Posted inଜାତୀୟ

ମହାରାଷ୍ଟ୍ରରେ ଭାଜପା ଖେଳ ଶେଷ:ପରାଜୟ ପୂର୍ବରୁ ପଳାୟନ

ନୂଆଦିଲ୍ଲୀ/ମୁମ୍ବାଇ,୨୭-୧୧:ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ଚାଲିଥିବା ଭାଜପାର ସଂଖ୍ୟାଖେଳ ଶେଷ ହୋଇଯାଇଛି। ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥାଭୋଟର ସମ୍ମୁଖୀନ ହୋଇ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାରୁ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାଓ୍ବର ଓ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଇସ୍ତଫା ଦେଇଛନ୍ତି। ଶକ୍ତିପରୀକ୍ଷାରେ ପରାଜୟ ସୁନିଶ୍ଚିତ ଜାଣି ଅପଦସ୍ତ ହେବା ଭୟରେ ଉଭୟେ ନିଜ ନିଜ ପଦ ଛାଡ଼ିଦେଇଥିବା କୁହାଯାଉଛି। ଶିବସେନା ନେତୃତ୍ୱରେ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଓ କଂଗ୍ରେସକୁ ନେଇ ଗଠିତ ମହାବିକାଶ ଅଘାଡ଼ି ସରକାର ଗଠନ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମ ପଥ ପରିଷ୍କାର କରିଛି। ଆସନ୍ତା ୨୮ ତାରିଖରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ। ଏନ୍‌ସିପିର ଜୟନ୍ତ ପାଟିଲ ଓ କଂଗ୍ରେସର ବାଲାସାହେବ ଥୋରାଟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ଆସ୍ଥାଭୋଟ କରାଇବା ପାଇଁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ବରିଷ୍ଠ ଭାଜପା ବିଧାୟକ କାଳିଦାସ କୋଲମ୍ବକରଙ୍କୁ ପ୍ରୋଟେମ୍‌ ସ୍ପିକର(କାମଚଳା ବାଚସ୍ପତି) ଭାବେ ନିଯୁକ୍ତ କରିଛନ୍ତି। କାଳିଦାସ ଅବଶିଷ୍ଟ ୨୮୭ ବିଧାୟକଙ୍କୁ ଶପଥପାଠ କରାଇବା ପରେ ଦେବେନ୍ଦ୍ରଙ୍କ ପରିବର୍ତ୍ତେ ଉଦ୍ଧବ ଶକ୍ତିପରୀକ୍ଷା ଦେବେ। ଉଦ୍ଧବଙ୍କ ନେତୃତ୍ୱାଧୀନ ମେଣ୍ଟ ପାଖରେ ସଂଖ୍ୟାଗରିଷ୍ଠତା ଥିବାରୁ ସେ ଆସ୍ଥାଭୋଟରେ ବିଜୟୀ ହେବା ଏକପ୍ରକାର ନିଶ୍ଚିତ। ସମ୍ବିଧାନ ଦିବସରେ ସର୍ବୋଚ୍ଚ ଅଦାଲତଙ୍କ ରାୟ ଭାଜପାକୁ ଶକ୍ତ ଝଟକା ଦେବା ସହ ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଭବିଷ୍ୟତ ରାଜନୀତି ସକାଶେ ନୂଆ ବାଟ କାଢ଼ିଦେଇଛି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଫଳାଫଳ ଆସିବାର ମାସେରୁ ଊର୍ଦ୍ଧ୍ୱ ସମୟ ବିତିଯିବା ପରେ ରାଜ୍ୟ ରାଜନୀତିର ଭାଗ୍ୟାକାଶରୁ କଳାବାଦଲ ହଟିଛି। ଅକ୍ଟୋବର ୨୧ ନିର୍ବାଚନର ଫଳ ୨୪ ତାରିଖରେ ପ୍ରକାଶ ପାଇବା ପରେ ରାଜ୍ୟରେ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଥିଲା। ଭାଜପାକୁ ୧୦୫ ଓ ଏହାର ପ୍ରାକ୍‌ ନିର୍ବାଚନୀ ସହଯୋଗୀ ଶିବସେନାକୁ ୫୬ ଆସନରେ ସଫଳତା ମିଳିଥିବାବେଳେ ଏନ୍‌ସିପି ୫୪ ଓ କଂଗ୍ରେସ ୪୪ ଆସନ ଦଖଲ କରିଥିଲେ। ନିର୍ଦ୍ଧାରିତ ସମୟରେ କୌଣସି ଦଳ ସରକାର ଗଠନ କରିପାରି ନ ଥିବା ଦର୍ଶାଇ ରାଜ୍ୟପାଳ କୋଶିୟାରୀ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଥିଲେ। ନଭେମ୍ବର ୧୨ରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। ୨୨ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଦ୍ଧବଙ୍କ ନାମକୁ ନେଇ ନିର୍ବାଚନ ପରବର୍ତ୍ତୀ ମେଣ୍ଟରେ ସହମତି ପ୍ରକାଶ ପାଇଥିଲା। ପରଦିନ ସକାଳେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାବେଳେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ନାଟକ। ରାତିଅଧରେ ବାଜି ପଲଟିଯାଇଥିଲା। ୨୩ ତାରିଖ ଭୋର ୫ଟା ୪୭ରେ ରାଷ୍ଟ୍ରପତି ଶାସନ ହଟାଇ ଦିଆଗଲା। ଦେବେନ୍ଦ୍ର ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ନିଷ୍ପତ୍ତିକୁ ଶନିବାର ସୁପ୍ରିମକୋର୍ଟରେ ମହା ବିକାଶ ଅଘାଡ଼ି ଚ୍ୟାଲେଞ୍ଜ୍‌ କଲା। ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ ଦାଏର ପିଟିଶନର ଶୁଣାଣି ସୋମବାର ଶେଷ କରି ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ। ଜଷ୍ଟିସ୍‌ ଏନ୍‌.ଭି. ରମାନ୍ନାଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଆଶୋକ ଭୂଷଣ ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ମଙ୍ଗଳବାର ଏହି ରାୟ ଶୁଣାଇଛନ୍ତି। କର୍ନାଟକ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ ବେଳେ ସୁପ୍ରିମକୋର୍ଟଙ୍କ ରାୟର ଅବତାରଣା କରି ଖଣ୍ଡପୀଠ ଫଡ୍‌ନବିସଙ୍କୁ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଫ୍ଲୋରଟେଷ୍ଟ ବେଳେ ଗୁପ୍ତ ମତଦାନ ପରିବର୍ତ୍ତେ ଓପନ୍‌ ଭୋଟିଂ କରାଯିବ। ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟାର ସିଧାପ୍ରସାରଣ ଓ ଭିଡିଓ ରେକର୍ଡିଂ କରିବାକୁ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ। ଫଳରେ ଉଭୟ ରାଜ୍ୟପାଳ ଓ ଫଡ୍‌ନବିସ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା।
ସେପଟେ ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କ ଉପରେ ଉଭୟ ଦଳ ଓ ପରିବାର ପକ୍ଷରୁ ଚାପ ବଢ଼ିଚାଲିଥିଲା। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର, ଝିଅ ସୁପ୍ରିୟା ସୁଲେ, ଜ୍ୱାଇଁ ସଦାନନ୍ଦ ସୁଲେ, ଦଳର ବରିଷ୍ଠ ନେତା ଛଗନ ଭୁଜବଳ, ପ୍ରଫୁଲ ପଟେଲ ପ୍ରମୁଖ ଅଜିତଙ୍କୁ ସୋଫିଟେଲ ହୋଟେଲରେ ପୃଥକ୍‌ ଭାବେ ଭେଟି ଫେରିଆସିବାକୁ ଶେଷଥର ପାଇଁ ବୁଝାଶୁଝା କରିଥିଲେ। ଅପରାହ୍ନରେ ଅଜିତ ମୁଖ୍ୟମନ୍ତ୍ରୀ ଫଡ୍‌ନିବସଙ୍କ ପାଖକୁ ଯାଇ ଇସ୍ତଫା ଦେଇଥିଲେ। ସେ ବ୍ୟକ୍ତିଗତ କାରଣରୁ ପଦ ଛାଡ଼ିଥିବା କହିଛନ୍ତି। ସେହିପରି ଅପରାହ୍ନ ୩ଟା ୩୦ରେ ଫଡ୍‌ନବିସ ଖବରଦାତା ସମ୍ମିଳନୀରେ ସଂଖ୍ୟା ଅଭାବରୁ ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା କହିଥିଲେ। ପରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଏହା ସହ ଫଡ୍‌ନବିସଙ୍କ ୭୯ ଘଣ୍ଟା କ୍ଷମତାର ଅବସାନ ଘଟିଥିଲା। ଇତିମଧ୍ୟରେ ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ ଉଦ୍ଧବଙ୍କୁ ମେଣ୍ଟ ନେତା ଭାବେ ଚୟନ କରାଯାଇଛି। ଉଦ୍ଧବ ଡିସେମ୍ବର ୧ରେ ମୁମ୍ବାଇର ଶିବାଜୀ ପାର୍କ(ଯେଉଁଠି ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କୁ ସମାଧି ଦିଆଯାଇଛି)ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ଏନ୍‌ସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ ଓ କଂଗ୍ରେସ ନେତା ବାଲାସାହେବ ଥୋରାଟ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ଶପଥପାଠ କରାଇବେ ବୋଲି ସ୍ଥିର ହୋଇଛି। ତେବେ ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାରୁ ଆନୁଷ୍ଠାନିକ ଭାବେ କୌଣସି କାର୍ଯ୍ୟ ନ ହେବା ଯାଏ ତାକୁ ଚୂଡ଼ାନ୍ତ ବୋଲି କହିହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

PM ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ: ନୀତିନ ନବୀନ କହିଲେ- ଅକ୍ଟୋବର ୨ରେ…

ନୂଆଦିଲ୍ଲୀ,୯।୯: ଭାରତୀୟ ଜନତା ପାର୍ଟି (BJP) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ଜୀବନର ୨୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ମାସରେ ‘ସେବା ସଂକଳ୍ପ ଅଭିଯାନ’…

BJP ଅଫିସ୍‌ରେ ଆତଙ୍କ! AC ତଳୁ ବାହାରିଲା ୫ ଫୁଟ୍‌ର କିଙ୍ଗ କୋବ୍ରା, ତା’ପରେ…

ସୀତାପୁର,୯।୯: ଉତ୍ତରପ୍ରଦେଶର ସୀତାପୁରରେ ବୁଧବାର ସକାଳେ BJP କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା ଆତଙ୍କଜନକ ଦୃଶ୍ୟ। କାର୍ଯ୍ୟାଳୟରେ ଥିବା କର୍ମଚାରୀମାନେ ପ୍ରାୟ ୫ ଫୁଟ ଲମ୍ବର ଏକ କିଙ୍ଗ…

ସ୍କୁଲରେ ତାଲା ପକାଇଲେ ଅଭିଭାବକ:ବାତ୍ୟା ଆଶ୍ରୟସ୍ଥଳୀରେ ପାଠପଢ଼ିଲେ ଛାତ୍ରୀଛାତ୍ର

ମହାକାଳପଡ଼ା,୯।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳବର୍ତ୍ତୀ ସୁନିତି ପଞ୍ଚାୟତ ଅନ୍ତର୍ଗତ ଓଲ୍ଡ ଫିଲ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକମାନେ ତାଲା ପକାଇବା ଘଟଣାକୁ…

ପ୍ରଧାନ ଶିକ୍ଷକଙ୍କ ବଦଳି ନିଷ୍ପତ୍ତି ପ୍ରତ୍ୟାହାର ଦାବି: ଧାରଣାରେ ବସିଲେ ଅଭିଭାବକ

ବରୀ,୯।୯(ମହେନ୍ଦ୍ର ସ୍ବାଇଁ):ସରକାର ଶିକ୍ଷା ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଥିବାବେଳେ ବରୀ ଶିକ୍ଷାମଣ୍ଡଳ ଅଧୀନସ୍ଥ କୃଷ୍ଣନଗର ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ,…

ଏସିଆ କପ୍‌ ଚାଲିଥିବାବେଳେ ସ୍ମୃତି ମନ୍ଧାନାଙ୍କୁ ମିଳିଲା ବଡ଼ ଖୁସିଖବର

ନୂଆଦିଲ୍ଲୀ,୯।୯: ମହିଳା ଏସିଆ କପରେ ହଂକଂ ବିପକ୍ଷରେ ଏକ ଚମତ୍କାର ଶତକ ମାରିଥିବା ସ୍ମୃତି ମନ୍ଧାନା ICC T20 ରାଙ୍କିଙ୍ଗର ଶୀର୍ଷ ୫ରେ ସ୍ଥାନ ପାଇଛନ୍ତି। ହଂକଂ…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

ମଦ ବିରୋଧରେ ତାତିଲେ ମହିଳା: ଦୋକାନରେ ପକାଇଲେ ତାଲା

ମହାକାଳପଡ଼ା, ୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାଙ୍କୀଛନ୍ଦା ଗ୍ରାମରେ ବେଆଇନ ଦେଶୀ ଓ ବିଦେଶୀ ମଦ ଦୋକାନରେ ମହିଳା ଗୋଷ୍ଠୀ ମଙ୍ଗବଳାର ତାଲା ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri