ମଝିମଝିଆ ବୁଡ଼ି ମରନ୍ତି

ରମେଶ ଚନ୍ଦ୍ର ସାମଲ
ଲୋକ କଥାଟିଏ ଅଛି- ବଡ଼ ପୁଅ ବାପର, ସାନ ପୁଅ ମା’ର, ମଝିଆ ପୁଅ ବାହାର, ଅର୍ଥାତ୍‌ ମଝିଆ ପୁଅକୁ କେହି ଆଦରି ନିଅନ୍ତିନି। ମା’ବାପା ଅକର୍ମଣ୍ୟ ହୋଇଗଲେ ବଡ଼ ପୁଅ ପରିବାରର ଭରଣପୋଷଣ ଦାୟିତ୍ୱ ନିଏ। ସେମାନଙ୍କ ମୃତ୍ୟୁ ପରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ଆଦି କରେ। ତାଙ୍କର ଉତ୍ତରାଧିକାରୀ ବିବେଚନା କରି ବାପା ତାକୁ ଅଧିକ ସ୍ନେହ ଆଦର କରନ୍ତି। ସାନପୁଅ ମା’ଙ୍କର କୋଳପୋଛା ହୋଇଥିବାରୁ ମା’ଙ୍କ ସ୍ନେହଆଦର ତା’ ପ୍ରତି ଅତୁଟ ରହେ, କାରଣ ସାନ ପରେ ତାଙ୍କର ସ୍ନେହ ପାଇବାକୁ ଆଉ କୌଣସି ଛୋଟ ପିଲା ନ ଥାନ୍ତି। ମଝିଆ ପୁଅ ସାନ ତୁଳନାରେ ଟିକେ ବଡ଼ ଓ ଅଧିକ ପାରିବାର ହୋଇଥିବାରୁ ସେ ବଡ଼ଭାଇ ଓ ବାପାଙ୍କୁ ତାଙ୍କ କାମରେ ସାହାଯ୍ୟ କରେ। ମା’ର ସ୍ନେହ ତା’ ପାଖରୁ ସାନ ପାଖକୁ ଚାଲିଗଲା ପରେ ତା’ ଭାଗ୍ୟରେ କେବଳ କାମ ପଡିଯାଏ। ଏଥିପାଇଁ ଏହି ଲୋକକଥାଟି ଜନମୁଖରୁ ଶୁଣାଯାଏ। ପ୍ରକୃତ ପକ୍ଷରେ ମା’ବାପା ସନ୍ତାନଙ୍କ ମଧ୍ୟରେ କିଛି ବିଭେଦ ରଖନ୍ତିନି। ଏବର ସମାଜରେ ଏସବୁ ବିଭେଦ ଦେଖିବାର ଅବକାଶ ପ୍ରାୟତଃ ନାହିଁ। କାରଣ ଅଧିକାଂଶ ପରିବାରରେ ଗୋଟିଏ ବା ଦୁଇଟି ପିଲା।
ଆଜିକାଲି ପିଲାମାନେ ବଡ଼ ହୋଇ ଚାକିରି ବାକିରି କରି ଅଲଗା ରହୁଛନ୍ତି। ଚାଷବାସ କରି ମଧ୍ୟ ସେମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଭିନ୍ନ ହୋଇ ଚଳୁଛନ୍ତି। ଯେଝା ବୋଝ ଯେଝା ମୁଣ୍ଡରେ। ଏକାନ୍ନବର୍ତ୍ତୀ ପରିବାର ପ୍ରାୟତଃ ନାହିଁ। ବଡ଼, ମଝିଆ ଓ ସାନ ପୁଅ ମଧ୍ୟରେ କିଛି ଭେଦାଭେଦ ନାହିଁ। ପରିବାର ଉପରେ କୌଣସି ଭିଟୋ ଦେବାର ଅଧିକାର ବଡ଼ପୁଅର ନାହିଁ। ଦେଶର ନିୟମ ଅନୁସାରେ ପରିବାରର ଜମିବାଡି, ଆସବାବପତ୍ର ଉପରେ ସମସ୍ତଙ୍କର ସମାନ ଅଧିକାର। ଆଗର ନିୟମ ଅନୁଯାୟୀ ବଡ଼ପୁଅକୁ କିଛି ଜ୍ୟେଷ୍ଠା ଦେବା ପରମ୍ପରା ଆଉ ନାହିଁ। ବଡ଼ଭାଇକୁ ମାନିବା ନ ମାନିବା ନିଜର ବ୍ୟକ୍ତିଗତ ବ୍ୟାପାର। ବଡ଼ଭାଇ ପିତୃତୁଲ୍ୟ ବିଚାରଧାରା ଆଉ ନାହିଁ।
ଏବେ ସମାଜରେ ଥିବା ଅନ୍ୟ ଏକ ମଝିମଝିଆ ଶ୍ରେଣୀର ଲୋକଙ୍କ ବିଷୟ ବିଚାରକୁ ନେବା। ଏମାନେ ହେଲେ କିନ୍ନର। ଏବେ ସୁପ୍ରିମ୍‌କୋର୍ଟ ଏମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ଦେଇଛନ୍ତି। ପାଠପଢ଼ା, ଚାକିରି, ରାଜନୀତି ଓ ସାମାଜିକ ଜୀବନରେ ପୁରୁଷ ଓ ମହିଳାଙ୍କ ଭଳି ଏମାନଙ୍କୁ ମାନ୍ୟତା ଦେବାକୁ ସମସ୍ତେ ବାଧ୍ୟ। କେତେକ ସରକାରୀ ସଂସ୍ଥାରେ ଏମାନେ କାମ କରିବାର ନଜିର ଏବେ ଦେଖିବାକୁ ମିଳିଲାଣି। ରାଜନୀତି କରିବାକୁ ବି ଏମାନେ ଆଗେଇ ଆସିଲେଣି। ତଥାପି ଆମେ ଅନୁଭବ କରୁଛୁ ନ୍ୟାୟିକ ମର୍ଯ୍ୟାଦା ମିଳିଲେ ମଧ୍ୟ ଏମାନଙ୍କୁ ଏଯାବତ୍‌ ସମାଜରେ ଉପଯୁକ୍ତ ସ୍ଥାନ ମିଳିପାରିନି।
ସମାଜରେ ଅନ୍ୟ ଏକ ମଧ୍ୟମ ବର୍ଗର ଲୋକ ହେଉଛନ୍ତି ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)। ସମାଜର ଉଚ୍ଚ ଶ୍ରେଣୀୟ ଲୋକ ପ୍ରାୟତଃ ସ୍ବଚ୍ଛଳ। ସେମାନେ ନିଜ ସୁବିଧା ଅସୁବିଧା ନିଜେ ବୁଝିବାକୁ ସମର୍ଥ। ଅନୁସୂଚିତ ଜାତି, ଜନଜାତି ଓ ଉପଜାତି ଲୋକଙ୍କ ପାଇଁ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ସହିତ ସେମାନଙ୍କ ପାଇଁ ସରକାରୀ, ଅର୍ଦ୍ଧସରକାରୀ ସଂସ୍ଥାମାନଙ୍କରେ ଚାକିରି ଆଦି କ୍ଷେତ୍ରରେ ସୁବିଧା ଦେଇଛନ୍ତି। ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କ ପାଇଁ ଚାକିରି, ପଦୋନ୍ନତି କ୍ଷେତ୍ରରେ ଆଗରୁ କୌଣସି ସଂରକ୍ଷଣ ବ୍ୟବସ୍ଥା ନ ଥିଲା। ବହୁ ପଛରେ ସରକାର ଏମାନଙ୍କ ପାଇଁ ସରକାରୀ, ଅର୍ଦ୍ଧସରକାରୀ ସଂସ୍ଥାରେ କିଛି ସ୍ଥାନ ସଂରକ୍ଷଣ କରିଛନ୍ତି। ଏହାଦ୍ୱାରା ପୂର୍ଣ୍ଣମାତ୍ରାରେ ନ ହେଲେ ମଧ୍ୟ ସେମାନଙ୍କ ଦୁଃଖ, ଅସୁବିଧା କିଛି ମାତ୍ରାରେ ଲାଘବ ହୋଇପାରୁଛି।
ଦେଶ ଶାସନ ପାଇଁ ଆପଣାଯାଇଥିବା ମଝିମଝିଆ ବ୍ୟବସ୍ଥା ମଧ୍ୟ ଏଠାରେ ଆଲୋଚନା କରାଯାଇପାରେ। ଏହି ବ୍ୟବସ୍ଥା ଅନୁଯାୟୀ ଆମ ଦେଶରେ ଏକକ, ଦ୍ୱୈତ ବା ଯୌଥ ଶାସନ ପଦ୍ଧତି ପ୍ରଚଳିତ ହୋଇଛି। ଦେଶର ବିଭିନ୍ନ କାର୍ଯ୍ୟ ଓ ଶାସନ ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କାର୍ଯ୍ୟ ବଣ୍ଟନ ହୋଇଛି। କେତେକ କାର୍ଯ୍ୟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦାୟିତ୍ୱ ରହିଛି। ବିଭିନ୍ନ ରାଜ୍ୟ ମଧ୍ୟରେ କୌଣସି ବିଷୟକୁ ନେଇ କିଛି ଜଟିଳ ପରିସ୍ଥିତି ଉପୁଜିଲେ କେନ୍ଦ୍ର ସରକାରଙ୍କର ଦାୟିତ୍ୱ ସାରାଦେଶ ଓ ବିଭିନ୍ନ ରାଜ୍ୟର ସ୍ବାର୍ଥକୁ ନେଇ ସମସ୍ତଙ୍କୁ ସୁହାଇବା ଭଳି କାର୍ଯ୍ୟକ୍ରମ ଗ୍ରହଣ କରିବା। କିନ୍ତୁ ଯେତେବେଳେ ରାଜ୍ୟଙ୍କ ମଧ୍ୟରୁ କୌଣସି ଗୋଟିକ କେନ୍ଦ୍ର ସରକାରଙ୍କର ଦଳୀୟ ଶାସନରେ ଓ ଅନ୍ୟ ରାଜ୍ୟଟି ବିରୋଧୀ ଦଳ ଶାସନରେ ଥାଏ, ସେତେବେଳେ ସମସ୍ୟା ଉପୁଜେ। ଏଭଳି ପରିସ୍ଥିତିରେ କେତେକ ସ୍ଥଳରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଆପଣେଇବା କିମ୍ବା ନିଜ ଦଳୀୟ ଶାସନରେ ଥିବା ରାଜ୍ୟକୁ କିଛି ଅନୁକମ୍ପା ପ୍ରଦର୍ଶନ କରିବାର ନଜିର ଦେଖାଯାଏ।
ସାରା ବିଶ୍ୱରେ ତିନିପ୍ରକାର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ଅଛି- (୧) କ୍ୟାପିଟାଲିଜମ୍‌ ବା ପୁଞ୍ଜିବାଦ। ଏହା ବ୍ୟକ୍ତିଗତ ମାଲିକାନାରେ ପରିଚାଳିତ ହୁଏ। (୨) କମ୍ୟୁନିଜମ୍‌ ବା ସାମ୍ୟବାଦ। ଏହି ବ୍ୟବସ୍ଥାରେ ଦେଶରେ କୌଣସି ବ୍ୟକ୍ତିର ମାଲିକାନା ନ ଥାଏ। ସରକାରଙ୍କ ଦ୍ୱାରା ସବୁ ସଂସ୍ଥା ପରିଚାଳିତ ହୁଏ। (୩) ସୋସିଆଲିଜମ୍‌ ବା ସମାଜବାଦ। ଏହି ବ୍ୟବସ୍ଥା ଅନୁଯାୟୀ ଉଭୟ ସରକାରୀ ଓ ବେସରକାରୀ ମାଲିକାନାରେ ଦେଶର କଳକାରଖାନା ଓ ଅନ୍ୟାନ୍ୟ ଅର୍ଥନୈତିକ ସଂସ୍ଥା ପରିଚାଳିତ ହୁଏ। ଏଭଳି ବ୍ୟବସ୍ଥାରେ ନା ସରକାର ନା ବେସରକାରୀ ସଂସ୍ଥାର କିଛି ଆନ୍ତରିକତା ଥାଏ। ଚାକିରି ଓ ପଦୋନ୍ନତି ଆଦି କ୍ଷେତ୍ରରେ ମଧ୍ୟ ଅବସ୍ଥା ତଦ୍ରୂପ। ସରକାରୀ ସଂସ୍ଥାରେ କାମ କରୁଥିବା ଲୋକ ସବୁ ସରକାରୀ ସୁବିଧା ସୁଯୋଗ ପାଆନ୍ତି। ଘରୋଇ ସଂସ୍ଥାରେ କାମ କରୁଥିବା ଲୋକଙ୍କ ଅବସ୍ଥା, ସୁବିଧା ସୁଯୋଗ ଘରୋଇ ସଂସ୍ଥାର ମାଲିକ ବୁଝନ୍ତି। ଅର୍ଦ୍ଧସରକାରୀ ସଂସ୍ଥାରେ କାମ କରୁଥିବା ଲୋକଙ୍କ ପାଇଁ ଚାକିରି, ଦରମା ଓ ପଦୋନ୍ନତିରେ ବିଭିନ୍ନ ସରକାରୀ କଟକଣା ଥିଲେ ମଧ୍ୟ ଏମାନେ ସରକାରୀ ସଂସ୍ଥାରେ କାମ କରୁଥିବା ଲୋକଙ୍କ ଭଳି ପେନସନ ଆଦି ସବୁ ସୁବିଧା ପାଆନ୍ତିନି। ସରକାରଙ୍କର ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ନିଗମଗୁଡିକରେ କାମ କରୁଥିବା ଲୋକଙ୍କୁ ମଧ୍ୟ ପେନସନ ଆଦି ବହୁ ସୁବିଧାସୁଯୋଗ ଦିଆଯାଏନି। ଭବିଷ୍ୟନିଧି ଯୋଜନାରୁ ଯାହା ପେନସନ୍‌ ମିଳେ ତାହା ନ କହିବା ଭଲ। ଏହା ‘ସମୁଦ୍ରକୁ ଶଙ୍ଖେ’। ଏମାନଙ୍କର ଜୀବନ, ଏକ ତ୍ରିଶଙ୍କୁର ଜୀବନ- ନା ଏମାନେ ସରକାରୀ ନା ଘରୋଇ। ମଝିରେ ଝୁଲି ରହିଲେ ଯାହା ଅସୁବିଧା ଭୋଗ କରିବାକୁ ହୁଏ, ଏମାନେ ସେୟା ଭୋଗନ୍ତି।
ରାମିଆଗଞ୍ଜ, ମାର୍ଶାଘାଇ, କେନ୍ଦ୍ରାପଡା, ମୋ-୯୪୩୯୮୭୯୦୨୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri