ଶାସ୍ତ୍ରୀୟ ମାନ୍ୟତା ଓ ଓଡ଼ିଶୀ

ଡ. ପ୍ରଫୁଲ୍ଲ କୁମାର ସାହୁ
ଜୀବନକୁ ଶ୍ରୀମୟ କରେ ସଂଗୀତ। ବଂଶୀ ଓ ସାହାନାଇରୁ ଯେଉଁ ସ୍ବର ବାହାରେ ତାକୁ ଦେଖିହୁଏ ନାହିଁ କି ଛୁଇଁ ହୁଏ ନାହିଁ ସତ, ହେଲେ ତାହା ଶୂନ୍ୟରେ ତୋଳିପାରେ ଏକ ଅଦୃଶ୍ୟ ପ୍ରବାହ। ସେ ପ୍ରବାହରେ ଥାଏ ହୃଦୟକୁ ଆହ୍ଲାଦିତ କରିବାର ଅମାପ ଶକ୍ତି। ପକ୍ଷୀର କାକଳି, ପବନର ସ୍ବନ ଓ ଝରଣାର କଳକଳ ନାଦ ଇତ୍ୟାଦି ପ୍ରକୃତିର ସଂଗୀତ। ଆଦିମ କାଳରୁ ସେ ସଂଗୀତରେ ବିଭୋର ହୋଇଛି ମଣିଷ ଏବଂ ତାକୁ ହିଁ ଅନୁସରଣ କରି ସେ ସୃଷ୍ଟି କରିଛି ରାଶିରାଶି ସଂଗୀତ। ତା’ର ଗାୟନ ପଦ୍ଧତିକୁ ଶୃଙ୍ଖଳିତ ତଥା ଛନ୍ଦୋବଦ୍ଧ କରିବା ପାଇଁ ତିଆରି କରିଛି ବ୍ୟାକରଣ। ସପ୍ତସ୍ବର, ତିନିଗ୍ରାମ, ଏକୋଇଶ ମୂର୍ଚ୍ଛନା ଓ ପଞ୍ଚଦଶ ଯମକ ଆଦି ଶାସ୍ତ୍ରୀୟ ନିୟମ ଆଧାରରେ ପ୍ରକାଶ ପାଇଛି ସଂଗୀତର ଉଚ୍ଚାଙ୍ଗ ରୂପ। ଇତିହାସର ଅନୁଶୀଳନରୁ ଜଣାଯାଏ ଦଶମ ଶତାବ୍ଦୀଠାରୁ ସପ୍ତଦଶ ଶତାବ୍ଦୀର ଶେଷାର୍ଦ୍ଧ ମଧ୍ୟରେ ଭାରତୀୟ ସଂଗୀତ ଧାରାରେ ଅନେକ ପରିବର୍ତ୍ତନ ଆସିଛି ଏବଂ ଦେଶ-ଦେଶାନ୍ତରୀ ଭେଦରେ ସୃଷ୍ଟି ହୋଇଛି ହିନ୍ଦୁସ୍ଥାନୀ, କର୍ଣ୍ଣାଟକୀ ଓ ଓଡ଼ିଶୀ ଆଦି ଉଚ୍ଚାଙ୍ଗ ସଂଗୀତର ଏକ ଏକ ସ୍ବତନ୍ତ୍ର ଧାରା।
ଏହି ପରିବର୍ତ୍ତନ କ୍ରମରେ ସମ୍ପୂର୍ଣ୍ଣ ବିବର୍ଜିତ ହୋଇପଡ଼ିଛି ସଂଗୀତର ମୂର୍ଚ୍ଛନା ପଦ୍ଧତୀୟ ଗ୍ରହସ୍ବର ବିଧି ଏବଂ ତାହା ସ୍ଥାନରେ ପ୍ରଚଳିତ ହୋଇଛି ଥାଟ, ମେଳ ପ୍ରଥା। ଏକ ସହଜ ବ୍ୟାବହାରିକ ଏବଂ ସର୍ବସମ୍ମତ ସାଙ୍ଗୀତିକ ସିଦ୍ଧାନ୍ତ ଅନୁସାରେ ଥାଟ, ମେଳକୁ ଭିତ୍ତିକରି ସୃଷ୍ଟି ହୋଇଛି ଶାସ୍ତ୍ରୀୟ ସଙ୍ଗୀତର ରାଗ ନିର୍ମାଣ ପଦ୍ଧତି। ସେହି ନିର୍ମାଣ ତତ୍ତ୍ୱ ଆଧାରରେ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଂଗୀତରେ ପ୍ରାଚୀନ ଓ ନୂତନ ଭାବେ ତିଆରି ହୋଇଛି ଶହଶହ ରାଗ। ଫଳରେ ଶାସ୍ତ୍ରୀୟ ରାଗସମୃଦ୍ଧ ଏହି ଦୁଇ ସଂଗୀତକୁ ସ୍ବତନ୍ତ୍ର ଭାବେ ମିଳିଛି ଶାସ୍ତ୍ରୀୟ ସଂଗୀତର ମାନ୍ୟତା। ଅଥଚ ରାଗରାଗିଣୀ କ୍ଷେତ୍ରରେ ଏକ ସୁଦୀର୍ଘ ଓ ଗୌରବୋଜ୍ଜ୍ୱଳ ପରଂପରା ଥାଇ ବି ସେଥିରୁ ବଞ୍ଚତ୍ତ ହୋଇଛି ସମକାଳୀନ ଓ ସମସ୍ତରୀୟ ଓଡ଼ିଶୀ ସଂଗୀତ। ଏବେ ବି ଆମ ଗୀତ ଗନ୍ତାଘରେ ସାଇତା ହୋଇ ରହିଛି ଶହଶହ ସଂଖ୍ୟାର ରାଗରାଗିଣୀ ଓ ହଜାର ହଜାର ବର୍ଷର ସାଂଗୀତିକ ପରଂପରା।
ବିଶ୍ୱପ୍ରସିଦ୍ଧ ଉକତ୍ଳୀୟ କବି ଶ୍ରୀଜୟଦେବଙ୍କ ରଚିତ ଅମର ଗୀତିକାବ୍ୟ ଶ୍ରୀଗୀତଗୋବିନ୍ଦ ଗ୍ରନ୍ଥରେ ନିର୍ଦ୍ଦେଶିତ (ମଙ୍ଗଳଗୁଜ୍ଜରୀ ଓ ଦେଶବରାଡ଼ି ଆଦି) ରାଗରାଗିଣୀ ଆମ ଗୌରବମୟ ଓଡ଼ିଶୀ (ଉଡ୍ର) ସଂଗୀତ ପରଂପରାର ଅମୂଲ୍ୟ ବିଭବ। ଏହାବ୍ୟତୀତ ବିଚିତ୍ର ଦେଶାକ୍ଷ, ନାଗବଲ୍ଲୀ, ଚକ୍ରକେଳି, ଆନନ୍ଦକେଦାର ଓ ମେଘପର୍ଣ୍ଣୀ ଆଦି ଅନେକ ରାଗ ଅଛି, ଯାହା ଉକତ୍ଳୀୟ ସଂଗୀତ ପରଂପରାର ଏକାନ୍ତ ନିଜସ୍ବ। ଏକଥା ସତ୍ୟ ଯେ ବିଗତ ଶତାବ୍ଦୀରେ ମୋଗଲ ଓ ଇଂରେଜ ଆଦି ବିଦେଶୀ ଶାସନଜନିତ ଅବହେଳା କାରଣରୁ ଓଡ଼ିଶୀ ସଂଗୀତର ବିକାଶ ପଥରେ ଉଭା ହୋଇଛି ନାନା ଅନ୍ତରାୟ। ଦେଶ ସ୍ବାଧୀନ ହେଲାପରେ ବି ଓଡ଼ିଶୀ ସଂଗୀତ ଉପରେ ଯଥାଯଥ ଗବେଷଣା ହୋଇପାରିନି କି ସର୍ବଭାରତୀୟ ସ୍ତରରେ ସମୁଚିତଭାବେ ପ୍ରତିପାଦିତ ହୋଇପାରିନି ତା’ର ବିଭିନ୍ନ ରାଗରାଗିଣୀ ଓ ତାଳ, ମେଳ ଆଦିର ପ୍ରାଚୁର୍ଯ୍ୟ। ଏହି ବିଡ଼ମ୍ବନା ସତ୍ତ୍ୱେ କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ତଥା ଆନ୍ତର୍ଜାତିକ ସ୍ତରରେ ଓଡ଼ିଶୀ ସଂଗୀତକୁ ନେଇ ଅୟୋଜିତ ହେଉଛି ଉଚ୍ଚମାନର ସଂଗୀତ କାର୍ଯ୍ୟକ୍ରମ। ଏଥିରେ ଅଂଶ ଗ୍ରହଣ କରୁଥିବା ଓଡ଼ିଶୀ ସଂଗୀତ ଶିଳ୍ପୀଙ୍କ ଉପରେ ଅଜାଡ଼ି ହୋଇପଡ଼ୁଛି ଅଜସ୍ର ପ୍ରଶଂସା। ଅଥଚ ନିରନ୍ତର ପ୍ରୟାସ ସତ୍ତ୍ୱେ ଅଦ୍ୟାବଧି ଓଡ଼ିଶୀ ସଂଗୀତକୁ ମିଳପାରୁନିି ଶାସ୍ତ୍ରୀୟ ସ୍ବୀକୃତି।
୧୯୪୮ ମସିହାରେ କଟକ ଆକାଶବାଣୀ କେନ୍ଦ୍ର ସ୍ଥାପନ ହେବା ପରଠାରୁ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ମାନ୍ୟତା ଦାବି କରି ଆରମ୍ଭ ହୋଇଛି ସଂଗ୍ରାମ। ବିଭିନ୍ନ ସମୟରେ ଏ ସଂଗ୍ରାମର ମଂଗ ଧରିଛନ୍ତି ଗୁରୁ ବାଳକୃଷ୍ଣ ଦାସ, ସିଂହାରୀ ଶ୍ୟାମସୁନ୍ଦର କର, ମାର୍କଣ୍ଡେୟ ମହାପାତ୍ର ଓ ଗୋପାଳକୃଷ୍ଣ ପଣ୍ଡା ପ୍ରମୁଖ ଅନେକ ଓଡ଼ଶୀ ସଂଗୀତ ବିଶାରଦ। ଏମାନଙ୍କ ନିରବଚ୍ଛିନ୍ନ ପ୍ରୟାସ ବଳରେ ଓଡ଼ିଶୀ ପାରଂପରିକ ଗାୟନ ପଦ୍ଧତି ସର୍ବଭାରତୀୟ ସ୍ତରରେ ସ୍ବୀକୃତି ଲାଭକରିଛି ସତ, ହେଲେ ମାନଦଣ୍ଡ ଆଧାରରେ ପ୍ରମାଣ କରିପାରିନି ଆପଣାର ଶାସ୍ତ୍ରୀୟତା। ଏହାର କାରଣ ନିରୂପଣ କରିବାକୁ ଯାଇ ଓଡ଼ିଶୀ ସଂଗୀତର ନିଜସ୍ବ ଓ ସର୍ବସମ୍ମତ ବ୍ୟାକରଣର ଅଭାବ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ନିୟୋଜିତ ବିଚାରକମଣ୍ଡଳୀ। ଏହି ମର୍ମରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ତଥା ଓଡ଼ିଶୀ ଗବେଷଣା କେନ୍ଦ୍ରରେ ପ୍ରଚଳିତ ଓଡ଼ିଶୀ ସଂଗୀତ ପାଠ୍ୟକ୍ରମର ତ୍ରୁଟିବିଚ୍ୟୁତିକୁ ଚିହ୍ନଟ କରି ସାରିଛନ୍ତି ଅନେକ ଗବେଷକ। ସେମାନଙ୍କ ମତରେ ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ବିଭାଗରେ ଶିକ୍ଷା ଦିଆଯାଉଥିବା ରାଗରାଗିଣୀ ମଧ୍ୟରୁ ଅଳ୍ପ କେତୋଟିକୁ ବାଦ୍‌ ଦେଲେ ଅନ୍ୟ ସବୁଗୁଡ଼ିକ ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ରାଗ ଉପରେ ପର୍ଯ୍ୟବସିତ। ଆମ ପାଇଁ ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଓଡ଼ିଶାରେ ରହିଛି ଦେଶର ପ୍ରଥମ ସଂଗୀତ ମହାବିଦ୍ୟାଳୟ। ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଓଡ଼ିଶୀ ସଂଗୀତର ପ୍ରାଣକେନ୍ଦ୍ର କୁହାଯାଉଥିବା ଏହି ସଂଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ଶିକ୍ଷା ଦିଆଯାଉଛି ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ଶୈଳୀରେ। ସର୍ବଭାରତୀୟ ବିଦ୍ୱାନମାନଙ୍କ ମତରେ ଓଡ଼ିଶୀ ପାଠ୍ୟକ୍ରମରେ ଥିବା ଗାୟନ ଶୈଳୀ ପାରମ୍ପରିକ ଗୀତ ଦୃଷ୍ଟିରୁ ବେଶ୍‌ ସୁନ୍ଦର ହୋଇପାରେ, ମାତ୍ର ହିନ୍ଦୁସ୍ଥାନୀ ଓ କର୍ଣ୍ଣାଟକୀ ସଂଗୀତ ଭଳି ଏଥିରେ ରାଗରୂପର ସ୍ବସ୍ଥାନ ନିୟମମତେ କ୍ରମ ଆଳାପ, ମେଳ ତଥା ସମୟୋପଯୋଗୀ ଉଚ୍ଚାଙ୍ଗ ସଂଗୀତର କଳାତ୍ମକ ବୈଚିତ୍ର୍ୟ ପ୍ରାୟତଃ ନାହିଁ କହିଲେ ଚଳେ। ଉପରୋକ୍ତ ଅଭିଯୋଗର ଯଥାର୍ଥତା ଉପଲବ୍ଧି କରି ଉତ୍କୃଷ୍ଟ ଗାୟନ ଶୈଳୀ ସହିତ ନିଜସ୍ବ ରାଗ ଓ ସ୍ବତନ୍ତ୍ର ମେଳ ଆଦିର ସ୍ବାତନ୍ତ୍ର୍ୟ ପ୍ରମାଣ କରିବା ପାଇଁ ବିଗତ କେତେବର୍ଷ ଧରି ଓଡ଼ିଶୀ ସଂଗୀତ ବିଶାରଦଙ୍କ ପକ୍ଷରୁ ଜାରିରହିଛି ନିରନ୍ତର ପ୍ରୟାସ। ଏହାଦ୍ୱାରା ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ଯୁକ୍ତିକୁ ସୁଦୃଢ ଓ ସୁସଂଗତ କରିବା ନିମନ୍ତେ ଏଥିରେ ପ୍ରୟୋଗ ହୋଇ ପାରିଛି ଓଡ଼ିଶୀ ଶୈଳୀ ଉପଯୋଗୀ ଛନ୍ଦଯୁକ୍ତ ପଦବିସ୍ତାର କ୍ରିୟା ତଥା ପ୍ରାଚୀନ ପଦାବଳୀଗୁଡ଼ିକର ଯଥାର୍ଥ ଓ ଯୁଗୋପଯୋଗୀ ସ୍ବତନ୍ତ୍ର ମେଳ ପଦ୍ଧତି। ମାତ୍ର ଓଡ଼ିଶୀ ସଂଗୀତର ରାଗ ସଂଖ୍ୟାକୁ ନେଇ ବିଶାରଦଙ୍କ ଭିତରେ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଲାଗିରହିଛି ଅହଂର ଲଢେଇ। ଏହି ଲଢେଇ ଅନ୍ତରାଳରେ ଥାଇପାରେ ପ୍ରତିପକ୍ଷ ପାଖକୁ ସମ୍ଭାବ୍ୟ ଶ୍ରେୟ ଚାଲିଯିବାର ଆଶଙ୍କା। ସେ ଯାହା ହେଉନା କାହିଁକି ଏକ ବିଶାଳ ବୁନିଆଦି ଥାଇ ବି ଶାସ୍ତ୍ରୀୟ ମାନ୍ୟତା ନିମନ୍ତେ ବର୍ଷ ବର୍ଷ ଧରି କେନ୍ଦ୍ର ସଂସ୍କୃତି ବିଭାଗର ମୋହରକୁ ଅପେକ୍ଷା କରି ରହିଛି ଓଡ଼ିଶୀ ସଂଗୀତ।
ଆମେ ମନେରଖିବା ଦରକାର ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ସ୍ବୀକୃତି ସମଗ୍ର ଓଡ଼ିଆ ଜାତି ପାଇଁ ଗୌରବର ବିଷୟ। ମାତ୍ର ସମ୍ମିଳିତ ଉଦ୍ୟମ ବିନା ଜାତୀୟ ସ୍ତରରେ ମିଳେନି କୌଣସି ଯୁଗାନ୍ତକାରୀ ସଫଳତା। ଏକଦା ଓଡ଼ିଶାରୁ ଓଡ଼ିଆ ଭାଷାର ଉଚ୍ଛେଦ ପାଇଁ ପ୍ରତିବେଶୀମାନେ ଯେଉଁ ଚକ୍ରାନ୍ତ କରିଥିଲେ ତାକୁ ପ୍ରତିହତ କରିବା ପାଇଁ ଭାଷାପ୍ରେମୀମାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସମ୍ମିଳିତ ଉଦ୍ୟମ। ସେମାନଙ୍କ ବୌଦ୍ଧିକ ଲଢେଇ ଯୋଗୁଁ ବଞ୍ଚତ୍ରହିଲା ଓଡ଼ିଆ ଭାଷା। ଭାଷା ବଞ୍ଚତ୍ଲା ବୋଲି ଭାଷାଭିତ୍ତିକ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଜାତିପ୍ରାଣମାନେ ଏକାଠି ହେଲେ ଉକତ୍ଳ ସମ୍ମିଳନୀ ମଣ୍ଡପରେ। ବ୍ୟର୍ଥ ଗଲା ନାହିଁ ସେମାନଙ୍କ ଉଦ୍ୟମ। ପରବର୍ତ୍ତୀ ସମୟରେ ନିଜସ୍ବ ବ୍ୟାକରଣ ଆଧାରରେ ଗବେଷଣାଲବ୍ଧ ନିଷ୍କର୍ଷର ଯଥାଯଥ ପ୍ରୟୋଗ ତଥା ବହୁ ନଥି, ପୋଥି ଓ ପ୍ରମାଣପତ୍ର ଉପସ୍ଥାପନ ପରେ ଓଡ଼ିଶୀ ନୃତ୍ୟ ଓ ଓଡ଼ିଆ ଭାଷାକୁ ମିଳିଲା ଶାସ୍ତ୍ରୀୟ ମାନ୍ୟତା। ଏହି କ୍ରମରେ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ଯୁକ୍ତିକୁ ସୁଦୃୃଢ ଓ ସୁସଂଗତ ଭାବେ ଉପସ୍ଥାପନ କରିବା ପାଇଁ ଆମ ପାଖରେ ଅଛି ‘ଓଡ଼ଶୀ ରାଗ ପରିଚୟ’, ‘ଓଡ଼ିଶୀ ରାଗ ରନତ୍ାବଳୀ’ ଓ ‘ଓଡ଼ିଶୀ ରାଗ ଦର୍ପଣ’ ଆଦି ବ୍ୟାକରଣ ପୁସ୍ତକ। ବିଶାରଦମାନେ ଏହାକୁ ସର୍ବସମ୍ମତ ବିଜ୍ଞାନ ଭାବରେ ଗ୍ରହଣ କରିନେଲେ ଶାସ୍ତ୍ରୀୟ ସ୍ବୀକୃତି ପାଇବା ଦିଗରେ ଆଉ ରହନ୍ତାନି ବାଧା। ଚଳିତ ଦଶନ୍ଧିରେ ଆମ ଜାତୀୟ ଅସ୍ମିତାକୁ ପଲ୍ଲବିତ କରିସାରିଛି ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା। ନିଷ୍ଠାର ସହ ଉଦ୍ୟମ କରାଗଲେ ଏହି ଦଶନ୍ଧିରେ ସେ ଅସ୍ମିତାକୁ ପୁଣି କୁସୁମିତ ଓ ସୁରଭିତ କରିବ ଓଡ଼ିଶୀ ସଂଗୀତର ଶାସ୍ତ୍ରୀୟ ସ୍ବୀକୃତି।
ବିଜୁପଟ୍ଟନାୟକ ନଗର, ଭଦ୍ରକ, ମୋ- ୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?