Posted inଫୁରସତ

ମାଆର ମାଗୁଣି

ମୋ’ ବସ୍‌ ରାଜରାସ୍ତାରେ ଗଡ଼ିବା ଆରମ୍ଭ କରିଥିଲା। ବସ୍‌ ଭିତରେ ବିଶେଷ ଭିଡ଼ ନ ଥିଲା । ପଛପଟକୁ ଗୋଟେ କଡ଼ିକିଆ ସିଟ୍‌ ଅକ୍ତିଆର କରି ବସିଗଲି ମୁଁ। ମୋର ସବୁବେଳେ ଝରକା କଡ଼ ସିଟ୍‌ ହିଁ ପସନ୍ଦ। କାରଣ ଏଥିରେ ଗୋଟିଏ ଟିକେଟର ପଇସାରେ ବସ୍‌ ଯାତ୍ରା ସହିତ ଥଣ୍ଡା ପବନ ଫ୍ରି। ଏକ କେ ସାଥ ଏକ ଫ୍ରି, ଫ୍ରି, ଫ୍ରି। ମୁଁ ଝରକାର କାଚକୁ ଆଉ ଟିକେ ପଛକୁ ଠେଲି ଦେଇ ସଜାଡି ହୋଇ ବସିଲି। କାନ୍ଧରୁ ଭ୍ୟାନିଟି ବ୍ୟାଗ ଆଣି କୋଳରେ ରଖିଲି ଆଉ ଟିଫିନ ବ୍ୟାଗଟିକୁ ରଖିଦେଲି ଗୋଡ଼ ତଳେ। ଏବେ ନିଜ ଉପରୁ ଧ୍ୟାନ ହଟେଇ ଟିକେ ଆଖି ପହଁରେଇ ଆଣିଲି ବସ୍‌ ଭିତରେ। ମଣିଷ ସବୁବେଳେ ଏମିତି ସ୍ବାର୍ଥପର। ନିଜର ସବୁ କିଛି ଠିକ୍‌ଠାକ୍‌ ହେଲା ପରେ ଯାଇ ତା’ର ଦୃଷ୍ଟି ଯାଏ ଅନ୍ୟ ଦିଗକୁ। ମୋ ସାମ୍ନା ସିଟ୍‌ରେ ଦୁଇ ଜଣ ବସିଥିଲେ। ଜଣେ ବୟସ୍କା ମହିଳା ଆଉ ଜଣେ ପୁରୁଷ। ପୁରୁଷଙ୍କର କାନ ପାଖର ଦର ପାଚିଲା କେଶ ଜଣାଉଥିଲା ସିଏ ଖୁବ୍‌ ବେଶି ବୟସ୍କ ନ ହେଲେ ମଧ୍ୟ ପଚାଶ ପାରି ବୟସ ହେବ ତାଙ୍କୁ। ସମ୍ପର୍କରେ ମାଆ-ପୁଅ। ବୟସ୍କା ଗ୍ରାମୀଣ ମହିଳାଙ୍କ ଦେହରେ ଖଣ୍ଡେ କୁମ୍ଭପକା ସମ୍ବଲପୁରୀ କସ୍ତା ଶାଢ଼ି । କାନ୍ଧ ଉପରେ ପଡିଛି ଗୋଟେ ରୁଆ ଉଠା ନାଲି ଶାଲ। ସିଏ ଅନବରତ ଝରକା ଦେଇ ଚାହୁଁଥାନ୍ତି ବାହାରକୁ। ବାହାରେ ସା ନଇଁବା ଆରମ୍ଭ ହୋଇ ଯାଇଥାଏ । ହେଲେ ଏବେ ବି ଆଉ କିଛି ସୁନେଲି ଆଭା ବାକି ରହି ଯାଇଥାଏ ଆକାଶ ଛାତିରେ।
– କେଡ଼େ କେଡ଼େ କୋଠା ଏଠି, ଆକାଶକୁ ଛୁଏଁ, ନ ଛୁଏଁ ….. ଏତେ ବଡ଼ କୋଠାରେ କ’ଣ ଗୋଟିଏ ଲୋକ ରହେ। ତା’ର ବୋଧେ ବଡ଼ ପରିବାର ହୋଇଥିବ।
– ନା, ଏଇଟା ଆପାର୍ଟମେଣ୍ଟ।
ଗୁଡ଼ାଏ ପରିବାର ରୁହନ୍ତି ଏଠି। – ଏଇଠି ବୋଧେ ବାହାଘର ହଉଛି ନା କ’ଣ …….. ଦେଖୁନୁ, କେତେ ସୁନ୍ଦର କରି ସଜେଇଛନ୍ତି।
– ନା ନା ସେଇଟା ଗୋଟେ ହୋଟେଲ।
ମାଆ-ପୁଅଙ୍କ ଭିତରେ କଥାବାର୍ତ୍ତା ଚାଲିଥାଏ। ଗ୍ରାମୀଣ ମହିଳା ଜଣକ ବୋଧହୁଏ ପ୍ରଥମ ଥର ପାଇଁ ଆସିଛନ୍ତି ସହରକୁ। ଏତେ ବଡ଼ ସହର, ଏତେ ଲୋକବାକ, ଗାଡ଼ିଘୋଡ଼ା। ଏ ସବୁ ମିଶି ତାଙ୍କୁ ଚକିତ କରି ଦେବାକୁ ଯଥେଷ୍ଟ। ଶିଶୁସୁଲଭ ଜିଜ୍ଞାସାରେ ସିଏ ପଚାରି ଚାଲିଥାନ୍ତି ପ୍ରଶ୍ନ ପରେ ପ୍ରଶ୍ନ। ପୁଅର ମୋବାଇଲ ଫୋନ ବାରମ୍ବାର ବାଜୁଥାଏ। ସିଏ ମାଆକୁ ଇସାରାରେ ଚୁପ ରହିବାକୁ କହି ଫୋନରେ କଥା ହେଉଥାଏ।
– ଏତେ ବଡ଼ କୋଠାରେ ଚଢ଼ିବା ପାଇଁ ତ ଖୁବ୍‌ ବଡ଼ ନିଶୁଣି ଲୋଡ଼ା ହେଉଥିବ, ନୁହେଁ ! ମୋତେ ନିଶୁଣିରେ ଚଢ଼ିବାକୁ ଭାରି ଡର ମାଡ଼େ। ଆମ ଘର ଆଟୁରେ ଚଢ଼ିବା ପାଇଁ ଗୋଟେ ବାଉଁଶ ନିଶୁଣି ଥିଲା। ହେଲେ ମୁଁ ସେଥିରେ ଜମାରୁ ଚଢ଼େନା। ଦୁଇ ପାଦ ଯାଇଥିବି କି ନାହିଁ ମୋର ମୁଣ୍ଡ ବୁଲେଇବା ଆରମ୍ଭ ହୋଇଯାଏ। ଲାଗେ ଗଳି ପଡ଼ିବି ତଳକୁ – କହି ସାରି ହସନ୍ତି ମହିଳା। ପୁଅ କିଛି ଉତ୍ତର ନ ଦେଇ କେବଳ ଗାଢ଼େଇ ଚାହେଁ ତାଙ୍କୁ। ସା ନଇଁ ସାରିଥିଲା। ଚାରିଆଡ଼େ ଜଳି ଉଠିଥିଲା ମାଳ ମାଳ ଆଲୁଅ। ମହିଳା ଜଣକ ଖୁବ୍‌ ଆଗ୍ରହରେ ପଚାରୁଥିଲେ –
– ପୁଅ ଏଇ ସହରରେ ତ କେବେ ହେଲେ ରାତି ହେଉ ନ ଥିବ । ଦେଖୁନୁ କେମିତି ଦିନ ନେଖା ନାଗୁଛି । ଆମ ଗାଁ ହେଇଥିନେ ଏତେ ବେଳକୁ ପହରିକିଆ ବିଲୁଆ ଭୁକନ୍ତାଣି ।
ତା’ହେଲେ ଏଠି ଲୋକମାନେ ଶୁଅନ୍ତି କେତେବେଳେ ? ନା’ ଏଠିକା ଲୋକମାନେ ରାତି ଯାକ ଜାଗନ୍ତି ।
ମାଆ ବଡ଼ ଆଗ୍ରହରେ ଚାହିଁଥିଲା ପୁଅକୁ।
ଅଦିନିଆ ବର୍ଷାରେ ବି ନଈକୂଳ ଖାଏ। ବନ୍ଧବାଡ଼ ଭାଙ୍ଗି ମାଡ଼ି ଯାଏ। ଦେଖେନା ଅଥାନ ମଥାନ। ପୁଅର ଧୈର୍ଯ୍ୟର ବନ୍ଧ ବି ଭାଙ୍ଗିଗଲା। ଦେଖିଲାନି ସିଏ ରାସ୍ତାଘାଟ, ମାନିଲାନି ଲୋକାଚାର। ବିରକ୍ତିରେ ଦାନ୍ତ ଚିପି କହିଲା , କାହିଁକି ଗୋଟେ ସେତିକିବେଳୁ ବକର ବକର ହଉଛୁ , ହାଁ ! ଚୁପ ହେଇ ବସିପାରୁନୁ ।
ସେତିକିବେଳୁ ବକ ବକ କରି ମୋତେ ବିରକ୍ତ କରି ସାରିଲୁଣୁ । ଯାହା ଦେଖିବା କଥା ଚୁପଚାପ ହେଇ ବସି ଦେଖ। ମୋତେ ଜମା ବିରକ୍ତ କରନା କହିଦଉଛି ।
କହିସାରି ପୁଅ ଫେସବୁକ, ହ୍ବାଟ୍‌ସ ଆପ୍‌ରେ ମନ ଦେଲା।
ମହିଳା ଜଣକ ଥରେ ବିକଳ ହୋଇ ଚାହିଁଲେ ପୁଅକୁ। ତା’ପରେ ମୁହଁ ବୁଲେଇ ନେଲେ ଝରକା ଆଡ଼କୁ। ବୋଧହୁଏ ଲୁହ ଲୁଚେଇବାକୁ ଚେଷ୍ଟା କରୁଥିଲେ।
ଏଇ ପୁଅ ଯିଏ ଦୁଇ/ ତିନୋଟି ବାକ୍ୟର ଚାପୁଡା ମାରି ଏକବାରେ ଚୁପ କରି ଦେଇ ପାରିଥିଲା ଜଣେ ଉତ୍ତୀର୍ଣ୍ଣ ବୟସ୍କା ମହିଳାଙ୍କର ଶିଶୁସୁଲଭ ଜିଜ୍ଞାସାକୁ, ସେଇ ପୁଅ ବି କେବେ ଦିନେ ଏମିତି ବକର ବକର ହେଇଥିବ। ତା’ର ଦରୋଟି ଭାଷାରେ ଅନେକ ପ୍ରଶ୍ନ ପଚାରିଥିବ। ସା ହେଲେ ସୂର୍ଯ୍ୟ କେଉଁଠି ଲୁଚି ଯାଆନ୍ତି ? ଆମ ଗାଁର ଦାଢିଆବାବା ଯାହାକୁ ତୁ ପିଲାଚୋର ବୋଲି କହୁ, ଯିଏ ଦୁଷ୍ଟ ପିଲାମାନଙ୍କୁ ତାଙ୍କ ମୁଣିରେ ପୂରେଇ ନେଇଯା’ନ୍ତି , ସିଏ କ’ଣ ତାକୁ ଚୋରି କରି ନେଇଗଲା? ସିଏ ଆଉ କି ଦୁଷ୍ଟାମି କରିଥିଲେ କି ? ସକାଳୁ ପୁଣି କେମିତି ତା’ କବଳରୁ ମୁକୁଳିଲେ ସିଏ ? ନଡ଼ିଆ ଗଛରୁ ନଡ଼ିଆ ଖସେ କେମିତି ? ଯଦିବା ଛିଡି ପଡିଲା ତେବେ ଉପରକୁ ଉଡି ନ ଯାଇ ତଳକୁ ଆସିଲା କାହିଁକି ? ତୁ ଶୋଇଲା ବେଳେ ସବୁ ଦିନ ମୋତେ କହୁ , ଆ’ ଜହ୍ନମାମୁ ଶରଦ ଶଶୀ, ମୋ କାହ୍ନୁ ହାତରେ ପଡରେ ଖସି, ହେଲେ ଜହ୍ନ ଯଦି ମୋର ମାମୁ ତେବେ ସିଏ ଏମିତି ଆକାଶରେ ଝୁଲୁଛନ୍ତି କାହିଁକି ? ଇତ୍ୟାଦି ଇତ୍ୟାଦି ଶହ ଶହ ପ୍ରଶ୍ନ। ଯେଉଁ ପ୍ରଶ୍ନର ଉତ୍ତର ଦେବା ହୁଏତ ତା’ର ମାଆ ପାଇଁ ଏତେ ସହଜ ନ ଥିବ। ତଥାପି ତା’ର ମାଆ ତାକୁ ଉତ୍ତର ଦେଇ ବୁଝେଇବାକୁ ଚେଷ୍ଟା କରିଥିବ। ମୋ ପୁଅର କେତେ ବୁଦ୍ଧି। କେତେ କଥା ପଚାରୁଛି କହି ଅନ୍ୟମାନଙ୍କ ଆଗରେ ପୁଅ ପାଇଁ ଗର୍ବିତ ମଧ୍ୟ ହୋଇଥିବ। ବିରକ୍ତି ନୁହେଁ ବରଂ ଖୁସିର ଆତିଶଯ୍ୟରେ ମାଆ ଭାଙ୍ଗିଥିବ ବନ୍ଧବାଡ଼।
ମାଆର ଦୃଷ୍ଟି ଲମ୍ବି ଯାଇଥିଲା ବାହାରକୁ। ବୋଧହୁଏ ଆକାଶର ବ୍ୟାପ୍ତତାକୁ ସିଏ ଉଧାର ମାଗୁଥିଲା ଚଳୁଏ ଧୈର୍ଯ୍ୟ, ଟିପେ ସହନଶୀଳତା; ଯାହାକୁ ଅବଲମ୍ବନ କରି ସିଏ ହୁଏତ ହଜମ କରି ନେଇପାରିବ ଆଉ କିଛି ବିରକ୍ତି ଓ ଅବହେଳାକୁ ।

ନନ୍ଦିତା ମହାନ୍ତି
-ରାଜଭବନ ପୋଷ୍ଟଅଫିସ, ଭୁବନେଶ୍ୱର
ମୋ-୮୨୪୯୪୩୭୨୭୬


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri