ସବୁଲୋକ ଖରାପ ନୁହନ୍ତି

ଡ. ସିଦ୍ଧାର୍ଥ କାନୁନ୍‌ଗୋ
ସେଦିନ ଭୁବନେଶ୍ୱର ହାଟରେ ହଠାତ୍‌ ରମେଶ ବାବୁ (ଛଦ୍ମନାମ)ଙ୍କ ସହ ଦେଖାହେଲା। ଅତୀତରେ ସେ ମୋର ସହକର୍ମୀ ଥିଲେ। ଏବେ ସେ ଦୀର୍ଘଦିନ ହେଲା ଚାକିରିରୁ ଅବସର ନେଲେଣି। ବର୍ତ୍ତମାନ ଟିକେ ଦୁର୍ବଳ ହୋଇଥିଲେ ମଧ୍ୟ ବେଶ୍‌ ଚଳଚଞ୍ଚଳ ଅଛନ୍ତି ବୋଲି ମନେହେଲା। ତାଙ୍କ ସହ ହଠାତ୍‌ ଦେଖାହେବାରୁ ତାଙ୍କର କୁଶଳ ଜିଜ୍ଞାସା କଲି।
ଚାକିରି ଥିବାବେଳେ ତାଙ୍କର ଗୋଟିଏ ବଦଭ୍ୟାସ ଥିଲା। ସେ ସମସ୍ତଙ୍କ ବିରୁଦ୍ଧରେ କିଛିନା କିଛା ଟିପ୍ପଣୀ ଦିଅନ୍ତି। ସେଦିନ ଅଫିସରେ ଅଫିସରମାନଙ୍କ ନାମ ତାଲିକା ଫଳକକୁ ଦେଖି ସେ ହଠାତ୍‌ କହିଲେ- ଆଜ୍ଞା, ପୂର୍ବତନ ଅଫିସର ରାମବାବୁ ଲାଞ୍ଚୁଆ ଥିଲେ, ଶ୍ୟାମବାବୁଙ୍କ ଚରିତ୍ର ଭଲ ନ ଥିଲା, ଦାମବାବୁ କାମ ନ କରି ଅଫିସରେ ଢୁଳାଉଥିଲେ ଇତ୍ୟାଦି। ମୁଁ ତାଙ୍କୁ ବୁଝାଇ କହିଲି ଦେଖନ୍ତୁ! ଆପଣ ଏଇ ଯେଉଁ ଅଫିସରମାନଙ୍କ ବିଷୟରେ ମନ୍ତବ୍ୟ ଦେଲେ ସମସ୍ତେ କେବେହେଲେ ଖରାପ ହୋଇ ନ ପାରନ୍ତି। ତା’ପରେ ସେ ତାଙ୍କର ଯୁକ୍ତିକୁ ସାବ୍ୟସ୍ତ କରିବାକୁ ଯାଇ ଏଣୁ ତେଣୁ କଥା ଗପିବାକୁ ଲାଗିଲେ। ମୋର ମଧ୍ୟ ସମୟ ନ ଥିଲା। ମୁଁ ଆଲୋଚନାର ପରିସମାପ୍ତି ଚାହୁଁଥିଲି। ତେଣୁ ମୁଁ ତାଙ୍କୁ କହିଲି, ରମେଶବାବୁ ବୋଧହୁଏ ଦୁନିଆରେ ଆପଣ ଜଣେ ଭଲଲୋକ, ଆଉ ସମସ୍ତେ ଖରାପ ଲୋକ। ମୋ କଥା ଶୁଣି ରାଗରେ ତମତମ ହୋଇ ରୁମ୍‌ରୁ ବାହାରିଗଲେ। ବାହାରେ ଅସ୍ପଷ୍ଟ ଭାବେ ମୋ ବିରୁଦ୍ଧରେ ଗୁଣୁଗୁଣୁ ହୋଇ କ’ଣ କହୁଥିବା ଲକ୍ଷ୍ୟ କଲି। ସେ କଥାକୁ ମୁଁ ଗୁରୁତ୍ୱ ଦେବାକୁ ଉଚିତ ମନେକଲି ନାହିଁ। ଏହାର କିଛିଦିନ ପରେ ସେ ଅଫିସରୁ ମୋର ବଦଳି ହୋଇଗଲା। ମୁଁ ମଧ୍ୟ ରମେଶବାବୁଙ୍କୁ ପାଶୋରି ଦେଇଥିଲି।
ଦୀର୍ଘଦିନ ପରେ ରମେଶବାବୁଙ୍କ ସହିତ ଦେଖାହେବା ପରେ ଭାବିଲି ଇତି ମଧ୍ୟରେ ତାଙ୍କ ଚିନ୍ତାଚେତନାରେ କିଛିଟା ପରିବର୍ତ୍ତନ ଆସିଥିବ। କିନ୍ତୁ ସେ ତାଙ୍କ ପୁରୁଣା ଅଭ୍ୟାସବଶତଃ କେବଳ ପରନିନ୍ଦା କରିବାକୁ ଲାଗିଲେ। ସଂକ୍ଷେପରେ ତାଙ୍କର ଅଭିଭାଷଣ ଥିଲା, ଦୁନିଆରେ କେହିହେଲେ ଭଲ ଲୋକ ନାହାନ୍ତି। ମୁଁ ତାଙ୍କୁ ବୁଝାଇବାକୁ ଯାଇ କହିଲି ଯେ, ପାଞ୍ଚ ଆଙ୍ଗୁଠି ସମାନ ନୁହେଁ। ସମାଜରେ ଉଭୟ ଭଲ ଏବଂ ମନ୍ଦ ଲୋକ ଅଛନ୍ତି। ଏହାକହି ମୁଁ ତାଙ୍କୁ ସତ୍ୟଯୁଗର ହିରଣ୍ୟକଶିପୁ ଓ ପ୍ରହ୍ଲାଦ, ଦ୍ୱାପର ଯୁଗର ଯୁଧିଷ୍ଠିର ଓ ଦୁର୍ଯ୍ୟୋଧନ, ତ୍ରେତୟା ଯୁଗର ରାମ ଓ ରାବଣଙ୍କ ଉଦାହରଣ ଦେଲି। ସେ ତତ୍‌କ୍ଷଣାତ୍‌ କହିଲେ, ମୋର ସେ ପୁରାଣ କଥାରେ ବିଶ୍ୱାସ ନାହିଁ। ଯାହାକୁ ଆମେ ଦେଖିନାହୁଁ; ତାକୁ ବିଶ୍ୱାସ କରିବୁ କିପରି?
ତା’ପରେ ମୁଁ କଥାର ମୋଡ଼ ବଦଳାଇ କହିଲି, ଖ୍ରୀଷ୍ଟପୂର୍ବ ଯୁଗରେ ଗ୍ରୀକ୍‌ ଦାର୍ଶନିକ ଡାୟୋଜିନିସ ଦିନରେ ଲଣ୍ଠନ ଲଗାଇ ଭଲ ଲୋକ ଖୋଜୁଥିଲେ। ସେତେବେଳେ ନିଶ୍ଚୟ କିଛି ଭଲ ଲୋକ ଥିବେ ବୋଲି ତାଙ୍କର ବିଶ୍ୱାସ ଥିଲା। ତା’ପରେ ମୁଁ ତାଙ୍କୁ ଋଷିପ୍ରତିମ ଆଚାର୍ଯ୍ୟ ହରିହରଙ୍କ କଥା କହିଲି। ଆଚାର୍ଯ୍ୟ ହରିହରଙ୍କୁ ଯଦି କେହି ନମସ୍କାର କରୁଥିଲା, ସେ ପ୍ରତିନମସ୍କାର ଜଣାଇ ତାକୁ ଭଲ ମଣିଷ ହୁଅ ବୋଲି କହୁଥିଲେ। କିନ୍ତୁ ରମେଶବାବୁ ମୋର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ତା’ପରେ ମୁଁ ତାଙ୍କୁ ଧୈର୍ଯ୍ୟ ନ ହରାଇ ବୁଝାଇବାକୁ ଚେଷ୍ଟା କଲି। ମୁଁ ତାଙ୍କୁ ସିଧା ସିଧା ପଚାରିଲି ଆପଣ ମୋତେ ବିଶ୍ୱାସ କରନ୍ତି ନା ନାହିଁ? ଉତ୍ତରରେ ସେ କହିଲେ, ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ବିଶ୍ୱାସ କରେ।
ଏହାପରେ ମୁଁ ତାଙ୍କୁ କହିଲି; ମୁଁ ତିନିଟି ସତ ଘଟଣା ଆପଣଙ୍କୁ କହୁଛି। ପ୍ରାୟ ପନ୍ଦର ବର୍ଷ ତଳେ ବାପାଙ୍କୁ ନେଇ ରାଜଧାନୀ ହାସ୍‌ପାତାଳକୁ ଯାଇଥିଲି। ଆମର ଚିହ୍ନା ଡାକ୍ତର ନ ଥିବାରୁ ଆମେ ତାଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ସେଠାରେ ଠିଆ ହୋଇଥିଲୁ। ଭିଡ଼ ଭିତରୁ ଜଣେ ଭଦ୍ରଲୋକ ମୋତେ ଚିହ୍ନିପାରି ଆଗ ନମସ୍କାର କଲେ ଓ ମୋ ଆସିବାର କାରଣ ପଚାରିଲେ। ମୁଁ ବାପାଙ୍କୁ ଜଣେ ଭଲ ଭେଷଜ ବିଶେଷଜ୍ଞଙ୍କ ନିକଟକୁ ପରାମର୍ଶ ପାଇଁ ନେଇଆସିଛି ବୋଲି କହିଲି। ସେ କହିଲେ, ଆସନ୍ତୁ ମୋର ଏଇ ହାସ୍‌ପାତାଳରେ ବହୁ ଚିହ୍ନା ଡାକ୍ତର ଅଛନ୍ତି। ମୁଁ ଆପଣଙ୍କ ବାପାଙ୍କୁ ତାଙ୍କ ନିକଟକୁ ନେଇଯିବି। ମୁଁ ତାଙ୍କୁ ପଚାରିଲି, ମୁଁ ତ ଆପଣଙ୍କୁ ଚିହ୍ନିପାରୁନାହିଁ; ଆପଣ ମୋତେ ଜାଣିଲେ କିପରି? ସେ କହିଲେ, ସାର୍‌! ଆପଣ ସେତେବେଳେ ଭୁବନେଶ୍ୱର ଟ୍ରେଜେରିରେ ଆଡିଶ୍‌ନାଲ ଟ୍ରେଜେରି ଅଫିସର ଥିଲେ। ମୁଁ ବାପାଙ୍କ ପେନ୍‌ସନ ପାଇଁ ଆପଣଙ୍କ ନିକଟକୁ ଯାଇଥିଲି ଓ ଆପଣ ନିଜେ ଚେୟାରରୁ ଉଠିଆସି ଆକାଉଣ୍ଟାଣ୍ଟଙ୍କୁ ଡାକି ବାପାଙ୍କ ପେନ୍‌ସନ ବିଲ ପ୍ରସ୍ତୁତ କରିବାକୁ କହିଲେ। ଆପଣଙ୍କ ତପତ୍ରତା ଯୋଗୁ ପନ୍ଦର କୋଡ଼ିଏ ମିନିଟରେ ମୋର କାମ ହୋଇଗଲା। ସେଦିନର ଉପକାର ମୁଁ ଭୁଲିପାରିବି ନାହିଁ। କଥାଟି ହାଲୁକା କରିବାପାଇଁ ମୁଁ କହିଲି, ଛାଡ଼ନ୍ତୁ ସେକଥା। ଆମେ ସରକାରଙ୍କଠାରୁ ଦରମା ପାଉଛୁ ଏବଂ ତା’ ବଦଳରେ ଯଦି କିଛି ସେବା ପ୍ରଦାନ କରୁଛୁ; ଏଥିରେ ବଡ଼କଥା କିଛି ନାହିଁ। ଏହାପରେ ସେ ହାସ୍‌ପାତାଳରେ ତାଙ୍କର ଚିହ୍ନା ଡାକ୍ତରଙ୍କ ପାଖକୁ ନେଇଗଲେ ଏବଂ ବାପାଙ୍କ କାମ ମଧ୍ୟ ସୁବିଧାରେ ହୋଇଗଲା। ଆସିଲାବେଳେ ଭାବିଲି ଏଇ ଲୋକ ଯଦି ନିଜେ ଆଗୁଆ ଆସି ମୋତେ ତାଙ୍କ ପରିଚୟ ଦେଇ ନ ଥାନ୍ତେ ବା ମୋତେ ସାହାଯ୍ୟ କରି ନ ଥାନ୍ତେ ମୋର କିଛି କରିବାର ନ ଥିଲା।
ଦ୍ୱିତୀୟ ଘଟଣାଟି ହେଉଛି ସେହି ରାଜଧାନୀ ହାସ୍‌ପାତାଳ କଥା, ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସେଠି ଅଶୀତିପର ବୃଦ୍ଧା ନର୍ସ ଶଶୀଦିଦି ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ମୁଁ ପଞ୍ଚମଶ୍ରେଣୀରେ ପଢ଼ିବା ବେଳୁ ଜାଣେ। ରୋଗୀମାନଙ୍କର ସେବା କରିବାରେ ତାଙ୍କର ବିକଳ୍ପ ନାହିଁ ବୋଲି ମୋର ମନେହୁଏ। ବାର୍ଦ୍ଧକ୍ୟରେ ତାଙ୍କ ଅଣ୍ଟା ନଇଁ ଆସିଲାଣି, ତଥାପି ସେ ଅବିଶ୍ରାନ୍ତ କାର୍ଯ୍ୟ କରିଚାଲିଛନ୍ତି। ସବୁଠାରୁ ବଡ଼ କଥା ହେଲା ଅବସର ପରେ ମଧ୍ୟ ସେ ବିନା ପାରିଶ୍ରମିକରେ ରୋଗୀ ସେବା କରୁଛନ୍ତି। ତାଙ୍କୁ ଦେଖି ମନେହେଲା ସତେଯେପରି ସେ ହେଉଛନ୍ତି ଏଯୁଗର ମଦରଟେରେସା।
ତୃତୀୟ ଘଟଣାଟି ଗଣମାଧ୍ୟମରୁ ଜାଣିବାକୁ ପାଇଲି। ଜଣେ ଭଉଣୀ ଦାମ୍ପତ୍ୟ ଜୀବନରେ ଅଶାନ୍ତି ହେତୁ ଚଳନ୍ତା ଟ୍ରେନ୍‌ଆଗକୁ ଧାଇଁ ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଉଥିବା ବେଳେ ଜଣେ ଭଦ୍ରବ୍ୟକ୍ତି ତାଙ୍କୁ ଉଦ୍ଧାର କଲେ। ତାଙ୍କ ସଂସ୍ଥାରେ ଭଉଣୀ ଜଣକ ଏକ ମହତ୍‌ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ବାଟରେ ବହୁ ଅଚିହ୍ନା ଶବ ପଡ଼ିରହୁଛି। ଏ କ୍ଷେତ୍ରରେ ଭଉଣୀ ଜଣକ ତାଙ୍କ ସହକର୍ମୀଙ୍କ ସହ ମିଶି ଏପରି ଶବକୁ ନେଇ ଦାହ କରନ୍ତି। ଏସବୁ କଥା କହିବା ପରେ ରମେଶବାବୁଙ୍କୁ କହିଲି, ବର୍ତ୍ତମାନ କ’ଣ ଆପଣ କହିବେ ଯେ ଏ ଦୁନିଆରେ ଭଲ ଲୋକ ବୋଲି କେହି ନାହାନ୍ତି। ତାଙ୍କ ପାଖରେ ଆଉ କୌଣସି ଉତ୍ତର ନ ଥିଲା।
ଭୁବନେଶ୍ୱର, ମୋ- ୯୪୩୮୦୭୨୮୫୦


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri