ମାତୃପିତୃ ଗୁଣେ ସନ୍ତାନ

ରମେଶ ଚନ୍ଦ୍ର ସାମଲ
ଯେକୌଣସି କାମ କଲେ ଏହାର ଫଳ ଭଲ କିମ୍ବା ମନ୍ଦ ହୋଇଥାଏ। ଭଲ କାମର ଫଳ ଭଲ-ଏହା ଦ୍ୱାରା ସମସ୍ତଙ୍କ ମଙ୍ଗଳ ହୁଏ। ଏହାକୁ ପୁଣ୍ୟ କାର୍ଯ୍ୟ ବୋଲି କୁହାଯାଏ। ମନ୍ଦ, ଦୁଷ୍ଟ କର୍ମର ଫଳକୁ ପାପ କୁହାଯାଏ। ଏହାଦ୍ୱାରା ବହୁ ଲୋକ କ୍ଷତିଗ୍ରସ୍ତ ହୁଅନ୍ତି। ପୁଣ୍ୟ କାମ ପରହିତକର। ପାପ କାର୍ଯ୍ୟ ପରପୀଡ଼କ। ପୁଣ୍ୟ କାର୍ଯ୍ୟ ପାଇଁ ଜଣଙ୍କୁ ସ୍ନେହ ଆଦର ସମ୍ମାନ ମିଳୁଥିବା ସ୍ଥଳେ ପାପୀକୁ ଲୋକେ ଘୃଣା କରନ୍ତି। ତା’ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତି। ଭବିଷ୍ୟତରେ କିଏ କ’ଣ ହେବ ଏହା ତା’ର ପିଲାଦିନରୁ ଜଣାପଡ଼େ। କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ, ବିଛୁଆତି ଦୁଇପତ୍ରରୁ କୁଣ୍ଡାଇ ହୁଏ। ଧର୍ମଶାସ୍ତ୍ରଗୁଡ଼ିକରେ ବର୍ଣ୍ଣିତ ଅଛି ଭଗବାନଙ୍କ ନାମ ନେଇ ଶଯ୍ୟା ତ୍ୟାଗ କରିବାକୁ -‘କରାଗ୍ରେ ବସତେ ଲକ୍ଷ୍ମୀଃ କରମଧ୍ୟେ ସରସ୍ବତୀ, କରମୂଳେ ତୁ ଗୋବିନ୍ଦଃ ପ୍ରଭାତେ କରଦର୍ଶନମ୍‌।’ କର ବା ହାତର ପାପୁଲିକୁ ଦେଖି ଏହି ପ୍ରାର୍ଥନା କରାଯାଏ। କାରଣ ହାତ ଦ୍ୱାରା ସବୁ କାମ କରାଯାଏ, ଯାହାର ଫଳ ଭଲ କିମ୍ବା ମନ୍ଦ ହୁଏ। ଏଣୁ ସକାଳୁ ଭଗବାନଙ୍କ ନାମ ନେଇ ହାତ ଦେଖି କୁହାଯାଏ ଦିନରେ ମୁଁ ଯେଉଁ କାମ କରିବି ଭଲ କାମ କରିବି। ସମୂହ ମଙ୍ଗଳକର କାମ କରିବି, ଦିନଟି ମଙ୍ଗଳ ଓ ଶୁଭଙ୍କର ହେଉ।
ଦିନର ସକାଳ, ଜୀବନର ବାଲ୍ୟକାଳ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ପିଲାଟିର ବାଲ୍ୟକାଳରୁ ତା’ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖି ତାକୁ ଠିକ୍‌ ବାଟରେ ଚଳାଇପାରିଲେ ଭବିଷ୍ୟତରେ ସେ ଭଲ ହୋଇ ସମାଜରେ ବହୁ ପ୍ରତିଷ୍ଠା ଲାଭ କରିବାର ନଜିର ବହୁ କ୍ଷେତ୍ରରେ ଦେଖିବାକୁ ମିଳେ। ପିଲାଟି ଭଲ ହେଲେ ଘରେ, ବାହାରେ, ସ୍କୁଲ କଲେଜରେ ସମସ୍ତେ ତା’ର ବାହା ବାହା କରନ୍ତି। ସମସ୍ତେ ଭଲ ପାଆନ୍ତି। ଦୁଷ୍ଟ ପିଲାକୁ କେହି ଆଦର କରନ୍ତିନି। ଉଭୟ ଭଲ ଓ ମନ୍ଦ କାମ କରି ସମାଜରେ ଲୋକେ ନିଜର ପରିଚୟ ସୃଷ୍ଟି କରନ୍ତି ସତ, ହେଲେ ଭଲ କାମ ପାଇଁ ଜଣେ ଗୁଣୀ ଜ୍ଞାନୀ ମାନସମ୍ମାନ ଓ ସଜ୍ଜନ ଆଖ୍ୟା ପାଉଥିବା ବେଳେ ମନ୍ଦ କାମ ପାଇଁ ଲୋକଟି ଦୁଷ୍ଟ, ଖଳ, ଦୁର୍ଜ୍ଜନ, ଅପରାଧୀ ବିବେଚିତ ହୋଇ ଘୃଣିତ, ନିନ୍ଦିତ ଓ ଦଣ୍ଡିତ ହୁଏ। ପିଲା ଭଲ ହେବା କିମ୍ବା ମନ୍ଦ ହେବା ମା’ବାପାଙ୍କ ଉପରେ ବହୁ ଭାବରେ ନିର୍ଭର କରେ। ମା’ବାପା ପିଲାର ଆଦ୍ୟ ଗୁରୁ। ସେମାନଙ୍କର ଚାଲିଚଳନ, ଆଚାରବିଚାର, ଶିକ୍ଷାଦୀକ୍ଷା ପିଲା ଉପରେ ବହୁ ପ୍ରଭାବ ପକାଏ। ଯାହାର ମା’ବାପା ଯେମିତି ପିଲାଟି ମଧ୍ୟ ଅଧିକାଂଶ କ୍ଷେତ୍ରରେ ସେମିତି ହୋଇଥାଏ। ମଞ୍ଜି ନେଇ ଗଛ।
ଆଜିକାଲି ବହୁ ପିଲା ବିଶୃଙ୍ଖଳ। ଏହାର ମୁଖ୍ୟ କାରଣ ଅନେକ ମା’ବାପା ନିଜେ ଶୃଙ୍ଖଳିତ ନୁହନ୍ତି। ମା’ବାପା ଶୃଙ୍ଖଳିତ ହୋଇ ମଧ୍ୟ କେତେ କ୍ଷେତ୍ରରେ ଦେଖାଯାଏ ପିଲାମାନେ ଦୁଷ୍ଟ ଓ ଅପରାଧପ୍ରବଣ। ଏହାର ବିଭିନ୍ନ କାରଣ ମଧ୍ୟରୁ ପ୍ରଥମ ଓ ସର୍ବଶ୍ରେଷ୍ଠ କାରଣ ହେଉଛି ଅର୍ଥ ଉପାର୍ଜନ ପାଇଁ ଆଜିର ବହୁ ମା’ବାପା ଉଭୟ ଚାକିରି କରୁଛନ୍ତି। ପିଲାର ଦାୟିତ୍ୱ ସେମାନେ ନିଜେ ନେଇ ନ ପାରି ଅନ୍ୟ ଉପରେ ଛାଡି ଦେଉଛନ୍ତି। ଏହି ଦାୟିତ୍ୱ ନେଉଥିବା ବହୁ ଲୋକଙ୍କର ସ୍ବଭାବ ଠିକ୍‌ ନ ଥାଏ। ସେମାନଙ୍କ ସଂସ୍ପର୍ଶ ଓ ବାହାର ବହୁ ଦୁଷ୍ଟ ସାଙ୍ଗସାଥୀଙ୍କ ସମ୍ପର୍କରେ ଆସି ପିଲାମାନେ ଦୁଷ୍ଟ ଓ ଅପରାଧପ୍ରବଣ ହୋଇ ଉଠୁଛନ୍ତି। ପିଲାମାନଙ୍କର ଛୋଟ ଛୋଟ ଅପରାଧ ଉପରେ ଗୁରୁତ୍ୱ ନ ଦେବାରୁ ପିଲାଏ ବଡ଼ ହୋଇ ବଡ଼ ବଡ଼ ଅପରାଧ କରିବସୁଛନ୍ତି। ଘରେ ବାହାରେ ଦଣ୍ଡିତ ହେବା ସହିତ କୋର୍ଟକଚେରିରେ ଦଣ୍ଡିତ ହୋଇ ଜେଲ ଭୋଗୁଛନ୍ତି। ଜଘନ୍ୟ ଅପରାଧ କରି ମୃତ୍ୟୁଦଣ୍ଡ ମଧ୍ୟ କେତେକ କ୍ଷେତ୍ରରେ ଭୋଗୁଛନ୍ତି। ଏସବୁ ପିଲାମାନଙ୍କର ସୁପରିଚାଳନାର ଅଭାବ ଓ ଅତ୍ୟଧିକ ସ୍ନେହ ପରବଶ ହୋଇ ସେମାନଙ୍କ ଦୋଷଦୁର୍ବଳତା ପ୍ରତି ଆଖି ବୁଜିଦେବା ଯୋଗୁ ଏପରି ଘଟୁଛି। ପିଲାମାନଙ୍କୁ ସ୍ନେହଶ୍ରଦ୍ଧା କରିବା ସହିତ ଦୋଷ ପାଇଁ ଦଣ୍ଡ ଦେବା ମଧ୍ୟ ଉଚିତ। ଏଥିପାଇଁ ଚାଣକ୍ୟ କହିଛନ୍ତି- ‘ଲାଳୟେତ୍‌ ପଞ୍ଚବର୍ଷାଣି ଦଶବର୍ଷାଣି ତାଡୟେତ୍‌, ପ୍ରାପ୍ତେ ତୁ ଷୋଡ଼ଶେ ବର୍ଷେ ପୁତ୍ରମ୍‌ ମିତ୍ରବଦାଚରେତ୍‌।’ ଏହାର ଗୁରୁତ୍ୱ କେହି ଉପଲବ୍ଧି କରୁନାହାନ୍ତି।
ଦୁଷ୍ଟାମି ପାଇଁ ସେ ପିଲା ହେଉ କିମ୍ବା ବଡ଼ଲୋକ ସମସ୍ତେ ଏମାନଙ୍କୁ ଘୃଣା କରନ୍ତି। ଏମାନଙ୍କ ସହିତ କେହି କିଛି ସମ୍ପର୍କ ରଖିବାକୁ ପସନ୍ଦ କରନ୍ତିନି। ପିଲାଟି ହୋଇଥିଲେ ସ୍କୁଲରେ ସାଙ୍ଗସାଥୀଙ୍କ ମେଳରେ ମାଡ଼ଗାଳି ଓ ଭର୍ତ୍ସନାର ଶିକାର ହୁଏ। କେହି ତା’ସାଙ୍ଗରେ ସାଙ୍ଗ ନ ହେବା ଯୋଗୁ ସେ ଏକଘରିଆ ପ୍ରାୟ ହୋଇଯାଏ। ବଡ଼ ଲୋକଟିର ଦୁଷ୍ଟାମି ପାଇଁ ସେ ସଭାସମିତି ସବୁଠି ନିନ୍ଦିତ ହୁଏ। ଗର୍ହିତ ଅପରାଧ କରି ଦଣ୍ଡିତ ହୁଏ। ପିଲାଦିନୁ ଯଦି ଏଥିପ୍ରତି ଦୃଷ୍ଟି ଦିଆଯାଇଥାନ୍ତା ଏଭଳି ପରିସ୍ଥିତିକୁ ଏଡେଇ ଦିଆଯାଇ ପାରିଥାନ୍ତା। ପିଲାଦିନ ଜୀବନର ଏକ ଘଡିସନ୍ଧି ମୁହୂର୍ତ୍ତ। ଏହି ସମୟରେ ପିଲାଟିର ଚରିତ୍ର ଗଠନ ହୁଏ। କଥାରେ ଅଛି ‘ଯାହା ନୋହିଛି ବାଳକାଳେ ତାହା କି ହେବ ପାଚିଲା ବାଳେ’। କାଦୁଅ ମେଞ୍ଚାଟିରେ ଯେକୌଣସି ମୂର୍ତ୍ତି ଗଢ଼ାଯାଇପାରେ। ମୂର୍ତ୍ତି ଗଢ଼ା ହୋଇ ଶୁଖି ସାରିଲା ପରେ ଏହାର କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ ସମ୍ଭବ ହୋଇପାରେନା। ଏଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ପିଲାଙ୍କର ଉତ୍ତମ ଦେଖାଶୁଣା କରିବା ସହିତ ସେ ଯେପରି ସାଙ୍ଗସାଥୀ ମେଳରେ ମିଶି ପଥଭ୍ରଷ୍ଟ ନ ହୁଏ, ସେଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିବା ଦରକାର।
ଆଜିର ପିଲାଏ ବସ୍ତୁବାଦୀ ହୋଇ ଉଠୁଛନ୍ତି। ମା’ବାପା ଓ ଅନ୍ୟ ଗୁରୁଜନମାନେ ପିଲାମାନଙ୍କର ସୁପରିଚାଳନା ଓ ସେମାନଙ୍କ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସେମାନଙ୍କ ମନରେ ଧର୍ମଶାସ୍ତ୍ରଗୁଡ଼ିକରେ ବର୍ଣ୍ଣିତ ପାପ ଓ ପୁଣ୍ୟ ଓ ଏହାର ଫଳାଫଳ ବିଷୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଏହା ପିଲା ଉପରେ ନିଶ୍ଚିତ ଭଲ ପ୍ରଭାବ ପକାଇବ। ସେ ଜାଣିବ ଏ ଜନ୍ମରେ କେବଳ ପାପପୁଣ୍ୟର ଫଳାଫଳ ମିଳେନା, ସୁଦୂରପ୍ରସାରୀ ପୁଣ୍ୟ କାମ କରି ମଣିଷ ଜନ୍ମ ଜନ୍ମାନ୍ତରେ ସୁଖଶାନ୍ତି, ମାନସମ୍ମାନ, ଐଶ୍ୱର୍ଯ୍ୟ ଆଦି ବହୁ କିଛି ପାଏ। ସମାଜରେ ବହୁ ପ୍ରତିଷ୍ଠା ଲାଭକରି ନିଜର ନାଁ ବିକଶିତ କରିିବା ସହିତ ଦେଶଜାତି ପାଇଁ ବହୁ ଗୌରବ ଆଣେ। ଅନ୍ୟପକ୍ଷରେ ପାପ କରି ଇହ ଜନ୍ମରେ ବହୁ ଦଣ୍ଡ ଦୁର୍ନାମ ପାଇବା ସହିତ ମଲା ପରେ ଯମଦଣ୍ଡ ଭୋଗ କରେ। ପର ଜନ୍ମରେ ନୀଚ ଘରେ ଜନ୍ମଲାଭ କରି ବହୁ ଦୁଃଖକଷ୍ଟ ପାଏ। ସେ ପୂର୍ବଜନ୍ମର କାମ ପାଇଁ ଟେକାର ଜବାବ ପଥରରେ ପାଏ। ଦୁଷ୍କର୍ମର ମାତ୍ରା ଅତ୍ୟଧିକ ଥିଲେ ମଣିଷ ଜନ୍ମ ନ ପାଇ କୀଟପତଙ୍ଗ ଜନ୍ମ ନେଇ ବହୁ ଦୁଃଖକଷ୍ଟ ପାଏ। ନାଳନର୍ଦ୍ଦମାରେ ତା’ର ଜୀବନ କଟେ। ଏସବୁ ବିଷୟରେ ପିଲାକୁ ସଚେତନ କରାଇପାରିଲେ ସେ ନିଶ୍ଚୟ କୌଣସି ଦୁଷ୍ଟ ଓ ପାପ କାମ ପାଇଁ ଭୟଭୀତ ହେବ, ସେ ଏପରି କାମ କରିବାରୁ ନିବୃତ୍ତ ହେବ।
ରାମିଆଗଞ୍ଜ, ମାର୍ଶାଘାଇ, କେନ୍ଦ୍ରାପଡ଼ା, ମୋ-୯୪୩୯୮୭୯୦୨୨


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri