ଆଜିର ଅର୍ଥନୀତି/ସୁଧ କମାଅ

ଭାରତୀୟ ରିଜର୍ଭ ବ୍ୟାଙ୍କ ବୁଧବାର ରେପୋ ରେଟ୍‌ (ଦରକାର ବେଳେ ଯେଉଁ ସୁଧହାରରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ରିଜର୍ଭ ବ୍ୟାଙ୍କଠାରୁ ଋଣ ନିଅନ୍ତି) ୩୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଏହି ହ୍ରାସ ପରେ ରେପୋ ହାର ୫.୭୫ରୁ କମି ୫.୪୦ ପ୍ରତିଶତ ହୋଇଛି। ଚଳିତ ବର୍ଷ ଚତୁର୍ଥ ଥର ପାଇଁ ରିଜର୍ଭ ବ୍ୟାଙ୍କ ସିଧାସଳଖ ଏହି ହ୍ରାସ ଘଟାଇଛି। ଶେଷଥର ପାଇଁ ରେପୋ ହାର ଏହିପରି ତଳ ସ୍ତରରେ ରହିଥିଲା ୨୦୧୦ ଜାନୁୟାରୀରେ ଏବଂ ସେତେବେଳେ ଏହା ଥିଲା ୫.୫୦ ପ୍ରତିଶତ। ଗତ ଫେବୃୟାରୀ, ଏପ୍ରିଲ ଓ ଜୁନ୍‌ରେ ସର୍ବୋଚ୍ଚ ବ୍ୟାଙ୍କ ରେପୋ ହାର ୨୫ ବେସିସ୍‌ ପଏଣ୍ଟ ଲେଖାଏ ହ୍ରାସ କରିଥିଲେ ଏବଂ ବର୍ତ୍ତମାନର ହ୍ରାସକୁ ମିଶାଇଲେ ଚଳିତ ବର୍ଷ ମୋଟ ୧୧୦ ବେସିସ୍‌ ପଏଣ୍ଟ ହ୍ରାସ ଘଟିଛି। ତେବେ ସବୁଠାରୁ ବଡ଼କଥା ହେଉଛି ଏହି ରେପୋ ହାର ହ୍ରାସ କରିବା ସହିତ ରିଜର୍ଭ ବ୍ୟାଙ୍କ ଭବିଷ୍ୟତ ପାଇଁ ମଧ୍ୟ ତା’ର ଉଦାର ଆଭିମୁଖ୍ୟ ପ୍ରକାଶ କରିଛି। ଅର୍ଥାତ୍‌ କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇଛି ଯେ, ନିକଟ ଭବିଷ୍ୟତରେ ଏହି ସୁଧହାର ଆଉ ବଢ଼ିବ ନାହିଁ। ଏହା ଗତ ଜୁନ୍‌ ମାସରୁ ତା’ର ଉଦାର ଆଭିମୁଖ୍ୟ ପ୍ରଦର୍ଶନ କରିଆସୁଛି। ବାରମ୍ବାର ସୁଧହାର ହ୍ରାସର ଲକ୍ଷ୍ୟ ହେଉଛି ମାନ୍ଦା ଧରିଆସିଥିବା ଅର୍ଥନୀତିକୁ ଅଧିକ ଗତିଶୀଳ କରିବା। ୨୦୧୯-୨୦ ପାଇଁ ଜିଡିପି ଅଭିବୃଦ୍ଧି ଜୁନ୍‌ ପଲିସି ଘୋଷଣା ସମୟରେ ବ୍ୟାଙ୍କ ୭ ପ୍ରତିଶତରୁ ୬.୯ ପ୍ରତିଶତକୁ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଥିବା ବେଳେ ଏଥିରୁ ଅର୍ଥନୀତି ବିତ୍ତୀୟ ବର୍ଷର ପ୍ରଥମାର୍ଦ୍ଧରେ ୫.୮ରୁ ୬.୬ ପ୍ରତିଶତ ଏବଂ ବର୍ଷର ଦ୍ୱିତୀୟାର୍ଦ୍ଧରେ ୭.୩ରୁ ୭.୫ ପ୍ରତିଶତ ସଂକୁଚିତ ହେଉଥିବା ଜଣାପଡ଼ୁଛି। ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରଥମ ତ୍ରିମାସୀରେ ଜିଡିପି ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ଅନେକ ବାଜିମରା ଚାଲିଛି। ଅଟୋମୋବାଇଲ କ୍ଷେତ୍ରରେ ବ୍ୟାପକ କର୍ମନିଯୁକ୍ତି ହ୍ରାସ ଘଟିବା ସହ ଅନେକ କମ୍ପାନୀ ଦିନ ଦିନ ଧରି ବନ୍ଦ ରହୁଛି ଏବଂ କାମ କରିବାର ଶିଫ୍‌ଟ (ଅନେକ ଶିଳ୍ପକାରଖାନାରେ ୨୪ ଘଣ୍ଟାକୁ ୩ ଭାଗ କରି ତିନୋଟି ଶିଫ୍‌ଟରେ ୮ ଘଣ୍ଟା ଲେଖାଏ କାମ କରାଯାଏ) ସଂଖ୍ୟା କମାଇଦିଆଯାଉଛି। ଏଥିରୁ ଜଣାପଡ଼ୁଛି ଯେ ଏହି ଶିଳ୍ପରେ ପ୍ରବଳ ମାନ୍ଦାବସ୍ଥା ଦେଖାଯାଇଛି। ଏକ ରଏଟର୍ସ ରିପୋର୍ଟରେ ପ୍ରକାଶ ପାଇଛି ଯେ, କେବଳ ଗତ ଚାରିମାସ ଭିତରେ ଅଟୋ ନିର୍ମାତା, ପାର୍ଟ ନିର୍ମାତା ଓ ଡିଲରମାନେ ପ୍ରାୟ ୩,୫୦,୦୦୦ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। କାର୍‌ ଓ ମୋଟରସାଇକେଲ ନିର୍ମାତାମାନେ ୧୫,୦୦୦ କର୍ମଚାରୀଙ୍କୁ ଛଟେଇ କରିଥିବା ବେଳେ ପାର୍ଟସ ନିର୍ମାତାମାନେ ପ୍ରାୟ ଏକଲକ୍ଷ କର୍ମଚାରୀଙ୍କୁ ବିଦା କରିଦେଇଛନ୍ତି। ଡିଲର ପଏଣ୍ଟରେ ଅନେକ ନିଯୁକ୍ତି ହ୍ରାସ ଘଟିଥିବା ବେଳେ ଅନେକେ ଦୋକାନ ବନ୍ଦ କରିଦେଇଛନ୍ତି। ଚାହିଦା ହ୍ରାସ ପାଇବାରୁ ଉତ୍ପାଦନ କମ୍‌ କରିବାକୁ ପଡ଼ିଲା, ତେଣୁ ଅଧିକ କର୍ମଚାରୀଙ୍କର ଆବଶ୍ୟକତା ପଡ଼ିଲା ନାହିଁ। ଏହା ହେଉଛି ଛଟେଇର କାରଣ। ଯେଉଁ କ୍ଷେତ୍ର ଦେଶର ଜିଡିପିକୁ ୭ ପ୍ରତିଶତରୁ ଅଧିକ ଅବଦାନ ରଖୁଥିଲା, ତାହା ଏବେ ଘୋର ସଂକଟ ଦେଇ ଗତି କରୁଛି। ବୃହତ୍ତମ କାର୍‌ ନିର୍ମାତା ମାରୁତି ସୁଜୁକି ଗତ ଛଅମାସ ଭିତରେ ତା’ର ୬ ପ୍ରତିଶତ ଅସ୍ଥାୟୀ କର୍ମଚାରୀଙ୍କୁ ଛଟେଇ କରିଛି। ଗତ ଦୁଇ ସପ୍ତାହ ଭିତରେ ଟାଟା ମୋଟର୍ସ ସପ୍ତାହବ୍ୟାପୀ ତା’ର ଚାରୋଟି କାରଖାନା ବନ୍ଦ କରିଥିବା ବେଳେ ମହୀନ୍ଦ୍ରା ଗତ ଏପ୍ରିଲରୁ ଜୁନ୍‌ ଭିତରେ ବିଭିନ୍ନ ସ୍ଥାନରେ ଥିବା ତା’ର କାରଖାନାଗୁଡ଼ିରୁ ୫ରୁ ୧୩ ଦିନ ଯାଏ ଉତ୍ପାଦନ ବନ୍ଦ ରଖିଥିଲା। ହୋଣ୍ଡା ଗତ ଜୁଲାଇ ୧୬ ତାରିଖରୁ ରାଜସ୍ଥାନରେ ଥିବା ତା’ କାରଖାନାରେ କେତେକ କାର୍‌ ମଡେଲର ଉତ୍ପାଦନ ବନ୍ଦ କରିଦେଇଛି ଏବଂ ଜୁଲାଇ ୨୭ ତାରିଖରୁ ଗ୍ରେଟର ନୋଏଡାରେ ଥିବା ତା’ର ଦ୍ୱିତୀୟ କାରଖାନାରୁ ଉତ୍ପାଦନ ପୂରା ବନ୍ଦ କରିଦେଇଛି। ଏଥିରୁ ଜଣାପଡ଼ୁଛି ଯେ, ଆମ ଦେଶରେ ଗାଡ଼ିର ଚାହିଦା ହ୍ରାସ ପାଇଛି ଏବଂ ଅର୍ଥନୀତିରେ ସାମଗ୍ରିକ ଉତ୍ଥାନ ନ ଘଟିଲେ ଏଥିରେ ତୁରନ୍ତ କୌଣସି ସୁଧାର ଆସିପାରିବ ନାହିଁ।
ଖାଉଟିମାନଙ୍କର ଉପଭୋଗ, ଚାହିଦା ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧିରେ ସୁଧହାର ହ୍ରାସ ନିଶ୍ଚୟ ସହାୟକ ହେବ। ଆର୍‌ବିଆଇ ରେପୋ ହାର ହ୍ରାସ କରିବା ପରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ ମଧ୍ୟ ଯଥାଶୀଘ୍ର ଉପଭୋକ୍ତାମାନଙ୍କ ଋଣ ଉପରେ ସୁଧହାର ହ୍ରାସ କରିବା ଉଚିତ। ତେବେ ଅତୀତରେ ବ୍ୟାଙ୍କଗୁଡ଼ିକ ଏ କ୍ଷେତ୍ରରେ ଯାହା କରିଛନ୍ତି, ତାହା ଉତ୍ସାହଜନକ ନୁହେଁ। ଏସ୍‌ବିଆଇ ପରି ବଡ଼ ବ୍ୟାଙ୍କ ଏ କ୍ଷେତ୍ରରେ ଅତ୍ୟନ୍ତ କଞ୍ଜୁସି ପ୍ରଦର୍ଶନ କରିଛନ୍ତି। କେତେକ ବ୍ୟାଙ୍କ ଖାଉଟିଙ୍କୁ ଲାଭ ନ ଦେଇ ଚୁପ୍‌ଚାପ୍‌ ବସିଯାଇଥିବା ବେଳେ ଆଉ କେତେକ ବ୍ୟାଙ୍କ ରେପୋ ହାର ହ୍ରାସରୁ ନିଜେ ପାଉଥିବା ଲାଭର ଏକଚତୁର୍ଥାଂଶ ପରି ସାମାନ୍ୟ ଲାଭ ଗ୍ରାହକଙ୍କୁ ଦେଉଛନ୍ତି। ଆର୍‌ବିଆଇର ରେଟ୍‌ ହ୍ରାସ ଘୋଷଣା ପରେ ଏସ୍‌ବିଆଇ ଋଣ ସୁଧହାର ମାତ୍ର ୧୫ ବେସିସ୍‌ ପଏଣ୍ଟ ହ୍ରାସ କରିଛି। ଗାଡ଼ି ବିକ୍ରିରେ ହ୍ରାସ, ପୁଞ୍ଜିନିବେଶରେ ହ୍ରାସ ଏବଂ ରପ୍ତାନି ହ୍ରାସ ଆଦି ଯୋଗୁ ଭାରତୀୟ ଅର୍ଥନୀତି ମାନ୍ଦାବସ୍ଥାରେ ସନ୍ତୁଳି ହେଉଛି। ଏ ପରିପ୍ରେକ୍ଷୀରେ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ହେଲେ ଏକ ପ୍ରୋତ୍ସାହନର ଆବଶ୍ୟକତା ରହିଛି। ଗତ ବଜେଟରେ ବିତ୍ତୀୟ ସଶକ୍ତୀକରଣ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଅର୍ଥନୀତିକୁ ସୁଧାରିବାର ଦାୟିତ୍ୱ ରହିଛି ଆର୍‌ବିଆଇ ଉପରେ। ମୁଦ୍ରାସ୍ଫୀତି ନିରବଚ୍ଛିନ୍ନ ଭାବେ ଦୁର୍ବଳ ହେବା ଯୋଗୁ ଆର୍‌ବିଆଇର କାମ ସହଜ ହେଲା। ତେବେ ରିଜର୍ଭ ବ୍ୟାଙ୍କର ପଦକ୍ଷେପ ପରେ ବ୍ୟାଙ୍କଗୁଡ଼ିକ ମଧ୍ୟ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଆସନ୍ତା ସେପ୍ଟେମ୍ବର ମାସରୁ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଥିବାବେଳେ ସୁଧହାର ହ୍ରାସ କରି ବାଣିଜି୍ୟକ ବ୍ୟାଙ୍କଗୁଡ଼ିକ କମ୍ପାନୀଗୁଡ଼ିକର ବିକ୍ରି ବଢ଼ାଇବା ଓ ଅର୍ଥନୀତିରେ ସୁଧାର ଆଣିବାରେ ସାହାଯ୍ୟ କରିପାରିବେ। ତେବେ ବ୍ୟାଙ୍କଗୁଡ଼ିକ ଯେତେ ଶୀଘ୍ର ଏହା କରିବେ ସେତେ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷରୁ ଦେବତା ନା ଅସୁର

ପ୍ର. ରମେଶ ଚନ୍ଦ୍ର ପରିଡ଼ା ଧରାପୃଷ୍ଠରେ ଜୀବଜଗତର ବିକାଶ ସମ୍ପର୍କରେ ଡାର୍‌ଉଇନ୍‌ଙ୍କ ବିବର୍ତ୍ତନ ମତବାଦକୁ ଏବେ ମଧ୍ୟ ସର୍ବଶ୍ରେଷ୍ଠ ବୋଲି ଗଣନା କରାଯାଏ। ଏଥିଅନୁସାରେ ପରିବେଶ...

ଯୁଦ୍ଧ ଜର୍ଜରିତ ଶୈଶବ

ପ୍ରକାଶ ତ୍ରିପାଠୀ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନଁା ନେଉନାହିଁ। ଇତିମଧ୍ୟରେ ବୁଛା ସହରରେ ରୁଷ ସୈନିକଙ୍କ ବର୍ବର କାଣ୍ଡର ଅନେକ ଛବି...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ ପ୍ରସାଦ ରାଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ଲାଗି ଅଣ୍ଟା ଭିଡ଼ିବା ସହ ଆଦିବାସୀଙ୍କୁ ଆମତ୍ନିର୍ଭରଶୀଳ କରାଇବାରେ ବି ସଫଳ ହୋଇଛନ୍ତି।...

ରାଜନୀତିରେ ହିଂସା

ପ୍ରକାଶ ତ୍ରିପାଠୀ ପଶ୍ଚିମ ବଙ୍ଗ ପୁଣି ଚର୍ଚ୍ଚାରେ। ଏ ଚର୍ଚ୍ଚା ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋର, ସ୍ବାମୀ ବିବେକାନନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଅରବିନ୍ଦ...

ଓଡ଼ିଶାର ମହିମାଧର୍ମ

ଡ. ଉଦ୍ଧବ ଚରଣ ନାୟକ ଊନବିଂଶ ଶତକର ପ୍ରଥମ ଭାଗ। ଏହି ସମୟରେ ଭାରତୀୟ ହିନ୍ଦୁ ସମାଜ ଜାତିଭେଦ, ମୂର୍ତ୍ତିପୂଜା, ଅନ୍ଧବିଶ୍ୱାସ, କୁସଂସ୍କାର ଆଦି ବ୍ରାହ୍ମଣ୍ୟ...

ହିଡ଼ର ମାଟି ହିଡ଼େ ନଦିଥିଲେ

ଡା. ବାସୁଦେବ ପ୍ରଧାନ ବୃତ୍ତି ପାଇଁ ଗାଁଠାରୁ ଦୂରରେ ରହୁଛି। ଭାଇ ଫୋନ୍‌ କରି କହିଲା କାଲି ଗାଁକୁ ଆସ। ଜମି ମାପ ହେବ। ଉପର...

ଅବିଶ୍ୱାସ୍ୟ ପ୍ରଚେଷ୍ଟା

ଡ. ମନୋରଂଜନ ପ୍ରଧାନ   ମହାଭାରତୀୟ ଯୁଗର କଥା। କୌରବମାନଙ୍କ ବିରୋଧ ହେତୁ ବନବାସୀ ଏକଲବ୍ୟ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଦ୍ୱାରା ପ୍ରତ୍ୟାକ୍ଷିତ ହୋଇ ଫେରିଛନ୍ତି। ବିଶିଷ୍ଟ...

ନାରୀ ନିର୍ଯାତନା କାହିଁକି

ଡ. ରମେଶଚନ୍ଦ୍ର ପରିଡ଼ା ଆମ ସଂସ୍କୃତିରେ ନାରୀକୁ ସମ୍ମାନାସ୍ପଦ ସ୍ଥାନ ପ୍ରଦାନ କରାଯାଇ ଆସିଛି। ସେଇଥିପାଇଁ କୁହାଯାଏ ଯେ, ନାରୀ ଯେଉଁଠି ପୂଜାପାଏ ସେଠାରେ ଦେବତା...

Advertisement
Archives

Model This Week