ଆଜିର ଅର୍ଥନୀତି/ ପୁଣି ଚେତାବନୀ

ଉଦ୍ୟୋଗ ଚଳାଇବା ପାଇଁ ପାଣ୍ଠି ଅଭାବର ସମ୍ମୁଖୀନ ହେଉଥିବା ଓ ଋଣ ପାଇପାରୁ ନ ଥିବା କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ପାଣ୍ଠି ଯୋଗାଣ ପାଇଁ ମୋଦି ସରକାର ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ଓ୍ବାଇ) ଆରମ୍ଭ କଲେ। ଉତ୍ତମ ଓ ବଳିଷ୍ଠ ଚିନ୍ତାଧାରା ଥିବା କ୍ଷୁଦ୍ର ଉଦ୍ୟୋଗପତିମାନଙ୍କ ସ୍ବଚ୍ଛନ୍ଦ ଉଦ୍ୟୋଗ ପରିଚାଳନାରେ ପାଣ୍ଠି ଯେପରି ବାଧକ ନ ହୁଏ, ସେଥିପାଇଁ ଏହି ଯୋଜନାର ପରିକଳ୍ପନା କରାଯାଇଥିଲା। ଏହି ସଂପାର୍ଶ୍ୱିକ ମୁକ୍ତ ଋଣ (ମୁଦ୍ରା ଋଣ) ବ୍ୟବସ୍ଥା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ)ଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଥିଲା। ପ୍ରଥମେ ଋଣର ପରିମାଣ ୫୦ ହଜାରରୁ ୧୦ ଲକ୍ଷ ଭିତରେ ସୀମିତ ଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ସଂପାର୍ଶ୍ୱିକ ମୁକ୍ତ ଋଣ ଥିଲା ଭାଜପାର ଅନ୍ୟତମ ନିର୍ବାଚନୀ ପ୍ରତିଶ୍ରୁତି। ଏ ବର୍ଷ ସରକାର ମୁଦ୍ରା ହିତାଧିକାରୀଙ୍କ ସଂଖ୍ୟା ୧୯ କୋଟିରୁ ୩୦ କୋଟିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯଥାସମୟରେ ଆବଶ୍ୟକ ପାଣ୍ଠି ଯୋଗାଇ ସହାୟତା କରିବା ଉଦ୍ୟୋଗଗୁଡ଼ିକର ସଫଳତା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ, ତେଣୁ ତାକୁ ସ୍ବାଗତ କରାଯିବା ଉଚିତ। କିନ୍ତୁ ତାହାଦ୍ୱାରା ଆଉ ଏକ ଖରାପ ଋଣର ବୋଝ ବଢ଼ାଇ ଦେଶର ଅର୍ଥନୀତିକୁ ଆଘାତ ପହଞ୍ଚାଇବା ଠିକ୍‌ ନୁହେଁ, ଯାହା ଏବେ ଘଟିବାକୁ ଯାଉଛି।
ମୁଦ୍ରା ଋଣରେ ଖରାପ ଋଣ ପରିମାଣ ବୃଦ୍ଧି ପାଉଥିବା ନେଇ ମଙ୍ଗଳବାର ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରଙ୍କୁ ଚେତାଇଦେଇଛନ୍ତି। ଏ ସମ୍ପର୍କରେ ଆର୍‌ବିଆଇର ଡେପୁଟି ଗଭର୍ନର ଏମ୍‌.କେ. ଜୈନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୁଦ୍ରା ଋଣରେ ଖରାପ ଋଣ ବଢ଼ିବା ନେଇ କୌଣସି ଆର୍‌ବିଆଇ ଅଧିକାରୀ ଚେତାବନୀ ଦେବାରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ମଧ୍ୟ ସରକାରଙ୍କୁ ଏ ନେଇ ସତର୍କ କରାଇ ଦେଇଥିଲେ। ମୁଦ୍ରା ଋଣର ତିନି ପ୍ରକାର କିସମ ରହିଛି- ଶିଶୁ: ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିବା ଋଣ, କିଶୋର: ୫୦ ହଜାରରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିବା ଋଣ ଏବଂ ତରୁଣ: ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିବା ଋଣ। ଚଳିତ ୨୦୧୯ ଆର୍ଥିକ ବର୍ଷରେ ଶିଶୁ ବର୍ଗରେ ଯେତିକି ଋଣ ଦିଆଯାଇଛି, ତା’ର ୧୨.୩୯ ପ୍ରତିଶତ ଅପରିଶୋଧ୍ୟ (ଏନ୍‌ପିଏ) ରହିଥିବା ବେଳେ କିଶୋର ବର୍ଗରେ ପ୍ରାୟ ୧୦.୧୯ ପ୍ରତିଶତ ଅପରିଶୋଧ୍ୟ ରହିଥିବା ଆର୍‌ବିଆଇ ତଥ୍ୟରୁ ଜଣାପଡ଼ିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗତ ତିନିବର୍ଷ ଭିତରେ ମୁଦ୍ରା ଅଧୀନରେ ୩.୨୭ କୋଟି ନାମକୁମାତ୍ର ଓ କ୍ଷୁଦ୍ର ଉଦ୍ୟୋଗକୁ ୭.୨୮ ଲକ୍ଷ କୋଟି ଟଙ୍କା ଋଣ ଦିଆଯାଇଛି। ଏପ୍ରିଲ ୨୦୧୯ରୁ ଅକ୍ଟୋବର ୨୫, ୨୦୧୯ ଭିତରେ ୨୪୦.୦୩ ଲକ୍ଷ ଋଣଗ୍ରହୀତାଙ୍କୁ ୧,୨୫,୦୮୯ କୋଟି ଟଙ୍କାର ଋଣ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୬୮ ପ୍ରତିଶତ (୧୬୩.୦୨ ଲକ୍ଷ) ହେଉଛନ୍ତି ମହିଳା ଋଣୀ ଏବଂ ୧୯ ପ୍ରତିଶତ ହେଉଛନ୍ତି ନୂତନ ଉଦ୍ୟୋଗୀ। ମୋଟ ଋଣୀଙ୍କ ମଧ୍ୟରୁ ୫୪ ପ୍ରତିଶତ ବା ୧୨୯.୭୦ ଲକ୍ଷ ହେଉଛନ୍ତି ଅନୁସୂଚିତ ଉପଜାତି/ଓବିସି ବର୍ଗର ଋଣୀ। ଏହି ମୁଦ୍ରା ଯୋଜନା ମାଧ୍ୟମରେ ଅନେକ ହିତାଧିକାରୀଙ୍କ ଦାରିଦ୍ର୍ୟ ଦୂର ହୋଇଯାଇଛି ସତ କିନ୍ତୁ ଏହା ଯୋଗୁ ଅଚଳ ପରିସମ୍ପତ୍ତି (ଏନ୍‌ପିଏ) ପରିମାଣ ବୃଦ୍ଧି ପାଇବା ଘଟଣାକୁ କେବେହେଲେ ଅଣଦେଖା କରାଯାଇ ନ ପାରେ। ବ୍ୟାଙ୍କଗୁଡ଼ିକ ଋଣ ଦେବା ସମୟରେ ହିତାଧିକାରୀଙ୍କ ଋଣ ଶୁଝିବା କ୍ଷମତାକୁ ଆକଳନ କରିବା ସହ ସେମାନେ ଋଣ ନେଇ କ’ଣ କରୁଛନ୍ତି, ତାକୁ ନିୟମିତ ଶୁଝୁଛନ୍ତି କି ନାହିଁ ଏବଂ କାହିଁକି ଶୁଝୁନାହାନ୍ତି, ନିୟମିତ ବ୍ୟବଧାନରେ ତାହାର ତନଖି କରିବା ଉଚିତ। ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ଯେ, ୨୦୧୮-୧୯ରେ ମୁଦ୍ରା ଋଣର ଏନ୍‌ପିଏ ହାର ୨.୬୮ ପ୍ରତିଶତ ଥିଲା, ଯାହା ପୂର୍ବ ବର୍ଷର ୨.୫୨ ପ୍ରତିଶତ ତୁଳନାରେ ୧୬ ବେସିସ୍‌ ପଏଣ୍ଟ ଅଧିକ। ୨୦୧୬-୧୭ରେ ମୁଦ୍ରା ଋଣର ଏନ୍‌ପିଏ ହାର ୨.୮୯ ପ୍ରତିଶତ ଥିଲା। ମୋଟ ଅନୁମୋଦିତ ୧୮୨.୬୦ ନିୟୁତ ମୁଦ୍ରା ଋଣ ମଧ୍ୟରୁ ୩୧ ମାର୍ଚ୍ଚ ସୁଦ୍ଧା ୩.୬୩ ନିୟୁତ ହିତାଧିକାରୀ ଋଣ ଶୁଝିବାରେ ଖିଲାପ କରିଥିଲେ। ମୁଦ୍ରା ଯୋଜନା ଯୋଗୁ ଫେବୃୟାରୀ ୨୦୧୮ ସୁଦ୍ଧା ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ପରିମାଣ ୭,୨୭୭.୩୧ କୋଟି ଟଙ୍କା ଥିବା ବେଳେ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ତାହା ପ୍ରାୟ ୧୦୦ ପ୍ରତିଶତରୁ ଅଧିକ ବୃଦ୍ଧିପାଇ ୧୬,୪୮୧.୪୫ କୋଟି ଟଙ୍କାରେ ପହଞ୍ଚିଛି। ଏବେ ପ୍ରାୟ ୩୦.୫୭ ଲକ୍ଷ ମୁଦ୍ରା ଆକାଉଣ୍ଟକୁ ଏନ୍‌ପିଏ ଘୋଷଣା କରାଯାଇଥିବା ବେଳେ ମାର୍ଚ୍ଚ ୩୧, ୨୦୧୮ରେ ତାହା ଥିଲା ୧୭.୯୯ ଲକ୍ଷ। ସମସ୍ତ ଋଣର ମୋଟ ମୂଲ୍ୟ ତୁଳନାରେ ଉକ୍ତ ଏନ୍‌ପିଏର ମୂଲ୍ୟ ଅତି ଅଧିକ ହୋଇ ନ ଥିଲେ ମଧ୍ୟ ଏହା କ୍ରମଶଃ ବୃଦ୍ଧି ପାଉଥିବା ଚିନ୍ତାର ବିଷୟ। ବର୍ତ୍ତମାନ ଭାରତୀୟ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ୧୦ ଲକ୍ଷ କୋଟି ଟଙ୍କାର ଏନ୍‌ପିଏକୁ ନେଇ ଯୁଝୁଥିବା ବେଳେ ମୁଦ୍ରା ଋଣ ମାଧ୍ୟମରେ ତାହା ଆହୁରି ବୃଦ୍ଧି ପାଇଲେ ଦେଶର ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହେବ। ତେଣୁ ବର୍ତ୍ତମାନ ସରକାର ଆର୍‌ବିଆଇର ଚେତାବନୀକୁ ଗ୍ରହଣ କରି ବ୍ୟାଙ୍କଗୁଡ଼ିକୁ ଶୁଝିବା କ୍ଷମତା ଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ ଯାଞ୍ଚ କରି ଋଣ ଦେବାକୁ ପରାମର୍ଶ ଦେବା ଉଚିତ। ହିତାଧିକାରୀମାନେ ଋଣ ନେଇ ଠିକ୍‌ ବାଟରେ ଖର୍ଚ୍ଚ କରୁଛନ୍ତି କି ନାହିଁ ଓ ନିୟମିତ ଶୁଝୁଛନ୍ତି କି ନାହିଁ ତାହା ମଧ୍ୟ ବ୍ୟାଙ୍କଗୁଡ଼ିକ ଦେଖିବା ଆବଶ୍ୟକ। ସଂପାର୍ଶ୍ୱିକ ମୁକ୍ତ ଋଣ (ମୁଦ୍ରା ଋଣ) ଯେତେ ଭଲ ହେଉ ନା କାହିଁକି ଓ ତା’ ପଛରେ ଯେତେ ମହତ୍‌ ଉଦ୍ଦେଶ୍ୟ ଥାଉ ନା କାହିଁକି ଏଥିରେ ଖୁବ୍‌ ବିପଦ ରହିଛି। ଋଣଗ୍ରହୀତାମାନଙ୍କୁ ଏ ଋଣ ନେଇ ନିଜ ଖୁସିରେ ଖର୍ଚ୍ଚ କରିବା ପାଇଁ ବା ଅନ୍ୟ ବାଟରେ ଖର୍ଚ୍ଚ କରିବାକୁ କେବେହେଲେ ଅନୁମତି ଦିଆଯିବା ଉଚିତ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରି ଛାଡି ବ୍ୟକ୍ତିଗତ ଉଦ୍ୟମରେ ଜଣେ ବ୍ୟାଘ୍ର ଅଭୟାରଣ୍ୟ ସୃଷ୍ଟି କରିପାରିବା ଘଟଣା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି ଏକ ଅଭୟାରଣ୍ୟ ସୃଷ୍ଟି କରିଛନ୍ତି...

ଏଇ ଭାରତରେ

ଆସାମର ମାଜୁଲିରେ ରହନ୍ତି ମୋମି ପେଗୁ। ପାଣିରେ ବଢୁଥିତ୍ବା କ୍ଷତିକାରକ କଲିକତି ଦଳରୁ ସେ ଖତ ପ୍ରସ୍ତୁତ କରିବା ସହ ୩୨ ଜଣ ମହିଳାଙ୍କୁ ସ୍ବାବଲମ୍ବୀ...

ସଂରକ୍ଷଣ ଓ ସାମାଜିକ ବ୍ୟବସ୍ଥା

ବୈକୁଣ୍ଠନାଥ ମିଶ୍ର ଯଦି ମୋତେ କେହି ପଚାରେ ଏ ଦେଶର ପ୍ରଗତିପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ କ’ଣ, ତେବେ ନିଃସନ୍ଦେହରେ ମୁଁ ଦୁଇଟି କଥା ଉପରେ...

ପାରାଙ୍କୁ ଘୃଣା କାହିଁକି

ମାନେକା ଗାନ୍ଧୀ ମାସକ ପୂର୍ବେ ମୁଁ ମୁମ୍ବାଇର ଲୋକଙ୍କଠାରୁ ଏକ ଦୁଃଖଦ କଲ୍‌ ପାଇଥିଲି ଯେ, ପୌର କମିଶନର ହଠାତ୍‌ ଖରଠାରେ ରାସ୍ତାକଡ଼ରେ ପାରାମାନଙ୍କୁ ଖାଇବାକୁ...

ଶିଳ୍ପପତିଙ୍କ ଆତ୍ମବିଶ୍ୱାସ ଓ ଅଭିବୃଦ୍ଧି

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା ସରକାର ‘ସନ୍ତୁଳିତ ବଜେଟ’ ନୀତିକୁ ଅନୁସରଣ କରୁଛନ୍ତି। ଏପରି ନୀତି ୧୯୩୦ ଦଶକରେ ଆମେରିକା ଦ୍ୱାରା ଗ୍ରହଣ କରାଯାଇଥିଲା। ବିଂଶ ଦଶକରେ...

ଏଇ ଭାରତରେ

କୋଲକାତାର ମୈତ୍ରୀ ବାନାର୍ଜୀ ଚାକିରି ଛାଡ଼ି ଅବହେଳିତ ପିଲାମାନଙ୍କ ସେବାରେ ଲାଗିଛନ୍ତି। ରେଳଷ୍ଟେଶନରେ ରହୁଥିବା ଅବହେଳିତ ପିଲାମାନଙ୍କ ମୁହଁରେ ହସ ଫୁଟାଉଛନ୍ତି। ପଶ୍ଚିମବଙ୍ଗ ଉତ୍ତର ୨୪...

ବିଲୁପ୍ତି ପଥେ ଜୈବବିବିଧତା

ବସନ୍ତ କୁମାର ଦାସ ଆମ ପରିବେଶରେ ବଞ୍ଚି ରହିଥିବା ସମସ୍ତ ଜୀବଜନ୍ତୁ, ଗଛଲତା, କୀଟପତଙ୍ଗ ଓ ଅଣୁଜୀବମାନଙ୍କର ଉପସ୍ଥିତି ଓ ଅବସ୍ଥିତିକୁ ଜୈବବିବିଧତା କୁହାଯାଏ। ଜୀବମାନଙ୍କର...

କର୍ମଚାରୀଙ୍କ ଅବହେଳା ଅପରାଧ ବଢ଼ାଏ

ସହଦେବ ସାହୁ ଏବେ ଏବେ କାହିଁକି ଏତେଗୁଡ଼ାଏ ଭେଜାଲ ଓ ଅପମିଶ୍ରଣ ମାମଲା ଧରା ପଡୁଛି, ଆଗରୁ କାହିଁକି ଏଗୁଡ଼ିକ ଧରା ହେଉ ନ ଥିଲା...

Advertisement


Archives

Model This Week