ମଣିଷ ହୁଅ

 

ଦ୍ୱିତୀ ଚନ୍ଦ୍ର ସାହୁ

ସମସ୍ତଙ୍କ ଉପସ୍ଥିତିରେ ସାଇଁକରି ଗାଡ଼ିଟିକୁ ଚକ୍ରାକାରରେ ଘୂରେଇଲା ଜଣେ ଯୁବକ। ଆଗ ଚକ ଟିକେ ଉପରକୁ ଉଠାଇଲା ଆଉ ଆଖିବୁଜା ବେଗରେ ନିମିଷକରେ ଉଭାନ ହୋଇଗଲା। ସମସ୍ତେ ହତମ୍ବବ ହୋଇଗଲେ। ଉପସ୍ଥିତ ବୟସ୍କ ବ୍ୟକ୍ତି ଜଣକ କହିଲେ – ‘ଗଲା ବିଗିଡି ଗଲା। ଆଉ ଏଇ ଛୁଆମାନେ ମଣିଷ ହେବେନି !’
ଦଲକାଏ ପବନରେ ଉଡ଼ି ଯାଉଥିବା ରଫ୍‌କାଗଜ ପରି ଏ କଥା ବି ମିଳେଇ ଗଲା ପବନରେ କ୍ଷଣିକ ଭିତରେ। ନିଜ ନିଜ କାର୍ଯ୍ୟରେ ଲାଗିଗଲେ ସମସ୍ତେ। ସ୍ବାଦ ଚାଖିବା ଲାଗି ସହରରେ ନୂଆକରି ଖୋଲିଥିବା ଚା ପାର୍ଲୋରରେ ବସିଥିବା ଦୁତିଆର ମଗଜରୁ ଏଇ କଥା କିନ୍ତୁ ବସା ବାନ୍ଧି ରହିଗଲା ଯେମିତି। କୋଉ କାମଟା ଠିକ୍‌ ଭାବେ କରି ନ ପାରିଲେ ମା’ ତା’ର କହିଦେବ ‘ଗଲୁରେ ବାବୁ ! ତୁ ଆଉ ମଣିଷ ହେବୁନି !’ ଦୁତିଆ ଭଲକରି ଜାଣିଥାଏ ଯଦି କେବେ କାମରେ ଖଇଚା ହୋଇଯିବ ତ ତା’ର ମା’ ସେଇ କଥା ନିଶ୍ଚିତ କହିବ। ଜୀବନତମାମ ସେଇ କଥା ତା’ ପାଇଁ ଘୋଷରା ହୋଇ ଆସିଥିଲା। ଏମିତିକି ଦୁତିଆ ଚାକିରି କରି ରୋଜଗାର କଲା। ବାହାସାହା ହୋଇ ଘରସଂସାର କଲା। ତଥାପି ତାରି ଭିତରେ ବି ମା’ ତା’ର କହିଦେଉଥିଲା ସେଇ କଥା। ଗୁରୁତ୍ୱ ଦେଇ ଆସିନି ସେଇ କଥାରେ କେବେ। ବରଂ ମିଠା ଗାଳି ଭାବେ ତାକୁ ସହଜରେ ଗ୍ରହଣ କରିଆସିଛି। କିନ୍ତୁ ତାରି ମଧ୍ୟରେ ଯେ ଅଜସ୍ର ଗୋପନେ ସାଇତା କଥା ରହିଛି ସେ କେବେ ଅନୁଭବ କରିପାରିନି। ମା’ର ଅବର୍ତ୍ତମାନରେ ଏଇ ମରମ କଥାକୁ ଅନେକ ସ୍ଥାନରେ ବହୁବାର ଶୁଣିଛି। ପ୍ରବଚକମାନେ ନିଜ ପ୍ରବଚନରେ କହିଲେଣି ତ ବୁଦ୍ଧିଜୀବୀ, ମ୍ୟାନେଜମେଣ୍ଟ ଗୁରୁ ସର୍ବୋପରି ଧାର୍ମିକ ଗୁରୁମାନେ ବି ସେଇ ଗୋଟିଏ କଥା କହିଲେଣି ‘ମଣିଷ ହୁଅ!’ କହିବାକୁ ଗଲେ ସଚରାଚର ଯେତେ ମଣିଷ ଦେଖାଯାଉଛନ୍ତି ସେମାନେ ସମ୍ଭବତଃ ମଣିଷ ହୋଇପାରି ନାହାନ୍ତି ! ମଣିଷ ପ୍ରଜାତିରେ ଜନ୍ମ ଲାଭ କରିଛନ୍ତି ଅଥଚ ଯାବତୀୟ କାମ ସବୁ ଅମଣିଷ ଭଳି କରୁଛନ୍ତି। ଆଚରଣ ଓ ଉଚ୍ଚାରଣରେ ଅନେକ ଫରକ। ମଣିଷ ଭିତରେ ଥିବା ସମ୍ବେଦନଶୀଳତା ଶେଷ ହୋଇଯାଇଛି। ବାହାର ପରିବେଶ, ପ୍ରକୃତି, ଜଳବାୟୁର କୌଣସି ପ୍ରଭାବ ତାରି ଉପରେ ପଡୁନି ଯେମିତି। ମିଳୁଛିି ସେଇ ଏକା ପ୍ରତିକ୍ରିୟା। ମଣିଷ ପ୍ରଦର୍ଶନ କରୁଛି ସମାନ ବ୍ୟବହାର। ମାନବୀୟ ଗୁଣ ସବୁ ବନ୍ଧା ପଡ଼ିଛି। ଅନ୍ୟପ୍ରତି ଦରଦ ନାହିଁ କି ସହାନୁଭୂତି ନାହିଁ। ମରିଯାଉଥିବା ମଣିଷ ପ୍ରତି ବି ତା’ର ଦୟା ନାହିଁ। ସାମ୍ନାରେ ଦେଖୁଥିବା ମଣିଷ, ଜୀବ ପ୍ରତି ଉଦ୍‌ବେଗ ନାହିଁ। ନିଜର କାମ ପାଇଁ ଉଦ୍‌ବେଳନ ନାହିଁ। ଭୁଲ କାମ ପାଇଁ ପଶ୍ଚାତ୍ତାପ ବି ମନକୁ ଛୁଉଁନି। ମାନବୀୟ ମନ୍ତ୍ରରେ ଅଭିମନ୍ତ୍ରିତ ମଣିଷ ଏବେ ଯନ୍ତ୍ରବତ୍‌ ହୋଇପଡ଼ିଛି। ନିର୍ଦ୍ଦିଷ୍ଟ କାମ ପାଇଁ ଯନ୍ତ୍ର ଯେମିତି ଅନବରତ କାମ କରିଚାଲିଛି ମଣିଷ ବି ଯନ୍ତ୍ର ତୁଲ୍ୟ ମନେ ହେଉଛି। ପିଲାଟି ଦିନରୁ ଘରେ ଘରେ ଯନ୍ତ୍ର ନିର୍ମାଣର ପ୍ରକ୍ରିୟା ଆରମ୍ଭ ହୋଇଯାଉଛି। ଯାବତୀୟ ସୁଖଦୁଃଖ, ପାରିବାରିକ ଭାବାବେଗ, ସମ୍ପର୍କର ସୁନେଲି ଆବେଗଠାରୁ ନିଜର ଛୁଆକୁ ଦୂରରେ ରଖାଯାଉଛି। ଏମିତିକି ଆବଶ୍ୟକସ୍ଥଳେ ପର୍ବପର୍ବାଣି, ଜାନିଯାତ, ପାରିବାରିକ ଉତ୍ସବଠାରୁ ମଧ୍ୟ ଦୂରରେ ରଖାଯାଉଛି। ନିରବଚ୍ଛିନ୍ନ ଅଧ୍ୟୟନ ଲାଗି ତୁହାକୁ ତୁହା ପରାମର୍ଶ। ପରୀକ୍ଷା ଫଳକୁ ନେଇ ସମୀକ୍ଷା ଓ ତୁଳନା। ଆହୁରି ଉତ୍କର୍ଷ ଲାଗି ଚାପ ପ୍ରୟୋଗ। ସମୟର ସଦ୍‌ ବିନିଯୋଗ ଲାଗି ଉପଦେଶ। ପଢ଼ିବା ଲାଗି ରଖାଯାଉଛି ସବୁ କୋଳାହଳଠାରୁ ଦୂରରେ। ଏମିତିକି ଆବାସିକ ଅଧ୍ୟୟନ ଲାଗି ଅଭିଭାବକ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି। ପାରିବାରିକ ସମ୍ପର୍କଠାରୁ ଦୂରରେ ରଖାଯାଇ ଗୋଟିଏ ମାର୍ଗ ଦେଖାଇ ଦିଆଯାଉଛି ଓ ଗୋଟିଏ ଲକ୍ଷ୍ୟକୁ ପୂରଣ ପାଇଁ ଅଣନିଃଶ୍ୱାସୀ ହୋଇ ଦୌଡ଼ିବାକୁ କୁହାଯାଉଛି। ପିଲାଟି ଦୌଡୁଛି କ୍ଷୀପ୍ର ବେଗରେ। ଲମ୍ବା ରେସର ଘୋଡା ଭଳି ଲକ୍ଷ୍ୟ ପୂରଣରେ ଅଧିକାଂଶ ସଫଳ ବି ହେଉଛନ୍ତି। ପୁଳା ପୁଳା ଟଙ୍କା ଅର୍ଜିପାରୁଥିବା ବୃତ୍ତିରେ ବି ନିଜର ପିଲାଟି ନିଜକୁ ଯୋଗ୍ୟ ବିବେଚିତ କରୁଛି। କିନ୍ତୁ ମଣିଷ ହୋଇପାରୁନି। ପରିବାର ସଦସ୍ୟକୁ ଚିହ୍ନି ପାରୁନି। ସମ୍ମାନବୋଧ ଶିଖିପାରୁନି। ଅବଶେଷରେ ମଣିଷ ହିସାବରେ ଅନ୍ୟ ମଣିଷ ପ୍ରତି କିଭଳି ଆଚରଣ ପ୍ରଦର୍ଶନ କରିବା ଉଚିତ ସେହି ସାମାନ୍ୟତମ ମୂଲ୍ୟବୋଧକୁ ବି ହାସଲ କରିପାରୁନି। ଯାବତୀୟ ପ୍ରାଚୁର୍ଯ୍ୟ ଭିତରେ ରହି ବି ପୁଅମାନେ ପରବର୍ତ୍ତୀ ଜୀବନରେ ନିଜ ମାତାପିତାଙ୍କ ପାଇଁ ଭଲ ପୁଅ ହୋଇପାରୁ ନାହାନ୍ତି କି ନିଜ ଛୁଆମାନଙ୍କ ପାଇଁ ଭଲ ବାପା ହୋଇପାରୁ ନାହାନ୍ତି। ଆଉ ଘରକରଣାଠାରୁ ଦୂରରେ ରହି ଆସିଥିବା ଝିଅମାନେ ନିଜକୁ ମନ ଜିଣିବା ମା’ଟିଏ ଭାବେ ନିଜକୁ ପ୍ରସ୍ତୁତ କରିପାରୁ ନାହାନ୍ତି। ଆଉ ଏଭଳି ମାଆବାପାଙ୍କଠାରୁ ଜନ୍ମିତ ଛୁଆ ପାଖରେ ସବୁ ସୁଖ ଓ ସରଞ୍ଜାମ ରହୁଛି। ଅଥଚ ଯାହା ରହିବା କଥା, ସେତକ ଗୁଣ ରହିପାରୁନି। ମଣିଷ ଯେମିତି ବେଳକୁ ବେଳ ନିର୍ବୋଧ ପାଲଟିଯାଉଛି। ନିଜର ଜ୍ଞାନେନ୍ଦ୍ରିୟକୁ ଇଚ୍ଛା ମୁତାବକ ବ୍ୟବହାର କରିପାରୁଛି ସତ, ଅଥଚ ମନ, ବୁଦ୍ଧି, ଚିତ୍ତ ଓ ଅହଂକାର ରୂପୀ ଅନ୍ତଃକରଣକୁ ମଣିଷ ସମ୍ଭବତଃ ଠିକ୍‌ ଭାବେ ପରିଚାଳନା କରିପାରୁନାହିଁ। ସେଥିପାଇଁ ସମ୍ଭବତଃ ସବୁଠି ସମସ୍ତେ ଗୋଟିଏ ପରାମର୍ଶ ଦେଇ ଚାଲିଛନ୍ତି ‘ମଣିଷ ହୁଅ !’ ଚା’ ସହ ଚର୍ଚ୍ଚାରେ ବିଭୋର କେହି ଜଣେ ଅନ୍ୟମନସ୍କ ହୋଇ ଛାଡିଯାଇଥିବା ଟଙ୍କା ଭର୍ତ୍ତି ପର୍ସକୁ ପାଇଲା ଦୁତିଆ। ନିକଟରେ ବସିଥିବା ବନ୍ଧୁ ଫେରେଇବାକୁୁ ବାରଣ କଲେ। ଦୁତିଆ କିନ୍ତୁ ପର୍ସରୁ ନମ୍ବର ପାଇ ନିଜ ମୋବାଇଲରୁ ଭଦ୍ର ବ୍ୟକ୍ତିଙ୍କୁ କଲ୍‌ କରିବାକୁ ଲାଗିଲା। ନିଜ ଭିତରେ ଆତ୍ମବୋଧ ହେଉଥିଲା ମା’ର ସେଇ କଥା – ‘ତୁ ଆଉ ମଣିଷ ହେବୁନି !’
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା, ମୋ- ୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri