Posted inଜାତୀୟ

ମହାରାଷ୍ଟ୍ରରେ ଭାଜପା ଖେଳ ଶେଷ:ପରାଜୟ ପୂର୍ବରୁ ପଳାୟନ

ନୂଆଦିଲ୍ଲୀ/ମୁମ୍ବାଇ,୨୭-୧୧:ମହାରାଷ୍ଟ୍ରରେ କ୍ଷମତା ଦଖଲ ପାଇଁ ଚାଲିଥିବା ଭାଜପାର ସଂଖ୍ୟାଖେଳ ଶେଷ ହୋଇଯାଇଛି। ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥାଭୋଟର ସମ୍ମୁଖୀନ ହୋଇ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାରୁ ପ୍ରଥମେ ଉପମୁଖ୍ୟମନ୍ତ୍ରୀ ପଦରୁ ଅଜିତ ପାଓ୍ବର ଓ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଇସ୍ତଫା ଦେଇଛନ୍ତି। ଶକ୍ତିପରୀକ୍ଷାରେ ପରାଜୟ ସୁନିଶ୍ଚିତ ଜାଣି ଅପଦସ୍ତ ହେବା ଭୟରେ ଉଭୟେ ନିଜ ନିଜ ପଦ ଛାଡ଼ିଦେଇଥିବା କୁହାଯାଉଛି। ଶିବସେନା ନେତୃତ୍ୱରେ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଓ କଂଗ୍ରେସକୁ ନେଇ ଗଠିତ ମହାବିକାଶ ଅଘାଡ଼ି ସରକାର ଗଠନ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘଟଣାକ୍ରମ ପଥ ପରିଷ୍କାର କରିଛି। ଆସନ୍ତା ୨୮ ତାରିଖରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ। ଏନ୍‌ସିପିର ଜୟନ୍ତ ପାଟିଲ ଓ କଂଗ୍ରେସର ବାଲାସାହେବ ଥୋରାଟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସୂତ୍ରରୁ ପ୍ରକାଶ। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ମୁତାବକ ଆସ୍ଥାଭୋଟ କରାଇବା ପାଇଁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ବରିଷ୍ଠ ଭାଜପା ବିଧାୟକ କାଳିଦାସ କୋଲମ୍ବକରଙ୍କୁ ପ୍ରୋଟେମ୍‌ ସ୍ପିକର(କାମଚଳା ବାଚସ୍ପତି) ଭାବେ ନିଯୁକ୍ତ କରିଛନ୍ତି। କାଳିଦାସ ଅବଶିଷ୍ଟ ୨୮୭ ବିଧାୟକଙ୍କୁ ଶପଥପାଠ କରାଇବା ପରେ ଦେବେନ୍ଦ୍ରଙ୍କ ପରିବର୍ତ୍ତେ ଉଦ୍ଧବ ଶକ୍ତିପରୀକ୍ଷା ଦେବେ। ଉଦ୍ଧବଙ୍କ ନେତୃତ୍ୱାଧୀନ ମେଣ୍ଟ ପାଖରେ ସଂଖ୍ୟାଗରିଷ୍ଠତା ଥିବାରୁ ସେ ଆସ୍ଥାଭୋଟରେ ବିଜୟୀ ହେବା ଏକପ୍ରକାର ନିଶ୍ଚିତ। ସମ୍ବିଧାନ ଦିବସରେ ସର୍ବୋଚ୍ଚ ଅଦାଲତଙ୍କ ରାୟ ଭାଜପାକୁ ଶକ୍ତ ଝଟକା ଦେବା ସହ ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଭବିଷ୍ୟତ ରାଜନୀତି ସକାଶେ ନୂଆ ବାଟ କାଢ଼ିଦେଇଛି।
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ଫଳାଫଳ ଆସିବାର ମାସେରୁ ଊର୍ଦ୍ଧ୍ୱ ସମୟ ବିତିଯିବା ପରେ ରାଜ୍ୟ ରାଜନୀତିର ଭାଗ୍ୟାକାଶରୁ କଳାବାଦଲ ହଟିଛି। ଅକ୍ଟୋବର ୨୧ ନିର୍ବାଚନର ଫଳ ୨୪ ତାରିଖରେ ପ୍ରକାଶ ପାଇବା ପରେ ରାଜ୍ୟରେ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଥିଲା। ଭାଜପାକୁ ୧୦୫ ଓ ଏହାର ପ୍ରାକ୍‌ ନିର୍ବାଚନୀ ସହଯୋଗୀ ଶିବସେନାକୁ ୫୬ ଆସନରେ ସଫଳତା ମିଳିଥିବାବେଳେ ଏନ୍‌ସିପି ୫୪ ଓ କଂଗ୍ରେସ ୪୪ ଆସନ ଦଖଲ କରିଥିଲେ। ନିର୍ଦ୍ଧାରିତ ସମୟରେ କୌଣସି ଦଳ ସରକାର ଗଠନ କରିପାରି ନ ଥିବା ଦର୍ଶାଇ ରାଜ୍ୟପାଳ କୋଶିୟାରୀ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିଥିଲେ। ନଭେମ୍ବର ୧୨ରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। ୨୨ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉଦ୍ଧବଙ୍କ ନାମକୁ ନେଇ ନିର୍ବାଚନ ପରବର୍ତ୍ତୀ ମେଣ୍ଟରେ ସହମତି ପ୍ରକାଶ ପାଇଥିଲା। ପରଦିନ ସକାଳେ ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାବେଳେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ନାଟକ। ରାତିଅଧରେ ବାଜି ପଲଟିଯାଇଥିଲା। ୨୩ ତାରିଖ ଭୋର ୫ଟା ୪୭ରେ ରାଷ୍ଟ୍ରପତି ଶାସନ ହଟାଇ ଦିଆଗଲା। ଦେବେନ୍ଦ୍ର ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ନିଷ୍ପତ୍ତିକୁ ଶନିବାର ସୁପ୍ରିମକୋର୍ଟରେ ମହା ବିକାଶ ଅଘାଡ଼ି ଚ୍ୟାଲେଞ୍ଜ୍‌ କଲା। ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ ଦାଏର ପିଟିଶନର ଶୁଣାଣି ସୋମବାର ଶେଷ କରି ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଥିଲେ। ଜଷ୍ଟିସ୍‌ ଏନ୍‌.ଭି. ରମାନ୍ନାଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଆଶୋକ ଭୂଷଣ ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ ମଙ୍ଗଳବାର ଏହି ରାୟ ଶୁଣାଇଛନ୍ତି। କର୍ନାଟକ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡରେ ରାଜନୈତିକ ସଙ୍କଟ ବେଳେ ସୁପ୍ରିମକୋର୍ଟଙ୍କ ରାୟର ଅବତାରଣା କରି ଖଣ୍ଡପୀଠ ଫଡ୍‌ନବିସଙ୍କୁ ବୁଧବାର ସନ୍ଧ୍ୟା ୫ଟା ସୁଦ୍ଧା ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଫ୍ଲୋରଟେଷ୍ଟ ବେଳେ ଗୁପ୍ତ ମତଦାନ ପରିବର୍ତ୍ତେ ଓପନ୍‌ ଭୋଟିଂ କରାଯିବ। ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟାର ସିଧାପ୍ରସାରଣ ଓ ଭିଡିଓ ରେକର୍ଡିଂ କରିବାକୁ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ। ଫଳରେ ଉଭୟ ରାଜ୍ୟପାଳ ଓ ଫଡ୍‌ନବିସ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା।
ସେପଟେ ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କ ଉପରେ ଉଭୟ ଦଳ ଓ ପରିବାର ପକ୍ଷରୁ ଚାପ ବଢ଼ିଚାଲିଥିଲା। ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର, ଝିଅ ସୁପ୍ରିୟା ସୁଲେ, ଜ୍ୱାଇଁ ସଦାନନ୍ଦ ସୁଲେ, ଦଳର ବରିଷ୍ଠ ନେତା ଛଗନ ଭୁଜବଳ, ପ୍ରଫୁଲ ପଟେଲ ପ୍ରମୁଖ ଅଜିତଙ୍କୁ ସୋଫିଟେଲ ହୋଟେଲରେ ପୃଥକ୍‌ ଭାବେ ଭେଟି ଫେରିଆସିବାକୁ ଶେଷଥର ପାଇଁ ବୁଝାଶୁଝା କରିଥିଲେ। ଅପରାହ୍ନରେ ଅଜିତ ମୁଖ୍ୟମନ୍ତ୍ରୀ ଫଡ୍‌ନିବସଙ୍କ ପାଖକୁ ଯାଇ ଇସ୍ତଫା ଦେଇଥିଲେ। ସେ ବ୍ୟକ୍ତିଗତ କାରଣରୁ ପଦ ଛାଡ଼ିଥିବା କହିଛନ୍ତି। ସେହିପରି ଅପରାହ୍ନ ୩ଟା ୩୦ରେ ଫଡ୍‌ନବିସ ଖବରଦାତା ସମ୍ମିଳନୀରେ ସଂଖ୍ୟା ଅଭାବରୁ ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା କହିଥିଲେ। ପରେ ସେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଏହା ସହ ଫଡ୍‌ନବିସଙ୍କ ୭୯ ଘଣ୍ଟା କ୍ଷମତାର ଅବସାନ ଘଟିଥିଲା। ଇତିମଧ୍ୟରେ ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ ଉଦ୍ଧବଙ୍କୁ ମେଣ୍ଟ ନେତା ଭାବେ ଚୟନ କରାଯାଇଛି। ଉଦ୍ଧବ ଡିସେମ୍ବର ୧ରେ ମୁମ୍ବାଇର ଶିବାଜୀ ପାର୍କ(ଯେଉଁଠି ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କୁ ସମାଧି ଦିଆଯାଇଛି)ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ଏନ୍‌ସିପି ବିଧାୟକ ଦଳ ନେତା ଜୟନ୍ତ ପାଟିଲ ଓ କଂଗ୍ରେସ ନେତା ବାଲାସାହେବ ଥୋରାଟ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ଶପଥପାଠ କରାଇବେ ବୋଲି ସ୍ଥିର ହୋଇଛି। ତେବେ ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବାରୁ ଆନୁଷ୍ଠାନିକ ଭାବେ କୌଣସି କାର୍ଯ୍ୟ ନ ହେବା ଯାଏ ତାକୁ ଚୂଡ଼ାନ୍ତ ବୋଲି କହିହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଥାନା CUG ନମ୍ବର ଲୁଚାଇଲେ ହେବ କାର୍ଯ୍ୟାନୁଷ୍ଠାନ! ସାର୍ବଜନୀନ କରିବାକୁ ପୋଲିସ୍ HQରୁ କଡ଼ା ନିର୍ଦ୍ଦେଶ

କଟକ ସଦର, ୨୭/୧୦ (ସୁଶାନ୍ତ କୁମାର ଜେନା): ରାଜ୍ୟର ବିଭିନ୍ନ ଥାନାରେ ଥିବା BSNL ଲ୍ୟାଣ୍ଡଫୋନ୍ ଲାଇନ୍‌ଗୁଡ଼ିକ ଅଚଳ ହୋଇପଡ଼ିଥିବାରୁ, ଜରୁରୀ ସେବା ଓ ପୋଲିସ୍ ସହାୟତା…

ବଡ଼ ଖବର: କାଲି ନୁହେଁ ଆଜି ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା, ହଠାତ୍‌ ବଦଳିଲା ସମୟ

ଭୁବନେଶ୍ୱର, ୨୭।୧୦: କାଲି ନୁହେଁ ଆଜି ରାତିରେ ହିଁ ଲ୍ୟାଣ୍ଡଫଲ କରିବ ବାତ୍ୟା ଅର୍ଣ୍ଣବ । ହଠାତ୍ ବଦଳିଲା ବାତ୍ୟା ଲ୍ୟାଣ୍ଡଫଲର ସମୟ । ଆଜି ରାତି…

କୋଟିଆ ମାଟିରେ ତାତିଲେ ତାରା, ଗର୍ଜିଲେ ଭକ୍ତ: ଆନ୍ଧ୍ର ପୋଲିସ୍ ତୁରନ୍ତ ସ୍ଥାନ ଛାଡ଼, ଏହା କାହାର ପୈତୃକ ସମ୍ପତ୍ତି ନୁହେଁ…

ପଟ୍ଟାଙ୍ଗି, ୨୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନରୁ ଲାଗିରହିଥିବା ସୀମା ବିବାଦକୁ ନେଇ ସ୍ଥିତି ପୁଣି ସଙ୍ଗୀନ…

ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ, ଗଡ଼ିବନି ୧୫୦ରୁ ଅଧିକ ବସ୍‌

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରକୋପକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରୁ ଦକ୍ଷିଣ ଓଡ଼ିଶାକୁ ଚଳାଚଳ କରୁଥିବା ସମସ୍ତ ଘରୋଇ ବସ୍‌ ସେବାକୁ ସାମୟିକ ଭାବେ…

ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’: କାଲି ବଲାଙ୍ଗୀର, କନ୍ଧମାଳ-କେନ୍ଦ୍ରାପଡ଼ାରେ ସବୁ ସ୍କୁଲ୍ ଛୁଟି; ଶିକ୍ଷକଙ୍କ ପାଇଁ…

ଭୁବନେଶ୍ୱର, ୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲାରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବୁଧବାର (କାଲି) ବଲାଙ୍ଗୀର,…

ବଦଳିଗଲା ବାତ୍ୟାର ଲ୍ୟାଣ୍ଡଫଲ୍‌ ସ୍ଥାନ! ରାତି ହେଉ ହେଉ ଏସବୁ ଜିଲାକୁ ହାଇ ଆଲର୍ଟ…

ଭୁବନେଶ୍ୱର,୨୭।୧୦: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ଅର୍ଣ୍ଣବ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି…

ଲିଷ୍ଟିଂ ପୂର୍ବରୁ ଶେୟାର ବଜାରରେ କମ୍ପନ: ଦେଶର ୨ୟ ମୂଲ୍ୟବାନ କମ୍ପାନୀ ହେବା ଦିଗରେ ଜିଓ ପ୍ଲାଟଫର୍ମସ! ଟାଟା-ଅଦାନୀଙ୍କୁ…

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ପୁଞ୍ଜି ବଜାର (Stock Market) ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ନେତୃତ୍ଵାଧୀନ ‘ଜିଓ ପ୍ଲାଟଫର୍ମସ ଲିମିଟେଡ’ (JPL)…

କ୍ଷେତ ବଞ୍ଚାଅ ଅଭିଯାନ: ଜୈବିକ କୃଷିକୁ ପ୍ରୋତ୍ସାହନ ମୁଖ୍ୟ ଲକ୍ଷ୍ୟ

କେସିଙ୍ଗା, ୨୭।୧୦ (ତୁମେଶ୍ୱର ସାହୁ): ଚାଷଜମିର ସୁରକ୍ଷା, ମୃତ୍ତିକାର ସ୍ବାସ୍ଥ୍ୟ ବଜାୟ ରଖିବା ଏବଂ ଜୈବିକ ଓ ପ୍ରାକୃତିକ କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?