଯଦି ପ୍ରତ୍ୟେକ ବ୍ୟକ୍ତିର ଅନ୍ତଃକରଣ ମାନବତାର ମନ୍ତ୍ରରୂପୀ ମଶାଲରେ ପ୍ରଦୀପିତ ହେବ, ତେବେ ପାର୍ଥିବ ମୋହର ଅନ୍ଧକାର ଅଚିରେ ଦୂର ହେବ। କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ, ହିଂସା, ଈର୍ଷା, ପରଶ୍ରୀକାତରତା, ସ୍ବାର୍ଥପରତାର ଶଲଭ ସେ ଅଗ୍ନିରେ ଝାସ ଦେଇ ବିଲୟ ଲଭିବେ। ପ୍ରତ୍ୟେକେ ପରୋପକାର, କୃତଜ୍ଞତା, ନିଃସ୍ବାର୍ଥପର ଦେଶପ୍ରେମ ଓ ଚରିତ୍ରବତ୍ତାର ସ୍ବର୍ଗୀୟ ଆଲୋକରେ ଉଦ୍ଭାସିତ ହେବେ।
୧୮ ଇ, ପଦ୍ମପାଣି ବିହାର, ଶୈଳଶ୍ରୀ ବିହାର, ଭୁବନେଶ୍ୱର, ମୋ-୭୯୭୮୭୮୬୮୧୬


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri