ଏ ଅନ୍ଧକାରରୁ ମୁକ୍ତି କେବେ

ମନ-ମାନଚିତ୍ର / ଡ. ନରହରି ବେହେରା
ରୂପେନ୍‌ ବାନାର୍ଜୀ ତାଙ୍କର ‘ଦି ଓଡ଼ିଶା ଟ୍ରାଜେଡ଼ି: ଏ ସାଇକ୍ଲୋନ୍‌’ସ୍‌ ଇୟର ଅଫ୍‌ କାଲାମିଟି’ ବହିରେ ଗୋଟିଏ ରୋଚକ କଥା ବର୍ଣ୍ଣନା କରିଛନ୍ତି। ସେ ବର୍ଣ୍ଣନା ପ୍ରସଙ୍ଗରେ ଲେଖିଛନ୍ତି- ୧୯୯୯ ମହାବାତ୍ୟା ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗଙ୍କୁ ତିନିଜଣ ପଣ୍ଡିତ ପରାମର୍ଶ ଦେଇ ଏ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିବ ନାହିଁ ବୋଲି ଅଭୟ ପ୍ରଦାନ କରିଥିଲେ। ତିନିଜଣଙ୍କ ମଧ୍ୟରୁ ଜଣେ ପଣ୍ଡିତ କାଳେ କହିଥିଲେ, ଏ ବାତ୍ୟା ଓଡ଼ିଶାର ବହୁ ଉପରେ ଚାଲିଯିବ। ଅନ୍ୟ ଜଣକ କହିଥିଲେ, ଏ ବାତ୍ୟା ଦୁଇଭାଗ ହୋଇ ପଶ୍ଚିମ ବଙ୍ଗ ଓ ବାଂଲାଦେଶକୁ ଚାଲିଯିବ ମାତ୍ର ତୃତୀୟ ପଣ୍ଡିତ କାଳେ ହାତରେ ଗୋଟିଏ ଧାତୁ ନିର୍ମିତ ମୁଦି ଧାରଣ କଲେ ବାତ୍ୟା ଆପେ ଆପେ ଦୂରେଇଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିଲେ। ସେମାନଙ୍କ ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀ ଶାନ୍ତିରେ ଶୋଇଥିଲେ।
ଏ ବର୍ଣ୍ଣନାକୁ କେବଳ ଏକ ପ୍ରସଙ୍ଗ ଭାବରେ ହିଁ ଗ୍ରହଣ କରାଯାଇଛି। ଏହାର ସତ୍ୟତା ଜାଣିବାକୁ ଆମର ସୁଯୋଗ ନାହିଁ। ମାତ୍ର ୧୯୯୯ ମହାବାତ୍ୟାର ଭୟାବହତାକୁ ଦେଖିଥିବା ମଣିଷ ଏହି ତଥାକଥିତ ପଣ୍ଡିତମାନଙ୍କ ପରାମର୍ଶକୁ ହାସ୍ୟାସ୍ପଦ ଓ ଅନ୍ଧବିଶ୍ୱାସ ବୋଲି ନିଶ୍ଚୟ କହିବେ। ଏ ପ୍ରସଙ୍ଗରେ କେହି କେହି ଜ୍ୟୋତିଷଶାସ୍ତ୍ରକୁ ଅନ୍ଧବିଶ୍ୱାସ ବୋଲି ମଧ୍ୟ କହିପାରନ୍ତି। ମାତ୍ର ଆମେ ଆମ ପରମ୍ପରାରେ ଷଟ୍‌ ବେଦାଙ୍ଗର ମାନ୍ୟତା ପାଇଥିବା ଶିକ୍ଷା, କଳ୍ପ, ବ୍ୟାକରଣ, ନିରୁକ୍ତ, ଛନ୍ଦ ଓ ଜ୍ୟୋତିଷ ଶାସ୍ତ୍ର ମଧ୍ୟରୁ ଜ୍ୟୋତିଷକୁ ବେଦର ନୟନ ବୋଲି ସ୍ବୀକାର କରାଯାଇଛି। ଆଜିର ଆଧୁନିକ ଯୁଗରେ ମଧ୍ୟ ପଞ୍ଜିକାରମାନେ ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ଚନ୍ଦ୍ରଗ୍ରହଣ, ସୂର୍ଯ୍ୟୋପରାଗ ପରି ମହାଜାଗତିକ ଘଟଣାର ସମୟକୁ ବହୁଦିନ ପୂର୍ବରୁ ଠିକ୍‌ ନିର୍ଦ୍ଧାରଣ କରିଥାନ୍ତି। ତେଣୁ ଏ ଶାସ୍ତ୍ରକୁ ଭୁଲ ବୋଲି କହି ହେବନାହିଁ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ନିଜ ଭାଗ୍ୟକୁ ଚିହ୍ନି ନ ଥିବା ଏବଂ ଜ୍ୟୋତିଷଶାସ୍ତ୍ରରେ କ ବ ଚ କରିଥିବା ପଣ୍ଡିତମାନଙ୍କ ଚକ୍କରରେ ଆମେ ପଡ଼ିଯାଇଥାଉ। ଏହି ପଣ୍ଡିତମାନେ ଆମ ଦୁର୍ବଳତାର ସୁଯୋଗ ନେଇ ବିଭିନ୍ନ ଭ୍ରମାମତ୍କ ଚକ୍ରବାତରେ ପକାଇ ନିଜ ହାତ ଚିକ୍କଣ କରିଥାନ୍ତି। ପରିଣାମରେ ସାଧାରଣ ନିରୀହ ଲୋକମାନେ ହିଁ ସର୍ବସ୍ବାନ୍ତ ହୋଇଯାଆନ୍ତି। ନକଲି ଡାକ୍ତର ଚିକତ୍ସା କରି ନ ପାରି ଯେମିତି ଔଷଧକୁ ନକଲି ବୋଲି କହିଥାନ୍ତି, ସେମିତି ଏହି ତଥାକଥିତ ପଣ୍ଡିତଙ୍କୁ ନ ଚିହ୍ନି ଆମ ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ ଥିବା ଶାସ୍ତ୍ର ଉପରେ ସବୁ ଦୋଷ ଲଦି ଦେଉ।
ସତ୍ୟାସତ୍ୟ ବିଚାର ନ କରି କେବଳ ପରମ୍ପରାଗତ ବଦ୍ଧମୂଳ ବିଶ୍ୱାସର ନାମାନ୍ତର ହିଁ ଅନ୍ଧବିଶ୍ୱାସ। ଏ ଅନ୍ଧବିଶ୍ୱାସର ଅନ୍ଧକାରକୁ ଭେଦ କରି ସତ୍ୟକୁ ଉଦ୍ଘାଟନ କରିବା ସହଜ ହୁଏନାହିଁ। ତେଣୁ ଆଜି ଆମେ ଯେତେ ଶିକ୍ଷିତ ହେଲେ ବି ପ୍ରାଚୀନ ଏବଂ ମଧ୍ୟଯୁଗୀୟ ଅନ୍ଧବିଶ୍ୱାସ ସର୍ବକାଳିକ ବ୍ୟାଧି ଭାବରେ ଆମକୁ ଗ୍ରାସ କରି ଚାଲିଛି। ଭୂତ, ପିଶାଚ, ଡାହାଣୀ ପରି ବହୁ କଳ୍ପିତ ଚରିତ୍ରମାନେ ଅଦ୍ୟାବଧି ଆମ ଚାରିପାଖରେ ଘୂରି ବୁଲୁଛନ୍ତି। ଏଥିପାଇଁ ପ୍ରତ୍ୟେକ ଦିନ ନିର୍ଯ୍ୟାତନାର ଶିକାର ହେଉଛନ୍ତି ଅସଂଖ୍ୟ ନିରୀହ ଜନସାଧାରଣ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେଉଁଠି ଏ ଘଟଣାମାନ ଘଟୁଛି ସେଠାକାର ଲୋକମାନେ ଏହାକୁ ପ୍ରତିବାଦ କରିବା ଅପେକ୍ଷା ନୀରବଦ୍ରଷ୍ଟା ସାଜୁଛନ୍ତି। ବାଲେଶ୍ୱର ଜିଲ୍ଲାର କମର୍ଦ୍ଦା ଥାନାରେ ଜଣେ ଆଠବର୍ଷର ବାଳକ ଦେହରୁ ଭୂତ ଛଡ଼ାଇବା ପାଇଁ ତା’ ମୁହଁରେ ଚପଲ ବାନ୍ଧି ଗୁଣିଆ ଏବଂ ଜଣେ ମହିଳା ଯେପରି ନିସ୍ତୁକ ମାଡ଼ ମାରୁଥିଲେ ତାହା ଦେଖିଲେ ଲୋମ ଟାଙ୍କୁରି ଉଠେ। ମାତ୍ର ସେଠାରେ ଉପସ୍ଥିତ ଲୋକମାନେ ନୀରବରେ ଠିଆ ହୋଇ ମଜା ଦେଖୁଥିଲେ। ସେହି ଜିଲ୍ଲାର ଔପଦା ବ୍ଳକ୍‌ରେ ଗୁଣିଗାରେଡ଼ି ସନ୍ଦେହରେ କିଛି ବ୍ୟକ୍ତି ଜଣଙ୍କ ଘରେ ପଶି ସ୍ବାମୀ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ସୌଭାଗ୍ୟକୁ ପୋଲିସ୍‌ ସେଠାରେ ପହଞ୍ଚତ୍ ସେମାନଙ୍କୁ ଉଦ୍ଧାର କରିଥିଲା।
ଗଞ୍ଜାମ ଜିଲ୍ଲାର ଗୋପାଳପୁର ଗ୍ରାମରେ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରି ଲୋକମାନେ ଛଅଜଣଙ୍କର ଦାନ୍ତ ଉପାଡ଼ି ଦେଇଥିଲେ। ବାରବର୍ଷର ଝିଅଟିଏ ମରିଗଲା। ଗୁଣିଆ ବୋଲାଉଥିବା ମଣିଷଟି କହିଲା- ଏ ଝିଅଟି ମରି ନ ଥାନ୍ତା, କେବଳ ଗୁଣିଗାରେଡ଼ି ହୋଇଥିବାରୁ ମରିଗଲା। ଜଣେ ମହିଳାଙ୍କ ଘରେ ପଶି ଡାହାଣୀ ସନ୍ଦେହରେ ତାକୁ ଏବଂ ତା’ର ଦଶମାସର ନିଷ୍ପାପ ଶିଶୁଟିକୁ ମାରିଦେଲେ। ଏ ଘଟଣା କେଉଁ ଅପହଞ୍ଚ ଇଲାକାରେ ଘଟିନାହିଁ, ଘଟିଛି ଆମ ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ। କେନ୍ଦୁଝର ଜିଲ୍ଲା, କନ୍ତଳା ଗ୍ରାମର ଜଣେ ଯୁବକ ନିଜ ଖୁଡ଼ୀଙ୍କୁ ଡାହାଣୀ ସନ୍ଦେହରେ ଅପହରଣ କରି ହତ୍ୟା କରିବା ଘଟଣା ସେ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା।
ଏଭଳି ଘଟଣା ଯେ କେବଳ ଓଡ଼ିଶାରେ ଘଟୁଛି ତାହା ନୁହେଁ, ସମଗ୍ର ବିଶ୍ୱରେ କୋଉଠି ନା କୋଉଠି ଏପରି ଦୈନିକ ଘଟଣା ଘଟି ଚାଲିଛି। ଅଜ୍ଞତା, ସନ୍ଦେହ ଓ ଅବିଶ୍ୱାସ ଅନ୍ଧବିଶ୍ୱାସର ଜନ୍ମଦାତ୍ରୀ। ଯୁଗ ଯୁଗ ଧରି ଏହା ଉପରେ କେତେ ତର୍ଜମା ହୋଇଛି, ବିଜ୍ଞାନର କେତେ ପ୍ରଗତି ଘଟିଛି ତଥାପି ଅନ୍ଧବିଶ୍ୱାସର ଅନ୍ଧକାରରୁ ଏ ସମାଜ ମୁକୁଳି ପାରିନାହିଁ। ବିଜ୍ଞାନର ଅଗ୍ରଗତି ସତ୍ତ୍ୱେ ହଇଜା କି ଜ୍ୱର ହେଲେ ଆଜି ବି ଲୋକମାନେ ଗୁଣିଆ ପାଖକୁ ଦୌଡ଼ୁଛନ୍ତି, ଠାକୁରାଣୀ ପାଖରେ କୁକୁଡ଼ା ବଳି ଦେଲେ ରୋଗ ଭଲ ହୋଇଯିବ ବୋଲି ବିଶ୍ୱାସ କରୁଛନ୍ତି। ଆଜି ବି ରାସ୍ତାରେ ବିଲେଇଟିଏ ଚାଲିଗଲେ ଆଇଏଏସ ଅଫିସରଙ୍କ ଡ୍ରାଇଭର ଗାଡ଼ିର ବ୍ରେକ୍‌ ଦେଇଦେଉଛି। ରାତି ଅଧରେ ପେଚାଟିଏ ରାବିଲେ ଘରର ଅମଙ୍ଗଳ ହେବ ବୋଲି ଛନକା ପଶିଯାଉଛି। ସତେ ଯେମିତି ଆମର ଶୁଭ ଅଶୁଭ ପାଇଁ ଏ ପଶୁପକ୍ଷୀମାନେ ସେମାନଙ୍କର ସକଳ ସ୍ବାଭାବିକ ଜୀବନଯାତ୍ରା ବନ୍ଦ କରିଦେବେ। ଭୂତ, ପ୍ରେତ, ଡାହାଣୀ, ଗୁଣିଆ, ଧର୍ମାନ୍ଧତା, ପଶୁବଳି, ଶିଶୁବଳି ପରି ବହୁ କୁସଂସ୍କାର ପୂର୍ଣ୍ଣ ଅନ୍ଧବିଶ୍ୱାସର ଅନ୍ଧକାରରେ ଆଜି ବି ଆମ ସମାଜ ପଥ ଅଣ୍ଡାଳୁଛି।
ଏ ଅନ୍ଧକାରରୁ ମୁକ୍ତିଦେଇ ସତ୍ୟର ସୂର୍ଯ୍ୟସ୍ନାତ ପ୍ରଭାତଟିଏ ଭେଟିଦେବାକୁ ଦେଲେ ଆମ ସମାଜର ପ୍ରତ୍ୟେକ ସଚେତନ ନାଗରିକ ଏ ଦିଗରେ ଉତ୍ତରଦାୟିତ୍ୱ ବହନ କରିବା ଉଚିତ। ମାତ୍ର ଦୁଃଖର ବିଷୟ ଏ ପ୍ରକ୍ରିୟାକୁ ଯେତେ ଗୁରୁତ୍ୱ ଦେବା କଥା ଦିଆଯାଏ ନାହିଁ। ଆଜି ବୈଦ୍ୟୁତିକ ଗଣମାଧ୍ୟମ ଏକ ବଳିଷ୍ଠ ଗଣମାଧ୍ୟମ ଭାବରେ ପରିଚିତ। ତେଣୁ ଏଥିରେ ପ୍ରଦର୍ଶିତ ଧାରାବାହିକଗୁଡ଼ିକରେ ଏହି କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବାପାଇଁ ପ୍ରଯତ୍ନ କରାଯିବା ଉଚିତ। ମାତ୍ର ଏହାର କର୍ମକର୍ତ୍ତାମାନେ ପକ୍ଷାନ୍ତରେ ଏହି କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଉତ୍ସାହିତ କରୁଥିବା ଦେଖାଯାଉଛି। ଭୂତ, ପ୍ରେତ, ତାନ୍ତ୍ରିକ ପରି ଚରିତ୍ର ସୃଷ୍ଟିକରି ସେମାନେ ଦର୍ଶକଙ୍କ ମଧ୍ୟରେ ଏହି କୁସଂସ୍କାରର ମଞ୍ଜି ବୁଣିଦେଉଛନ୍ତି। କେତେକ ଟିଭି ପରଦାରେ ‘ଏ ଦୃଶ୍ୟ ଅନ୍ଧବିଶ୍ୱାସକୁ ପ୍ରୋତ୍ସାହିତ କରୁନାହିଁ, କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ’ ବୋଲି ଲେଖିଦେଇ ଦାୟିତ୍ୱ ସାରିଦେଉଛନ୍ତି। ମାତ୍ର ଆମେ ମନେରଖିବା ଉଚିତ, ଦୃଶ୍ୟର ପ୍ରଭାବ ନିକଟରେ ଏ ଧାଡ଼ିକିଆ ଉପଦେଶ ମୂଲ୍ୟହୀନ। ଏପରି ଦୃଶ୍ୟ ପରିବେଷଣ ନ କରି କ’ଣ ଅନ୍ୟ ଧାରାବାହିକ ସୃଷ୍ଟି କରିହେବ ନାହିଁ? ଏ ଦିଗରେ ହେତୁବାଦୀମାନେ ମଧ୍ୟ ଅଧିକ ଯତ୍ନଶୀଳ ହେବା ବିଧେୟ। ତା’ ନ ହେଲେ ଅନ୍ଧବିଶ୍ୱାସର ଅନ୍ଧକାରରୁ ଆମ ସମାଜ ମୁକୁଳିପାରିବ ନାହିଁ।
ବାସୁଦେବବାସ୍ୟମ୍‌, ଜଗନ୍ନାଥବିହାର, ବାଇପାସ, ଭଦ୍ରକ, ମୋ-୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri