ଲୌହମାନବଙ୍କ ସ୍ମରଣେ

ଡା. ସୁରେନ୍ଦ୍ରନାଥ ପତି

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଲୌହମାନବ କୁହାଯାଏ। ସେ ଥିଲେ ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟ।
ଉପପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ପଦରେ ଥାଇ ସେ ଭାରତରେ ଶାନ୍ତି, ମୈତ୍ରୀ, ସଦ୍‌ଭାବ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ଗୁଜରାଟର ନର୍ମଦା ନଦୀରେ ତାଙ୍କ ନାମରେ ସର୍ଦ୍ଦାର ସରୋବର ଡ୍ୟାମ୍‌, ତାଙ୍କ ପ୍ରତିମୂର୍ତ୍ତି ବିଶ୍ୱର ସର୍ବୋଚ୍ଚ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’, ବିଶ୍ୱବିଦ୍ୟାଳୟ, ରାଷ୍ଟ୍ରୀୟ ପୋଲିସ୍‌ ଏକାଡେମୀ, ହାଇଦ୍ରାବାଦ ପରି କେତେକ ଅନୁଷ୍ଠାନ ଏହି ମହାମାନବଙ୍କ ପ୍ରତି ଜାତିର କୃତଜ୍ଞତାର କେତେକ ପ୍ରତୀକ ମାତ୍ର। ଖେଡା ଜିଲାର ନଡିଆଡ୍‌ଠାରେ ୧୮୭୫ ମସିହା, ଅକ୍ଟୋବର ୩୧ରେ ଜନ୍ମିତ ବଲ୍ଲଭଭାଇ ଗାନ୍ଧୀଙ୍କ ପରି ଲଣ୍ଡନରୁ ବାରିଷ୍ଟରୀ ପାସ୍‌ କରିଥିଲେ। ନିଜ ରାଜ୍ୟର ବିଭିନ୍ନ ଗ୍ରାମରେ ସଭା କରି ଲୋକମାନଙ୍କୁ ଦୁର୍ଭିକ୍ଷ କାଳରେ ଖଜଣା ନ ଦେବାକୁ ଆହ୍ବାନ ଦେଇ ସଫଳ ହୋଇଥିଲେ। ଏଥିପାଇଁ ସେ ‘ସର୍ଦ୍ଦାର’ ଉପାଧି ପାଇଥିଲେ। ୧୯୧୭ରେ କଂଗ୍ରେସରେ ଯୋଗଦେଇ ବହୁବାର କାରାବରଣ କରିଥିଲେ। ନାସିକ୍‌ ଜେଲରୁ ପ୍ୟାରୋଲରେ ଖଲାସ ହୋଇ ଭାଇଙ୍କ ମୃତ୍ୟୁ ବେଳେ ଉପସ୍ଥିତ ରହିବାକୁ ସେ ପ୍ରତ୍ୟାଖ୍ୟାନ କଲେ। ଦିନେ କୋର୍ଟରେ ଯୁକ୍ତି ଉପସ୍ଥାପନା କରୁଥିବା ବେଳେ ପତ୍ନୀଙ୍କର କ୍ୟାନସରରେ ମୃତ୍ୟୁ ହୋଇଥିବାର ପତ୍ର ପାଇ ପାଠକରି ରଖିଦେଇଥିଲେ। ମହକିଲଙ୍କୁ ମାମଲାରେ ବିଜୟୀ କରିଥିଲେ ସର୍ଦ୍ଦାର। କର୍ତ୍ତବ୍ୟ ପାଳନ କଲାବେଳେ ତାଙ୍କ ହୃଦୟରେ ବ୍ୟକ୍ତିଗତ ଦୁଃଖ, ଶୋକ ପ୍ରବେଶ କରି ନ ଥାଏ।
ଯେତେବେଳେ ପ୍ରସ୍ତାବ ଆସିଲା, ଧର୍ମ ଭିତ୍ତିରେ ଭାରତ ଭାଗ ହୋଇ ପାକିସ୍ତାନ ସୃଷ୍ଟିହେବ, ମହମ୍ମଦ ଅଲ୍ଲି ଜିନ୍ନା ତୁରନ୍ତ ରାଜି ହୋଇଗଲେ। କିନ୍ତୁ ମହାତ୍ମା ଗାନ୍ଧୀଙ୍କ ସମେତ ଜାତୀୟ କଂଗ୍ରେସର ମୁଖ୍ୟ ନେତାମାନେ ଏହାର ବିରୋଧ କଲେ। ବଲ୍ଲଭଭାଇ ନେହେରୁ, ପ୍ରସାଦ, ମୌଲାନା, ରାଜଗୋପାଳଚାରୀଙ୍କୁ ରାଜି କରାଇ କଂଗ୍ରେସ ନେତୃତ୍ୱରେ (୧୯୪୬) ମନ୍ତ୍ରିମଣ୍ଡଳ ଗଠନ କଲେ। ଜବାହରଲାଲ ନେହେରୁ ପ୍ରଧନମନ୍ତ୍ରୀ ଏବଂ ବଲ୍ଲଭଭାଇ ସ୍ବରାଷ୍ଟ୍ରମନ୍ତ୍ରୀ ପଦ ପାଇଲେ। ଜିନ୍ନା ଈର୍ଷାପରାୟଣ ହୋଇ ସାମ୍ପ୍ରଦାୟିକ ବିଦ୍ରୋହ, ହଣାକଟା କରାଇପାରନ୍ତି ବୋଲି ସେ ଭାବୁଥିଲେ, ଯାହାକି ପରେ ସତ୍ୟ ପ୍ରମାଣିତ ହୋଇଥିଲା। ବହୁ ସ୍ଥାନରେ ଗଣହତ୍ୟା ହୋଇଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ନିଜେ ଗସ୍ତ କରି ସେସବୁକୁ ଲାଘବ କରାଇଲେ। ଦେଶ ବିଭାଜନକୁ ମୂଳରୁ ବିରୋଧ କରୁଥିବା ଗାନ୍ଧିଜୀ ସର୍ବଶେଷରେ ଜନତା ସପକ୍ଷରେ ଉଦ୍‌ବୋଧନ ଦେଇ ସର୍ଦ୍ଦାର ପଟେଲଙ୍କୁ ଏତେ ସମର୍ଥନ ଓ ପ୍ରଶଂସା କଲେ, ଯାହାକୁ ଭାରତବାସୀ ତାଙ୍କର ଉପସ୍ଥିତ ବୁଦ୍ଧି ବୋଲି ଗ୍ରହଣ କରି କମ୍‌ କ୍ଷତିରେ ସବୁ ସମସ୍ୟାର ସମାଧାନ ହେଲା ବୋଲି ମାନିଲେ।
ସର୍ଦ୍ଦାର ସମୁଦାୟ ୫୬୨ଟି ଦେଶୀୟ ରାଜ୍ୟକୁ ଭାରତରେ ମିଶାଇଥିଲେ। ଓଡ଼ିଶାକୁ ଆସି କଟକଠାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ୨୬ଟି ଗଡ଼ଜାତ ରାଜ୍ୟର ସମ୍ମତି ହାସଲ କଲେ। ପ୍ରିଭି ପର୍ସ ପ୍ରସଙ୍ଗ ଏହିଠାରୁ ଆରମ୍ଭ ହେଲା। ଶେଷକୁ ତିନୋଟି ବୃହତ୍‌ ରାଜ୍ୟର ସମସ୍ୟା ସମାଧାନ କରିଥିଲେ। କଶ୍ମୀର ଉପରେ ପାକିସ୍ତାନୀ ରେଞ୍ଜରଙ୍କର ଆଦିବାସୀ ବେଶରେ ଶ୍ରୀନଗର ପର୍ଯ୍ୟନ୍ତ ଅଭିଯାନକୁ ଭାରତୀୟ ସୈନ୍ୟ ପଠାଇ ଅଟକାଇବାରେ ପ୍ରମୁଖ ଭୂମିକା ନେଇଥିଲେ ସର୍ଦ୍ଦାର ପଟେଲ । ରାଜା ହରି ସିଂ ତୁରନ୍ତ ଅକ୍ଟୋବର ୨୬, ୧୯୪୭ରେ ମିଶ୍ରଣ ଚୁକ୍ତିରେ ସ୍ବାକ୍ଷର କରିବା ପରେ ଗଭର୍ଣ୍ଣର ଜେନେରାଲ ଲର୍ଡ ମାଉଣ୍ଟବ୍ୟାଟେନ୍‌ ଏହାକୁ ମଞ୍ଜୁର କଲେ। ପରେ ସୈନ୍ୟ ଓ ଯୁଦ୍ଧ ସରଞ୍ଜାମ ଘାଟିମାନଙ୍କୁ ପ୍ରେରଣ କରାଯାଇଥିଲା। ପରେ ପ୍ରଧାନମନ୍ତ୍ରୀ ନେହେରୁ ଭାରତ-ପାକିସ୍ତାନ ଯୁଦ୍ଧ ପ୍ରସଙ୍ଗରେ ଜାତିସଂଘର ହସ୍ତକ୍ଷେପ ଲୋଡିବାରୁ ବଲ୍ଲଭଭାଇ ଏହାର ନିନ୍ଦା କରିଥିଲେ। ସେହିଦିନରୁ ପିଓକେ ପାକିସ୍ତାନର ଅଧିକୃତ ହୋଇ ରହିଛି। ଜୁନାଗଡର ନବାବଙ୍କୁ ତୁରନ୍ତ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦେଇ ସୈନ୍ୟବାହିନୀ ପ୍ରେରଣ କଲେ। ସେମାନେ କରାଚୀକୁ ରାତ୍ରିରେ ପଳାୟନ କରିଥିଲେ। ସର୍ବଶେଷରେ ନେହେରୁଙ୍କ ବିଦେଶ ଗସ୍ତ କାଳରେ ହାଇଦ୍ରାବାଦକୁ ସେପ୍ଟେମ୍ବର ୧୭, ୧୯୪୮ରେ ଚୁକ୍ତି ବଳରେ ଭାରତରେ ମିଶାଇଥିଲେ।
ବ୍ରିଟିଶ୍‌ ରାଜତ୍ୱରେ ଆଇ.ସି.ଏସ୍‌. ଚାକିରି ଏକ କ୍ଷମତାଶାଳୀ ପଦବୀ ଥିଲା। ସ୍ବାଧୀନତା ପରେ ସର୍ଦ୍ଦାର ପଟେଲ ଏହାକୁ ଆଇ.ଏ.ଏସ.ରେ ପରିଣତ କରି ଦେଶକୁ ସୁଶାସନ ଦେବା ପାଇଁ ଅଫିସରମାନଙ୍କୁ ନିରପେକ୍ଷ ଜନସେବକ ହେବା ପାଇଁ ଆହ୍ବାନ ଦେଇଥିଲେ। ସରକାର ଆସିବେ ଯିବେ ଆଇ.ଏ.ଏସ୍‌. ସେବା ‘ଷ୍ଟିଲ ଫ୍ରେମ୍‌’ ହୋଇ ରହିବ ବୋଲି ସେ କହିଥିଲେ। ତେଣୁ ତାଙ୍କୁ ‘ଫାଦର ଅଫ୍‌ ମଡର୍ନ ଅଲ ଇଣ୍ଡିଆ ସର୍ଭିସେସ୍‌’ ଉପାଧି ପ୍ରଦାନ କରାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ଶାସନ ପ୍ରଣାଳୀ ବିଷୟରେ ବହୁ ସମୟରେ ମତପାର୍ଥକ୍ୟ ଦେଖାଯାଉଥିଲା। କିନ୍ତୁ ଜାତିର ପିତାଙ୍କର ବାଣୀ “A free India needed both Patel and Nehru” ସେମାନଙ୍କୁ ଚୁପ୍‌ କରି ଦେଉଥିଲା।
କ୍ଷମତା ପାଇଁ ସର୍ଦ୍ଦାରଙ୍କ ଆଦୌ ନିଶା ନ ଥିଲା। ପ୍ରଥମଥର ହାର୍ଟ ଆଟାକ୍‌ରେ ସେ ବଞ୍ଚି ଯାଇଥିଲେ। ଦ୍ୱିତୀୟବାର ସେ ଆକ୍ରାନ୍ତ ହୋଇ ୧୯୫୦ ମସିହା, ଡିସେମ୍ବର ୧୫ ତାରିଖରେ ବମ୍ବେଠାରେ ପରଲୋକ ଗମନ କଲେ। ପାଖରେ ଥିଲେ କନ୍ୟା, ମଣିବେନ୍‌ ପଟେଲ ଓ ପୁତ୍ର ଦୟାଭାଇ ପଟେଲ। ଲୌହମାନବ ଦେଶବାସୀଙ୍କର ଚିରସ୍ମରଣୀୟ ଓ ନମସ୍ୟ।
ବଡଶଙ୍ଖ, ପୁରୀ, ମୋ-୯୪୩୭୪୯୪୭୭୬


Enter your email to get our daily news in your inbox.

All Right Reserved By Dharitri.Com

ମନସ୍କାମନା ପୂର୍ଣ୍ଣହେଉ

ବିଶ୍ୱାସ, ଆବେଗ, ମାନସିକତା, ସମର୍ପଣ ଆଦି ମଣିଷ ମନରେ ବିଭିନ୍ନ ସମୟରେ ବିଶେଷ ଭାବରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଜୀବନ ପ୍ରଣାଳୀ ଓ ମାନସିକତାର ସନ୍ତୁଳନରେ ମଣିଷ…

ଚାପରେ ଶିକ୍ଷାନୁଷ୍ଠାନ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱର ଅନ୍ୟତମ ବୃହତ୍ତମ ବ୍ୟବସ୍ଥା, ଯାହା ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ, ଉଚ୍ଚ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ସ୍ତରରେ ବିଭକ୍ତ। ବର୍ତ୍ତମାନ ଏହା…

ଯେଣେତେଣେ ବିଭାଜନ

ଗୋଟେ କଥା ଭାରତବ୍ୟାପୀ ଚର୍ଚ୍ଚା ହେଉଛି ଯେ, ଦୀର୍ଘ ବର୍ଷ ଧରି ଦେଶର ପାରମ୍ପରିକ ରାଜନୈତିକ ଦଳ ଯେଉଁ ପ୍ରକାର ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇ ନ…

ଏଇ ଭାରତରେ

ଶିକ୍ଷା କେବଳ ସରକାରୀ ଚାକିରି ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ସକାଶେ ବାଟ କଢ଼ାଇ ନିଏ, ଯାହା ପ୍ରମାଣ କରିଛନ୍ତି କଶ୍ମୀରର ଜଣେ ମହିଳା। ବନ୍ଦିପୋରାର…

ବାମପନ୍ଥୀ ଓ ସାମ୍ୟବାଦ

ବାମପନ୍ଥୀ ଚିନ୍ତାଧାରାର ସ୍ରଷ୍ଟା କାର୍ଲ ମାର୍କ୍ସ ନୁହନ୍ତି, ବରଂ ସେ ହେଉଛନ୍ତି ଅନେକ ବାମପନ୍ଥୀଙ୍କ ପରି ଜଣେ। ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ କଥା ପ୍ରଥମେ ଆଲୋଚନାକୁ…

ରାଜନୀତିର ଚତୁର ବ୍ୟବସାୟୀ

ଓଡ଼ିଆ ଲୋକସାହିତ୍ୟ ଓ ଗ୍ରାମୀଣ ଚେତନାରେ ଏକ ଢଗ ରହିଛି-‘ପାନ ଗୁଆ ଖଇର ଗୁଆକାତି, ଭଲ ବ୍ୟବସାୟ ରାଜନୀତି।’ ସମସାମୟିକ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ଏହି…

ପାକୁଆ ପାଟିରେ ମାଂସ

ନିଜର ବୟସ ବଢ଼ିଯିବା ଓ ରାଜନୀତି ଏବେ ‘ଅତ୍ୟଧିକ ପ୍ରଦୂଷିତ’ ହୋଇଯାଇଥିବା ଦର୍ଶାଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ୭୯ ବର୍ଷୀୟ ସିଦ୍ଦାରାମୈୟା ୨୦୨୮ ବିଧାନସଭା ନିର୍ବାଚନ ଲଢ଼ିବେ…

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri